ରଇନଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ରେ ‘ଆଙ୍ଗନ କା ଉତ୍ସବ’
Kalahandi (କଳାହାଣ୍ଡି)ରିପୋର୍ଟ -ନିରାକାର ଗୋପାଳ, ଧର୍ମଗଡ ପ୍ରତିନିଧିSeptember 29, 202690 views

ଧର୍ମଗଡ :-ସେବା ସଙ୍କଳ୍ପ ଅଭିଯାନ’ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳ ଜୟନ୍ତପୁର ପଞ୍ଚାୟତ ଅନ୍ତର୍ଗତ ରଇନଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି।ଅଙ୍ଗନବାଡ଼ି କର୍ମୀ ଭବାନୀ ନାଏକ ଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସତ୍ୟରାମ ନାଏକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ ଯୋଗଦେଇଥିବା ବେଳେ ଜୟରାମ ଦୁରିଆ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସିଡିପିଓ ଧରିତ୍ରୀ ପାଣିଗ୍ରାହୀ, ମିଶନ ଶକ୍ତି ବିପିସି ସୁପ୍ରିୟା ପ୍ରଧାନ, ଶିକ୍ଷକ ସଜମନ ନାଏକ, ଖଗେଶ୍ୱର ସେଠୀ ଓ ଆଶାକର୍ମୀ ପରମା ଦୁରିଆ ଉପସ୍ଥିତ ଥିଲେ।
ଏହି ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରକୁ ସୁନ୍ଦର ଭାବେ ସଜାଯାଇ ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମା’ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହୋଇଥିଲା। ଶିଶୁଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ, ବୃଦ୍ଧି ଓ ବିକାଶ ସହ ପୂର୍ବ-ପ୍ରାଥମିକ ଶିକ୍ଷା, ନିୟମିତ ଓଜନ ଓ ଉଚ୍ଚତା ମାପ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ବିଭିନ୍ନ ସରକାରୀ ଯୋଜନାର ସୁଫଳ ସମ୍ପର୍କରେ ଅତିଥିମାନେ ହିତାଧିକାରୀଙ୍କୁ ସଚେତନ କରିଥିଲେ।ଉତ୍ସବର ଅନ୍ୟତମ ଆକର୍ଷଣ ଭାବେ ପୁଷ୍ଟିକର ରେସିପି ପ୍ରସ୍ତୁତି ପ୍ରତିଯୋଗିତା ହୋଇଥିଲା। ଏଥିରେ ପୁରୁଷମାନଙ୍କୁ ସାମିଲ କରାଯାଇ ବିଭିନ୍ନ ସ୍ଥାନୀୟ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରାଯାଇଥିଲା। ପରିବାରର ପୁଷ୍ଟି ଓ ଶିଶୁଙ୍କ ସୁସ୍ଥ ବିକାଶରେ ପୁରୁଷମାନଙ୍କ ଭୂମିକା ଓ ସହଭାଗିତା ସମ୍ପର୍କରେ ଏହି ପ୍ରତିଯୋଗିତା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। ସଫଳ ପ୍ରତିଯୋଗୀମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ସ୍ତରରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ କୁ ସଫଳ ରୂପରେଖ ଦେଇଥିବାରୁ ଅଙ୍ଗନୱାଡି କର୍ମୀଙ୍କୁ ଗ୍ରାମବାସୀ ତରଫରୁ ସାଧୁବାଦ ଜଣାଇଥିବା ଚର୍ଚ୍ଚା ହେଉଛି!
