--:--:--
-- ---
Srishti News

Web News

ଫରୱାର୍ଡ ବ୍ଲକର ତୃତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ; ନେତାଜୀଙ୍କ ଆଦର୍ଶ ଓ ସାଲିସବିହୀନ ରାଜନୀତି ହିଁ ବିକଳ୍ପ
Jun 29, 202654 views

ଫରୱାର୍ଡ ବ୍ଲକର ତୃତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ; ନେତାଜୀଙ୍କ ଆଦର୍ଶ ଓ ସାଲିସବିହୀନ ରାଜନୀତି ହିଁ ବିକଳ୍ପ

ଚିକିଟି: ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ତୃତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଚିକିଟିସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ, ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସମଦୃଷ୍ଟିର ସମ୍ପାଦକ ବିଘ୍ନେଶ୍ୱର ସାହୁ, ସାମ୍ବାଦିକ ସମରଜିତ୍ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଆଦର୍ଶ, ସମାଜବାଦୀ ଚିନ୍ତାଧାରା ଓ ସାଲିସବିହୀନ ରାଜନୀତିକୁ ଦେଶ ପାଇଁ ପ୍ରକୃତ ବିକଳ୍ପ ବୋଲି ମତ ପ୍ରକାଶ କରିଥିଲେ। ବକ୍ତାମାନେ କହିଥିଲେ, ଫରୱାର୍ଡ ବ୍ଲକ ସଦାସର୍ବଦା କୃଷକ, ଶ୍ରମିକ, ଯୁବ, ଛାତ୍ର ଓ ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ କରିଆସୁଛି। ସେହିପରି ରାଜ୍ୟରେ ବଢ଼ୁଥିବା ଦାଦନ ସମସ୍ୟା, ଆଇନଶୃଙ୍ଖଳା ଅବନତି, ଦୁର୍ନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳସେଚନ ଭଳି ମୌଳିକ ପ୍ରସଙ୍ଗ ପ୍ରତି ସରକାର ଗୁରୁତ୍ୱ ଦେବାକୁ ଦାବି କରାଯାଇଥିଲା। ଚିକିଟି ମଦ ମୃତ୍ୟୁ, କବିସୂର୍ଯ୍ୟନଗର ହାଜତ ମୃତ୍ୟୁ, ଗାନ୍ଧୀ କଲେଜ ଛାତ୍ରୀ ଆତ୍ମହତ୍ୟା ଓ ବେଗୁନିଆପଡ଼ା ଦୁଷ୍କର୍ମ ଘଟଣାକୁ ନେଇ ମଧ୍ୟ ଉଦ୍ବେଗ ପ୍ରକାଶ କରାଯାଇଥିଲା। ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ବିଭୂଧେନ୍ଦ୍ର ପାଢୀ ଜିଲ୍ଲା ସଭାପତି, ସନ୍ତୋଷ କୁମାର ସାହୁ ସାଧାରଣ ସମ୍ପାଦକ, ସପ୍ନେଶ୍ୱର ପାଣିଗ୍ରାହୀ ସମ୍ପାଦକ ଏବଂ ମିଥୁନ ବେହେରା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜନସମସ୍ୟାକୁ ନେଇ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଜନଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶେଷରେ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସମ୍ମିଳନୀର ସମାପନ ଘୋଷଣା କରିଥିଲେ।

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ସ୍ନାନ ପରେ ତିନି ଠାକୁର ଗଲେ ଅଣସର ଘର
Jun 29, 2026123 views

ସ୍ନାନ ପରେ ତିନି ଠାକୁର ଗଲେ ଅଣସର ଘର

ବିଶ୍ରା/ନୂଆଗାଁ୨୯,୬,୨୬ - ଭକ୍ତି ମୟ ପରିବେଶ ଓ ଆଷାଢ଼ ଶୁକ୍ଳ ପକ୍ଷ ରେ ସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ସୁଦର୍ଶନ ଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ବିଶ୍ରା ଜଗନ୍ନାଥ ମନ୍ଦିରରେ ମନ୍ଦିର କମିଟି ପକ୍ଷରୁ ନିଷ୍ପତି ଅନୁଯାୟୀ ସ୍ନାନ ପୂର୍ଣ୍ଣିମା ତିଥିରେ ଧୁମ ଧାମରେ ପାଳିତ ହୋଇଯାଇଛି,ମନ୍ଦିର ମୁଖ୍ୟ ପୂଜକ ଜଗନ ମିଶ୍ର ଙ୍କ ତତ୍ତ୍ଵାବଧାନରେ ପୂଜକ ପର୍ଶୁରାମ ଦାଶ ପୂଜା ଅର୍ଚ୍ଚନା କରି ତିନି ଠାକୁର ଙ୍କୁ ସ୍ନାନ କରାଇଥିଲେ, ଏହିଅବସରରେ କର୍ତ୍ତା ଭାବରେ ମନ୍ଦିର ରାଜା ପ୍ରମୋଦ କୁମାର ହାଲୱାଇ, ଙ୍କ ସହଧର୍ମିଣୀ କର୍ତ୍ତି ଭାବରେ ନିର୍ମଳା ହଲୱାଇ, ପୂଜା ଅର୍ଚ୍ଚନା ସମାପନ କରି ଥିଲେ, ବିଶ୍ରା ମନ୍ଦିର କମିଟି ର ଅଧକ୍ଷ,ତଥା ସଭାପତି କୈଳାଶ ସାହୁ ( ଛୋଟକା) ସାଧାରଣ ସମ୍ପାଦକ ତଥା କୋଷାଧକ୍ଷ ଭାବରେ ଡକ୍ଟର ବଟ କୃଷ୍ଣ ସ୍ୱାଇଁ ,ସୁବାସ ଶର୍ମା,ସଚିତା ନନ୍ଦ ଶର୍ମା,ଆଉସୁ ଶର୍ମା,ଆଶିଷ ପାଣ୍ଡେ, ପ୍ରଫୁଲ୍ଲ ମହାପାତ୍ର, ଟୁଲୁ ଅଗ୍ରୱାଲ,ସୁମିତ୍ ସାହା, ନିରୋଦ କବି, ଆଜିର ପବିତ୍ର ଦିନରେ ପ୍ରତକ୍ଷ ଭାବରେ ସହଯୋଗ କରିଥିଲେ,ଏହି ଅବସରରେ ଗ୍ରାମର ଶତାଧିକ ଶ୍ରଦ୍ଧାଳମାନେ ଯୋଗଦାନ କରି ପୂଜା ଅର୍ଚ୍ଚନା ସମାପନ କରି ଥିଲେ, ସେହିପରି ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀ ବାଡି ଜଗନ୍ନାଥ ମନ୍ଦିରରେ ମନ୍ଦିର କମିଟି ର ସଭାପତି ପ୍ରସନ୍ନ ଦାଶ, କୋଷାଧକ୍ଷ ଚମରା ସାହୁ, ହାତୀ ବାଡି ରାଜା ଗଜପତି କାର୍ତ୍ତିକେଶ୍ୱର ଶେଖର ଦେଓ ଓ ପୂଜକ ବୀରେନ୍ଦ୍ର କୁମାର ପଣ୍ଡା ଙ୍କ ତତ୍ତ୍ୱାବଧାନରେ ସ୍ନାନ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥିଲା,ଏହି ଅବସରରେ ଗ୍ରାମର ସହ ସହ ଶ୍ରଦ୍ଧାଳୁ ଯୋଗଦେଇ ପୂଜା ଅର୍ଚ୍ଚନା ସମାପନ କରି ଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ଗଣପତି ଦାଶ, ବିଜୟ କୁମାର ଦାସ, କୈଳାସ ପାଣି, ସ୍ୱର୍ଣ୍ଣ ରଣା, ଅମିତ୍ ସାହୁ, ଅନ୍ନଦା ଶଙ୍କର ପାଢୀ କମିଟି ର ସଦସ୍ୟ ମାନେ ଯୋଗଦେଇଥିଲେ, ଶେଷରେ ତିନି ଠାକୁର ଙ୍କୁ ଅଣସର ଘରକୁ ନିଆ ଯାଇଥିଲା

Sundargarh (ସୁନ୍ଦରଗଡ଼)ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ

ମଣିଷ ଜୀବନ ସହ ଖେଳୁଛି କି ଆୟୋସିଏଲ୍ କମ୍ପାନୀ? ନାଇଟ୍ ସିଫ୍ଟରେ ଇଞ୍ଜିନିୟର ନଥିବା ଅଭିଯୋଗ
Jun 29, 202639 views

ମଣିଷ ଜୀବନ ସହ ଖେଳୁଛି କି ଆୟୋସିଏଲ୍ କମ୍ପାନୀ? ନାଇଟ୍ ସିଫ୍ଟରେ ଇଞ୍ଜିନିୟର ନଥିବା ଅଭିଯୋଗ

ତାଳଚେର: ତାଳଚେର ସାଉଥ୍ ବଲଣ୍ଡା ନିକଟସ୍ଥ ଆୟୋସିଏଲ୍ କମ୍ପାନୀକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ସୂତ୍ର ଓ କିଛି କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ଏହି କମ୍ପାନୀରେ ଖଣି ଅଞ୍ଚଳରେ ବ୍ୟବହୃତ ବିସ୍ଫୋରକ (ଡିନାମାଇଟ୍) ପ୍ରସ୍ତୁତ କରାଯାଏ ଏବଂ ତାହା ବିଭିନ୍ନ କୋଇଲା ଖଣିକୁ ଯୋଗାଣ ଦିଆଯାଏ। ଅଭିଯୋଗ ହେଉଛି, କମ୍ପାନୀରେ ତିନୋଟି ସିଫ୍ଟରେ କାମ ଚାଲୁଥିଲେ ମଧ୍ୟ ନାଇଟ୍ ସିଫ୍ଟ ସମୟରେ କୌଣସି ଇଞ୍ଜିନିୟର ଉପସ୍ଥିତ ରହୁନାହାନ୍ତି। ଏପରି ବିପଦପୂର୍ଣ୍ଣ କାର୍ଯ୍ୟ ସମୟରେ ଯଦି କୌଣସି ଅଘଟଣ ଘଟେ, ତେବେ ଏହାର ଦାୟିତ୍ୱ କିଏ ନେବ ବୋଲି ପ୍ରଶ୍ନ ଉଠିଛି। କର୍ମଚାରୀଙ୍କ ସୁରକ୍ଷା ଓ କାର୍ଯ୍ୟସ୍ଥଳରେ ସମସ୍ତ ସୁରକ୍ଷା ନିୟମ ପାଳନ କରାଯାଉଛି କି ନାହିଁ, ତାହାର ତଦନ୍ତ କରିବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଅବହେଳିତ ସାଉଥ୍ ବଲଣ୍ଡା ଷ୍ଟେଟ୍ ବ୍ୟାଙ୍କ; ମୌଳିକ ସୁବିଧା ଅଭାବରୁ ଗ୍ରାହକ ହନ୍ତସନ୍ତ
Jun 29, 202635 views

ଅବହେଳିତ ସାଉଥ୍ ବଲଣ୍ଡା ଷ୍ଟେଟ୍ ବ୍ୟାଙ୍କ; ମୌଳିକ ସୁବିଧା ଅଭାବରୁ ଗ୍ରାହକ ହନ୍ତସନ୍ତ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଅଞ୍ଚଳରେ ଅବସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ମୌଳିକ ସୁବିଧାର ଅଭାବ ନେଇ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ପରିସରରେ ଥିବା ଏହି ବ୍ୟାଙ୍କରେ ପ୍ରତିଦିନ କୋଟି କୋଟି ଟଙ୍କାର ଆର୍ଥିକ କାରବାର ହେଉଥିବା ସତ୍ତ୍ୱେ, ଏଠାରେ ପର୍ଯ୍ୟାପ୍ତ ସୁରକ୍ଷା ଓ ଗ୍ରାହକ ସୁବିଧା ନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବ୍ୟାଙ୍କର ପ୍ରବେଶ ଦ୍ୱାରରେ ଗେଟ୍‌ର ବ୍ୟବସ୍ଥା ନଥିବା ସହ ଗ୍ରାହକଙ୍କ ପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ଏହାକୁ ନେଇ ବାରମ୍ବାର ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହେଉଛି। ଏଭଳି ପରିସ୍ଥିତିରେ ବ୍ୟାଙ୍କକୁ ଆସୁଥିବା ହଜାର ହଜାର ଗ୍ରାହକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଶୀଘ୍ର ଆବଶ୍ୟକୀୟ ଭିତ୍ତିଭୂମି ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଓ ଗ୍ରାହକମାନେ ଦାବି କରିଛନ୍ତି।

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

କଳା ହୀରାରେ କାଳିମା! ତାଳଚେର ଜଗନ୍ନାଥ ମାଇନ୍ସରେ କୋଇଲା ଉତ୍ତୋଳନକୁ ନେଇ ଉଠିଲା ପ୍ରଶ୍ନ
Jun 29, 202634 views

କଳା ହୀରାରେ କାଳିମା! ତାଳଚେର ଜଗନ୍ନାଥ ମାଇନ୍ସରେ କୋଇଲା ଉତ୍ତୋଳନକୁ ନେଇ ଉଠିଲା ପ୍ରଶ୍ନ

ତାଳଚେର: ତାଳଚେର ଅଞ୍ଚଳର ଜଗନ୍ନାଥ ମାଇନ୍ସରେ କୋଇଲା ଉତ୍ତୋଳନକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ମହଲରେ ଅଭିଯୋଗ ହେଉଛି ଯେ, ଅନୁମୋଦିତ ସୀମା (ସିଲିଂ) ଠାରୁ ଅଧିକ ପରିମାଣରେ କୋଇଲା ଉତ୍ତୋଳନ କରାଯାଉଛି। ଏଥିସହ କୋଟି କୋଟି ଟଙ୍କା ମୂଲ୍ୟର କୋଇଲା ନିଆଁ ଲାଗି ନଷ୍ଟ ହେଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଅଭିଯୋଗକାରୀଙ୍କ ପ୍ରଶ୍ନ, ଯଦି ନିର୍ଦ୍ଧାରିତ ସୀମା ନାହିଁ କିମ୍ବା ଉତ୍ତୋଳନରେ କଟକଣା ରହିଛି, ତେବେ ଏତେ ପରିମାଣରେ କୋଇଲା ଉତ୍ତୋଳନ କେଉଁ ଆଧାରରେ କରାଯାଉଛି? ଏଥିପ୍ରତି ଏମ୍‌ସିଏଲ୍ କର୍ତ୍ତୃପକ୍ଷଙ୍କ ନଜର ପଡ଼ୁନାହିଁ, ନା କି ସବୁକିଛି ଜାଣିଶୁଣି ନିରବତା ଅବଲମ୍ବନ କରାଯାଉଛି? ଏଭଳି ପ୍ରଶ୍ନ ବୁଦ୍ଧିଜୀବୀ ଓ ସ୍ଥାନୀୟ ମହଲରେ ଉଠୁଥିବା ଚର୍ଚ୍ଚାର ବିଷୟ ପାଲଟିଛି।

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ସ୍ନାନ ପୂର୍ଣ୍ଣିମାରେ ବଅଁରପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଅପାର ସମାଗମ, ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ସ୍ନାନ ନୀତି
Jun 29, 202690 views

ସ୍ନାନ ପୂର୍ଣ୍ଣିମାରେ ବଅଁରପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଅପାର ସମାଗମ, ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ସ୍ନାନ ନୀତି

ବଅଁରପାଳ: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ବଅଁରପାଳସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ଓ ଭକ୍ତିର ଅନନ୍ୟ ଦୃଶ୍ୟ ପରିଲକ୍ଷିତ ହୋଇଥିଲା। ପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ଚତୁର୍ଧା ବିଗ୍ରହଙ୍କ ପବିତ୍ର ସ୍ନାନ ନୀତି ବୈଦିକ ରୀତିନୀତି ଓ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଶ୍ରଦ୍ଧାର ସହ ସମ୍ପନ୍ନ କରାଯାଇଥିଲା। ସ୍ନାନ ପୂର୍ଣ୍ଣିମାର ପବିତ୍ର ଦର୍ଶନ ପାଇଁ ସକାଳୁ ହିଁ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ଶ୍ରୀବିଗ୍ରହଙ୍କ ଦର୍ଶନ କରି ପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ହରିବୋଲ, ଜୟ ଜଗନ୍ନାଥ ଧ୍ୱନି ଓ ଭଜନ-କୀର୍ତ୍ତନରେ ସମଗ୍ର ମନ୍ଦିର ପରିସର ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ନାନ ପୂର୍ଣ୍ଣିମାର ସମସ୍ତ ନୀତିକାନ୍ତି ସୁଚାରୁ ରୂପେ ସମ୍ପାଦନ କରାଯାଇଥିବାବେଳେ ଭକ୍ତମାନଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ଆବଶ୍ୟକ ସୁବିଧା ପାଇଁ ସ୍ୱେଚ୍ଛାସେବକ ଏବଂ କମିଟି ସଦସ୍ୟମାନେ ସକ୍ରିୟ ଭାବେ ଦାୟିତ୍ୱ ତୁଲାଇଥିଲେ। ସ୍ନାନ ପୂର୍ଣ୍ଣିମା ପରେ ଅନସର ନୀତି ଆରମ୍ଭ ହେବା ସହିତ ଭକ୍ତମାନେ ଆସନ୍ତା ରଥଯାତ୍ରାକୁ ନେଇ ଉତ୍ସାହ ଓ ଉତ୍କଣ୍ଠା ପ୍ରକାଶ କରିଥିଲେ। ବଅଁରପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ପବିତ୍ର ଉତ୍ସବ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉଲ୍ଲାସର ପରିବେଶ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଭଞ୍ଜନଗରରେ ବେଧଡ଼କ ଓଭରଲୋଡ୍ ବାଲି ଚାଲାଣ! କାହା ଛତ୍ରଛାୟାରେ ସକ୍ରିୟ ବାଲି ମାଫିଆ? ପରିବହନ ବିଭାଗର ନିରବତାକୁ ନେଇ ପ୍ରଶ୍ନ ?
Jun 29, 202664 views

ଭଞ୍ଜନଗରରେ ବେଧଡ଼କ ଓଭରଲୋଡ୍ ବାଲି ଚାଲାଣ! କାହା ଛତ୍ରଛାୟାରେ ସକ୍ରିୟ ବାଲି ମାଫିଆ? ପରିବହନ ବିଭାଗର ନିରବତାକୁ ନେଇ ପ୍ରଶ୍ନ ?

ଭଞ୍ଜନଗର ଅଞ୍ଚଳରେ ବେଆଇନ ଭାବେ ଓଭରଲୋଡ୍ ବାଲି ପରିବହନ ଦିନକୁ ଦିନ ବଢ଼ିବାରେ ଲାଗିଛି। ହାଇୱାରେ କ୍ଷମତାଠାରୁ ଅଧିକ ବାଲି ବୋଝେଇ ନୀତି ଦିନିଆ ରାସ୍ତାରେ ଚଳାଚଳ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହା ଫଳରେ ସଡ଼କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା ସହ ସରକାରଙ୍କ ରାଜସ୍ୱ କ୍ଷତିଗ୍ରସ୍ତ ହେଉଥିବା ଆଶଙ୍କା ମଧ୍ୟ ପ୍ରକାଶ ପାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବାଲି ମାଫିଆମାନେ ଖୋଲାଖୋଲି ଓଭରଲୋଡ୍ ଗାଡ଼ି ଚଳାଚଳ କରୁଥିବା ସତ୍ତ୍ୱେ ସମ୍ପୃକ୍ତ ବିଭାଗ ପକ୍ଷରୁ ସେଭଳି କୌଣସି ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ସାଧାରଣରେ ପ୍ରଶ୍ନ ଉଠୁଛି—କାହା ସ୍ୱାର୍ଥରେ ଏହି ବେଧଡ଼କ ବାଲି ଚାଲାଣ ଚାଲିଛି? ଏପରି ପରିସ୍ଥିତିରେ ପରିବହନ ବିଭାଗ (RTO)ର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ନୀତି ଦିନିଆ ଓଭରଲୋଡ୍ ଗାଡ଼ି ଚଳାଚଳ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ପ୍ରଭାବଶାଳୀ ଯାଞ୍ଚ କିମ୍ବା କଡ଼ା ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁନାହିଁ। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ପରିବହନ ବିଭାଗ (RTO) ନିଘୋଡ଼ ନିଦରେ ଶୋଇ ପଡ଼ିଛି କି? ବୋଲି ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଦାବି କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ପରିବହନ ବିଭାଗ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଯଦି ବେଆଇନ ଓଭରଲୋଡ୍ ପରିବହନ ହେଉଥାଏ, ତେବେ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏଥିସହ ନିୟମିତ ଯାଞ୍ଚ କରି ଏଭଳି ବେଆଇନ କାରବାର ଉପରେ ରୋକ ଲଗାଇବାକୁ ସାଧାରଣରେ ଦାବି ହେଉଛି।

Ganjam (ଗଞ୍ଜାମ)ଭଞ୍ଜନଗର, (ରିପୋର୍ଟ): ବିଜୟା ନନ୍ଦ ତ୍ରିପାଠୀ

ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI), ଭୁବନେଶ୍ୱର
Jun 29, 202633 views

ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI), ଭୁବନେଶ୍ୱର

ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI), ଭୁବନେଶ୍ୱର ୧୯୮୫ ମସିହାରେ ସ୍ଥାପିତ ହୋଇଥିଲା। ସ୍ଥାପନା ପରଠାରୁ ଏହି ପ୍ରତିଷ୍ଠାନ ୪୧ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ରୋଜଗାରମୂଳକ ଦକ୍ଷତା ପ୍ରଦାନ କରି ସେମାନଙ୍କର ଜୀବନଯାପନର ମାନ ଉନ୍ନତ କରିବାରେ ସଫଳତାର ସହ କାର୍ଯ୍ୟ କରୁଛି। ପ୍ରତିଷ୍ଠାନର ୧୬ଟି ବ୍ୟବସାୟ (Trades) NCVT ସହ ଅନୁବନ୍ଧିତ। ବୈଷୟିକ ଶିକ୍ଷା ସହିତ ଆମେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କର୍ମନିଷ୍ଠା, ସକାରାତ୍ମକ କାର୍ଯ୍ୟ ମନୋଭାବ ଏବଂ ସୁସ୍ଥ ଓ ଉଦ୍ଦେଶ୍ୟମୂଳକ ଜୀବନଧାରାର ମୂଲ୍ୟବୋଧ ଗଢ଼ି ତୋଳିବାକୁ ଗୁରୁତ୍ୱ ଦେଇଥାଉ। ଏହି ସମସ୍ତ ପାଠ୍ୟକ୍ରମ ଛାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା। ସେମାନଙ୍କୁ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ପାଇଁ କେବଳ ₹୨୦୦ ଦେବାକୁ ପଡ଼େ। ରେଳବାଇ ଏବଂ ଅନ୍ୟାନ୍ୟ ସରକାରୀ ସାର୍ବଜନିକ ଉଦ୍ୟୋଗ (PSUs)ରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଆମର ବିଭିନ୍ନ ପ୍ରମୁଖ ପ୍ଲେସମେଣ୍ଟ-ଆଧାରିତ କୋଚିଂ ପ୍ରତିଷ୍ଠାନ ସହ ଟାଇ-ଅପ୍ (Tie-up) ରହିଛି। ପ୍ରଶିକ୍ଷଣ ସମୟରେ ଶିଳ୍ପ କ୍ଷେତ୍ରର ବୈଷୟିକ ଦକ୍ଷତା ଆଦାନ-ପ୍ରଦାନ ପାଇଁ ୩୦ଟି ସକ୍ରିୟ ଶିଳ୍ପ ସଂସ୍ଥା ସହ ଆମର ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଉଭୟ ଛାତ୍ର ଓ ଛାତ୍ରୀଙ୍କୁ ବୃତ୍ତି (Stipend) ପ୍ରଦାନ କରାଯାଉଛି। ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଇଂରାଜୀ ଯୋଗାଯୋଗ ଦକ୍ଷତା (English Communication Skills)ର ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। କ୍ରୀଡ଼ା, ବିତର୍କ, ଛାତ୍ର ସେମିନାର, TATA STRIVE ଦ୍ୱାରା ଜୀବନ କୌଶଳ (Life Skills) ପ୍ରଶିକ୍ଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ ସେବାମୂଳକ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀଣ ବିକାଶ ଓ ଆନ୍ତର୍ବ୍ୟକ୍ତିକ ଦକ୍ଷତାର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହା ସହିତ, ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ ଶିଳ୍ପ ପରିବେଶ ସହ ପରିଚିତ କରାଇବା ପାଇଁ ନିୟମିତ ଭାବରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନକୁ ଇଣ୍ଡଷ୍ଟ୍ରି ଏକ୍ସପୋଜର୍ ଭିଜିଟ୍ (Industry Exposure Visit) ଆୟୋଜନ କରାଯାଉଛି।

Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

୨୫ ବର୍ଷ ଧରି ଶଯ୍ୟାଶାୟୀ ସୁଭଦ୍ରା; ସରକାରୀ ସହାୟତା ପାଇଁ ମା'ଙ୍କ ଆକୁଳ ନିବେଦନ
Jun 29, 2026112 views

୨୫ ବର୍ଷ ଧରି ଶଯ୍ୟାଶାୟୀ ସୁଭଦ୍ରା; ସରକାରୀ ସହାୟତା ପାଇଁ ମା'ଙ୍କ ଆକୁଳ ନିବେଦନ

ଯାଜପୁର: ଯାଜପୁର ରୋଡ ନିକଟସ୍ଥ ପନାସିଆ ଗ୍ରାମର ଯୁବତୀ ସୁଭଦ୍ରା ମହାରଣା ଦୀର୍ଘ ୨୫ ବର୍ଷ ଧରି ଶଯ୍ୟାଶାୟୀ ଅବସ୍ଥାରେ ଜୀବନ ବିତାଉଛନ୍ତି। ତାଙ୍କ ସେବାଶୁଶ୍ରୂଷାର ସମସ୍ତ ଦାୟିତ୍ୱ ଏକାକୀ ବହନ କରୁଛନ୍ତି ତାଙ୍କ ମା' ଲତାଞ୍ଜଳି ମହାରଣା। ପରିବାର ସୂଚନା ଅନୁସାରେ, ସୁଭଦ୍ରାଙ୍କ ପିତା ଜନ୍ମେଜୟ ମହାରଣା ଝିଅର ବୟସ ପ୍ରାୟ ୧୦ ବର୍ଷ ଥିବାବେଳେ ହୃଦଘାତରେ ପରଲୋକ ଗମନ କରିଥିଲେ। ସେହିଦିନଠାରୁ ପରିବାରର ସମସ୍ତ ଦାୟିତ୍ୱ ଲତାଞ୍ଜଳିଙ୍କ ଉପରେ ପଡ଼ିଥିଲା। ସେ ଝିଅର ପାଠପଢ଼ାଠାରୁ ଆରମ୍ଭ କରି ଦୈନନ୍ଦିନ ସେବା, ଖାଦ୍ୟ ଖୁଆଇବା ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ନିଜେ କରିଆସୁଛନ୍ତି। ସୁଭଦ୍ରା ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ଭତ୍ତା ପାଉଥିଲେ ମଧ୍ୟ ପରିବାର ପାଖରେ ବସବାସ ପାଇଁ ପକ୍କା ଘର ନାହିଁ। ଏନେଇ ଲତାଞ୍ଜଳି ବାରମ୍ବାର ସରକାରୀ କାର୍ଯ୍ୟାଳୟରେ ଆବେଦନ କରିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି। ସ୍ରିଷ୍ଟି ନ୍ୟୁଜ୍ ଟିମ୍ ଘଟଣାସ୍ଥଳକୁ ଯାଇଥିବା ବେଳେ ସୁଭଦ୍ରାଙ୍କ ମା' ସରକାରଙ୍କୁ ଆକୁଳ ନିବେଦନ କରି କହିଛନ୍ତି ଯେ, ତାଙ୍କ ଝିଅ ପାଇଁ ଏକ ବାସଗୃହ ଏବଂ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯାଉ, ଯାହାଦ୍ୱାରା ସେମାନଙ୍କ ଜୀବନ କିଛିଟା ସହଜ ହୋଇପାରିବ। ସ୍ଥାନୀୟ ଲୋକମାନେ ମଧ୍ୟ ଏହି ପରିବାର ପ୍ରତି ସରକାର ଓ ପ୍ରଶାସନ ସମ୍ବେଦନଶୀଳ ହୋଇ ଯଥାଶୀଘ୍ର ସହାୟତା ଯୋଗାଇବାକୁ ଦାବି କରିଛନ୍ତି।

Jajpur (ଯାଜପୁର)ରିପୋର୍ଟ: ପ୍ରଦୀପ କୁମାର ପୃଷ୍ଟି, ଯାଜପୁର ରୋଡ

ଦୀର୍ଘ ବର୍ଷ ଧରି ଗ୍ରାମୀଣ ସଡ଼କ ଯୋଜନା ରାସ୍ତା ନଥିବାରୁ ଗ୍ରାମବାସୀ ଅସନ୍ତୋଷ
Jun 29, 202661 views

ଦୀର୍ଘ ବର୍ଷ ଧରି ଗ୍ରାମୀଣ ସଡ଼କ ଯୋଜନା ରାସ୍ତା ନଥିବାରୁ ଗ୍ରାମବାସୀ ଅସନ୍ତୋଷ

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ଅନ୍ତର୍ଗତ ଜୟପଲ୍ଲୀ ଗ୍ରାମଠାରୁ ସିଙ୍ଗପୁର ଗ୍ରାମ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ରାସ୍ତା ନଥିବାରୁ ଜନସାଧାରଣ ଲୋକ ଯାତାୟତ କରିବାରେ ବହୁତ ଅସୁବିଧା ର ସମୁଖୀନ ହେଉଛନ୍ତି l ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପଂଚାୟତରେ ଅଭିଯୋଗ ଜଣାଇଥିଲେ ମଧ୍ୟ ପଂଚାୟତ କତୃପକ୍ଷ କଥାକୁ ଏଡ଼େଇ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି l ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସକାରାତ୍ମକ ପଦକ୍ଷେପ କିମ୍ବା ସ୍ପଷ୍ଟ ଉତ୍ତର ମିଳିନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ସ୍ଥାନୀୟ ଲୋକେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି

Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁ

ଆଇଆରସି ଭିଲେଜ୍ ହାଇସ୍କୁଲରେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ, ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତାୟାତକୁ ଗୁରୁତ୍ୱ
Jun 29, 202638 views

ଆଇଆରସି ଭିଲେଜ୍ ହାଇସ୍କୁଲରେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ, ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତାୟାତକୁ ଗୁରୁତ୍ୱ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଆଇଆରସି ଭିଲେଜ୍ ହାଇସ୍କୁଲ ପରିସରରେ ସୋମବାର ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଓ ସୁବିଧାଜନକ ଯାତାୟାତ ପାଇଁ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଏହି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମ (BMC)ର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ଉତ୍ତର ଭୁବନେଶ୍ୱରର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ୧୫ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ମାନସୀ ରାଣୀ ସୁନ୍ଦରରାୟ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ, ଅଭିଭାବକ ଏବଂ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ନୂତନ ରାସ୍ତା ନିର୍ମାଣ ଦ୍ୱାରା ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଯାତାୟାତ ଅଧିକ ସୁରକ୍ଷିତ ଓ ସୁଗମ ହେବ। ସେଥିସହ ସହରୀ ଭିତ୍ତିଭୂମିର ବିକାଶ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ମୌଳିକ ସୁବିଧା ବୃଦ୍ଧି ପାଇଁ ବିଏମସି ଓ ସରକାର ପକ୍ଷରୁ ଏଭଳି ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଥିଲେ। ସ୍ଥାନୀୟ ବାସିନ୍ଦା ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହା ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ଶିକ୍ଷା ପରିବେଶକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ କରିଛନ୍ତି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

ନିୟମଗିରି ସୁରକ୍ଷା ସମିତି ନେତା ଲଦ ସିକକାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ପଳାତକ ଘୋଷଣା ଆଦେଶରେ ଚର୍ଚ୍ଚା
Jun 29, 202641 views

ନିୟମଗିରି ସୁରକ୍ଷା ସମିତି ନେତା ଲଦ ସିକକାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ପଳାତକ ଘୋଷଣା ଆଦେଶରେ ଚର୍ଚ୍ଚା

ଭୁବନେଶ୍ୱର/କଳାହାଣ୍ଡି, ଜୁନ ୨୯: ନିୟମଗିରି ସୁରକ୍ଷା ସମିତିର ପ୍ରମୁଖ ନେତା ଲଦ ସିକକାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଉଠିଥିବା ବେଳେ, ଗତ ୧୫ ମାର୍ଚ୍ଚ ୨୦୨୬ରେ ଲାଞ୍ଜିଗଡ଼ ମୁନସିଫ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଜବତ କରିବାକୁ ଆଦେଶ ଜାରି କରିଛନ୍ତି। ଏହି ଆଦେଶ କଲ୍ୟାଣସିଂହପୁର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି। ଏହି ଘଟଣାକୁ ନେଇ ଓକିଲ, ମାନବିକ ଅଧିକାର ସଂଗଠନ, ନାଗରିକ ସମାଜ ଏବଂ ବିଭିନ୍ନ ରାଜନୈତିକ ଗୋଷ୍ଠୀରେ ଚିନ୍ତା ଓ ଉଦ୍ବେଗ ପ୍ରକାଶ ପାଇଛି। ଲଦ ସିକକା ଡଙ୍ଗରିଆ କନ୍ଧ ଜନଜାତିର ଏକ ସଦସ୍ୟ, ଯାହାକି ଓଡ଼ିଶା ସରକାରଙ୍କ ଦ୍ୱାରା ଚିହ୍ନିତ ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀ (PVTG) ଭିତରେ ଅନ୍ତର୍ଭୁକ୍ତ। ସେ ନିୟମଗିରି ପର୍ବତକୁ ବକ୍ସାଇଟ ଖଣି ଖନନରୁ ସୁରକ୍ଷା କରିବା ପାଇଁ ଚାଲିଥିବା ଦୀର୍ଘଦିନର ଜନଆନ୍ଦୋଳନର ଏକ ଅଗ୍ରଣୀ ନେତା । ଦଶନ୍ଧି ଧରି ଚାଲିଥିବା ଏହି ଆନ୍ଦୋଳନ ତାଙ୍କୁ ଓଡ଼ିଶା ସହିତ ସମଗ୍ର ଦେଶରେ ପରିଚିତ କରାଇଛି। ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ଚାଲିଥିବା ବିଭିନ୍ନ ଆନ୍ଦୋଳନରେ ସେ ସଂହତି ଜଣେଇବା ସହିତ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସଭାସମ୍ମେଳନରେ ଭାଗ ନେଇଆସୁଥିବା ସୂଚନା ମିଳିଛି। ଏହା ସହିତ ସେ ନିଜ ସମୁଦାୟର ମଙ୍ଗଳ ନିମନ୍ତେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ପ୍ରଶାସନ ସହ ସମ୍ପର୍କ ରଖିଆସୁଛନ୍ତି। ବିଶେଷଜ୍ଞମାନଙ୍କ ମତାନୁସାରେ, ବିକାଶ ନାମରେ ଆଦିବାସୀଙ୍କ ଜୀବନଜୀବିକା ଉପରେ ପଡ଼ୁଥିବା ପ୍ରଭାବର ଏହା ଏକ ଉଦାହରଣ। ଲଦ ସିକକାଙ୍କୁ ପଳାତକ ଘୋଷଣା କରିବା ନେଇ ବୁଦ୍ଧିଜୀବୀ ମହଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଏହି ଘଟଣା ଆଗାମୀ ଦିନରେ ରାଜ୍ୟର ଆଦିବାସୀ ଆନ୍ଦୋଳନ ଓ ମାନବାଧିକାର ପ୍ରସଙ୍ଗରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇପାରେ।

Kalahandi (କଳାହାଣ୍ଡି)ରିପୋର୍ଟ: ସୁକାନ୍ତ ପ୍ରଧାନ, ଭବାନୀପାଟଣା