--:--:--
-- ---
Srishti News

Web News

ରକ୍ଷାବନ୍ଧନ: ରାକ୍ଷୀର ସୂତାରେ ଅମୂଲ୍ୟ ସମ୍ପର୍କ
Aug 27, 2026•60 views

ରକ୍ଷାବନ୍ଧନ: ରାକ୍ଷୀର ସୂତାରେ ଅମୂଲ୍ୟ ସମ୍ପର୍କ

ବଅଁରପାଳ: ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ କେବଳ ଆନନ୍ଦ ଓ ଉତ୍ସବର ଅବସର ନୁହେଁ; ଏହା ପଛରେ ରହିଛି ଗଭୀର ସାମାଜିକ, ଆଧ୍ୟାତ୍ମିକ ଓ ମାନବୀୟ ବାର୍ତ୍ତା। ସେହିପରି ଏକ ପବିତ୍ର ପର୍ବ ହେଉଛି ରକ୍ଷାବନ୍ଧନ। ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳିତ ଏହି ପର୍ବ ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ, ଭଲପାଇବା, ବିଶ୍ୱାସ ଓ ପରସ୍ପର ଦାୟିତ୍ୱର ପ୍ରତୀକ। ‘ରକ୍ଷା’ ଅର୍ଥ ସୁରକ୍ଷା ଏବଂ ‘ବନ୍ଧନ’ ଅର୍ଥ ସମ୍ପର୍କର ଗଣ୍ଠି। ଅର୍ଥାତ୍ ରକ୍ଷାବନ୍ଧନ ହେଉଛି ସ୍ନେହ ଓ ରକ୍ଷାର ପବିତ୍ର ବନ୍ଧନ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଦୀର୍ଘାୟୁ, ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରନ୍ତି। ଭାଇମାନେ ମଧ୍ୟ ଭଉଣୀଙ୍କ ପ୍ରତି ସ୍ନେହ ଓ ସମ୍ମାନ ପ୍ରକାଶ କରିବା ସହ ଜୀବନର ସୁଖ-ଦୁଃଖରେ ସାଥୀ ହେବାର ପ୍ରତିଶ୍ରୁତି ଦିଅନ୍ତି। ତେବେ ରାକ୍ଷୀର ଅର୍ଥ କେବଳ ଭାଇ ଭଉଣୀଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତିରେ ସୀମିତ ନୁହେଁ। ଏହା ହେଉଛି ପରସ୍ପର ଯତ୍ନ, ସମ୍ମାନ, ବିଶ୍ୱାସ ଓ ଆବଶ୍ୟକ ସମୟରେ ପରସ୍ପର ପାଖରେ ଠିଆ ହେବାର ଏକ ସୁନ୍ଦର ସଂକଳ୍ପ। ସମୟ ବଦଳିବା ସହ ରକ୍ଷାବନ୍ଧନର ପରିଧି ମଧ୍ୟ ବ୍ୟାପକ ହୋଇଛି। ରକ୍ତ ସମ୍ପର୍କର ସୀମା ଟପି ଆଜି ଏହି ପର୍ବ ସ୍ନେହ, ମାନବିକତା ଓ ପରସ୍ପର ସହଯୋଗର ବାର୍ତ୍ତା ଦେଉଛି। ରାକ୍ଷୀର ଛୋଟିଆ ସୂତା ଦୁଇଟି ହୃଦୟକୁ ଏକ ଅଦୃଶ୍ୟ ବନ୍ଧନରେ ବାନ୍ଧି ଦିଏ। ତେଣୁ ରକ୍ଷାବନ୍ଧନ କେବଳ ଏକ ପାରମ୍ପରିକ ପର୍ବ ନୁହେଁ, ବରଂ ସମ୍ପର୍କକୁ ସମ୍ମାନ ଦେବା, ଏହାକୁ ମଜବୁତ କରିବା ଓ ପରସ୍ପର ପ୍ରତି ଦାୟିତ୍ୱବୋଧକୁ ସ୍ମରଣ କରାଇବାର ଏକ ପବିତ୍ର ଅବସର। ସେଠି ନିକଟତା, ଯେଉଁଠି ଅସୁବିଧା ସେଠି ସହଯୋଗ—ଏହା ହେଉଛି ରାକ୍ଷୀର ପ୍ରକୃତ ଅର୍ଥ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ରକ୍ଷା ବନ୍ଧନ ଓ ଗୋପୂଜନ
Aug 27, 2026•8 views

ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ରକ୍ଷା ବନ୍ଧନ ଓ ଗୋପୂଜନ

ଭୁବନ ୨୭.୮- ହିନ୍ଦୁ ଜାଗରଣ ମଞ୍ଚ, ଭୁବନ ଆନୁକୂଲ୍ୟରେ ଓ ଶ୍ରୀ କାଶୀ ବିଶ୍ୱନାଥ ଚାରିଟେବୁଲ୍ ଟ୍ରଷ୍ଟ, ଛତା ମଠ ସହଯୋଗରେ ପ୍ରତିବର୍ଷ ପରି ଚଳିତବର୍ଷ ପ୍ରଭୂ ବଳଭଦ୍ରଙ୍କ ଜନ୍ମଦିନରେ ଗୋ ପୂଜନ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି। ହିନ୍ଦୁ ଜାଗରଣ ମଞ୍ଚ ସଂଯୋଜକ ସଦାନନ୍ଦ ନାୟକ ଙ୍କ ସଭାପତିତ୍ୱ ଓ ଶିକ୍ଷକ ବସନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାଶୀ ବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ମୂଖ୍ୟ ଅତିଥି ,ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭୁବନର ମୂଖ୍ୟ ବ୍ରହ୍ମା କୁମାରୀ ବିଜୟା, ବାବା ରାମାନନ୍ଦ ଭାରତୀ , କାଳୀ ବଜାର ବଣିକ ସଂଘ ସଭାପତି ସମାଜସେବୀ ସୁବ୍ରତ କୁମାର ସାହୁ, ନିରଂଜନ ଗୁରୂ ଓ ଚାଷୀ ଗଦାଧର ନାୟକ ପ୍ରମୁଖ ଉପସ୍ଥିତ ରହି ଗୋ ମାତା ର ରକ୍ଷା, ସୁରକ୍ଷା ଓ ମାନବ କଲ୍ୟାଣ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ମହିଳା ମାନଙ୍କ ଦ୍ଵାରା ୨୦୦ ରୁ ଉର୍ଦ୍ଧ୍ୱ ଗୋମାତାଙ୍କୁ ପୂଜନ କରାଯାଇ ପିଠା , କଦଳୀ ଓ ଘାସ ଖୁଆଯିବା ସହ ରକ୍ଷା ସୂତ୍ର ବନ୍ଧନ କରାଯାଇଥିଲା।

Dhenkanal (ଢେଙ୍କାନାଳ) • ସୁଶାନ୍ତ ପୋଥାଳ

ନେପାଳରେ ପ୍ରକୃତିର କରାଳ ରୂପ: ଗ୍ଲେସିୟର ସ୍ଖଳନ ଜନିତ ଜଳ ପ୍ରଳୟରେ ୧୬୦ରୁ ଅଧିକ ମୃତ, ଶତାଧିକ ପର୍ଯ୍ୟଟକ ନିଖୋଜ
Aug 27, 2026•19 views

ନେପାଳରେ ପ୍ରକୃତିର କରାଳ ରୂପ: ଗ୍ଲେସିୟର ସ୍ଖଳନ ଜନିତ ଜଳ ପ୍ରଳୟରେ ୧୬୦ରୁ ଅଧିକ ମୃତ, ଶତାଧିକ ପର୍ଯ୍ୟଟକ ନିଖୋଜ

କାଠମାଣ୍ଡୁ/ଭୁବନେଶ୍ୱର: ନେପାଳ ଏବଂ ଚୀନର ତିବ୍ଦତ ସୀମାନ୍ତ ଅଞ୍ଚଳରେ ଏକ ଭୟଙ୍କର ଫ୍ଲାସ୍ ଫ୍ଲଡ୍ (Flash Flood) ବା ହଠାତ୍ ବନ୍ୟା ମାଡ଼ିଆସି ବ୍ୟାପକ ଧ୍ୱଂସଲୀଳା ରଚନା କରିଛି । ପ୍ରାକୃତିକ ବିପର୍ଯ୍ୟୟର ଏହି କରାଳ ରୂପରେ ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୮୦୦ରୁ ଅଧିକ ଲୋକ ନିଖୋଜ ଥିବା ନେପାଳର ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ହିମଶୈଳ ସ୍ଖଳନ ସାଜିଲା କାଳ ୟୁଏସ ଜିଓଲୋଜିକାଲ ସର୍ଭେ (USGS) ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ପ୍ରଳୟ କୌଣସି ଭୂମିକମ୍ପ କିମ୍ବା ସ୍ଥାନୀୟ ବର୍ଷା ଯୋଗୁଁ ହୋଇନାହିଁ । ତିବ୍ଦତ ସୀମାର ହିମାଳୟ ଅଞ୍ଚଳରେ ଏକ ବଡ଼ ଧରଣର ଗ୍ଲେସିୟର ବା ହିମଶୈଳ ଭୁଶୁଡ଼ିବା (Glacial Collapse) ଯୋଗୁଁ ଏହି ବିପତ୍ତି ଆସିଛି । ଏହି କାରଣରୁ ନେପାଳ-ଚୀନ ସୀମାରେ ଥିବା ଭୋଟେକୋଶି (Bhotekoshi) ଏବଂ ତ୍ରିଶୂଳୀ (Trishuli) ନଦୀର ଜଳସ୍ତର ହଠାତ ବିପଦ ସଙ୍କେତର ବହୁ ଉପରକୁ ଚାଲିଯାଇ ସ୍ଥାନୀୟ ଗାଁଗୁଡ଼ିକୁ ଭସାଇ ନେଇଛି । ଭିତ୍ତିଭୂମି ଛାରଖାର, ରସୁୱା ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ଏହି ବନ୍ୟାରେ ନେପାଳର ରସୁୱା, ନୁୱାକୋଟ୍ ଏବଂ ଧାଦିଙ୍ଗ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଏହା ବାଟରେ ଆସୁଥିବା ବହୁମୁଖୀ କଂକ୍ରିଟ୍ ଘର, ଗାଡ଼ିମୋଟର, ପ୍ରାୟ ୧୯ଟି ମୋଟର ଯୋଗ୍ୟ ବ୍ରିଜ୍ ଏବଂ ୪୦ କିଲୋମିଟରରୁ ଅଧିକ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଧୋଇ ନେଇଛି । ଏହା ସହିତ ନେପାଳର ପ୍ରାୟ ୧୩ଟି ପ୍ରମୁଖ ଜଳବିଦ୍ୟୁତ ପ୍ରକଳ୍ପ ଏହା ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଫସିଛନ୍ତି ଶତାଧିକ ଭାରତୀୟ, ହେଲ୍ପଲାଇନ ଜାରି ପବିତ୍ର କୈଳାସ ମାନସରୋବର ଯାତ୍ରା ଓ ଭ୍ରମଣ ପାଇଁ ନେପାଳ ଯାଇଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ପ୍ରାୟ ୧୩୩ ରୁ ଅଧିକ ଭାରତୀୟ ପର୍ଯ୍ୟଟକ ବର୍ତ୍ତମାନ ନିଖୋଜ କିମ୍ବା ଯୋଗାଯୋଗ ବିଚ୍ଛିନ୍ନ ଅବସ୍ଥାରେ ଅଛନ୍ତି । ସେମାନଙ୍କ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ, କେରଳ ଏବଂ ତାମିଲନାଡୁର ଅନେକ ପର୍ଯ୍ୟଟକ ଥିବା ଆଶଙ୍କା କରାଯାଉଛି । ପ୍ରଭାବିତ ଓଡ଼ିଆ ଏବଂ ଭାରତୀୟ ପର୍ଯ୍ୟଟକଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ୨୪ ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର The Hindu ଜାରି କରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ବାୟୁସେନା ବିମାନ ଯୋଗେ ନେପାଳକୁ ଔଷଧ ଓ ଖାଦ୍ୟ ସାମଗ୍ରୀ ସମେତ ବ୍ୟାପକ ରିଲିଫ୍ ସାମଗ୍ରୀ (HADR) ପଠାଯାଇଛି । ବିହାର ଓ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ନେପାଳର ତ୍ରିଶୂଳୀ ନଦୀରେ ଆସିଥିବା ଏହି ବନ୍ୟା ଜଳ ଭାରତ ଅଭିମୁଖେ ପ୍ରବାହିତ ଗଣ୍ଡକ ନଦୀକୁ ମାଡ଼ି ଆସୁଥିବାରୁ କେନ୍ଦ୍ରୀୟ ଜଳ ଆୟୋଗ (CWC) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସୀମାନ୍ତବର୍ତ୍ତୀ ରାଜ୍ୟ ବିହାର ଏବଂ ଉତ୍ତର ପ୍ରଦେଶକୁ ହାଇ ଆଲର୍ଟରେ ରଖାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିହାରର ପଶ୍ଚିମ ଚମ୍ପାରଣ ଏବଂ ମୁଜାଫରପୁର ଅଞ୍ଚଳରେ NDRF ଟିମ୍ ମୁତୟନ କରାଯାଇ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ସୁଦ୍ଧା ନେପାଳ ସେନା ଏବଂ ସ୍ଥାନୀୟ ପ୍ରଶାସନ ହେଲିକପ୍ଟର ଜରିଆରେ ବିପନ୍ନମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ୍: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ଗଭୀର ଶ୍ରଦ୍ଧାଞ୍ଜଳି ଓ ଶୋକବାର୍ତ୍ତା
Aug 27, 2026•248 views

ଗଭୀର ଶ୍ରଦ୍ଧାଞ୍ଜଳି ଓ ଶୋକବାର୍ତ୍ତା

ଭଦ୍ରକ ଜିଲ୍ଲା ଧାମନଗରର ଜଣେ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ଏବଂ ସମସ୍ତଙ୍କର ଅତି ପ୍ରିୟ ବ୍ୟକ୍ତି ସ୍ୱର୍ଗତ ବାବୁଆ ସେଠୀ ଆଜି ଆମ ସମସ୍ତଙ୍କୁ ଛାଡ଼ି ଅତି ଅଳ୍ପ ବୟସରେ ଆରପାରିକୁ ଚାଲିଯାଇଛନ୍ତି। ତାଙ୍କର ଅକାଳ ବିୟୋଗର ଦୁଃଖଦ ଖବର ଆମ ସମସ୍ତଙ୍କୁ ଗଭୀର ଭାବେ ମର୍ମାହତ ଓ ଶୋକାକୁଳ କରିଦେଇଛି। ବାବୁଆ ସେଠୀ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଅନେକ ଲୋକଙ୍କର ଆପଣାର ମଣିଷ, ଜଣେ ଭଲ ବନ୍ଧୁ ଏବଂ ଜଣେ ସହୃଦୟ ପରୋପକାରୀ। ସମସ୍ତଙ୍କ ପ୍ରତି ତାଙ୍କର ଥିଲା ଅପାର ସମ୍ମାନ, ଭଲପାଇବା ଓ ଆତ୍ମୀୟତା। ତାଙ୍କର ସରଳ ବ୍ୟବହାର, ମିଷ୍ଟ ହସ ଏବଂ ସବୁବେଳେ ହସ ହସ ମୁହଁ ଆଜି ମଧ୍ୟ ଆମ ସମସ୍ତଙ୍କ ଆଖି ଆଗରେ ନାଚିଯାଉଛି। ଯେଉଁମାନେ ତାଙ୍କୁ ନିକଟରୁ ଜାଣିଥିଲେ, ସେମାନେ ତାଙ୍କର ନିଃସ୍ୱାର୍ଥପର ମନୋଭାବ ଓ ମଣିଷ ପ୍ରତି ଥିବା ଭଲପାଇବାକୁ କେବେ ଭୁଲିପାରିବେ ନାହିଁ। ତାଙ୍କର ହଠାତ୍ ବିୟୋଗ ଧାମନଗର ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଜଣେ ଭଲ ମଣିଷଙ୍କୁ ହରାଇବାର ଦୁଃଖ ତାଙ୍କ ପରିବାର, ବନ୍ଧୁବର୍ଗ, ଆତ୍ମୀୟସ୍ୱଜନ ଓ ପରିଚିତ ସମସ୍ତଙ୍କ ମନରେ ଚିରଦିନ ରହିବ। ତାଙ୍କ ସହିତ ବିତାଇଥିବା ସୁନ୍ଦର ସମୟ, ତାଙ୍କର ସ୍ନେହ, ସହଯୋଗ ଓ ହସଭରା ସ୍ମୃତି ଆମ ହୃଦୟରେ ସବୁଦିନ ଅମର ହୋଇ ରହିବ। ଆଜି ତାଙ୍କର ଅନୁପସ୍ଥିତିକୁ ଆମେ କୌଣସି ଶବ୍ଦରେ ପୂରଣ କରିପାରିବୁ ନାହିଁ। ତାଙ୍କର ଅକାଳ ବିୟୋଗରେ ସାରା ଧାମନଗର ଗଭୀର ଦୁଃଖିତ ଓ ମର୍ମାହତ। ଏହି ଦୁଃଖଦ ସମୟରେ ଆମର ସମବେଦନା ତାଙ୍କର ଶୋକସନ୍ତପ୍ତ ପରିବାର ଓ ସମସ୍ତ ଆତ୍ମୀୟସ୍ୱଜନଙ୍କ ସହିତ ରହିଛି। ହେ ପରମେଶ୍ୱର, ସ୍ୱର୍ଗତ ବାବୁଆ ସେଠୀଙ୍କ ପବିତ୍ର ଆତ୍ମାକୁ ଶାନ୍ତି ଓ ସଦ୍ଗତି ପ୍ରଦାନ କରନ୍ତୁ। ଏହି ଅସହ୍ୟ ଦୁଃଖକୁ ସହିବା ପାଇଁ ତାଙ୍କ ପରିବାରବର୍ଗଙ୍କୁ ଧୈର୍ଯ୍ୟ, ମନୋବଳ ଓ ସାହସ ପ୍ରଦାନ କରନ୍ତୁ। ତାଙ୍କର ଅମର ଆତ୍ମା ପ୍ରତି ଆମର ଶତ ଶତ ଶ୍ରଦ୍ଧାଞ୍ଜଳି। “ଭଲ ମଣିଷ କେବେ ମରନ୍ତି ନାହିଁ; ସେମାନେ ନିଜର ଭଲ କର୍ମ ଓ ସୁନ୍ଦର ସ୍ମୃତି ମାଧ୍ୟମରେ ସବୁଦିନ ଆମ ହୃଦୟରେ ବଞ୍ଚି ରହନ୍ତି।” 🙏 ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ 🙏

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଟାଙ୍ଗୀ ଏନ୍‌ଏସିରେ ମହମ୍ମଦଙ୍କ ୧୫୦୧ତମ ଜୟନ୍ତୀ ପାଳିତ
Aug 27, 2026•43 views

ଟାଙ୍ଗୀ ଏନ୍‌ଏସିରେ ମହମ୍ମଦଙ୍କ ୧୫୦୧ତମ ଜୟନ୍ତୀ ପାଳିତ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଏନ୍‌ଏସିସ୍ଥିତ ମୁସଲମାନ ସାହିରେ ମହାପୁରୁଷ ମହମ୍ମଦଙ୍କ ୧୫୦୧ତମ ଜୟନ୍ତୀ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ସକାଳୁ ନୂଆ ବସ୍ତ୍ର ପରିଧାନ କରି ସ୍ଥାନୀୟ ଧାର୍ମିକ ସ୍ଥଳକୁ ଆସିଥିଲେ। ସେଠାରେ ପରସ୍ପରକୁ ଆଲିଙ୍ଗନ କରି ଜୟନ୍ତୀର ଶୁଭେଚ୍ଛା ଜଣାଇଥିଲେ। ପରେ ଅପରାହ୍ନରେ ଧାର୍ମିକ ସ୍ଥଳ ପରିସରରୁ ଏକ ଭବ୍ୟ ଧାର୍ମିକ ଶୋଭାଯାତ୍ରା ବାହାରି ଟାଙ୍ଗୀ ଏନ୍‌ଏସିର ବିଭିନ୍ନ ସାହି ଓ ଅଞ୍ଚଳ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ମୁସଲିମ ଗୁରୁ ହାପିଜ ଏସ୍‌କେ ତାସଲିମ, ଯୁଗୁନ ମୀରା, ଟବୁଲ ଖାଁ, ଗନି ଖାଁ, ସଲମାନ ଖାଁ ପ୍ରମୁଖ ନେତୃତ୍ୱ ନେଇଥିଲେ। ଶୋଭାଯାତ୍ରାକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ଟାଙ୍ଗୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶୋଭାଯାତ୍ରା ଶେଷ ହେବା ପରେ ଧାର୍ମିକ ସ୍ଥଳ ପରିସରରେ ସମସ୍ତଙ୍କ ପାଇଁ ଲସି ଓ ସର୍ବତର ବ୍ୟବସ୍ଥା କରାଯାଇଥିଲା। ଭାଇଚାରା, ସ୍ନେହ ଓ ସମ୍ପ୍ରୀତିର ବାର୍ତ୍ତା ମଧ୍ୟରେ ଜୟନ୍ତୀ ପାଳନ ହୋଇଥିବାରୁ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।

Khordha (ଖୋର୍ଦ୍ଧା) • ରିପୋର୍ଟ : ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା

ନିଶାମୁକ୍ତ ଭାରତ ଅଭିଯାନ: ପୁବୁସାହିରେ ଖୋର୍ଦ୍ଧା ମଡେଲ ଥାନା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
Aug 27, 2026•17 views

ନିଶାମୁକ୍ତ ଭାରତ ଅଭିଯାନ: ପୁବୁସାହିରେ ଖୋର୍ଦ୍ଧା ମଡେଲ ଥାନା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଖୋର୍ଦ୍ଧା ମଡେଲ ଥାନା ପକ୍ଷରୁ ପୁବୁସାହିସ୍ଥିତ ନ୍ୟୁ ଷ୍ଟାର +୩ ସାଇନ୍ସ କଲେଜ ଏବଂ ଜଗନ୍ନାଥ ଆଶ୍ରମ ସ୍କୁଲରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ଓ ଅନ୍ୟମାନେ ଯୋଗଦେଇଥିଲେ। ନିଶାଦ୍ରବ୍ୟ ସେବନର କୁପ୍ରଭାବ, ଏହା ଦ୍ୱାରା ଯୁବପିଢ଼ି ଓ ସମାଜ ଉପରେ ପଡୁଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା। ନିଶାଠାରୁ ଦୂରେଇ ରହିବା ସହ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧା

ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସମସ୍ୟା: ଦୁର୍ବଳ ନେଟୱର୍କ ଯୋଗୁଁ ହନ୍ତସନ୍ତ ଲୋକେ
Aug 27, 2026•105 views

ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସମସ୍ୟା: ଦୁର୍ବଳ ନେଟୱର୍କ ଯୋଗୁଁ ହନ୍ତସନ୍ତ ଲୋକେ

ବଅଁରପାଳ: ଡିଜିଟାଲ୍ ଯୁଗରେ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ପାଲଟିଛି। ଗାଁ ଗାଁରେ ଡିଜିଟାଲ୍ ସେବା ପହଞ୍ଚିଥିଲେ ମଧ୍ୟ ଦୁର୍ବଳ ମୋବାଇଲ୍ ନେଟୱର୍କ ଓ ବାରମ୍ବାର ଇଣ୍ଟରନେଟ୍ ବିଚ୍ଛିନ୍ନ ହେବା ଯୋଗୁଁ ଗ୍ରାମାଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଅନଲାଇନ୍ ଶିକ୍ଷା, ବ୍ୟାଙ୍କିଂ ସେବା, ଅନଲାଇନ୍ ଆବେଦନ, ସରକାରୀ ଯୋଜନାରେ ପଞ୍ଜୀକରଣ, ଡିଜିଟାଲ୍ ପେମେଣ୍ଟ ସମେତ ବିଭିନ୍ନ ଜରୁରୀ କାର୍ଯ୍ୟ ପାଇଁ ଲୋକେ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ। ହେଲେ ଅନେକ ଗ୍ରାମରେ ନେଟୱର୍କ ଦୁର୍ବଳ ରହୁଥିବାରୁ ଲୋକଙ୍କୁ ଘରଠାରୁ ଦୂରକୁ ଯାଇ ନେଟୱର୍କ ଖୋଜିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିଶେଷକରି ଗୋତମରା ଅଞ୍ଚଳରେ ଦିନର ବିଭିନ୍ନ ସମୟରେ ବିଦ୍ୟୁତ୍ ସମସ୍ୟା କିମ୍ବା ଲାଇନ୍ ସମସ୍ୟା ହେଲେ ନେଟୱର୍କ ଆହୁରି ଧିମା ହୋଇଯାଉଛି। ଫଳରେ ଇଣ୍ଟରନେଟ୍ ସେବା ବାରମ୍ବାର ବିଚ୍ଛିନ୍ନ ହେବା ସହ ଅନଲାଇନ୍ କାର୍ଯ୍ୟ ସମ୍ପାଦନରେ ଲୋକଙ୍କ ମୂଲ୍ୟବାନ ସମୟ ନଷ୍ଟ ହେଉଛି। ଏହାର ପ୍ରଭାବ ଛାତ୍ରଛାତ୍ରୀ, ବ୍ୟବସାୟୀ, ଚାକିରି ଆଶାୟୀ ଓ ସାଧାରଣ ଲୋକଙ୍କ ଉପରେ ଅଧିକ ପଡ଼ୁଛି। ଅନଲାଇନ୍ ପାଠପଢ଼ା ସମୟରେ ନେଟୱର୍କ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ବେଳେ ଅନଲାଇନ୍ ଆବେଦନ ଓ ଡିଜିଟାଲ୍ ପେମେଣ୍ଟ ଭଳି କାର୍ଯ୍ୟରେ ମଧ୍ୟ ଅସୁବିଧା ଦେଖାଦେଉଛି। ଏ ନେଇ ଆମ ପ୍ରତିନିଧି ଜିଓ ନେଟୱର୍କ ସମ୍ପର୍କିତ ଭବାନୀ ବାବୁଙ୍କ ସହ ଯୋଗାଯୋଗ କରିବାରୁ ସେରାଗି ଯାଇ ମୋ ନମ୍ବର କେଉଁଠୁ ମିଳିଲା ତୁମେ ମୋତେ କଣପାଇଁ କଲ କଲ ତୁମେ କି ସାମ୍ବାଦିକ ବୋଲି କହିବା ସହିତ କଷ୍ଟମର୍ କେୟାର ସହ ଯୋଗାଯୋଗ କର ସେ ବୁଝିବେ ବୋଲି କହିଥିଲେ। ଏପରି ସ୍ଥିତିରେ ଗ୍ରାମାଞ୍ଚଳର ସାଧାରଣ ଲୋକେ ନେଟୱର୍କ ସମସ୍ୟାର ସମାଧାନ ପାଇଁ କେଉଁଠାରେ ଅଭିଯୋଗ କରିବେ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୋବାଇଲ୍ ରିଚାର୍ଜ ପାଇଁ ଟଙ୍କା ଖର୍ଚ୍ଚ କରୁଥିବା ସତ୍ତ୍ୱେ ଯଦି ଆବଶ୍ୟକ ସମୟରେ ଇଣ୍ଟରନେଟ୍ ସେବା ଠିକ୍ ଭାବେ ମିଳୁନାହିଁ, ତେବେ ଏହା ଚିନ୍ତାର ବିଷୟ। ବିଶେଷକରି ପିଲାମାନଙ୍କ ଅନଲାଇନ୍ ପାଠପଢ଼ା ପାଇଁ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ସେବା ଅତ୍ୟନ୍ତ ଆବଶ୍ୟକ। ତେଣୁ ଗ୍ରାମାଞ୍ଚଳରେ ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ ସହ ଇଣ୍ଟରନେଟ୍ ସେବାରେ ସୁଧାର ଆଣିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ନେଟୱର୍କ ବ୍ୟବସ୍ଥା ସୁଦୃଢ଼ ହେଲେ ଗ୍ରାମାଞ୍ଚଳବାସୀ ଡିଜିଟାଲ୍ ଶିକ୍ଷା, ବ୍ୟାଙ୍କିଂ ଓ ସରକାରୀ ଅନଲାଇନ୍ ସେବାର ସୁଫଳ ଅଧିକ ପାଇପାରିବେ ବୋଲି ମତ ପ୍ରକାଶ ପାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ରକ୍ଷାବନ୍ଧନ: ସମ୍ପର୍କର ସୂତାରେ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତିଶ୍ରୁତି  : ପବିତ୍ର ରାକ୍ଷୀରେ ଯୋଡ଼ିହୁଏ ଭାଇ-ଭଉଣୀର ଅତୁଟ ସମ୍ପର୍କ
Aug 27, 2026•75 views

ରକ୍ଷାବନ୍ଧନ: ସମ୍ପର୍କର ସୂତାରେ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତିଶ୍ରୁତି : ପବିତ୍ର ରାକ୍ଷୀରେ ଯୋଡ଼ିହୁଏ ଭାଇ-ଭଉଣୀର ଅତୁଟ ସମ୍ପର୍କ

ବିଶେଷ ରିପୋର୍ଟ: ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ କେବଳ ଆନନ୍ଦ ଓ ଉତ୍ସବର ଅବସର ନୁହେଁ; ଏହା ପଛରେ ରହିଛି ଗଭୀର ସାମାଜିକ, ଆଧ୍ୟାତ୍ମିକ ଓ ମାନବୀୟ ବାର୍ତ୍ତା। ସେହିପରି ଏକ ଅନନ୍ୟ ପର୍ବ ହେଉଛି ରକ୍ଷାବନ୍ଧନ। ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳିତ ଏହି ପର୍ବ ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ, ଭଲପାଇବା, ବିଶ୍ୱାସ, ଦାୟିତ୍ୱ ଓ ପରସ୍ପର ସୁରକ୍ଷାର ପ୍ରତୀକ। ‘ରକ୍ଷା’ ଅର୍ଥ ସୁରକ୍ଷା ଏବଂ ‘ବନ୍ଧନ’ ଅର୍ଥ ବନ୍ଧନ ବା ଗଣ୍ଠି—ଅର୍ଥାତ୍ ରକ୍ଷାର ପବିତ୍ର ବନ୍ଧନ। ରାକ୍ଷୀର ସୂତାରେ ଅମୂଲ୍ୟ ସମ୍ପର୍କ ରକ୍ଷାବନ୍ଧନ ଦିନ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଦୀର୍ଘାୟୁ, ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରନ୍ତି। ଭାଇମାନେ ଭଉଣୀଙ୍କ ପ୍ରତି ସ୍ନେହ ଓ ସମ୍ମାନର ପ୍ରତୀକ ଭାବେ ଉପହାର ଦେବା ସହ ଜୀବନର ସୁଖ-ଦୁଃଖରେ ସାଥୀ ହେବାର ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ରାକ୍ଷୀର ଅର୍ଥ କେବଳ ‘ଭାଇ ଭଉଣୀକୁ ସୁରକ୍ଷା ଦେବ’ ଏତିକିରେ ସୀମିତ ନୁହେଁ। ଏହା ପରସ୍ପର ଯତ୍ନ, ସମ୍ମାନ, ଦାୟିତ୍ୱ ଓ ଆବଶ୍ୟକ ସମୟରେ ପାଖରେ ଠିଆ ହେବାର ପ୍ରତିଶ୍ରୁତି। ତେଣୁ ଆଜିର ଦିନରେ ରକ୍ଷାବନ୍ଧନକୁ ‘ସୁରକ୍ଷାର ଏକତରଫା ପ୍ରତିଶ୍ରୁତି’ ନୁହେଁ, ବରଂ ‘ପରସ୍ପର ଯତ୍ନର ସମ୍ପର୍କ’ ଭାବେ ବୁଝିବା ଅଧିକ ଅର୍ଥପୂର୍ଣ୍ଣ। ପୌରାଣିକ ଇତିହାସରେ ରକ୍ଷାବନ୍ଧନ ରକ୍ଷାବନ୍ଧନର ଉତ୍ପତ୍ତିକୁ ନେଇ ଭାରତୀୟ ପରମ୍ପରାରେ ଅନେକ ପୌରାଣିକ କଥା ପ୍ରଚଳିତ। ସେଗୁଡ଼ିକ ମଧ୍ୟରୁ ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ କଥା ସର୍ବାଧିକ ପ୍ରସିଦ୍ଧ। ମହାଭାରତ ସମ୍ପର୍କିତ ପ୍ରଚଳିତ କଥାନୁସାରେ, ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ଆଘାତ ଲାଗି ରକ୍ତ ବାହାରିବା ପରେ ଦ୍ରୌପଦୀ ନିଜ ଶାଢ଼ିର ଏକ ଖଣ୍ଡ ଚିରି ତାଙ୍କ ଆଙ୍ଗୁଠିରେ ବାନ୍ଧିଥିଲେ। ଦ୍ରୌପଦୀଙ୍କ ଏହି ସ୍ନେହଭରା ଭାବନାରେ ଆବେଗାପ୍ଲୁତ କୃଷ୍ଣ ତାଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥିବା କଥା ପ୍ରଚଳିତ। ଏହି କାହାଣୀ ରାକ୍ଷୀର ମୂଳ ଭାବ—ସ୍ନେହ ବଦଳରେ ସୁରକ୍ଷା ଓ ବିଶ୍ୱାସ—କୁ ପ୍ରତିଫଳିତ କରେ। ଅନ୍ୟ ଏକ ପୌରାଣିକ କଥାରେ ଦେବୀ ଲକ୍ଷ୍ମୀ ରାଜା ବଳିଙ୍କ ହାତରେ ରାକ୍ଷୀ ବାନ୍ଧିଥିବା କଥା ମିଳେ। ଏହାଛଡ଼ା ଇନ୍ଦ୍ର ଓ ଶଚୀ, ଯମ ଓ ଯମୁନାଙ୍କ ସହ ମଧ୍ୟ ରକ୍ଷାସୂତ୍ରର ପରମ୍ପରାକୁ ଯୋଡ଼ିଥିବା ବିଭିନ୍ନ କଥା ଭାରତୀୟ ପରମ୍ପରାରେ ରହିଛି। ରାଣୀ କର୍ଣ୍ଣାବତୀ ଓ ହୁମାୟୁନଙ୍କ କାହାଣୀ ରକ୍ଷାବନ୍ଧନ ସହ ଜଡ଼ିତ ଆଉ ଏକ ପ୍ରସିଦ୍ଧ ଐତିହାସିକ କାହାଣୀ ହେଉଛି ମେୱାଡ଼ର ରାଣୀ କର୍ଣ୍ଣାବତୀ ଓ ମୁଗଲ ସମ୍ରାଟ୍ ହୁମାୟୁନଙ୍କ କାହାଣୀ। ପ୍ରଚଳିତ ଐତିହାସିକ ବର୍ଣ୍ଣନାନୁସାରେ, ବିପଦ ସମୟରେ ରାଣୀ କର୍ଣ୍ଣାବତୀ ହୁମାୟୁନଙ୍କୁ ରାକ୍ଷୀ ପଠାଇ ସାହାଯ୍ୟ ଲୋଡ଼ିଥିଲେ। ଏହି କାହାଣୀ ରାକ୍ଷୀର ସାମାଜିକ ଅର୍ଥକୁ ରକ୍ତ ସମ୍ପର୍କର ସୀମା ପାର କରି ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ଭାବେ ଦର୍ଶାଏ। ତେବେ ଏହି ଘଟଣାର ଐତିହାସିକ ପ୍ରମାଣ ଓ ବିବରଣୀକୁ ନେଇ ଇତିହାସବିଦ୍‌ମାନଙ୍କ ମଧ୍ୟରେ ମତଭେଦ ରହିଛି। ରବୀନ୍ଦ୍ରନାଥଙ୍କ ରାକ୍ଷୀ ଓ ଏକତାର ବାର୍ତ୍ତା ରକ୍ଷାବନ୍ଧନ କେବଳ ପରିବାର ଭିତରେ ଭାଇ-ଭଉଣୀଙ୍କ ସମ୍ପର୍କର ପର୍ବ ନୁହେଁ; ଇତିହାସରେ ଏହା ସାମାଜିକ ଏକତାର ପ୍ରତୀକ ଭାବେ ମଧ୍ୟ ବ୍ୟବହୃତ ହୋଇଛି। ବଙ୍ଗଭଙ୍ଗ ସମୟରେ ରବୀନ୍ଦ୍ରନାଥ ଠାକୁର ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଭାଇଚାରା ଓ ଏକତାର ବାର୍ତ୍ତା ଦେବା ପାଇଁ ରାକ୍ଷୀ ବାନ୍ଧିବା ପରମ୍ପରାକୁ ଉତ୍ସାହିତ କରିଥିବା ଉଲ୍ଲେଖ ମିଳେ। ଢାକା, କଲକାତା ଓ ଚିଟାଗଂ ଭଳି ସ୍ଥାନରେ ଏହା ଏକତାର ପ୍ରତୀକାତ୍ମକ ରୂପ ନେଇଥିଲା। ଏଥିରୁ ସ୍ପଷ୍ଟ ହୁଏ ଯେ ରାକ୍ଷୀର ସୂତା କେବଳ ଦୁଇ ଜଣ ଲୋକଙ୍କୁ ନୁହେଁ, ଆବଶ୍ୟକ ହେଲେ ସମଗ୍ର ସମାଜକୁ ମଧ୍ୟ ଏକତାର ସୂତାରେ ବାନ୍ଧିପାରେ। କିପରି ପାଳନ ହୁଏ ରକ୍ଷାବନ୍ଧନ? ସକାଳୁ ଘରେ ଶୁଭ ପରିବେଶରେ ପୂଜାର୍ଚ୍ଚନା ହୋଇଥାଏ। ଭଉଣୀମାନେ ରାକ୍ଷୀ, ସିନ୍ଦୂର ବା ରୋଲି, ଅକ୍ଷତ, ଦୀପ, ଧୂପ ଓ ମିଠା ଆଦି ନେଇ ରାକ୍ଷୀ ଥାଳି ପ୍ରସ୍ତୁତ କରନ୍ତି। ଭାଇଙ୍କ କପାଳରେ ତିଳକ ଲଗାଇ ଆରତି କରିବା ପରେ ହାତରେ ରାକ୍ଷୀ ବାନ୍ଧନ୍ତି। ଭାଇ ଭଉଣୀଙ୍କୁ ମିଠା ଖୁଆଇ ଉପହାର ଦେବା ସହ ସ୍ନେହ ଓ ସୁରକ୍ଷାର ପ୍ରତିଶ୍ରୁତି ଦିଅନ୍ତି। ଏହା ପରେ ପରିବାରର ସମସ୍ତେ ଏକାଠି ହୋଇ ମିଠା ବଣ୍ଟନ କରିବା, ଭୋଜନ କରିବା ଓ ଶୁଭେଚ୍ଛା ବିନିମୟ କରିବା ଭଳି ପରମ୍ପରା ପାଳନ କରନ୍ତି। ବଦଳୁଛି ରାକ୍ଷୀର ରୂପ ସମୟ ସହିତ ରକ୍ଷାବନ୍ଧନର ରୂପରେ ମଧ୍ୟ ପରିବର୍ତ୍ତନ ଆସିଛି। ପୂର୍ବରୁ ସାଧାରଣ ସୂତା, ମୌଳି ବା ଘରେ ତିଆରି ରାକ୍ଷୀ ବ୍ୟବହାର ହେଉଥିବା ବେଳେ ଆଜି ବଜାରରେ ବିଭିନ୍ନ ଡିଜାଇନ୍‌ର ରାକ୍ଷୀ ମିଳୁଛି। ସୁନା, ରୁପା, ମୋତି, କାଠ, ହାତତିଆରି ଓ ପରିବେଶବନ୍ଧୁ ରାକ୍ଷୀ ପର୍ଯ୍ୟନ୍ତ ଲୋକପ୍ରିୟ ହେଉଛି। ଦୂରରେ ଥିବା ଭାଇ କିମ୍ବା ଭଉଣୀଙ୍କ ପାଖକୁ ଡାକ, କୁରିଅର ଓ ଅନଲାଇନ୍ ମାଧ୍ୟମରେ ରାକ୍ଷୀ ପହଞ୍ଚୁଛି। ମୋବାଇଲ୍ ଭିଡିଓ କଲ୍ ମାଧ୍ୟମରେ ମଧ୍ୟ ଅନେକ ପରିବାର ରାକ୍ଷୀ ଉତ୍ସବ ପାଳନ କରୁଛନ୍ତି। ତଥାପି ଆଧୁନିକତା ମଧ୍ୟରେ ମୂଳ ଭାବନା—ସ୍ନେହ ଓ ସମ୍ପର୍କ—ଅପରିବର୍ତ୍ତିତ ରହିଛି। ରାକ୍ଷୀର ସମ୍ପର୍କ କେବଳ ରକ୍ତ ସମ୍ପର୍କରେ ସୀମିତ ନୁହେଁ ଭାରତୀୟ ପରମ୍ପରାରେ ରାକ୍ଷୀର ଅର୍ଥ ବହୁତ ବ୍ୟାପକ। ଅନେକ ସ୍ଥାନରେ ଭଉଣୀମାନେ ନିଜ ଭାଇ ବ୍ୟତୀତ ଭାଇ ଭଳି ଥିବା ନିକଟ ସମ୍ପର୍କୀୟ, ବନ୍ଧୁ ବା ସମାଜର ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ରାକ୍ଷୀ ବାନ୍ଧନ୍ତି। ଏହାର ମୂଳରେ ରହିଛି—‘ମୁଁ ତୁମ ପାଇଁ ଅଛି, ତୁମେ ମୋ ପାଇଁ ଅଛ’ ବୋଲି ଏକ ମାନବୀୟ ଆଶ୍ୱାସନ। ସେଥିପାଇଁ ରକ୍ଷାବନ୍ଧନ ଆଜି ଭାଇ-ଭଉଣୀର ସମ୍ପର୍କ ସହିତ ମାନବୀୟ ସମ୍ପର୍କ, ସାମାଜିକ ସହଯୋଗ ଓ ଏକତାର ପର୍ବରେ ପରିଣତ ହୋଇଛି। ଭାରତ ସରକାରଙ୍କ ପ୍ରକାଶନରେ ମଧ୍ୟ ରକ୍ଷାବନ୍ଧନକୁ ଏକତା, ମାନବିକତା ଓ ସାମାଜିକ ସମନ୍ୱୟର ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଛି। ନାରୀ ସମ୍ମାନର ବାର୍ତ୍ତା ଆଜିର ସମାଜରେ ରକ୍ଷାବନ୍ଧନର ଆଉ ଏକ ବଡ଼ ମହତ୍ୱ ରହିଛି—ନାରୀଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା। ଭଉଣୀଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ ଭାଇ କେବଳ ତାଙ୍କୁ ସୁରକ୍ଷା ଦେବାର କଥା କହିବା ନୁହେଁ; ସମାଜର ପ୍ରତ୍ୟେକ ଝିଅ ଓ ମହିଳାଙ୍କ ସମ୍ମାନ, ଅଧିକାର ଓ ସୁରକ୍ଷା ପାଇଁ ଠିଆ ହେବା ମଧ୍ୟ ଏହି ପର୍ବର ଆଧୁନିକ ବାର୍ତ୍ତା ହୋଇପାରେ। ରାଷ୍ଟ୍ରପତିଙ୍କ ରକ୍ଷାବନ୍ଧନ ବାର୍ତ୍ତାରେ ମଧ୍ୟ ଏହି ପର୍ବକୁ ପ୍ରେମ, ବିଶ୍ୱାସ, ସାମାଜିକ ସମନ୍ୱୟ ଓ ନାରୀଙ୍କ ପ୍ରତି ସମ୍ମାନ ସହ ଯୋଡ଼ାଯାଇଛି। ପରିବେଶ ପାଇଁ ମଧ୍ୟ ରାକ୍ଷୀ ଆଜିକାଲି ରକ୍ଷାବନ୍ଧନର ଏକ ନୂଆ ସନ୍ଦେଶ ହେଉଛି ପ୍ରକୃତି ସୁରକ୍ଷା। କେତେକ ସ୍ଥାନରେ ଲୋକମାନେ ଗଛକୁ ରାକ୍ଷୀ ବାନ୍ଧି ‘ଗଛ ଆମର ଜୀବନ, ଗଛକୁ ସୁରକ୍ଷା କରିବା’ର ସଂକଳ୍ପ ନେଉଛନ୍ତି। ରକ୍ଷାବନ୍ଧନ ସମୟରେ ପରିବେଶବନ୍ଧୁ ରାକ୍ଷୀ ବ୍ୟବହାର କରିବାର ପ୍ରଚଳନ ମଧ୍ୟ ବଢ଼ୁଛି। ଏହାର ଅର୍ଥ ମଧ୍ୟ ଗଭୀର—ଯେପରି ଭାଇ-ଭଉଣୀ ପରସ୍ପରକୁ ରକ୍ଷା କରନ୍ତି, ସେପରି ମଣିଷ ମଧ୍ୟ ପ୍ରକୃତିକୁ ରକ୍ଷା କରିବା ଦରକାର। ଓଡ଼ିଶାରେ ରକ୍ଷାବନ୍ଧନର ମହତ୍ୱ ଓଡ଼ିଶାରେ ମଧ୍ୟ ରକ୍ଷାବନ୍ଧନ ଏକ ପାରିବାରିକ ଓ ସାମାଜିକ ଉତ୍ସବ ଭାବେ ପାଳିତ ହୁଏ। ଗାଁଠାରୁ ସହର ପର୍ଯ୍ୟନ୍ତ ଘରେ ଘରେ ଭାଇ-ଭଉଣୀଙ୍କ ମଧ୍ୟରେ ରାକ୍ଷୀ ବାନ୍ଧିବା, ମିଠା ଖୁଆଇବା ଓ ଉପହାର ଦେବାର ପରମ୍ପରା ଦେଖିବାକୁ ମିଳେ। ଓଡ଼ିଶାର ପରିବାର ବ୍ୟବସ୍ଥାରେ ଭାଇ-ଭଉଣୀଙ୍କ ସମ୍ପର୍କର ଭାବନାତ୍ମକ ମୂଲ୍ୟ ଅତ୍ୟନ୍ତ ଗଭୀର। ବିବାହ ପରେ ଦୂରକୁ ଯାଇଥିବା ଭଉଣୀମାନେ ଏହି ଦିନ ଭାଇଙ୍କ ଘରକୁ ଆସିବା କିମ୍ବା ରାକ୍ଷୀ ପଠାଇବା ମାଧ୍ୟମରେ ପୁଣିଥରେ ଶୈଶବର ସ୍ମୃତିକୁ ଜୀବନ୍ତ କରନ୍ତି। ରାକ୍ଷୀ କେବଳ ସୂତା ନୁହେଁ ରାକ୍ଷୀ ଦେଖିବାକୁ ହୁଏତ ଏକ ସାଧାରଣ ସୂତା। କିନ୍ତୁ ଏହା ସହ ଜଡ଼ିତ ଭାବନା ଅମୂଲ୍ୟ। ଏଥିରେ ରହିଛି ଶୈଶବର ସ୍ମୃତି, ଭାଇ-ଭଉଣୀଙ୍କ ଝଗଡ଼ା, ମଜାମସ୍ତି, ଭଲପାଇବା, ଅଭିମାନ ଓ ପୁଣି ମିଳିଯିବାର କାହାଣୀ। ଜୀବନର ଦୌଡ଼ରେ ଭାଇ କିମ୍ବା ଭଉଣୀ ଯେତେ ଦୂରେ ଥାଆନ୍ତୁ ନା କାହିଁକି, ରାକ୍ଷୀର ଏକ ଛୋଟ ସୂତା ତାଙ୍କୁ ଶୈଶବର ସେହି ଦିନକୁ ଫେରାଇ ନେଇଥାଏ। ଉତ୍ସବଠାରୁ ବଡ଼ ହେଉ ସମ୍ପର୍କ ଆଜି ରକ୍ଷାବନ୍ଧନ ଅବସରରେ ବଜାର ରାକ୍ଷୀ ଓ ଉପହାରରେ ସଜିଉଠିବ। ଘରେ ଘରେ ମିଠାର ମହକ ଛୁଟିବ। ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ, ଭାଇ ଉପହାର ଦେବେ। କିନ୍ତୁ ଏହି ଉତ୍ସବର ପ୍ରକୃତ ସାର୍ଥକତା ଦାମୀ ଉପହାରରେ ନୁହେଁ, ବରଂ ସମ୍ପର୍କକୁ ଜୀବନ୍ତ ରଖିବାରେ। ଯେଉଁଠି ଅଭିମାନ ଅଛି, ସେଠି କ୍ଷମା; ଯେଉଁଠି ଦୂରତା ଅଛି, ସେଠି ନିକଟତା; ଯେଉଁଠି ଅସୁବିଧା ଅଛି, ସେଠି ସହଯୋଗ—ଏହି ହେଉ ରାକ୍ଷୀର ପ୍ରକୃତ ଅର୍ଥ। ଉପସଂହାର ରକ୍ଷାବନ୍ଧନ ହେଉଛି ଏମିତି ଏକ ପର୍ବ, ଯାହା ଏକ ଛୋଟ ସୂତା ମାଧ୍ୟମରେ ବଡ଼ ଏକ ସନ୍ଦେଶ ଦିଏ—ସମ୍ପର୍କକୁ ସମ୍ମାନ କର, ପରସ୍ପରକୁ ଭଲ ପାଅ, ବିପଦରେ ପାଖରେ ଠିଆ ହୁଅ ଏବଂ ସମାଜରେ ଭାଇଚାରା ଓ ମାନବିକତାକୁ ମଜବୁତ କର। ଆଜି ରାକ୍ଷୀର ପବିତ୍ର ସୂତା ହାତରେ ବାନ୍ଧିବା ସମୟରେ ପ୍ରତ୍ୟେକ ଭାଇ ଓ ଭଉଣୀ ଯଦି କେବଳ ପରସ୍ପରର ନୁହେଁ, ସମଗ୍ର ସମାଜର ସୁଖ, ସୁରକ୍ଷା, ସମ୍ମାନ ଓ ମାନବିକତା ପାଇଁ ସଂକଳ୍ପ ନିଅନ୍ତି, ତେବେ ରକ୍ଷାବନ୍ଧନର ପବିତ୍ରତା ଆହୁରି ସାର୍ଥକ ହେବ। ରାକ୍ଷୀର ସୂତା ରହୁ ଅତୁଟ, ଭାଇ-ଭଉଣୀର ସ୍ନେହ ରହୁ ଅମର, ଏବଂ ମାନବିକତାର ବନ୍ଧନ ହେଉ ଆହୁରି ମଜବୁତ। ସମସ୍ତଙ୍କୁ ପବିତ୍ର ରକ୍ଷାବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା।

Nuapada (ନୂଆପଡ଼ା) • ରିପୋର୍ଟ: ମଳୟ ମେହେର, ବ୍ୟୁରୋ/ ଜିଲ୍ଲା ପ୍ରତିନିଧି

ଗଣମାଧ୍ୟମର ପ୍ରଭାବ - ଶିରିପୁରରେ ପହଞ୍ଚିଲା ପ୍ରଶାସନ : ରାସ୍ତା ଓ ଅଙ୍ଗନବାଡ଼ି ସମସ୍ୟା ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଡିଓ
Aug 27, 2026•29 views

ଗଣମାଧ୍ୟମର ପ୍ରଭାବ - ଶିରିପୁରରେ ପହଞ୍ଚିଲା ପ୍ରଶାସନ : ରାସ୍ତା ଓ ଅଙ୍ଗନବାଡ଼ି ସମସ୍ୟା ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଡିଓ

ଚିକିଟି, ୨୬/୦୮: ଆଜିକାଲି ପ୍ରଯୁକ୍ତି ବିଦ୍ୟା ର ବିକାଶରେ କୈ।ଣସି ଖବର ପାଇଁ ଖବରକାଗଜ କୁ ଅପେକ୍ଷା ନାହିଁ, ମୋବାଇଲ, ଟେଲିଭିଜନ ରେ ଖବର ଲୋକଲୋଚନକୁ ଆସି ଯାଉଛି। ତଥାପି କେତେକ ଖବର ସର୍ବଜନୀନ ହୋଇପାରୁନାହିଁ ଯୋଗାଯୋଗର ଅସୁବିଧା ହେତୁ।ସେଠି ଗଣମାଧ୍ୟମର ପ୍ରତିନିଧି ପହଞ୍ଚିଥାନ୍ତି, ଖବର ସଂଗ୍ରହ କରନ୍ତି। ସେମିତି ଏକ ଗାଁ ଗଞ୍ଜାମ ଚିକିଟି ବ୍ଲକର ଶିରିପୁର। ଚିକିଟି ବ୍ଲକ ଅନ୍ତର୍ଗତ ଲାଲମେଣ୍ଟି ପଞ୍ଚାୟତର ହରିଜନ ଶିରିପୁର ଗ୍ରାମ ଦୀର୍ଘବର୍ଷ ଧରି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ନେଇ ଅଭିଯୋଗ ହୋଇଆସୁଛି। ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପାନୀୟଜଳ ଭଳି ମୌଳିକ ସୁବିଧା ଗ୍ରାମରେ ପହଞ୍ଚୁନଥିବା ନେଇ ଖବର ପ୍ରକାଶ ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ଚିକିଟି ବିଡିଓ ବିବେକାନନ୍ଦ ମିଶ୍ର ଶିରିପୁର ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଦୀର୍ଘଦିନ ଧରି କୌଣସି ପ୍ରଶାସନିକ ଅଧିକାରୀ ଗ୍ରାମକୁ ଆସିନଥିବା ବେଳେ ବିଡିଓଙ୍କ ପରିଦର୍ଶନକୁ ନେଇ ଗ୍ରାମବାସୀ ଆଶାବାଦୀ ହୋଇଛନ୍ତି। ଗ୍ରାମବାସୀଙ୍କ କହିବାନୁଯାୟୀ, ଗ୍ରାମର ରାସ୍ତା ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି କାଦୁଅ ହୋଇଯାଉଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି। ତେଣୁ ରାସ୍ତାର ସ୍ଥାୟୀ ମରାମତି କରି ଭଲ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ବିଡିଓଙ୍କ ନିକଟରେ ନିବେଦନ କରିଥିଲେ। ସେହିପରି ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଶିଶୁମାନଙ୍କୁ ପ୍ରାୟ ୩ କିମି ଦୂର ବଡ଼ କେଳାଝୁରି ଗ୍ରାମକୁ ଯିବାକୁ ପଡ଼ୁଛି। ଦୂରତା ଯୋଗୁଁ ଅନେକ ଶିଶୁ ଅଙ୍ଗନବାଡ଼ି କେନ୍ଦ୍ର ଯିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଗ୍ରାମବାସୀ ବିଡିଓଙ୍କୁ ଜଣାଇଥିଲେ। ବିଡିଓ ଶ୍ରୀ ମିଶ୍ରଙ୍କ କହିବାନୁଯାୟୀ, ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇଛି। ରାସ୍ତାର ଶୀଘ୍ର ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଏଥିସହ ଗ୍ରାମର ପ୍ରାୟ ୯୦ ପ୍ରତିଶତ ଲୋକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଇସାରିଛନ୍ତି। ଯେଉଁମାନେ ଏପର୍ଯ୍ୟନ୍ତ ବାଦ ପଡ଼ିଛନ୍ତି, ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରି ସୁବିଧା ଯୋଗାଇ ଦିଆଯିବ ବୋଲି ବିଡିଓ କହିଛନ୍ତି।ପ୍ରଶାସନ ଗ୍ରାମବାସୀଙ୍କ ପାଖକୁ ଯାଇ ଅଭାବ ଅସୁବିଧା ବୁଝିଥିବାରୁ ଧନ୍ୟବାଦ ଦେଇଛନ୍ତି ଗ୍ରାମବାସୀ।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ବରଗଡ଼ରେ WOYMର ୧୦ମ ପ୍ରତିଷ୍ଠା ଦିବସ ପାଳିତ: ସ୍ୱତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଶିଶୁଙ୍କ ସହ ‘ଉତ୍ଥାନ-୨୦୨୬’ ପାଳନ
Aug 27, 2026•14 views

ବରଗଡ଼ରେ WOYMର ୧୦ମ ପ୍ରତିଷ୍ଠା ଦିବସ ପାଳିତ: ସ୍ୱତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଶିଶୁଙ୍କ ସହ ‘ଉତ୍ଥାନ-୨୦୨୬’ ପାଳନ

ବରଗଡ଼, ୨୬/୦୮: ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ୍‌ (WOYM)ର ୧୦ମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ‘ଉତ୍ଥାନ-୨୦୨୬’ ନାମରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବିଦ୍ୟାଳୟର ଶିଶୁମାନଙ୍କ ସହ ସମୟ ବିତାଇ WOYM ସଦସ୍ୟମାନେ ପ୍ରତିଷ୍ଠା ଦିବସକୁ ଅର୍ଥପୂର୍ଣ୍ଣ ଭାବେ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ସାମାଜିକ ସେବା, ମାନବିକତା ଓ ସମାଜର ଅବହେଳିତ ବର୍ଗଙ୍କ ପ୍ରତି ସମ୍ବେଦନଶୀଳତାର ବାର୍ତ୍ତା ଦିଆଯାଇଥିଲା। ଔପଚାରିକ ଭାବେ କେବଳ ପ୍ରତିଷ୍ଠା ଦିବସ ପାଳନ ନକରି, ବିଶେଷ ଶିଶୁମାନଙ୍କ ସହ ଖୁସି ବାଣ୍ଟିବା ଏବଂ ସେମାନଙ୍କୁ ଉତ୍ସାହିତ କରିବାକୁ WOYMର ଏହି ପଦକ୍ଷେପକୁ ଉପସ୍ଥିତ ଅତିଥି ଓ ସଦସ୍ୟମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଗୌରବ ପତି ଆଜାଦଙ୍କୁ ସମ୍ମାନିତ କରାଯାଇଥିବାବେଳେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ସମ୍ମାନ ଜଣାଯାଇଥିଲା। କାର୍ଯ୍ୟକ୍ରମର ଫଟୋରେ WOYMର ସଦସ୍ୟ, ଅତିଥି ଓ ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତିମାନେ ସାମୂହିକ ଭାବେ ଉପସ୍ଥିତ ଥିବା ଦେଖାଯାଇଛି। WOYM ପକ୍ଷରୁ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଯାଇଛି। ଏଥିସହ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିଥିବା ସମସ୍ତ ଅତିଥି, ସଦସ୍ୟ ଓ ସହଯୋଗୀଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଛି। ପଶ୍ଚିମ ଓଡ଼ିଶାର ଯୁବ ସମାଜ, ସଂସ୍କୃତି ଓ ସାମାଜିକ ସେବାକୁ ନେଇ କାର୍ଯ୍ୟ କରୁଥିବା WOYM ନିଜର ୧୦ ବର୍ଷର ଯାତ୍ରାକୁ ସ୍ମରଣ କରିବା ସହ ଆଗାମୀ ଦିନରେ ମଧ୍ୟ ମାନବିକତା ଓ ସମାଜସେବା କ୍ଷେତ୍ରରେ ନିଜର କାର୍ଯ୍ୟ ଜାରି ରଖିବାର ସଂକଳ୍ପକୁ ଦୋହରାଇଛି। ବରଗଡ଼ରେ ଆୟୋଜିତ ଏହି ୧୦ମ ପ୍ରତିଷ୍ଠା ଦିବସ କେବଳ ଏକ ବାର୍ଷିକ ଉତ୍ସବ ନହୋଇ, ସେବା, ସମ୍ମାନ ଓ ସମାବେଶୀ ମାନବିକତାର ଏକ ସୁନ୍ଦର ବାର୍ତ୍ତା ଦେଇ ଶେଷ ହୋଇଥିଲା।

Bargarh (ବରଗଡ଼) • ସତ୍ୟ ସୁରୁ ଜାଲ

ନିଶାମୁକ୍ତ ଭାରତ ଅଭିଯାନରେ ଡ୍ରଗ୍ସ ବିରୋଧୀ ସଚେତନତା କାର୍ଯ୍ୟକ୍ରମ
Aug 27, 2026•25 views

ନିଶାମୁକ୍ତ ଭାରତ ଅଭିଯାନରେ ଡ୍ରଗ୍ସ ବିରୋଧୀ ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଆଇ.ଇ. ଥାନା ପକ୍ଷରୁ ବାଘେଇଟାଙ୍ଗିସ୍ଥିତ ଇନୋଭେସନ୍ ବିଜନେସ୍ ସ୍କୁଲ୍‌ରେ ଏକ ଡ୍ରଗ୍ସ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ନିଶାଦ୍ରବ୍ୟ ସେବନର ଭୟାବହ ପରିଣାମ, ଏହା ଦ୍ୱାରା ଯୁବପିଢ଼ି ଓ ସମାଜ ଉପରେ ପଡୁଥିବା କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଏଥିସହ ନିଶାଠାରୁ ଦୂରେଇ ରହି ସୁସ୍ଥ, ଦାୟିତ୍ୱବାନ ଓ ସଚେତନ ଜୀବନଶୈଳୀ ଆପଣାଇବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦିଆଯାଇଥିଲା। ଏକ ନିଶାମୁକ୍ତ ସମାଜ ଗଠନ ସହ ଯୁବପିଢ଼ିଙ୍କୁ ନିଶାର କବଳରୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କୁହାଯାଇଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ
Aug 27, 2026•11 views

ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ

ରାଉରକେଲା: ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଓ ଦେବେନ୍ଦ୍ର ସ୍ମୃତି ନ୍ୟାସ ର ମିଳିତ ଆନୁକୂଲ୍ୟରେ ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ରାଧାମୋହନ ନାୟକଙ୍କ ଆବାହକତ୍ବ ତଥା ଝିଲିମା ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚିକା ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ ସବିତା ପ୍ରଧାନ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଓଡ଼ିଆ ଗଳ୍ପରେ ମୂଲ୍ୟବୋଧ ର ପ୍ରଖ୍ୟାପନ ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଦେବେନ୍ଦ୍ର ବାବୁ ଜଣେ ନିରପେକ୍ଷ, ସତ୍ୟାନ୍ବେଷୀ ଗବେଷକ ତଥା ମହାବିଦ୍ୟାଳୟର ପ୍ରଶାସନିକ ଦକ୍ଷତା ଓ ଦୂରଦୃଷ୍ଟି ସମ୍ପନ୍ନ ଓଡ଼ିଆ ସାହିତ୍ୟ ଅନୁରାଗୀ ବ୍ୟକ୍ତିତ୍ଵ ଥିଲେ। କାହାଣୀ ଯେତେବେଳେ ସାହିତ୍ୟରେ ପରିଣତ ହୁଏ ସେତେବେଳେ ସେ ପାଠକକୁ ପ୍ରେରିତ କରେ। ଗଳ୍ପ ଭିତରେ ମାନବୀୟ ମୂଲ୍ୟବୋଧ ଓ ଶିଶୁ ସାହିତ୍ୟରେ ଉପଦେଶ ରହିଲେ ତାହା ଅଧିକ ଗ୍ରହଣୀୟ ହୁଏ। ଏହାସହ ସେ ଗଳ୍ପରେ ବାହ୍ୟସ୍ତର, କାହିଁକି ଓ ଗଭୀର ସ୍ତର ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ। ଏହି ଅବସରରେ ନଗେନ୍ କୁମାର ଦାସଙ୍କ ସମ୍ପାଦିତ ଦେବେନ୍ଦ୍ର ଦୃଷ୍ଟି-ତୃତୀୟ ଭାଗକୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଡ ଖଗେଶ୍ବର ମେହେରଙ୍କୁ ଦେବେନ୍ଦ୍ର କୁମାର ଦାଶ ସ୍ମୃତି ସମ୍ମାନ ସହ ୨୦ ହଜାର ନଗଦ ଅର୍ଥରେ ପୁରସ୍କୃତ କରାଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମରେ ଦେବେନ୍ଦ୍ର କୁମାର ଙ୍କ ପୁତ୍ର ସଙ୍କେତ ସୁନନ ଦାଶ, ପୁତ୍ରବଧୂ ନିବେଦିତା ଦାଶ,ଡ ସନ୍ତୋଷ ରଥ,ଗୈ।ରାଙ୍ଗଚନ୍ଦ୍ର ଦାଶ ପ୍ରମୁଖଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା ଓ ସହରର ବହୁ ସାହିତ୍ୟିକ,କବି, ପ୍ରାବନ୍ଧିକ ଯୋଗଦେଇଥିଲେ। ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ମାନପତ୍ର ପଠନ କରିଥିବା ବେଳେ ସଭାପତି ଶ୍ରୀ ସ୍ବାଇଁ ସ୍ବାଗତ ଅଭିଭାଷଣ ଓ ଶେଷରେ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁଲଗ୍ନା,ସାଇପ୍ରତିଭା, ମମତା ପ୍ରମୁଖ ସହଯୋଗ କରିଥିଲେ।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ