Web News

ତାଳଚେରରେ MCL ଜମି ଦଖଲ ଅଭିଯୋଗ: ଉପଜିଲ୍ଲାପାଳଙ୍କୁ ବିଏମ୍ଏସ୍ର ଦାବିପତ୍ର, ୭ ଦିନରେ କାର୍ଯ୍ୟାନୁଷ୍ଠାନ ଦାବି
ତାଳଚେର: ତାଳଚେର କୋଇଲାଖଣି ଯୋଗୁଁ ବିସ୍ଥାପିତ ପରିବାରମାନଙ୍କୁ MCL ପକ୍ଷରୁ ସଠିକ୍ ଭାବେ ଥଇଥାନର ବ୍ୟବସ୍ଥା କରାଯାଇନଥିବା ବେଳେ, MCL ଭରତପୁର କ୍ଷେତ୍ର ଦ୍ୱାରା ଅଧିଗ୍ରହଣ ହୋଇଥିବା ୧୦ ଏକରରୁ ଅଧିକ ଜମିକୁ ବେଆଇନ ଭାବେ ଜବରଦଖଲ କରାଯାଇଥିବା ଅଭିଯୋଗ ଉଠାଇଛି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ (ବିଏମ୍ଏସ୍)। ବିଏମ୍ଏସ୍ ସଭାପତି ତଥା ଭାରତୀୟ ଜନତା ପାର୍ଟି ଅନୁଗୋଳ ଜିଲ୍ଲା ଉପସଭାପତି ଇଂ. ମନୋଜ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ସ୍ଥାନୀୟ ଲୋକ ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ତିନି ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଅଭିଯୋଗ କରାଯାଇଛି ଯେ, ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ MCL ଅଧିଗ୍ରହଣ କରିଥିବା ଜମିରେ 'ମାଳରଗୁଡ଼ି ଆଶ୍ରମ' ନାମରେ ବ୍ୟକ୍ତିଗତ ଦଳୀୟ କାର୍ଯ୍ୟାଳୟ ପରିଚାଳନା କରୁଛନ୍ତି। ସେହିପରି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଗ୍ରାମପଞ୍ଚାୟତଗୁଡ଼ିକର ଉନ୍ନୟନ ପାଇଁ ଆସିଥିବା କୋଟି କୋଟି ଟଙ୍କାକୁ ବେଆଇନ ଭାବେ ଉକ୍ତ କାର୍ଯ୍ୟାଳୟ ନିର୍ମାଣରେ ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି। ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଗାମୀ ୭ ଦିନ ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଏମ୍ଏସ୍ ପକ୍ଷରୁ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ସେରୁବନ୍ଦ ପାହାଡ଼ରେ ବକ୍ସାଇଟ୍ ଖନନକୁ ବିରୋଧ, ହଜାରରୁ ଅଧିକ ଲୋକଙ୍କ ମୋଟରସାଇକେଲ୍ ରାଲି ଓ ଦାବିପତ୍ର ପ୍ରଦାନ
କୋରାପୁଟ: ପୋଟାଙ୍ଗୀ ବ୍ଲକର ସେରୁବନ୍ଦ ପାହାଡ଼ରେ ନାଲକୋ ପକ୍ଷରୁ ପ୍ରସ୍ତାବିତ ବକ୍ସାଇଟ୍ ଖନନକୁ ବିରୋଧ କରି ସେରୁବନ୍ଦ ସୁରକ୍ଷା ସମିତିର ଆହ୍ୱାନରେ ବ୍ୟାପକ ଜନଆନ୍ଦୋଳନ ଦେଖିବାକୁ ମିଳିଛି। ମାଳିପୁଟ, ଖୁଳି, ଶରଶୁପଦର, କୋଟିଆ, ନୂଆଗାଁ ଓ ପୋଟାଙ୍ଗୀ ସମେତ ୬ଟି ପଞ୍ଚାୟତର ହଜାରରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିଲେ। ଖୁଳି ଗ୍ରାମପଞ୍ଚାୟତରୁ ମାଳିପୁଟ ପର୍ଯ୍ୟନ୍ତ ଏକ ମୋଟରସାଇକେଲ୍ ରାଲି ଅନୁଷ୍ଠିତ ହୋଇଥିଲା। ରାଲି ପରେ ବିଭିନ୍ନ ଗ୍ରାମରେ ସଚେତନତା ସଭା ଆୟୋଜନ କରାଯାଇଥିଲା। ପରବର୍ତ୍ତୀ ସମୟରେ ପୋଟାଙ୍ଗୀ ତହସିଲଦାରଙ୍କ ଜରିଆରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଖଣିମନ୍ତ୍ରୀ, ରାଜ୍ୟ ଖଣିମନ୍ତ୍ରୀ ଏବଂ କୋରାପୁଟ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଅଞ୍ଚଳବାସୀଙ୍କ ସହମତି ବିନା ଖଣି ଖନନ ପାଇଁ ଜମିର କିସମ ପରିବର୍ତ୍ତନ କରାଯାଇଛି। ସେରୁବନ୍ଦ ପାହାଡ଼ରେ ୧୦୪ଟି ଚିରସ୍ରୋତା ଝରଣା ରହିଥିବାରୁ ଖଣି ଖନନ ହେଲେ ଜଳସମ୍ପଦ, ଜଳବିଦ୍ୟୁତ ପ୍ରକଳ୍ପ ଓ କୃଷି କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବ। ସେହିପରି ୬ଟି ପଞ୍ଚାୟତର ବାସିନ୍ଦା ବିସ୍ଥାପିତ ହେବାର ଆଶଙ୍କା ମଧ୍ୟ ରହିଛି। ସେରୁବନ୍ଦ ସୁରକ୍ଷା ସମିତି ପକ୍ଷରୁ ଗଣତାନ୍ତ୍ରିକ ଅଧିକାର ଓ ମାନବାଧିକାରର ସୁରକ୍ଷା ଦୃଷ୍ଟିରୁ ସେରୁବନ୍ଦ ପାହାଡ଼ରେ ବକ୍ସାଇଟ୍ ଖନନ ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ ରଖିବା ସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଖୁଳି ସରପଞ୍ଚ ଅଲେମେ ପୁଲ, ନୂଆଗାଁ ସରପଞ୍ଚ ସୁବାଷ ଖରା, ମାଳିପୁଟ ସରପଞ୍ଚ ସାମ୍ନାତ ଗୁଣ୍ଟା, ମାଳିପର୍ବ ସୁରକ୍ଷା ସମିତିର ସଭାପତି ବିଜୟ ଖୀଲ, ସମ୍ପାଦକ ନିରଞ୍ଜନ ଖୀଲ ଏବଂ ହାଲ ବିସ୍ଥାପିତ ସଂଘର ସଭାପତି ତ୍ରିଲୋଚନ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।
Koraput (କୋରାପୁଟ) • ରିପୋର୍ଟ: ମଙ୍ଗଳା ଦିଶାରୀ, ପୋଟାଙ୍ଗୀ

ଜଗତପୁର ଗୋଲେଇ ଛକ ପାର୍ଶ୍ଵରେ କୁଢ଼ କୁଢ଼ ଅଳିଆ ଆବର୍ଜନା, ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗ ଭୟରେ ଅଞ୍ଚଳବାସୀ
ଜଗତପୁର: ଜଗତପୁର ଏକ ଡେଙ୍ଗୁ ପ୍ରବଣ ଅଂଚଳ l ଅତୀତରେ ଜଗତପୁର ଶିଳ୍ପାଞ୍ଚଳରୁ ଡେଙ୍ଗୁ ଲାର୍ଭା ଚିହ୍ନଟ ହେବା ସହ ଡେଙ୍ଗୁ ରୋଗୀ ମଧ୍ୟ ଚିହ୍ନଟ ହୋଇଥିଲା l ସେବେଠୁ ସିଏମସି ପକ୍ଷରୁ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆହୋଇ ଆସୁଛି l ମାତ୍ର ବର୍ତ୍ତମାନ ସିଏମସି କର୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ପାଇଁ ଏହି ଅଂଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ଜଗତପୁର ଗୋଲେଇଛକ ପାର୍ଶ୍ଵରେ ମାସ ମାସ ଧରି ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ବର୍ଷା ଋତୁ ଆରମ୍ଭ ହୋଇଯାଇଛି l ବର୍ଷା ହେବା ଦ୍ୱାରା ଏହି ଅଳିଆ ସବୁ ପଚିସଢି ଦୁର୍ଗନ୍ଧ ହେବା ସହ ପରିବେଶ ଦୂଷିତ ହେଉଛି l ଏଥିସହିତ ସେଥିରେ ମଶା, ମାଛି ଓ ବିଭିନ୍ନ ପ୍ରକାରର ପୋକ ସୃଷ୍ଟି ହେଉଛନ୍ତି | ଫଳରେ ସ୍ଥାନୀୟ ଅଧିବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସିଏମସିର ଅବହେଳା ପାଇଁ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୯ ନଂ ୱାର୍ଡରେ ସିଏମସି ପକ୍ଷରୁ ପରିସ୍କାର ପରିଛନ୍ନତା ପାଇଁ ଅଫିସର, ସୁପରଭାଇଜର, କୁଲି ଓ ଝାଡୁଦାର ମାନଙ୍କୁ ପ୍ରତ୍ୟେକ ଗଳି କନ୍ଦିରେ ନିୟୋଜିତ କରାଯାଉଛି । ମାତ୍ର କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଅଫିସରଙ୍କ ଦେଖା ମିଳୁନାହିଁ । ସାହି ବସ୍ତିର ଗଳିରେ ଡ୍ରେନ ସଫେଇ ହୋଇ ରାସ୍ତା ଉପରେ ଆବର୍ଜ୍ଜନା ମାଟି ଦୀର୍ଘ ଦିନ ଧରି ଗଦା ହୋଇ ପଡ଼ି ରହୁଛି। ଏଥି ସହ ସଫେଇ କର୍ମଚାରି ରାସ୍ତା ଉପରୁ ଝାଡ଼ୁ ମାରି ଆବର୍ଜ୍ଜନା ଗୁଡ଼ିକ ରାସ୍ତା କଡରେ ଠୁଳ କରି ଗଦା କରିବା ଦ୍ଵାରା ବୁଲା ଗାଈଗୋରୁ ଓ କୁକୁର ସେହି ଅଳିଆ ଆବର୍ଜ୍ଜନାକୁ ଏଣେ ତେଣେ ଖେଳେଇ ଦେବା ଦ୍ୱାରା ରାସ୍ତାରେ ଯାତାୟାତ ବେଳେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସିଏମସିର ଏଭଳି ଖାମଖିଆଲି ମନୋଭାବ ପାଇଁ ଏହି ଅଂଚଳରେ ନିକଟ ଭବିଷ୍ୟତରେ ଡେଙ୍ଗୁ ହଇଜା ଭଳି ପରିସ୍ଥିତି ସୃଷ୍ଟି ହୋଇ ପାରେ ବୋଲି ଆଶଙ୍କା କରି ବୁଦ୍ଧିଜୀବୀମାନେ ସିଏମସିର ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି । ତୁରନ୍ତ ଏସବୁ ପ୍ରତି ନିଗମ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।
Cuttack (କଟକ) • ରିପୋର୍ଟ: ସୁରେନ୍ଦ୍ର ଜେନା. କଟକ

ଦନ୍ତା ଆତଙ୍କ, ଗାଡି ମୋଟର ଚଳା ଚଳ ବନ୍ଦ
ଖୋର୍ଦ୍ଧା-ଜଙ୍ଗଲ ଛାଡି ଦନ୍ତା ଏବେ ଗାଁ ମୁହାଁ,ଗାଁ ମୁହାଁ ହୋଇ ଦନ୍ତା ସଡ଼କ ଉପରେ କରୁଛି ରାଜ,ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ସିକୋ ନିକଟରେ, ଟାଙ୍ଗୀ ରେଞ୍ଜ ସିକୋ ଜଙ୍ଗଲରେ ୧୬ ଟିକିଆ ହାତୀ ପଲ ପକାଇଛନ୍ତି ଡେରା, ହାତୀ ପଲ ଦିନ ତମାମ ଜଙ୍ଗଲରେ ରହୁଥୁବା ବେଳେ ରାତିରେ ଖାଦ୍ୟ ଲୋଭରେ ହେଉଛନ୍ତି ଗାଁ ମୁହାଁ, ଗାଁ ମୁହାଁ ହୋଇ ସିକୋ ନିକଟରେ ଥିବା ଚାଷୀଙ୍କର ବ୍ୟାପକ ଫସଲ ହାନୀ କରୁଛନ୍ତି,ତେବେ ସେହି ହାତୀ ପଲ ଭିତରୁ ଗୋଟିଏ ଦନ୍ତା ବାହାରି ଆସି ସିକୋ ନିକଟରେ ରାଜ ରାସ୍ତା ଉପରେ ବିଚରଣ କରୁଥିବା ଦେଖିବାକୁ ମିଳିଛି,ଫଳରେ ଦନ୍ତା କୁ ଦେଖି ସଡ଼କ ଉପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ରଣପୁର ଜଙ୍କିଆ ରାସ୍ତା ରେ ଗାଡି ଚଲାଚଳ ବନ୍ଦ ହୋଇ ଯାଇଅଛି। ଦନ୍ତା କୁ ସଡ଼କ ଉପରୁ ଜଙ୍ଗଲ କୁ ଘଉଡ଼ାଇବା ପାଇଁ ଲୋକେ ବନ ବିଭାଗ କୁ ଖବର ଦେଇଛନ୍ତି, ହେଲେ ବନ ବିଭାଗ ବିଳମ୍ୱ ରେ ପହଁଚି ଥିବାରୁ ଲୋକେ ଅସନ୍ତୋଷ ଜାହିର କରିଛନ୍ତି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଜୁନାଗଡ ବ୍ଲକ ସମସ୍ତ ଧାନ ମଣ୍ଡି ରୁ ଶୀଘ୍ର ଧାନ ଉଠାଇବାକୁ ଦାବି
ଜୁନାଗଡ - ଜୁନାଗଡ ବ୍ଲକ ଅନ୍ତର୍ଗତ ଚାଷୀଙ୍କ ଧାନ ବିକ୍ରୟ କରିବା ପାଇଁ ଅନେକ ଧାନ ମଣ୍ଡି ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି। ନିୟନ୍ତ୍ରଣ ବଜାର କମିଟି ଓ ମହିଳା ସ୍ଵଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସମସ୍ତ ଧାନ କ୍ରୟ କରାଯାଏ । କିନ୍ତୁ ମିଲର୍ସ ଓ ଏହି ଦୁଇ ସଂସ୍ଥା ମଧୁ ଚନ୍ଦ୍ରିକା ଯୋଗୁଁ ଚାଷୀର ଧାନ ଠିକ୍ ସମୟରେ ବିକ୍ରୟ ହୋଇ ନ ଥାଏ। ଜୁନାଗଡ ବ୍ଲକ ଅନ୍ତର୍ଗତ ଅନେକ ମଣ୍ଡିରେ ହଜାର ହଜାର ବସ୍ତା ଧାନ ବର୍ତ୍ତମାନ ମଧ୍ୟ ଖୋଲା ଆକାଶ ତଳେ ପଡ଼ି ରହିଛି। ମୌସମୀ ଜନିତ ବର୍ଷା ହେବା ରୁ ଧାନ ଗଜା ହେବାକୁ ହେଲାଣି ।ସରକାର ପୂର୍ବ ଘୋଷଣା ଅନୁସାରେ ଜୁନ୍ ମାସ ତିରିଶ ତାରିଖ ସୁଦ୍ଧା ମଣ୍ଡି ଶେଷହେବା ସ୍ଥିର କରିଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ବ୍ଲକ୍ ର ସମସ୍ତ ମଣ୍ଡିରେ ଧାନ ଥିବା ସରକାର ଓ ଚାଷୀଙ୍କ ମୁଣ୍ଡ ବ୍ୟଥା ର କାରଣ ହୋଇ ଅଛି। ଆସନ୍ତା ଗୋଟିଏ ରୁ ଦୁଇ ଦିନ ମଧ୍ୟରେ ଧାନ କିଣା ସମସ୍ତ ନ କଲେ ଚାଷୀ ଆନ୍ଦୋଳନ ର ଧମକ ଦେଇ ଛନ୍ତି। ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ଠାରୁ ଦୂର ରେ ରହିବାକୁ ସଚେତନତା
ଦିଗପହଣ୍ଡି, ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଥାନା ଏସ.ଆଇ ଶ୍ରୀନିବାସ ଦାସଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପାଟପୁର କଲେଜ ଅଧ୍ୟାପକ ଡ଼.କୈଳାସ ଚନ୍ଦ୍ର ସ୍ବାଇଁ ଅତିଥି ଭାବେ ଯୋଗଦେଇ ‘ ଆମ ସଂକଳ୍ପ ନିଶା ନୁହେଁ ଜୀବନ’ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜନଜାତି ସମ୍ପ୍ରଦାୟ ବିଶେଷ କରି ଯୁବ ସମାଜକୁ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକଦ୍ରବ୍ୟ ସେବନରୁ ଦୂରେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏହି ସଚେତନତା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ଅପମିଶ୍ରିତ ନିଶା ସେବନ ଦ୍ଵାରା ଲୋକେ ପଙ୍ଗୁ ହୋଇଯାଆନ୍ତି । ଯୁବ ସମାଜ ନିଶା ସେବନ ଦ୍ଵାରା ସେମାନଙ୍କ ବିକାଶ ଓ ଦେଶର ଅର୍ଥନୀତି ରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।ତେଣୁ ସେମାନେ ନିଶା ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା। ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ବହୁ ସଂଖ୍ୟକ ଲୋକଙ୍କୁ ଏନେଇ ସଚେତନ କରାଯିବା ପରେ ସେମାନେ ନିଶା ସେବନ ବିରୋଧରେ ଶପଥପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଥାନା ଏସ.ଆଇ ସୋଲେମାନ ଭୁଁୟା, ଏଏସଆଇ ସୁଧିର ନାୟକ, ସନ୍ତୋଷ ମିଶ୍ର,ରମାକାନ୍ତ ଶବରଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗର

ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରାର ଆୟବ୍ୟୟ ସମୀକ୍ଷା ଓ ସମ୍ବର୍ଦ୍ଧନା ସାର୍ବଜନୀନ ବୈଠକ ଓ ପ୍ରିତି ଭୋଜନ
ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ସାର୍ବଜନୀନ: ବଳକା ରହିଛି ୫୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ମନ୍ଦିର ଉନ୍ନତି ପାଇଁ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା ଯାତ୍ରା ସରିବାର ମାସକ ମଧ୍ୟରେ ଦାଖଲ ହେଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ। ୨୦୨୬ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ଆଜି ବିଧିବଦ୍ଧ ଭାବେ ଠାକୁରାଣୀ ମନ୍ଦିର ବୈଠକରେ ଦାଖଲ ହୋଇଛି। ଚଳିତ ବର୍ଷ ମୋଟ ୧,୪୭,୨୯,୨୬୦ ଟଙ୍କା ଆଦାୟ ହୋଇଥିବା ବେଳେ ୧,୨୪,୬୬,୦୯୧ ଟଙ୍କା ଖର୍ଚ୍ଚ ହୋଇଛି। ପୂର୍ବ ବଳକାକୁ ମିଶାଇ ବର୍ତ୍ତମାନ ଯାତ୍ରା ଆକାଉଣ୍ଟରେ ୫୧,୭୩,୫୯ ଟଙ୍କା ଗଚ୍ଛିତ ଅଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରତିଶ୍ରୁତି ଅନୁଯାୟୀ, ଯାତ୍ରା ସରିବାର ମାତ୍ର ୧ ମାସ ୧୦ ଦିନ ମଧ୍ୟରେ ଏହି ସ୍ୱଚ୍ଛ ହିସାବ ପ୍ରଦାନ କରାଯାଇଛି, ଯାହା ପୂର୍ବରୁ ବର୍ଷ ବର୍ଷ ଲାଗିଯାଉଥିଲା। ଏଥିସହ ଭଞ୍ଜନଗର ଠାକୁରାଣୀ ମନ୍ଦିର ଓ କୁଲାଡ଼ ବ୍ୟାଘ୍ର ଦେବୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଘୋଷଣା କରାଯାଇଛି। ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଶେଷ ହେବାର ୪୦ ଦିନରେ ଦାଖଲ ହେଲା ଆୟବ୍ୟୟ ହିସାବ। ମୋଟ ଆଦାୟ ୧.୪୭ କୋଟି, ବର୍ତ୍ତମାନ ପାଣ୍ଠିରେ ଗଚ୍ଛିତ ଅଛି ୫୧.୭୩ ଲକ୍ଷ ଟଙ୍କା। ମନ୍ଦିର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା। ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ବୁଧବାର ଦାଖଲ ହୋଇଛି। ଏନେଇ ଭଞ୍ଜନଗର ଠାକୁରାଣୀ ମନ୍ଦିରରେ ଯାତ୍ରା କମିଟି କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ବସିଥିଲା। ବୈଠକରେ ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଭଞ୍ଜନଗର ଠାକୁରାଣୀ ମନ୍ଦିର ଓ କୁଲାଡ଼ ବ୍ୟାଘ୍ର ଦେବୀ ମନ୍ଦିରର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯିବ ବୋଲି କହିଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଯାତ୍ରାକୁ ସଫଳ କରିବାରେ ସମସ୍ତେ ସହଯୋଗ କରିଥିବା ଯୋଗୁଁ ଧନ୍ୟବାଦ ଜଣାଇଥିଲେ। ଏଥିସହ ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ଉପସଭାପତି ମୂରଲୀଧର ପଣ୍ତା, ସମ୍ପାଦକ ସୁଶାନ୍ତ ମହାପାତ୍ର, ସୁଧୀର ରଞ୍ଜନ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଯାତ୍ରା ପାଇଁ ବିଭିନ୍ନ ଆଡୁ ୧ କୋଟି ୪୭ ଲକ୍ଷ ୨୯୨୬୦ ଟଙ୍କା ଆଦାୟ ହୋଇଥିଲା । ଖର୍ଚ୍ଚ ହୋଇଥିଲା ୧ କୋଟି ୨୪ ଲକ୍ଷ ୬୬ ହଜାର ୯୧ ଟଙ୍କା । ବଳକା ରହିଥିଲା ୨୩ ଲକ୍ଷ ୩୧ ହଜାର ୩୨୫ ଟଙ୍କା । ପୂର୍ବରୁ ୨୨ ଲକ୍ଷ ଟଙ୍କା ବଳକା ଥିଲା। ଆଜି ସୁଦ୍ଧା ମୋଟ ୫୧ ଲକ୍ଷ ୭୩ ହଜାର ୫୯୯ ଟଙ୍କା ଯାତ୍ରା ଆକାଉଣ୍ଟ ରେ ଗଚ୍ଛିତ ଅଛି। ଭଞ୍ଜନଗର ଯାତ୍ରା ଏପ୍ରିଲ ୨୬ରୁ ଆରମ୍ଭ ହୋଇ ମେ’ ୨୦ରେ ସରିଥିଲା। ଯାତ୍ରା ଆରମ୍ଭ ପୂର୍ବରୁ ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଘୋଷଣା କରିଥିଲେ ଯେ, ଯାତ୍ରା ସରିବାର ଏକ ମାସ ମଧ୍ୟରେ ଯାତ୍ରାର ଆୟବ୍ୟୟ ହିସାବ ଦିଆଯିବ। ଏଥିସହ ଯାତ୍ରାକୁ ଆକର୍ଷଣୀୟ କରାଯିବ ବୋଲି ଘୋଷଣା କରିଥିଲେ। ଯାତ୍ରା ସରିବାର ୧ ମାସ ୧୦ ଦିନ ମଧ୍ୟରେ ଆଜି ହିସାବ ଦାଖଲ କରାଯାଇଥିଲା। ଯାହାକି ପ୍ରଶଂସନୀୟ ପଦକ୍ଷେପ। ପୂର୍ବରୁ ହିସାବ ଦାଖଲ ପାଇଁ ବର୍ଷ ବର୍ଷ ଧରି ଲାଗି ଯାଉଥିଲା। ଚଳିତ ବର୍ଷ ଏହି ସମସ୍ୟା ନାହିଁ। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲା ସତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ନୀଳମାଧବ ପାତ୍ର, ମେଡିକାଲ ଅଧୀକ୍ଷକ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଧାନ ଟୁଲିଆମା, ଅତିରିକ୍ତ ଉପଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଏ ଏସ୍ ପି ରଞ୍ଜନ କୁମାର ଦେ, ଏସ ଡି ପି ଓ ଡ ଦୀପକ ମିଶ୍ର, ଭଞ୍ଜନଗର ପୈ। ରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ଯାତ୍ରା କମିଟି କର୍ମକର୍ତ୍ତା ସନ୍ତୋଷ ତିଆଡି ପ୍ରମୁଖ ଉପସ୍ଥିତ ଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର

ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ବଡ଼ ଟ୍ୱିଷ୍ଟ, ପୂର୍ବତନ ବିଧାୟକଙ୍କ ସମେତ ୧୪ ଜଣଙ୍କ ଉପରୁ ଉଠିଲା ହତ୍ୟା ଦଫା
ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦ୍ଵିତୀୟ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ ପରେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ ଏବେ ସାମ୍ନାକୁ ଆସୁଛି । ପୋଲିସ ହତ୍ୟା ମାମଲାରେ ସାକ୍ଷ୍ୟ ପ୍ରମାଣକୁ ବଳିଷ୍ଠ କରିବା ପାଇଁ ନୂଆ ୨୭ ଜଣ ସାକ୍ଷୀ ଏବଂ କିଛି ସାକ୍ଷୀଙ୍କ ବୟାନ କୋର୍ଟରେ ଦାଖଲ କରିଛି । ଏବେ ହତ୍ୟା ମାମଲାରେ ମୁଖ୍ୟ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବିରୋଧରେ ଥିବା ହତ୍ୟା ଦଫା (୩୦୨)କୁ ବାଦ ଦେଇଛି ପୋଲିସ । ବିକ୍ରମଙ୍କ ସମେତ ୧୪ ଜଣ ଅଭିଯୁକ୍ତ ପୂର୍ବତନ ମେୟର ଶିବ ଶଙ୍କର ଦାଶ, କର୍ପୋରେଟର ମଲୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇ, ସୀମାଞ୍ଚଳ ନାୟକ, ବିପିନ ସ୍ଵାଇଁ, ଯୋଗେନ୍ଦ୍ର ରାଉତ, କାଳୁଚରଣ ବେହେରା, ରାଜେନ୍ଦ୍ର ସାହୁ, ବିହାରରୁ ଆସିଥିବା ସହଯୋଗୀ ଶିଶୁପାଳ କୁମାର ପାଶ୍ଵାନ, କୁନ୍ଦନ ପାଶ୍ଵାନ, ଶୂନ୍ୟ ଚନ୍ଦ୍ର ଦାସ, ସୁନୀଲ୍ ହୋତା, ଉମା ବିଷୋୟୀଙ୍କ ଉପରେ ହତ୍ୟା ଦଫା ଉଠିଥିବା ଦାଖଲ ଚାର୍ଜସିଟ୍ରୁ ଜଣାପଡ଼ିଛି । ପୋଲିସ ପ୍ରାଥମିକ ଭାବେ ଯେଉଁ ଚାର୍ଜସିଟ୍ ଦେଇଥିଲା ସେଥିରେ ସମ୍ପୃକ୍ତ ନାମରେ ହତ୍ୟା ଦଫା ରହିଥିଲା । କିନ୍ତୁ ତଦନ୍ତ ପରେ ଦ୍ଵିତୀୟ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ କରିବା ସମୟରେ ଉପରୋକ୍ତ ଅଭିଯୁକ୍ତଙ୍କ ଉପରୁ ହତ୍ୟା ଦଫା ଉଠିଥିବା ଜଣାପଡ଼ିଛି । ପୀତବାସକୁ ଗୁଳି କରିଥିବା ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଂଟୁ ପ୍ରଧାନ ନାମରେ ରହିଛି ହତ୍ୟା ଦଫା । ସେପଟେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗଠିତ ଅପରାଧ (୧୨୦-ବି) ଦଫା ରହିଛି । ଅଭିଯୁକ୍ତଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ପୋଲିସ ତଦନ୍ତ ରିପୋର୍ଟ ଅନୁସାରେ ଚାର୍ଜସିଟ୍ରେ ୧୪ଜଣଙ୍କ ହତ୍ୟା ଦଫା ଉଠାଇଛି । ମାମଲା କୋର୍ଟରେ ବିଚାରାଧୀନ ରହିଛି । ସେପଟେ ଜଣେ ବରିଷ୍ଠ ଆଇନଜୀବୀ ଗଣମାଧ୍ୟମକୁ କହିଛନ୍ତି, ହତ୍ୟା ଦଫା ଉଠିଛି କିନ୍ତୁ ସମ୍ପୃକ୍ତ ବିରୋଧରେ ରହିଛି ସଙ୍ଗଠିତ ଅପରାଧ । ହତ୍ୟା ଦଫା ସହ ତାହା ସମାନ ଏବଂ କଠୋର ଦଣ୍ଡ ବିଧାନ ମଧ୍ୟ ରହିଛି । ଅନ୍ୟପକ୍ଷରେ ପୋଲିସ ବିକ୍ରମ ପଣ୍ଡାଙ୍କ ଆପତ୍ତି ଜନକ ଫଟୋ ପେନ୍ ଡ୍ରାଇଭରେ କୋର୍ଟରେ ଦାଖଲ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ଅଭିଯୁକ୍ତଙ୍କ ଓକିଲଙ୍କୁ ଦିଆଯାଇନାହିଁ । ଚାର୍ଜସିଟ୍ ଅନୁସାରେ ୨ ଜଣ ସାକ୍ଷୀ ପୋଲିସ ନିକଟରେ ବୟାନ ରଖି କହିଛନ୍ତି ଯେ, ଗତବର୍ଷ ଗୋସାଇଁନୂଆଗାଁର କାଳୁଆ ଯାତ୍ରାରେ ଏକାଠି ହୋଇଥିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ, କର୍ପୋରେଟର ମଲୟ ବିଷୋୟୀ, ବିଜେଡି ନେତା ମଦନ ଦଳାଇ ଓ ଶୂନ୍ୟଚନ୍ଦ୍ର ଦାସ । ସେଠାରେ ପୀତବାସଙ୍କ ହତ୍ୟାକୁ ନେଇ ଆଲୋଚନା ହୋଇଥିବା ଉଭୟ ପୋଲିସ ନିକଟରେ ବୟାନ ରଖିଛନ୍ତି ।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗର

ଜୁଆ ଖେଳର ଏନ୍ତୁଡ଼ି ଶାଳ ପାଲଟିଛି କଙ୍କଡ଼ାହାଡ଼ ବ୍ଲକ, ହାଟ ମଝିରେ ଖୁଲାମ ଖୁଲା ଚାଲିଛି ଜୁଆ ଖେଳ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଙ୍କଡ଼ାହାଡ଼ ଓ ବାଟଗାଁ,ବନ୍ଦାଣିଆ, ବିରାଶାଳ ସାପ୍ତାହିକ ହାଟରେ ପ୍ରତ୍ୟହ ଜୁଆ ଖେଳ ହେଉଥିବାରୁ ସଂପୃକ୍ତ ଅଞ୍ଚଳ ତଥା ଆଖପାଖ ଗ୍ରାମର ବହୁ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡିଥିବାର ଅଭିଯୋଗ ହୋଇଛି l କଙ୍କଡ଼ାହାଡ଼ ର ସାପ୍ତାହିକ ଶୁକ୍ରବାର ହାଟରେ ପ୍ରତ୍ୟେକ ପାଳିରେ ଜୁଆ ଖେଳ ହେଉଥିବା ବେଳେ ଏଠାକୁ କଙ୍କଡାହାଡ଼ ତଥା ଆଖପାଖ ଗ୍ରାମରୁ ବହୁ ଆଦିବାସୀ ଯୁଆଡ଼ି ଆସି ଜୁଆ ଖେଳି ସର୍ବସ୍ୱାନ୍ତ ହୋଇ ପଡିଲେଣି l ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଏହି ହାଟ ହେଉଥିବା ବେଳେ ହାଟ ମଧ୍ୟରେ ବେଧଡକ ଜୁଆ ଖେଳ ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି l ପୁଣି ବାଟଗାଁ ସାପ୍ତାହିକ ମଙ୍ଗଳବାର ହାଟ ରେ ପ୍ରତ୍ୟହ ଜୁଆ ଖେଳ ଚାଲିଥିବାରୁ ଏହି ହାଟରେ ଆଦିବାସୀମାନେ ନିର୍ଭର କରି ନିଜର କାମଧନ୍ଦା ସାରି ଅପରାହ୍ନରେ ହାଟକୁ ଆସିଥାନ୍ତି l ନିଜର ସପ୍ତାହ ବ୍ୟାପି ଯାହା ରୋଜଗାର କରିଥାନ୍ତି ଏହି ହାଟକୁ ନିଜର ଘର ପାଇଁ ପରିବା, ଲୁଗାପଟା କିଣିବାକୁ ଆସି ଏହି ଜୁଆ ଖେଳରେ ଜୁଆ ଖେଳି ସର୍ବସ୍ୱାନ୍ତ ହୋଇ ସନ୍ଧ୍ୟାରେ ଘରକୁ ଫେରିଥାନ୍ତି l ଫଳରେ ଘରେ ଗଣ୍ଡଗୋଳ ର ସୂତ୍ରପାତ ଘଟିବାରେ ସ୍ୱାଭାବିକ ହୋଇଥାଏ l ଏତଦ ବ୍ୟତୀତ ବିରାଶାଳ, ବନ୍ଦାଣିଆ, ଓଡ଼ିଶ,କଙ୍କଡ଼ାହାଡ଼ ଅଞ୍ଚଳ ଏକ ପ୍ରମୁଖ ଆଦିବାସୀ ଅଞ୍ଚଳ ହୋଇଥିବା ବେଳେ ସପ୍ତାହର ପ୍ରତ୍ୟେକ ଶୁକ୍ରବାର ଓ ମଙ୍ଗଳବାର ହାଟରେ ଜୁଆ ଖେଳ ହେଉଥିବାରୁ ବହୁ ଆଦିବାସୀ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡିଲେଣି l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଜୁଆ ପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ସେ ଅଞ୍ଚଳ ର ସଚେତନ ନାଗରିକ ମହଲରେ ଦାବି ହେଉଛି l
Dhenkanal (ଢେଙ୍କାନାଳ) • ରିପୋର୍ଟ: ରୀତାଞ୍ଜଳୀ ସାହୁ, ଭୁବନ, ଢେଙ୍କାନାଳ

ସ୍ୱାମୀଙ୍କଠୁ ଅଧିକ ରୋଜଗାର ଥିଲେ ମିଳିବନି ଭରଣପୋଷଣ: କର୍ଣ୍ଣାଟକ ହାଇକୋର୍ଟ
ନୂଆଦିଲ୍ଲୀ : ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଠାରୁ ଅଧିକ, ତେବେ ସେ ଭରଣପୋଷଣ ପାଇବାକୁ ହକଦାର ନୁହନ୍ତି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସ୍ତ୍ରୀ ପାଖରେ ଜୀବନ ଜୀବିକା ନିର୍ବାହ ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳ ନାହିଁ ବୋଲି ନିଶ୍ଚିତ ହେବା ପରେ ହିଁ ଭରଣପୋଷଣର ଆଦେଶ ଦିଆଯିବା ଉଚିତ। ମୈସୁରର ଏକ ଟ୍ରାଏଲ୍ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀକୁ ପ୍ରତିମାସରେ ୨୦ ହଜାର ଟଙ୍କା ଭରଣପୋଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ସୁମଲତାଙ୍କ ଏକକ ବେଞ୍ଚ ଟ୍ରାଏଲ୍ କୋର୍ଟର ଏହି ନିର୍ଦ୍ଦେଶକୁ ରଦ୍ଦ କରି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ, ନିମ୍ନ ଅଦାଲତ ସ୍ୱାମୀଙ୍କ ଆୟ ଏବଂ ତାଙ୍କ ଆର୍ଥିକ ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରିଛନ୍ତି, କିନ୍ତୁ ସ୍ତ୍ରୀର ଆର୍ଥିକ ସ୍ୱଚ୍ଛଳତାକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଛନ୍ତି। ହାଇକୋର୍ଟ ନିଜ ନିର୍ଦ୍ଦେଶରେ କହିଛନ୍ତି ଯେ, ଯେତେବେଳେ ଜଣେ ମହିଳା ଘରୋଇ ହିଂସା ଅଧିନିୟମ କିମ୍ବା ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଭରଣପୋଷଣ ଅଧିନିୟମ ମାଧ୍ୟମରେ ଗୁଜୁରା ଭତ୍ତା ଦାବି କରନ୍ତି, ତାର ଅର୍ଥ ଏହା ନୁହେଁ ଯେ କୌଣସି ଦୃଢ଼ କାରଣ ବିନା ସ୍ୱାମୀକୁ ମେଣ୍ଟେନାନ୍ସ (ଭରଣପୋଷଣ) ଦେବାକୁ ନିର୍ଦ୍ଦେଶ ଦିଆଯିବ। କୋର୍ଟ କହିଛନ୍ତି, ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ଆର୍ଥିକ ସ୍ଥିତିର ଆକଳନ କରାଯିବା ଉଚିତ ଏବଂ ଏହାପରେ ହିଁ କୌଣସି ନିଷ୍ପତ୍ତି ନିଆଯିବା ଦରକାର। ବର୍ଷ ୨୦୨୪ରେ ଉଭୟଙ୍କ ବିବାହ ହୋଇଥିଲା, କିନ୍ତୁ ଦୁଇ ମାସ ମଧ୍ୟରେ ହିଁ ସ୍ୱାମୀ-ସ୍ତ୍ରୀ ଅଲଗା ହୋଇଯାଇଥିଲେ। ସ୍ତ୍ରୀ ଉଭୟ ଘରୋଇ ହିଂସା ମାମଲା ଦାୟର କରି ପ୍ରତିମାସରେ ୧ ଲକ୍ଷ ୨୩ ହଜାର ୫୫ ଟଙ୍କା ଗୁଜୁରା ଭତ୍ତା ଏବଂ ୫୦ ହଜାର ଟଙ୍କା ଆଇନଗତ ଖର୍ଚ୍ଚ ଦାବି କରିଥିଲେ। ଅନ୍ୟପଟେ, ସ୍ୱାମୀ କହିଥିଲେ ଯେ ସେ ଏକ ପ୍ରାଇଭେଟ୍ ଚାକିରି କରନ୍ତି ଏବଂ ତାଙ୍କର ମାସିକ ଆୟ ମାତ୍ର ୫୨ ହଜାର ଟଙ୍କା। ଏହାର ବିପରୀତରେ ସ୍ତ୍ରୀଙ୍କ ମାସିକ ଦରମା ୧ ଲକ୍ଷରୁ ୧.୭୫ ଲକ୍ଷ ଟଙ୍କା ମଧ୍ୟରେ ଥିଲା।
ବ୍ୟୁରୋ ରିପୋର୍ଟ

ବରପାଲି ବସ୍ତି ଅଞ୍ଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା, ଅସନ୍ତୋଷରେ ପଡ଼ାବାସୀ
ବରଗଡ଼/ ବରପାଲି ୩୦/୦୬ -() ବରପାଲି ବସ୍ତି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ନେଇଛି। ଦୀର୍ଘ ଦିନ ଧରି ନିୟମିତ ପାଣି ଯୋଗାଣ ବନ୍ଦ ରହିଥିବାରୁ ପଡ଼ାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପାଇପ ଲାଇନ ବିଛାଇବା କାମ ଚାଲିଥିବା ଆଳରେ ଜଳ ଯୋଗାଣ ବନ୍ଦ କରାଯାଇଛି, ଯାହା ଫଳରେ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପଟେ, ପାନୀୟ ଜଳ ଯୋଗାଣ ବିଭାଗରେ କୌଣସି ସ୍ଥାୟୀ ଅଧିକାରୀ ନଥିବାରୁ କାର୍ଯ୍ୟରେ ସମନ୍ୱୟର ଅଭାବ ଦେଖାଦେଇଛି। ସମସ୍ୟା ସମ୍ପର୍କରେ ଯୋଗାଯୋଗ କଲେ କେବେ ପାଣି ମୋଟର ପୋଡ଼ିଯାଇଛି, କେବେ ବିଦ୍ୟୁତ ଲାଇନ ନାହିଁ କିମ୍ବା ଲୋଡ଼ ନେଉନାହିଁ ବୋଲି ବିଭିନ୍ନ କାରଣ ଦର୍ଶାଯାଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସମଲେଶ୍ୱରୀ ମନ୍ଦିର ରାସ୍ତାରେ ପାଇପ ଲାଇନ ବିଛାଇବା କାମ ଚାଲିଥିବାରୁ ରାସ୍ତା ଖୋଳାଯାଇଛି। ତେବେ ଏହି କାମ କେବେ ଶେଷ ହେବ ଏବଂ ସ୍ଥାନୀୟ ବସ୍ତିବାସୀ କେବେ ନିୟମିତ ପାନୀୟ ଜଳ ପାଇବେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୀଘ୍ର ସମସ୍ୟାର ସ୍ଥାୟୀ ସମାଧାନ କରି ବସ୍ତିବାସୀଙ୍କୁ ନିୟମିତ ପାନୀୟ ଜଳ ଯୋଗାଇବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
Bargarh (ବରଗଡ଼) • ରିପୋର୍ଟ: ସତ୍ୟ ସୁରୁଜାଲ, ବରପାଲି

ଗଛ କାଟି ଗୋଶାଳା ନିର୍ମାଣ କୁ ବିରୋଧ କଲେ ଗ୍ରାମବାସୀ - ପୌର ପରିଷଦ ଅଧିକାରୀ ଓ ଠିକାଦାର ନାଁରେ ଥାନାରେ ଏତଲା
ଟିଟିଲାଗଡ଼ :-୨/୭/୨୬ ଟିଟିଲାଗଡ଼ବ୍ଲକ ଅନ୍ତର୍ଗତ ମନିଗାଁ ଗ୍ରାମପଞ୍ଚାୟତ ଅଧିନସ୍ତ ନାନାଝର ଗ୍ରାମରେ ପୌର ପରିଷଦ ତରଫରୁ ଏକ ଗୋଶାଳା ନିର୍ମାଣ କରିବା ପାଇଁ ସ୍ଥିର କରିଥିଲେ l କିନ୍ତୁ ସେହି ଯାଗାରେ ଗାଁ ଲୋକେ ନିର୍ଭର କରୁଛନ୍ତି ଓ ସେଠାରେ ଗଛ ଗୁଡିକ ବହୁତ ରହିଥିବାରୁ ଏହାକୁ ଗ୍ରାମବାସୀ ବିରୋଧ କରି ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ନେଇ ଉପଜିଲ୍ଲାପାଳ ଗ୍ରାମବାସୀଙ୍କ ବିନାଅନୁମତିରେ ଗୋଶାଳା ନିର୍ମାଣ କରାଯାଇ ପାରିବନାହିଁ ବୋଲି କହିଥିଲେ l କିନ୍ତୁ ପୌର ପରିଷଦ ଅଧିକାରୀ ଚନ୍ଦନ ସତପଥି ଏବଂ ଠିକାଦାର ଟୁନୁ ଅଗ୍ରୱାଲ ଜେସିବି ଲଗାଇ ବଳପୂର୍ବକ ଜଙ୍ଗଲ ବିଭାଗର ଅନୁମତି ନନେଇ ଗଛକାଟି ଗୋଶାଳା ନିର୍ମାଣ କରିବା ପାଇଁ ଚେଷ୍ଟା କରିଥିଲେ l ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ l ସହର ମଧ୍ୟରେ ସହସହ ଏକର ସରକାରୀ ଜମିଥାଇ ଗ୍ରାମାଞ୍ଚଳକୁ କାହିଁକି ଗୋଶାଳା ନିର୍ମାଣ କରାଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିଲେ l ବଳପୂର୍ବକ ଗୋଶାଳା ନିର୍ମାଣ କୁ ନେଇ ନାନାଝର ଗ୍ରାମବାସୀ ପୌରପରିଷଦ ଅଧିକାରୀ ଓ ଠିକାଦାର ନାମରେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ରାଜ୍ୟ ସରକାର ଗଛ ଲଗାଇବା ପାଇଁ ଆହ୍ୱାନ ଦେଉଥିବାବେଲେ ଏଠାରେ ଗଛକାଟି ଗୋଶାଳା ନିର୍ମାଣ କରିବା କାହା ସ୍ୱାର୍ଥରେ ବୋଲି ଗ୍ରାମବାସୀ ତଥା ଅଞ୍ଚଳବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ଏହି ନିର୍ମାଣ କାର୍ଯ୍ୟ ବନ୍ଦ ନକରାଗଲେ ଆଗାମୀ ଦିନରେ ଗ୍ରାମବାସୀ ତଥା ଅଞ୍ଚଳବାସୀ ରାଜରାସ୍ତା କୁ ଓହ୍ଲେଇବୁ ବୋଲି ଚେତାବନୀ ଦେଇଛନ୍ତି l
Balangir (ବଲାଙ୍ଗୀର) • ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟ
