Web News

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଘୋଷଣା କଲେ ସରକାର
ଭୁବନେଶ୍ୱର: ରାଜ୍ୟର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ପାଇଁ ଆସିଛି ଖୁସି ଖବର। ୨୦୨୩-୨୪ ଶିକ୍ଷାବର୍ଷରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ନିୟମିତ ଘୋଷଣା କରିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମିତ ଘୋଷଣା ପରେ ସମ୍ପୃକ୍ତ କନିଷ୍ଠ ଶିକ୍ଷକମାନେ **ଏଲିମେଣ୍ଟାରୀ କ୍ୟାଡରର Level-V(A)**ରେ ସହକାରୀ ଶିକ୍ଷକ ଭାବେ ଅନ୍ତର୍ଭୁକ୍ତ ହେବେ। ବିଜ୍ଞପ୍ତି ଅନୁସାରେ, ଏହି ଶିକ୍ଷକମାନଙ୍କୁ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ନିୟମିତ ଦରମା ପ୍ରଦାନ କରାଯିବ। ସରକାରଙ୍କ ଏହି ଘୋଷଣା ଦ୍ୱାରା ଦୀର୍ଘଦିନ ଧରି ଅପେକ୍ଷାରତ କନିଷ୍ଠ ଶିକ୍ଷକମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।
Bhubaneswar (ଭୁବନେଶ୍ୱର) • Soumyabrata Dala Behera

ଚିକିଟିବ୍ଲକ ରେ ବରିଷ୍ଠ ନାଗରିକ ଦିବସ-୨୦୨୬
ଚିକିଟି ୧/୨୬: ପୃଥିବୀରେ କ୍ରମ ବର୍ଦ୍ଧିଷ୍ଣୁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟ, ସମ୍ମାନ ଓ ସାମାଜିକ ସୁରକ୍ଷାର ନିଶ୍ଚିତତା ପାଇଁ ଭିଏନା ଠାରେ ଏକ୍ସନ ପ୍ଲାନ୍ ଆରମ୍ଭ ହେଲା ୧୯୮୨ମସିହାରେ ଆରମ୍ଭ ହୋଇ ୧୯୯୦ଅକ୍ଟୋବର ୧ ତାରିଖ ଦିନ ପ୍ରସ୍ତାବ ପାରିତ କରି ବରିଷ୍ଠ ନାଗରିକ ଦିବସ ଆରମ୍ଭ କରିଥିଲେ। ସେବେଠାରୁ ସର୍ବତ୍ର ଏହା ପାଳନ କରାଯାଏ ଏବଂ ଚିକିଟି ବ୍ଲକ୍ ପରିସରରେ ମଧ୍ୟ ବିଡ଼ିଓ ଶ୍ରୀ ବିବେକାନନ୍ଦ ମିଶ୍ର ଙ୍କ ସଭାପତିତ୍ବରେ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା। ସମ୍ମାନିତ ଅତିଥି ତହସିଲଦାର ଶ୍ରୀ ବିଶ୍ବରଂଜନ କହଁର ଯୋଗଦେଇ ଆଜିର ଡିଜିଟାଲ ଯୁଗରେ ଆମେ ଯୈ।ଥ ପରିବାର ରୁ ଦୁରେଇ ଯାଉଛୁ ଓ ବରିଷ୍ଠ ମାନେ ଅବହେଳା ହୁଅନ୍ତି ତେଣୁ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ କହିଥିଲେ। ଚିକିଟି ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଶ୍ରୀ ଗଣେଶ ପଣ୍ଡା, ସଂପାଦକ ହରିଶ୍ଚନ୍ଦ୍ର ସାହୁ, ସଦସ୍ୟ ସୁରେନ୍ ପାଢ଼ୀ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ବୃଦ୍ଧାବସ୍ଥାରେ କିପରି ସମସ୍ୟା ଓ ସମାଧାନ କରିବା ସେ ନେଇ ଆଲୋଚନା କରିଥିଲେ। ବିଭିନ୍ନ ପଞ୍ଚାୟତରୁ ବୟୋଜ୍ୟେଷ୍ଠ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସମସ୍ତ ବୟୋଜ୍ୟେଷ୍ଠ ଙ୍କୁ ଅତିଥି ମାନଙ୍କ ଦ୍ବାରା ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରାମ ନାଟକ ଗୁରୁ ଘନଶ୍ୟାମ ବେହେରା, ଦଣ୍ଡନାଚ ର ଘନଶ୍ୟାମ ସାହୁ, ହୃଷୀକେଶ ଦାସ ପ୍ରଭୃତି କଳାକାର ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲଭିଥିବା ବୟୋଜ୍ୟେଷ୍ଠ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସ୍ଥାନୀୟ କମ୍ୟୁନିଟି ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ଦିନ ଦୁଇଟାରେ କାର୍ଯ୍ୟ କ୍ରମ ସମାପ୍ତି ହୋଇଥିଲା।ସାମାଜିକ ସୁରକ୍ଷା ଅଧିକାରୀ ଜୟଦେବ ଚୈ।ଧୁରୀ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ ଏବଂ ଲୋପିଣ୍ଟି କ୍ରିଷ୍ଣମୁର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ୮୪ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନାଗରିକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା
ଖଲ୍ଲିକୋଟ, ୧/୧୦: ସମାଜର ଅଭିଜ୍ଞତାର ଭଣ୍ଡାର ତଥା ମାର୍ଗଦର୍ଶକ ସାଜିଥିବା ବରିଷ୍ଠ ନାଗରିକଙ୍କ ସମ୍ମାନ ଓ ଅଧିକାର ସୁରକ୍ଷାର ବାର୍ତ୍ତା ନେଇ ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସିଂହଦ୍ୱାରଠାରୁ ବରିଷ୍ଠ ନାଗରିକମାନେ ଏକ ସଚେତନତା ପଦଯାତ୍ରାରେ ବାହାରି ବସ୍ଷ୍ଟାଣ୍ଡ ଦେଇ ମଞ୍ଚର ସଭାଗୃହରେ ପହଞ୍ଚିଥିଲେ। ସେଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଅନୁଷ୍ଠିତ ସଭାରେ ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ରମେଶ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦୀପ କୁମାର ଖାଡ଼ଙ୍ଗା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମଞ୍ଚର ସଭାପତି ଡଃ ହରପ୍ରସାଦ ମହାପାତ୍ର, ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଓ ଉପଦେଷ୍ଟା ଚନ୍ଦ୍ରଶେଖର ପଟ୍ଟନାୟକ ମଞ୍ଚାସୀନ ଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ସଭାରେ ଅତିଥିମାନେ ନିଜ ଅଭିଭାଷଣରେ ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା, ସମାଜ ପ୍ରତି ସେମାନଙ୍କ ଅବଦାନ ଓ ସେମାନଙ୍କ ପ୍ରତି ପରିବାର ତଥା ସମାଜର କର୍ତ୍ତବ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ନାଗରିକମାନଙ୍କୁ ଯଥୋଚିତ ସମ୍ମାନ, ସ୍ନେହ ଓ ସହଯୋଗ ପ୍ରଦାନ କରିବା ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ରଥ, ଚନ୍ଦ୍ରଶେଖର ପଟ୍ଟନାୟକ ଓ ବିପିନ ବିହାରୀ ସାମନ୍ତ ପ୍ରମୁଖ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ୮୪ ବର୍ଷରୁ ଊର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକମାନଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା। ଏଥିରେ ଅଭିରାମ ମହାପାତ୍ର, ସୁବାସ ଚନ୍ଦ୍ର ଆଚାର୍ଯ୍ୟ, ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଓ ଶ୍ରୀନିବାସ ପ୍ରଧାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଅନିବାର୍ଯ୍ୟ କାରଣରୁ ଲକ୍ଷ୍ମୀପ୍ରସାଦ ସେନାପତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିବା ଜଣାପଡ଼ିଛି। ସମ୍ବର୍ଦ୍ଧନା ପର୍ବରେ କିଶୋର କୁମାର ସିଂ ଓ ପୂର୍ଣ୍ଣଚନ୍ଦ୍ର ରଥ ମାନପତ୍ର ପାଠ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୋଦ କୁମାର ସିଂ, ପ୍ରଶାନ୍ତ କୁମାର ପଟ୍ଟନାୟକ, ପଦ୍ମନାଭ ମାଝୀ, ତ୍ରିନାଥ ରାଜ, ଅନାଥ ସ୍ୱାଇଁ, ରଘୁନାଥ ବେହେରା, ସୁରେଶ ଚନ୍ଦ୍ର ଆଚାର୍ଯ୍ୟ, ନବକୃଷ୍ଣ ମିଶ୍ର, ବିଜୟ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ଆଚାର୍ଯ୍ୟ, ଶିବରାମ ଜେନାଙ୍କ ସମେତ ମଞ୍ଚର ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତାକୁ ସମ୍ମାନ ଜଣାଇବା ସହ ସେମାନଙ୍କ ପ୍ରତି ସମାଜର ଦାୟିତ୍ୱବୋଧକୁ ମନେ ପକାଇ ଦେଇଥିବା ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ସାମାଜିକ ବାର୍ତ୍ତା ପ୍ରଦାନ କରିଛି।
Ganjam (ଗଞ୍ଜାମ) • ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି

ଗୌତମୀରେ ବେଆଇନ ମଦ କାରବାର ଉପରେ ଚଢ଼ାଉ ୨୫.୭୦ ଲିଟର ମଦ ଜବତ, ୩ ଗିରଫ
ବ୍ରହ୍ମପୁର, ୩୦/୯: ବେଆଇନ ମଦ କାରବାର ଉପରେ ବ୍ରହ୍ମପୁର ସଦର ଥାନା ପୁଲିସ ଚଢ଼ାଉ କରି ୨୫.୭୦ ଲିଟର ବିଭିନ୍ନ ପ୍ରକାରର ମଦ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗୌତମୀ-ଭୁଡୁକି ରାସ୍ତା ପାର୍ଶ୍ୱରେ ବେଆଇନ ମଦ କାରବାର ହେଉଥିବା ସୂଚନା ପାଇ ଏସ୍ଆଇ ଜେ.ପି. ସାହୁଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କିଙ୍ଗଫିସର, ଟୁବର୍ଗ, ବୁଡୱେଜର, ବାକାର୍ଡି ରମ୍, ମ୍ୟାକ୍ଡୋୱେଲ ହ୍ୱିସ୍କି ସମେତ ପଟ୍ଟାପୁର ଓଏସ୍ ଦୋକାନର ପାଉଚ୍ ମଦ ଜବତ ହୋଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ କେ. ବାଲାଜୀ ପାତ୍ର (୩୫), ଏସ୍. ଶଙ୍କର ରେଡ୍ଡୀ (୨୭) ଓ ତୃପ୍ତି ଭୂଷଣ ସାହୁ (୪୨)। ସେମାନଙ୍କ ବିରୋଧରେ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ଧାରା ୫୨(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଛି। ବେଆଇନ ମଦ କାରବାର ରୋକିବାକୁ ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ହାତୀମୁଣ୍ଡା ଜଙ୍ଗଲ ରାସ୍ତାରେ ଗୋମାତାର ମୃତ୍ୟୁ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଜଙ୍ଗଲ ରାସ୍ତା ଉପରେ ଏକ ଗୋମାତାର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ରାସ୍ତାରେ ଗୋମାତାଟିର ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦୁଃଖ ପ୍ରକାଶ ପାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରେ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟଙ୍କ ପକ୍ଷରୁ ଦାବି ହୋଇଛି।
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

କୃଷ୍ଣପୁର ଗ୍ରାମରେ ୩ ମାସ ହେଲା ପାନୀୟ ଜଳ ସଙ୍କଟ ସମାଧାନ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା
ଖୋର୍ଦ୍ଧା: କୃଷ୍ଣପୁର ଗ୍ରାମରେ ଗତ ୩ ମାସ ଧରି ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀମାନେ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା କହିଛନ୍ତି। ଦୀର୍ଘଦିନ ଧରି ପାନୀୟ ଜଳ ନପାଇ ଗ୍ରାମବାସୀ ହନ୍ତସନ୍ତ ହେଉଥିବାବେଳେ ଆଜି ବହୁ ସଂଖ୍ୟାରେ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଧାରଣା ଦେଇଛନ୍ତି। ତୁରନ୍ତ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସମସ୍ୟାର ସମାଧାନ ନହେଲେ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଧାରଣାରତ ଲୋକେ କହିଛନ୍ତି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଓସେପା ଯୁଗ୍ମ ନିର୍ଦ୍ଦେଶିକାଙ୍କ ପି ଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ
ଓସେପା ଯୁଗ୍ମ ନିର୍ଦ୍ଦେଶିକା ଡ଼ଃ ଜସ୍ମିନୀ ପଟ୍ଟନାୟକ ଆଜି ପି ଏମ୍ ଶ୍ରୀ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ କୁ ପରିଭ୍ରମଣ ରେ ଆସିଥିଲେ। ତାଙ୍କ ସହ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗ ର ଏଡିଓ ଶ୍ରୀମତୀ ଦୀପ୍ତି ନାୟକ ବିଦ୍ୟାଳୟ ରେ ପହଞ୍ଚି ବିଦ୍ୟାଳୟ ର ଶ୍ରେଣୀଗୃହ, ଇ ଲାଇବ୍ରେରୀ, ସ୍ମାର୍ଟ ବୋର୍ଡ କ୍ଲାସ ରୁମ୍, ଶୌଚାଳୟ, ରୋଷଇ ଗୃହ, ଧନ୍ଦା ମୁଳକ ଶିକ୍ଷା ଗୃହ, ଅଟଳ ଲବ୍ରୋଟରୀ, ରୋବୋଟିକ ଲବ୍ରୋଟରି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାନ ଖାତା, ଲେସନ୍ ନୋଟ, ବିଗତ ବର୍ଷ ମାନଙ୍କରେ ମାଟ୍ରିକ ପରୀକ୍ଷା ଫଳ, ବିଦ୍ୟାଳୟ ପରିଷ୍କାର ପରିଚ୍ଛନ୍ନତା ଉପରେ ଅନୁଧ୍ୟାନ କରିଥିଲେ। ଏହି ବର୍ଷ ବିଦ୍ୟାଳୟ ରେ ମାଟ୍ରିକ ପରୀକ୍ଷାରେ ଭଲ ସଫଳତା ଆଣିବାକୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟ, ବରିଷ୍ଠ ଶିକ୍ଷକ ଶ୍ରୀ ଅଶୋକ କୁମାର ଦାସ, ଏନ୍ ସି ସି ଶିକ୍ଷକ ଶ୍ରୀ ସରୋଜ କୁମାର ସ୍ବାଇଁ, ସୂଜୟ କୁମାର ରାଉତ ରାୟ, ଅନିଲ କୁମାର ଦାସ,ଶିକ୍ଷୟତ୍ରୀ ଅନିତା ଧଳ, ମାନସୀ ମହାନ୍ତି,ଗୋମତୀ ସ୍ବାଇଁ, ଜ୍ୟୋତି ଲକ୍ଷ୍ମୀ ବେହେରା, ଶିବଶଙ୍କର ବାରିକ, ବ୍ରଜ କିଶୋର ମାଝୀ ପ୍ରଭୃତି ସହଯୋଗ କରିଥିଲେ
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ

ସ୍ୱଚ୍ଛତା ଅଭିଯାନକୁ ନେଇ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର: ସ୍ୱଚ୍ଛତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ “ସ୍ୱଚ୍ଛତା ହିଁ ସେବା–୨୦୨୬” ଅଭିଯାନ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଫଟୋରୁ ଦେଖାଯାଉଛି। ଫଟୋରେ Power Grid Corporation of India Limited ପକ୍ଷରୁ ଲଗାଯାଇଥିବା ସଚେତନତା ବ୍ୟାନର ଦେଖିବାକୁ ମିଳୁଛି। କାର୍ଯ୍ୟକ୍ରମ ସ୍ଥଳରେ କିଛି ଲୋକ ବସିଥିବା ବେଳେ ଜଣେ ମହିଳା ମାଇକ୍ ଧରି ସଚେତନତାମୂଳକ ବାର୍ତ୍ତା ଦେଉଥିବା ଦୃଶ୍ୟ ରହିଛି। “ସ୍ୱଚ୍ଛତା ହିଁ ସେବା” ଅଭିଯାନ ମାଧ୍ୟମରେ ପରିବେଶକୁ ସ୍ୱଚ୍ଛ ରଖିବା, ଅଳିଆ-ଆବର୍ଜନା ଠିକ୍ ଭାବରେ ପରିଚାଳନା କରିବା ଏବଂ ସ୍ୱଚ୍ଛତା ପ୍ରତି ସାଧାରଣ ଲୋକଙ୍କ ଦାୟିତ୍ୱବୋଧ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ

ଡକ୍ଟର ପ୍ରଫୁଲ୍ଲ ଦାସଙ୍କ ୯୯ତମ ଜନ୍ମଜୟନ୍ତୀ ଉତ୍ସବ
ବର୍ତ୍ତମାନର ସାମାଜିକ ବ୍ୟବସ୍ଥା ଓ ଏକ ଶ୍ରେଣୀ ହୀନ ସମାଜ ପ୍ରତିଷ୍ଠା ଦିଗରେ ସମସ୍ତେ ରହି ଡ. ଦାସଙ୍କ ଆଦର୍ଶରରେ ଅନୁପ୍ରାଣିତ ହୋଇ କାର୍ଯ୍ଯକଲେ ଡକ୍ଟର ପ୍ରଫୁଲ୍ଲ ଦାସଙ୍କୁ ପ୍ରକୣତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବୁଧବାର ରାଜକନିକା ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କେନ୍ଦ୍ରାପଡ଼ା ଜିଲ୍ଲାର ଗର୍ବ ଓ ଗୌରବ ତଥା ରାଜକନିକା ମାଟିର ବରପୁତ୍ର ସମ୍ମାନଜନକ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରପ୍ରାପ୍ତ ବିଶିଷ୍ଟ ଐତିହାସିକ ଲେଖକ, ବିପ୍ଳବୀ କବି ଡ. ପ୍ରଫୁଲ୍ଲ ଦାସଙ୍କ ୯୯ତମ ଜନ୍ମଜୟନ୍ତୀ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଲୋହିୟା ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ଓ ମୁଖ୍ୟ ବକ୍ତା ଭାବେ ସମଦୣଷ୍ଟି ସାହିତ୍ୟ ପତ୍ରିକାର ସମ୍ପାଦକ ସୁଧୀର ପଟ୍ଟନାୟକ ଯୋଗଦେଇ ମତବ୍ୟକ୍ତ କରି ବିପ୍ଳବୀଙ୍କ ରଚିତ ଭାରତର ସଶସ୍ତ୍ର ମୁକ୍ତି ସଂଗ୍ରାମ, କଳାପାଣିରେ ଅଗ୍ନିଶିଖା, ଭୂଦାନ, ଶହୀଦ ବାସୁ ବିସୁନୀ, ମାଳତୀ ଚୌଧୁରୀଙ୍କ ଜୀବନୀ ଉପରେ ଆଧାରିତ ବହ୍ନିମାନ ଭଳି ସଂସ୍କାର ଧର୍ମୀ ଉପାଦେୟ ପୁସ୍ତକ ଆଜିର ଯୁବପିଢ଼ିମାନଙ୍କ ପାଇଁ ପଥପ୍ରଦର୍ଶକ ହେବ ବୋଲି କହିଥିଲେ । ରାଜକନିକାର ଅନନ୍ୟ ଅନୁଷ୍ଠାନ କନିକା ପୂଜ୍ୟପୂଜା ପରିଷଦ ଓ ବିପ୍ଳବୀ ଡ. ପ୍ରଫୁଲ୍ଲ ଦାସ ସ୍ମୃତି ସଂସଦ ଆନୁକୂଲ୍ୟରେ ଏହି ଜନ୍ମଜୟନ୍ତୀ ସମାରୋହରେ ପରିଷଦର ସଭାପତି ଦୁର୍ଯ୍ୟୋଧନ ସାମଲଙ୍କ ପୌରୋହିତ୍ୟ କରିଥିଲେ । ପରିଷଦର ସମ୍ପାଦକ କପିଳ ଚରଣ ମିଶ୍ର ଜୟନ୍ତୀ ସମାରୋହର ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଅତିଥିମାନଙ୍କୁ ମଞ୍ଚକୁ ଆହ୍ଵାନ କରିଥିଲେ । ସ୍ମୃତି ସଂସଦର ସମ୍ପାଦକ ବିଧାନ ଦାସ ଅତିଥି ପରିଚୟ, ସ୍ବାଗତ ଭାଷଣ ଓ ସମ୍ପାଦକୀୟ ଅଭିଭାଷଣ ଜ୍ଞାପନ କରିଥିଲେ । ବାବୁରାମ ଜେନା ଓ ସୁରେଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କୁ ଉପାୟନ ପ୍ରଦାନ କରି ସମ୍ଵର୍ଦ୍ଧିତ କରିଥିଲେ । ପରିଷଦର ସମ୍ପାଦକ କପିଳ ଚରଣ ମିଶ୍ର ଓ ପରିଷଦର ମୁଖପତ୍ର ପ୍ରତିଧ୍ଵନିର ସମ୍ପାଦକ କାଳୀପ୍ରସାଦ ନାୟକ ବିପ୍ଳବୀ ଲେଖକ ଡ. ଦାସଙ୍କ ଜୀବନାବୣତ୍ତିକୁ ନେଇ ପ୍ରତିବେଦନା ରଖିଥିଲେ । ସବିତା ବରଜ ଧନବାଦ ଅର୍ପଣ କରିଥିଲେ । ଏହି କ୍ରମରେ ମାଟ୍ରିକ୍ ପରୀକ୍ଷାରେ ବ୍ଲକ୍ରେ ଏ-୧ ଗ୍ରେଡ୍ ରଖି କୣତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରମାନଙ୍କୁ ଓ ବ୍ଲକର କଳାକାରମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ, ଉପଢୌକନ ମାନପତ୍ର ଦେଇ ପ୍ରୋତ୍ସାହିତ କରିଥିଲେ । ସ୍ମୃତି ସଂସଦର ସମ୍ପାଦକ ବିଧାନ ଦାସ ମାନପତ୍ର ପାଠ କରିଥିଲେ । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ସହ କନିକା କଳାକାର ସଂଘ ପକ୍ଷରୁ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ଯରେ କପିଳେନ୍ଦ୍ର ମଲ୍ଲିକ, ବେଣୁଧର ପରିଡ଼ା, ନବକିଶୋର ସୂତାର, ଶରତ ରାଉତ, ମନୋଜ ପରିଡ଼ା, ଯୋଗେଶ୍ୱର ପ୍ରଧାନ, ରବୀନ୍ଦ୍ର ତ୍ରିପାଠୀ, ସାବିତ୍ରୀ ମାହୁ ମାହୁନ୍ତ, ସୀତାରାଣୀ ଦାସ, ରତ୍ନମାଳା ବିଶ୍ଵାଳ, ଝରଣା ରାଉତ, ବିଜୟ ସେନାପତି, ରଞ୍ଜନ ଦଳେଇ, ବେଣୁଧର ଜେନା, ବିଶ୍ବନାଥ ନାୟକ, ଝରଣା ରାଉତ, ସରୋଜିନୀ ବିଶ୍ୱାଳ, ଆଶାଲତା ସାହାଣୀ ପ୍ରମୁଖ ଯୋଗଦେଇଥିଲେ ।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ -ଦିଲୀପ ପରିଡା

ସେବା ସଂକଳ୍ପ ଅଭିଯାନରେ ପଥପ୍ରାନ୍ତ ନାଟକ
ଖୋର୍ଦ୍ଧା: “ସେବା ସଂକଳ୍ପ ଅଭିଯାନ” ଅଧୀନରେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ସରକାରୀ ଯୋଜନା ସମ୍ପର୍କରେ ତଥ୍ୟ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ନାଟକ ପରିବେଷଣ କରାଯାଇଥିଲା।ବିଭିନ୍ନ ସ୍ଥାନରେ ଆୟୋଜିତ ଏହି ପଥପ୍ରାନ୍ତ ନାଟକକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ନାଟକ ମାଧ୍ୟମରେ ସାମାଜିକ ସଚେତନତା, ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ସେବାମୂଳକ ଭାବଧାରା ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଚକାପଥର ଗ୍ରାମରେ ଶିବ ମନ୍ଦିର ନିର୍ମାଣ ପାଇଁ ଆୟୋଜନ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚକାପଥର ଗ୍ରାମରେ ଏକ ନୂତନ ଶିବ ମନ୍ଦିର ନିର୍ମାଣ ପାଇଁ ଆୟୋଜନ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ ନିମନ୍ତେ ଗ୍ରାମବାସୀଙ୍କ ସହଯୋଗରେ ଜମି ପ୍ରସ୍ତୁତି ଓ ମାଟି କାମ ଚାଲିଛି। ଏହି କାର୍ଯ୍ୟରେ ଗ୍ରାମର ଯୁବକ ଓ ବୟସ୍କମାନେ ଉତ୍ସାହର ସହ ଯୋଗଦେଇଛନ୍ତି। ଗ୍ରାମରେ ଶିବ ମନ୍ଦିର ନିର୍ମାଣ ହେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ମନ୍ଦିର ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ ହେଉ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ନଳକୂଅ ଅଛି, ପାଣି ନାହିଁ: ଗ୍ରାମବାସୀ ହନ୍ତସନ୍ତ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚକାପଥର ଗ୍ରାମ ଦଲକ ସାହିରେ ପାନୀୟଜଳ ସୁବିଧା ପାଇଁ ନଳକୂଅ ନିର୍ମାଣ କରାଯାଇଥିଲେ ମଧ୍ୟ ଏଥିରୁ ପାଣି ମିଳୁନଥିବା ଅଭିଯୋଗ ହୋଇଛି। ଫଳରେ ନଳକୂଅ ଥାଇ ମଧ୍ୟ ଗ୍ରାମବାସୀଙ୍କୁ ପାଣି ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଛି। ବିଶେଷକରି ଖରାଦିନରେ ପରିସ୍ଥିତି ଆହୁରି ଗୁରୁତର ହେବାର ଆଶଙ୍କା ରହିଛି। ସରକାରୀ ଅର୍ଥରେ ନିର୍ମିତ ଏହି ନଳକୂଅ ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ନଳକୂଅର ମରାମତି କରି ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ
