Web News

୩୨ତମ ରାଜ୍ୟ ଉଷୁ ପ୍ରତିଯୋଗିତା ଉଦ୍ଯାପିତ
*ଜୁନିୟରରେ ଦଳଗତ ବିଜେତା, ସିନିୟରରେ ଉପବିଜେତା ଭାବେ ଟ୍ରଫି ହାତେଇଲା ସୁନ୍ଦରଗଡ଼ ଉଷୁ ଦଳ* ରାଉରକେଲା ୨୫/୮, ବେଲପାହାଡ଼ ସ୍ଥିତ ହୋଟେଲ ସନ୍ସିଟି ପ୍ୟାଲେସ୍ଠାରେ ତିନିଦିନ ଧରି ଚାଲିଥିବା ୩୨ତମ ଓଡ଼ିଶା ରାଜ୍ୟ ଉଷୁ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରୁ ପ୍ରାୟ ୪୦୦ ଜଣ କ୍ରୀଡ଼ାବିତ୍ ଓ ୫୦ ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ। ସ୍ପୋର୍ଟସ ଉଷୁ ଆସୋସିଏସନ୍ ଅଫ୍ ସୁନ୍ଦରଗଡ଼ (SWAS)ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରୁ ୪୫ ଜଣ କ୍ରୀଡ଼ାବିତ୍ ଏବଂ ୨ ଜଣ ଅଧିକାରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଜୁନିୟର ବର୍ଗରେ ସୁନ୍ଦରଗଡ଼ ଦଳ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରି ୭ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧ଟି କାଂସ୍ୟ ପଦକ ହାସଲ କରିବା ସହ ଦଳଗତ ବିଜେତା ଟ୍ରଫି କ୍ରମାଗତ ଦ୍ୱିତୀୟ ଥର ପାଇଁ ହାତେଇଛି। ସେହିପରି ସିନିୟର ବର୍ଗରେ ୮ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ହାସଲ କରି ଦଳଗତ ଉପବିଜେତା ଟ୍ରଫି ଅର୍ଜନ କରିଛି। ସବ୍-ଜୁନିୟର ବର୍ଗରେ ସୁନ୍ଦରଗଡ଼ ଦଳ ୭ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୯ଟି କାଂସ୍ୟ ପଦକ ହାସଲ କରି ୪ର୍ଥ ସ୍ଥାନରେ ରହିଛି। ଜିଲ୍ଲା ଉଷୁ ସଂଘର ସାଧାରଣ ସମ୍ପାଦକ ସୁଜନ ରଥଙ୍କ ସମେତ ଉପସଭାପତି ଟିକା ବାହାଦୁର ପ୍ରତିଯୋଗିତାରେ ଟେକ୍ନିକାଲ୍ ଅଫିସିଆଲ୍ ଭାବେ ଦାୟିତ୍ୱ ତୁଲାଇଥିଲେ। ସୁନ୍ଦରଗଡ଼ ଉଷୁ ଦଳର ଏହି ସଫଳତା ପାଇଁ ଜିଲ୍ଲା ଉଷୁ ସଂଘର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଡେପୁଟି ଡାଇରେକ୍ଟର ଅଫ୍ ସ୍ପୋର୍ଟସ୍ ସୁଦୀପ୍ତ ନାଏକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଲ ମିଶ୍ର, ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ର ସାଧାରଣ ସମ୍ପାଦକ ପ୍ରଭାତ ଭୋଳ, ରାଇମା କ୍ଲବ୍ର ସାଧାରଣ ସମ୍ପାଦକ ବାସୁଦେବ ବାନାର୍ଜୀ ଏବଂ କ୍ରୀଡ଼ାପ୍ରେମୀ ଓ. ପି. ସିଂହ ସମସ୍ତ କ୍ରୀଡ଼ାବିତ୍ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
Rourkela (ରାଉରକେଲା) • ରିପୋର୍ଟ: କୁଞ୍ଜ ବିହାରୀ ରାଉତ

ଏନଆଇଟିଆର ବିକାଶ ପାଣ୍ଠିକୁ ଏକ କୋଟି ୧୮ଲକ୍ଷ ପ୍ରଦାନ
ରାଉରକେଲା: ଏନ୍ଆଇଟିଆର ବିକାଶ ପାଣ୍ଠିକୁ ପୁରାତନ ଛାତ୍ର ସଂଘ ନିଟ୍ରା ତରଫରୁ ଏକ କୋଟି ଅଠର ଲକ୍ଷ ଏଗାର ହଜାର ଶହେ ଏଗାର ଟଙ୍କା ପ୍ରଦାନ କରାଯାଇଛି। ୧୯୭୧ ବ୍ୟାଚ ତରଫରୁ ୧୮ ଲକ୍ଷ ଟଙ୍କା ଯାହା ଦ୍ବାରା ୧୨ ଜଣ ଛାତ୍ରଛାତ୍ରୀ ଓ ନିଟ୍ରା ତରଫରୁ ୧ କୋଟି ୧୧,୧୧୧ ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ ୮୦ ଜଣ ଛାତ୍ରଛାତ୍ରୀ ବୃତ୍ତି ପାଉଥିବା ବେଳେ ଏଥର ୯୨ ଜଣ ଛାତ୍ରବୃତ୍ତି ପାଇବେ। ଏହି ଅର୍ଥ ଅନୁଷ୍ଠାନର ହିତ ଯଥା ଛାତ୍ର ବୃତ୍ତି, ଗବେଷଣା ଓ ଭିତ୍ତିଭୂମି ର ଉନ୍ନତି ଆଦି ପ୍ରକଳ୍ପରେ ବିନିଯୋଗ କରାଯିବ। ସେହିପରି ଆଗାମୀ ଦିନରେ ଏହି ଛାତ୍ରବୃତ୍ତି ଶହେକୁ ଛୁଇଁବ ବୋଲି ନିଟ୍ରା ତରଫରୁ କୁହାଯାଇଛି। ଏହି ଅର୍ଥରାଶି କୁ ଏନ୍ଆଇଟି ର ନିର୍ଦ୍ଦେଶକ ପ୍ରଫେସର କେ ଊମା ମହେଶ୍ଵର ରାଓ ଗ୍ରହଣ କରି ନିଟ୍ରାକୁ ଧନ୍ୟବାଦ ଦେବାସହ ଏଭଳି ମନୋଭାବ କୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଟ୍ରାର ସଭାପତି ଫକୀର ଚରଣ ମହାନ୍ତି, ସମ୍ପାଦକ ଡ ହୃଷିକେଶ ନାଏକ, ରାଉରକେଲା ଚାପ୍ଟର ସଭାପତି ବିମଳ କୁମାର ବିଶି,ଭାରତ ଭୂଷଣ ମହାନ୍ତି,ଅସୀମ ସାବତ, ସ୍ବରୂପ କୁମାର ପାଣିଗ୍ରାହୀ, ଉଦୟ ପଟେଲ, ପ୍ରବୋଧ ପାଢ଼ୀ,ଜି ପି ମାଲାନୀ,ଆର ପି ଗୁପ୍ତା,ବିଜୟ ଦାସ, ରାହୁଲ ଅଗ୍ରୱାଲ,ସରୋଜ ଦାଶ, ସମ୍ପଦ ମିଶ୍ର ଓ ଏନ୍ଆଇଟି ର ପ୍ରଫେସର ଡ ପୁନମ ସିଂ,ଡ ସରୋଜ ପଟେଲ,ଡ ଅର୍ଚ୍ଚନା ମଲ୍ଲିକ,ଡ ଦୀପ୍ତିଲତା ପାତ୍ର,ଡ ଶାନ୍ତନୁ ବେହେରା,ଡ଼ ସୂରଜ ବେହେରା,ଡ ହିମାଂଶୁ ଶତପଥୀ, ରେଜିଷ୍ଟ୍ରାର ରୋହନ ଧୀମାନ,ଡ ପଙ୍କଜ ସା,ଡ ଶରତ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ସଭାପତି ଶ୍ରୀ ମହାନ୍ତି, ଶ୍ରୀ ବିଶି,ବି ବି ମହାନ୍ତି ପ୍ରମୁଖ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଶେଷରେ ସମ୍ପାଦକ ଡ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ବାପା-ମାଆଙ୍କୁ ହରାଇଥିବା ଦୁଇ ଭାଇ-ଭଉଣୀଙ୍କ ପାଖରେ ଲୁଲୁ ସେନା
ଅନୁଗୋଳ: ବାପା-ମାଆଙ୍କୁ ହରାଇ ଅସହାୟ ଅବସ୍ଥାରେ ଜୀବନ ବିତାଉଥିବା ଦୁଇ ଭାଇ-ଭଉଣୀଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛି ଲୁଲୁ ସେନା। ଅନୁଗୋଳ ଜିଲ୍ଲା ବେଡ଼ାଶାସନ ଗ୍ରାମ ପଞ୍ଚାୟତ ଅଧୀନ ହମାବିରା ଗ୍ରାମର ସ୍ୱର୍ଗତ ଦୋଳ ବାରିକଙ୍କ ୧୫ ବର୍ଷୀୟ ଝିଅ ଓ ୧୨ ବର୍ଷୀୟ ପୁଅ ବାପା-ମାଆଙ୍କୁ ହରାଇ ଅସହାୟ ହୋଇପଡ଼ିଛନ୍ତି। ଯେଉଁ ବୟସରେ ବାପା-ମାଆଙ୍କ ସ୍ନେହ, ମମତା ଓ ସୁରକ୍ଷା ମିଳିବା କଥା, ସେହି ବୟସରେ ଦୁଇ ଭାଇ-ଭଉଣୀଙ୍କ ମୁଣ୍ଡ ଉପରୁ ମାତାପିତାଙ୍କ ଛାୟା ହଟିଯାଇଛି। ସେମାନଙ୍କ ଦେଖାଶୁଣା ପାଇଁ ପରିବାରର ଅନ୍ୟ କୌଣସି ସଦସ୍ୟ ନଥିବା ବେଳେ, ଅପା ଏକାକୀ ରହି ନିଜ ସାମର୍ଥ୍ୟ ଅନୁସାରେ ଦୁଇ ଭାଇ-ଭଉଣୀଙ୍କ ଲାଳନପାଳନ କରୁଛନ୍ତି। ଏହି ଦୁଃଖଦ ପରିସ୍ଥିତି ସମ୍ପର୍କରେ ଜାଣିବା ପରେ ଲୁଲୁ ସେନାର ଟିମ୍ ହମାବିରା ଗ୍ରାମରେ ପହଞ୍ଚି ପରିବାରର ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ସହାୟତା ପ୍ରଦାନ କରିଥିଲା। ଅସହାୟ ପରିବାର ପ୍ରତି ଏଭଳି ସହଯୋଗ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଏକାଦଶାହ କ୍ରିୟାରେ ଯୋଗଦେଇ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଲେ ବିଜେଡି ଯୁବ ନେତା ବବୁନୀ ଦେଓ
ସୁକିନ୍ଦା, ୨୬/୦୮: ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ବ୍ଲକର ବାରଗଡ଼ିଆ ଗ୍ରାମର ଶ୍ରୀ କୁମାର ଦାସଙ୍କ ଧର୍ମପତ୍ନୀ ସ୍ୱର୍ଗତା ଅଞ୍ଜଳୀ ଦାସଙ୍କ ଏକାଦଶାହ କ୍ରିୟାରେ ବିଜେଡି ଯୁବ ନେତା ବବୁନୀ ଦେଓ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ଦେଓ ସ୍ୱର୍ଗତା ଅଞ୍ଜଳୀ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଆଲୋଚନା କରି ଗଭୀର ସମବେଦନା ପ୍ରକାଶ କରିବା ସହ ଏହି ଦୁଃଖଦ ସମୟରେ ପରିବାରକୁ ଧୈର୍ଯ୍ୟ ଓ ସାହସ ମିଳୁ ବୋଲି କାମନା କରିଥିଲେ। ଏହି ଶୋକସଭାରେ ପରିବାରବର୍ଗ, ସମ୍ପର୍କୀୟ ଓ ଗ୍ରାମବାସୀ ଉପସ୍ଥିତ ରହି ସ୍ୱର୍ଗତା ଅଞ୍ଜଳୀ ଦାସଙ୍କ ସ୍ମୃତିଚାରଣ କରିଥିଲେ।
Jajpur (ଯାଜପୁର) • ରିପୋର୍ଟର: ଅନିଲ କୁମାର ଜେନା, କଳିଙ୍ଗନଗର

ଦ୍ୱାରସେନି ମନ୍ଦିର ଚୋରି ଘଟଣା କୁ ନେଇ ଗର୍ଜିଲେ ଆଦିବାସୀ -ସିନ୍ଧେକେଲା ଥାନା ଘେରାଓ
ସିନ୍ଧେକେଲା :-୨୬/୮/୨୬ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ମା' ଦ୍ୱାରସେନୀ ମନ୍ଦିରରୁ ଚୋରି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଆକ୍ରୋଶ ପ୍ରକାଶ ପାଇଛି। ଚୋରମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଉତ୍ତ୍ୟକ୍ତ ଅଞ୍ଚଲବାସୀ ସିନ୍ଧେକେଲା ଥାନା ଘେରାଉ କରିବା ସହ ବ୍ୟାପକ ପ୍ରତିବାଦ କରିଛନ୍ତି।ସିନ୍ଧେକେଲାର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରସେନୀଙ୍କ ମନ୍ଦିରର ଗ୍ରିଲ୍ ଭାଙ୍ଗି ଦୁର୍ବୃତ୍ତମାନେ ଭିତରକୁ ପଶିବା ସହ ମା'ଙ୍କ ସୁନା ଓ ରୁପା ମୁକୁଟ ସମେତ ବିଭିନ୍ନ ଅଳଙ୍କାର ଚୋରି କରି ନେଇଥିଲେ। ଏହା ସହିତ ସେମାନେ ମନ୍ଦିରର ପ୍ରତିମୂର୍ତ୍ତିକୁ ପୋଡ଼ି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରତିବାଦରେ ସିନ୍ଧେକେଲା ନାଗରିକ ମଞ୍ଚ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ସିନ୍ଧେକେଲା ବନ୍ଦ ଡାକରା ଦିଆଯାଇଥିଲା। ଏହା ଯୋଗୁଁ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଥିଲା। ମନ୍ଦିର ଅପବିତ୍ର ଓ ଚୋରି ଘଟଣାରେ ଶତାଧିକ ସ୍ଥାନୀୟ ବାସିନ୍ଦା ଏବଂ ଶ୍ରଦ୍ଧାଳୁ ଏକାଠି ହୋଇ ସ୍ଥାନୀୟ ସିନ୍ଧେକେଲା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅପରାଧୀଙ୍କୁ ୨୪ ଘଣ୍ଟା ମଧ୍ୟରେ କାବୁ କରିବା ପାଇଁ ସେମାନେ ପୋଲିସ ନିକଟରେ ଦୃଢ଼ ଦାବି କରିଛନ୍ତି।
Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ,ବଲାଙ୍ଗୀର

ରଙ୍ଗବେରଙ୍ଗ ଆଲୋକରେ ଝଲସୁଛି ଧାମନଗର ସହର
ଭଦ୍ରକ ଜିଲ୍ଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପବିତ୍ର ପର୍ବ ପାଇଁ ସମଗ୍ର ଧାମନଗର ସହର ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଥିବା ବେଳେ ସହରର ମୁଖ୍ୟ ରାସ୍ତାଘାଟ ଓ ବିଭିନ୍ନ ଅଞ୍ଚଳ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରୁଛି। ମହମ୍ମଦଙ୍କ ଜନ୍ମ ଉତ୍ସବ ପାଳନ ସହିତ ତବରୁକାତ ଦର୍ଶନ ଭଳି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପବିତ୍ର ପର୍ବକୁ ନେଇ ସଂଖ୍ୟାଲଘୁ ଧର୍ମାବଲମ୍ବୀଙ୍କ ସାହିବସ୍ତିଠାରୁ ଆରମ୍ଭ କରି ଘରେ ଘରେ ଆଲୋକ ସଜାଯାଇଛି। ରଙ୍ଗବେରଙ୍ଗ ଆଲୋକରେ ସହରର ପରିବେଶ ବେଶ୍ ମନୋରମ ହୋଇଉଠିଛି। ଧାମନଗର ଏନ୍ଏସି ଅଧୀନ ଖାନ୍କା ସରିଫ୍ଠାରୁ ସାନବଜାର, ବଡ଼ବଜାର ଏବଂ ଚୁନୁପଡ଼ା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାଘାଟରେ ଆଲୋକ ସଜ୍ଜା କରାଯାଇଛି। ବିଭିନ୍ନ ସ୍ଥାନରେ ସୁସଜ୍ଜିତ ତୋରଣ ନିର୍ମାଣ ସହ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିବାରୁ ଧାମନଗର ସହରର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଛି। ଏହି ପବିତ୍ର ଅବସରରେ ଆୟୋଜିତ ଜୁଲୁସ୍ ଓ କାଫଲା ଶୋଭାଯାତ୍ରାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରଖ୍ୟାତ ସାଏରମାନେ ଆସି ଜୁଲୁସ୍ ଓ କାଫଲା ଶୋଭାଯାତ୍ରାରେ ଯୋଗଦେଇଥିଲେ। ଶୋଭାଯାତ୍ରାରେ ମହମ୍ମଦଙ୍କ ନୀତି, ଆଦର୍ଶ ଓ ମାନବିକତାର ବାର୍ତ୍ତାକୁ ନେଇ ନାତ ସରିଫ୍ ପାଠ କରାଯାଇଥିଲା। ଧାର୍ମିକ ଭାବାବେଗ ଓ ଭାଇଚାରାର ବାର୍ତ୍ତା ମଧ୍ୟରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କମିଟି ପକ୍ଷରୁ ପୂର୍ବରୁ ବିଭିନ୍ନ ପ୍ରସ୍ତୁତି କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଜୁଲୁସ୍ ଓ କାଫଲା ଶୋଭାଯାତ୍ରା ଖାନ୍କା ସରିଫ୍ଠାରୁ ଆରମ୍ଭ ହୋଇଥିଲା। ସେଠାରୁ ଶୋଭାଯାତ୍ରା ପର୍ଯ୍ୟାୟକ୍ରମେ ଇଦ୍ଗା ମଇଦାନ ଅତିକ୍ରମ କରି ଟ୍ରେକର ଷ୍ଟାଣ୍ଡ, ବଡ଼ବଜାର, ସାନବଜାର ଛକ ଦେଇ ଆଗକୁ ବଢ଼ିଥିଲା। ପରେ ବଙ୍ଗାଳି ଛକ ବାଟ ଦେଇ ଜଗତି କଦମ୍ରସୁଲଠାରେ ଶୋଭାଯାତ୍ରା ପହଞ୍ଚିଥିଲା। ଶୋଭାଯାତ୍ରା ଅବସରରେ ବିଭିନ୍ନ ସ୍ଥାନରେ ଆଲୋକ ସଜ୍ଜା, ତୋରଣ ଓ ସାଜସଜ୍ଜା ଯୋଗୁଁ ସହରର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଲାଗିଥିବା ରଙ୍ଗବେରଙ୍ଗ ଆଲୋକ ଓ ସୁସଜ୍ଜିତ ତୋରଣ ସହରବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପବିତ୍ର ଅବସରକୁ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରାର ସହ ପାଳନ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଥିଲା। ଧାମନଗର ସହରରେ ଏଭଳି ଆଲୋକ ସଜ୍ଜା ଓ ଧାର୍ମିକ କାର୍ଯ୍ୟକ୍ରମ ଯୋଗୁଁ ପର୍ବର ମାହୋଲ ଆହୁରି ଜମି ଉଠିଥିବା ବେଳେ ଏହା ସହରବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି କରିଥିଲା।
Bhadrak (ଭଦ୍ରକ) • ରିପୋର୍ଟ ଶିଶିର କୁମାର ସ୍ୱାଇଁ

ପୋତି ହୋଇଗଲା ଡ୍ରେନ, ବର୍ଷାଜଳରେ ବୁଡ଼ୁଛି ଦୋକାନ
ତାଳଚେର: ତାଳଚେର ସହର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ରାସ୍ତା ନିର୍ମାଣ ଯୋଗୁଁ ଦୁଇପାର୍ଶ୍ୱର ଡ୍ରେନ ବ୍ୟବସ୍ଥା ବିଗିଡ଼ିଛି। ଲଗାଣ ବର୍ଷାରେ ଡ୍ରେନ ପୋତି ହୋଇଥିବାରୁ ବର୍ଷାଜଳ ନିଷ୍କାସନ ହୋଇନପାରି ଦୋକାନ ଗୁଡ଼ିକରେ ପାଣି ପଶୁଛି। ନୂତନ ରାସ୍ତାର ଉଚ୍ଚତା ବଢ଼ିବା ସହ ଡ୍ରେନର ଉଚ୍ଚତା ମଧ୍ୟ ବଢ଼ୁଥିବାରୁ ଅନେକ ଦୋକାନ ରାସ୍ତାଠାରୁ ନିମ୍ନରେ ରହିଯାଇଛି। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ଦୋକାନରେ ପାଣି ପଶୁଥିବା ଅଭିଯୋଗ ହୋଇଛି। ଏଥିରେ ଦୋକାନୀମାନେ ଆର୍ଥିକ କ୍ଷତି ସହିବା ସହ ଦୁର୍ଦ୍ଦଶାରେ ରହିଛନ୍ତି। ତୁରନ୍ତ ଡ୍ରେନ ସଫା କରି ରାଜପଥର ଉଭୟପାର୍ଶ୍ୱରେ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳରେ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ
ବଅଁରପାଳ: ବଅଁରପାଳ ଥାନା କେସ୍ ନମ୍ବର ୧୮୩/୨୦୨୫ ମାମଲାରେ ଅନୁଗୋଳ ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ବିସୁ ଗୋଚ୍ଛାୟତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଧାରା ୬୪(୧), ୬୬, ୧୦୩(୧) ଏବଂ ୨୩୮(ଏ) ବିଏନ୍ଏସ୍ ଅନୁଯାୟୀ ତାଙ୍କୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ମୋଟ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ମାମଲାର ତଦନ୍ତ ଓ ପ୍ରମାଣ ସଂଗ୍ରହରେ ପୋଲିସର ନିଷ୍ଠାପୂର୍ଣ୍ଣ ପ୍ରୟାସ ଏବଂ ପ୍ରଭାବଶାଳୀ ମାମଲା ପରିଚାଳନାର ଏହା ଏକ ପ୍ରତିଫଳନ ବୋଲି କୁହାଯାଇଛି। ଅଦାଲତଙ୍କ ଏହି ରାୟ ଦ୍ୱାରା ଆଇନ ପ୍ରତି ଲୋକଙ୍କ ବିଶ୍ୱାସ ଆହୁରି ସୁଦୃଢ଼ ହୋଇଥିବା ଜଣାପଡ଼ିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସାମ୍ବାଦିକଙ୍କୁ ମାରପିଟ୍ ଓ ଆକ୍ରମଣ ଘଟଣା: କୋରେଇ ଥାନାରେ ମାମଲା ରୁଜୁ
ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ସାମ୍ବାଦିକ ଜଣକ ନିଜର ବୃତ୍ତିଗତ କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଗାଳିଗୁଲଜ କରିବା ସହ ଅଚାନକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ନିର୍ଘାତ ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା କ୍ୟାମେରା, ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷପତ୍ର ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ନେଇ ପୀଡ଼ିତ ସାମ୍ବାଦିକ କୋରେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଆକ୍ରମଣ ଘଟଣାକୁ ସ୍ଥାନୀୟ ସାମ୍ବାଦିକ ସଂଘ ଓ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ର ସଭାପତି ମନୋଜ ଶତପଥୀ ଦୃଢ଼ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
Jajpur (ଯାଜପୁର) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଂଜନଗର

5ଟା ଯାଏଁ ଖୋଲା ରହିବା କଥା, ଅପରାହ୍ଣ 4ଟା ପୂର୍ବରୁ ତାଲା ପଡିଲା ଆୟତନ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ ସେବା ଠପ୍, ଲୋକେ ହଇରାଣ
ରାଜକନିକା: ୨୫/୦୮ ସରକାର ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନାମ ଦେଉଛନ୍ତି, କିନ୍ତୁ ମାଟିରେ ସ୍ଥିତି ଭିନ୍ନ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଆୟତନ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ଆୟୁଷମାନ ଆରୋଗ୍ୟ ସେଣ୍ଟର)ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହୋଇଯାଉଥିବା ଅଭିଯୋଗ ହୋଇଛି।GPS ଫଟୋରେ ସତ ସାମ୍ନାକୁ ଆସିଛି ଆଜି ଅପରାହ୍ଣ 03:58 ମିନିଟ୍ ସମୟରେ ନିଆଯାଇଥିବା ଜିପିଏସ ମ୍ୟାପ କ୍ୟାମେରା ଫଟୋରେ ଦେଖାଯାଉଛି ଯେ ଆୟତନ ଆରୋଗ୍ୟ ମନ୍ଦିରର ନୀଳ ରଙ୍ଗର ଦୁଇ ପାଲ୍ଲା କବାଟରେ ତାଲା ଝୁଲୁଛି। ଯଦିଓ ଏହି କେନ୍ଦ୍ର ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଖୋଲା ରହିବା କଥା, କିନ୍ତୁ 4ଟା ବାଜିବା ଆଗରୁ ହିଁ କେନ୍ଦ୍ର ବନ୍ଦ ହୋଇଯାଇଛି। ଫଳରେ ଦୂର ଦୂରାନ୍ତରୁ ଔଷଧ ଓ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ନିରାଶ ହୋଇ ଫେରିବାକୁ ପଡୁଛି। ସ୍ଥାନୀୟ ଲୋକେ କୁହନ୍ତି, "ଆୟତନ ଆୟୁଷମାନ ଆରୋଗ୍ୟ କେନ୍ଦ୍ର ପ୍ରାୟ ସମୟ ବନ୍ଦ ରହୁଛି। ଡାକ୍ତର, ନର୍ସ କେହି ସମୟରେ ଆସୁନାହାନ୍ତି। ସରକାର 5ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିୟମ କରିଛନ୍ତି କିନ୍ତୁ ଏଠି 3ଟା ବେଳକୁ ତାଲା ପଡିଯାଉଛି। ଆମେ ଗରିବ ଲୋକ କୁଆଡେ ଯିବୁ?"ବର୍ଷା ଓ ବନ୍ୟା ସମୟରେ ଜ୍ୱର, ଝାଡା, ଚର୍ମ ରୋଗ ବଢୁଥିବା ବେଳେ ଏଭଳି ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ରହିବା ଚିନ୍ତାର ବିଷୟ।ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ଏବଂ ରାଜକନିକା ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ । ତୁରନ୍ତ କେନ୍ଦ୍ରକୁ ନିୟମିତ ସମୟରେ ଖୋଲା ରଖିବା ଓ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲ୍ଲୀପ ପରିଡା,ରାଜକନିକା

ରାସ୍ତା ନୁହେଁ, ମରଣଯନ୍ତା! ଖାଲଖମାରେ ଭର୍ତ୍ତି ବରିକୁଳ–ପ୍ରୀତିପୁର ରାସ୍ତା
ବିଂଝାରପୁର, ଯାଜପୁର: ରାସ୍ତା ଅଛି, ହେଲେ ଯାତାୟାତ ଯୋଗ୍ୟ ନୁହେଁ। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଖାଲଖମା, ବର୍ଷା ହେଲେ ଖାଲରେ ଜମୁଛି ପାଣି। ଫଳରେ ରାସ୍ତା ନା ମରଣଯନ୍ତା—ଏଭଳି ଅବସ୍ଥା ଦେଇ ଗତି କରୁଛି ବରିକୁଳ ଠାରୁ ପ୍ରୀତିପୁର ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତା। ବିଂଝାରପୁର ଅଞ୍ଚଳର ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ଖାଲଖମା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ବର୍ଷା ଦିନେ ଖାଲଗୁଡ଼ିକ ପାଣିରେ ପୂର୍ଣ୍ଣ ହୋଇଯିବାରୁ ଗାଡ଼ି ଚାଳକଙ୍କ ପାଇଁ ଖାଲର ଗଭୀରତା ଅନୁମାନ କରିବା କଷ୍ଟକର ହେଉଛି। ଫଳରେ ଦୁଇଚକିଆ ଓ ଅନ୍ୟାନ୍ୟ ଯାନବାହନ ଦୁର୍ଘଟଣାର ଶିକାର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତାର ଏଭଳି ଦୟନୀୟ ଅବସ୍ଥା ଯୋଗୁଁ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ଭୟ ଓ ଆଶଙ୍କାରେ ରହୁଛନ୍ତି। ବିଶେଷକରି ବର୍ଷା ସମୟରେ ରାସ୍ତା ଅଧିକ ବିପଦପୂର୍ଣ୍ଣ ହୋଇପଡ଼ୁଥିବାରୁ ଯାତାୟାତ କରିବା ଏକପ୍ରକାର ଦୁଃସାହସ ପାଲଟିଛି। ସ୍ଥାନୀୟ ଲୋକଙ୍କ ପ୍ରଶ୍ନ—ସରକାର ଲୋକଙ୍କଠାରୁ ନେଉଥିବା ରୋଡ୍ ଟ୍ୟାକ୍ସ ଯାଉଛି କୁଆଡ଼େ? ଯଦି ରାସ୍ତା ମରାମତି ଓ ସୁରକ୍ଷିତ ଯାତାୟାତ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା କିଏ ନେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହି ରାସ୍ତାର ତୁରନ୍ତ ମରାମତି କରି ଯାତାୟାତ ଉପଯୋଗୀ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅତିଶୀଘ୍ର ରାସ୍ତା ମରାମତି ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ସେମାନେ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ରାସ୍ତାର ଦୟନୀୟ ଅବସ୍ଥା ପ୍ରତି ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଖାଲଖମା ପୂରଣ ସହ ଆବଶ୍ୟକ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Jajpur (ଯାଜପୁର) • ରିପୋର୍ଟ: ଉଦୟନାଥ ଜେନା, ବିଂଝାରପୁର, ଯାଜପୁର

MMDR-୨୦୨୬ ପ୍ରତ୍ୟାହାର ଦାବିରେ ଖୋର୍ଦ୍ଧାରେ କଂଗ୍ରେସର ମଶାଲ ଶୋଭାଯାତ୍ରା
ଖୋର୍ଦ୍ଧା: କେନ୍ଦ୍ର ସରକାର ଆଣିଥିବା MMDR-୨୦୨୬ ଆଇନ ପ୍ରତ୍ୟାହାର ଦାବିରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସମେତ ଇଣ୍ଡି ମେଣ୍ଟ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଗୋଡ଼ି ପୋଖରୀଠାରୁ ଶୋଭାଯାତ୍ରା ବାହାରି ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଓ ନେତା ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଖଣି ନୀତିକୁ ବିରୋଧ କରିଥିଲେ। ଏହି ଆଇନ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ଉପରେ ପ୍ରଭାବ ପଡ଼ିବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଓଡ଼ିଶାର ସ୍ୱାର୍ଥ ଓ ଖଣିଜ ସମ୍ପଦର ସୁରକ୍ଷା ପାଇଁ MMDR-୨୦୨୬ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶୋଭାଯାତ୍ରାରେ ଦାବି କରାଯାଇଥିଲା। ଇଣ୍ଡି ମେଣ୍ଟର ବିଭିନ୍ନ ଦଳର ନେତା ଓ କାର୍ଯ୍ୟକର୍ତ୍ତାମାନେ ଓଡ଼ିଶାର ସ୍ୱାର୍ଥ ପାଇଁ ଏକଜୁଟ ହୋଇ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା
