--:--:--
-- ---
Srishti News

Web News

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ଠାରୁ ଦୂର ରେ ରହିବାକୁ ସଚେତନତା
Jul 2, 202654 views

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ଠାରୁ ଦୂର ରେ ରହିବାକୁ ସଚେତନତା

ଦିଗପହଣ୍ଡି, ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଥାନା ଏସ.ଆଇ ଶ୍ରୀନିବାସ ଦାସଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପାଟପୁର କଲେଜ ଅଧ୍ୟାପକ ଡ଼.କୈଳାସ ଚନ୍ଦ୍ର ସ୍ବାଇଁ ଅତିଥି ଭାବେ ଯୋଗଦେଇ ‘ ଆମ ସଂକଳ୍ପ ନିଶା ନୁହେଁ ଜୀବନ’ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜନଜାତି ସମ୍ପ୍ରଦାୟ ବିଶେଷ କରି ଯୁବ ସମାଜକୁ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକଦ୍ରବ୍ୟ ସେବନରୁ ଦୂରେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏହି ସଚେତନତା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ଅପମିଶ୍ରିତ ନିଶା ସେବନ ଦ୍ଵାରା ଲୋକେ ପଙ୍ଗୁ ହୋଇଯାଆନ୍ତି । ଯୁବ ସମାଜ ନିଶା ସେବନ ଦ୍ଵାରା ସେମାନଙ୍କ ବିକାଶ ଓ ଦେଶର ଅର୍ଥନୀତି ରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।ତେଣୁ ସେମାନେ ନିଶା ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା। ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ବହୁ ସଂଖ୍ୟକ ଲୋକଙ୍କୁ ଏନେଇ ସଚେତନ କରାଯିବା ପରେ ସେମାନେ ନିଶା ସେବନ ବିରୋଧରେ ଶପଥପାଠ କରିଥିଲେ।  ଏହି କାର୍ଯ୍ୟକ୍ରମରେ ଥାନା ଏସ.ଆଇ ସୋଲେମାନ ଭୁଁୟା, ଏଏସଆଇ ସୁଧିର ନାୟକ, ସନ୍ତୋଷ ମିଶ୍ର,ରମାକାନ୍ତ ଶବରଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ   ଉପସ୍ଥିତ ଥିଲେ।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗର

ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରାର ଆୟବ୍ୟୟ ସମୀକ୍ଷା ଓ ସମ୍ବର୍ଦ୍ଧନା ସାର୍ବଜନୀନ ବୈଠକ ଓ ପ୍ରିତି ଭୋଜନ
Jul 2, 202642 views

ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରାର ଆୟବ୍ୟୟ ସମୀକ୍ଷା ଓ ସମ୍ବର୍ଦ୍ଧନା ସାର୍ବଜନୀନ ବୈଠକ ଓ ପ୍ରିତି ଭୋଜନ

ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ସାର୍ବଜନୀନ: ବଳକା ରହିଛି ୫୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ମନ୍ଦିର ଉନ୍ନତି ପାଇଁ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା ​ଯାତ୍ରା ସରିବାର ମାସକ ମଧ୍ୟରେ ଦାଖଲ ହେଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ। ୨୦୨୬ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ଆଜି ବିଧିବଦ୍ଧ ଭାବେ ଠାକୁରାଣୀ ମନ୍ଦିର ବୈଠକରେ ଦାଖଲ ହୋଇଛି। ଚଳିତ ବର୍ଷ ମୋଟ ୧,୪୭,୨୯,୨୬୦ ଟଙ୍କା ଆଦାୟ ହୋଇଥିବା ବେଳେ ୧,୨୪,୬୬,୦୯୧ ଟଙ୍କା ଖର୍ଚ୍ଚ ହୋଇଛି। ପୂର୍ବ ବଳକାକୁ ମିଶାଇ ବର୍ତ୍ତମାନ ଯାତ୍ରା ଆକାଉଣ୍ଟରେ ୫୧,୭୩,୫୯ ଟଙ୍କା ଗଚ୍ଛିତ ଅଛି। ​ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରତିଶ୍ରୁତି ଅନୁଯାୟୀ, ଯାତ୍ରା ସରିବାର ମାତ୍ର ୧ ମାସ ୧୦ ଦିନ ମଧ୍ୟରେ ଏହି ସ୍ୱଚ୍ଛ ହିସାବ ପ୍ରଦାନ କରାଯାଇଛି, ଯାହା ପୂର୍ବରୁ ବର୍ଷ ବର୍ଷ ଲାଗିଯାଉଥିଲା। ଏଥିସହ ଭଞ୍ଜନଗର ଠାକୁରାଣୀ ମନ୍ଦିର ଓ କୁଲାଡ଼ ବ୍ୟାଘ୍ର ଦେବୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଘୋଷଣା କରାଯାଇଛି। ​ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଶେଷ ହେବାର ୪୦ ଦିନରେ ଦାଖଲ ହେଲା ଆୟବ୍ୟୟ ହିସାବ। ମୋଟ ଆଦାୟ ୧.୪୭ କୋଟି, ବର୍ତ୍ତମାନ ପାଣ୍ଠିରେ ଗଚ୍ଛିତ ଅଛି ୫୧.୭୩ ଲକ୍ଷ ଟଙ୍କା। ମନ୍ଦିର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା। ​ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ବୁଧବାର ଦାଖଲ ହୋଇଛି। ଏନେଇ ଭଞ୍ଜନଗର ଠାକୁରାଣୀ ମନ୍ଦିରରେ ଯାତ୍ରା କମିଟି କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ବସିଥିଲା। ବୈଠକରେ ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଭଞ୍ଜନଗର ଠାକୁରାଣୀ ମନ୍ଦିର ଓ କୁଲାଡ଼ ବ୍ୟାଘ୍ର ଦେବୀ ମନ୍ଦିରର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯିବ ବୋଲି କହିଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଯାତ୍ରାକୁ ସଫଳ କରିବାରେ ସମସ୍ତେ ସହଯୋଗ କରିଥିବା ଯୋଗୁଁ ଧନ୍ୟବାଦ ଜଣାଇଥିଲେ। ଏଥିସହ ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ଉପସଭାପତି ମୂରଲୀଧର ପଣ୍ତା, ସମ୍ପାଦକ ସୁଶାନ୍ତ ମହାପାତ୍ର, ସୁଧୀର ରଞ୍ଜନ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଯାତ୍ରା ପାଇଁ ବିଭିନ୍ନ ଆଡୁ ୧ କୋଟି ୪୭ ଲକ୍ଷ ୨୯୨୬୦ ଟଙ୍କା ଆଦାୟ ହୋଇଥିଲା । ଖର୍ଚ୍ଚ ହୋଇଥିଲା ୧ କୋଟି ୨୪ ଲକ୍ଷ ୬୬ ହଜାର ୯୧ ଟଙ୍କା । ବଳକା ରହିଥିଲା ୨୩ ଲକ୍ଷ ୩୧ ହଜାର ୩୨୫ ଟଙ୍କା । ପୂର୍ବରୁ ୨୨ ଲକ୍ଷ ଟଙ୍କା ବଳକା ଥିଲା। ଆଜି ସୁଦ୍ଧା ମୋଟ ୫୧ ଲକ୍ଷ ୭୩ ହଜାର ୫୯୯ ଟଙ୍କା ଯାତ୍ରା ଆକାଉଣ୍ଟ ରେ ଗଚ୍ଛିତ ଅଛି। ଭଞ୍ଜନଗର ଯାତ୍ରା ଏପ୍ରିଲ ୨୬ରୁ ଆରମ୍ଭ ହୋଇ ମେ’ ୨୦ରେ ସରିଥିଲା। ଯାତ୍ରା ଆରମ୍ଭ ପୂର୍ବରୁ ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଘୋଷଣା କରିଥିଲେ ଯେ, ଯାତ୍ରା ସରିବାର ଏକ ମାସ ମଧ୍ୟରେ ଯାତ୍ରାର ଆୟବ୍ୟୟ ହିସାବ ଦିଆଯିବ। ଏଥିସହ ଯାତ୍ରାକୁ ଆକର୍ଷଣୀୟ କରାଯିବ ବୋଲି ଘୋଷଣା କରିଥିଲେ। ଯାତ୍ରା ସରିବାର ୧ ମାସ ୧୦ ଦିନ ମଧ୍ୟରେ ଆଜି ହିସାବ ଦାଖଲ କରାଯାଇଥିଲା। ଯାହାକି ପ୍ରଶଂସନୀୟ ପଦକ୍ଷେପ। ପୂର୍ବରୁ ହିସାବ ଦାଖଲ ପାଇଁ ବର୍ଷ ବର୍ଷ ଧରି ଲାଗି ଯାଉଥିଲା। ଚଳିତ ବର୍ଷ ଏହି ସମସ୍ୟା ନାହିଁ। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲା ସତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ନୀଳମାଧବ ପାତ୍ର, ମେଡିକାଲ ଅଧୀକ୍ଷକ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଧାନ ଟୁଲିଆମା, ଅତିରିକ୍ତ ଉପଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଏ ଏସ୍‌ ପି ରଞ୍ଜନ କୁମାର ଦେ, ଏସ ଡି ପି ଓ ଡ ଦୀପକ ମିଶ୍ର, ଭଞ୍ଜନଗର ପୈ। ରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ଯାତ୍ରା କମିଟି କର୍ମକର୍ତ୍ତା ସନ୍ତୋଷ ତିଆଡି ପ୍ରମୁଖ ଉପସ୍ଥିତ ଥିଲେ।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର

ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ବଡ଼ ଟ୍ୱିଷ୍ଟ, ପୂର୍ବତନ ବିଧାୟକଙ୍କ ସମେତ ୧୪ ଜଣଙ୍କ ଉପରୁ ଉଠିଲା ହତ୍ୟା ଦଫା
Jul 2, 202649 views

ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ବଡ଼ ଟ୍ୱିଷ୍ଟ, ପୂର୍ବତନ ବିଧାୟକଙ୍କ ସମେତ ୧୪ ଜଣଙ୍କ ଉପରୁ ଉଠିଲା ହତ୍ୟା ଦଫା

ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦ୍ଵିତୀୟ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ ପରେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ ଏବେ ସାମ୍ନାକୁ ଆସୁଛି । ପୋଲିସ ହତ୍ୟା ମାମଲାରେ ସାକ୍ଷ୍ୟ ପ୍ରମାଣକୁ ବଳିଷ୍ଠ କରିବା ପାଇଁ ନୂଆ ୨୭ ଜଣ ସାକ୍ଷୀ ଏବଂ କିଛି ସାକ୍ଷୀଙ୍କ ବୟାନ କୋର୍ଟରେ ଦାଖଲ କରିଛି । ଏବେ ହତ୍ୟା ମାମଲାରେ ମୁଖ୍ୟ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବିରୋଧରେ ଥିବା ହତ୍ୟା ଦଫା (୩୦୨)କୁ ବାଦ ଦେଇଛି ପୋଲିସ । ବିକ୍ରମଙ୍କ ସମେତ ୧୪ ଜଣ ଅଭିଯୁକ୍ତ ପୂର୍ବତନ ମେୟର ଶିବ ଶଙ୍କର ଦାଶ, କର୍ପୋରେଟର ମଲୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇ, ସୀମାଞ୍ଚଳ ନାୟକ, ବିପିନ ସ୍ଵାଇଁ, ଯୋଗେନ୍ଦ୍ର ରାଉତ, କାଳୁଚରଣ ବେହେରା, ରାଜେନ୍ଦ୍ର ସାହୁ, ବିହାରରୁ ଆସିଥିବା ସହଯୋଗୀ ଶିଶୁପାଳ କୁମାର ପାଶ୍ଵାନ, କୁନ୍ଦନ ପାଶ୍ଵାନ, ଶୂନ୍ୟ ଚନ୍ଦ୍ର ଦାସ, ସୁନୀଲ୍ ହୋତା, ଉମା ବିଷୋୟୀଙ୍କ ଉପରେ ହତ୍ୟା ଦଫା ଉଠିଥିବା ଦାଖଲ ଚାର୍ଜସିଟ୍‌ରୁ ଜଣାପଡ଼ିଛି । ପୋଲିସ ପ୍ରାଥମିକ ଭାବେ ଯେଉଁ ଚାର୍ଜସିଟ୍ ଦେଇଥିଲା ସେଥିରେ ସମ୍ପୃକ୍ତ ନାମରେ ହତ୍ୟା ଦଫା ରହିଥିଲା । କିନ୍ତୁ ତଦନ୍ତ ପରେ ଦ୍ଵିତୀୟ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ କରିବା ସମୟରେ ଉପରୋକ୍ତ ଅଭିଯୁକ୍ତଙ୍କ ଉପରୁ ହତ୍ୟା ଦଫା ଉଠିଥିବା ଜଣାପଡ଼ିଛି । ପୀତବାସକୁ ଗୁଳି କରିଥିବା ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଂଟୁ ପ୍ରଧାନ ନାମରେ ରହିଛି ହତ୍ୟା ଦଫା । ସେପଟେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗଠିତ ଅପରାଧ (୧୨୦-ବି) ଦଫା ରହିଛି । ଅଭିଯୁକ୍ତଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ପୋଲିସ ତଦନ୍ତ ରିପୋର୍ଟ ଅନୁସାରେ ଚାର୍ଜସିଟ୍‌ରେ ୧୪ଜଣଙ୍କ ହତ୍ୟା ଦଫା ଉଠାଇଛି । ମାମଲା କୋର୍ଟରେ ବିଚାରାଧୀନ ରହିଛି । ସେପଟେ ଜଣେ ବରିଷ୍ଠ ଆଇନଜୀବୀ ଗଣମାଧ୍ୟମକୁ କହିଛନ୍ତି, ହତ୍ୟା ଦଫା ଉଠିଛି କିନ୍ତୁ ସମ୍ପୃକ୍ତ ବିରୋଧରେ ରହିଛି ସଙ୍ଗଠିତ ଅପରାଧ । ହତ୍ୟା ଦଫା ସହ ତାହା ସମାନ ଏବଂ କଠୋର ଦଣ୍ଡ ବିଧାନ ମଧ୍ୟ ରହିଛି । ଅନ୍ୟପକ୍ଷରେ ପୋଲିସ ବିକ୍ରମ ପଣ୍ଡାଙ୍କ ଆପତ୍ତି ଜନକ ଫଟୋ ପେନ୍ ଡ୍ରାଇଭରେ କୋର୍ଟରେ ଦାଖଲ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ଅଭିଯୁକ୍ତଙ୍କ ଓକିଲଙ୍କୁ ଦିଆଯାଇନାହିଁ । ଚାର୍ଜସିଟ୍ ଅନୁସାରେ ୨ ଜଣ ସାକ୍ଷୀ ପୋଲିସ ନିକଟରେ ବୟାନ ରଖି କହିଛନ୍ତି ଯେ, ଗତବର୍ଷ ଗୋସାଇଁନୂଆଗାଁର କାଳୁଆ ଯାତ୍ରାରେ ଏକାଠି ହୋଇଥିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ, କର୍ପୋରେଟର ମଲୟ ବିଷୋୟୀ, ବିଜେଡି ନେତା ମଦନ ଦଳାଇ ଓ ଶୂନ୍ୟଚନ୍ଦ୍ର ଦାସ । ସେଠାରେ ପୀତବାସଙ୍କ ହତ୍ୟାକୁ ନେଇ ଆଲୋଚନା ହୋଇଥିବା ଉଭୟ ପୋଲିସ ନିକଟରେ ବୟାନ ରଖିଛନ୍ତି ।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗର

ଜୁଆ ଖେଳର ଏନ୍ତୁଡ଼ି ଶାଳ ପାଲଟିଛି କଙ୍କଡ଼ାହାଡ଼ ବ୍ଲକ, ହାଟ ମଝିରେ ଖୁଲାମ ଖୁଲା ଚାଲିଛି ଜୁଆ ଖେଳ
Jul 2, 202664 views

ଜୁଆ ଖେଳର ଏନ୍ତୁଡ଼ି ଶାଳ ପାଲଟିଛି କଙ୍କଡ଼ାହାଡ଼ ବ୍ଲକ, ହାଟ ମଝିରେ ଖୁଲାମ ଖୁଲା ଚାଲିଛି ଜୁଆ ଖେଳ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଙ୍କଡ଼ାହାଡ଼ ଓ ବାଟଗାଁ,ବନ୍ଦାଣିଆ, ବିରାଶାଳ ସାପ୍ତାହିକ ହାଟରେ ପ୍ରତ୍ୟହ ଜୁଆ ଖେଳ ହେଉଥିବାରୁ ସଂପୃକ୍ତ ଅଞ୍ଚଳ ତଥା ଆଖପାଖ ଗ୍ରାମର ବହୁ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡିଥିବାର ଅଭିଯୋଗ ହୋଇଛି l କଙ୍କଡ଼ାହାଡ଼ ର ସାପ୍ତାହିକ ଶୁକ୍ରବାର ହାଟରେ ପ୍ରତ୍ୟେକ ପାଳିରେ ଜୁଆ ଖେଳ ହେଉଥିବା ବେଳେ ଏଠାକୁ କଙ୍କଡାହାଡ଼ ତଥା ଆଖପାଖ ଗ୍ରାମରୁ ବହୁ ଆଦିବାସୀ ଯୁଆଡ଼ି ଆସି ଜୁଆ ଖେଳି ସର୍ବସ୍ୱାନ୍ତ ହୋଇ ପଡିଲେଣି l ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଏହି ହାଟ ହେଉଥିବା ବେଳେ ହାଟ ମଧ୍ୟରେ ବେଧଡକ ଜୁଆ ଖେଳ ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି l ପୁଣି ବାଟଗାଁ ସାପ୍ତାହିକ ମଙ୍ଗଳବାର ହାଟ ରେ ପ୍ରତ୍ୟହ ଜୁଆ ଖେଳ ଚାଲିଥିବାରୁ ଏହି ହାଟରେ ଆଦିବାସୀମାନେ ନିର୍ଭର କରି ନିଜର କାମଧନ୍ଦା ସାରି ଅପରାହ୍ନରେ ହାଟକୁ ଆସିଥାନ୍ତି l ନିଜର ସପ୍ତାହ ବ୍ୟାପି ଯାହା ରୋଜଗାର କରିଥାନ୍ତି ଏହି ହାଟକୁ ନିଜର ଘର ପାଇଁ ପରିବା, ଲୁଗାପଟା କିଣିବାକୁ ଆସି ଏହି ଜୁଆ ଖେଳରେ ଜୁଆ ଖେଳି ସର୍ବସ୍ୱାନ୍ତ ହୋଇ ସନ୍ଧ୍ୟାରେ ଘରକୁ ଫେରିଥାନ୍ତି l ଫଳରେ ଘରେ ଗଣ୍ଡଗୋଳ ର ସୂତ୍ରପାତ ଘଟିବାରେ ସ୍ୱାଭାବିକ ହୋଇଥାଏ l ଏତଦ ବ୍ୟତୀତ ବିରାଶାଳ, ବନ୍ଦାଣିଆ, ଓଡ଼ିଶ,କଙ୍କଡ଼ାହାଡ଼ ଅଞ୍ଚଳ ଏକ ପ୍ରମୁଖ ଆଦିବାସୀ ଅଞ୍ଚଳ ହୋଇଥିବା ବେଳେ ସପ୍ତାହର ପ୍ରତ୍ୟେକ ଶୁକ୍ରବାର ଓ ମଙ୍ଗଳବାର ହାଟରେ ଜୁଆ ଖେଳ ହେଉଥିବାରୁ ବହୁ ଆଦିବାସୀ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡିଲେଣି l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଜୁଆ ପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ସେ ଅଞ୍ଚଳ ର ସଚେତନ ନାଗରିକ ମହଲରେ ଦାବି ହେଉଛି l

Dhenkanal (ଢେଙ୍କାନାଳ)ରିପୋର୍ଟ: ରୀତାଞ୍ଜଳୀ ସାହୁ, ଭୁବନ, ଢେଙ୍କାନାଳ

ସ୍ୱାମୀଙ୍କଠୁ ଅଧିକ ରୋଜଗାର ଥିଲେ ମିଳିବନି ଭରଣପୋଷଣ: କର୍ଣ୍ଣାଟକ ହାଇକୋର୍ଟ
Jul 2, 202657 views

ସ୍ୱାମୀଙ୍କଠୁ ଅଧିକ ରୋଜଗାର ଥିଲେ ମିଳିବନି ଭରଣପୋଷଣ: କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ : ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଠାରୁ ଅଧିକ, ତେବେ ସେ ଭରଣପୋଷଣ ପାଇବାକୁ ହକଦାର ନୁହନ୍ତି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସ୍ତ୍ରୀ ପାଖରେ ଜୀବନ ଜୀବିକା ନିର୍ବାହ ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳ ନାହିଁ ବୋଲି ନିଶ୍ଚିତ ହେବା ପରେ ହିଁ ଭରଣପୋଷଣର ଆଦେଶ ଦିଆଯିବା ଉଚିତ। ମୈସୁରର ଏକ ଟ୍ରାଏଲ୍ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀକୁ ପ୍ରତିମାସରେ ୨୦ ହଜାର ଟଙ୍କା ଭରଣପୋଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ସୁମଲତାଙ୍କ ଏକକ ବେଞ୍ଚ ଟ୍ରାଏଲ୍ କୋର୍ଟର ଏହି ନିର୍ଦ୍ଦେଶକୁ ରଦ୍ଦ କରି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ, ନିମ୍ନ ଅଦାଲତ ସ୍ୱାମୀଙ୍କ ଆୟ ଏବଂ ତାଙ୍କ ଆର୍ଥିକ ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରିଛନ୍ତି, କିନ୍ତୁ ସ୍ତ୍ରୀର ଆର୍ଥିକ ସ୍ୱଚ୍ଛଳତାକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଛନ୍ତି। ହାଇକୋର୍ଟ ନିଜ ନିର୍ଦ୍ଦେଶରେ କହିଛନ୍ତି ଯେ, ଯେତେବେଳେ ଜଣେ ମହିଳା ଘରୋଇ ହିଂସା ଅଧିନିୟମ କିମ୍ବା ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଭରଣପୋଷଣ ଅଧିନିୟମ ମାଧ୍ୟମରେ ଗୁଜୁରା ଭତ୍ତା ଦାବି କରନ୍ତି, ତାର ଅର୍ଥ ଏହା ନୁହେଁ ଯେ କୌଣସି ଦୃଢ଼ କାରଣ ବିନା ସ୍ୱାମୀକୁ ମେଣ୍ଟେନାନ୍ସ (ଭରଣପୋଷଣ) ଦେବାକୁ ନିର୍ଦ୍ଦେଶ ଦିଆଯିବ। କୋର୍ଟ କହିଛନ୍ତି, ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ଆର୍ଥିକ ସ୍ଥିତିର ଆକଳନ କରାଯିବା ଉଚିତ ଏବଂ ଏହାପରେ ହିଁ କୌଣସି ନିଷ୍ପତ୍ତି ନିଆଯିବା ଦରକାର। ବର୍ଷ ୨୦୨୪ରେ ଉଭୟଙ୍କ ବିବାହ ହୋଇଥିଲା, କିନ୍ତୁ ଦୁଇ ମାସ ମଧ୍ୟରେ ହିଁ ସ୍ୱାମୀ-ସ୍ତ୍ରୀ ଅଲଗା ହୋଇଯାଇଥିଲେ। ସ୍ତ୍ରୀ ଉଭୟ ଘରୋଇ ହିଂସା ମାମଲା ଦାୟର କରି ପ୍ରତିମାସରେ ୧ ଲକ୍ଷ ୨୩ ହଜାର ୫୫ ଟଙ୍କା ଗୁଜୁରା ଭତ୍ତା ଏବଂ ୫୦ ହଜାର ଟଙ୍କା ଆଇନଗତ ଖର୍ଚ୍ଚ ଦାବି କରିଥିଲେ। ଅନ୍ୟପଟେ, ସ୍ୱାମୀ କହିଥିଲେ ଯେ ସେ ଏକ ପ୍ରାଇଭେଟ୍ ଚାକିରି କରନ୍ତି ଏବଂ ତାଙ୍କର ମାସିକ ଆୟ ମାତ୍ର ୫୨ ହଜାର ଟଙ୍କା। ଏହାର ବିପରୀତରେ ସ୍ତ୍ରୀଙ୍କ ମାସିକ ଦରମା ୧ ଲକ୍ଷରୁ ୧.୭୫ ଲକ୍ଷ ଟଙ୍କା ମଧ୍ୟରେ ଥିଲା।

ବ୍ୟୁରୋ ରିପୋର୍ଟ

ବରପାଲି ବସ୍ତି ଅଞ୍ଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା, ଅସନ୍ତୋଷରେ ପଡ଼ାବାସୀ
Jul 2, 202653 views

ବରପାଲି ବସ୍ତି ଅଞ୍ଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା, ଅସନ୍ତୋଷରେ ପଡ଼ାବାସୀ

ବରଗଡ଼/ ବରପାଲି ୩୦/୦୬ -() ବରପାଲି ବସ୍ତି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ନେଇଛି। ଦୀର୍ଘ ଦିନ ଧରି ନିୟମିତ ପାଣି ଯୋଗାଣ ବନ୍ଦ ରହିଥିବାରୁ ପଡ଼ାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପାଇପ ଲାଇନ ବିଛାଇବା କାମ ଚାଲିଥିବା ଆଳରେ ଜଳ ଯୋଗାଣ ବନ୍ଦ କରାଯାଇଛି, ଯାହା ଫଳରେ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପଟେ, ପାନୀୟ ଜଳ ଯୋଗାଣ ବିଭାଗରେ କୌଣସି ସ୍ଥାୟୀ ଅଧିକାରୀ ନଥିବାରୁ କାର୍ଯ୍ୟରେ ସମନ୍ୱୟର ଅଭାବ ଦେଖାଦେଇଛି। ସମସ୍ୟା ସମ୍ପର୍କରେ ଯୋଗାଯୋଗ କଲେ କେବେ ପାଣି ମୋଟର ପୋଡ଼ିଯାଇଛି, କେବେ ବିଦ୍ୟୁତ ଲାଇନ ନାହିଁ କିମ୍ବା ଲୋଡ଼ ନେଉନାହିଁ ବୋଲି ବିଭିନ୍ନ କାରଣ ଦର୍ଶାଯାଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସମଲେଶ୍ୱରୀ ମନ୍ଦିର ରାସ୍ତାରେ ପାଇପ ଲାଇନ ବିଛାଇବା କାମ ଚାଲିଥିବାରୁ ରାସ୍ତା ଖୋଳାଯାଇଛି। ତେବେ ଏହି କାମ କେବେ ଶେଷ ହେବ ଏବଂ ସ୍ଥାନୀୟ ବସ୍ତିବାସୀ କେବେ ନିୟମିତ ପାନୀୟ ଜଳ ପାଇବେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୀଘ୍ର ସମସ୍ୟାର ସ୍ଥାୟୀ ସମାଧାନ କରି ବସ୍ତିବାସୀଙ୍କୁ ନିୟମିତ ପାନୀୟ ଜଳ ଯୋଗାଇବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Bargarh (ବରଗଡ଼)ରିପୋର୍ଟ: ସତ୍ୟ ସୁରୁଜାଲ, ବରପାଲି

ଗଛ କାଟି ଗୋଶାଳା ନିର୍ମାଣ କୁ ବିରୋଧ କଲେ ଗ୍ରାମବାସୀ - ପୌର ପରିଷଦ ଅଧିକାରୀ ଓ ଠିକାଦାର ନାଁରେ ଥାନାରେ ଏତଲା
Jul 2, 2026136 views

ଗଛ କାଟି ଗୋଶାଳା ନିର୍ମାଣ କୁ ବିରୋଧ କଲେ ଗ୍ରାମବାସୀ - ପୌର ପରିଷଦ ଅଧିକାରୀ ଓ ଠିକାଦାର ନାଁରେ ଥାନାରେ ଏତଲା

ଟିଟିଲାଗଡ଼ :-୨/୭/୨୬ ଟିଟିଲାଗଡ଼ବ୍ଲକ ଅନ୍ତର୍ଗତ ମନିଗାଁ ଗ୍ରାମପଞ୍ଚାୟତ ଅଧିନସ୍ତ ନାନାଝର ଗ୍ରାମରେ ପୌର ପରିଷଦ ତରଫରୁ ଏକ ଗୋଶାଳା ନିର୍ମାଣ କରିବା ପାଇଁ ସ୍ଥିର କରିଥିଲେ l କିନ୍ତୁ ସେହି ଯାଗାରେ ଗାଁ ଲୋକେ ନିର୍ଭର କରୁଛନ୍ତି ଓ ସେଠାରେ ଗଛ ଗୁଡିକ ବହୁତ ରହିଥିବାରୁ ଏହାକୁ ଗ୍ରାମବାସୀ ବିରୋଧ କରି ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ନେଇ ଉପଜିଲ୍ଲାପାଳ ଗ୍ରାମବାସୀଙ୍କ ବିନାଅନୁମତିରେ ଗୋଶାଳା ନିର୍ମାଣ କରାଯାଇ ପାରିବନାହିଁ ବୋଲି କହିଥିଲେ l କିନ୍ତୁ ପୌର ପରିଷଦ ଅଧିକାରୀ ଚନ୍ଦନ ସତପଥି ଏବଂ ଠିକାଦାର ଟୁନୁ ଅଗ୍ରୱାଲ ଜେସିବି ଲଗାଇ ବଳପୂର୍ବକ ଜଙ୍ଗଲ ବିଭାଗର ଅନୁମତି ନନେଇ ଗଛକାଟି ଗୋଶାଳା ନିର୍ମାଣ କରିବା ପାଇଁ ଚେଷ୍ଟା କରିଥିଲେ l ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ l ସହର ମଧ୍ୟରେ ସହସହ ଏକର ସରକାରୀ ଜମିଥାଇ ଗ୍ରାମାଞ୍ଚଳକୁ କାହିଁକି ଗୋଶାଳା ନିର୍ମାଣ କରାଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିଲେ l ବଳପୂର୍ବକ ଗୋଶାଳା ନିର୍ମାଣ କୁ ନେଇ ନାନାଝର ଗ୍ରାମବାସୀ ପୌରପରିଷଦ ଅଧିକାରୀ ଓ ଠିକାଦାର ନାମରେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ରାଜ୍ୟ ସରକାର ଗଛ ଲଗାଇବା ପାଇଁ ଆହ୍ୱାନ ଦେଉଥିବାବେଲେ ଏଠାରେ ଗଛକାଟି ଗୋଶାଳା ନିର୍ମାଣ କରିବା କାହା ସ୍ୱାର୍ଥରେ ବୋଲି ଗ୍ରାମବାସୀ ତଥା ଅଞ୍ଚଳବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ଏହି ନିର୍ମାଣ କାର୍ଯ୍ୟ ବନ୍ଦ ନକରାଗଲେ ଆଗାମୀ ଦିନରେ ଗ୍ରାମବାସୀ ତଥା ଅଞ୍ଚଳବାସୀ ରାଜରାସ୍ତା କୁ ଓହ୍ଲେଇବୁ ବୋଲି ଚେତାବନୀ ଦେଇଛନ୍ତି l

Balangir (ବଲାଙ୍ଗୀର)ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟ

ବନ ମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Jul 2, 2026144 views

ବନ ମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼ :-୨/୭/୨୬ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦର ନୂତନ ନ୍ୟାୟାଳୟ ଚାରଭଟା ଠାରେ ଆଇନ୍ ତାଲୁକ ସେବା ସମିତି ଓ ଟିଟିଲାଗଡ ବନଖଣ୍ଡ ତରଫ ରୁ ବନ ମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ବନ ବିଭାଗ ରେଞ୍ଜ ଅଧିକାରୀ ଙ୍କ କହିବା ଅନୁସାରେ ଆଜି ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ କରାଗଲା । ଉକ୍ତ କାର୍ଯ୍ୟ କ୍ରମରେ ଟିଟିଲାଗଡ ନ୍ୟାୟାଳୟ ର ତାଲୁକ୍ ଆଇନ୍ ସେବା ସମିତି ଅଧ୍ୟକ୍ଷ ତଥା ଜିଲ୍ଲା ଅତିରିକ୍ତ ବିଚାରପତି ଆୟୁଷ୍ମାନ ମହନ୍ତ , ଏସଡିଯେଏମ ସୁମିତ କୁମାର୍ ପାଣିଗ୍ରାହୀ ,ଆଇନଜିବୀ ରଘୁନାଥ ରଥ , ତନୟ ଠାକୁର , ସୁକାନ୍ତ କୁମାର ଦୀପ , ଟିପ କାରୀ ବେହେରା , ସୁଧାଂଶୁ ଶେଖର ମହାନ୍ତି , ଶ୍ରୀମା ଖମାରୀ , ସନ୍ଧ୍ୟା ଥାପା ପାରା ଲିଗାଲ ଭଲ୍ୟୁଣ୍ଟର ବିକାଶ ଚନ୍ଦ୍ର ପଟ୍ଟନାୟକ , ନୀଳାମ୍ବର ବେହେରା , ପ୍ରଶାନ୍ତ ରଣା , କିରାଣୀ ଜିବର୍ଦ୍ଧନ ଛତ୍ରିଆ ଓ କିଶୋର କୁମାର ଦାସ୍ ଏବଂ ସିଭିଲ କୋର୍ଟ ନାଜିର ଅଭିଷେକ ଭରତ ଗଡତିଆ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ରେଞ୍ଜ ଅଧିକାରୀ ଶୈଳେଶ କୁମାର୍ ବିଶି ଫରେଷ୍ଟ ଗାର୍ଡ ସଞ୍ଜୀବ କୁମାର ମିଶ୍ର , ଶ୍ରୀମତୀ ପୂଜାରାନି ସେଠ୍ ଫରେଷ୍ଟ ପ୍ରୋଟେକ୍ସନ ଜ୍ଞାନେସ ଗହିର , ସଚିନ୍ ବିଶୋଇ ଓ ଇଲେ ଫେଣ୍ଟ ପ୍ରୋଟେକ୍ସନ୍ ମୀନକେତନ ଖର୍ସେଲ ଯୋଗଦେଇ ସାହାଯ୍ୟ କରିଥିଲେ ।

Balangir (ବଲାଙ୍ଗୀର)ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼

ତୁକୁଡା ମା' ଦକ୍ଷିଣ କାଳୀ ମନ୍ଦିରରୁ ଦାନବାକ୍ସ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ
Jul 2, 202682 views

ତୁକୁଡା ମା' ଦକ୍ଷିଣ କାଳୀ ମନ୍ଦିରରୁ ଦାନବାକ୍ସ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ତୁକୁଡା ଗ୍ରାମ ସ୍ଥିତ ମା' ଦକ୍ଷିଣ କାଳୀ ମନ୍ଦିରରେ ଦାନବାକ୍ସ ଚୋରି ଘଟଣା ଘଟିଛି। ଚୋରି ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭାଇରାଲ୍ ହେଉଥିବା ସିସିଟିଭି ଫୁଟେଜରେ ଜଣେ ଦୁର୍ବୃତ୍ତ ଦାନବାକ୍ସରୁ ଟଙ୍କା ଚୋରି କରୁଥିବା ଦେଖିବାକୁ ମିଳୁଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଖବର ପାଇ ସମ୍ପୃକ୍ତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବଅଁରପାଳ ଥାନାରେ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ସହ 'ଆମ ପୋଲିସ ସମିତି' ବୈଠକ ଅନୁଷ୍ଠିତ
Jul 2, 202676 views

ବଅଁରପାଳ ଥାନାରେ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ସହ 'ଆମ ପୋଲିସ ସମିତି' ବୈଠକ ଅନୁଷ୍ଠିତ

ଅନୁଗୋଳ: ବଅଁରପାଳ ଥାନା ପକ୍ଷରୁ ନିଶାମୁକ୍ତ ସମାଜ ଗଠନର ଲକ୍ଷ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ସହ 'ଆମ ପୋଲିସ ସମିତି' ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୋଲିସ ପକ୍ଷରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଥାନାର ପୋଲିସ ଅଧିକାରୀ ଓ 'ଆମ ପୋଲିସ ସମିତି'ର ସଦସ୍ୟମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ (DGP) ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବା ଏବଂ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ବଅଁରପାଳ ଥାନାରେ ଆୟୋଜିତ ଏହି ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କୁ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା, ସମାଜରେ ଶାନ୍ତି, ଶୃଙ୍ଖଳା ଓ ଆଇନ-ଶୃଙ୍ଖଳା ବଜାୟ ରଖିବାରେ ପୋଲିସକୁ ସହଯୋଗ କରିବା ପାଇଁ ଆହ୍ୱାନ କରାଯାଇଥିଲା।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପଟ୍ଟାମୁଣ୍ଡାଇରେ ଏନ୍‌ସିସି ପ୍ରଶିକ୍ଷଣ ଶିବିର, ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ୨୭ କ୍ୟାଡେଟଙ୍କ ଅଂଶଗ୍ରହଣ
Jul 2, 2026164 views

ପଟ୍ଟାମୁଣ୍ଡାଇରେ ଏନ୍‌ସିସି ପ୍ରଶିକ୍ଷଣ ଶିବିର, ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ୨୭ କ୍ୟାଡେଟଙ୍କ ଅଂଶଗ୍ରହଣ

ପଟ୍ଟାମୁଣ୍ଡାଇ, ୨ ଜୁଲାଇ: ୱାନ୍ ଓଡ଼ିଶା ବାଟାଲିୟନ୍ ଏନ୍‌ସିସି, କଟକ ଓ ସିଏଡିସି, ରେଭେନ୍ସା ବିଶ୍ୱବିଦ୍ୟାଳୟଙ୍କ ମିଳିତ ଆୟୋଜନରେ ପ୍ରାୟ ୬୦୦ ଜଣ କ୍ୟାଡେଟଙ୍କୁ ନେଇ ୧୦ ଦିନିଆ ଏନ୍‌ସିସି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିର ୨ ଜୁଲାଇରୁ ୧୧ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇସ୍ଥିତ ଐତିହାସିକ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ୨୭ ଜଣ କ୍ୟାଡେଟ ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଛନ୍ତି। କ୍ୟାଡେଟମାନଙ୍କ ଯାତାୟାତ, ରହଣି, ଖାଦ୍ୟ ଓ ଅନ୍ୟାନ୍ୟ ପରିଚାଳନା ଦାୟିତ୍ୱ ଏନ୍‌ସିସି ଶିକ୍ଷକ ସରୋଜ କୁମାର ସ୍ୱାଇଁ ତୁଲାଉଥିବା ବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ରାଉତରାୟଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳିତ ହେଉଛି। ଏହି ପ୍ରଶିକ୍ଷଣ ଶିବିରରେ କ୍ୟାଡେଟମାନଙ୍କୁ ଶାରୀରିକ ଓ ମାନସିକ ବିକାଶ ସହ ଡ୍ରିଲ୍, ଅସ୍ତ୍ରଚାଳନାର ମୌଳିକ ପ୍ରଶିକ୍ଷଣ, ନେତୃତ୍ୱ ବିକାଶ, ଶୃଙ୍ଖଳା, ସାମାଜିକ ସେବା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ଦକ୍ଷତାଭିତ୍ତିକ ପାଠ୍ୟକ୍ରମର ପ୍ରଶିକ୍ଷଣ ଦିଆଯାଉଛି। ଦେଶପ୍ରେମ, ଶୃଙ୍ଖଳା ଓ ଜାତୀୟ ସେବା ଭାବନାକୁ ସୁଦୃଢ଼ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ।

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

ଶୁକଦେବ ଧରୁଆ  ହତ୍ୟା ଘଟଣା ର ପର୍ଦାଫାସ, ଅଭିଯୁକ୍ତ ଜ୍ବାଇଁ କୁ କୋର୍ଟ ଚାଲାଣ
Jul 2, 202664 views

ଶୁକଦେବ ଧରୁଆ ହତ୍ୟା ଘଟଣା ର ପର୍ଦାଫାସ, ଅଭିଯୁକ୍ତ ଜ୍ବାଇଁ କୁ କୋର୍ଟ ଚାଲାଣ

କଳାହାଣ୍ଡି : କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମ ର ଶୁକଦେଵ ଧରୁଆ (୫୫) କୁ ଜଘନ୍ୟ ହତ୍ୟା ଘଟଣାର ପର୍ଦାଫାସ କରିଛି କୋକସରା ଥାନା ପୋଲିସ। ଗତ ରବିବାର ବିଳମ୍ବିତ ରାତିରେ ଡାଲଗୁମା ମଣ୍ଡି ନିକଟରେ ଥିବା ନିଜ ଘର ଦାଣ୍ଡ ରେ ମଶାରୀ ଟାଙ୍ଗି ଶୋଇଥିବା ଅବସ୍ଥାରେ ଶୁକଦେଵ କୁ ହତ୍ୟା କରା ଯାଇଥିବା ନେଇ ସମ୍ପର୍କୀୟ ଭାଇ ଧନନ୍ତରୀ ଧରୁଆ ଓ ବିବାହିତା ଝିଅ ରୁକ୍ମଣୀ ଧରୁଆ ଅଭିଯୋଗ କରିଥିଲେ। କୋକସରା ପୁଲିସ ସାଇଣ୍ଟିଫିକ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରି ଏହି ମାମଲା ରେ ଜଣେ ଯୁବକ ଙ୍କୁ ସନ୍ଦେହ ରେ ଅଟକ ରଖି ପଚରାଉଚରା ଜାରି ରଖିଥିଲେ। ଏହା ମଧ୍ୟରେ ପୋଲିସ କୁ ହତ୍ୟା ନେଇ କିଛି ଠୋସ ପ୍ରମାଣ ମିଳିବା ପରେ ମଙ୍ଗଳବାର ରାତିରେ ଚଢ଼ାଉ କରି ମୃତକ ଶୁକଦେଵ ଧରୁଆ ର ନିଜ ଜ୍ବାଇଁ ଡିଙ୍ଗର ମାଝୀ (ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା କାଠବେଡା ଗ୍ରାମ ବାସିନ୍ଦା) ହତ୍ୟା କରିଥିବା ନେଇ ପୁଲିସ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଜ୍ବାଇଁ ମଧ୍ୟ ହତ୍ୟା କରିଥିବା ନେଇ ପୋଲିସ ଆଗରେ ପ୍ରକାଶ କରିଥିବା ଜଣାପଡ଼ିଛି। ବୁଧବାର ଅଭିଯୁକ୍ତ ମର୍ଡର ସିନ ରିକ୍ରିଏସନ କରି କେମିତି ହତ୍ୟା ଭିଆଇଛି ତାହା ଦେଖାଇଥିଲା।ତେବେ ପାରିବାରିକ କଳହ କୁ ନେଇ ନିଜ ଶଶୁର କୁ ହତ୍ୟା କରିଥିବା ପୋଲିସ ର ତଦନ୍ତ ରୁ ଜଣାପଡ଼ିଛି। ଘଟଣା ଦିନ ରାତିରେ ଶଶୁର ଶୁକଦେଵ ଡାଲଗୁମା ମଣ୍ଡି ନିକଟରେ ଥିବା ନିଜ ଘର ଦାଣ୍ଡ ରେ ଶୋଇଥିବା ଅବସ୍ଥାରେ ଜ୍ବାଇଁ ଡିଙ୍ଗର ମାଝୀ ଅତି ନିର୍ମମ ଭାବେ ଶାବଳ ରେ ବେକ ଓ ମୁଣ୍ଡ ରେ ଭୁଷିବାରୁ ଘଟଣାସ୍ଥଳରେ ଶୁକଦେଵ ର ମୃତ୍ୟୁ ହୋଇଥିଲା। ଏହି ଘଟଣା ରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ହତ୍ୟା ମାମଲା ଥାନା କେଶ ନମ୍ବର ୧୩୫/୨୬ ରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ଏସଆଇ ଡି. ମୋହନ ସୂଚନା ଦେଇଛନ୍ତି।

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା