କ୍ୟାନସର ପୀଡ଼ିତ ୫ ବର୍ଷର ଆରୀୟନଙ୍କୁ ସହାୟତାର ହାତ, ୫୦ ହଜାର ଟଙ୍କା ଦେଲେ ସମାଜସେବୀ ଅଭିମନ୍ୟୁ ସାହୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 27, 2026111 views

ଅନୁଗୋଳ: ଖେଳିବା ଓ ବୁଲିବା ବୟସରେ ରକ୍ତ କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ୫ ବର୍ଷର ଶିଶୁ ଆରୀୟନ ବେହେରାଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଯୁବ ସମାଜସେବୀ ଅଭିମନ୍ୟୁ ସାହୁ। ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଙ୍ଗାରବନ୍ଧ ପଞ୍ଚାୟତର ଖଣ୍ଡହତା ଗ୍ରାମର ଅଜିତ କୁମାର ବେହେରା ଓ ଶ୍ରାବଣୀ ବେହେରାଙ୍କ ପୁଅ ଆରୀୟନ ରକ୍ତ କର୍କଟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି।
ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ପୁଅର ଚିକିତ୍ସା ପାଇଁ ବାପା ଅଜିତ ବେହେରା ବିଭିନ୍ନ ମହଲରୁ ସହାୟତା ନିବେଦନ କରିଥିଲେ। ଏହି ଖବର ଜାଣିବା ପରେ ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ଆରୀୟନଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପରିବାରର ଭଲମନ୍ଦ ବୁଝିଥିଲେ। ଏଥିସହ ଚିକିତ୍ସା ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ଅଭିମନ୍ୟୁ ସାହୁ କହିଛନ୍ତି ଯେ, ଆରୀୟନ ମଧ୍ୟ ତାଙ୍କ ନିଜ ପୁଅ ଭଳି। ନିଜ ପୁଅର ଏଭଳି ଅସୁସ୍ଥତା ହୋଇଥିଲେ ଯେପରି ନିଜର ସମ୍ବଳ ଅନୁସାରେ ସବୁକିଛି କରି ଚିକିତ୍ସା କରାଇଥାନ୍ତେ, ସେହିଭଳି ଆରୀୟନଙ୍କ ଚିକିତ୍ସାରେ ମଧ୍ୟ ସମ୍ଭବ ସମସ୍ତ ସହଯୋଗ କରିବେ। ଆରୀୟନ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କ ପରିବାର ସହ ରହିବା ସହ ଚିକିତ୍ସାରେ ସହଯୋଗ ଜାରି ରଖିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
“ମାନବ ସେବା ହିଁ ମାଧବ ସେବା” ଭାବନାରେ ଅନୁପ୍ରାଣିତ ହୋଇ ଅଭିମନ୍ୟୁ ସାହୁ ଦୀର୍ଘଦିନ ଧରି ବିଭିନ୍ନ ଅସହାୟ ଓ ଆବଶ୍ୟକତାରେ ଥିବା ପରିବାରକୁ ସହଯୋଗ କରିଆସୁଛନ୍ତି। ଆରୀୟନଙ୍କ ପ୍ରତି ତାଙ୍କର ଏହି ମାନବିକ ପଦକ୍ଷେପକୁ ଅଙ୍ଗାରବନ୍ଧ ପଞ୍ଚାୟତବାସୀ ଓ ଖଣ୍ଡହତା ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଜଣେ ଅସହାୟ ପରିବାର ପାଇଁ ଏଭଳି ସହଯୋଗ ମାନବିକତାର ଏକ ଉତ୍ତମ ଉଦାହରଣ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।
