--:--:--
-- ---
Srishti News

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା: ଜାଣନ୍ତୁ କଣ ଖୋଲା ରହିବ ଓ କଣ ବନ୍ଦ

Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିSeptember 29, 202665 views
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା: ଜାଣନ୍ତୁ କଣ ଖୋଲା ରହିବ ଓ କଣ ବନ୍ଦ
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଦାବିକୁ ନେଇ ଆସନ୍ତାକାଲି (ସେପ୍ଟେମ୍ବର ୩୦) ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ (NNKS)। ସଂଗଠନର ମୁଖ୍ୟ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଏହାକୁ ସଫଳ କରିବା ପାଇଁ ସଂଗଠନ ପକ୍ଷରୁ ଜନସାଧାରଣଙ୍କୁ ସହଯୋଗ ପ୍ରାର୍ଥନା କରାଯାଇଛି। ବିଶେଷ କରି ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ବିରୋଧ କରି ଏହି ଆନ୍ଦୋଳନ କରାଯାଉଥିବା ସୂଚନା ମିଳିଛି। ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ରାଜ୍ୟରେ କେଉଁ ସେବା ସ୍ୱାଭାବିକ ରହିବ ଏବଂ କେଉଁ ସବୁ ବନ୍ଦ ରହିପାରେ, ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ପ୍ରକାଶ ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବା ସହ ପରିବହନ ସେବା ବାଧାପ୍ରାପ୍ତ ହୋଇପାରେ। ସୁରକ୍ଷା ଓ ସତର୍କତା ଦୃଷ୍ଟିରୁ କିଛି ସ୍ଥାନରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିପାରେ କିମ୍ବା ପାଠପଢ଼ା ପ୍ରଭାବିତ ହୋଇପାରେ। ଜରୁରୀକାଳୀନ ସେବା ଯେପରିକି ଆମ୍ବୁଲାନ୍ସ, ଡାକ୍ତରଖାନା ଏବଂ ଔଷଧ ଦୋକାନ (ମେଡିକାଲ୍ ଷ୍ଟୋର) ଆଦି ବନ୍ଦରୁ ସମ୍ପୂର୍ଣ୍ଣ ମୁକ୍ତ ରହିବ।ଦୁଗ୍ଧ ଯୋଗାଣ ଏବଂ ଗଣମାଧ୍ୟମ ଭଳି ଅତ୍ୟାବଶ୍ୟକ ସେବାଗୁଡ଼ିକ ଜାରି ରହିବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରମୁଖ ଛକ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ସମ୍ମୁଖରେ ପୋଲିସ ଫୋର୍ସ ମୁତୟନ କରାଯିବାର ସୂଚନା ରହିଛି।