--:--:--
-- ---
Srishti News

Web News

ଲଡୁଗାଁରେ ରାମ ମନ୍ଦିର ପାଇଁ ଭୂମିପୂଜନ
Jun 26, 202653 views

ଲଡୁଗାଁରେ ରାମ ମନ୍ଦିର ପାଇଁ ଭୂମିପୂଜନ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁଠାରେ ମହା ଆଡମ୍ବରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକର୍ମଟି ହରିରାମ fatechand ପାରିବାର ତରଫରୁ ଆୟୋଜନ କରାଯାଇଥିଲା। ପରିବାରର ଯୁଗଳ ଅଗ୍ରୱାଲ , ମନୋଜ ଅଗ୍ରୱାଲ , ମୁରଲୀ , ମୁକେଶ , ବିମଳ , ଲିଙ୍ଗରାଜ , ଦୁର୍ଗା ଓ କୈଳାଶ ଅଗ୍ରୱାଲ, ଜଗନ୍ନାଥ ମନ୍ଦିର ର ସଭାପତି ଶ୍ରୀ ବନମାଳୀ ମାଝୀ ଙ୍କ ସମେତ ଅନେକକର୍ମକର୍ତ୍ତା ଉପସ୍ଥିତି ଥିଲେ । ଭୂମିପୂଜନ ର କର୍ତ୍ତା ଭାବେ କମଲ ଅଗ୍ରୱାଲ, ପୂଜକ ଶ୍ରୀ କିଶୋର ଠାକୁର ବିଧି ଅନୁସାରେ ପୂଜା କାର୍ଯ୍ୟ ସମାପନା କରିଥିଲେ।

Kalahandi (କଳାହାଣ୍ଡି)ରିପୋର୍ଟ:ରିତେଶ କୁମାର ମୁଣ୍ଡ, କୋକସରା

ଅସୁସ୍ଥ ବୃଦ୍ଧ ଦମ୍ପତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ମାନବିକତାର ପରିଚୟ ଦେଲେ ସ୍ରିଷ୍ଟି ନିୟୁଜର ସାମ୍ବାଦିକ
Jun 26, 2026111 views

ଅସୁସ୍ଥ ବୃଦ୍ଧ ଦମ୍ପତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ମାନବିକତାର ପରିଚୟ ଦେଲେ ସ୍ରିଷ୍ଟି ନିୟୁଜର ସାମ୍ବାଦିକ

ଭୁବନେଶ୍ୱର : ମାନବିକତାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି ସ୍ରିଷ୍ଟି ନିୟୁଜର ସାମ୍ବାଦିକ ସୁଶାନ୍ତ କୁମାର ମହାକୁଡ଼। ରାସ୍ତା କଡ଼ରେ ଜ୍ୱରରେ ଅସୁସ୍ଥ ଓ ଅସହାୟ ଅବସ୍ଥାରେ ପଡ଼ିଥିବା ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରି ସେ ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଇ ଚିକିତ୍ସାର ବ୍ୟବସ୍ଥା କରିଥିଲେ। ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଧୋବା ନାହାକ ଓ ତାଙ୍କ ପତ୍ନୀ ବିମଳା ନାହାକ, ଉଭୟଙ୍କ ବୟସ ପ୍ରାୟ ୮୦ ବର୍ଷ। ଜ୍ୱରରେ ଆକ୍ରାନ୍ତ ହୋଇ ସେମାନେ ରାସ୍ତା କଡ଼ରେ ଅସହାୟ ଅବସ୍ଥାରେ ଥିବାବେଳେ ସେହି ବାଟ ଦେଇ ଯାଉଥିବା ସ୍ରିଷ୍ଟି ନିୟୁଜର ସାମ୍ବାଦିକ ସୁଶାନ୍ତ କୁମାର ମହାକୁଡ଼ ସେମାନଙ୍କୁ ଦେଖି ତୁରନ୍ତ ସହାୟତା ପାଇଁ ଆଗେଇ ଆସିଥିଲେ। ବୃଦ୍ଧ ଦମ୍ପତିଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ସେ ସେମାନଙ୍କୁ ନିଜ ଗାଡ଼ିରେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେଠାରେ କେବଳ ପହଞ୍ଚାଇ ଫେରି ନଯାଇ, ନିଜେ ଉପସ୍ଥିତ ରହି ଡାକ୍ତରଙ୍କ ଦ୍ୱାରା ଜରୁରୀ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଇଥିଲେ। ବର୍ତ୍ତମାନ ବୃଦ୍ଧ ଦମ୍ପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସୁଶାନ୍ତ କୁମାର ମହାକୁଡ଼ କହିଛନ୍ତି, "ଲୋକଙ୍କ ସୁଖଦୁଃଖର ଖବର ପ୍ରସାରଣ କରିବା ସହ ସମାଜରେ ଅସହାୟ ଲୋକଙ୍କ ସେବା କରିବା ଆମର ସବୁଠାରୁ ବଡ଼ କର୍ତ୍ତବ୍ୟ।" ଯୁବ ସାମ୍ବାଦିକଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।

Bhubaneswar (ଭୁବନେଶ୍ୱର)ବ୍ୟୁରୋ ରିପୋର୍ଟ, ଭୁବନେଶ୍ୱର

ସିଙ୍ଗପୁର ବାଣ ବିସ୍ଫୋରଣ ଘଟଣା: ମାମଲା ରୁଜୁ, ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଜାରି
Jun 26, 202668 views

ସିଙ୍ଗପୁର ବାଣ ବିସ୍ଫୋରଣ ଘଟଣା: ମାମଲା ରୁଜୁ, ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଜାରି

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ଆକାଶ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାକୁ ନେଇ ପୋଡ଼ାମାରି ଫାଣ୍ଡି ଏସ୍‌ଆଇ ପ୍ରଭାତ କୁମାର ବାଲିକାନାଙ୍କ ଏତଲା ଆଧାରରେ ପାଟପୁର ଥାନାରେ ମାମଲା ନଂ–୧୮୦/୨୬ ରୁଜୁ କରାଯାଇଛି। ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶରେ ତଦନ୍ତ ଚାଲିଥିବା ବେଳେ ତଦନ୍ତକାରୀ ଅଧିକାରୀ ସୋଲେମାନ ଭୁଁୟା ଓ ଛତ୍ରପୁରରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଆକାଶ ଦାସ ଓ ତାଙ୍କ ପରିବାର ବିଭିନ୍ନ ଉତ୍ସବ ପାଇଁ ହାତ ତିଆରି ବାଣ ପ୍ରସ୍ତୁତ କରି ବିକ୍ରି କରୁଥିଲେ। ବୁଧବାର ସନ୍ଧ୍ୟାରେ ଘରେ ବାଣ ପ୍ରସ୍ତୁତ କରୁଥିବା ସମୟରେ ଅସାବଧାନତାବଶତଃ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣରେ ଆକାଶ ଦାସ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ତାଙ୍କ ବାପା ସନ୍ତୋଷ ଦାସ, ମା ବିଷ୍ଣୁପ୍ରିୟା ଦାସ ଏବଂ ବଡ଼ ମା ଲକ୍ଷ୍ମୀ ଦାସ ଗୁରୁତର ଆହତ ହୋଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗୁରୁବାର ଆକାଶଙ୍କ ମୃତଦେହର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଦିଗପହଣ୍ଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ, ତୃଣମୂଳ ସ୍ତରରେ ଦଳ ସୁଦୃଢ ହେବ: ବିଜେଡି
Jun 26, 2026104 views

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ, ତୃଣମୂଳ ସ୍ତରରେ ଦଳ ସୁଦୃଢ ହେବ: ବିଜେଡି

ଭୁବନେଶ୍ୱର, ୨୫/୦୬/୨୦୨୬: ପୂର୍ବତନ ଆଇଏଏସ୍ ଶ୍ରୀମତୀ ସୁଜାତା ରାଉତ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ତାଙ୍କର ଯୋଗଦାନ ଦଳକୁ ତୃଣମୂଳ ସ୍ତରରେ ଅଧିକ ଶକ୍ତିଶାଳୀ କରିବ ବୋଲି ଦଳର ବରିଷ୍ଠ ନେତୃବୃନ୍ଦ କହିଛନ୍ତି । ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉତ୍ତରୀୟ ଦେଇ ଶ୍ରୀମତୀ ସୁଜାତା ରାଉତଙ୍କୁ ଦଳରେ ସାମିଲ କରିଥିଲେ । ପୂର୍ବତନ ଆଇଏଏସ୍ ଅଧିକାରୀ ଶ୍ରୀମତୀ ସୁଜାତା ରାଉତ ଜଣେ ସାଧାରଣ କର୍ମୀ ଭାବେ ଦଳରେ ଯୋଗ ଦେଇଛନ୍ତି । ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଦଳର ସଂଗଠନକୁ ମଜଭୁତ କରିବାରେ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ । ଅନ୍ୟପଟେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରେରଣାର ଉତ୍ସ ଭାବେ ଅଭିହିତ କରି ଶ୍ରୀମତୀ ସୁଜାତା ରାଉତ କହିଥିଲେ, ଜଣେ ପ୍ରଶାସନିକ ଅଧିକାରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ୨୪ ବର୍ଷ ଧରି କାର୍ଯ୍ୟ କରିଛି । ଆଗାମୀ ଦିନରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ସେବା କରିବା ପାଇଁ ବିଜୁ ଜନତା ଦଳରେ ଯୋଗ ଦେଇଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ଲକ୍ଷ ଲକ୍ଷ ବିଜୁ ଜନତା ଦଳର କର୍ମୀଙ୍କ ସହଯୋଗ ନେଇ ନିଷ୍ଠା ଓ ସମର୍ପିତ ଭାବେ ଦଳ ଓ ରାଜ୍ୟ ପାଇଁ କାର୍ଯ୍ୟ କରିବି । ଏହି ସ୍ୱତନ୍ତ୍ର ସଭାରେ ଦଳର ସାଂସଦ, ବିଧାୟକ ଓ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଆଜି ଶଙ୍ଖ ଭବନରେ ଅତ୍ୟନ୍ତ ଉତ୍ସାହର ସହ ଶ୍ରୀମତୀ ସୁଜାତା ରାଉତଙ୍କୁ ଉଚ୍ଛସ୍ୱିତ ସ୍ୱାଗତ କରାଯାଇଥିଲା ।

Bhubaneswar (ଭୁବନେଶ୍ୱର)ରିପୋଟ_ନିରୋଜ କୁମାର ସେଠୀ, ଭୁବନେଶ୍ୱର

୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ
Jun 26, 202647 views

୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଯାଜପୁର, ତା. ୨୫.୦୬.୨୦୨୬: ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ ଆଜି ଏନ୍‌.ସି. ଅଟୋନୋମସ୍ କଲେଜ, ଯାଜପୁର ପରିସରରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଏନ୍‌.ସି. ଅଟୋନୋମସ୍ କଲେଜ ଏବଂ ବିରଜା ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ବାଣିଜ୍ୟ, ଅର୍ଥନୀତି, ପରିସଂଖ୍ୟାନ, ଗଣିତ ଏବଂ ଅନ୍ୟାନ୍ୟ ସମ୍ବଦ୍ଧ ବିଷୟର ଛାତ୍ରଛାତ୍ରୀମାନେ ଏହି କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମଟି ଏନ୍‌.ସି. ଅଟୋନୋମସ୍ କଲେଜର ଅର୍ଥନୀତି ବିଭାଗର ତତ୍ତ୍ୱାବଧାନରେ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଯାଜପୁରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ମନୋଜ କୁମାର ନାୟକଙ୍କ ସକ୍ରିୟ ସହଯୋଗ ଓ ମାର୍ଗଦର୍ଶନରେ ପ୍ରତିଯୋଗିତାଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୯.୦୬.୨୦୨୬ ରିଖରେ ଆୟୋଜିତ ହେବାକୁ ଥିବା ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାମାନଙ୍କର ସକ୍ରିୟ ସହଭାଗିତା ପରିଲକ୍ଷିତ ହୋଇଥିଲା ଏବଂ ଏହା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିସଂଖ୍ୟାନ ପ୍ରତି ଆଗ୍ରହ ବୃଦ୍ଧି କରିବାରେ ସହାୟକ ହୋଇଛି।

Jajpur (ଯାଜପୁର)ରିପୋର୍ଟ _ନିରୋଜ କୁମାର ସେଠୀ

ଯାଜପୁର ଜିଲ୍ଲା କୃଷି ଭବନ ପରିସର ସିଏମ କିସାନ କେନ୍ଦ୍ର ଆଗ ଜଙ୍ଗଲରେ ପରିଣତ
Jun 26, 2026130 views

ଯାଜପୁର ଜିଲ୍ଲା କୃଷି ଭବନ ପରିସର ସିଏମ କିସାନ କେନ୍ଦ୍ର ଆଗ ଜଙ୍ଗଲରେ ପରିଣତ

ଯାଜପୁର ପୁର କିଆନାଳି ଛକରେ ଥିବା କୃଷି ଭବନ ପରିସରର ଭିତର କଥା ନକହିଲେ ଭଲ। ବଡ ବଡିଆ ବାବୁ ମାନେ କେତେବେଳେ କାର୍ଯ୍ୟାଳୟ ଆସୁଛନ୍ତି ତ କେତେ ବେଳେ ଆସୁନାହାନ୍ତି। ଖାଲି ବାବୁ ମାନଙ୍କର କାମ ହିଁ କାମ,ପ୍ରାସାସନିକ ଆଢ଼ୁଆଳରେ ରହି ରହ ଠହ ହିସାବରେ କାର୍ଯ୍ୟ କରୁଥିବା ଦେଖାଯାଇ ଥିଲା।ଯେବେ ପଡ଼ିବ ଦରକାର ସଫା ହେବ ସି,ଏମ ଘର ଆଗର। ନିଜକୁ ଖରାପ ଲାଗିବାର କଥା।ସରକାର କହୁଛନ୍ତି ପରିଷ୍କାର ରହିବା,ଆମ ପରିବେଶକୁ ସଫାସୁତୁରା ରଖିବି।ହେଲେ ଏଠି ପୁରା ଓଲଟା ଦେଖାଯାଉ ଆଗକୁ ପରିସର କେତେ ସଫା ରହିବ।

Jajpur (ଯାଜପୁର)ରିପୋର୍ଟ: ନିରୋଜ କୁମାର ସେଠୀ

ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ, ମିଲର୍ସଙ୍କ ମନମାନି ଓ ପ୍ରଶାସନିକ ଅବହେଳା !
Jun 26, 202669 views

ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ, ମିଲର୍ସଙ୍କ ମନମାନି ଓ ପ୍ରଶାସନିକ ଅବହେଳା !

ଯାଜପୁର ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପ୍ରାଥମିକ କୃଷି ସମବାୟ ସମିତି ସିମିଳିଆ ଓ ନିୟନ୍ତ୍ରିତ ବଜାର କମିଟି, ଯାଜପୁର ଅଧୀନରେ ମଲ୍ଲିକାପୁର ତିଛକି ରାସ୍ତା କଡ଼ରେ ହଜାର ହଜାର କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ମିଲର୍ସଙ୍କ ବିଳମ୍ବ ଓ ପ୍ରଶାସନର ଅବହେଳା ଯୋଗୁଁ ଚାଷୀଙ୍କ କଷ୍ଟାର୍ଜିତ ଫସଲ ଏବେ ବର୍ଷାରେ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଯାଜପୁର ବ୍ଲକର ବିଭିନ୍ନ ମଣ୍ଡିରେ ଧାନ କିଣା ହୋଇଥିଲେ ମଧ୍ୟ ମିଲକୁ ଉଠାଣ ହୋଇନାହିଁ। ମଲ୍ଲିକାପୁର ତିଛକି ରାସ୍ତା କଡ଼ରେ ନାଟ ମଡ଼ା ହୋଇ ଧାନ ପଡ଼ି ରହିଛି। କାଦୁଅ ଓ ପାଣି ମଧ୍ୟରେ ଧାନ ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଏପଟେ କାଳବୈଶାଖୀର ସତର୍କ ସୂଚନା ଚାଷୀଙ୍କ ନିଦ ହଜାଇ ଦେଇଛି। ବର୍ଷା ହେଲେ ଧାନ ଭିଜି ଗଜା ହେବାର ଆଶଙ୍କା ରହିଛି। ମଣ୍ଡିରେ ପର୍ଯ୍ୟାପ୍ତ ତ୍ରିପାଲ କିମ୍ବା ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅନ୍ନଦାତା ନିଜ ଫସଲକୁ ଜଗି ରହିବାକୁ ବାଧ୍ୟ ହେଉଛନ୍ତି। ଚାଷୀଙ୍କ ଅଭିଯୋଗ, ମିଲର୍ସଙ୍କ ମନମାନି ଓ ପ୍ରଶାସନର ଢିଲା ନୀତି ଯୋଗୁଁ ଦିନ ଦିନ ଧରି ଧାନ ଉଠୁନାହିଁ। ଏଥିରୁ ଚାଷୀମାନେ ଆର୍ଥିକ ଓ ମାନସିକ ଚାପରେ ରହିଛନ୍ତି। ଫସଲ ବିକ୍ରି ନହେବାରୁ ପରିବାର ପ୍ରତିପୋଷଣ ନେଇ ମଧ୍ୟ ସେମାନେ ଚିନ୍ତିତ। ଚାଷୀମାନେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗକୁ ତୁରନ୍ତ ହସ୍ତକ୍ଷେପ କରି ଧାନ ଉଠାଣ ବ୍ୟବସ୍ଥା କରିବା ସହ ଦାୟୀ ମିଲର୍ସଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Jajpur (ଯାଜପୁର)ରିପୋର୍ଟ: ନିରୋଜ କୁମାର ସେଠୀ, ଯାଜପୁର

ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ
Jun 26, 202699 views

ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୋଳ: ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନ୍ତର୍ଗତ ଅନୁଗୁଳ ମୁନିସିପାଲିଟିର ୧୫ ନମ୍ବର ୱାର୍ଡ ତାମ୍ରିତ୍ କଲୋନୀରେ ଏକ ସଚେତନତା ଓ ଜନସମ୍ପର୍କ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ୱାର୍ଡବାସୀଙ୍କ ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ସହରାଞ୍ଚଳ ବିକାଶ ଏବଂ ନାଗରିକ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଉପସ୍ଥିତ ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ସହାୟତା ରାଶି ପ୍ରଦାନ କରିବା ସହ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଚାଲିଥିବା ରାଜ୍ୟସ୍ତରୀୟ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। “ବିକାଶ ଧାରା ଓଡ଼ିଶା ସାରା” ସଂକଳ୍ପକୁ ସାକାର କରିବା ପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଅତ୍ୟନ୍ତ ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀ, ବିଜେପି ନେତା ଶ୍ରୀ ବାବୁଲି ନାଏକ, ପୂର୍ବତନ କାଉନସିଲର ଶ୍ରୀ ବଂଶୀଧର ପ୍ରଧାନଙ୍କ ସମେତ ୱାର୍ଡର ବହୁ ବାସିନ୍ଦା ଉପସ୍ଥିତ ଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

୩.୮୦ କୋଟି ଟଙ୍କା ବ୍ୟୟରେ ବନ୍ଦା–ନରେନ୍ଦ୍ରପୁର ସଡ଼କର ଶିଳାନ୍ୟାସ
Jun 26, 2026103 views

୩.୮୦ କୋଟି ଟଙ୍କା ବ୍ୟୟରେ ବନ୍ଦା–ନରେନ୍ଦ୍ରପୁର ସଡ଼କର ଶିଳାନ୍ୟାସ

ଅନୁଗୋଳ: ବଅଁରପାଳ ବ୍ଲକର ବନ୍ଦା ଗ୍ରାମ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବନ୍ଦା ପୂର୍ତ୍ତ ରାସ୍ତା (ଉଚ୍ଚ ପ୍ରାଥମିକ ବିଦ୍ୟାଳୟ) ଠାରୁ ନୁଆହତା–ମହୀଧରପୁର ରାସ୍ତା (ନରେନ୍ଦ୍ରପୁର ଛକ) ପର୍ଯ୍ୟନ୍ତ ଭାୟା ଚଉରିଡିହ ଶିବ ମନ୍ଦିର ଓ ପାଲ୍ ଫାର୍ମ ହାଉସ୍ ସମ୍ମୁଖ ରାସ୍ତାର ଶିଳାନ୍ୟାସ କରିଛନ୍ତି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି ବହୁ ପ୍ରତୀକ୍ଷିତ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବାବେଳେ, ସ୍ଥାନୀୟ ଅଞ୍ଚଳର ଯାତାୟାତ ବ୍ୟବସ୍ଥାର ଉନ୍ନତି ସହ ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବ ବୋଲି ମତ ପ୍ରକାଶ ପାଇଥିଲା। ଏହି ରାସ୍ତା ନିର୍ମାଣ ହେଲେ ବନ୍ଦା, ଚଉରିଡିହ, ନରେନ୍ଦ୍ରପୁର ସମେତ ଆଖପାଖ ଅଞ୍ଚଳର ଲୋକମାନେ ସୁବିଧାଜନକ ଯାତାୟାତ ସୁଯୋଗ ପାଇବେ ଏବଂ ଅଞ୍ଚଳର ସାମଗ୍ରିକ ବିକାଶରେ ଏହା ସହାୟକ ହେବ। ଶିଳାନ୍ୟାସ ଉତ୍ସବରେ ୨୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଗୋପାଳ ନାଏକ, ୨୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମୀରା ଗଡନାୟକ, ବିଜେପି ବଅଁରପାଳ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶ୍ରୀ ସୁବ୍ରତ ସାହୁ, ବିଜେପି ନେତା ଶ୍ରୀ ନିରଞ୍ଜନ ସାହୁ, ଶ୍ରୀ ମଧୁସୂଦନ ପ୍ରଧାନ, ଶ୍ରୀ ବୁଦ୍ଧିମନ୍ତ ବୈଦ୍ୟ, ଶ୍ରୀ ଅଜୟ ରାଉଳ, ଶ୍ରୀ ବିପିନ ଦେହୁରୀ, ଶ୍ରୀ କୁମର ନାଏକଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ନିଶା ପାଇଁ ଟଙ୍କା ନ ମିଳିବାରୁ ବୃଦ୍ଧା ମା’ଙ୍କ ଆଙ୍ଗୁଠି କାମୁଡ଼ି ଛିଣ୍ଡାଇଲା ପୁଅ, ଅଭିଯୁକ୍ତ ଗିରଫ
Jun 26, 2026167 views

ନିଶା ପାଇଁ ଟଙ୍କା ନ ମିଳିବାରୁ ବୃଦ୍ଧା ମା’ଙ୍କ ଆଙ୍ଗୁଠି କାମୁଡ଼ି ଛିଣ୍ଡାଇଲା ପୁଅ, ଅଭିଯୁକ୍ତ ଗିରଫ

ଅନୁଗୋଳ: ନିଶାସକ୍ତ ପୁଅର ଅମାନବୀୟ କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ନିଶା ପାଇଁ ଟଙ୍କା ନ ମିଳିବାରୁ ଜଣେ ପୁଅ ନିଜ ବୃଦ୍ଧା ମା’ଙ୍କୁ ନିର୍ମମ ଭାବେ ଆକ୍ରମଣ କରିବା ସହ ତାଙ୍କ ହାତର ଆଙ୍ଗୁଠିକୁ କାମୁଡ଼ି ଗୁରୁତର ଆହତ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କନ୍ଦରସିଂହା ଗ୍ରାମର ପାଞ୍ଚାଳି ନାଥ ଦୀର୍ଘ ଦିନ ଧରି ପୁଅ ପ୍ରତାପ ନାଥଙ୍କ ନିଶାସକ୍ତ ଅବସ୍ଥାରେ ନିର୍ଯାତନାର ଶିକାର ହୋଇଆସୁଥିଲେ। ପୁଅର ଅତ୍ୟାଚାର ଅସହ୍ୟ ହେବାରୁ ସେ ଘର ଛାଡ଼ି ଅନୁଗୋଳର ଏକ ଆଶ୍ରମରେ ଆଶ୍ରୟ ନେଇଥିଲେ। ମଙ୍ଗଳବାର ପ୍ରତାପ ଆଶ୍ରମରେ ପହଞ୍ଚି ନିଶା ପାଇଁ ମା’ଙ୍କୁ ଟଙ୍କା ମାଗିଥିଲା। ତେବେ ପାଞ୍ଚାଳି ଟଙ୍କା ଦେବାକୁ ମନା କରିଦେବାରୁ ସେ ଉତ୍ତେଜିତ ହୋଇ ପ୍ରଥମେ ମା’ଙ୍କୁ ମାଡ଼ ମାରିଥିଲା। ଏଥିରେ ମନ ନ ବୁଝିବାରୁ ପରେ ସେ ମା’ଙ୍କ ହାତର ଏକ ଆଙ୍ଗୁଠିକୁ ଜୋରରେ କାମୁଡ଼ି ଗୁରୁତର ଭାବେ ଆହତ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଆଶ୍ରମ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ତୁରନ୍ତ ପହଞ୍ଚି ଅଭିଯୁକ୍ତ ପ୍ରତାପ ନାଥଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ରାଉରକେଲା ଶ୍ରମିକ ସଂଘ ପ୍ରତିନିଧିମଣ୍ଡଳୀଙ୍କ ସେଲ୍ ଚେୟାରମେନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର
Jun 26, 202664 views

ରାଉରକେଲା ଶ୍ରମିକ ସଂଘ ପ୍ରତିନିଧିମଣ୍ଡଳୀଙ୍କ ସେଲ୍ ଚେୟାରମେନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର

ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧିମଣ୍ଡଳୀ DIC Conference Hall ଠାରେ ସେଲ୍ ଚେୟାରମେନ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ଇସ୍ପାତ ଶ୍ରମିକମାନଙ୍କ ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ଚେୟାରମେନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ପ୍ରତିନିଧିମଣ୍ଡଳୀ ପକ୍ଷରୁ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପନ କରାଯାଇଥିଲା— • ୩୯ ମାସର ଏରିୟର ପ୍ରଦାନ। • ଦୀର୍ଘଦିନ ଧରି ଝୁଲି ରହିଥିବା ପୂର୍ଣ୍ଣାଙ୍ଗ ମଜୁରୀ ଚୁକ୍ତିନାମା ଶୀଘ୍ର ସମ୍ପାଦନ। • ବିଗତ ତିନି ବର୍ଷ ମଧ୍ୟରେ ଥରେ ମଧ୍ୟ NJCS ବୈଠକ ନ ଡକାଯିବା ପ୍ରସଙ୍ଗରେ ତୁରନ୍ତ ବୈଠକ ଆହ୍ୱାନ। • ୨୦ ବର୍ଷ ପୁରୁଣା Incentive Reward Schemeର ସଂଶୋଧନ ଓ ଅନୁମୋଦନ। • ବିସ୍ଥାପିତ ଆଧାରରେ ନିଯୁକ୍ତ କର୍ମଚାରୀଙ୍କ ଟ୍ରେନିଂ ପିରିୟଡ୍‌କୁ ଚାକିରି ଅବଧିରେ ଅନ୍ତର୍ଭୁକ୍ତ କରିବା। • ବିସ୍ଥାପିତ କର୍ମଚାରୀଙ୍କୁ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଗ୍ରେଡ୍ ପ୍ରଦାନ। • IGH ଓ Townshipର ଘରୋଇକରଣ (Privatisation) ବନ୍ଦ ରଖିବା। • ଇସ୍ପାତ ଶ୍ରମିକମାନଙ୍କ ପାଇଁ Housing Project ଜରିଆରେ ବାସଗୃହ ଯୋଗାଇ ଦେବା। • License Quarter, Retention Scheme, Double Quarter ଏବଂ ଖାଲି ପଡ଼ିଥିବା ୩୦୦୦ରୁ ଅଧିକ କ୍ୱାର୍ଟର ଆବଣ୍ଟନ ଆଦି ସମସ୍ୟାର ସମାଧାନ। • ଇସ୍ପାତ ଶ୍ରମିକଙ୍କୁ Townshipରୁ Plantକୁ ହେଉଥିବା ବେଆଇନ ବଦଳି ବନ୍ଦ କରିବା। • Contract Workersମାନଙ୍କ ପାଇଁ Minimum Wages କାର୍ଯ୍ୟକାରୀ କରିବା। ସେଲ୍ ଚେୟାରମେନ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ଉପସ୍ଥାପିତ ଦାବିଗୁଡ଼ିକୁ ସକାରାତ୍ମକ ଭାବେ ଗ୍ରହଣ କରି ସେଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧିମଣ୍ଡଳୀରେ ଉପସାଧାରଣ ସମ୍ପାଦକ ଚକ୍ରଧର ପ୍ରଧାନ, ଉପସଭାପତି ସୁରେଶ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଦତ୍ତ, ବୀରକିଶୋର ଶେଖରଦେଓ, ସତ୍ୟ ସାହୁ, ନିହାର ଦାସ, ଦୁଃଶାସନ ନାୟକ, ବିକାଶ ବେହୁରିଆ, ପଦ୍ମାଳୟା ଧର, ମନୋଜ କିଶାନ ଓ ପ୍ରତାପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟ, ରାଉରକେଲା

କାର ସହିତ ୨୧୦ ଲିଟର ଦେଶୀ ମଦ ଜବତ, ୩ ଗିରଫ
Jun 26, 202664 views

କାର ସହିତ ୨୧୦ ଲିଟର ଦେଶୀ ମଦ ଜବତ, ୩ ଗିରଫ

ଭୁବନ ୨୫.୬ - ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଦ୍ୱାରା ଏକ କାର ସହିତ ୨୧୦ ଲିଟର ଦେଶୀ ମଦ ଜବତ ହେବା ସହ ୩ ଜଣ ଗିରଫ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନାନୁଯାୟୀ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ଅଞ୍ଚଳରେ ଗତ କିଛି ଦିନ ହେଲା ଜୋରଦାର ଚଢ଼ାଉ ଚାଲିଛି। ଭୁବନ ଅବକାରୀ ଉପ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ବୁଧବାର ରାତି ପାଟ୍ରୋଲିଂରେ ଯାଇଥିବା ବେଳେ ଏକ କାର ରେ ବିପୁଳ ଦେଶୀ ମଦ ଆସୁଥିବା ଖବର ପାଇ ଭୁବନ ଥାନା ଅନ୍ତର୍ଗତ ନିଳକଣ୍ଠପୁର ଠାରେ ଓଡ଼ି୦୨ ଏ ଜେ ୧୭୯୧ ବିଶିଷ୍ଟ କାର କୁ ଅଟକ ରଖି ଚଢ଼ାଉ କରି ୨୧୦ ଲିଟର ଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରି ଅବକାରୀ କାର୍ଯ୍ୟଳୟକୁ ଆଣିଥିଲେ । କେଶ୍ ନଂ ୪୫/୨୦୨୬-୨୭ ରେ ମାମଲା ରୁଜ୍ଜୁ କରିବା ସହ ଗିରଫ ବ୍ୟକ୍ତି କଟକ ଜିଲ୍ଲା ଆଠଗଡ ଥାନା ଅରଖପାଟଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ,କୋରଙ୍ଗ ଗ୍ରାମର କମଳ ସାହୁ ଏବଂ ଢେ଼ଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଗନ୍ଦିଆ ଗ୍ରାମର ଜିତେନ୍ଦ୍ର ସାହୁ ଙ୍କୁ ଗୁରୁବାର ଭୁବନ ଜେ ଏମ୍ ଏଫ୍ ସି କୋର୍ଟ ରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବା ପାଇଁ ଅଭିଯୁକ୍ତ ମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି । ଭୁବନ ଅବକାରୀ ସବ୍ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ ଏ ଏସ ଆଇ ଶମ୍ଭୁ ପ୍ରସାଦ ନାୟକ,କନଷ୍ଟେବଳ ଲିଟୁ ବିଶ୍ୱାଳ ,ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ଓ ଗନ୍ଦିଆ ଅବକାରୀ କର୍ମଚାରୀ ମାନେ ଏହି ଚଢ଼ାଉରେ ସହଯୋଗ କରିଥିଲେ ।

Dhenkanal (ଢେଙ୍କାନାଳ)ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ