--:--:--
-- ---
Srishti News

ନୂଆପଡ଼ାକୁ ଜଳବାୟୁ ସହନଶୀଳ ମଡେଲ୍‌ ଜିଲ୍ଲା କରିବାକୁ ଗୁରୁତ୍ୱ: ଆଡାପ୍ଟ-୪-ଆର୍‌ ପ୍ରକଳ୍ପର ଦ୍ୱିତୀୟ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

Nuapada (ନୂଆପଡ଼ା)ରିପୋର୍ଟ: ବିଜୟ ବରିହା, ନୂଆପଡାSeptember 2, 202672 views
ନୂଆପଡ଼ାକୁ ଜଳବାୟୁ ସହନଶୀଳ ମଡେଲ୍‌ ଜିଲ୍ଲା କରିବାକୁ ଗୁରୁତ୍ୱ: ଆଡାପ୍ଟ-୪-ଆର୍‌ ପ୍ରକଳ୍ପର ଦ୍ୱିତୀୟ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ
ନୂଆପଡ଼ା, ୨/୯: ଜଳବାୟୁ ପରିବର୍ତ୍ତନଜନିତ ଆହ୍ୱାନର ମୁକାବିଲା ସହ ତୃଣମୂଳସ୍ତରରେ ଲୋକଙ୍କ ଜୀବନ ଓ ଜୀବିକାକୁ ଅଧିକ ସହନଶୀଳ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାରେ ଚାଲିଥିବା ଆଡାପ୍ଟ-୪-ଆର୍‌ (ADAPT4R–Adaptation for Resilience) ପ୍ରକଳ୍ପର ଦ୍ୱିତୀୟ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାନ୍ୱୟନ କମିଟି (DPIC-2) ବୈଠକ ଅନୁଷ୍ଠିତ ହୋଇଛି। ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରେ ପ୍ରକଳ୍ପର ଏପର୍ଯ୍ୟନ୍ତ ଅଗ୍ରଗତି, ପ୍ରଥମ DPIC ବୈଠକର ନିଷ୍ପତ୍ତିର ଅନୁପାଳନ ଏବଂ ଆଗାମୀ ମାସଗୁଡ଼ିକର କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷକରି ଜୀବିକା ସୁଦୃଢ଼ୀକରଣ, ସମ୍ପତ୍ତିକୁ ଜଳବାୟୁ ସହନଶୀଳ କରିବା, ଲାଷ୍ଟ ମାଇଲ୍‌ କ୍ଲାଇମେଟ୍‌ ସର୍ଭିସେସ୍‌ (LMCS) ଏବଂ ଜଳବାୟୁ ଅନୁକୂଳନ ଓ ସମାବେଶୀ ସମୁଦାୟ (CAICs) ଆଦି କାର୍ଯ୍ୟକ୍ରମ ସହ ବିଭିନ୍ନ ସରକାରୀ ଯୋଜନାର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରକଳ୍ପର ଜିଲ୍ଲା ନୋଡାଲ୍‌ ଅଧିକାରୀ ତଥା ଖଡ଼ିଆଳ ଡିଏଫ୍‌ଓ ଅଜିଜ ଖାନ୍‌ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ଓ ଆଗାମୀ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ। ତୃଣମୂଳସ୍ତରରେ ପ୍ରକଳ୍ପର ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଅଧିକ ସମନ୍ୱୟ ଓ ସମ୍ମିଳିତ ପ୍ରୟାସର ଆବଶ୍ୟକତା ସେ ଉଲ୍ଲେଖ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ସରକାରୀ ଯୋଜନା ଓ ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ନେଇ ଗୁରୁତ୍ୱାରୋପ କରିଥିଲେ। ପ୍ରକଳ୍ପ ଅଞ୍ଚଳରେ ସରକାରୀ ଯୋଜନାର ଶତପ୍ରତିଶତ ପରିପୂରଣ ପାଇଁ ବିଭାଗୀୟ ସମନ୍ୱୟ ବଢ଼ାଇବା ସହ ଆବଶ୍ୟକସ୍ଥଳେ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍‌, ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଜନସଚେତନତା ଏବଂ ‘କ୍ଲାଇମେଟ୍‌ ଚାମ୍ପିଅନ୍‌’ମାନଙ୍କର ତାଲିମ ଓ ଦକ୍ଷତା ବିକାଶ ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ମୁକାବିଲା କରିବାକୁ ତୃଣମୂଳସ୍ତରରେ ସହନଶୀଳତା ବଢ଼ାଇବା ଦିଗରେ ପ୍ରକଳ୍ପକୁ ଅଧିକ ପ୍ରଭାବଶାଳୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନିୟମିତ ନିରୀକ୍ଷଣ ଓ ସମୀକ୍ଷା ସହ ସମ୍ପୃକ୍ତ ସମସ୍ତ ବିଭାଗର ସକ୍ରିୟ ସମନ୍ୱୟ ମାଧ୍ୟମରେ ନୂଆପଡ଼ାକୁ ଏକ ‘ଜଳବାୟୁ ସହନଶୀଳ ମଡେଲ୍‌ ଜିଲ୍ଲା’ ଭାବେ ଗଢ଼ିତୋଳିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ମଡେଲ୍‌କୁ ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲା ଓ ରାଜ୍ୟରେ ପ୍ରୟୋଗ କରିବାର ଲକ୍ଷ୍ୟ ରହିଛି। ବୈଠକରେ ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗର ଡିଏଫ୍‌ଓ ସମୀର ସାହୁ, ଉପଜିଲ୍ଲାପାଳ ସୁର୍ମି ସୋରେନ୍‌, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବୋଡେ଼ନ ଓ ଖଡ଼ିଆଳ ବିଡିଓ, ଏସିଏଫ୍‌, ରେଞ୍ଜ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗର ପଦାଧିକାରୀମାନେ ଯୋଗଦେଇଥିଲେ। ଏହାସହିତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା AJSA-Indiaର କର୍ମଚାରୀ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP)ର SPMU କର୍ମଚାରୀ ଏବଂ ନୂଆଦିଲ୍ଲୀସ୍ଥିତ WFPର NPMU ଟିମ୍‌ ଓ ଭୁବନେଶ୍ୱରସ୍ଥିତ WFP ଓଡ଼ିଶା ମୁଖ୍ୟାଳୟର ପ୍ରତିନିଧିମାନେ ଭର୍ଚୁଆଲ୍‌ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।