ବନ୍ୟାଜଳର ପ୍ରଖର ସ୍ରୋତରେ ଭାସି ୯ ବର୍ଷୀୟ ଶୁଭ୍ରାଂଶୁ ନିଖୋଜ
Bhadrak (ଭଦ୍ରକ)Sishir Kumar SwainSeptember 29, 202655 views

ଭଦ୍ରକ, ୨୯/୦୯: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଟସାହି ପଞ୍ଚାୟତର ଜଗନ୍ନାଥପୁର ମହାଦେବ ସାହିରେ ବନ୍ୟାଜଳର ପ୍ରଖର ସ୍ରୋତରେ ଭାସି ଜଣେ ୯ ବର୍ଷୀୟ ଶିଶୁ ନିଖୋଜ ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି। ନିଖୋଜ ଶିଶୁ ହେଲେ ଶୁଭ୍ରାଂଶୁ ପଣ୍ଡା।
ସୂଚନା ଅନୁଯାୟୀ, ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ପ୍ରଖର ସ୍ରୋତରେ ଶୁଭ୍ରାଂଶୁ ଭାସିଯାଇଥିବା ଜଣାପଡ଼ିଛି। ଘଟଣା ପରେ ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସନ୍ଧାନ ଅଭିଯାନ ଆରମ୍ଭ କରାଯାଇଛି। ଜଳପଥ ସମେତ ଆଖପାଖ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପକ୍ଷରୁ ଖୋଜାଖୋଜି ଜାରି ରହିଛି।
ଘଟଣା ସମ୍ପର୍କରେ ଖବର ପାଇ ପୂର୍ବତନ ବ୍ଲକ ଚେୟାରମ୍ୟାନ ଅଶୋକ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ନିଖୋଜ ଶୁଭ୍ରାଂଶୁଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଘଟଣାସ୍ଥଳର ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଦୁଃଖଦ ସମୟରେ ପରିବାରକୁ ସାହସ ଦେବା ସହ ଶିଶୁକୁ ଶୀଘ୍ର ଖୋଜି ବାହାର କରିବା ପାଇଁ ଚାଲିଥିବା ଉଦ୍ଧାର ପ୍ରୟାସ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।
ଶୁଭ୍ରାଂଶୁଙ୍କ ନିଖୋଜ ଖବର ପ୍ରଚାର ପରେ ପରିବାରବର୍ଗ ଚିନ୍ତାରେ ଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଉଦ୍ବେଗ ପ୍ରକାଶ ପାଇଛି। ଶିଶୁଟିକୁ ସୁରକ୍ଷିତ ଭାବେ ଖୋଜି ବାହାର କରିବା ପାଇଁ ସନ୍ଧାନ ଅଭିଯାନକୁ ଆହୁରି ତୀବ୍ର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଅଗ୍ନିଶମ ବାହିନୀର ସନ୍ଧାନ ଅଭିଯାନ ଜାରି ରହିଛି। ନିଖୋଜ ଶୁଭ୍ରାଂଶୁଙ୍କ ସନ୍ଧାନ ମିଳିବା ନେଇ ପରିବାର ଓ ସ୍ଥାନୀୟ ଲୋକେ ଆଶା ରଖିଛନ୍ତି।
