--:--:--
-- ---
Srishti News

ଐତିହାସିକ ବାମ୍ଫିର ଅସ୍ତିତ୍ୱ ସଙ୍କଟ: ଆବର୍ଜନାରେ ପୋତି ହେଉଛି ଖଲ୍ଲିକୋଟ ରାଜପ୍ରାସାଦର ପ୍ରାଚୀନ କୀର୍ତ୍ତି

Ganjam (ଗଞ୍ଜାମ)ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧିAugust 27, 2026157 views
ଐତିହାସିକ ବାମ୍ଫିର ଅସ୍ତିତ୍ୱ ସଙ୍କଟ: ଆବର୍ଜନାରେ ପୋତି ହେଉଛି ଖଲ୍ଲିକୋଟ ରାଜପ୍ରାସାଦର ପ୍ରାଚୀନ କୀର୍ତ୍ତି
ଖଲ୍ଲିକୋଟ, ୨୬/୦୮: ଖଲ୍ଲିକୋଟ ଗଡ଼ର ଐତିହାସିକ ଗୌରବର ସାକ୍ଷୀ ବହନ କରୁଥିବା ଅନେକ ପ୍ରାଚୀନ କୀର୍ତ୍ତିରାଜି ଆଜି ଅବହେଳା ଓ ଅସ୍ୱଚ୍ଛତା କାରଣରୁ ନଷ୍ଟ ହେବାକୁ ବସିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଖଲ୍ଲିକୋଟ ରାଜପ୍ରାସାଦ ପରିସରରେ ଥିବା ଏକ ପ୍ରାଚୀନ ବାମ୍ଫି। ରାଜପ୍ରାସାଦ ପରିସରରେ ବର୍ତ୍ତମାନ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଳି ଶିକ୍ଷାନୁଷ୍ଠାନ ରହିଛି। ଏହି ଦୁଇ ଅନୁଷ୍ଠାନ ମଝିରେ ଥିବା ପ୍ରାଚୀନ ବାମ୍ଫିଟି ନିଜର ସ୍ଥାପତ୍ୟ ଓ ନିର୍ମାଣଶୈଳୀ ପାଇଁ ଅନନ୍ୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କାଟେଣି ପଥରରେ ନିର୍ମିତ ଏହି ବାମ୍ଫିର ବିଶେଷତ୍ୱ ହେଉଛି, ଉପରୁ ଜଳସ୍ତର ଦେଖିବା ସହ ସୁଡ଼ଙ୍ଗ ଓ ପାହାଚ ଦେଇ ତଳକୁ ଯାଇ ପାଣି ଆଣିବାର ବ୍ୟବସ୍ଥା ରହିଥିଲା। ଦିନେ ଏହି ବାମ୍ଫିର ପାଣିକୁ ମୋଟର ଯୋଗେ ଆର୍ଟ କଲେଜ୍ ଓ ସିଟି ସ୍କୁଲକୁ ଯୋଗାଣ କରାଯାଉଥିଲା ବୋଲି ସ୍ଥାନୀୟ ଲୋକଙ୍କ ସୂଚନା। ତେବେ ବର୍ତ୍ତମାନ ଏହି ଐତିହାସିକ କୀର୍ତ୍ତିର ଅବସ୍ଥା ଦୟନୀୟ ହୋଇପଡ଼ିଛି। ସ୍ଥାନୀୟ ଅଭିଯୋଗ ଅନୁସାରେ, ଖଲ୍ଲିକୋଟ ଖୋଲସାହିର କିଛି ଲୋକ ବାମ୍ଫି ମଧ୍ୟରେ ଘରର ଅଳିଆ ଆବର୍ଜନା ପକାଇବାରୁ ଏହା ପ୍ରାୟ ପୋତି ହୋଇଯାଇଛି। ଏଥିସହ ବାମ୍ଫିର ଚାରିପାଖ ଲତାବୁଦା ଓ ବିରାଟକାୟ ଗଛରେ ଆଚ୍ଛାଦିତ ହୋଇରହିଛି। ଫଳରେ ଏହି ପ୍ରାଚୀନ କୀର୍ତ୍ତି ଧୀରେ ଧୀରେ ଲୋକଙ୍କ ଦୃଷ୍ଟିରୁ ଅଦୃଶ୍ୟ ହେବାକୁ ବସିଛି। ଏଭଳି ଐତିହାସିକ ସମ୍ପଦର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ପ୍ରଶାସନ କିମ୍ବା ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ କାହିଁକି ଏପର୍ଯ୍ୟନ୍ତ ଦୃଷ୍ଟି ଦିଆଯାଇନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବାମ୍ଫିଟି କାହାର ଦାୟିତ୍ୱ ଓ କାହା ଅଧୀନରେ ରହିଛି, ତାହା ସ୍ପଷ୍ଟ କରି ଏହାର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ପ୍ରତିନିଧି ଶିବରାମ ଜେନା ବିଭିନ୍ନ ଗଣମାଧ୍ୟମ ଜରିଆରେ ସରକାର ଓ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଖଲ୍ଲିକୋଟର ଏହି ବିରଳ ଐତିହାସିକ ବାମ୍ଫିର ପୁନରୁଦ୍ଧାର, ପରିଷ୍କାର ଓ ସୁରକ୍ଷା ସହ ଏହାକୁ ଏକ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀ ଭାବେ ବିକଶିତ କରିବାକୁ ଜନସାଧାରଣ ସରକାର ଓ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି। ତୁରନ୍ତ ପଦକ୍ଷେପ ନିଆଗଲେ ଏହି ପ୍ରାଚୀନ କୀର୍ତ୍ତିର ସୁରକ୍ଷା ସହ ଆଗାମୀ ପିଢ଼ି ଖଲ୍ଲିକୋଟର ଐତିହ୍ୟକୁ ନିକଟରୁ ଜାଣିବାର ସୁଯୋଗ ପାଇପାରିବେ।