--:--:--
-- ---
Srishti News

Web News

ରାକ୍ଷୀ ପୂର୍ଣ୍ଣିମାରେ ସାମାଜିକ ସମରସତାର ବାର୍ତ୍ତା
Aug 27, 2026•35 views

ରାକ୍ଷୀ ପୂର୍ଣ୍ଣିମାରେ ସାମାଜିକ ସମରସତାର ବାର୍ତ୍ତା

ଖୋର୍ଦ୍ଧା: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବିଶ୍ୱ ହିନ୍ଦୁ ପରିଷଦ, ଖୋର୍ଦ୍ଧା ଜିଲ୍ଲାର ସାମାଜିକ ସମରସତା ବିଭାଗ ପକ୍ଷରୁ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଭୋଇ ସାହିରେ ଏକ ସାମାଜିକ ସମରସତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ବିଭାଗ ପ୍ରମୁଖ ରଞ୍ଜନ କୁମାର ବରାଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଇଚାରା, ସାମାଜିକ ଏକତା ଓ ପରସ୍ପର ସ୍ନେହର ବାର୍ତ୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ସହଯୋଗ କରିଥିଲେ।ଏଥିରେ ପ୍ରତିଶ୍ରୁତି ପରିବାରର ବ୍ରଜକିଶୋର ସାହୁ, ବିଶ୍ୱ ହିନ୍ଦୁ ପରିଷଦ ଖୋର୍ଦ୍ଧା ପ୍ରଖଣ୍ଡ ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ବଜରଙ୍ଗ ଦଳ ଖୋର୍ଦ୍ଧା ଜିଲ୍ଲାର ସହ-ସଂଯୋଜକ ଦିବ୍ୟ ପ୍ରକାଶଙ୍କ ସମେତ ନେତ୍ରାନନ୍ଦ ଭାଇ, ସୂର୍ଯ୍ୟ ଭାଇ, କାହ୍ନୁ ଭାଇ ଓ ପ୍ରଫୁଲ୍ଲ ଭାଇ ପ୍ରମୁଖ ଯୋଗଦେଇଥିଲେ।ରାକ୍ଷୀ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ସମାଜରେ ସମାନତା, ଭାଇଚାରା ଓ ଏକତାକୁ ମଜବୁତ କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ଆହ୍ୱାନ ଦିଆଯାଇଥିଲା।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଏବିଭିପି ତରଫରୁ ରକ୍ଷାବନ୍ଧନ
Aug 27, 2026•22 views

ଏବିଭିପି ତରଫରୁ ରକ୍ଷାବନ୍ଧନ

ଭୁବନ ୨୭.୮- ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP), ଭୁବନ ନଗର ଶାଖା ପକ୍ଷରୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପୋଲିସ ଷ୍ଟେସନ, ଅଗ୍ନିଶମ କେନ୍ଦ୍ର ଓ ବନ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରି ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଥିଲା। ସମାଜ ଓ ଦେଶର ସୁରକ୍ଷା ପାଇଁ ନିରନ୍ତର ସେବା ଓ ତ୍ୟାଗ କରୁଥିବା ଆମର ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ରକ୍ଷା ବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଚିନ୍ମୟୀ ପ୍ରଧାନଙ୍କ ନେତୃତ୍ୱରେ ସାଥୀ କାର୍ଯ୍ୟକର୍ତ୍ତା କ୍ଷୀରୋଦିନି ବାରିକ୍, ସ୍ୱାତୀ, ନିକି, ବର୍ଷା ଙ୍କ ସହ ଛାତ୍ର ନେତା ପ୍ରୀତିରଞ୍ଜନ ସାହୁ, ବିଶ୍ୱଜିତ୍ ବେହେରା, ପ୍ରଶାନ୍ତ ଦାସ, ସୋୟମ ଓ ସତ୍ୟ ଯୋଗଦେଇଥିଲେ। ରାକ୍ଷୀର ଏହି ପବିତ୍ର ବନ୍ଧନ ସମାଜରେ ଭାଇଚାରା, ସୁରକ୍ଷା ଓ ସେବାର ଭାବନାକୁ ଆହୁରି ମଜବୁତ କରିବାର ପ୍ରୟାସ କୁ ସମସ୍ତେ ପ୍ରଶଂସା କରିବା ସହ ଵିଦ୍ୟାର୍ଥୀ ପରିଷଦ କୁ ଧନ୍ୟବାଦ ଜଣାଇଥିଲେ ।

Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ଶ୍ରଦ୍ଧା ରେ  ରକ୍ଷା ବନ୍ଧନ ଉତ୍ସବ ପାଳିତ
Aug 27, 2026•31 views

ଶ୍ରଦ୍ଧା ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ରାଉରକେଲା : ସେକ୍ଟର ୧୬ ସ୍ଥିତ ମାନସିକ ଭିନ୍ନକ୍ଷମ ଙ୍କ ନିମନ୍ତେ ପରିଚାଳିତ ଶ୍ରଦ୍ଧା ଅନୁଷ୍ଠାନ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଦୀର୍ଘ ମାସକ ପୂର୍ବରୁ ଶିକ୍ଷୟିତ୍ରୀ ମାନଙ୍କ ସହାୟତାରେ ନିଜ ହାତରେ ବିଭିନ୍ନ ପ୍ରକାରର ପ୍ରସ୍ତୁତ ରାକ୍ଷୀ କୁ ଅତି ଆଗ୍ରହ ସହିତ ସେମାନଙ୍କର ସହପାଠୀ ତଥା ଶିକ୍ଷକ ଓ ଅତିଥି ମାନଙ୍କ ହାତରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରି ରାକ୍ଷୀ ବାନ୍ଧି ଖୁବ୍ ଆନନ୍ଦିତ ହୋଇଥିଲେ ।‌ ଆମ ଓଡ଼ିଶା , ସମ୍ବାଦ ତରଫରୁ ଏହି ଉପଲକ୍ଷେ ରାକ୍ଷୀ ଓ ମିଷ୍ଟାନ୍ନ ପିଲା ମାନଙ୍କୁ ବଣ୍ଟନ କରିବା ସହିତ ମାନସିକ ଭିନ୍ନକ୍ଷମ ପିଲା ଏବଂ ଉପସ୍ଥିତ ଅଭିଭାବକ କମିଟି ସଦସ୍ୟ ମାନଙ୍କୁ ନିଶା ନିବାରଣ ପାଇଁ ଏକ ସତ୍ୟ ପାଠ କରାଇଥିଲେ। ପ୍ରୟାସ ଅନୁଷ୍ଠାନ ର ସମ୍ପାଦକ ଶ୍ରୀଧର ମଲ୍ଲିକ ଏବଂ ତାଙ୍କ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧା ର ପିଲା ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉତ୍ସାହିତ କରି ପିଲା ମାନଙ୍କ ଉପହାର ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସଭ୍ୟା ସଂଯୁକ୍ତା ରାଜଗୁରୁ ମହାପାତ୍ର, ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, କମିଟି ସଭ୍ୟ ସୁମନ୍ତ କୁମାର ସ୍ଵାଇଁ , ସର୍ବେଶ୍ଵର ମାନସିଂହ, ଶିକ୍ଷୟିତ୍ରୀ ଅଞ୍ଜଳି ମହାରଣା, ସୁଜାତା ରାଉତ, ଚନ୍ଦ୍ରିକା ପାଣ୍ଡବ, ଅର୍ଚ୍ଚନା ମିଞ୍ଜ୍, ଶ୍ଵେତା ଦଣ୍ଡସେନା, ସନ୍ତୋଷୀ କୁମ୍ଭାର, ସୁକୁମାର ପାଣ୍ଡବ, ଗଗନ ମହାନ୍ତି ଓ ଧୀରେନ୍ କୁମାର ଓଝା ପ୍ରମୁଖ ଉପସ୍ଥିତ ରହି ପିଲା ମାନଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ରକ୍ଷାବନ୍ଧନ ରେ ଆମବସ ଚଳାଚଳ ଠପ୍
Aug 27, 2026•24 views

ରକ୍ଷାବନ୍ଧନ ରେ ଆମବସ ଚଳାଚଳ ଠପ୍

ରାଉରକେଲା: ରକ୍ଷାବନ୍ଧନ ଅବସରରେ ଗୁରୁବାର ମହିଳା ଯାତ୍ରୀଙ୍କୁ ଆମ ବସ ପକ୍ଷରୁ ମାଗଣା ବସ ସୁବିଧା ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। କମ୍ପ୍ରେହେନ୍ସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏନେଇ ସୂଚନା ଦିଆଯାଇ ଭୁବନେଶ୍ୱର,କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସରେ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଥିଲା। ତେବେ ଏହି ସୁବିଧା ରାଉରକେଲା ରେ ଦେଖିବାକୁ ମିଳିନଥିଲା। ସହରରେ କେବଳ ଗୋଟିଏ କିମ୍ବା ଦୁଇଟି ଆମ ବସ ଚଳାଚଳ କରୁଥିଲା। ଦୈନିକ ସହରରେ ଶହଶହ ଆମବସ ଚଳାଚଳ କରୁଥିବା ବେଳେ ହଠାତ୍ ଆମ ବସ ଉଭାନ ହେବା ଏହା, କେବଳ ମହିଳା ମାନଙ୍କୁ ଭକୁଆ ବନାଇବା ପାଇଁ ଏହା ଉଦ୍ଧିଷ୍ଟ ବୋଲି ସହରରେ ଚର୍ଚ୍ଚା ହେଉଛି। ଏଥିପାଇଁ ଆମ ବସରେ ଯାତାୟାତ କରୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାକ୍ଷୀ ପୂର୍ଣ୍ଣିମା ପାଇଁ ମହିଳା ମାନଙ୍କୁ ମାଗଣା ବସ ସେବା ବହୁ ଆଡ଼ମ୍ବରେ ଲଘୁକ୍ରିୟା ସଦୃଶ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଓ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି। ସୂଚନାଯୋଗ୍ୟ ଯେ ସୁରକ୍ଷିତ ଓ ସମାବେଶୀ ଜନପରିବହନ ମାଧ୍ୟମରେ ମହିଳା ମାନଙ୍କ ସାମାଜିକ ଓ ଆର୍ଥିକ ଗତିଶୀଳତା ଆହୁରି ଦୃଢ଼ ହେବ। ସୁରକ୍ଷିତ ଯାତ୍ରା ପାଇଁ ଜିପିଏସ ଆଧାରିତ ବସ ଟ୍ରାକିଂ, ସିସିଟିଭି ନିରୀକ୍ଷଣ,ପ୍ରଶିକ୍ଷିତ ବସ କର୍ମଚାରୀ ଓ ଯାତ୍ରୀ ସହାୟତା ବ୍ୟବସ୍ଥା ଭଳି ସୁବିଧା ସହ ଆମବସ ସେବାକୁ ଅଧିକ ନିରାପଦ ଓ ନିର୍ଭରଯୋଗ୍ୟ କରାଯାଉଛି ବୋଲି କୁହାଯାଉଥିଲେ ହେଁ ଏହା ରକ୍ଷାବନ୍ଧନ ଦିନ କାମ ଦେଇନଥିଲା।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ସୁନାଫୁଲ ଶିଶୁ କିଶୋର ମେଳା ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳନ
Aug 27, 2026•37 views

ସୁନାଫୁଲ ଶିଶୁ କିଶୋର ମେଳା ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ରାଉରକେଲା: ସୁନାଫୁଲ ସାହିତ୍ୟ ସଂସଦ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ସୁନାଫୁଲ ଶିଶୁ କିଶୋର ମେଳା, ଗଙ୍ଗାଧର ମେହେର ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ରକ୍ଷାବନ୍ଧନ, ନୃତ୍ୟ, ସଂଗୀତ ପରିବେଷଣ ସହ କୁନିକୁନି ପିଲାମାନଙ୍କ ଦ୍ଵାରା ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରା ଯାଇଥିଲା। ସଂସଦର ସଭାପତି ମହେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ସୁନିଲ କୁମାର ମହାନ୍ତିଙ୍କ ଆବାହକତ୍ୱ ଓ ସାଂସ୍କୃତିକ ସମ୍ପାଦିକା ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରଘୁନାଥପାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ସୁଦାମ ଚରଣ ଦାଶ, ସମାଜସେବୀ ଇଂ ଅଭୟ କୁମାର ଦାସ, ଅଶୋକ କୁମାର ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ସହ ସାଧାରଣ ସମ୍ପାଦକ ମହେନ୍ଦ୍ର ମହାନ୍ତି ଓ ମୁଖ୍ୟବକ୍ତା ଭାବେ କବି ରାଜୀବ ପାଣି ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ଏଭଳି ଆଗାମୀ ପିଢ଼ି ପାଇଁ କରୁଥିବା କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ।ଏହି ଅବସରରେ ଅନୁଷ୍ଠାନ ତରଫରୁ ଉପସ୍ଥିତ ଅତିଥି ଓ ଅଭିଭାବକଙ୍କୁ ରାକ୍ଷୀ ବନ୍ଧନ ସହ ମିଷ୍ଟାନ୍ନ ରେ ଆପ୍ୟାୟିତ କରାଯାଇଥିଲା। ସେହିପରି ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ଗଙ୍ଗାଧରଙ୍କ ଜୀବନାଦର୍ଶ, ସହ ସଂଗୀତ ଓ ସୁଶ୍ରୀ ଅଶିଂତା ବିଶ୍ବାଳ,ଶୁଭଲକ୍ଷ୍ମୀ ବେହେରା, ସାଇଚିତ୍ରା ସାହୁ, ସଂଗୀତା ରାଉତ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୈ।ମ୍ୟଶ୍ରୀ ମହାନ୍ତି , ସତ୍ୟନାରାୟଣ ପଣ୍ଡା,ସୈ।ମ୍ୟଜିତ ଓ ସତ୍ୟଜିତ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବ୍ରହ୍ମାନନ୍ଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
Aug 27, 2026•31 views

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ରାଉରକେଲା, ୨୭/୮: ଜଗଦା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପଵିତ୍ର ରକ୍ଷା ବନ୍ଧନ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର କୋଷାଧକ୍ଷ ଚନ୍ଦ୍ର ଶେଖର ପତି ଓ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ବାରିକ ମା ସରସ୍ଵତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ। ଶ୍ରୀ ବାରିକ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହିତ ରକ୍ଷା ବନ୍ଧନର ମହତ୍ୱ ବିଷୟରେ ଆଲୋକପାତ କରିବା ସହିତ ଏହି ସମରସତାର ପର୍ବ କିପରି ରାଷ୍ଟ୍ରୀୟ ଏକତାର ଅତୁଟ ପ୍ରେମ, ବିଶ୍ୱାସ ଓ ସୁରକ୍ଷାର ବନ୍ଧନ ସାଜିଥାଏ ତାହା ଉଲ୍ଲେଖ କରିଥିଲେ। ଗୁରୁମା ରୀତା ମହାପାତ୍ର ରକ୍ଷା ବନ୍ଧନ ଉତ୍ସବ ସଭିଙ୍କ ମନରେ ନାରୀ ସୁରକ୍ଷା ଓ ଭାତୃଭାବର ସଞ୍ଚାର କରିଥାଏ ବୋଲି ମତ ରଖିଥିଲେ। ଭାଇ ଭଉଣୀର ଏହି ପବିତ୍ର ବନ୍ଧନକୁ ଉଜ୍ଜୀବିତ କରିବା ପାଇଁ ଭଉଣୀମାନେ ଭାଇ ମାନଙ୍କ ହାତରେ ରକ୍ଷାର ବନ୍ଧନ ରୂପକ ରାକ୍ଷୀ ବାନ୍ଧିଥିଲେ । ଗୁରୁମା ବୈଜନ୍ତିମାଳା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତା, ଗୁରୁଜୀ ଗୁରୁମା ଓ ଅରୁଣରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବାରିକଙ୍କ ମାର୍ଗଦର୍ଶନରେ ଗୁରୁମା ସ୍ୱାଗତିକା ରାଉତ ଓ ଜ୍ୟୋତ୍ସ୍ନା ସୁଆରଙ୍କ ମିଳିତ ତତ୍ତ୍ୱାବଧାନରେ କାର୍ଯକ୍ରମ ପରିଚାଳିତ ହୋଇଥିଲା। ପରେ ବନ୍ଦେ ମାତରଂ ଗାନ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ଯକ୍ରମର ସମାପନ କରାଯାଇଥିଲା।

Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି: ଶୋଇଥିବା ବେଳେ ମାଟି ତଳେ ଚାପି ହୋଇଥିଲେ; ଜଣଙ୍କୁ ଭବାନୀପାଟଣା ସ୍ଥାନାନ୍ତର
Aug 27, 2026•62 views

ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି: ଶୋଇଥିବା ବେଳେ ମାଟି ତଳେ ଚାପି ହୋଇଥିଲେ; ଜଣଙ୍କୁ ଭବାନୀପାଟଣା ସ୍ଥାନାନ୍ତର

ଜୟପାଟଣା, ଲଗାଣ ବର୍ଷା ଯୋଗୁଁ ଦୁର୍ବଳ ମାଟି ଘର ଭୁଶୁଡ଼ି ପଡ଼ିବାରୁ ଅଳ୍ପକେ ଏକ ଦମ୍ପତିଙ୍କ ଜୀବନ ରକ୍ଷା ପାଇଛି। ଘର ଭୁଶୁଡ଼ିବା ସମୟରେ ଉଭୟେ ଘର ଭିତରେ ଶୋଇଥିବା ବେଳେ ମାଟି ତଳେ ଚାପି ହୋଇଯାଇଥିଲେ। ପରେ ପଡ଼ୋଶୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ। ଏଭଳି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାଣ୍ଡି ଗାଁରେ। ପ୍ରାଥମିକ ସୂଚନା ଅନୁସାରେ, ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଗତରାତି ପ୍ରାୟ ୧୦ଟା ୩୦ ସମୟରେ ଟଙ୍କଧର ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ମିଥିଲା ପାଣିଗ୍ରାହୀ ନିଜ ମାଟି ଘରେ ଶୋଇଥିଲେ। ହଠାତ୍‌ ଘରର ମାଟି କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ିବାରୁ ଉଭୟେ ମାଟି ତଳେ ଚାପି ହୋଇଯାଇଥିଲେ। ଘର ଭୁଶୁଡ଼ିବାର ଶବ୍ଦ ଶୁଣି ପଡ଼ୋଶୀମାନେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ମାଟି ଓ ଭଙ୍ଗା ଘରର ଅବଶେଷ ତଳୁ ଦମ୍ପତିଙ୍କୁ ବାହାର କରିଥିଲେ। ପରେ ଉଭୟଙ୍କୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇଥିଲା। ତେବେ ଟଙ୍କଧର ପାଣିଗ୍ରାହୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଦେଖି ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ସ୍ତ୍ରୀ ମିଥିଲାଙ୍କ ଚିକିତ୍ସା ସମ୍ପର୍କରେ ମଧ୍ୟ ଡାକ୍ତରୀ ନିରୀକ୍ଷଣ ଜାରି ରହିଛି। ଅନ୍ୟପଟେ, ଲଗାଣ ବର୍ଷା ଯୋଗୁଁ ମାଟି ଘରେ ରହୁଥିବା ପରିବାରଗୁଡ଼ିକ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି। ବର୍ଷା ଜାରି ରହିଲେ ଦୁର୍ବଳ ମାଟି ଘରଗୁଡ଼ିକ ଭୁଶୁଡ଼ିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବିପଦସଙ୍କୁଳ ପରିବାରଗୁଡ଼ିକୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ନେବା ସହ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଲଗାଣ ବର୍ଷାର ଏହି ଘଟଣା ପୁଣିଥରେ ମାଟି ଘରେ ରହୁଥିବା ଗରିବ ପରିବାରଙ୍କ ସୁରକ୍ଷା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ:

ଦେପୁର ଦାଦପୁର ଉଦେପୁର ଆଂଚଳିକ ଯାଦବ ସମିତି ପକ୍ଷରୁ ଶ୍ରୀକୃଷ୍ଣାଷ୍ଟମୀ ପାଳନ  ପ୍ରସ୍ତୁତି ବୈଠକ
Aug 27, 2026•36 views

ଦେପୁର ଦାଦପୁର ଉଦେପୁର ଆଂଚଳିକ ଯାଦବ ସମିତି ପକ୍ଷରୁ ଶ୍ରୀକୃଷ୍ଣାଷ୍ଟମୀ ପାଳନ ପ୍ରସ୍ତୁତି ବୈଠକ

ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଡୁମେର ବାହାଲ ଗ୍ରାମ ସ୍ଥିତ ଶ୍ରୀରାଧାକୃଷ୍ଣ ମନ୍ଦିର ପରିସରରେ ଦେପୁର ଦାଦପୁର ଉଦେପୁର ଆଂଚଳିକ ଯାଦବ ସମିତି ସଭାପତି ଶ୍ରୀଝସକେତନ ଜାଲଙ୍କ ଅଧ୍ୟକ୍ଷତାରେ ଶ୍ରୀକୃଷ୍ଣାଷ୍ଟମୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ନନ୍ଦୋତ୍ସବକୁ ଆଡ଼ମ୍ବର ଓ ଶ୍ରଦ୍ଧାର ସହ ପାଳନ କରିବା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପୂଜାବିଧି, ସଂସ୍କୃତିକ କାର୍ଯ୍ୟକ୍ରମ, ଏବଂ ନନ୍ଦୋତ୍ସବ ଅବସରରେ ସଙ୍କୀର୍ତ୍ତନ ଓ ଶୋଭାଯାତ୍ରା ଆୟୋଜନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି। ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ସମିତିର ସଦସ୍ୟମାନଙ୍କୁ ବିଭିନ୍ନ ଦାୟିତ୍ୱ ଆବଣ୍ଟନ କରାଯାଇଛି।ଆଗତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ଓ ପାନୀୟ ଜଳର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରୀଝସକେତନ ଗଉଡ଼ ଉପ ସଭାପତି ସଦର ବ୍ଲକ ଯାଦବ ମହାସଭା ଭବାନୀ ପାଟଣା, ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀଅନିଲ କୁମାର ରାଉତଙ୍କ ସମେତ ସମିତିର କର୍ମକର୍ତ୍ତା ଓ ଆଂଚଳିକ ଯାଦବ ଯୁବ ଗୋଷ୍ଠି ଉପସ୍ଥିତ ରହି ଉତ୍ସବକୁ ସଫଳ କରିବାକୁ ସଂକଳ୍ପ ନେଇଥିଲେ। ଶେଷରେ ଶ୍ରୀନୀଳକଣ୍ଠ ରାଉତ ସମ୍ପାଦକଙ୍କ ଧନ୍ୟଵାଦଙ୍କ ପରେ ସଭା ସାଙ୍ଗ କରାଯାଇଥିଲା।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ସିନାପାଲି ରେ ରାକ୍ଷୀର ସୂତାରେ ଏକାଠି ହେଲେ ମେହେର ପରିବାର: ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଭାଇ-ଭଉଣୀ ସମ୍ପର୍କ ଜୀବନ୍ତ ରଖେ ରାକ୍ଷୀ ପୁର୍ଣିମା
Aug 27, 2026•197 views

ସିନାପାଲି ରେ ରାକ୍ଷୀର ସୂତାରେ ଏକାଠି ହେଲେ ମେହେର ପରିବାର: ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଭାଇ-ଭଉଣୀ ସମ୍ପର୍କ ଜୀବନ୍ତ ରଖେ ରାକ୍ଷୀ ପୁର୍ଣିମା

ସିନାପାଲି: ୨୭/୦୮ ରାକ୍ଷୀର ସୂତା ହୁଏତ ଛୋଟ, କିନ୍ତୁ ଏହା ସହ ଜଡ଼ିଥିବା ସ୍ନେହର କାହାଣୀ ବହୁତ ବଡ଼। ପିଲାଦିନରେ ଭାଇ-ଭଉଣୀଙ୍କ ମଧ୍ୟରେ ଝଗଡ଼ା, ରାଗ, ଅଭିମାନ ଓ ମଜାମସ୍ତି ଯେତିକି ଥାଏ, ବୟସ ବଢ଼ିବା ସହ ସେହି ସମ୍ପର୍କରେ ଦାୟିତ୍ୱ ଓ ଦୂରତା ମଧ୍ୟ ଯୋଡ଼ିହୋଇଯାଏ। କେହି ନିଜ ଘର-ସଂସାରରେ ବ୍ୟସ୍ତ ହୋଇଯାଆନ୍ତି, କେହି ଜୀବିକା ପାଇଁ ଦୂର ସହରରେ ରୁହନ୍ତି। ହେଲେ ବର୍ଷକୁ ଥରେ ଆସୁଥିବା ରକ୍ଷାବନ୍ଧନ ସେହି ସବୁ ଦୂରତାକୁ ଭୁଲାଇ ପୁଣି ଥରେ ଭାଇ-ଭଉଣୀଙ୍କୁ ଗୋଟିଏ ଛାତ ତଳେ, ଗୋଟିଏ ସ୍ମୃତିରେ ଏକାଠି କରିଦିଏ। ଏଭଳି ଏକ ଭାବପୂର୍ଣ୍ଣ ପରିବେଶରେ ସିନାପାଲି ଅନ୍ତର୍ଗତ ଶ୍ରୀ ଗିରିଧାରୀ ଭବନଠାରେ ମେହେର ପରିବାର ପକ୍ଷରୁ ନିଆରା ଢଙ୍ଗରେ ରକ୍ଷାବନ୍ଧନ ତଥା ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଛି। ପରିବାରର ସମସ୍ତ ଭାଇ-ଭଉଣୀ ଏକାଠି ହୋଇ ଏହି ପବିତ୍ର ଦିନକୁ ଆନନ୍ଦ, ଆତ୍ମୀୟତା ଓ ପାରିବାରିକ ଭାବନାରେ ପାଳନ କରିଥିଲେ। ରକ୍ଷାବନ୍ଧନର ପାରମ୍ପରିକ ରୀତିନୀତି ଅନୁଯାୟୀ ଭଉଣୀମାନେ ଭାଇମାନଙ୍କ ମଥାରେ ତିଳକ ଲଗାଇଥିଲେ। ଏହାପରେ ଆଳତି କରି ଭାଇଙ୍କ ହାତରେ ପବିତ୍ର ରାକ୍ଷୀ ବାନ୍ଧିଥିଲେ। ରାକ୍ଷୀ ବାନ୍ଧିବା ସମୟରେ ଭଉଣୀମାନଙ୍କ ମୁହଁରେ ଥିଲା ଭାଇଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନାର ଭାବନା। ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ମିଠା ଖୁଆଇ ସ୍ନେହର ପ୍ରତିଦାନ ଦେବା ସହ ଜୀବନର ପ୍ରତ୍ୟେକ ସୁଖ-ଦୁଃଖରେ ପାଖରେ ରହିବାର ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ପରିବାରର ଛୋଟମାନେ ବଡ଼ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଥିବା ବେଳେ ବଡ଼ମାନେ ମଧ୍ୟ ସ୍ନେହର ସହ ଛୋଟମାନଙ୍କୁ ଆଶୀର୍ବାଦ କରିଥିଲେ। ରାକ୍ଷୀ ବାନ୍ଧିବା, ମିଠା ଖୁଆଇବା, ଆଶୀର୍ବାଦ ନେବା ଓ ପରସ୍ପର ଶୁଭେଚ୍ଛା ବିନିମୟ ମଧ୍ୟରେ ଗିରିଧାରୀ ଭବନର ପରିବେଶ ପରିଣତ ହୋଇଥିଲା ଏକ ସୁନ୍ଦର ପାରିବାରିକ ମିଳନସ୍ଥଳୀରେ। ଶୈଶବର ଝଗଡ଼ାରୁ ଜୀବନର ଆଶ୍ରୟ ପର୍ଯ୍ୟନ୍ତ ଭାଇ-ଭଉଣୀ ସମ୍ପର୍କ ଏକ ଅଦ୍ଭୁତ ସମ୍ପର୍କ। ପିଲାଦିନରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା, ଖେଳନା ପାଇଁ ଟଣାଓଟରା, ପରସ୍ପରର ଅଭିଯୋଗ ଓ ପୁଣି କିଛି ସମୟ ପରେ ସବୁ ଭୁଲି ଏକାଠି ହୋଇଯିବା—ଏସବୁ ହେଉଛି ଭାଇ-ଭଉଣୀ ସମ୍ପର୍କର ନିଆରା ସ୍ମୃତି। କିନ୍ତୁ ସମୟ ଗଡ଼ିବା ସହ ପିଲାଦିନର ସେହି ଝଗଡ଼ା ପଛରେ ରହିଯାଏ ଏକ ଗଭୀର ଭଲପାଇବା। ବିବାହ ପରେ ଭଉଣୀ ନିଜ ଘର-ସଂସାରରେ ବ୍ୟସ୍ତ ହୋଇଯାଏ, ଭାଇ ମଧ୍ୟ ନିଜ ପରିବାର ଓ କର୍ମଜୀବନରେ ବ୍ୟସ୍ତ ରୁହେ। ପ୍ରତିଦିନ ଦେଖା ହୁଏନାହିଁ, ନିୟମିତ କଥାବାର୍ତ୍ତା ମଧ୍ୟ ହୋଇପାରେ ନାହିଁ। ତଥାପି ମନର ଗୋଟିଏ କୋଣରେ ଭାଇ ପାଇଁ ଭଉଣୀର ସ୍ନେହ ଓ ଭଉଣୀ ପାଇଁ ଭାଇର ଭଲପାଇବା ସବୁବେଳେ ଜୀବନ୍ତ ରହିଥାଏ। ସେହି ଅକୁହା ସ୍ନେହକୁ ପୁଣିଥରେ ଶବ୍ଦ ଦିଏ ରକ୍ଷାବନ୍ଧନ। ଗୋଟିଏ ରାକ୍ଷୀ, ଅନେକ ସ୍ମୃତି ମେହେର ପରିବାରର ଏହି ରକ୍ଷାବନ୍ଧନ ଉତ୍ସବର ଫଟୋଗୁଡ଼ିକରେ ମଧ୍ୟ ସେହି ପାରିବାରିକ ଆତ୍ମୀୟତାର ସୁନ୍ଦର ଛବି ଦେଖିବାକୁ ମିଳିଛି। ଏକାଠି ବସିଥିବା ପରିବାର ସଦସ୍ୟ, ହସୁଥିବା ମୁହଁ, ପିଲାମାନଙ୍କ ଉତ୍ସାହ ଓ ରାକ୍ଷୀ ବାନ୍ଧିବାର ସେହି ମୁହୂର୍ତ୍ତ—ସବୁକିଛି ମିଶି ଏହି ଉତ୍ସବକୁ କରିଛି ସ୍ମରଣୀୟ। ବିଶେଷକରି ଛୋଟ ପିଲାମାନଙ୍କ ଦ୍ୱାରା ରାକ୍ଷୀ ବାନ୍ଧିବାର ଦୃଶ୍ୟ ଉତ୍ସବରେ ଆହୁରି ନିର୍ମଳତା ଭରିଦେଇଥିଲା। ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଏହି ପରମ୍ପରାକୁ ନୂଆ ପିଢ଼ି ମଧ୍ୟ ଆପଣାଇବା ଏହି ପରିବାରିକ ଉତ୍ସବର ଅନ୍ୟତମ ସୁନ୍ଦର ଦିଗ। ଆଧୁନିକତା ମଧ୍ୟରେ ଅତୁଟ ରହିଛି ସମ୍ପର୍କ ଆଜିର ଯୁଗ ହେଉଛି ଦ୍ରୁତ ଗତିର ଯୁଗ। ମୋବାଇଲ୍, ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ଲୋକଙ୍କୁ ଦୂରତାରେ ରହି ମଧ୍ୟ ଯୋଡ଼ି ରଖୁଛି। ହେଲେ ଏହି ଡିଜିଟାଲ ଯୁଗରେ ମଧ୍ୟ ହାତରେ ବନ୍ଧା ରାକ୍ଷୀର ଉଷ୍ମତାର କୌଣସି ବିକଳ୍ପ ନାହିଁ। ଭିଡିଓ କଲ୍‌ରେ ମୁହଁ ଦେଖାଯାଇପାରେ, ମେସେଜ୍‌ରେ ଶୁଭେଚ୍ଛା ଦିଆଯାଇପାରେ; କିନ୍ତୁ ଭଉଣୀର ହାତରେ ଭାଇଙ୍କ ମଥାରେ ଲାଗୁଥିବା ତିଳକ, ଆଳତିର ଆଲୋକ ଓ ହାତରେ ବନ୍ଧା ରାକ୍ଷୀ ଯେଉଁ ଭାବନା ସୃଷ୍ଟି କରେ, ତାହା ଅନୁଭବ କରିବା ପାଇଁ ପରସ୍ପର ପାଖରେ ରହିବା ଦରକାର। ମେହେର ପରିବାରର ଏହି ମିଳନ ତାହାର ଏକ ସୁନ୍ଦର ଉଦାହରଣ। ରାକ୍ଷୀ କେବଳ ସୁରକ୍ଷାର ପ୍ରତିଶ୍ରୁତି ନୁହେଁ, ସମ୍ପର୍କକୁ ଜୀବନ୍ତ ରଖିବାର ସଂକଳ୍ପ ରକ୍ଷାବନ୍ଧନର ମୂଳ ବାର୍ତ୍ତା କେବଳ ଭାଇ ଭଉଣୀଙ୍କୁ ସୁରକ୍ଷା ଦେବାରେ ସୀମିତ ନୁହେଁ। ଏହା ହେଉଛି ପରସ୍ପରର ସୁଖ-ଦୁଃଖରେ ସାଥୀ ହେବା, ଆବଶ୍ୟକ ସମୟରେ ପାଖରେ ଠିଆ ହେବା ଓ ସମ୍ପର୍କକୁ ସମ୍ମାନ କରିବାର ସଂକଳ୍ପ। ଏହି ପବିତ୍ର ବନ୍ଧନ ଆମକୁ ମନେ ପକାଇଦିଏ ଯେ ଜୀବନରେ ଯେତେ ବ୍ୟସ୍ତତା ଆସୁ, ଯେତେ ଦୂରତା ସୃଷ୍ଟି ହେଉ, ରକ୍ତର ସମ୍ପର୍କ ଓ ହୃଦୟର ସ୍ନେହକୁ କେବେ ଦୂରେଇ ଦେବା ଉଚିତ ନୁହେଁ। ସିନାପାଲିର ଗିରିଧାରୀ ଭବନରେ ମେହେର ପରିବାରର ଏହି ରକ୍ଷାବନ୍ଧନ ଉତ୍ସବ ମନେ ପକାଇଦେଲା—ସମୟ ବଦଳେ, ଠିକଣା ବଦଳେ, ଜୀବନର ଦାୟିତ୍ୱ ବଦଳେ; କିନ୍ତୁ ଭାଇ-ଭଉଣୀଙ୍କ ହୃଦୟର ସ୍ନେହର ବନ୍ଧନ କେବେ ବଦଳେ ନାହିଁ। ରାକ୍ଷୀର ଏହି ଛୋଟ ସୂତା ହିଁ ବର୍ଷ ବର୍ଷର ଦୂରତାକୁ ମିଟାଇ ଭାଇ-ଭଉଣୀଙ୍କୁ ପୁଣି ଶୈଶବର ସେହି ନିର୍ମଳ ସମ୍ପର୍କ ପାଖକୁ ଟାଣି ଆଣେ। ଏହା ହିଁ ରକ୍ଷାବନ୍ଧନର ପ୍ରକୃତ ସୌନ୍ଦର୍ଯ୍ୟ, ଏହା ହିଁ ଏହି ପର୍ବର ଅସଲ ମହତ୍ୱ।

Nuapada (ନୂଆପଡ଼ା) • ରିପୋର୍ଟ: ମଳୟ ମେହେର, ଜିଲ୍ଲା ପ୍ରତିନିଧି

ରକ୍ଷାବନ୍ଧନ ଦିନରେ ପରଲୋକରେ ଅବସରପ୍ରାପ୍ତ ସେନାକର୍ମଚାରୀ ଦେବେନ୍ଦ୍ର ମିଶ୍ର
Aug 27, 2026•275 views

ରକ୍ଷାବନ୍ଧନ ଦିନରେ ପରଲୋକରେ ଅବସରପ୍ରାପ୍ତ ସେନାକର୍ମଚାରୀ ଦେବେନ୍ଦ୍ର ମିଶ୍ର

ଖଲ୍ଲିକୋଟ, ୨୭/୦୮: ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱରପୁର ଗ୍ରାମର ଅବସରପ୍ରାପ୍ତ ସେନାକର୍ମଚାରୀ ଦେବେନ୍ଦ୍ର ମିଶ୍ରଙ୍କର ରକ୍ଷାବନ୍ଧନ ଦିନରେ ହଠାତ୍ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ବାଲୁଙ୍କେଶ୍ୱରପୁର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ମିଶ୍ର ଭାରତୀୟ ସେନାବାହିନୀରେ ଦୀର୍ଘଦିନ ଧରି କାର୍ଯ୍ୟରତ ରହି ଦେଶମାତୃକାର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଥିଲେ। ଅବସର ଗ୍ରହଣ ପରେ ସେ ନିଜ ଜନ୍ମମାଟି ବାଲୁଙ୍କେଶ୍ୱରପୁରକୁ ଫେରି ଆସି ସମାଜସେବା ଓ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟ ସହ ଜଡ଼ିତ ରହିଥିଲେ। ମେଳାପୀ, ସଂଘପ୍ରେମୀ, ମିଷ୍ଟଭାଷୀ ଓ ଶାନ୍ତ ସ୍ୱଭାବର ବ୍ୟକ୍ତି ଭାବେ ସେ ସ୍ଥାନୀୟ ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଅନ୍ତିମ ସଂସ୍କାର ଓ ଶେଷ ସମ୍ମାନ କାର୍ଯ୍ୟକ୍ରମରେ କେଆଇଏସ୍‌ଏ ଖଲ୍ଲିକୋଟ ଅବସରପ୍ରାପ୍ତ ସେନା ସଂଘର କର୍ଣ୍ଣେଲ କିଶୋର କୁମାର ବିଷୋୟୀ, ରତ୍ନାକର ଦାସ, ପୂର୍ଣ୍ଣଚନ୍ଦ୍ର ଖାଡ଼ଙ୍ଗା, ବିଜୟ କୁମାର ସାହୁ, ପିତାମ୍ବର ସାହୁ, ବୃନ୍ଦାବନ ସାହୁ, ହେମନ୍ତ ଜେନା, ରଙ୍କନାଥ ବେହେରା, ଗୁରୁଦେବ ରାଉତ, ସୁଦର୍ଶନ ମୁଦୁଲି, ଗୋପାଳଚନ୍ଦ୍ର ପଲେଇ, ସୁରେଶ ଦାସ ଓ ଚକ୍ରପାଣି ସାହୁଙ୍କ ସମେତ ବହୁ ପୂର୍ବତନ ସେନାକର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ଉପସ୍ଥିତ ସେନା ସହଯୋଗୀମାନେ ସ୍ୱର୍ଗତ ଦେବେନ୍ଦ୍ର ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତ୍ରିରଙ୍ଗା ପତାକାରେ ଶେଷ ସମ୍ମାନ ପ୍ରଦାନ କରିଥିଲେ। ଏହି ସମୟରେ ଶୋକାକୁଳ ପରିବେଶ ମଧ୍ୟରେ ଉପସ୍ଥିତ ଜନସାଧାରଣଙ୍କ ‘ଅମର ରହେ, ଅମର ରହେ’ ଧ୍ୱନିରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ଦେଶସେବାରେ ଦୀର୍ଘ ସମୟ ନିଜକୁ ନିୟୋଜିତ କରିଥିବା ଜଣେ ପୂର୍ବତନ ସେନାକର୍ମଚାରୀଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ସ୍ମୃତି ଚିରସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି। ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି।

Ganjam (ଗଞ୍ଜାମ) • ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି

ଖୋର୍ଦ୍ଧାରେ ୨୧.୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
Aug 27, 2026•48 views

ଖୋର୍ଦ୍ଧାରେ ୨୧.୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ୍ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ମହାରଣା ସାହିସ୍ଥିତ ଏକ ଭଡ଼ା ଘରେ ଚଢ଼ାଉ କରି ପୋଲିସ ୩ଟି ଟ୍ରଲି ବ୍ୟାଗ୍‌ରୁ ମୋଟ ୨୧.୮ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏଥିସହ ଗୋଟିଏ ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି।ଘଟଣାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ୨୮ ବର୍ଷୀୟ ସୁମନ କୁମାର ବିଶ୍ୱାଳଙ୍କୁ ପୋଲିସ ଗିରଫ କରିଛି। ଏନେଇ ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ୍ ଥାନାରେ NDPS ଆଇନର ଧାରା ୨୦(b)(ii)(c) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏହାର ଚୋରାଚାଲାଣରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ୍ - ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ନିଶା ନିବାରଣ ପାଇଁ ରକ୍ଷୀଟିଏ
Aug 27, 2026•63 views

ନିଶା ନିବାରଣ ପାଇଁ ରକ୍ଷୀଟିଏ

ଚିକିଟି, ୨୭/୮: ଚିକିଟି ପେଣ୍ଠ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ରେ ସମ୍ବାଦ ଓ ଆମ ଓଡିଶା ତରଫରୁ ନିଶା ନିବାରଣ ପାଇଁ ରାକ୍ଷୀଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଚିକିଟି ପ୍ରତିନିଧି ବିଭୁଧେନ୍ଦ୍ର ପାଢ଼ୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାହିତ୍ୟ ଘର ଉପ ସଭାପତି ତ୍ରିପତି ପ୍ରଧାନ, କୋଷାଧକ୍ଷ ରମାକାନ୍ତ ବେହେରା, ଶିଶୁମନ୍ଦିର ପରିଚାଳନା ସଭାପତି ରାମାରାଓ ସୁବୁଦ୍ଧି, ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ, ପ୍ରଧାନ ଆଚାର୍ଯ୍ୟ କାମଦେବ ନାୟକ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମ ସମ୍ପର୍କ ରେ ଉଦବୋଧନ ଦେଇଥିଲେ l ଶିଶୁମନ୍ଦିର ର ସମସ୍ତ ଗୁରୁଜୀ /ଗୁରୁମା ପରିଚାଳନା ସହଯୋଗ କରିଥିଲେ l ୫୦ ଜଣ ଭଉଣୀ ନିଶା ନିବାରଣ ର ଶପଥ କରାଇ ଭାଇ ଙ୍କୁ ହାତରେ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜ୍ଞାପନ କରି ଖୁସି ଅନୁଭବ କରିଥିଲେ l

Ganjam (ଗଞ୍ଜାମ) • ଦୁର୍ଗା ମାଧବ