ଜହ୍ନାପଡା ସରପଞ୍ଚ ଙ୍କ ପରଲୋକ
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 26, 202620 views

ବରଗଡ -ବରଗଡ ଅତାବିରା ବ୍ଲକ୍ ଅନ୍ତର୍ଗତ ଜହ୍ନାପଡ଼ା ପଞ୍ଚାୟତର ସରପଞ୍ଚ ତଥା ବିଜୁ ଜନତା ଦଳର ଜଣେ ଟାଣୁଆ ନେତ୍ରୀ ସୁବାସିନୀ ତରିଆଙ୍କର ୬୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଗତ ୮ ଦିନ ହେଲା ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଗତ ନିର୍ବାଚନରେ ବିଜେଡି ଟିକେଟ୍ରୁ ପ୍ରାର୍ଥୀ ହୋଇ ସେ ଜହ୍ନାପଡ଼ା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ କରି ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଥିଲେ।ଆଜି ଅପରାହ୍ନ ୩ଟାରେ ତାଙ୍କର ମର ଶରୀର ଭୁବନେଶ୍ୱରରୁ ଆସି ଅତାବିରା ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବାତାବରଣ ଶୋକାକୁଳ ହୋଇପଡ଼ିଥିଲା। ସେଠାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀରିନ୍ଦ୍ର ସାହୁ, ବ୍ଲକ୍ର ସମସ୍ତ କର୍ମଚାରୀ ଏବଂ ଅଞ୍ଚଳର ସରପଞ୍ଚମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହାପରେ ମୃତଦେହକୁ ତାଙ୍କ ନିଜ ଗ୍ରାମ ଜହ୍ନାପଡ଼ାକୁ ନିଆଯାଇଥିଲା। ଗ୍ରାମରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଉର୍କୁଲୁ ସାହୁ, ଗ୍ରାମବାସୀ, ବିଭିନ୍ନ ଅନୁଷ୍ଠାନ ଓ କ୍ଲବ୍ର ଶ୍ରଦ୍ଧାଳୁ, ଏବଂ ସମିତି ସଭ୍ୟ-ସଭ୍ୟାମାନେ ଉପସ୍ଥିତ ରହି ଅନ୍ତିମ ଦର୍ଶନ କରିଥିଲେ।
ତାଙ୍କର ଆକସ୍ମିକ ବିୟୋଗରେ ସ୍ୱାମୀ ଶେଷଦେବ ତରିଆ ଭାଙ୍ଗିପଡ଼ିଥିବା ବେଳେ ଏକମାତ୍ର ପୁଅ ବସନ୍ତ ମାତୃହରା ହୋଇଛନ୍ତି। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ବସନ୍ତ ମୁଖାଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ଜହ୍ନାପଡ଼ା ସମେତ ସମଗ୍ର ଅତାବିରା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
