ରାଜଜଙ୍କିଆରେ ବଡ଼ଧରଣର ଚୋରି: ଲକ୍ଷାଧିକ ଟଙ୍କାର ସୁନା ଓ ନଗଦ ଲୁଟ୍, ଅଞ୍ଚଳବାସୀ ଆତଙ୍କିତ
Khordha (ଖୋର୍ଦ୍ଧା)ରିପୋର୍ଟ: ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧାAugust 22, 202629 views

ଟାଙ୍ଗୀ, ଖୋର୍ଦ୍ଧା: ଚାନ୍ଦପୁର ଥାନା ଅନ୍ତର୍ଗତ ରାଜଜଙ୍କିଆ ପଞ୍ଚାୟତରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଘରର ସମସ୍ତ ସଦସ୍ୟ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ମୋଟା ଅଙ୍କର ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ରାଜଜଙ୍କିଆର ବାସୁଦେବ ପ୍ରଧାନଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଜ୍ଞାତ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ପ୍ରବେଶ କରିଥିଲେ। ପରିବାରର ସଦସ୍ୟମାନେ ଶୋଇଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ଆଲମାରି ଭାଙ୍ଗି ସେଥିରେ ଥିବା ମୂଲ୍ୟବାନ ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଚମ୍ପଟ ମାରିଥିବା ଜଣାପଡ଼ିଛି।
ସକାଳେ ପରିବାର ଲୋକେ ଚୋରି ଘଟଣା ସମ୍ପର୍କରେ ଜାଣିବା ପରେ ଘରେ କାନ୍ଦବୋବାଳି ପଡ଼ିଯାଇଥିଲା। ଘଟଣା ଜଣାପଡ଼ିବା ପରେ ଆଖପାଖର ଲୋକେ ମଧ୍ୟ ବାସୁଦେବଙ୍କ ଘରେ ପହଞ୍ଚିଥିଲେ।
ଅଞ୍ଚଳରେ ଗତ କିଛିଦିନ ଧରି ଚୋରି, ଲୁଟ୍ ଓ ଅନ୍ୟାନ୍ୟ ଅପରାଧିକ ଘଟଣା ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ପାଟ୍ରୋଲିଂ ବଢ଼ାଇବା ସହ ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ବାରମ୍ବାର ଚୋରି ଘଟଣା ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି।
ଖବର ପାଇ ଚାନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବା ଦିଗରେ ପୋଲିସ ପଦକ୍ଷେପ ନେଉଛି।
