--:--:--
-- ---
Srishti News

ସଫେଇ କର୍ମଚାରୀ ନିଯୁକ୍ତିକୁ ବିରୋଧ; ସ୍ଥାନୀୟଙ୍କୁ ସାମିଲ ପାଇଁ ଦାବି: ଟାଙ୍ଗୀ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

Khordha (ଖୋର୍ଦ୍ଧା)ରିପୋର୍ଟ: ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧାSeptember 2, 202683 views
ସଫେଇ କର୍ମଚାରୀ ନିଯୁକ୍ତିକୁ ବିରୋଧ; ସ୍ଥାନୀୟଙ୍କୁ ସାମିଲ ପାଇଁ ଦାବି: ଟାଙ୍ଗୀ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର
ଟାଙ୍ଗୀ, ଖୋର୍ଦ୍ଧା: ନବଗଠିତ ଟାଙ୍ଗୀ ଏନ୍‌ଏସିର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସଫେଇ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଏଥିରେ ସ୍ଥାନୀୟ ଲୋକଙ୍କୁ ପ୍ରାଥମିକତା ନଦେଇ ବାହାର ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦାମାନେ ବିରୋଧ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଗ୍ରାମ ପଞ୍ଚାୟତକୁ ପୂର୍ବତନ ସରକାରଙ୍କ ସମୟରେ ଏନ୍‌ଏସି ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ସରକାର ପରିବର୍ତ୍ତନ ପରେ ବର୍ତ୍ତମାନର ସରକାର ପକ୍ଷରୁ ମଧ୍ୟ ଟାଙ୍ଗୀକୁ ଏନ୍‌ଏସି ଭାବେ ଘୋଷଣା କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ନୂଆ ଆଶା ସୃଷ୍ଟି ହୋଇଥିଲା। ନବଗଠିତ ଏନ୍‌ଏସିରେ ପରିମଳ ବ୍ୟବସ୍ଥା ପାଇଁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସଫେଇ କର୍ମଚାରୀ ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ଟାଙ୍ଗୀ ଏନ୍‌ଏସି ବାହାର ଅଞ୍ଚଳର କିଛି ଲୋକଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ଏନ୍‌ଏସିର ହରିଜନ ସାହିର ବାସିନ୍ଦାମାନେ ଏକତ୍ରିତ ହୋଇ ସ୍ଥାନୀୟ ଲୋକଙ୍କୁ ସଫେଇ କାର୍ଯ୍ୟରେ ସୁଯୋଗ ଦେବାକୁ ଦାବି କରିଛନ୍ତି। ଯୁବ ସମାଜସେବୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଟାଙ୍ଗୀ ଏନ୍‌ଏସିର ନିର୍ବାହୀ ଅଧିକାରୀ ରୁମାନା ଜାଫ୍ରିଙ୍କୁ ଭେଟି ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଟାଙ୍ଗୀ ଏନ୍‌ଏସି ଅଞ୍ଚଳର ଯୋଗ୍ୟ ସ୍ଥାନୀୟ ଲୋକଙ୍କୁ ସଫେଇ କାର୍ଯ୍ୟକ୍ରମରେ ସାମିଲ କରିବା ସହ ନିଯୁକ୍ତି ପ୍ରକ୍ରିୟାରେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ବିଚାରକୁ ନେବାକୁ ଅନୁରୋଧ କରାଯାଇଛି। ଏଥିସହ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଏନ୍‌ଏସି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସାହି ବାସିନ୍ଦାମାନେ ଦାବି କରିଛନ୍ତି।