Web News

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଶୁଭାରମ୍ଭ
ଢ଼େଙ୍କାନାଳ,୧.୯- ଆସନ୍ତା କାଲି ସେପ୍ଟେମ୍ବର ୨ ତାରିଖ ଦିନ ଭୁବନେଶ୍ଵର ରେଳ ଷ୍ଟେସନ ଠାରୁ ବରିଷ୍ଠ ନାଗରିକମାନେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପ୍ରାପ୍ତି ନିମନ୍ତେ ବାରଣାସୀ- ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ । ଏହି ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚ଼ନ୍ଦ୍ର ପାତ୍ର ସମସ୍ତ ବରିଷ୍ଠ ନାଗରିକଙ୍କୁ ଗୋଲାପ ଫୁଲ ଦେଇ ସମସ୍ତଙ୍କର ମଙ୍ଗଳମୟ ଯାତ୍ରା କାମନା କରିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ , ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ସାହୁ ପ୍ରମୂଖ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିଲେ । ସମସ୍ତ ଯାତ୍ରୀ ଯେପରି ସୁରୁଖୁରୁରେ ଦିବ୍ୟଯାତ୍ରା ଶେଷ କରି ଫେରି ଆସିବେ ସେଥିପ୍ରତି ଯତ୍ନବାନ ଦେବାକୁ ମାନ୍ୟବର ମନ୍ତ୍ରୀ ଏସ୍କର୍ଟ ଅଫିସରମାନଙ୍କୁ କହିଥିଲେ । ସୂଚ଼ନାଯୋଗ୍ୟ ଯେ, ୪୮ ଜଣ ଦମ୍ପତି, ୩୯ ଜଣ ଏକକ ବ୍ୟକ୍ତିଙ୍କ ସହିତ ୨ ଜଣ ସହାୟକ ଏବଂ ୩ ଜଣ ଏସ୍କର୍ଟ ଅଫିସର ୨ଟି ବସ୍ରେ ଭୁବନେଶ୍ୱରରେ ପହଞ୍ଚି, ଆସନ୍ତା କାଲି ଟ୍ରେନ୍ ଯୋଗେ ବାରଣାସୀ ଅଭିମୁଖେ ଯାତ୍ରା କରିବେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ପ୍ରେମ ପ୍ରତ୍ୟାଖ୍ୟାନରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ
ଜଗତପୁର:ପ୍ରେମିକା ଠାରୁ ପ୍ରତ୍ୟାଖ୍ୟାତ ହେବା ପରେ ଜଣେ ଯୁବକ ମହାନଦୀକୁ ଡେଇଁ ନିଖୋଜଥିବା ଜଣାପଡିଛି l ନିଖୋଜ ଯୁବକ ଜଣକ ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିର ସୁବାଶିଷ ଲେଙ୍କା (୨୮) l ଖବର ପାଇ ଜଗତପୁର ପୁଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିପାରିନାହିଁ l ରାତ୍ରି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି l ମିଳିଥିବା ସୂଚନା ଅନୁଯାୟୀ ସୁବାଶିଷ ମଙ୍ଗଳବାର ଦିନ ପ୍ରାୟ ୩ଟା ବେଳେ ଶିଖରପୁର ପାର୍ଶ୍ୱ ମହାନଦୀ ସେତୁ ଉପରେ ତାଙ୍କ ବାଇକ (ଓଡି ୩୩ - ୧୩୦୧) ଓ ବ୍ୟାଗ ରଖି ମହାନଦୀକୁ ଡେଇଁ ଥିଲେ l କିଛି ପ୍ରତ୍ୟକ୍ଷ ଦର୍ଶୀ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଜଗତପୁର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ l ପୁଲିସ ଘଟଣା ସ୍ଥଳରେ ଥିବା ବାଇକ ଓ ବ୍ୟାଗରୁ ଆଧାର କାର୍ଡ ଓ ପରିଚୟ ପତ୍ର ପାଇ ତାଙ୍କ ପରିବାରକୁ ଖବର ଦେଇଥିଲେ l ତାଙ୍କ ମା' ପହଞ୍ଚିବା ପରେ ତାଙ୍କ ପୁତ୍ର ବର୍ଷେ ଦୁଇ ବର୍ଷ ହେବ ମାନସିକ ଚିନ୍ତାରେ ରହୁଥିବା କହିଥିଲେ l ଆଜି ପ୍ରାୟ ଗୋଟାଏ ବେଳେ ସେ ତାଙ୍କ ପୁତ୍ର ସହ ଫୋନରେ କଥା ହୋଇଥିଲେ ଓ ସେ କିଛି ସମୟ ପରେ ଖାଇବାକୁ ଯିବାକୁ କହିଥିଲେ l ସୁବାଶିଷ ପୂର୍ବରୁ ଜ୍ୟୋତି ମୋଟର୍ସରେ କାର୍ଯ୍ୟ କରୁଥିବା ସମୟରେ ସେଠାରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଏହି ସମ୍ପର୍କ ପ୍ରାୟ ୯ ବର୍ଷର l ପରେ ସେଠାରୁ ଚାକିରୀ ଛାଡି ସେ ଆନ୍ଧ୍ରା ବିଇଡି କରିଥିଲେ l ବିଏସସି, ବିଇଡି ହୋଇଥିଲେ ମଧ୍ୟ କୌଣସି ଚାକିରୀ ପାଇ ନଥିଲେ l ଚାକିରୀ ନପାଇ ବେକାର ଥିବାରୁ ସମ୍ପୃକ୍ତ ଯୁବତୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା ଓ ସେଥିପାଇଁ ସେ ମାନସିକ ଚିନ୍ତାରେ ରହୁଥିଲା ବୋଲି ତାଙ୍କ ମା' କହିଛନ୍ତି l ସେଥିପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଛି ବୋଲି ତାଙ୍କ ମା' ଅଭିଯୋଗ କରିଛନ୍ତି l ଯୁବକଙ୍କ ପିତା ଜଣେ ଏଲଆଇସି ଏଜେଣ୍ଟ l ଆସନ୍ତା କାଲି ସକାଳେ ପୁନର୍ବାର ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି l
Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ଧାନ ପଞ୍ଜିକରଣ ଅବଧି ବୃଦ୍ଧି ଦାବି
ଟାଙ୍ଗୀ: ୩୧/୦୮ ଚଳିତ ୨୦୨୬-୨୭ ଖରିଫ ଋତୁର ଧାନ ମଣ୍ଡିରେ ବିକ୍ରି କରିବା ନିମନ୍ତେ ଚାଷୀମାନଙ୍କ ପଞ୍ଜିକରଣର ଶେଷ ତାରିଖ ଅଗଷ୍ଟ ୩୧ ଧାର୍ଯ୍ୟ କରାଯାଇଛି। ଏହି ସମୟସୀମା ମଧ୍ୟରେ ଚାଷୀମାନେ ନିଜ ନିକଟସ୍ଥ ସମବାୟ ସମିତି କିମ୍ବା ପାକ୍ସରେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ତେବେ ପଞ୍ଜିକରଣର ଶେଷ ଦିନରେ ମଧ୍ୟ ଅନେକ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସମବାୟ ସମିତିରେ ଏପର୍ଯ୍ୟନ୍ତ ପ୍ରାୟ ୧୩୦ ଜଣ ଚାଷୀ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ଜଣେ ଜଣେ ଚାଷୀଙ୍କ ଧାନ ଜମି ସମ୍ପର୍କିତ ତଥ୍ୟ ପଞ୍ଜିକରଣ କରିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗୁଥିବାରୁ ପଞ୍ଜିକରଣ ପ୍ରକ୍ରିୟା ଧୀର ଗତିରେ ଚାଲୁଥିବା କୁହାଯାଉଛି। ଅନ୍ୟପକ୍ଷରେ, ପଞ୍ଜିକରଣ ପାଇଁ ବହୁ ସଂଖ୍ୟକ ଚାଷୀ ସମବାୟ ସମିତି ନିକଟରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ ମଧ୍ୟ ସମୟ ଅଭାବରୁ ଅନେକେ ନିରାଶ ହୋଇ ଘରକୁ ଫେରୁଥିବା ଦେଖାଯାଇଛି। ପଞ୍ଜିକରଣ ପ୍ରକ୍ରିୟାରେ ସଫ୍ଟୱେର୍ ସମସ୍ୟା ସହିତ ଇଣ୍ଟରନେଟ୍ ସଂଯୋଗ ଠିକ୍ ଭାବେ କାର୍ଯ୍ୟ କରୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଚାଷୀମାନେ କହିଛନ୍ତି। ଧାନ ବିକ୍ରି ପାଇଁ ପଞ୍ଜିକରଣ କରିପାରିନଥିବା ଚାଷୀମାନେ ଯେପରି ସରକାରୀ ମଣ୍ଡି ସୁବିଧାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର ଘଟଣାର ଗୁରୁତ୍ୱକୁ ବିଚାର କରି ପଞ୍ଜିକରଣ ଅବଧି ଆଉ କିଛି ଦିନ ବୃଦ୍ଧି କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।
Khordha (ଖୋର୍ଦ୍ଧା) • ରିପୋର୍ଟ: ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା

ଚିଲିକା ଡ୍ରାଇଭର ମହାସଙ୍ଗର ବାର୍ଷିକ ଉତ୍ସବରେ ସଚେତନତା କାର୍ଯ୍ୟକ୍ରମ
ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୬ ନଂ ଜାତୀୟ ରାଜପଥ ମା ଶୂଳିଆ ଦେବୀ ମନ୍ଦିର ପ୍ରାଙ୍ଗଣରେ ଆଜି ଶତାଧିକ ଡ୍ରାଇଭର ମାନେ ଏକାଠି ହୋଇ ବିଭିନ୍ନ ଆଲୋଚନା ପ୍ରସଙ୍ଗକୁନେଇ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଆଜି ହେଉଛି ସେପ୍ଟେମ୍ବର ୧ ତାରିଖ ପ୍ରତିବର୍ଷ ଭଳି ଆଜି ରାଷ୍ଟିୟ ଡ୍ରାଇଭର ଦିବସ ପାଳନ କରାଜାଇଅଛି । ଏଥିରେ ଶତାଧିକ ଡ୍ରାଇଭର ସାମିଲି ହୋଇ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖ ଆସିଲେ ରାଷ୍ଟିୟଡ୍ରାଇଭର ଦିବସ ପାଳନ ଘୋଷଣା କରିବା ପାଇଁ । ସେହିଭଳି ୧୬ ନଂ ଜାତୀୟ ରାଜପଥ ନିକଟରେ ଯାଉଥିବା ବାଇକି ଓ କାର ଗୁଡ଼ିକ କୁ ହେଲମେଟ ଓ ସେଫ୍ଟ ବ୍ଲେଟ ବ୍ୟବହାର କରିବା ପାଇଁ ସଚେତନତା କରାଇଥିଲେ ଡ୍ରାଇଭର ମାନେ ।
Khordha (ଖୋର୍ଦ୍ଧା) • ରିପୋର୍ଟ : ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା

ମାର୍ଜାର କେଶରୀ କର୍ମକାଣ୍ଡ ପରିଷଦ ବୈଠକ
ବରଗଡ -ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ସଂସ୍କୃତି ମଣ୍ଡପଠାରେ ମାର୍ଜାର କେଶରୀ କର୍ମକାଣ୍ଡ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ନୃସିଂହନାଥ ପାର୍ଶ୍ୱଦେବୀ ମାନଙ୍କ ପାଖରେ ନବରାତ୍ର ପୂଜା କରିବା ପାଇଁ ଲଗ୍ନ ପ୍ରସ୍ତୁତି କରି ମନ୍ଦିର ପ୍ରଶାସନକୁ ଦିଆଯାଇଥିଲା । ଆଗାମୀ ସେପ୍ଟେମ୍ବର ୧୩ ତାରିଖ ଦିନ ଝାରବନ୍ଧ ଓ ପାଇକମାଲ ବ୍ଲକର ସମସ୍ତ କର୍ମକାଣ୍ଡ ପଣ୍ଡିତ ମାନଙ୍କୁ ନେଇ ଏକ ବୈଠକ କରିବାକୁ ନିଷ୍ପତି ହୋଇଛି ଓ ସମସ୍ତଙ୍କୁ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି । ସଭାରେ ସଭାପତି ସୁବଳ ପଣ୍ଡା, ସମ୍ପାଦକ ପ୍ରେମାନନ୍ଦ ଦେବତା, କୋଷାଧକ୍ଷ ସନ୍ତୋଷ ପାଢ଼ୀ, ତଥା ସୋହେଲାରୁ ମନବୋଧ ମିଶ୍ର, ବରଗଡ଼ରୁ କୁଳମଣି ମିଶ୍ର, ଶୁଭାଂଶୁ ମିଶ୍ର, ପାଇକମାଲରୁ ଉମେଶ ମିଶ୍ର, ଡିଗ୍ରୀ ଦେବତା, ରଘୁବୀର ତ୍ରିପାଠୀ, ରମେଶ ଯୋଶୀ ତଥା ଅନେକ ବ୍ରାହ୍ମଣ ଦେବତା ଯୋଗ ଦେଇଥିଲେ । ଧନ୍ୟବାଦ ଦେଇଥିଲେ ଠାକୁର ପଣ୍ଡା ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବୈଶାଖୀ ସାହିତ୍ଯ ସଂସଦର ମେହେର ଜୟନ୍ତୀ
ରାଉରକେଲା: ରାଉରକେଲାର ସାହିତ୍ଯ ସାଂସ୍କୃତିକ ଅନୁଷ୍ଠାନ ବୈଶାଖୀ ସାହିତ୍ଯ ସଂସଦ ଦ୍ବାରା ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ଯବକ୍ତା ଭାବେ ଅଧ୍ଯାପିକା ଶୈଳବାଳା ଷଡଙ୍ଗୀ , ମୁଖ୍ଯଅତିଥି ପିତବାସ ପ୍ରଧାନ,ଅନ୍ଯତମ ଅତିଥି ବିଜୟ କୁମାର ସାହୁ ଗଙ୍ଗାଧର ଙ୍କ ସାହିତ୍ୟ ଓ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ସାଧାରଣ ସଂପାଦକ ସି ମାଝୀ ତାଙ୍କର ସଂପାଦକୀୟ ଅଭିଭାଷଣରେ ବୈଶାଖୀ ସାହିତ୍ଯ ସଂସଦର ଆଗାମୀ କାର୍ଯ୍ଯକ୍ରମର ରୂପରେଖ ଉପସ୍ଥାପନ କରିଥିଲେ | ପ୍ରାରମ୍ଭରେ ସ୍ବର୍ଗତ କବି କବିବର ପରିଡା ଓ ବିଶିଷ୍ଟ ଗାଳ୍ପିକ ଗିରିଦଣ୍ଡସେନାଙ୍କ ଅମର ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇଥିଲା । ଗାଳ୍ପିକ ଅଜୟ କୁମାର ମହାନ୍ତି ଏକ ସୁନ୍ଦର ଯୁଗୋପଯୋଗୀ ଗଳ୍ପ ପାଠ କରିଥିଲେ । ଦ୍ବିତୀୟ ପର୍ଯାୟରେ ଵିକ୍ରମ ଆଚାର୍ଯ୍ଯଙ୍କ ସଭାପତିତ୍ବରେ କବି ପରେଶ ବିଶ୍ବାଳ ଓ କବୟିତ୍ରୀ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ କବି ସତ୍ଯବ୍ରତ ଦାସ,ଉମେଶ ତିଓ୍ବାରୀ,ତ୍ରିଲୋଚନ ସ୍ବାଇଁ,ବଳରାମ ଦାଶ,ଭୀମସେନ ସାହୁ,ନବଘନ ସାମଲ,ବିଜୟ କୁମାର ସାହୁ,ଜ୍ଯୋତ୍ସ୍ନାରାଣୀ ରାୟ,ସୁକାନ୍ତୀ ଦାସ ପ୍ରମୁଖ କବିତା ପାଠ କରିଥିଲେ ।ବିଜୟ କୁମାର ବରାଳ,ସୂର୍ଯ୍ଯମଣୀ ପଣ୍ଡା, ସୁଶାନ୍ତ ନାଏକ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ଦେବବ୍ରତ ଦାସ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ |
Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ : ଜଣେ ମୃତ, ଜଣେ ଗୁରୁତର
ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନା ଅଧୀନ ନାଲକୋ ମେଡିକାଲର ପଛପାର୍ଶ୍ୱ ରାସ୍ତାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୧ଟା ସମୟରେ ଗିରାଙ୍ଗ ଗ୍ରାମର ଅନନ୍ତ ନାଏକ (ପିତା– ଅନାମ ନାଏକ) ଜଣେ ସାଙ୍ଗଙ୍କ ସହ ବାଇକ୍ରେ ଯାଉଥିଲେ। ନାଲକୋ ମେଡିକାଲର ପଛପାର୍ଶ୍ୱ ରାସ୍ତାରେ କୌଣସି କାରଣରୁ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ନାଲକୋର ସୁରକ୍ଷାକର୍ମୀମାନେ ଉଭୟ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ନାଲକୋ ମେଡିକାଲକୁ ନେଇଥିଲେ। ପରେ ଉଭୟଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଅନନ୍ତ ନାଏକଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଯୁବକଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ନାଲକୋ ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

୧୦୩ ପରିବାରଙ୍କୁ ମିଳିଲା ପକ୍କା ଘର ନିର୍ମାଣ କାର୍ଯ୍ୟାଦେଶ
ବରଗଡ଼-ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମାବେଶୀ ସହରାଞ୍ଚଳ ବିକାଶ ଓ ଦକ୍ଷ ପୌର ସେବା ପ୍ରଦାନ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ବରଗଡ଼ ପୌରପାଳିକା ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମାନ୍ୟବର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ସାଂସଦ ପ୍ରତିନିଧି ଶ୍ରୀମତୀ ଲିପ୍ସିତା ମିଶ୍ର ଏବଂ ନିର୍ବାହୀ ଅଧିକାରୀ ଶ୍ରୀ ଦେବାନନ୍ଦ ସାହୁଙ୍କ ସମେତ ବହୁ ଅଧିକାରୀ ଓ ପୌର କର୍ମଚାରୀ ଉପସ୍ଥିତ ରହି ପ୍ରଧାନ ମନ୍ତ୍ରୀ ଅବାସ ଯୋଜନା (ସହରାଞ୍ଚଳ)-୨.୦ ଅଧୀନରେ ମୋଟ ୦୩ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ପୌରପାଳିକାର ସଫଳ କର୍ମଚାରୀମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ । ସେମାନଙ୍କ ସେମାନଙ୍କ ମଧ୍ୟରୁ ଶ୍ରୀ ଆଲୋକ ମଲ୍ଲିକଙ୍କୁ ଶ୍ରେଷ୍ଠ ରୋଡ୍ କୁଲି ଜମାଦାର ଭାବେ ସମ୍ମାନିତ କରାଯାଇଥିବା ବେଳେ ଶ୍ରୀ ଦିନଦୟାଲ ସୁନା ଓ ଶ୍ରୀ ତ୍ରିଲୋଚନ ମହାକୁରଙ୍କୁ ଶ୍ରେଷ୍ଠ କର ଆଦାୟକାରୀ, ଶ୍ରୀ ସର୍ଜୁ ଡୁଙ୍ଗ୍ରିଙ୍କୁ ଶ୍ରେଷ୍ଠ ସଫେଇ କର୍ମଚାରୀ, ଶ୍ରୀମତୀ ବର୍ଷା ଦୀପଙ୍କୁ ଶ୍ରେଷ୍ଠ ସ୍ୱଚ୍ଛ ସୁପରଭାଇଜର ଏବଂ ଶ୍ରୀମତୀ ଜୁଲି ବେହେରା ଓ ଶ୍ରୀମତୀ ଜୟନ୍ତୀ ବାରିକଙ୍କୁ ୟୁଜର ଫି ଆଦାୟ କ୍ଷେତ୍ରରେ ଶ୍ରେଷ୍ଠ ସ୍ୱଚ୍ଛସାଥୀ ଭାବେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକାଭିମୁଖୀ ସହରାଞ୍ଚଳ ଶାସନ, ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ଦକ୍ଷତାର ସହ ପୌର ସେବା ପ୍ରଦାନର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ନାଗରିକଙ୍କ ଜୀବନଧାରଣର ମାନ ଉନ୍ନତ କରିବା ସହ ପୌର ଭିତ୍ତିଭୂମି ଓ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ପୌରପାଳିକା ପ୍ରତିବଦ୍ଧ ହେବା ମତ ରଖିଥିଲେ ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଯାଜପୁର ବାଙ୍କସାହି ଦଳେଇ ଘାଇ ଅଞ୍ଚଳରେ କଳିଙ୍ଗ କୃଷକ ବିକାଶ ପରିଷଦ ପକ୍ଷରୁ ରିଲିଫ ବଣ୍ଟନ
ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତର ବାଙ୍କସାହି ଅଞ୍ଚଳରେ ସୃଷ୍ଟି ହୋଇଥିବା ଦଳେଇ ଘାଇ ସ୍ଥଳରେ ବନ୍ୟା ବିପନ୍ନଙ୍କୁ ସହାୟତା ହାତ ବଢ଼ାଇଛି 'କଳିଙ୍ଗ କୃଷକ ବିକାଶ ପରିଷଦ, ଓଡ଼ିଶା'। ପରିଷଦର ରାଜ୍ୟ ସଭାପତି ଅମର ବଲ୍ଲଭ ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଛି। ଏହି ସାମାଜିକ ସେବା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପ-ସଭାପତି ଅମୁଲ୍ୟ ଦାସ, ସମ୍ପାଦକ ଶୁଭକାନ୍ତ ନାୟକ, ସଭ୍ୟ ଶ୍ୟାମ ସୁନ୍ଦର ନାୟକ, ଗୋପାଳ ସାହୁ, ଦୁର୍ଗା ବାହିନୀ ରାଜ୍ୟ ସଂଯୋଜିକା ତୃପ୍ତିରେଖା ନାୟକ, ଗୁଗଲମିଟ ଯୁବ ସଂଯୋଜକ ବିଶ୍ୱଜିତ ପୋଥାଳ, ରସୁଲପୁର ବ୍ଲକ ସଭାପତି ଦୀନବନ୍ଧୁ ମଲ୍ଲିକ, ରସୁଲପୁର ଦୁର୍ଗାବାହିନୀ ସଦସ୍ୟା ପୁଷ୍ପଲତା ଯେନା, ପ୍ରମିଳା ମହାନ୍ତି ଏବଂ ଯାଜପୁର ବ୍ଲକ ସମ୍ପାଦକ ନୀଳମଣୀ ସାହୁ ପ୍ରମୁଖ ଯୋଗଦେଇ ବିପନ୍ନମାନଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରିଥିଲେ। ସଙ୍କଟ ସମୟରେ ପରିଷଦର ଏପରି ସହାୟତା ପାଇଁ ସ୍ଥାନୀୟ ବନ୍ୟାପୀଡ଼ିତମାନେ କଳିଙ୍ଗ କୃଷକ ବିକାଶ ପରିଷଦକୁ କୃତଜ୍ଞତା ଜଣାଇଛନ୍ତି।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର ସ୍ବତନ୍ତ୍ର ପ୍ରତିନିଧି

ଦୁଃଖର ସମୟରେ ଅଚ୍ୟୁତ ମହାରଣାଙ୍କ ପରିବାର ପାଖରେ ଲୁଲୁ ସେନା
ଅନୁଗୋଳ: ବଡ଼କନ୍ତକୂଳ ପଞ୍ଚାୟତ ଅନ୍ତର୍ଗତ ନୂଆଖେତା ଗ୍ରାମର ଅଚ୍ୟୁତ ମହାରଣାଙ୍କ ଦେହାନ୍ତରେ ପରିବାର ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖଦ ସମୟରେ ଲୁଲୁ ସେନାର ଏକ ଟିମ୍ ଅଚ୍ୟୁତ ମହାରଣାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ପରିବାରର ଆର୍ଥିକ ଓ ସାମାଜିକ ପରିସ୍ଥିତି ବିଷୟରେ ଜାଣିବା ପରେ, ଏହି କଠିନ ସମୟରେ ଲୁଲୁ ସେନା ପକ୍ଷରୁ ସାମର୍ଥ୍ୟ ଅନୁଯାୟୀ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ଦୁଃଖରେ ପରିବାର ସହ ଠିଆ ହୋଇ ମାନବିକତାର ପରିଚୟ ଦେଇଛି ଲୁଲୁ ସେନା। ଏହି ଅବସରରେ ସ୍ୱର୍ଗତ ଅଚ୍ୟୁତ ମହାରଣାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ଭଗବାନ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଲୁଲୁ ସେନା ପକ୍ଷରୁ ପ୍ରାର୍ଥନା କରାଯାଇଛି। ଗରିବ, ଦୁଃଖୀ ଓ ଅସହାୟଙ୍କ ସୁଖଦୁଃଖରେ ସାଥୀ ହେବା ଲୁଲୁ ସେନାର ମାନବିକ ପ୍ରୟାସକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସରେ ଅନୁଗୋଳ ପୌରପାଳିକାର ବିଭିନ୍ନ ପ୍ରକଳ୍ପ ଉଦଘାଟିତ
ଅନୁଗୋଳ: ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅନୁଗୋଳ ପୌରପାଳିକା ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି। ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ କରକମଳରେ ଏହି ପ୍ରକଳ୍ପଗୁଡ଼ିକର ଉଦଘାଟନ କରାଯାଇଥିଲା। ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନିର୍ମିତ ‘ମଡେଲ ଭେଣ୍ଡିଂ ଜୋନ୍’, ରାଜ ହୋଟେଲ ଛକଠାରେ ନିର୍ମିତ ଆକର୍ଷଣୀୟ ‘ସମୁଦ୍ର ମନ୍ଥନ’ କଳାକୃତି ଏବଂ ‘ଅନୁଗୋଳ ହାଇସ୍କୁଲ ସୌନ୍ଦର୍ଯ୍ୟକରଣ’ ପ୍ରକଳ୍ପର ଉଦଘାଟନ ଏହି ଅବସରରେ କରାଯାଇଥିଲା। ପୌରପାଳିକା ପକ୍ଷରୁ ସହରର ଭିତ୍ତିଭୂମି ବିକାଶ ସହିତ ସୌନ୍ଦର୍ଯ୍ୟକରଣ ଓ ଜନସାଧାରଣଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଇ ଏଭଳି ପ୍ରକଳ୍ପ ହାତକୁ ନିଆଯାଇଥିବା କୁହାଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ଅନୁଗୋଳ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ପରିଷଦବର୍ଗ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସୁନା ସଫା କରିବା ବାହାନାରେ ଠକେଇ: ଆନ୍ତଃରାଜ୍ୟ ଗ୍ୟାଙ୍ଗର ୪ ଗିରଫ
ଛେଣ୍ଡିପଦା: ସୁନା ସଫା କରିବାର ପ୍ରଲୋଭନ ଦେଖାଇ ମହିଳା ଓ ବୃଦ୍ଧଙ୍କୁ ଠକେଇ କରୁଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଛେଣ୍ଡିପଦା ପୋଲିସ ଧରିବାରେ ସଫଳ ହୋଇଛି। ଅନୁଗୋଳ ଏସ୍ପିଙ୍କ ତତ୍ତ୍ୱାବଧାନରେ ପୋଲିସ ତ୍ୱରିତ ଓ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଅନ୍ୟ ୨ ଜଣ ସେମାନଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗ ରହିଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ସୁନା ସଫା କରୁଥିବା ଏଜେଣ୍ଟର ପରିଚୟ ଦେଇ ମହିଳା ଓ ବୃଦ୍ଧଙ୍କୁ ଟାର୍ଗେଟ କରୁଥିଲେ। ସୁନା ଅଳଙ୍କାର ସଫା କରିଦେବାର ପ୍ରତିଶ୍ରୁତି ଦେଇ ଅଳଙ୍କାର ନେବା ପରେ ସେଗୁଡ଼ିକ ନେଇ ଫେରାର ହୋଇଯାଉଥିଲେ। ଅଭିଯୁକ୍ତଙ୍କ ନିକଟରୁ ୩ଟି ସୁନା ଚେନ୍, ଗୋଟିଏ ଭଙ୍ଗା ସୁନା ଚେନ୍, ଗୋଟିଏ ମୋଟରସାଇକେଲ, ୨ଟି ମୋବାଇଲ ଫୋନ୍, ୧୮ ପ୍ୟାକେଟ ସଫା ପାଉଡର ଓ ୧୫ ବୋତଲ ସଫା କରିବା ତରଳ ପଦାର୍ଥ ଜବତ କରାଯାଇଛି। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଓ ବ୍ୟାପକ ନେଟୱର୍କ ସମ୍ପର୍କରେ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି। ଛେଣ୍ଡିପଦା ପୋଲିସର ଏହି ତ୍ୱରିତ ଓ ଗୁପ୍ତ ସୂଚନାଭିତ୍ତିକ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା
