Web News

ବରଗଡ଼ରେ WOYMର ୧୦ମ ପ୍ରତିଷ୍ଠା ଦିବସ ପାଳିତ: ସ୍ୱତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଶିଶୁଙ୍କ ସହ ‘ଉତ୍ଥାନ-୨୦୨୬’ ପାଳନ
ବରଗଡ଼, ୨୬/୦୮: ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ୍ (WOYM)ର ୧୦ମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ‘ଉତ୍ଥାନ-୨୦୨୬’ ନାମରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବିଦ୍ୟାଳୟର ଶିଶୁମାନଙ୍କ ସହ ସମୟ ବିତାଇ WOYM ସଦସ୍ୟମାନେ ପ୍ରତିଷ୍ଠା ଦିବସକୁ ଅର୍ଥପୂର୍ଣ୍ଣ ଭାବେ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ସାମାଜିକ ସେବା, ମାନବିକତା ଓ ସମାଜର ଅବହେଳିତ ବର୍ଗଙ୍କ ପ୍ରତି ସମ୍ବେଦନଶୀଳତାର ବାର୍ତ୍ତା ଦିଆଯାଇଥିଲା। ଔପଚାରିକ ଭାବେ କେବଳ ପ୍ରତିଷ୍ଠା ଦିବସ ପାଳନ ନକରି, ବିଶେଷ ଶିଶୁମାନଙ୍କ ସହ ଖୁସି ବାଣ୍ଟିବା ଏବଂ ସେମାନଙ୍କୁ ଉତ୍ସାହିତ କରିବାକୁ WOYMର ଏହି ପଦକ୍ଷେପକୁ ଉପସ୍ଥିତ ଅତିଥି ଓ ସଦସ୍ୟମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଗୌରବ ପତି ଆଜାଦଙ୍କୁ ସମ୍ମାନିତ କରାଯାଇଥିବାବେଳେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ସମ୍ମାନ ଜଣାଯାଇଥିଲା। କାର୍ଯ୍ୟକ୍ରମର ଫଟୋରେ WOYMର ସଦସ୍ୟ, ଅତିଥି ଓ ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତିମାନେ ସାମୂହିକ ଭାବେ ଉପସ୍ଥିତ ଥିବା ଦେଖାଯାଇଛି। WOYM ପକ୍ଷରୁ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଯାଇଛି। ଏଥିସହ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିଥିବା ସମସ୍ତ ଅତିଥି, ସଦସ୍ୟ ଓ ସହଯୋଗୀଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଛି। ପଶ୍ଚିମ ଓଡ଼ିଶାର ଯୁବ ସମାଜ, ସଂସ୍କୃତି ଓ ସାମାଜିକ ସେବାକୁ ନେଇ କାର୍ଯ୍ୟ କରୁଥିବା WOYM ନିଜର ୧୦ ବର୍ଷର ଯାତ୍ରାକୁ ସ୍ମରଣ କରିବା ସହ ଆଗାମୀ ଦିନରେ ମଧ୍ୟ ମାନବିକତା ଓ ସମାଜସେବା କ୍ଷେତ୍ରରେ ନିଜର କାର୍ଯ୍ୟ ଜାରି ରଖିବାର ସଂକଳ୍ପକୁ ଦୋହରାଇଛି। ବରଗଡ଼ରେ ଆୟୋଜିତ ଏହି ୧୦ମ ପ୍ରତିଷ୍ଠା ଦିବସ କେବଳ ଏକ ବାର୍ଷିକ ଉତ୍ସବ ନହୋଇ, ସେବା, ସମ୍ମାନ ଓ ସମାବେଶୀ ମାନବିକତାର ଏକ ସୁନ୍ଦର ବାର୍ତ୍ତା ଦେଇ ଶେଷ ହୋଇଥିଲା।
Bargarh (ବରଗଡ଼) • ସତ୍ୟ ସୁରୁ ଜାଲ

ନିଶାମୁକ୍ତ ଭାରତ ଅଭିଯାନରେ ଡ୍ରଗ୍ସ ବିରୋଧୀ ସଚେତନତା କାର୍ଯ୍ୟକ୍ରମ
ଖୋର୍ଦ୍ଧା: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଆଇ.ଇ. ଥାନା ପକ୍ଷରୁ ବାଘେଇଟାଙ୍ଗିସ୍ଥିତ ଇନୋଭେସନ୍ ବିଜନେସ୍ ସ୍କୁଲ୍ରେ ଏକ ଡ୍ରଗ୍ସ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ନିଶାଦ୍ରବ୍ୟ ସେବନର ଭୟାବହ ପରିଣାମ, ଏହା ଦ୍ୱାରା ଯୁବପିଢ଼ି ଓ ସମାଜ ଉପରେ ପଡୁଥିବା କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଏଥିସହ ନିଶାଠାରୁ ଦୂରେଇ ରହି ସୁସ୍ଥ, ଦାୟିତ୍ୱବାନ ଓ ସଚେତନ ଜୀବନଶୈଳୀ ଆପଣାଇବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦିଆଯାଇଥିଲା। ଏକ ନିଶାମୁକ୍ତ ସମାଜ ଗଠନ ସହ ଯୁବପିଢ଼ିଙ୍କୁ ନିଶାର କବଳରୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କୁହାଯାଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ
ରାଉରକେଲା: ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଓ ଦେବେନ୍ଦ୍ର ସ୍ମୃତି ନ୍ୟାସ ର ମିଳିତ ଆନୁକୂଲ୍ୟରେ ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ରାଧାମୋହନ ନାୟକଙ୍କ ଆବାହକତ୍ବ ତଥା ଝିଲିମା ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚିକା ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ ସବିତା ପ୍ରଧାନ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଓଡ଼ିଆ ଗଳ୍ପରେ ମୂଲ୍ୟବୋଧ ର ପ୍ରଖ୍ୟାପନ ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଦେବେନ୍ଦ୍ର ବାବୁ ଜଣେ ନିରପେକ୍ଷ, ସତ୍ୟାନ୍ବେଷୀ ଗବେଷକ ତଥା ମହାବିଦ୍ୟାଳୟର ପ୍ରଶାସନିକ ଦକ୍ଷତା ଓ ଦୂରଦୃଷ୍ଟି ସମ୍ପନ୍ନ ଓଡ଼ିଆ ସାହିତ୍ୟ ଅନୁରାଗୀ ବ୍ୟକ୍ତିତ୍ଵ ଥିଲେ। କାହାଣୀ ଯେତେବେଳେ ସାହିତ୍ୟରେ ପରିଣତ ହୁଏ ସେତେବେଳେ ସେ ପାଠକକୁ ପ୍ରେରିତ କରେ। ଗଳ୍ପ ଭିତରେ ମାନବୀୟ ମୂଲ୍ୟବୋଧ ଓ ଶିଶୁ ସାହିତ୍ୟରେ ଉପଦେଶ ରହିଲେ ତାହା ଅଧିକ ଗ୍ରହଣୀୟ ହୁଏ। ଏହାସହ ସେ ଗଳ୍ପରେ ବାହ୍ୟସ୍ତର, କାହିଁକି ଓ ଗଭୀର ସ୍ତର ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ। ଏହି ଅବସରରେ ନଗେନ୍ କୁମାର ଦାସଙ୍କ ସମ୍ପାଦିତ ଦେବେନ୍ଦ୍ର ଦୃଷ୍ଟି-ତୃତୀୟ ଭାଗକୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଡ ଖଗେଶ୍ବର ମେହେରଙ୍କୁ ଦେବେନ୍ଦ୍ର କୁମାର ଦାଶ ସ୍ମୃତି ସମ୍ମାନ ସହ ୨୦ ହଜାର ନଗଦ ଅର୍ଥରେ ପୁରସ୍କୃତ କରାଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମରେ ଦେବେନ୍ଦ୍ର କୁମାର ଙ୍କ ପୁତ୍ର ସଙ୍କେତ ସୁନନ ଦାଶ, ପୁତ୍ରବଧୂ ନିବେଦିତା ଦାଶ,ଡ ସନ୍ତୋଷ ରଥ,ଗୈ।ରାଙ୍ଗଚନ୍ଦ୍ର ଦାଶ ପ୍ରମୁଖଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା ଓ ସହରର ବହୁ ସାହିତ୍ୟିକ,କବି, ପ୍ରାବନ୍ଧିକ ଯୋଗଦେଇଥିଲେ। ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ମାନପତ୍ର ପଠନ କରିଥିବା ବେଳେ ସଭାପତି ଶ୍ରୀ ସ୍ବାଇଁ ସ୍ବାଗତ ଅଭିଭାଷଣ ଓ ଶେଷରେ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁଲଗ୍ନା,ସାଇପ୍ରତିଭା, ମମତା ପ୍ରମୁଖ ସହଯୋଗ କରିଥିଲେ।
Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ଆଇନ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂଘର ବୈଠକ
ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟ ପ୍ରାକ୍ତନ ଛାତ୍ର ସଂଘର ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଡ ସୁମନ ଦତ୍ତ ଓ ସାଧାରଣ ସମ୍ପାଦକ ତ୍ରୈଲୋକ୍ୟନାଥ ପାଣ୍ଡେ ଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ପ୍ରାକ୍ତନ ଛାତ୍ର ମାନେ ଯୋଗଦେଇ ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ପାଳନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମ୍ପୁର୍ଣ୍ଣ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ଦାୟିତ୍ବ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ସେହିପରି ସଂଘର କୋଷାଧ୍ୟକ୍ଷ ଦାୟିତ୍ବରେ ଥିବା ସହକାରୀ ପ୍ରାଧ୍ୟାପିକା ଡ ପ୍ରଜ୍ଞା ପରମିତା ପଣ୍ଡା ଚାକିରି ରୁ ଇସ୍ତଫା ଦେଇଥିବାରୁ ତାଙ୍କୁ ସଂଘ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଅନ୍ୟତମ ବରିଷ୍ଠ ସଦସ୍ୟ ମନୋରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ସଭାପତି ଡ ଦତ୍ତ, ସମ୍ପାଦକ ଶ୍ରୀ ପାଣ୍ଡେଙ୍କ ବ୍ୟତୀତ ବରିଷ୍ଠ ଆଇନଜୀବୀ ସୁଦାମ ଦାଶ, ଉପସଭାପତି ବବିତା ମହାପାତ୍ର, ସଂଗଠନ ସମ୍ପାଦକ ଦେବାଶିଷ ମହାନ୍ତି, ମୁଖପାତ୍ର କୁଞ୍ଜବିହାରୀ ରାଉତ, ଆରତୀ ଚୈ।ଧୁରୀ,ଡ ରାଜକୁମାର ଯାଦବ, ସୁରେଶ ମାଝୀ, ପ୍ରକାଶ କୁମାର ରାୟ, ସ୍ନିଗ୍ଧା ଜେନା, ଶୁଭମ୍ ଓରାମ, ରୋହିତ କୁମାର ମହନ୍ତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ଐତିହାସିକ ବାମ୍ଫିର ଅସ୍ତିତ୍ୱ ସଙ୍କଟ: ଆବର୍ଜନାରେ ପୋତି ହେଉଛି ଖଲ୍ଲିକୋଟ ରାଜପ୍ରାସାଦର ପ୍ରାଚୀନ କୀର୍ତ୍ତି
ଖଲ୍ଲିକୋଟ, ୨୬/୦୮: ଖଲ୍ଲିକୋଟ ଗଡ଼ର ଐତିହାସିକ ଗୌରବର ସାକ୍ଷୀ ବହନ କରୁଥିବା ଅନେକ ପ୍ରାଚୀନ କୀର୍ତ୍ତିରାଜି ଆଜି ଅବହେଳା ଓ ଅସ୍ୱଚ୍ଛତା କାରଣରୁ ନଷ୍ଟ ହେବାକୁ ବସିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଖଲ୍ଲିକୋଟ ରାଜପ୍ରାସାଦ ପରିସରରେ ଥିବା ଏକ ପ୍ରାଚୀନ ବାମ୍ଫି। ରାଜପ୍ରାସାଦ ପରିସରରେ ବର୍ତ୍ତମାନ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଳି ଶିକ୍ଷାନୁଷ୍ଠାନ ରହିଛି। ଏହି ଦୁଇ ଅନୁଷ୍ଠାନ ମଝିରେ ଥିବା ପ୍ରାଚୀନ ବାମ୍ଫିଟି ନିଜର ସ୍ଥାପତ୍ୟ ଓ ନିର୍ମାଣଶୈଳୀ ପାଇଁ ଅନନ୍ୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କାଟେଣି ପଥରରେ ନିର୍ମିତ ଏହି ବାମ୍ଫିର ବିଶେଷତ୍ୱ ହେଉଛି, ଉପରୁ ଜଳସ୍ତର ଦେଖିବା ସହ ସୁଡ଼ଙ୍ଗ ଓ ପାହାଚ ଦେଇ ତଳକୁ ଯାଇ ପାଣି ଆଣିବାର ବ୍ୟବସ୍ଥା ରହିଥିଲା। ଦିନେ ଏହି ବାମ୍ଫିର ପାଣିକୁ ମୋଟର ଯୋଗେ ଆର୍ଟ କଲେଜ୍ ଓ ସିଟି ସ୍କୁଲକୁ ଯୋଗାଣ କରାଯାଉଥିଲା ବୋଲି ସ୍ଥାନୀୟ ଲୋକଙ୍କ ସୂଚନା। ତେବେ ବର୍ତ୍ତମାନ ଏହି ଐତିହାସିକ କୀର୍ତ୍ତିର ଅବସ୍ଥା ଦୟନୀୟ ହୋଇପଡ଼ିଛି। ସ୍ଥାନୀୟ ଅଭିଯୋଗ ଅନୁସାରେ, ଖଲ୍ଲିକୋଟ ଖୋଲସାହିର କିଛି ଲୋକ ବାମ୍ଫି ମଧ୍ୟରେ ଘରର ଅଳିଆ ଆବର୍ଜନା ପକାଇବାରୁ ଏହା ପ୍ରାୟ ପୋତି ହୋଇଯାଇଛି। ଏଥିସହ ବାମ୍ଫିର ଚାରିପାଖ ଲତାବୁଦା ଓ ବିରାଟକାୟ ଗଛରେ ଆଚ୍ଛାଦିତ ହୋଇରହିଛି। ଫଳରେ ଏହି ପ୍ରାଚୀନ କୀର୍ତ୍ତି ଧୀରେ ଧୀରେ ଲୋକଙ୍କ ଦୃଷ୍ଟିରୁ ଅଦୃଶ୍ୟ ହେବାକୁ ବସିଛି। ଏଭଳି ଐତିହାସିକ ସମ୍ପଦର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ପ୍ରଶାସନ କିମ୍ବା ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ କାହିଁକି ଏପର୍ଯ୍ୟନ୍ତ ଦୃଷ୍ଟି ଦିଆଯାଇନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବାମ୍ଫିଟି କାହାର ଦାୟିତ୍ୱ ଓ କାହା ଅଧୀନରେ ରହିଛି, ତାହା ସ୍ପଷ୍ଟ କରି ଏହାର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ପ୍ରତିନିଧି ଶିବରାମ ଜେନା ବିଭିନ୍ନ ଗଣମାଧ୍ୟମ ଜରିଆରେ ସରକାର ଓ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଖଲ୍ଲିକୋଟର ଏହି ବିରଳ ଐତିହାସିକ ବାମ୍ଫିର ପୁନରୁଦ୍ଧାର, ପରିଷ୍କାର ଓ ସୁରକ୍ଷା ସହ ଏହାକୁ ଏକ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀ ଭାବେ ବିକଶିତ କରିବାକୁ ଜନସାଧାରଣ ସରକାର ଓ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି। ତୁରନ୍ତ ପଦକ୍ଷେପ ନିଆଗଲେ ଏହି ପ୍ରାଚୀନ କୀର୍ତ୍ତିର ସୁରକ୍ଷା ସହ ଆଗାମୀ ପିଢ଼ି ଖଲ୍ଲିକୋଟର ଐତିହ୍ୟକୁ ନିକଟରୁ ଜାଣିବାର ସୁଯୋଗ ପାଇପାରିବେ।
Ganjam (ଗଞ୍ଜାମ) • ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି

କ୍ୟାନସର ପୀଡ଼ିତ ୫ ବର୍ଷର ଆରୀୟନଙ୍କୁ ସହାୟତାର ହାତ, ୫୦ ହଜାର ଟଙ୍କା ଦେଲେ ସମାଜସେବୀ ଅଭିମନ୍ୟୁ ସାହୁ
ଅନୁଗୋଳ: ଖେଳିବା ଓ ବୁଲିବା ବୟସରେ ରକ୍ତ କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ୫ ବର୍ଷର ଶିଶୁ ଆରୀୟନ ବେହେରାଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଯୁବ ସମାଜସେବୀ ଅଭିମନ୍ୟୁ ସାହୁ। ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଙ୍ଗାରବନ୍ଧ ପଞ୍ଚାୟତର ଖଣ୍ଡହତା ଗ୍ରାମର ଅଜିତ କୁମାର ବେହେରା ଓ ଶ୍ରାବଣୀ ବେହେରାଙ୍କ ପୁଅ ଆରୀୟନ ରକ୍ତ କର୍କଟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ପୁଅର ଚିକିତ୍ସା ପାଇଁ ବାପା ଅଜିତ ବେହେରା ବିଭିନ୍ନ ମହଲରୁ ସହାୟତା ନିବେଦନ କରିଥିଲେ। ଏହି ଖବର ଜାଣିବା ପରେ ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ଆରୀୟନଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପରିବାରର ଭଲମନ୍ଦ ବୁଝିଥିଲେ। ଏଥିସହ ଚିକିତ୍ସା ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅଭିମନ୍ୟୁ ସାହୁ କହିଛନ୍ତି ଯେ, ଆରୀୟନ ମଧ୍ୟ ତାଙ୍କ ନିଜ ପୁଅ ଭଳି। ନିଜ ପୁଅର ଏଭଳି ଅସୁସ୍ଥତା ହୋଇଥିଲେ ଯେପରି ନିଜର ସମ୍ବଳ ଅନୁସାରେ ସବୁକିଛି କରି ଚିକିତ୍ସା କରାଇଥାନ୍ତେ, ସେହିଭଳି ଆରୀୟନଙ୍କ ଚିକିତ୍ସାରେ ମଧ୍ୟ ସମ୍ଭବ ସମସ୍ତ ସହଯୋଗ କରିବେ। ଆରୀୟନ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କ ପରିବାର ସହ ରହିବା ସହ ଚିକିତ୍ସାରେ ସହଯୋଗ ଜାରି ରଖିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। “ମାନବ ସେବା ହିଁ ମାଧବ ସେବା” ଭାବନାରେ ଅନୁପ୍ରାଣିତ ହୋଇ ଅଭିମନ୍ୟୁ ସାହୁ ଦୀର୍ଘଦିନ ଧରି ବିଭିନ୍ନ ଅସହାୟ ଓ ଆବଶ୍ୟକତାରେ ଥିବା ପରିବାରକୁ ସହଯୋଗ କରିଆସୁଛନ୍ତି। ଆରୀୟନଙ୍କ ପ୍ରତି ତାଙ୍କର ଏହି ମାନବିକ ପଦକ୍ଷେପକୁ ଅଙ୍ଗାରବନ୍ଧ ପଞ୍ଚାୟତବାସୀ ଓ ଖଣ୍ଡହତା ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଜଣେ ଅସହାୟ ପରିବାର ପାଇଁ ଏଭଳି ସହଯୋଗ ମାନବିକତାର ଏକ ଉତ୍ତମ ଉଦାହରଣ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

୨୩ ବର୍ଷୀୟ ଯୁବକ ଚିତ୍ତରଞ୍ଜନଙ୍କ ଅକାଳ ବିୟୋଗ ଜଖପୁରା ଅଞ୍ଚଳରେ ଶୋକାକୁଳ ପରିବେଶ
କଳିଙ୍ଗନଗର,ତା୨୬/୮: ଜଖପୁରା ଗ୍ରାମର କାର୍ତ୍ତିକ ବେହେରାଙ୍କ ସାନ ପୁଅ ଚିତ୍ତରଞ୍ଜନ ବେହେରା (୨୩)ଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ଭେଣ୍ଡିଆ ଯୁବକଙ୍କ ଏଭଳି ଅକାଳ ମୃତ୍ୟୁ ପରିବାର, ବନ୍ଧୁବର୍ଗ ଓ ପରିଚିତମହଲରେ ଗଭୀର ଶୋକ ସୃଷ୍ଟି କରିଛି।ଚିତ୍ତରଞ୍ଜନ ସ୍ଥାନୀୟ ଅଞ୍ଚଳରେ ‘ମାନିଆ’ ନାମରେ ପରିଚିତ ଥିଲେ। ସେ ଜଣେ ଭଦ୍ର, ମେଳାପୀ, ସରଳ ଓ ସତ୍ୟବାଦୀ ଯୁବକ ଭାବେ ସମସ୍ତଙ୍କ ପ୍ରିୟ ଥିଲେ। ବିଶେଷକରି ଗୁରୁଜନ ଓ ଶିକ୍ଷକମାନଙ୍କ ପ୍ରତି ତାଙ୍କର ଗଭୀର ସମ୍ମାନ ଓ ଭଲପାଇବା ଥିଲା। ତାଙ୍କର ଏଭଳି ଅକାଳ ବିୟୋଗରେ ପୂର୍ବତନ ଶିକ୍ଷକ ଓ ସହପାଠୀମାନେ ମଧ୍ୟ ମର୍ମାହତ ହୋଇପଡ଼ିଛନ୍ତି।ଜଣେ ଶିକ୍ଷକ କହିଛନ୍ତି, “ଚିତ୍ତରଞ୍ଜନ କେବଳ ଜଣେ ଛାତ୍ର ନଥିଲେ, ସେ ଆମ ପାଇଁ ଜଣେ ଆପଣାର ମଣିଷ ଥିଲେ। ତାଙ୍କର ଭଦ୍ର ବ୍ୟବହାର, ସରଳତା ଓ ଗୁରୁଜନଙ୍କ ପ୍ରତି ସମ୍ମାନ ସବୁବେଳେ ମନେ ରହିବ। ତାଙ୍କୁ ହରାଇବା ଆମ ପାଇଁ ଅତ୍ୟନ୍ତ ଦୁଃଖଦ।ଚିତ୍ତରଞ୍ଜନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ପରିବାର, ବନ୍ଧୁ, ସହପାଠୀ ଓ ଶୁଭେଚ୍ଛୁମାନେ ଶେଷ ଦର୍ଶନ ପାଇଁ ଏକତ୍ରିତ ହୋଇଥିଲେ। ତାଙ୍କ ବିୟୋଗରେ ଜଖପୁରା ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ମାତ୍ର ୨୩ ବର୍ଷ ବୟସରେ ଜୀବନ ଯାତ୍ରା ଥମିଯିବା ନିଶ୍ଚିତ ଭାବେ ଏକ ଅପୂରଣୀୟ କ୍ଷତି। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ, ସାହସ ଓ ମାନସିକ ଶକ୍ତି ପ୍ରଦାନ ପାଇଁ ସମସ୍ତେ ପ୍ରାର୍ଥନା କରିଛନ୍ତି।
Jajpur (ଯାଜପୁର) • ଅନିଲ କୁମାର ଜେନା ଙ୍କ ରିପୋର୍ଟ କଳିଙ୍ଗନଗର

ମହମ୍ମଦଙ୍କ ୧୫୦୧ ତମ ଜୟନ୍ତିରେ ଆନ୍ତର୍ଜାତିକ ମାନବଧିକାର ପରିଷଦ ତରଫରୁ ବସ୍ତିର ସର୍ଦାର ଓ ଅନ୍ୟାନ କମିକର୍ତ୍ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛଦେଇ ସମ୍ମାନିତ କରାଯାଇଛି
ପଟା ମୁଣ୍ଡାଇ ତା ୨୬.୮୨୦୨୬ କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ପୌର ପରିଷଦରେ ମହମ୍ମଦଙ୍କ ଜୟନ୍ତି ଅବସରରେ ମୁସଲମାନ ଭାଇ ଓ ଭଉଣୀମାନେ ସମବେଦ ହୋଇ ବଜାର ପରିକ୍ରମା କରିଥିଲେ ଏହି ଅବସରରେ ଡାକ ବଙ୍ଗଳା ଠାରେ ଆନ୍ତର୍ଜାତିକ ମାନବଧିକାର ପରିଷଦ ଜିଲ୍ଲା କମିଟ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଯଣାଇଥିଲେ ତତ୍ସହିତ ଜିଲ୍ଲା କମିଟର ସଭାପତି ଏସ୍କେ ମହାନି . ସେଣ୍ଟାଲ ଜୋନର କାର୍ଯ୍ୟକାରୀ ସଭାପତି ସମାଜ ସେବି ନଳିନୀକାନ୍ତ ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ଜେନା, ପଟା ମୁଣ୍ଡାଇ ବ୍ଲକସଭାପତି ତଥା ବରିଷ୍ଠ ଉପଦେଷ୍ଟା ରଞ୍ଜନ କୁମାର ରାଉତ, ଜିଲ୍ଲା କମିଟର ବରିଷ୍ଠ ସଭ୍ୟ ହିମାଂଶୁ ମହାନ୍ତି ସମେତ ବହୁ କାର୍ମ କର୍ତ୍ତା ସମାଜ ସେବି ସାମ୍ବାଦିକ ଯୁବ ଛାତ୍ରମାନେ ସାମିଲ ହୋଇଥିଲେ , ପଟାମୁଣ୍ଡାଇ ଏକ ଭାଇ ଚାରାର ସହର ବୋଲି ସମବେଦବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ପରମ୍ପରା ବଜାଇ ରଖିବା ପାଇଁ ସେଣ୍ଟାଲ ଜେ।ନର କାର୍ଯ୍ୟକାରୀ ସଭାପତି ନଳିନୀ କାନ୍ତ ସ୍ୱାଇଁ ସମେତ ଜିଲ୍ଲା ସଭାପତି ଏସ କେ ମହାନି ସମସ୍ତଙ୍କୁ ଆହ୍ଵାନ କରିଥିଲେ ଏହି କାର୍ଯ୍ୟକ୍ରମରେ ବସ୍ତିର ସର୍ଦାର ସେକ ଅବଦୁଲ ବାରିଙ୍କ ସମେତ ବସ୍ତିର ଅନ୍ୟତମ ମୁରବି ଓ ଯୁବବର୍ଗର ସେକ ସରାତୁଲା ସେକ ଇସ୍ମାଇଲି ବରକତ ଅଲ୍ଲୀ ଖାଁ ସେକ ରତନ ଅଲ୍ଲୀ ଅପସର ଅଲ୍ଲୀ ଖାଁ ଆଶାଦ ଅଲ୍ଲୀ ସେକ ଅମୃଲ୍ ସେକ ଜାକିର ହୁସେନ ସେକ ମୁସ୍ମାକଅଲ୍ଲୀ ତଥା ସମାଜ ସେବି ତଥା ଯୁବନେତା ଏସକେ ମଦାନି ସମେତ ବହୁ ଆଗଧାଡିର ମୁରବି ଯୁବବର୍ଗ ଏହାର ନେତୃତ୍ବ ନେଇଥିଲେ ଏହି କାର୍ଯ୍ୟକ୍ରମରେ ଶହ ଶହ ମୁସଲମାନ ଭାଇ ମାନେ ସାମିଲ ହୋଇଥିଲେ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତକ ମାନବଧିକାର ପରିଷଦର ଜିଲ୍ଲା ସଭାପତି ତଥା ପଟାମୁଣ୍ଡାଇ ପୌର ପରିଷଦର ସଂଗ୍ରାମି ଯୁବନେତା ଏସ କେ ମଦାନି ସମେତ ଉପସ୍ଥିତ . ସମସ୍ତ ଭାଇ ମାନଙ୍କୁ ଗୋଲାପ ଫୁଲ ଦେଇ ଶୁଭେଛା ଅଭିନନ୍ଦନ ଯଣାଇବା ସହିତ ମିଠା ଖୁଆଇ ଖୁସି ମନାଇଥିଲେ ବଜାର ପରିକ୍ରମ ସମୟରେ ପଟାମୁଣ୍ଡାଇ ଆଦର୍ଶ ଥାନା ନୂତନ ଅଧିକାରୀ ମାନସ ମଲ୍ଲିକ ତାଙ୍କର ପୁରା ଟିମ ଆଇନ ଶୃଙ୍ଖଳାକୁ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିଥିଲେ ଶେଷରେ ନୂତନ ଥାନା ଅଧିକାରୀଙ୍କୁ ଆନ୍ତର୍ଜାତିକ ମାନବଧିକାର ପରିଷଦ ତରଫରୁ ଉତ୍ତରିୟ ନେଇ ସମ୍ମାନୀତ କରାଯାଇଥିଲା
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ

ବିଂଝାରପୁରରେ ଧୁମଧାମରେ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳିତ
ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଧୁମଧାମରେ ପାଳିତ ହୋଇଛି। ଏହି ଅବସରରେ ଆୟୋଜିତ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ସମ୍ପ୍ରଦାୟର ଲୋକେ ଯୋଗଦେଇ ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିବା ବେଳେ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବର ବାର୍ତ୍ତା ମଧ୍ୟ ଦେଖିବାକୁ ମିଳିଥିଲା। ବିଭିନ୍ନ ରଙ୍ଗର ଆଲୋକ ସଜ୍ଜା, ସୁସଜ୍ଜିତ ଘୋଡ଼ାଗାଡ଼ି ଏବଂ ବିଭିନ୍ନ ପ୍ରକାରର ପତାକା ଶୋଭାଯାତ୍ରାକୁ ଆକର୍ଷଣୀୟ କରିଥିଲା। ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ଦେଖାଦେଇଥିବା ବେଳେ ଲୋକମାନେ ଖୁସି ଓ ଆନନ୍ଦର ସହ ଏହି ପର୍ବ ପାଳନ କରିଥିଲେ। ତେବେ ଶୋଭାଯାତ୍ରା ସମୟରେ ଆୟୋଜକ ଓ ଅନ୍ୟମାନେ ବ୍ୟସ୍ତ ଥିବାରୁ କାହାରି ପ୍ରତିକ୍ରିୟା ନିଆଯାଇପାରିନଥିବା ଜଣାପଡ଼ିଛି।
Jajpur (ଯାଜପୁର) • ବିଂଝାରପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟ

ଚିକିଟିଗଡ଼ରେ ମା’ ବଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ: ରାଜକବି ରାଧାମୋହନ ବିଦ୍ୟାପୀଠ ଖେଳ ପଡ଼ିଆରେ ଦିବାରାତ୍ର ମ୍ୟାଚ୍, ୬ ଦଳ ସାମିଲ
ଚିକିଟି, ୨୬/୦୮: ଚିକିଟିଗଡ଼ରେ ମା’ ବଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉତ୍ସାହ ଓ ଉଦ୍ଦୀପନାର ସହ ଆରମ୍ଭ ହୋଇଛି। ରାଜକବି ରାଧାମୋହନ ବିଦ୍ୟାପୀଠ ଖେଳ ପଡ଼ିଆରେ ଆୟୋଜିତ ଏହି ଦିବାରାତ୍ର ଭଲିବଲ ପ୍ରତିଯୋଗିତାରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ରାଜକବି ରାଧାମୋହନ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏହି ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ମ୍ୟାଚ୍ରେ ଚିକିଟିଗଡ଼ ‘ଏ’ ଟିମ୍ ଓ ତ୍ରିନାଥ ନଗର ଦଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲା ଆରମ୍ଭ ହୋଇଥିଲା। ପ୍ରତିଯୋଗିତାକୁ ନେଇ ଚିକିଟି ଅଞ୍ଚଳର ଯୁବକ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। ଦିବାରାତ୍ର ମ୍ୟାଚ୍ ହୋଇଥିବାରୁ ସନ୍ଧ୍ୟା ପରେ ମଧ୍ୟ ଖେଳ ପଡ଼ିଆରେ ଦର୍ଶକଙ୍କ ଭିଡ଼ ଜମୁଛି। ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନକୁ ଦର୍ଶକମାନେ ଉତ୍ସାହର ସହ ଉପଭୋଗ କରୁଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ାଇବା ସହ ଅଞ୍ଚଳର ପ୍ରତିଭାବାନ ଖେଳାଳିଙ୍କୁ ଏକ ଉତ୍ତମ ମଞ୍ଚ ଯୋଗାଇ ଦେବା ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଛନ୍ତି। ପ୍ରତିଯୋଗିତାର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକୁ ନେଇ ମଧ୍ୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।
Ganjam (ଗଞ୍ଜାମ) • ଦୁର୍ଗା ମାଧବ

ରାକ୍ଷୀ ପୂର୍ଣ୍ଣିମାରେ ଗୋମାତାଙ୍କୁ ରାକ୍ଷୀ ବାନ୍ଧିଲେ ସିଗମା ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ
ଖୋର୍ଦ୍ଧା: ସ୍ନେହ ଓ ସମ୍ପର୍କର ପବିତ୍ର ବନ୍ଧନର ପର୍ବ ରକ୍ଷାବନ୍ଧନ ଅବସରରେ ସିଗମା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଏକ ନିଆରା ପରମ୍ପରାର ପରିଚୟ ଦେଇଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଛାତ୍ରଛାତ୍ରୀମାନେ ରାମକୃଷ୍ଣ ଗୋଧାମକୁ ଯାଇ ଗୋମାତା ଓ ବଳଦଙ୍କୁ ପୂଜାର୍ଚ୍ଚନା କରିବା ସହ ରାକ୍ଷୀ ବାନ୍ଧିଥିଲେ। ଗହ୍ମା ପୂର୍ଣ୍ଣିମା ଭାବେ ମଧ୍ୟ ପରିଚିତ ଏହି ପବିତ୍ର ଦିନଟି ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ଭାବେ ପାଳିତ ହୁଏ। ପୁରାତନ ପରମ୍ପରାରେ ଏହି ଦିନ ଗୋମାତାଙ୍କ ପୂଜନର ବିଶେଷ ମହତ୍ତ୍ୱ ରହିଛି। ଗୋ ସୁରକ୍ଷା, ଜୀବଦୟା ଓ ଭାରତୀୟ ପରମ୍ପରା ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା।ଛାତ୍ରଛାତ୍ରୀମାନେ ଗୋମାତା ଓ ବଳଦଙ୍କୁ ହଳଦୀ ପାଣିରେ ସ୍ନାନ କରାଇବା ପରେ ଚନ୍ଦନ, ସିନ୍ଦୂର ଓ ଫୁଲରେସଜାଇଥିଲେ। ବେଦମନ୍ତ୍ର ଉଚ୍ଚାରଣ ସହ ପୂଜାର୍ଚ୍ଚନା କରି ରାକ୍ଷୀ ବାନ୍ଧିବା ସହ ଫଳ ଅର୍ପଣ କରି ଆଶୀର୍ବାଦ ନେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ତୁଷାର ରଞ୍ଜନ ମହାନ୍ତି, ଶିକ୍ଷୟିତ୍ରୀ ଲିମନ୍ ବଡ଼ଜେନା, ଶୁଭଦର୍ଶିନୀ ଦାଶ, ଦୀପ୍ତି ରଞ୍ଜନ ରଣା, ମାନସ ରଞ୍ଜନ ମହାପାତ୍ରଙ୍କ ସମେତ ରାମକୃଷ୍ଣ ଗୋଧାମର ଆବାହକ ରାଧାମୋହନ ପ୍ରଧାନ, ଉଡ଼ିତ୍ୟ ନାରାୟଣ ପ୍ରହରାଜ ଓ ସୌମ୍ୟ ରଞ୍ଜନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରକ୍ଷାବନ୍ଧନ ପୂର୍ବରୁ ସ୍କୁଲର ଛାତ୍ରୀ ଶ୍ରିର୍ତିକା ମହାନ୍ତି, ଶୁଭଲକ୍ଷ୍ମୀ ରଣା, ସଂପନ୍ନା ପ୍ରଧାନ, ଅଭିଲିପ୍ସା ଲେଙ୍କା, ପଦ୍ମିନୀ ଜେନା, ତୃପ୍ତିମୟୀ ସ୍ୱାଇଁ ଓ ଅନନ୍ୟା ମଲ୍ଲିକ ପ୍ରମୁଖ ନିଜ ହାତରେ ବିଭିନ୍ନ ପ୍ରକାରର ରାକ୍ଷୀ ପ୍ରସ୍ତୁତ କରିଥିଲେ। ଶିକ୍ଷୟିତ୍ରୀ ସୁମିତା ତ୍ରିପାଠୀ ଓ ବର୍ଣ୍ଣାଳୀ ମାଜି ଛାତ୍ରୀମାନଙ୍କୁ ରାକ୍ଷୀ ପ୍ରସ୍ତୁତି ସମ୍ପର୍କରେ ତାଲିମ ଦେଇଥିଲେ। ପରେ ଛାତ୍ରୀମାନେ ଭାଇମାନଙ୍କୁ ଚନ୍ଦନ ଓ ସିନ୍ଦୂର ଲଗାଇ ପୂଜା କରିବା ସହ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ। ଏହା ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ସମ୍ପର୍କକୁ ଆହୁରି ଦୃଢ଼ କରିଥିଲା। ଅନୁଷ୍ଠାନର ଚେୟାରମ୍ୟାନ୍ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ରକ୍ଷାବନ୍ଧନରେ ଭାଇ-ଭଉଣୀଙ୍କ ସ୍ନେହର ଡୋରି ସହ ଗୋ ପୂଜନର ମହତ୍ତ୍ୱ ଓ ଗୋ ସୁରକ୍ଷାର ପରମ୍ପରା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ପରମ୍ପରା, ଜୀବଦୟା ଓ ଗୋ ସୁରକ୍ଷାର ବାର୍ତ୍ତା ସମାଜରେ ପହଞ୍ଚିଥିବାରୁ ଏହାକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଜହ୍ନାପଡା ସରପଞ୍ଚ ଙ୍କ ପରଲୋକ
ବରଗଡ -ବରଗଡ ଅତାବିରା ବ୍ଲକ୍ ଅନ୍ତର୍ଗତ ଜହ୍ନାପଡ଼ା ପଞ୍ଚାୟତର ସରପଞ୍ଚ ତଥା ବିଜୁ ଜନତା ଦଳର ଜଣେ ଟାଣୁଆ ନେତ୍ରୀ ସୁବାସିନୀ ତରିଆଙ୍କର ୬୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଗତ ୮ ଦିନ ହେଲା ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଗତ ନିର୍ବାଚନରେ ବିଜେଡି ଟିକେଟ୍ରୁ ପ୍ରାର୍ଥୀ ହୋଇ ସେ ଜହ୍ନାପଡ଼ା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ କରି ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଥିଲେ।ଆଜି ଅପରାହ୍ନ ୩ଟାରେ ତାଙ୍କର ମର ଶରୀର ଭୁବନେଶ୍ୱରରୁ ଆସି ଅତାବିରା ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବାତାବରଣ ଶୋକାକୁଳ ହୋଇପଡ଼ିଥିଲା। ସେଠାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀରିନ୍ଦ୍ର ସାହୁ, ବ୍ଲକ୍ର ସମସ୍ତ କର୍ମଚାରୀ ଏବଂ ଅଞ୍ଚଳର ସରପଞ୍ଚମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହାପରେ ମୃତଦେହକୁ ତାଙ୍କ ନିଜ ଗ୍ରାମ ଜହ୍ନାପଡ଼ାକୁ ନିଆଯାଇଥିଲା। ଗ୍ରାମରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଉର୍କୁଲୁ ସାହୁ, ଗ୍ରାମବାସୀ, ବିଭିନ୍ନ ଅନୁଷ୍ଠାନ ଓ କ୍ଲବ୍ର ଶ୍ରଦ୍ଧାଳୁ, ଏବଂ ସମିତି ସଭ୍ୟ-ସଭ୍ୟାମାନେ ଉପସ୍ଥିତ ରହି ଅନ୍ତିମ ଦର୍ଶନ କରିଥିଲେ। ତାଙ୍କର ଆକସ୍ମିକ ବିୟୋଗରେ ସ୍ୱାମୀ ଶେଷଦେବ ତରିଆ ଭାଙ୍ଗିପଡ଼ିଥିବା ବେଳେ ଏକମାତ୍ର ପୁଅ ବସନ୍ତ ମାତୃହରା ହୋଇଛନ୍ତି। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ବସନ୍ତ ମୁଖାଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ଜହ୍ନାପଡ଼ା ସମେତ ସମଗ୍ର ଅତାବିରା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ
