Web News

ଓଡ଼ିଆ ଭାଷା ବିକାଶ ମଞ୍ଚର ମାସିକ ସାହିତ୍ୟ ଆସର
ରାଉରକେଲା: ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ର ମାସିକ ସାହିତ୍ୟ ଆସର କଲ୍ଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ମୁଖ୍ୟଅତିଥି ଭାବେ ଡା କୃପାସିନ୍ଧୁ ନାୟକ,ଆଲୋଚକ ଭାବେ ଗଗନ ବିହାରୀ ଧଳ ଯୋଗଦେଇଥିଲା ବେଳେ ବଳରାମ ରାଉଳ ସଭାପତିତ୍ବ କରିଥିଲେ। ଆଲୋଚକ ଶ୍ରୀ ଧଳ ଇତିହାସ ପୁନର୍ଲିଖନ ବିଷୟରେ ଆଲୋଚନା କରି କହିଲେ ଯେ ବୈଜ୍ଞାନିକ ଓ ଯୁକ୍ତିସଙ୍ଗତ ଆଲୋଚନା କରିବାକୁ ହେଲେ ପ୍ରଥମେ ଆମକୁ ଇତିହାସ କ’ଣ ତାହା ବୁଝିବାକୁ ପଡ଼ିବ। ଇତିହାସ କେବଳ ଅତୀତର କାହାଣୀ ନୁହେଁ। ଏହା ପ୍ରମାଣ ଉପରେ ଆଧାରିତ ବିଜ୍ଞାନ। ପ୍ରତ୍ନତତ୍ତ୍ୱ, ଶିଳାଲେଖ, ମୁଦ୍ରା, ସାହିତ୍ୟ, ବିଦେଶୀ ପର୍ଯ୍ୟଟକଙ୍କ ବିବରଣୀ, ଡିଏନଏ ଅଧ୍ୟୟନ ଭଳି ବହୁ ଉତ୍ସରୁ ତଥ୍ୟ ସଂଗ୍ରହ କରି ଇତିହାସ ଲେଖାଯାଏ। ତେଣୁ ଯେ କୌଣସି ପୁନର୍ଲିଖନ ଦାବି କଲେ ତାହା ଭାବାବେଗ ନୁହେଁ, ପ୍ରମାଣ ଦ୍ୱାରା ପରୀକ୍ଷିତ ହେବା ଉଚିତ। ମୁଖ୍ୟଅତିଥି ଡା ନାୟକ ପ୍ରାକ୍ତନ ରାଜ୍ୟପାଳ ସୁରେନ୍ଦ୍ର ନାଥ ଦ୍ବିବେଦୀ ଙ୍କ ଜୀବନାଦର୍ଶ ସମ୍ପର୍କରେ ଅଧିକ ଆଲୋଚନା ଓ ଲିଖନ ସମ୍ପର୍କରେ ଗୁରୁତ୍ୱାରୋପ ସହ ଏକ କବିତା ପାଠ କରିଥିଲେ। ପରେ ଗୈ।ତମ ଦାସ ବିଚାର ନାମରେ ଏକ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନା କରିଥିବା ବେଳେ ସର୍ବଶ୍ରୀ ପ୍ରତାପ ପଣ୍ଡା, ହୃଦାନନ୍ଦ ପଟେଲ, କୁଞ୍ଜବିହାରୀ ରାଉତ, ସଞ୍ଜୀବ କୁମାର ଭୋଇ, ବ୍ରଜେନ୍ଦ୍ର ଦାଶ, ରଶ୍ମି ସାହୁ,ପରେଶ ବିଶ୍ବାଳ, ଗୀତାରାଣୀ ବେହେରା, ଅଶୋକ ପଟ୍ଟନାୟକ,ଆଲୋକ ବୋଷ, ଅକ୍ଷୟ ସାମଲ, ବଳରାମ ରାଉଳ, କାଶୀନାଥ ପାତ୍ର ପ୍ରମୁଖ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡ ବସନ୍ତ କୁମାର ଦାସ, ପୀତବାସ ପ୍ରଧାନ,ଜଗନ୍ନାଥ ରାଉତ, ସସ୍ମିତା ପ୍ରଧାନ,ଡ ସୁମନ ଦତ୍ତ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବସନ୍ତ ନାୟକ, ସୁକାନ୍ତ ମହାପାତ୍ର, ପର୍ଶୁରାମ ପଟ୍ଟନାୟକ, ନଗେନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଓଡ଼ାପଡ଼ାଠାରେ ସେବା ସଂକଳ୍ପ ଅଭିଯାନ
ଢେଙ୍କାନାଳ ୨୮.୯- ଆଜି ମଧ୍ୟାହ୍ନରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଢେଙ୍କାନାଳ ତରଫରୁ “ସେବା ସଂକଲ୍ପ ଅଭିଯାନ – ୨୦୨୬” ପଞ୍ଚାୟତ ସମିତି, ଓଡାପଡା, ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ, ଶ୍ରୀ ଆଶିଷ ଇଶ୍ଵର ପାଟିଲ, ସୁଧା ଚୌହାନ, (ଭା.ପ୍ର.ସେ.), ପ୍ରୋବେସନ, ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ଆରକ୍ଷୀ ଅଧୀକ୍ଷକ, ଶ୍ରୀ ଦିପ୍ତିରଞ୍ଜନ ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ-ସହ-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଦିଲ୍ଲୀପ କୁମାର ଷଡଙ୍ଗୀ,ବ୍ଲକ ଉନ୍ନୟନ ଅଧିକାରୀ, ଓଡାପଡା, ଶ୍ରୀ ତପନ କୁମାର ସୂତାର, ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଶ୍ରୀ ଭବାନୀ ଶଙ୍କର ବେଜ, ସହାୟକ ଶ୍ରମ ଅଧିକାରୀ, ଢେଙ୍କାନାଳଙ୍କ ଉପସ୍ଥିତିରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ/ମନୋନୀତ ବ୍ୟକ୍ତିଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଅଛି । ଉକ୍ତ ଶିବିରରେ ୨ ଜଣ ଆବେଦନକାରୀଙ୍କୁ ଟ. ୪୮,୪୦୦/- (ଶିକ୍ଷା ସହାୟତା), ୪ ଜଣ ଆବେଦନକାରୀଙ୍କୁ ଟ. ୨,୦୦,୦୦୦ /- (ବିବାହ ସହାୟତା), ୪ ଜଣ ମନୋନୀତ ବ୍ୟକ୍ତିଙ୍କୁ ଟ. ୧୦,୦୦,୦୦୦/- (ମୃତ୍ୟୁକାଳୀନ ସହାୟତା) ଓ ୩ ଜଣ ମନୋନୀତ ବ୍ୟକ୍ତିଙ୍କୁ ଟ. ୧୫,୦୦୦/-(ଅନ୍ତ୍ୟେଷ୍ଟିକ୍ରିୟା ସହାୟତା) ସର୍ବ ମୋଟ ୧୩ ଜଣ ନିର୍ମାଣ ଶ୍ରମିକଙ୍କୁ ଟ. ୧୨,୬୩,୪୦୦/- ଙ୍କା ରାଶି ହିତାଧିକାରୀଙ୍କ ଆକାଉଣ୍ଟ କୁ NEFT/RTGS ମାଧ୍ୟମରେ ପ୍ରଦାନ କରାଯାଇଅଛି ଏବଂ ୫୦ ଜଣ ହିତାଧିକାରୀ ଙ୍କୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର
ଗାଇସିଲେଟ -ଗାଇସିଲେଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲଙ୍କ ବ୍ୟତୀତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ, ଉପଜିଲ୍ଲାପାଳ ଶ୍ରୀ ହେମସାଗର ଭୋଇ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାଣ୍ଡବ ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମାଝୀ ଏବଂ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ କି, ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଆଧାରିତ ସମୁଦାୟ ୧୬୧ ଗୋଟି ଅଭିଯୋଗ ମଧ୍ୟରୁ ୧୦୫ ଗୋଟି ବ୍ୟକ୍ତିଗତ ଏବଂ ୫୬ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବରପାଲି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଖେମେସରା–ଜଗନ୍ନାଥ ନଗର ରାସ୍ତାକୁ ନେଇ ରାଜନୀତି
ବରଗଡ଼ -ବରଗଡ଼ ଜିଲ୍ଲା ବରପାଲି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସ୍ଥାନୀୟ ଆଇବି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବରପାଲି ନଗର ମଣ୍ଡଳ ବିଜେପି ସଭାପତି ପ୍ରତାପ କେଶରୀ ସିଂ ଏଥିରେ ଖେମେସରା–ଜଗନ୍ନାଥ ନଗର ରାସ୍ତା ନିର୍ମାଣ ପ୍ରସଙ୍ଗରେ ଦଳର ପକ୍ଷ ରଖିବା ସହ ଏହି ରାସ୍ତାକୁ ନେଇ ସାମ୍ପ୍ରତିକ ଭାବେ ଉଠୁଥିବା ବିଭିନ୍ନ ଦାବି ଓ ଅଭିଯୋଗ ଉପରେ ନିଜ ମତ ପ୍ରକାଶ କରିଥିଲେ।ଶ୍ରୀ ସିଂଙ୍କ ସୂଚନା ଅନୁଯାୟୀ, ଖେମେସରାରୁ ଜଗନ୍ନାଥ ନଗରକୁ ସଂଯୋଗ କରୁଥିବା ପ୍ରାୟ ୪ କିଲୋମିଟର ଦୀର୍ଘ ଏହି ରାସ୍ତାଟି ପଞ୍ଚାୟତ ସମିତି ଅଧୀନରେ ରହିଛି। ଏହି ରାସ୍ତା ଉପରେ ଆଖପାଖ ଅଞ୍ଚଳର ଲୋକମାନେ ଦୈନନ୍ଦିନ ଯାତାୟାତ ପାଇଁ ନିର୍ଭର କରୁଥିବା ବେଳେ ରାସ୍ତାର ଉନ୍ନତିକରଣ ଓ ନିର୍ମାଣ ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ଦାବି ରହିଆସିଛି।ଏକ ଦୈନିକ ଖବରକାଗଜରେ ଏହି ରାସ୍ତା ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ରାସ୍ତାର ବାସ୍ତବ ସ୍ଥିତି ଓ ନିର୍ମାଣ ପ୍ରକ୍ରିୟା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆଣିବା ଆବଶ୍ୟକ ହୋଇଥିବା ଶ୍ରୀ ସିଂ କହିଥିଲେ। ତାଙ୍କ ଦାବି ଅନୁଯାୟୀ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟାଙ୍କ ପ୍ରଚେଷ୍ଟାରେ ଏହି ରାସ୍ତା ସମ୍ପର୍କରେ ପ୍ରଶାସନିକ ପ୍ରକ୍ରିୟା ଆଗକୁ ବଢ଼ିଛି।ସେ କହିଥିଲେ ଯେ, ୨୫ ଜୁନ ୨୦୨୬ର ପତ୍ର ସଂଖ୍ୟା ୧୪୦/୨୫ ଅନୁସାରେ ଖେମେସରା–ଜଗନ୍ନାଥ ନଗର ରାସ୍ତା ସରକାରଙ୍କ ନିକଟରେ ପଞ୍ଜିକୃତ ହୋଇଥିବା ସହ ଏହାକୁ ବର୍ତ୍ତମାନ ଅନୁମୋଦନ ମିଳିସାରିଛି। ତେଣୁ ଆଗାମୀ ଦିନରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ଦାବି କରିଥିଲେ। ଏହା ଦ୍ୱାରା ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ ସୁଧାର ଆସିବା ସହ ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।ରାସ୍ତା ନିର୍ମାଣ ପ୍ରସଙ୍ଗରେ ପୂର୍ବତନ ବିଧାୟକ ଅଶୋକ କୁମାର ପାଣିଗ୍ରାହୀଙ୍କ ଭୂମିକା ଓ ଦାବିକୁ ନେଇ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ରାଜନୈତିକ ବିବାଦ ଦେଖାଦେଇଥିଲା। ଶ୍ରୀ ସିଂ ଅଭିଯୋଗ କରିଥିଲେ ଯେ, ରାସ୍ତା ନିର୍ମାଣ ପ୍ରସଙ୍ଗରେ ଶ୍ରୀ ପାଣିଗ୍ରାହୀ ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି। ଏହାସହ ସେ ଶ୍ରୀ ପାଣିଗ୍ରାହୀ ବର୍ତ୍ତମାନ କେଉଁ ରାଜନୈତିକ ଦଳରେ ଅଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ।ଶ୍ରୀ ସିଂଙ୍କ କହିବା ଅନୁଯାୟୀ, ଶ୍ରୀ ପାଣିଗ୍ରାହୀଙ୍କୁ ବିଜେପି ପକ୍ଷରୁ ନିଲମ୍ବିତ କରାଯାଇସାରିଛି। ତେଣୁ ବର୍ତ୍ତମାନ ରାସ୍ତା ସମ୍ପର୍କରେ ତାଙ୍କ ପକ୍ଷରୁ ଦିଆଯାଉଥିବା ତଥ୍ୟକୁ ସେ ପ୍ରଶ୍ନ କରିବା ସହ ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ଦାବି କରିଥିଲେ। ରାସ୍ତା ନିର୍ମାଣ ଭଳି ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ନେଇ ରାଜନୈତିକ ଶ୍ରେୟ ନେବା ଉଦ୍ୟମ ନ କରି ବାସ୍ତବ ତଥ୍ୟକୁ ସାମ୍ନାକୁ ଆଣିବା ଆବଶ୍ୟକ ବୋଲି ସେ ମତ ରଖିଥିଲେ।ସେ ଆହୁରି ଅଭିଯୋଗ କରିଥିଲେ ଯେ, କେତେକ ମହଲରୁ ରାଜନୈତିକ ସ୍ୱାର୍ଥ ପାଇଁ ରାସ୍ତା ପ୍ରସଙ୍ଗରେ ଭିନ୍ନ ଭିନ୍ନ ଦାବି କରାଯାଉଛି। ଏହା ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଥିବା ସେ କହିଥିଲେ। ରାସ୍ତାର ଅନୁମୋଦନ, ପଞ୍ଜିକରଣ ଓ ନିର୍ମାଣ ପ୍ରକ୍ରିୟା ସମ୍ପର୍କରେ ସରକାରୀ ରେକର୍ଡ ହିଁ ପ୍ରମୁଖ ଆଧାର ବୋଲି ସେ ଉଲ୍ଲେଖ କରିଥିଲେ।ସାମ୍ବାଦିକ ସମ୍ମିଳନୀରେ ଆଗଲପୁର ମଣ୍ଡଳ ବିଜେପି ସଭାପତି ପ୍ରଦୀପ ପଧାନ, ସତଲମା ମଣ୍ଡଳ ବିଜେପି ସଭାପତି ପ୍ରଶାନ୍ତ ସାହୁଙ୍କ ସମେତ ବିଜେପିର ବିଭିନ୍ନ ମଣ୍ଡଳ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ମହାନଦୀ ବନ୍ୟାରେ ଅମ୍ବାଭୋନାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ଶହ ଶହ ଏକର ଚାଷଜମି ଜଳମଗ୍ନ, ଉଦ୍ଧାର ହେଲେ ବିପଦଶଙ୍କୁଳ ଲୋକେ
ବରଗଡ଼: ମହାନଦୀର ବନ୍ୟାଜଳ ବଢ଼ିବା ଯୋଗୁଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖିଲି ସମେତ ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। ଅନେକ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବାରୁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ବନ୍ୟାପାଣିରେ ଧାନ ଓ ପନିପରିବା ଚାଷ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଚାଷଜମିରେ ପାଣି ଜମି ରହିବା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏପଟେ ବନ୍ୟାର ପ୍ରଭାବରେ ମତ୍ସ୍ୟଜୀବୀମାନେ ମଧ୍ୟ କ୍ଷତି ସହିଛନ୍ତି। କେତେକ ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗା ବନ୍ୟାଜଳରେ ଭାସିଯାଇଥିବା ଜଣାପଡ଼ିଛି। ପରିସ୍ଥିତି ଗମ୍ଭୀର ହେବାରୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅଗ୍ନିଶମ ବାହିନୀ ଓ ପ୍ରଶାସନିକ ଟିମ୍ ପକ୍ଷରୁ ବିପଦଶଙ୍କୁଳ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରାଯାଇଛି। ବନ୍ୟାଜଳ ଘେରରେ ରହିଥିବା ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀରେ ରହୁଥିବା ବନ୍ୟାପ୍ରଭାବିତ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟଜଳ ସମେତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ଅନ୍ୟପଟେ ମହାନଦୀର ଜଳସ୍ତର ଓ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ବନ୍ୟା ଯୋଗୁଁ ଚାଷଜମି ଓ ମତ୍ସ୍ୟଜୀବୀଙ୍କ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରଭାବିତ ଲୋକେ ଦାବି କରିଛନ୍ତି।
Bargarh (ବରଗଡ଼) • ସତ୍ୟ ସୁରୁଜଳ

ଭଙ୍ଗା ଘରେ ଅସହାୟ ୮୫ ବର୍ଷୀୟ ବୃଦ୍ଧା ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କଲା ନିଷ୍ଠା ପରିବାର
ବରଗଡ଼: ଆଧୁନିକତା ଓ ବିକାଶର ଯୁଗରେ ମଧ୍ୟ ଆଜି ଅନେକ ଅସହାୟ ଲୋକଙ୍କ ଜୀବନ ଦୁର୍ଦ୍ଦଶା ମଧ୍ୟରେ କଟୁଛି। ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବରମକେଲା ଗ୍ରାମ ପଞ୍ଚାୟତର ପରମାନପୁର ଗ୍ରାମରୁ। ପରମାନପୁର ଗ୍ରାମରେ ଏକ ପୋଖରୀ କଡ଼ରେ ଭଙ୍ଗାଦଦରା ଘରେ ଏକାକୀ ଜୀବନ କାଟୁଥିଲେ ୮୫ ବର୍ଷୀୟା ବୃଦ୍ଧା ଦୂତୀ ସାହୁ। ତାଙ୍କ ଅବସ୍ଥା ସମ୍ପର୍କରେ ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ପାଇଥିଲେ ନିଷ୍ଠା ପରିବାରର ସଭାପତି ଅଶ୍ୱିନୀ ତ୍ରିପାଠୀ। ଖବର ପାଇବା ପରେ ନିଷ୍ଠା ପରିବାରର କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, ଝସକେତନ ସାହୁ ଓ ବେଣୁ ଧରେଇ ତୁରନ୍ତ ପରମାନପୁର ଅଭିମୁଖେ ବାହାରିଥିଲେ। ସେଠାରେ ପହଞ୍ଚି ବୃଦ୍ଧାଙ୍କ ଘର ଓ ଶାରୀରିକ ଅବସ୍ଥା ଦେଖି ସମସ୍ତେ ଚକିତ ହୋଇପଡ଼ିଥିଲେ। ଦୀର୍ଘଦିନ ଧରି ଖାଦ୍ୟ ଓ ପାନୀୟ ବିନା ଅତ୍ୟନ୍ତ ଅସୁସ୍ଥ ଅବସ୍ଥାରେ ଘର ଭିତରେ ପଡ଼ି ରହିଥିଲେ ଦୂତୀ। ଏପରିକି ସେ ଠିକ୍ ଭାବେ କଥା କହିବାକୁ ମଧ୍ୟ ସକ୍ଷମ ନଥିବା ଜଣାପଡ଼ିଥିଲା। ସୂଚନା ଅନୁସାରେ, ଦୂତୀ ସାହୁଙ୍କ ସ୍ୱାମୀଙ୍କର ପ୍ରାୟ ଦୁଇ ବର୍ଷ ପୂର୍ବେ ମୃତ୍ୟୁ ହୋଇଛି। ତାଙ୍କର କୌଣସି ସନ୍ତାନ ନାହାନ୍ତି। ଗାଁରେ ସମ୍ପର୍କୀୟ ଥିଲେ ମଧ୍ୟ ଆର୍ଥିକ ଅସହାୟତା ଯୋଗୁଁ ସେ ଦୀର୍ଘଦିନ ଧରି ଏକାକୀ ଓ ଅବହେଳିତ ଅବସ୍ଥାରେ ରହୁଥିବା କୁହାଯାଇଛି। ବୃଦ୍ଧାଙ୍କ ଗୁରୁତର ଅବସ୍ଥା ଦେଖି ନିଷ୍ଠା ପରିବାର ପକ୍ଷରୁ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ତେବେ ସେ ସମୟରେ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ପିପିଲିପାଲିର ଦେବାଶିଷ ନନ୍ଦଙ୍କ ସହଯୋଗରେ ଏକ ବୋଲେରୋ ଗାଡ଼ି ଯୋଗେ ଦୂତୀଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବର୍ତ୍ତମାନ ଦୂତୀ ସାହୁଙ୍କ ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି। ମା' ସମଲେଶ୍ୱରୀଙ୍କ ଆଶୀର୍ବାଦରେ ସେ ଶୀଘ୍ର ସୁସ୍ଥ ହୋଇଉଠନ୍ତୁ ବୋଲି ସମସ୍ତେ କାମନା କରିଛନ୍ତି। ଅସହାୟ ଓ ନିରାଶ୍ରୟଙ୍କ ପାଇଁ ନିଷ୍ଠା ପରିବାରର ଏଭଳି ମାନବିକ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ଦୀର୍ଘ ଦଶନ୍ଧୀ ଧରି ଅସହାୟଙ୍କ ସେବାରେ ନିରନ୍ତର — ନିଷ୍ଠା ପରିବାର।
Bargarh (ବରଗଡ଼) • ସତ୍ୟ ସୁରୁଜଳ

ଦେବଗଡ଼ରେ CPR ପ୍ରଶିକ୍ଷଣ ଅଭିଯାନ ଆରମ୍ଭ ନବଉତ୍କଳ ନିର୍ମାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଜୀବନରକ୍ଷାକାରୀ ପ୍ରଶିକ୍ଷଣ
ଦେବଗଡ଼, ୨୮ ସେପ୍ଟେମ୍ବର ୨୦୨୬: ଦେବଗଡ଼ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜୀବନରକ୍ଷାକାରୀ CPR (Cardiopulmonary Resuscitation) ସମ୍ପର୍କିତ ଜ୍ଞାନ ଓ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ନବଉତ୍କଳ ନିର୍ମାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆଜି ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟଠାରେ CPR ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ପ୍ରଶିକ୍ଷଣରେ ହୃଦ୍ଘାତ, ଅଚେତନତା ଓ ବିଭିନ୍ନ ଆପତ୍କାଳୀନ ପରିସ୍ଥିତିରେ କିପରି ତୁରନ୍ତ ଓ ସଠିକ୍ ଭାବରେ CPR ଏବଂ ପ୍ରାଥମିକ ସହାୟତା ପ୍ରଦାନ କରାଯାଇପାରିବ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଜ୍ଞାନ ଓ ସଚେତନତା ପ୍ରଦାନ କରାଯାଇଥିଲା। ଆଜିଠାରୁ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାୟକ୍ରମେ CPR ପ୍ରଶିକ୍ଷଣ ଦେବା ପାଇଁ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଆପତ୍କାଳୀନ ସମୟରେ ତୁରନ୍ତ ସହାୟତା ପ୍ରଦାନ କରି ଜୀବନ ରକ୍ଷା କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୌଳିକ ଦକ୍ଷତା ବିକାଶ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। କାର୍ଯ୍ୟକ୍ରମ ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ସାହୁ, ନବଉତ୍କଳ ନିର୍ମାଣ ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ସୁଜିତ କୁମାର ଖଡ଼ିରତ୍ନ, ପରାମର୍ଶଦାତା ସୁଧୀର ବ୍ରହ୍ମା, ଉପସଭାପତି ମନଭଞ୍ଜନ ଫାତ୍କାର, ସଚିବ ଅଭିଷେକ ପଣ୍ଡା, ସାଂସ୍କୃତିକ ପ୍ରଭାରୀ ଅକ୍ଷୟ ଠାକୁର, ଉପସଚିବ ଚୁମକି ପାତ୍ର ଏବଂ ବୈଷୟିକ ବିଶେଷଜ୍ଞ ବାଦଲ ମୁଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ CPR ସଚେତନତା ବୃଦ୍ଧି କରି ଆପତ୍କାଳୀନ ସମୟରେ ତୁରନ୍ତ ସହାୟତା ପ୍ରଦାନର ଦକ୍ଷତା ବିକାଶ କରିବା ଦିଗରେ ଟ୍ରଷ୍ଟର ଏହି ଅଭିଯାନ ଆଗାମୀ ଦିନରେ ଜାରି ରହିବ ବୋଲି ଜଣାପଡ଼ିଛି। ଶେଷରେ ଟ୍ରଷ୍ଟର ସଚିବ ଅଭିଷେକ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Deogarh (ଦେଓଗଡ଼) • ଦେବଗଡ ଜିଲ୍ଲା ରୁ ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟ

ଆଶା ଦିଦିଙ୍କୁ ଆଶାର କିରଣ ଦେଖାଇଲେ ସମାଜସେବୀ ସୀତା ବରାହଙ୍କୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା
ବଅଁରପାଳ: ଦୀର୍ଘ ୨୦ ବର୍ଷ ଧରି ଆଶାକର୍ମୀ ଭାବେ ଲୋକଙ୍କ ସେବା କରିଆସୁଥିବା ଜଣେ ଆଶା ଦିଦି ଆଜି ନିଜେ ଅସହାୟ। ଗୋଡ଼ ହରାଇବା ସହ ସ୍ୱାମୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇ କାମ କରିବାକୁ ଅସମର୍ଥ ହେବା ପରେ ଆର୍ଥିକ ସଙ୍କଟରେ ପଡ଼ିଥିବା ସୀତା ବରାହଙ୍କ ପାଖରେ ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଉପରସାହିର ସୀତା ବରାହ ପ୍ରାୟ ଦେଢ଼ ବର୍ଷ ପୂର୍ବେ ଅସୁସ୍ଥ ହୋଇଥିଲେ। ଚିକିତ୍ସା ସତ୍ତ୍ୱେ ପ୍ରଥମେ ତାଙ୍କ ଗୋଡ଼ର ଆଙ୍ଗୁଠି କାଟିବାକୁ ପଡ଼ିଥିଲା। ପରେ ସଂକ୍ରମଣ ବଢ଼ିବାରୁ ପ୍ରାୟ ୯ ମାସ ପୂର୍ବେ ତାଙ୍କ ଗୋଡ଼ କାଟିବାକୁ ପଡ଼ିଥିଲା। ଅନ୍ୟପଟେ ତାଙ୍କ ସ୍ୱାମୀ ଅଭିରାମ ବରାହ ମଧ୍ୟ ଏକ ଦୁର୍ଘଟଣାରେ ଆହତ ହୋଇ କାମଧନ୍ଦା କରିବାରେ ଅସମର୍ଥ ହୋଇପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଆଗାମୀ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଥିଲା। ଏ ସମ୍ପର୍କରେ ଖବର ପାଇ ସମାଜସେବୀ ଅଭିମନ୍ୟୁ ସାହୁ ଗୋତମରା ସରପଞ୍ଚ ମଣ୍ଟୁ ବରାହ ଓ ପୂର୍ବତନ ସରପଞ୍ଚ ରବି ନାରାୟଣ ବେହେରାଙ୍କ ସହ ସୀତାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସୀତାଙ୍କୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆଗାମୀ ଦିନରେ ଯଥାସମ୍ଭବ ସହଯୋଗ ଯୋଗାଇଦେବାକୁ ଆଶ୍ୱାସନା ଦେଇଥିଲେ। ଦୀର୍ଘଦିନ ଧରି ନିଜେ ଲୋକଙ୍କ ସେବା କରିଆସୁଥିବା ସୀତା ବରାହଙ୍କ ଦୁଃଖ ସମୟରେ ଏହି ସହାୟତା ମାନବିକତା ଓ ସମାଜସେବାର ଏକ ଉଦାହରଣ ପାଲଟିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ ,ଅନୁଗୋଳ

ଝାରବନ୍ଧ ଡିଗ୍ରୀ କଲେଜ ରେ ୧୦ ଦିନିଆ ଅଗ୍ନିବିର ଆଶାୟୀ ପ୍ରଶିକ୍ଷଣ ଶିବିର
ଝାରବନ୍ଧ - ୨୮/୯: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ର ନିର୍ଦ୍ଦେଶ ଅନୁଯାୟୀ ପଞ୍ଚାୟତ ସମିତି ସ୍ନାତକ ମହାବଦ୍ୟାଳୟ ଝାରବନ୍ଧ ଠାରେ ତିରିଶ ଜଣ ଅଗ୍ନିବିର୍ ଆଶାୟୀ ଯୁବକ ମାନଙ୍କୁ ନେଇ ଏକ ଦଶ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଶିବିରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିଥି ଭାବରେ ଶ୍ରୀଯୁକ୍ତ ସାନନ୍ଦ କୁମାର ସାହୁ, ପୂର୍ବତନ ଜୁନିୟର କଲେଜ ଅଧ୍ୟକ୍ଷ,ଅବସରପ୍ରାପ୍ତ ସୈନିକ ଶ୍ରୀଯୁକ୍ତ ଜୟକୁମାର ସାହୁ, ସୁବାସ ଚନ୍ଦ୍ର ବାରିକ , ଯଜ୍ଞସିଂ ସିଦାର୍,ରମେଶ ଗହୀର ,ଅଗ୍ନିଶମ ବିଭାଗ ଅଧିକାରୀ ,କାର୍ଯ୍ୟରତ ଅଗ୍ନିବୀର ଅଂଶୁମାନ ବିଶ୍ୱାଳ , ଜିତେଶ ନିଆଲ , ମହାପତ୍ ବାଗ , ୟୋଗସିକ୍ଷକ୍ ନିମାଇ ବାରିକ , ଅଧ୍ୟାପକ ସାର୍ତ୍ତିକ ସାହୁ ,ନବୀନ ମେହେର ,ଗଗନ ବିହାରୀ ଡନସନା , ଗ୍ରନ୍ଥାଗରିକ ଅଶୋକ ହାତୀ ,ଦୁର୍ଯ୍ୟୋଧନ ପାଣ୍ଡେ ଯୋଗଦାନ କରିଥିଲେ।ପ୍ରଥମେ ଯୋଗ ଶିକ୍ଷା ଏବଂ ପରେ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ଦିଆଯାଇଥିଲା ।ଶେଷରେ ଅତିଥି ମାନେ ମାନସିକ ଏବଂ ସାଧାରଣ ଜ୍ଞାନ ଶିକ୍ଷା ପ୍ରଦାନ କରିଥିଲେ।
Bargarh (ବରଗଡ଼) • ବଂଶୀଧର ନାୟକ, ଝାରବନ୍ଧ

ତାଳଚେରରେ ଶ୍ରମିକଙ୍କ ହକ୍ ପାଇଁ HMSର ମହାସମାବେଶ
ତାଳଚେର: ତାଳଚେରଠାରେ ହିନ୍ଦ୍ ମଜଦୂର ସଭା (HMS)ର ୧୫ତମ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଶ୍ରମିକମାନଙ୍କ ନ୍ୟାଯ୍ୟ ଅଧିକାର, ସୁରକ୍ଷା ଓ ସ୍ୱାର୍ଥରକ୍ଷା ନେଇ ହୋଇଥିବା ଆଲୋଚନାରେ ଭାଗ ନେଇଥିଲେ। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ HMS ସଭାପତି ବିଜୟ କୁମାର ମହାନ୍ତି ଯୋଗଦେଇଥିବା ବେଳେ ରାଜ୍ୟ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତି, ପୂର୍ବତନ ବିଧାୟକ ରବି ନାରାୟଣ ପାଣି ଓ ମଙ୍ଗଳା କିଶାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରମିକ ନେତୃବୃନ୍ଦ ଯୋଗଦେଇଥିଲେ। ଏହି ଅବସରରେ ଶ୍ରମିକ ଏକତାକୁ ଆହୁରି ସୁଦୃଢ଼ କରିବା ସହ ଶ୍ରମିକମାନଙ୍କ ଅଧିକାର, ସୁରକ୍ଷା ଓ ନ୍ୟାଯ୍ୟ ଦାବି ପ୍ରତି ସମସ୍ତେ ଗୁରୁତ୍ୱ ଦେଇଥିଲେ। ଶ୍ରମିକଙ୍କ ହକ୍ ଓ ଅଧିକାର ପାଇଁ ସଂଘର୍ଷ ଜାରି ରହିବ ବୋଲି ଉପସ୍ଥିତ ନେତୃବୃନ୍ଦ ମତ ପ୍ରକାଶ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ଜମିହରାଙ୍କ ଦୁଃଖ ଶୁଣିଲେ ଉପଜିଲ୍ଲାପାଳ, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
ତାଳଚେର: ତାଳଚେର ଅଞ୍ଚଳର ଜମିହରା ପ୍ରଜାଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ପ୍ରଜ୍ଞାନନ୍ଦନ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନଶୁଣାଣିରେ ଜମିହରା ପ୍ରଜାମାନେ ସେମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ। ଜନଶୁଣାଣିରେ ଏମ୍ସିଏଲ୍ର ବିଭିନ୍ନ କ୍ଷେତ୍ରର ଜେନେରାଲ ମ୍ୟାନେଜର ଓ ଅଧିକାରୀମାନେ ଉପସ୍ଥିତ ରହି ଜମିହରା ପ୍ରଜାଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ଜମି ଅଧିଗ୍ରହଣ, ଥଇଥାନ, କ୍ଷତିପୂରଣ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଉପଜିଲ୍ଲାପାଳ ଶ୍ରୀ ଗିରି ଜମିହରା ପ୍ରଜାଙ୍କ ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ଶୁଣିବା ସହ ଏହାର ଶୀଘ୍ର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଥିଲେ। ଏଥିସହ ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜମିହରାଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଥିଲା। ପ୍ରଶାସନ ଓ ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଆଶ୍ୱାସନ ପରେ ନିଜ ସମସ୍ୟାର ସମାଧାନ ନେଇ ଜମିହରା ପ୍ରଜାଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିବା ଜଣାପଡ଼ିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ତାଳଚେର ସୁଧୀର ବାରିକ ହତ୍ୟାକାଣ୍ଡର ପର୍ଦାଫାଶ, ପତ୍ନୀ ଓ ପ୍ରେମିକ ଗିରଫ
ତାଳଚେର : ତାଳଚେରର ବହୁଚର୍ଚ୍ଚିତ ସୁଧୀର ବାରିକ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ମୃତକଙ୍କ ପତ୍ନୀ ପୂଜା ଓରଫ ସୁସ୍ମିତା ବାରିକ ଏବଂ ଗଡ଼ସନ୍ତ୍ରୀ ଗ୍ରାମର ଜିପୁନ ଓରଫ ସିଦ୍ଧାନ୍ତ ମାଝୀଙ୍କୁ ପୋଲିସ ଗିରଫ କରିଛି। ଗତ ୨୪ ତାରିଖରେ ସୁଧୀର ବାରିକଙ୍କୁ ଘର ତଳେ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା। ପ୍ରାଥମିକ ଭାବେ ସେ ଛାତରୁ ଖସିପଡ଼ିଥିବା ସନ୍ଦେହ କରାଯାଇଥିଲା। ତେବେ ପରିବାର ପକ୍ଷରୁ ଏହାକୁ ନେଇ ସନ୍ଦେହ ପ୍ରକାଶ କରାଯିବା ସହ ପରକୀୟା ସମ୍ପର୍କକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ ହୋଇଥିଲା। ପରିବାରର ଅଭିଯୋଗ ଏବଂ ଘଟଣାସ୍ଥଳର ପରିସ୍ଥିତିକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଏହା ଏକ ପୂର୍ବପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିବା ସୂଚନା ମିଳିଛି। ତଦନ୍ତରୁ ମୃତକଙ୍କ ପତ୍ନୀ ସୁସ୍ମିତା ଏବଂ ସିଦ୍ଧାନ୍ତ ମାଝୀଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିବା ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି। ପୋଲିସର ସୂଚନା ଅନୁସାରେ, ଯୋଜନାବଦ୍ଧ ଭାବେ ଘରର ସିସିଟିଭି ବ୍ୟବସ୍ଥାକୁ ଅଚଳ କରାଯାଇଥିଲା। ସିଦ୍ଧାନ୍ତ ମାଝୀ ପୂର୍ବରୁ ଘରେ ଲୁଚି ରହିଥିଲେ। ପରେ ରାତିରେ ସୁଧୀରଙ୍କୁ ଛାତ ଉପରକୁ ନେଇ ଆକ୍ରମଣ କରାଯିବା ପରେ ତାଙ୍କୁ ଛାତରୁ ତଳକୁ ଫିଙ୍ଗି ଘଟଣାକୁ ଦୁର୍ଘଟଣା କିମ୍ବା ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଥିବା ତଦନ୍ତରୁ ସାମ୍ନାକୁ ଆସିଛି। ଘଟଣାରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ମାମଲାର ଅଧିକ ତଦନ୍ତ ଜାରି ରଖିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ
