ରାକ୍ଷୀ ପୂର୍ଣ୍ଣିମାରେ ଗୋମାତାଙ୍କୁ ରାକ୍ଷୀ ବାନ୍ଧିଲେ ସିଗମା ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 26, 202649 views

ଖୋର୍ଦ୍ଧା: ସ୍ନେହ ଓ ସମ୍ପର୍କର ପବିତ୍ର ବନ୍ଧନର ପର୍ବ ରକ୍ଷାବନ୍ଧନ ଅବସରରେ ସିଗମା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଏକ ନିଆରା ପରମ୍ପରାର ପରିଚୟ ଦେଇଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଛାତ୍ରଛାତ୍ରୀମାନେ ରାମକୃଷ୍ଣ ଗୋଧାମକୁ ଯାଇ ଗୋମାତା ଓ ବଳଦଙ୍କୁ ପୂଜାର୍ଚ୍ଚନା କରିବା ସହ ରାକ୍ଷୀ ବାନ୍ଧିଥିଲେ।
ଗହ୍ମା ପୂର୍ଣ୍ଣିମା ଭାବେ ମଧ୍ୟ ପରିଚିତ ଏହି ପବିତ୍ର ଦିନଟି ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ଭାବେ ପାଳିତ ହୁଏ। ପୁରାତନ ପରମ୍ପରାରେ ଏହି ଦିନ ଗୋମାତାଙ୍କ ପୂଜନର ବିଶେଷ ମହତ୍ତ୍ୱ ରହିଛି। ଗୋ ସୁରକ୍ଷା, ଜୀବଦୟା ଓ ଭାରତୀୟ ପରମ୍ପରା ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା।ଛାତ୍ରଛାତ୍ରୀମାନେ ଗୋମାତା ଓ ବଳଦଙ୍କୁ ହଳଦୀ ପାଣିରେ ସ୍ନାନ କରାଇବା ପରେ ଚନ୍ଦନ, ସିନ୍ଦୂର ଓ ଫୁଲରେସଜାଇଥିଲେ। ବେଦମନ୍ତ୍ର ଉଚ୍ଚାରଣ ସହ ପୂଜାର୍ଚ୍ଚନା କରି ରାକ୍ଷୀ ବାନ୍ଧିବା ସହ ଫଳ ଅର୍ପଣ କରି ଆଶୀର୍ବାଦ ନେଇଥିଲେ।
ଅନୁଷ୍ଠାନର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ତୁଷାର ରଞ୍ଜନ ମହାନ୍ତି, ଶିକ୍ଷୟିତ୍ରୀ ଲିମନ୍ ବଡ଼ଜେନା, ଶୁଭଦର୍ଶିନୀ ଦାଶ, ଦୀପ୍ତି ରଞ୍ଜନ ରଣା, ମାନସ ରଞ୍ଜନ ମହାପାତ୍ରଙ୍କ ସମେତ ରାମକୃଷ୍ଣ ଗୋଧାମର ଆବାହକ ରାଧାମୋହନ ପ୍ରଧାନ, ଉଡ଼ିତ୍ୟ ନାରାୟଣ ପ୍ରହରାଜ ଓ ସୌମ୍ୟ ରଞ୍ଜନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ରକ୍ଷାବନ୍ଧନ ପୂର୍ବରୁ ସ୍କୁଲର ଛାତ୍ରୀ ଶ୍ରିର୍ତିକା ମହାନ୍ତି, ଶୁଭଲକ୍ଷ୍ମୀ ରଣା, ସଂପନ୍ନା ପ୍ରଧାନ, ଅଭିଲିପ୍ସା ଲେଙ୍କା, ପଦ୍ମିନୀ ଜେନା, ତୃପ୍ତିମୟୀ ସ୍ୱାଇଁ ଓ ଅନନ୍ୟା ମଲ୍ଲିକ ପ୍ରମୁଖ ନିଜ ହାତରେ ବିଭିନ୍ନ ପ୍ରକାରର ରାକ୍ଷୀ ପ୍ରସ୍ତୁତ କରିଥିଲେ। ଶିକ୍ଷୟିତ୍ରୀ ସୁମିତା ତ୍ରିପାଠୀ ଓ ବର୍ଣ୍ଣାଳୀ ମାଜି ଛାତ୍ରୀମାନଙ୍କୁ ରାକ୍ଷୀ ପ୍ରସ୍ତୁତି ସମ୍ପର୍କରେ ତାଲିମ ଦେଇଥିଲେ।
ପରେ ଛାତ୍ରୀମାନେ ଭାଇମାନଙ୍କୁ ଚନ୍ଦନ ଓ ସିନ୍ଦୂର ଲଗାଇ ପୂଜା କରିବା ସହ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ। ଏହା ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ସମ୍ପର୍କକୁ ଆହୁରି ଦୃଢ଼ କରିଥିଲା।
ଅନୁଷ୍ଠାନର ଚେୟାରମ୍ୟାନ୍ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ରକ୍ଷାବନ୍ଧନରେ ଭାଇ-ଭଉଣୀଙ୍କ ସ୍ନେହର ଡୋରି ସହ ଗୋ ପୂଜନର ମହତ୍ତ୍ୱ ଓ ଗୋ ସୁରକ୍ଷାର ପରମ୍ପରା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ପରମ୍ପରା, ଜୀବଦୟା ଓ ଗୋ ସୁରକ୍ଷାର ବାର୍ତ୍ତା ସମାଜରେ ପହଞ୍ଚିଥିବାରୁ ଏହାକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି।

