Web News

ବେଲଗୁଣ୍ଠା ଏନଏସି ଉପାଧ୍ୟକ୍ଷା ଭାବେ ବିଜେଡିର ପ୍ରିୟମ୍ବଦା ସାମଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡିର ୪ ନମ୍ବର ୱାର୍ଡ କାଉନସିଲର ପ୍ରିୟମ୍ବଦା ସାମଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଗତ ମଙ୍ଗଳବାର ଦିନ ଏହି ଉପନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁଯାୟୀ, ନିର୍ଦ୍ଧାରିତ ସମୟ ମଧ୍ୟରେ ଉପାଧ୍ୟକ୍ଷା ପଦବୀ ପାଇଁ ଦୁଇଟି ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ପ୍ରିୟମ୍ବଦା ସାମଲ ପ୍ରଥମ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ତାଙ୍କ ପ୍ରାର୍ଥିପତ୍ରରେ ୦୨ ନମ୍ବର ୱାର୍ଡ କାଉନସିଲର ଦିବ୍ୟ ରଞ୍ଜନ ଦାଶ ପ୍ରସ୍ତାବକ ଏବଂ ୧୩ ନମ୍ବର ୱାର୍ଡ କାଉନସିଲର ପ୍ରତିମା କୁମାରୀ ସ୍ୱାଇଁ ସମର୍ଥକ ରହିଥିଲେ। ସେହିପରି ଦ୍ୱିତୀୟ ପ୍ରାର୍ଥିପତ୍ରଟି ବିଜେଡିର ୧୦ ନମ୍ବର ୱାର୍ଡ କାଉନସିଲର କେ. ସୁଜ୍ୟୋତି ସୁବୁଦ୍ଧି ଦାଖଲ କରିଥିଲେ। ତାଙ୍କ ପ୍ରାର୍ଥିପତ୍ରରେ ୧୧ ନମ୍ବର ୱାର୍ଡ କାଉନସିଲର ସିଏଚ୍. ସଞ୍ଜୀତା ପାତ୍ର ପ୍ରସ୍ତାବକ ଏବଂ ୫ ନମ୍ବର ୱାର୍ଡ କାଉନସିଲର କାଳୁ ଚରଣ ସାହୁ ସମର୍ଥକ ରହିଥିଲେ। ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ ତଥା ବୁଗୁଡ଼ା ତହସିଲଦାର ତାପସ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଚାଲିଥିଲା। ଯାଞ୍ଚ ସମୟରେ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ କେ. ସୁଜ୍ୟୋତି ସୁବୁଦ୍ଧିଙ୍କ ପ୍ରାର୍ଥିପତ୍ରରେ ସମର୍ଥକ ଥିବା କାଳୁ ଚରଣ ସାହୁଙ୍କ ସ୍ୱାକ୍ଷରରେ ତ୍ରୁଟି/ଅସଙ୍ଗତି ଥିବା ଜଣାପଡ଼ିଥିଲା। ଏହି କାରଣରୁ ନିର୍ବାଚନ ଅଧିକାରୀ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ କରିଦେଇଥିଲେ। ଫଳରେ ଏକମାତ୍ର ବୈଧ ପ୍ରାର୍ଥୀ ଭାବେ ପ୍ରିୟମ୍ବଦା ସାମଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ନିର୍ବାଚିତ ହେବା ପରେ ନୂତନ ଉପାଧ୍ୟକ୍ଷା ଶ୍ରୀମତୀ ସାମଲ କହିଛନ୍ତି ଯେ, ଆଗାମୀ ଦିନରେ ସହରର ସାମୂହିକ ବିକାଶ ଦିଗରେ ଧ୍ୟାନ ଦେବା ସହ ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେ ପ୍ରାଥମିକତା ଦେବେ। ଏହି ଅବସରରେ ଏନଏସିର ନୂତନ ଉପାଧ୍ୟକ୍ଷାଙ୍କୁ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା, ଏନଏସି ଅଧ୍ୟକ୍ଷ ଫିରୋଜ କୁମାର ସେଠୀ ଓ ଅନ୍ୟାନ୍ୟ କାଉନସିଲର ଏବଂ କର୍ମଚାରୀମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ନିର୍ବାଚନ ପ୍ରକ୍ରିୟାରେ ଏନଏସିର ପ୍ରାୟ ସମସ୍ତ କାଉନସିଲର ଉପସ୍ଥିତ ଥିବା ବେଳେ କେବଳ ୬ ନମ୍ବର ୱାର୍ଡ କାଉନସିଲର ଟି. ବବିତା କୁମାରୀ ଅନୁପସ୍ଥିତ ଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ : ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଦିଗପହଣ୍ଡି ବିଧାୟକଙ୍କ ବିରୋଧରେ ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ମହାମେଳି
ଦିଗପହଣ୍ଡି: ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ କଥିତ ମନମୁଖୀ କାର୍ଯ୍ୟକଳାପକୁ ନେଇ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ପ୍ରତିବାଦ ଜଣାଇଛନ୍ତି। ଏହାକୁ ନେଇ ଦଳର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଏକ ମହାମେଳି ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଧାୟକଙ୍କ କାର୍ଯ୍ୟଶୈଳୀ ଓ ସ୍ଥାନୀୟ ସଂଗଠନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଦଳୀୟ ସଂଗଠନକୁ ମଜଭୁତ କରିବା ସହ କାର୍ଯ୍ୟକର୍ତ୍ତାଙ୍କ ମତାମତକୁ ଗୁରୁତ୍ୱ ଦେବା ପାଇଁ ଉପସ୍ଥିତ ନେତା ଓ କାର୍ଯ୍ୟକର୍ତ୍ତାମାନେ ଦାବି ରଖିଥିଲେ। ଏହି ମହାମେଳିରେ ଦିଗପହଣ୍ଡି ଅଞ୍ଚଳର ବହୁ ବରିଷ୍ଠ ନେତା ଓ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଘଟଣାକୁ ନେଇ ଦଳୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ରବି ରାୟ ଶତବାର୍ଷିକୀ ସମାରୋହ: NEP-2020କୁ ଜାତୀୟ ଶିକ୍ଷାନୀତି କୁହାଯାଇପାରିବ ନାହିଁ: ବୀରେନ୍ଦ୍ର ନାୟକ
ବ୍ରହ୍ମପୁର, ୨୯/୦୯: ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବ୍ରହ୍ମପୁରରେ ‘ନୂଆ ଜାତୀୟ ଶିକ୍ଷାନୀତି ଓ ଆମ ରାଷ୍ଟ୍ରର ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ବରିଷ୍ଠ ସ୍ତମ୍ଭକାର ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ବୀରେନ୍ଦ୍ର ନାୟକ NEP-2020କୁ ନେଇ ନିଜର ମତ ରଖିଥିଲେ। ପ୍ରଫେସର ନାୟକ କହିଥିଲେ, NEP-2020କୁ ଜାତୀୟ ଶିକ୍ଷାନୀତି ଭାବେ ଗ୍ରହଣ କରିବା ନେଇ ପ୍ରଶ୍ନ ରହିଛି। ତାଙ୍କ ମତରେ, ପୂର୍ବରୁ ୧୯୬୮ ଓ ୧୯୮୬ର ଶିକ୍ଷାନୀତି ନେଇ ସଂସଦରେ ବ୍ୟାପକ ଆଲୋଚନା ହୋଇଥିଲା। କିନ୍ତୁ NEP-2020 ପ୍ରସ୍ତୁତି ଓ ଗ୍ରହଣ ପ୍ରକ୍ରିୟାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଶିକ୍ଷାନୀତି ପ୍ରସ୍ତୁତିରେ ବିଭିନ୍ନ ମତ ଓ ଶିକ୍ଷକ, ଛାତ୍ର ଏବଂ ବୁଦ୍ଧିଜୀବୀଙ୍କ ଅଂଶଗ୍ରହଣକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇନାହିଁ। NEP-2020ରେ ଧାର୍ମିକ ଓ ସାଂସ୍କୃତିକ ପ୍ରସଙ୍ଗକୁ ନେଇ ମଧ୍ୟ ସେ ଆପତ୍ତି ଉଠାଇଥିଲେ। ଶିକ୍ଷାନୀତିରେ ଛାତ୍ର, ଶିକ୍ଷକ ଓ ବିଭିନ୍ନ ଅଞ୍ଚଳର ସାମାଜିକ-ଭୌଗୋଳିକ ପରିସ୍ଥିତିକୁ ଅଧିକ ଗୁରୁତ୍ୱ ମିଳିବା ଆବଶ୍ୟକ ବୋଲି ସେ କହିଥିଲେ। ରବି ରାୟ ସ୍ମୃତି କମିଟିର ସଭାପତି ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ‘ସମଦୃଷ୍ଟି’ର ସମ୍ପାଦକ ବିଘ୍ନେଶ୍ୱର ସାହୁ ସଂଯୋଜନା କରିଥିଲେ। ସେ ରବି ରାୟଙ୍କ ଜୀବନ ଓ ରାଜନୈତିକ ଅବଦାନ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ‘ସମଦୃଷ୍ଟି’ ଗଣମାଧ୍ୟମ ପ୍ରତିଷ୍ଠାନର ଅଧ୍ୟକ୍ଷ ସୁଧୀର ପଟ୍ଟନାୟକ ଯୋଗଦେଇ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ନିଜର ମତ ରଖିଥିଲେ। ଛତ୍ରପୁରର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ ରବି ରାୟଙ୍କ ଗଞ୍ଜାମ ସହ ସମ୍ପର୍କ ଏବଂ ଟାଟା ବିରୋଧୀ ଆନ୍ଦୋଳନ ପ୍ରତି ତାଙ୍କ ସମର୍ଥନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ‘ନବୀନ’ର ରବି ରାୟ ସ୍ୱତନ୍ତ୍ର ସଂଖ୍ୟା ମଧ୍ୟ ଉନ୍ମୋଚିତ ହୋଇଥିଲା। ଲୋହିଆ ଏକାଡେମୀ ଟ୍ରଷ୍ଟର ସମ୍ପାଦକ ଦେବପ୍ରସାଦ ରାୟ, ‘ନବୀନ’ର ସମ୍ପାଦକ ରବି ରଥ, ଆପ୍ କାର୍ଯ୍ୟକର୍ତ୍ତା ଆଦିତ୍ୟ ରଥ ଓ ପ୍ରାବନ୍ଧିକା ଡ. ବିଧୁପ୍ରଭା ରଥ ପ୍ରମୁଖ ଉପସ୍ଥିତ ଥିଲେ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ - ଲକ୍ଷ୍ମୀଧର ମୁର୍ମୁ

ଢେଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍. ଏସ୍. ଗୋପାଳନ
ଢେଙ୍କାନାଳ, ୨୯.୦୯.: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍. ଏସ୍. ଗୋପାଳନ ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରି ନିର୍ବାଚନ ସାମଗ୍ରୀ ଗୋଦାମର ଯୁଗ୍ମ ଯାଞ୍ଚ କରିବା ସହ ଏ ସଂକ୍ରାନ୍ତୀୟ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଗସ୍ତ ଅବସରରେ ଶ୍ରୀ ଗୋପାଳନ ସମ୍ପୃକ୍ତ ଜିଲ୍ଲା ଅଧିକାରୀ ଓ ପ୍ରତିନିଧିମାନଙ୍କ ସହ ନିର୍ବାଚନ ସାମଗ୍ରୀ ଗୋଦାମ ପରିଦର୍ଶନ କରି ଯୁଗ୍ମ ଯାଞ୍ଚ କରିଥିଲେ। ନିର୍ଦ୍ଧାରିତ ନିୟମାବଳୀ ଓ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ଗୋଦାମରେ ରହିଥିବା ବ୍ୟବସ୍ଥାର ସେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଗୋଦାମରେ ନିର୍ବାଚନ ସାମଗ୍ରୀର ସଂରକ୍ଷଣ, ସୁରକ୍ଷା ଓ ସାମଗ୍ରିକ ପରିଚାଳନା ସମ୍ପର୍କିତ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଗୋଦାମର ବ୍ୟବସ୍ଥା ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିମାନେ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଆଇଏଏସ୍ (ପ୍ରୋବେସନ) ସୁଶ୍ରୀ ସୁଧା ଚୌହାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଢେଙ୍କାନାଳ ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ, ଡେପୁଟି କଲେକ୍ଟର ସୁଶ୍ରୀ ନିବେଦିତା ରାଉତଙ୍କ ସମେତ ସମ୍ପୃକ୍ତ ନିର୍ବାଚନ ଅଧିକାରୀମାନେ ଉପସ୍ଥିତ ଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଧର୍ମଗଡ ବ୍ଲକ ଯାଦବ ସମିତି ର ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ
ଧର୍ମଗଡ :-କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପର୍ଲା ଖେଳପଡିଆ ମଞ୍ଚରେ ଧର୍ମଗଡ ବ୍ଲକ ଯାଦବ ସମିତି ର ନୁଆଁଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଭାଇଚାରା ଓ ସଦଭାବନା ର ପର୍ବ ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୁଆଁଖାଇ ଅବସରରେ ନିଜ ନିଜ ମଧ୍ୟରେ ଭାଇଚାରା ଓ ସଦଭାବନା ସୃଷ୍ଟି ପାଇଁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆସନ୍ତା ତାରିଖ ୨୫/୧୧/୨୦୨୬ ରେ କରିବାପାଇଁ ସ୍ଥିର କରାଯାଇଛି, ଏହି ପରିପ୍ରେକ୍ଷୀରେ ଧର୍ମଗଡ ବ୍ଲକ ଯାଦବ ସମିତି ସଭାପତି ଶଙ୍କର ଯୁଆଡ ଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ବୈଠକ ରେ ବ୍ଲକ ଉପସଭାପତି ଭବାନୀ ଖଡ଼ିକାର ସହ ସମ୍ପାଦକ ଗୌତମ ବାଗ ଆଞ୍ଚଳିକ ସଭାପତି ଧନିରାମ ଗୋପାଳ, ନିରାକାର ଗୋପାଳ, ଶଶୀଧର ନାଗ, ଦୁଃଶାସନ ଭଇସାଲ, ବୈକୁଣ୍ଠ କାଣ୍ଡ ରିଖିରାମ ବାରିକ, ଉଛବ ହଂସ ଉପସଭାପତି ଘାସିରାମ ଖରସେଲ, ଆଞ୍ଚଳିକ ସମ୍ପାଦକ ଚୌବନ କଟା, ଅଧିକ ଜାଲ,ଶିବାଲଲ ବାଗ, ଦିଗାମ୍ବର ବେମାଲ,ସୋସିଆ ହାତୀ, ମଧୁସୂଦନ ବାଗ,କେଶବ ଜୟରାମ ଖରସେଲ, ମଦନ ହଂସ ଉପସ୍ଥିତ ରହିଥିଲେ,କାର୍ଯ୍ୟକ୍ରମ କୁ ବ୍ଲକ ଯାଦବ ସମ୍ପାଦକ ଅରକ୍ଷିତ ଭଇସାଲ ପରିଚାଳନା କରିଥିଲେ
Kalahandi (କଳାହାଣ୍ଡି) • ରିପୋର୍ଟ -ନିରାକାର ଗୋପାଳ, ଧର୍ମଗଡ

ସାମ୍ୟବାଦୀ ଆନ୍ଦୋଳନର ବାର୍ତ୍ତାବହ ରଘୁନାଥ ପଣ୍ଡାଙ୍କ ସ୍ମୃତିସଭା
ବ୍ରହ୍ମପୁର, ୨୯/୦୯/୨୦୨୬: ସ୍ୱାଧୀନତା ସଂଗ୍ରାମୀ, ଚାଷୀ-ମୁଲିଆ ଓ ଶ୍ରମିକ ନେତା ତଥା କବିରାଜ ରଘୁନାଥ ପଣ୍ଡାଙ୍କ ୧୦୮ତମ ଜନ୍ମଦିବସ ଅବସରରେ ଆଜି ଗିରିରୋଡସ୍ଥିତ ପାଢ଼ୀ ସେଲିବ୍ରେସନ ସଭାକକ୍ଷରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଅଲ୍ ଇଣ୍ଡିଆ ଖେତ ମଜଦୂର କିଶାନ ସଭାର ଜିଲ୍ଲା ସଭାପତି ତଥା ଆଇନଜୀବୀ ଅବନୀ ଗୟା ସଭାରେ ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମ ଓକିଲ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଭଗବାନ ସାହୁ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୁର୍ବତନ ସମ୍ପାଦକ ପ୍ରକାଶ ପାତ୍ର,ପୁର୍ବତନ ମନ୍ତ୍ରୀ ରାଘବ ପରିଡ଼ା, ଶିକ୍ଷାବିତ ଦେବୀ ପ୍ରସାଦ ସାହୁ, ଓମ୍ ପ୍ରଭାତ କ୍ଳବ୍ ସଭାପତି ଦେବରାଜ ଦାଶ, ସେବା ନିବୃତ ଶିକ୍ଷକ ସଙ୍ଗଠନର ନେତା ଶ୍ୟାମ ସୁନ୍ଦର ଖାଡଙ୍ଗା ଅତିଥି ଭାବେ ଯୋଗଦେଇ ରଘୁନାଥ ପଣ୍ଡାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଜନସେବା ଓ ସାମ୍ୟବାଦୀ ଆନ୍ଦୋଳନରେ ଅବଦାନ ଉପରେ ଆଲୋକପାତ କରିଥିଲେ। ରଘୁନାଥ ପଣ୍ଡା ବ୍ରିଟିଶ ବିରୋଧୀ ସ୍ୱାଧୀନତା ସଂଗ୍ରାମରେ ଭାଗ ନେବା ସହ ଜମିଦାରୀ ଓ ମୁସ୍ତାଦାରୀ ପ୍ରଥା ବିରୋଧରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସ୍ୱାଧୀନ ଭାରତରେ ଗଞ୍ଜାମ ଜିଲ୍ଲାର ତାକରଡ଼ାରେ ହୋଇଥିବା ଐତିହାସିକ କୃଷକ ଆନ୍ଦୋଳନରେ ମଧ୍ୟ ସେ ଜଣେ ପ୍ରମୁଖ ନେତା ଥିଲେ। ତତ୍କାଳୀନ ଆସିକା ବିଧାୟକ ହରିହର ଦାସଙ୍କ ସମୟରେ ରଘୁନାଥ ପଣ୍ଡା ଗୁଣ୍ଠପଡ଼ାଠାରେ ହାଇସ୍କୁଲ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ। ତାଙ୍କ ନେତୃତ୍ୱରେ କମ୍ୟୁନିଷ୍ଟ ପାର୍ଟିର ଦୀର୍ଘଦିନର ଆନ୍ଦୋଳନ ଫଳରେ ଗୁଣ୍ଠପଡ଼ା, ସୁମନ୍ତପଲ୍ଲୀ, ମଙ୍ଗଳପୁର, କଦମ୍ବଘାଇ ଓ କୁଣିଆ ଅଞ୍ଚଳରେ କେନାଲ ନିର୍ମାଣ ହୋଇ ଲୋକଙ୍କ ଦୀର୍ଘଦିନର ଜଳସଙ୍କଟ ଦୂର ହୋଇଥିଲା। ବଡ଼ନଦୀର ପଟ୍ଟଘାଇ ନିର୍ମାଣ ଦ୍ୱାରା ବାରମ୍ବାର ନଦୀବଢ଼ି ଓ ବନ୍ୟାରୁ ମଧ୍ୟ ଲୋକେ ରକ୍ଷା ପାଇଥିଲେ। ଗୁଣ୍ଠପଡ଼ା ପଞ୍ଚାୟତର ସରପଞ୍ଚ ଭାବେ ସେ ସମସ୍ତ ଗାଁକୁ ରାସ୍ତା ସଂଯୋଗ, ପୋଖରୀ ଖନନ ଏବଂ ଯୁବକ-ଯୁବତୀ ଓ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଭଳି ବହୁ ସାମାଜିକ କାର୍ଯ୍ୟ କରିଥିଲେ। କବିରାଜ ଭାବେ ସେ ବିଭିନ୍ନ ଗ୍ରାମର ଲୋକଙ୍କୁ ନିଶୁଳ୍କ ଚିକିତ୍ସା ସେବା ଯୋଗାଇ ଆସୁଥିଲେ। ଜନସାଧାରଣଙ୍କ ସେବା ଓ ଅଧିକାର ପାଇଁ ତାଙ୍କର ଦୀର୍ଘ ସଂଗ୍ରାମ ତାଙ୍କୁ ସାମ୍ୟବାଦୀ ଆନ୍ଦୋଳନର ଜଣେ ନିଷ୍ଠାବାନ ବାର୍ତ୍ତାବହ ଭାବେ ସ୍ମରଣୀୟ କରିଛି। ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ବରିଷ୍ଠ ନାଗରିକ ସଂଘର ଉପ ସଭାପତି ସୀମାଞ୍ଚଳ ପ୍ରସାଦ ବିଷୋୟୀ, ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, କବି ପ୍ରଫୁଲ୍ଲ କୁମାର ମହାପାତ୍ର, ରବୀନ୍ଦ୍ର କୁମାର ପଣ୍ଡା, ଆଶା କିରଣ ପଣ୍ଡା, ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ଅଧ୍ୟାପକ ମନୋରଞ୍ଜନ ସାହୁ, ଇଞ୍ଜିନିୟର ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଆପ୍ ନେତା ଆଦିତ୍ୟ ରଥ, ସୁରେନ୍ଦ୍ର ମହାପାତ୍ର, କିଶୋର ପାତ୍ର, ଗଗନ ଚନ୍ଦ୍ର ପ୍ରଧାନ, ଗୁଣନିଧି ବେହେରା, କୁନି ଦେବୀ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସୁରେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ: ଦୀପକ କୁମାର ଚୌଧୁରୀ

ଜାତୀୟ ରାଜପଥର ଦୁର୍ଦଶା ଚିନ୍ତାଜନକ
ବଅଁରପାଳ: ବଅଁରପାଳଠାରୁ ତାଳଚେର ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଦୁର୍ଦଶା ଏବେ ଚିନ୍ତାଜନକ ରୂପ ନେଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ଓ ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ତାଳଚେର ଶିଳ୍ପାଞ୍ଚଳରୁ ସରକାର ବିପୁଳ ରାଜସ୍ୱ ପାଉଥିବା ସତ୍ତ୍ୱେ ରାଜପଥର ଏଭଳି ଅବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଜାତୀୟ ରାଜପଥର ମରାମତି ଓ ସ୍ଥାୟୀ ଉନ୍ନତି କରାଯାଇ ଲୋକଙ୍କ ଯାତାୟାତକୁ ସୁରକ୍ଷିତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ ,ଅନୁଗୋଳ

ସେବା ସଙ୍କଳ୍ପ ଅଭିଯାନ’ରେ ବାମୁରରେ ପୋଷଣର ବାର୍ତ୍ତା
ଅନୁଗୋଳ: କିଶୋରନଗର ବ୍ଲକ୍ ଅନ୍ତର୍ଗତ ବାମୁର ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ‘ସେବା ସଙ୍କଳ୍ପ ଅଭିଯାନ’ ଓ ‘ନବମ ପୋଷଣ ମାସ’ ଅବସରରେ ‘ସେବା ସମ୍ବାଦ’ ଏବଂ ‘ଅଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ବିଭିନ୍ନ ହିତାଧିକାରୀଙ୍କୁ ସମ୍ମାନିତ କରିଥିଲେ। ଏଥିସହ ଶିଶୁମାନଙ୍କୁ ଫଳ ଓ ପୁସ୍ତକ ବଣ୍ଟନ କରି ସେମାନଙ୍କ ସହ ସମୟ ବିତାଇଥିଲେ। କାର୍ଯ୍ୟକ୍ରମରେ ପୋଷଣ ଓ ସ୍ଥାନୀୟ ପୁଷ୍ଟିକର ଖାଦ୍ୟକୁ ଗୁରୁତ୍ୱ ଦେଇ ବିଭିନ୍ନ ମିଲେଟ୍ ଭିତ୍ତିକ ଖାଦ୍ୟର ପ୍ରଦର୍ଶନୀ କରାଯାଇଥିଲା। ଶ୍ରୀ ପ୍ରଧାନ ପ୍ରଦର୍ଶନୀ ବୁଲି ଦେଖିବା ସହ ମିଲେଟ୍ ପୋଡ଼ପିଠା, କାକରା, କେକ୍ ଓ କୁକିଜ୍ ଆଦି ଖାଦ୍ୟ ସାମଗ୍ରୀ ସମ୍ପର୍କରେ ଅବଗତ ହୋଇଥିଲେ। ଶିଶୁ ଓ ମା’ମାନଙ୍କ ପୋଷଣ, ଅଙ୍ଗନବାଡ଼ି କେନ୍ଦ୍ରର ଭୂମିକା ଏବଂ ଜନସାଧାରଣଙ୍କ ସହଭାଗିତା ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ କିଶୋରନଗର ,ଅନୁଗୋଳ

୮୦୦ କିଲୋରୁ ଅଧିକ ଗଞ୍ଜେଇ ନଷ୍ଟ, ମୂଲ୍ୟ ୮୦ ଲକ୍ଷରୁ ଅଧିକ
ଅନୁଗୋଳ: ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’ର ଅଂଶସ୍ୱରୂପ ଅନୁଗୋଳ ପୋଲିସ ପକ୍ଷରୁ ବଡ଼ ପରିମାଣରେ ଜବତ ଗଞ୍ଜେଇ ନଷ୍ଟ କରାଯାଇଛି। ଅନୁଗୋଳ ଏସ୍ପିଙ୍କ ତତ୍ତ୍ୱାବଧାନରେ ଅନୁଗୋଳସ୍ଥିତ ନାଲକୋ ଇନସିନେରେଟରରେ ୮୦୦ କିଲୋଗ୍ରାମରୁ ଅଧିକ ଜବତ ଗଞ୍ଜେଇ ନଷ୍ଟ କରାଯାଇଥିବା ବେଳେ, ଏହାର ଆନୁମାନିକ ବଜାର ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ବେଆଇନ ନିଶାଦ୍ରବ୍ୟର କାରବାର ଓ ଚୋରାଚାଲାଣକୁ ରୋକିବା ସହ ନିଶା ବିରୋଧୀ ଅଭିଯାନକୁ ଆହୁରି ସୁଦୃଢ଼ କରିବା ଦିଗରେ ଅନୁଗୋଳ ପୋଲିସର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ନିଶା କାରବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜବତ ନିଶାଦ୍ରବ୍ୟର ନିରାପଦ ନଷ୍ଟକରଣ ମାଧ୍ୟମରେ ଅନୁଗୋଳ ପୋଲିସ ନିଜର ପ୍ରତିବଦ୍ଧତା ଜାରି ରଖିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ପ୍ରସ୍ତୁତି ବୈଠକ
ଢେଙ୍କାନାଳ, ୨୯.୯- ଢ଼େଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚ଼ଳିତବର୍ଷ ଗଜଲକ୍ଷ୍ମୀ ପୂଜାକୁ ଅଧିକ ଆକର୍ଷଣୀୟ କରି ଭାଇଚାରା ମଧ୍ୟରେ ସମାପନ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସହର ମଧ୍ୟରେ ନିୟମିତ ଭାବେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସରବରାହ ଓ ପରିଷ୍କାର ପରିଚ୍ଛନ୍ନ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଗୁରୁତ୍ଵାରୋପ କରିଥିଲେ । ଆସନ୍ତା ଅକ୍ଟୋବର ୨୫ ରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ନଭେମ୍ବର ୪ ରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ମିଳିତ ଲକ୍ଷ୍ମୀପୂଜା ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଚ଼ଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମିଳିତ ପୂଜା କମିଟିର ସଭାପତି ଶ୍ରୀ ରାମ ଚ଼ନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ଏଥି ନିମନ୍ତେ ସେ ସମସ୍ତ ପୂଜା ପ୍ରତିଷ୍ଠାନ ଓ ବିଭାଗୀୟ ଅଧିକାରୀମାନଙ୍କ ପୂର୍ଣ୍ଣ ସହଯୋଗ କାମନା କରିଥିଲେ । ଆଇନ ଶୃଙ୍ଖଳା ମଧ୍ୟରେ ପୂଜା ସମାପନ ହେବ, ଦର୍ଶକମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଆଜିଙ୍କ୍ୟ ବାବୁରାଓ ପ୍ରକାଶ କରିଛନ୍ତି । ସୁରକ୍ଷିତ ପରିବେଶ ମଧ୍ୟରେ ପୂଜା ସମାପନ ହେବ ଏବଂ ବୃଦ୍ଧ-ବୃଦ୍ଧା, ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ ପୂର୍ବକ ଭସାଣି ଯାତ୍ରା ସମୟରେ ଡିଜେ ସାଉଣ୍ଡକୁ ସଂପୂର୍ଣ୍ଣ ବାରଣ କରାଯାଉଛି ବୋଲି ସେ କହିଛନ୍ତି । ସମସ୍ତ ପୂଜା ମଣ୍ଡପରେ ସିସି ଟିଭି ଲଗାଇବା ସହିତ ସୁରକ୍ଷିତ ତୋରଣ ନିର୍ମାଣ ପାଇଁ ସେ ପରାମର୍ଶ ଦେଇଥିଲେ । ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଯାନବାହାନ ପାଇଁ ପାର୍କିଂ କୁ ବ୍ୟବସ୍ଥିତ କରାଯିବ ବୋଲି ସେ କହିଛନ୍ତି । ପ୍ରାରମ୍ଭରେ ଉପ ଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ ଉପସ୍ଥିତ ସମସ୍ତ ୪୧ ଟି ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କୁ ସ୍ଵାଗତ ଜଣାଇ ଲକ୍ଷ୍ମୀ ପୂଜାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ, ଅସ୍ଥାୟୀ ଶୌଚାଳୟ ନିର୍ମାଣ ସହିତ ସହର ମଧ୍ୟରେ ଥିବା ସମସ୍ତ ଶୌଚାଳୟ ଗୁଡିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ,ରାସ୍ତାଘାଟ ମରାମତି, ସହର ସଫାସୁତୁରା , ନାଳ ନର୍ଦ୍ଦମା ସଫା, ଟ୍ୟାଙ୍କର ଓ ସିନ୍ଟେକ୍ସ ଯୋଗେ ପାନୀୟ ଜଳ ଯୋଗାଣ, ସୁରକ୍ଷିତ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପ୍ରାଥମିକ ଆଶୁ ଚିକିତ୍ସା ବ୍ୟବସ୍ଥା,ସହର ମଧ୍ୟରେ ଆଲୋକ ବ୍ୟବସ୍ଥା, ଗାଇ ଗୋରୁ ହଟାଇବା, କର୍ମକର୍ତ୍ତାମାନଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା ସଂପର୍କରେ ବୈଠକରେ ଆଲୋଚ଼ନା ହୋଇଥିଲା । ଏହି ବୈଠକରେ ଆଇ.ଏ.ଏସ. (ପ୍ରୋବେସନ) ସୁଧା ଚୈହାନ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀଙ୍କ ସମେତ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ । ଶେଷରେ ଉପ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଏଥର ଦଶହରା ବଳଦ ଯାତ୍ରାରେ ବାଜିବନି ଡି ଜେ ଦୁର୍ଗା ପୂଜା କ୍ରିୟାନୁଷ୍ଠାନ କମିଟିର ନିଷ୍ପତି
ଢେ଼ଙ୍କାନାଳ ୨୯.୯- ଢେ଼ଙ୍କାନାଳ ଜିଲ୍ଲା ଭୁବନର ଐତିହାସିକ ଦଶହରା ବଳଦ ଯାତ୍ରା (ଭସାଣି ଯାତ୍ରା)ରେ ଡି ଜେ ନ ବାଜିବାକୁ ଦୁର୍ଗାପୂଜା କ୍ରିୟାନୁଷ୍ଠାନ କମିଟି ନିଷ୍ପତି ନେଇଛି। ଭୁବନ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଦୁର୍ଗାପୂଜା କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟକାରୀ ସଭାପତି ସନ୍ଦୀପ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦୁର୍ଗାପୂଜା ,ବଳଦ ଯାତ୍ରା ଓ ଭସାଣି ଯାତ୍ରାକୁ ଅତ୍ୟନ୍ତ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବାକୁ ପ୍ରଥମ ଥର ମା ' ଦୁର୍ଗା ମିଳିତ ପୂଜା କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ମିଳିତ ଭାବେ ମାଟି ଉଠାଣ କାର୍ଯ୍ୟ ହୋଇଛି । ଏହାକୁ ସମଗ୍ର ଭୁବନ ବାସୀ ଉଚ୍ଚ ପ୍ରଶଂସା କରିଥିଲେ। ପୂଜା ପରିଚାଳନା,ସାଜସଜ୍ଜା ସହିତ ଶବ୍ଦ ପ୍ରଦୂଷଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଭସାଣି ଯାତ୍ରା ସନ୍ଧ୍ୟା ୬ ଘଟିକା ସୁଦ୍ଧା ସମସ୍ତ ୧୩ ଟି ଦୁର୍ଗା ଓ ହର ପାର୍ବତୀ ମେଢ଼ ଗୁକୁରି ହାଟ ଅତିକ୍ରମ କରିବେ । ସର୍ବ ପ୍ରଥମେ ବନ ଦୁର୍ଗା ଓ ସର୍ବ ଶେଷରେ ଗୁଜୁରି ହାଟ ଦେଶ ଦୁର୍ଗା ମେଢ଼ ରହିବେ ଏବଂ ବନ ଦୁର୍ଗା ମେଢ଼ ପଛକୁ କ୍ରମାନ୍ୱୟରେ ଅନ୍ୟ ଦୁର୍ଗା,ହର ପାର୍ବତୀ ମେଢ଼ ରହିବାକୁ ନିଷ୍ପତି ହୋଇଥିଲା । ଗୁଜୁରି ହାଟ ଶୋଭାଯାତ୍ରା ର ପ୍ରବେଶ ପଥ ରହିବ । ଭସାଣି ଯାତ୍ରାରେ ଡି ଜେ ସମ୍ପୂର୍ଣ ବନ୍ଦ କରିବାକୁ କ୍ରିୟାନୁଷ୍ଠାନ କମିଟି ନିଷ୍ପତି ନେଇଛି। ପାରମ୍ପରିକ ବାଦ୍ୟ ଯନ୍ତ୍ର,ଲୋକ ନୃତ୍ୟ ଓ ସାଂସ୍କୃତିକ ପ୍ରଣାଳୀରେ ଶାନ୍ତି ଶୃଙ୍ଖଳା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଭସାଣି ଯାତ୍ରା ସମ୍ପନ୍ନ କରିବାକୁ ନିଷ୍ପତି ନେଇ ସମୟ ଓ ରୁଟ୍ ଚାର୍ଟ ପାଇଁ ଦଶହରା ଶାନ୍ତି କମିଟି ସଭାପତି କାମାକ୍ଷା ନଗର ଉପ ଜିଲ୍ଲାପାଳ ବିକାଶ କୁମାର ମହାନ୍ତି ଙ୍କୁ ଭେଟି ଆଲୋଚନା କରିବା ସମ୍ପର୍କରେ ସୂଚନା ଦିଆ ଯାଇଥିଲା। ଦଶହରା ପ୍ରସ୍ତୁତି ବୈଠକରେ ଶାନ୍ତି କମିଟି ସଦସ୍ୟ ଏବଂ ବଳଦିଆ କମିଟି ସଦସ୍ୟଙ୍କ ସହ ଏ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଆବାହକ ଲକ୍ଷ୍ମୀଧର ସାହୁ ଙ୍କ ସମେତ ନରେଶ ଚନ୍ଦ୍ର ମିଶ୍ର,ଗିରିଶ ମହାରଣା,ରବୀନ୍ଦ୍ର ନାୟକ,ବିଳାସ ସାମଲ,ସରୋଜ କୁମାର ସାହୁ,ଦେବ ପ୍ରସାଦ ସେନ,ସୁଶାନ୍ତ ବେହେରା ଙ୍କ ସମେତ ବିଭିନ୍ନ ପୂଜା କମିଟି ସଭାପତି ଓ ସମ୍ପାଦକ ମାନେ ଯୋଗଦେଇଥିଲେ । ଶେଷରେ କ୍ରିୟାନୁଷ୍ଠାନ କମିଟି ସମ୍ପାଦକ ଧୀରେନ୍ଦ୍ର କୁମାର ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଅଙ୍ଗନୱାଡି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ପାଳିତ l
ଟିଟିଲାଗଡ଼ :-ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ରାଜ୍ୟର ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ଠାରେ ୨୭ସେପ୍ଟେମ୍ବର ଠାରୁ ୨୯ସେପ୍ଟେମ୍ବର ତାରିଖ ପର୍ଯ୍ୟନ୍ତ ଆଙ୍ଗନ କା ଉତ୍ସବ ପାଳିତ ହୋଇଥିବାବେଲେ, ବିନେକେଲା ଅଙ୍ଗନୱାଡି ଖ 'ଠାରେ ମଧ୍ୟ ପାଳିତ ହୋଇଥିଲା l ଏଥିରେ ପ୍ରଥମଦିନରେ ପୋଷଣ ପିଠା, ରେସିପି ପ୍ରଦର୍ଶନୀ ଓ ବାପାଙ୍କ ସ୍ୱତନ୍ତ୍ର ଯୋଗଦାନ, ଦ୍ୱିତୀୟ ଦିନରେ ଜେଜେ ବାପା ଓ ଜେଜେ ମା ମାନଙ୍କୁନେଇ ପୌରାଣିକ ଓ ଶିକ୍ଷାଭିତ୍ତିକ ଗଳ୍ପ କଥନ ଓ ଗୀତ, ଏବଂ ପ୍ରାକବିଦ୍ୟାଳୟ ଶିଶୁମାନଙ୍କୁ ନିମନ୍ତେ ଏକ ପ୍ୟାକେଟ ଲସି ତାସହିତ ସ୍ଥାନୀୟଭାବେ ଉପଲବ୍ଧ ଫଳମୂଳ ଓ ମିଲେଟ କୋକିଜ ପ୍ରଦାନ କରାଯାଇଥିଲା l ତୃତୀୟ ଦିନରେ ପୋଷଣ, ସୁଭଦ୍ରା, ମମତା, ଏବଂ ମହିଳା ଶିଶୁ କଲ୍ୟାଣ ବିଷୟରେ ଆଲୋଚନା କରାଯାଇଥିଲା l ଓ ଅଙ୍ଗନୱାଡି କର୍ମୀ ଆଶାକର୍ମୀ, ଅଙ୍ଗନବାଡି ସହାୟିକାଙ୍କୁ ତାଙ୍କ କାର୍ଯ୍ୟପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା l ସମସ୍ତଙ୍କ ପାଇଁ ତ୍ରିରଙ୍ଗା ପ୍ଲେଟର ଏକ ଲଞ୍ଚ ପ୍ରସ୍ତୁତି କରାଯାଇଥିଲା l ଏହି ତୃତୀୟ ଦିବସରେ ମୁଖ୍ୟ ଅତିଥିଭାବେ ବିନେକେଲା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଯଂଜ୍ଞସେନି ସାହୁ ଏବଂ ସମ୍ମାନିତ ଅତିଥିରୂପେ ୱାର୍ଡମେମ୍ବର ଶ୍ରୀମତୀ ନିର ମାଝୀ ଏବଂ AMC କମିଟି ସଦସ୍ୟମାନେ ଉପସ୍ଥିତରେ ପ୍ରଥମଦିନର ରେସିପି ପ୍ରତିଯୋଗିତାରେ କୃତକାର୍ଯ୍ୟ ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିବା ବାପା ମାନଙ୍କୁ ଜିଲ୍ଲାପାଳଙ୍କ ସ୍ଵାକ୍ଷର ପ୍ରମାଣପତ୍ର ଓ ଏକ ଫଳ ବାସ୍କେଟ ଦେଇ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଏବଂ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା l
Balangir (ବଲାଙ୍ଗୀର) • ରିପୋର୍ଟ : କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀର
