Web News

ରାଜନୈତିକ କାର୍ଯ୍ୟକଳାପ ଅଭିଯୋଗ: ସସପେଣ୍ଡ ହେଲେ ଦୁର୍ଗା ପ୍ରସାଦ ଛୁରିଆ
ବରଗଡ -ସରକାରୀ ସେବାରେ ଥାଇ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା ଅଭିଯୋଗରେ ବରିଷ୍ଠ ସହକାରୀ ନିବନ୍ଧକ ଦୁର୍ଗା ପ୍ରସାଦ ଛୁରିଆଙ୍କୁ ନିଲମ୍ବନ କରାଯାଇଛି। ସମବାୟ ସମିତି ନିବନ୍ଧକ (RCS)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିଲମ୍ବନ ଆଦେଶ ଜାରି ହୋଇଥିବା ଜଣାପଡ଼ିଛି।ଦୁର୍ଗା ପ୍ରସାଦ ଛୁରିଆ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ। ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ସମୟରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ରାଜନୈତିକ ଦଳର କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଏବଂ ସରକାରୀ ନିୟମ ଓ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି।ସରକାରୀ ସେବାରେ ଥିବା କର୍ମଚାରୀମାନେ ରାଜନୈତିକ ଦଳର କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇପାରିବେ ନାହିଁ। ଏହି ନିୟମର ଉଲ୍ଲଂଘନ ଅଭିଯୋଗକୁ ଆଧାର କରି ଦୁର୍ଗା ପ୍ରସାଦଙ୍କ ବିରୋଧରେ ବିଭାଗୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।ନିଲମ୍ବନ ଅବଧିରେ ଦୁର୍ଗା ପ୍ରସାଦ ଛୁରିଆଙ୍କ ମୁଖ୍ୟାଳୟ ରାଜ୍ୟ ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱରରେ ନିର୍ଦ୍ଧାରିତ କରାଯାଇଛି। ସେବା ନିୟମ ଓ Odisha Government Servants' Conduct Rules ଅନୁଯାୟୀ ତାଙ୍କ ବିରୋଧରେ ଏହି ନିଲମ୍ବନ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି।ଏହି ଘଟଣା ପରେ ସରକାରୀ କର୍ମଚାରୀଙ୍କ ରାଜନୈତିକ କାର୍ଯ୍ୟକଳାପ ଓ ସେବା ଆଚରଣ ବିଧି ପାଳନ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।
Nuapada (ନୂଆପଡ଼ା) • ରିପୋର୍ଟ -ବଂଶୀଧର ନାୟକ

ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ପୁରସ୍କାର ବିତରଣ
ବରଗଡ -ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ବିକାଶ ଉଦ୍ଦେଶ୍ୟରେ ଗାୟତ୍ରୀ ପରିବାର, ବିଜେପୁର ବ୍ଲକ ପକ୍ଷରୁ ଆୟୋଜିତ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା-୨୦୨୫ର ବ୍ଲକସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ବିଜେପୁର ଏସ୍ଏଚ୍ଜି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସାଧକ ତଥା ଶିକ୍ଷାବିତ୍ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ବରିଷ୍ଠ ସାଧକ ମୀନକେତନ ପାତ୍ର, ରେଡିଏନ୍ସ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ୍ ଅଜିତ କୁମାର ମେହେର ଓ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ଜିଲ୍ଲା ସଂଯୋଜକ ଗୋବର୍ଦ୍ଧନ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଚୈତନ୍ୟ ସାହୁଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ଓ ଦେବ ଆବାହନ କରାଯାଇଥିଲା। ଅତିଥିମାନଙ୍କୁ ସ୍ୱାଗତ ଓ ପରିଚୟ ପ୍ରଦାନ ପରେ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଏହି ଅବସରରେ ପରୀକ୍ଷାରେ ସଫଳ ହୋଇଥିବା ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହ ସାମ୍ବାଦିକ ପାଣ୍ଡବ ପ୍ରଧାନ,ଜିତେନ୍ଦ୍ର ମେହେର,ସୁନୀଲ ମିଶ୍ର, ଆକାଶ ମେହେର ଓ ସୁଶାନ୍ତ ସାହୁଙ୍କୁ ମଧ୍ୟ ଗାୟତ୍ରୀ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକତା ମାଧ୍ୟମରେ ସମାଜର ବିଭିନ୍ନ ସମସ୍ୟା ଓ ସକାରାତ୍ମକ କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିବାରେ ସେମାନଙ୍କ ଭୂମିକାକୁ ଏହି ଅବସରରେ ସ୍ୱୀକୃତି ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ଅନୁଭୂତିକୁ ନେଇ ଏକ ଉଦ୍ଦେଶ୍ୟମୂଳକ ଆଲୋଚନା ହୋଇଥିଲା। ଗାୟତ୍ରୀ ପରିବାରର ସଦସ୍ୟ, ଅଭିଭାବକ ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଓ ଭକ୍ତିମୟ ହୋଇଉଠିଥିଲା।ଶେଷରେ ଶିକ୍ଷକ ପ୍ରେମରାଜ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିବାବେଳେ ଶାନ୍ତିପାଠ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବେହେରା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଠାରେ ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ତୁଳସୀ ରାମ ବାରିକ ଙ୍କ ସଭାପତିତ୍ୱ ରେ ବୈଠକ ରେ ଗ୍ରାମବାସୀ ଓ ପୂଜା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଉକ୍ତ ବୈଠକ ରେ ଗ୍ରାମବାସୀ ସର୍ବସମ୍ପତି କ୍ରମେ ସେଇ ପୁରୁଣା କମିଟି କୁ ଚୟନ କରିଥିଲେ। ଚଳିତ ବର୍ଷ ବେହେରା ସାର୍ବଜନୀନ ଦୁର୍ଗାପୂଜା ୫୮ ବର୍ଷରେ ପଦାର୍ପଣ କରିଥିବାରୁ ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ବୈଠକ ରେ ନିଷ୍ପତି ନିଆ ଯାଇଛି। ଦୁର୍ଗାପୂଜା କମିଟି ସଭାପତି ଈଶ୍ୱର ଲାଲ ଅଗ୍ରୱାଲ ଉପସଭାପତି ହେମାଳ ନାଏକ ସମ୍ପାଦକ ରଜନୀ କାନ୍ତ ନାଏକ ସହସମ୍ପାଦକ ରାହାସ ନାଏକ ଓ ଉପଦେଷ୍ଟା କମିଟି ଘନଶ୍ୟାମ ପଟେଲ, ନରେନ୍ଦ୍ର ବିଶି, ହୁକିମ ନାଏକ, ଲଳିତ ଅଗ୍ରୱାଲ, ବଳରାମ ପୁଝାରୀ, ଚନ୍ଦନ ବାଣୁଆ, ଶଙ୍କର ନାଏକ, ଚନ୍ଦ୍ର ଶେଖର ବାଗ, ପଦ୍ମଲୋଚନ ପାଣିଗ୍ରାହୀ, ହେମନ୍ତ ସାହୁ, ପ୍ରେମଲାଲ ନାଏକ ତଥା ଗ୍ରାମବାସୀ ସାମିଲ ଥିଲେ
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଗୋତମୁଣ୍ଡାରେ ମାଁ ଘାଟିମୁଡ଼ିଆଣିଙ୍କ ଡଙ୍ଗର ଯାତ୍ରା
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ସୀମାନ୍ତ ଅଠର ନଳା ଘାଟିରେ ମାଁ ସର୍ବମଙ୍ଗଳା ଘାଟିମୁଡ଼ିଆଣିଙ୍କ ପାରମ୍ପରିକ ଡଙ୍ଗର ଯାତ୍ରା ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ପ୍ରତିବର୍ଷ ପୂର୍ଣ୍ଣିମା ପରେ ପଡ଼ୁଥିବା ମଙ୍ଗଳବାର ଦିନ ଏହି ପାରମ୍ପରିକ ଯାତ୍ରା ଅନୁଷ୍ଠିତ ହୋଇଥାଏ। କଳାହାଣ୍ଡି ଆଦିବାସୀ ପରମ୍ପରା, ଲୋକବିଶ୍ୱାସ ଓ ସଂସ୍କୃତିର ଏକ ସମୃଦ୍ଧ ମାଟି। ବର୍ଷ ତମାମ ବିଭିନ୍ନ ପାରମ୍ପରିକ ପର୍ବପର୍ବାଣୀ ଓ ଦେବାଦେବୀଙ୍କ ପୂଜାର୍ଚ୍ଚନା ଏଠାରେ ପାଳିତ ହୋଇଥାଏ। ଗୋତମୁଣ୍ଡାର ଡଙ୍ଗର ଯାତ୍ରା ମଧ୍ୟ ଏହି ପରମ୍ପରାର ଏକ ପ୍ରମୁଖ ଅଂଶ। ଗୋତମୁଣ୍ଡା ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶର ଅଠର ନଳା ଘାଟିରେ ମାଁ ଘାଟିମୁଡ଼ିଆଣି ପୂଜା ପାଇଆସୁଛନ୍ତି। ଆବାହମାନ କାଳରୁ ଦେବୀ ଏଠାରେ ପୂଜିତ ହୋଇଆସୁଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଯାତ୍ରା ପୂର୍ବରୁ ପୂଜାରୀ, ଗୋତମୁଣ୍ଡା ଗ୍ରାମବାସୀ ଓ କାଲିସିମାନେ ପାରମ୍ପରିକ ଲାଠି ଯାତ୍ରାରେ ଦେବୀଙ୍କ ପୀଠକୁ ଯାଇଥିଲେ। ସେଠାରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ମାନସିକଧାରୀମାନେ ଦେବୀଙ୍କ ନିକଟରେ ଶୁକ୍ଳ ଭୋଗ ଅର୍ପଣ କରିଥିଲେ। ଏହି ଯାତ୍ରାକୁ ଅଞ୍ଚଳର ଏକ କୃଷିଭିତ୍ତିକ ପାରମ୍ପରିକ ଯାତ୍ରା ଭାବେ ପାଳନ କରାଯାଏ। ଭଲ ବର୍ଷା, ଭଲ ଫସଲ, ଚାଷୀଙ୍କ ସମୃଦ୍ଧି ଓ ଅଞ୍ଚଳର ମଙ୍ଗଳ ପାଇଁ ଶ୍ରଦ୍ଧାଳୁମାନେ ମାଁ ଘାଟିମୁଡ଼ିଆଣିଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଯାତ୍ରାରେ କେବଳ କଳାହାଣ୍ଡି ନୁହେଁ, ପଡ଼ୋଶୀ ଛତିଶଗଡ଼ ଓ ନବରଙ୍ଗପୁର ସମେତ ବିଭିନ୍ନ ଅଞ୍ଚଳରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମାନସିକ ପୂରଣ, ପରିବାରର ମଙ୍ଗଳ ଓ ସୁଖସମୃଦ୍ଧି ପାଇଁ ଭକ୍ତମାନେ ମାଁଙ୍କ ଆଶୀର୍ବାଦ ଲୋଡ଼ିଥିଲେ। ଏହା ସହ ଆଦିବାସୀ ପରମ୍ପରା ଓ ଲୋକସଂସ୍କୃତିର ଏହି ନିଆରା ପର୍ବ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

କୋଟିନଡା ପୋଲିସକୁ ମିଳିଲା ବଡ଼ ସଫଳତା: ୧୪୪୦ ଲିଟର ବେଆଇନ ମଦ ଜବତ
ଆସିକା : ବେଆଇନ ମଦ କାରବାର ବିରୋଧରେ କୋଟିନଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା| ପୋଲିସ ଚଢ଼ଉ କରି ବିପୁଳ ପରିମାଣର ଅବକାରୀ ସାମଗ୍ରୀ ସହ ମୋଟ ୧୪୪୦ ଲିଟର ବେଆଇନ ମଦ ଜବତ କରିଛି | ସୂଚନା ଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ମଦ ପ୍ରସ୍ତୁତି ଓ ଚାଲାଣ ହେଉଥିବା ନେଇ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା | ଏହା ପରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ କୋଟିନଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗଠନ କରାଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ଆକସ୍ମିକ ଚଢ଼ଉ କରାଯାଇଥିଲା | ଚଢ଼ଉ ସମୟରେ ପୋଲିସ ୧୪୪୦ ଲିଟର ବେଆଇନ ମଦ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି | ଅଞ୍ଚଳରେ ଚୋରା ମଦ କାରବାର ଓ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସର ଏପରି କଠୋର ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି | ଆଗାମୀ ଦିନରେ ମଧ୍ୟ ଏହିପରି ବେଆଇନ କାରବାର ବିରୋଧରେ ପୋଲିସର କଡ଼ା ଚଢ଼ଉ ଜାରି ରହିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି |
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଯାଜପୁର, ୦୭।୦୯।୨୦୨୬ ରିଖ : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଆଜି ମୋଟ ୨୩୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୧୪୦ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ ୦୭ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୮୭ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୯୦ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ନଗେନ୍ଦ୍ର ନାଥ ମହାପାତ୍ର, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଡେପୁଟି କଲେକ୍ଟର, ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ସାରସ୍ୱତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯାଜପୁର ବ୍ରହ୍ମାନନ୍ଦ ବେହେରା,ତହସିଲଦାର ରବିନାରାୟଣ ପାଢ଼ୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଯାଜପୁର ସଦର ହରିପୁର ଗ୍ରାମର ସନାତନ ବେହେରାଙ୍କୁ ଶ୍ରବଣ ସହାୟକ ଯନ୍ତ୍ର (Hearing Aid) ପ୍ରଦାନ କରାଯାଇଛି। ଏହି ଶ୍ରବଣ ଯନ୍ତ୍ର ତାଙ୍କର ଶ୍ରବଣ ସମସ୍ୟା ଦୂର କରିବା ସହ ଦୈନନ୍ଦିନ ଜୀବନରେ ଯୋଗାଯୋଗକୁ ସହଜ କରିବାରେ ସହାୟକ ହେବ। ଶ୍ରବଣ ଯନ୍ତ୍ର ପାଇ ସନାତନ ବେହେରା ଆନନ୍ଦ ପ୍ରକାଶ କରିବା ସହ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି।
Jajpur (ଯାଜପୁର) • ରିପୋର୍ଟ୍ - ନିରୋଜ କୁମାର ସେଠୀ

ଭୁବନ ଏବିଭିପି ର ନୂତନ କର୍ମକର୍ତ୍ତା ଡଃ ଥବିର ଭୋଇ ସଭାପତି, ସ୍ୱୟଂଶମ୍ଭୁ ପୃଷ୍ଟି ସମ୍ପାଦକ
ଢ଼େଙ୍କାନାଳ , ୮.୯-: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭୁବନ ନଗର ଶାଖା ପକ୍ଷରୁ ମଙ୍ଗଳବାର ନଗର ସମ୍ମିଳନୀ ଓ ନୂତନ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଡଃ ଥବିର ଭୋଇଙ୍କୁ ନଗର ସଭାପତି ଏବଂ ସ୍ଵୟଂସମ୍ଭୁ ପୃଷ୍ଟିଙ୍କୁ ନଗର ସମ୍ପାଦକ ଭାବେ ମନୋନୀତ କରାଯାଇଛି। ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଉଭୟ ନବନିର୍ବାଚିତ କର୍ମକର୍ତ୍ତା ଛାତ୍ରଛାତ୍ରୀଙ୍କ ସମସ୍ୟା, ଶିକ୍ଷା କ୍ଷେତ୍ରର ବିଭିନ୍ନ ବିଷୟ ଏବଂ ଛାତ୍ର ସମାଜର ସାମଗ୍ରିକ ବିକାଶ ଦିଗରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରାଯାଇଛି। ସମ୍ମିଳନୀରେ ଉପସ୍ଥିତ କର୍ମକର୍ତ୍ତା ଓ ବିଦ୍ୟାର୍ଥୀମାନେ ନୂତନ ଦାୟିତ୍ୱ ପାଇଥିବା ସଭାପତି ଡଃ ଥବିର ଭୋଇ ଓ ନଗର ସମ୍ପାଦକ ସ୍ଵୟଂସମ୍ଭୁ ପୃଷ୍ଟିଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂତନ ଶିକ୍ଷାବର୍ଷରେ ସଂଗଠନର କାର୍ଯ୍ୟକଳାପକୁ ଆହୁରି ବ୍ୟାପକ କରିବା ପାଇଁ ସଂକଳ୍ପ ନେଇଥିଲେ। ଏହି ସମ୍ମିଳନୀରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରଭାତ କୁମାର ଜେନା, ଅଧ୍ୟାପକ ଅଲେଖ ଚନ୍ଦ୍ର ପାତ୍ର ଓ ଭୁବନ ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ ଶୁଭମ୍ ବେହେରା, ଅଧ୍ୟାପକ ସଙ୍ଗୀତ ନନ୍ଦ ଙ୍କ ସହ ଯାଜପୁର ଜିଲ୍ଲା ପ୍ରମୁଖ ଅଧ୍ୟାପକ ପ୍ରଶାନ୍ତ କୁମାର୍ ରାଉତରାୟ ଯୋଗ ଦେଇ ଵିଦ୍ୟାର୍ଥୀ ପରିଷଦ ର ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ କାର୍ଯ୍ୟକର୍ତ୍ତା ଙ୍କୁ ଉତ୍ସାହିତ କରିଥିଲେ । କର୍ଯ୍ୟକ୍ରମ କୁ ପୂର୍ବତନ ବିଭାଗ ସଂଯୋଜକ ଗୁଲସନ କୁମାର ରାଉତ ସଂଯୋଜନା କରିବା ସହ ଶେଷରେ ନୁତନ ନଗର ସମ୍ପାଦକ ଛାତ୍ର ନେତା ସ୍ୱୟଂସମ୍ଭୁ ପୃଷ୍ଟି ଧନ୍ୟବାଦ ଦେବା ସହ ସଭା ସଂଗ କରିଥିଲେ । ଏହି ସମ୍ମିଳନୀ ରେ ଭୁବନ ନଗରର ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଢ଼େଙ୍କାନାଳରେ ନୂତନ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ
ଢ଼େଙ୍କାନାଳ: ଢ଼େଙ୍କାନାଳରେ ନୂତନ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶ୍ରୀ ଶ୍ରୀନିବାସ ରାଉତ ଦାୟୀତ୍ଵ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନରେ, ଶ୍ରୀ ରାଉତ କାର୍ଯ୍ୟରତ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରାଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇବା ସହ ଗତ ନଭେମ୍ବର ୨୦୨୩ ରୁ କାର୍ଯ୍ୟରତ ଅଧିକାରୀ ଶ୍ରୀ ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ସମାଜସେବୀ ମେନକା ସୁନ୍ଦରୀ ଭଞ୍ଜଙ୍କ ପ୍ରଥମ ସ୍ମୃତି ବାର୍ଷିକ ପାଳନ:
ସହରର ଅନ୍ୟତମ ସମାଜସେବିକା ତଥା ପରିବେଶ ଓ ପ୍ରକୃତି ପ୍ରେମୀ ମେନକା ସୁନ୍ଦରୀ ଭଞ୍ଜଙ୍କ ପ୍ରଥମ ସ୍ମୃତି ବାର୍ଷିକରେ ଭଦ୍ରକ ଗବସାହି ସ୍ଥିତ ଦୁର୍ଗା ମଣ୍ଡପ ପରିସରରେ ବରିଷ୍ଠ ଆଇନଜୀବୀ ପବନ କୁମାର ଶର୍ମା ଙ୍କ ସଭାପତିତ୍ବରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ବରିଷ୍ଠ ଆଇନଜୀବୀ ଶଶିଭୂଷଣ ପଣ୍ଡା,ରାଧାନାଥ ଦାସ, ସନ୍ତୋଷ ମହାପାତ୍ର, ଜୟନ୍ତ ଭୋଇ, ବିକାଶ ନାଥ, ଉଷାଶ୍ରୀ ବାରିକ୍, ଗଣେଶ ରାମ, ଦେବାଶିଷ ନାୟକ , ମନୋରଞ୍ଜନ ଦାସ, ଚିତ୍ତରଞ୍ଜନ ନାୟକ, ପ୍ରକାଶ ବାରିକ, କୌଶିକ୍ ଦାସ, ମହିଳା ନେତ୍ରୀ ଚାରୁଲତା ମହାପାତ୍ର ପ୍ରମୁଖ ଯୋଗଦେଇ ମେନକା ଦେବୀଙ୍କ ସ୍ମୃତି ଚାରଣ କରିବା ସହ ଆମ ଦେଶର ପରିବେଶ ନୀତିକୁ ବେଖାତିର କରି କେନ୍ଦ୍ର ସରକାର ପୁଞ୍ଜିପତି ମାନଙ୍କୁ ଜଙ୍ଗଲ କାଟିବା ପାଇଁ ଅନୁମତି ଦେବା ଘଟଣାକୁ ଏହି ସଭାରେ ତୀବ୍ର ନିନ୍ଦା କରାଯାଇଥିଲା ଓ ଏମ୍ ଏମ୍ ଡି ଆର ସଂଶୋଧନ ଆଇନ ବଳରେ କେନ୍ଦ୍ର ସରକାର ଓଡିଶାର ଖଣିଜ ସଂପଦକୁ ଲୁଣ୍ଠନ କରିବାର ଚକ୍ରାନ୍ତକୁ ମଧ୍ୟ ଏହି ସଭାରେ ତୀବ୍ର ନିନ୍ଦା କରାଯାଇଥିଲା । ଶେଷରେ ମେନକା ଦେବୀଙ୍କ ପୁତ୍ର ଆଇନଜୀବୀ ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗ୍ରାମୀ ଅଭିବାଦନ ସହ ବିକାଶ ନାଥ
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଓରାଙ୍ଗଓଟାଙ୍ଗଙ୍କ ରହସ୍ୟଜନକ ଆବିର୍ଭାବ: ବିଚିତ୍ରପୁର ସଂରକ୍ଷିତ ଜଙ୍ଗଲରୁ ୫ଟି ବିରଳ ପ୍ରଜାତିର ଜୀବ ଉଦ୍ଧାର, ପରିବେଶବିତ୍ ଓ ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ
: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ସଂରକ୍ଷିତ ଲୁଣା ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଓଟାଙ୍ଗ (Orangutan) ଉଦ୍ଧାର ହେବା ଘଟଣା ସାରା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଓ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ସାଧାରଣତଃ ମାଲେସିଆ ଓ ଇଣ୍ଡୋନେସିଆ ଭଳି ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକର ଘଞ୍ଚ ବର୍ଷାଜଙ୍ଗଲରେ ଦେଖାଯାଉଥିବା ଏହି ବିଲୁପ୍ତପ୍ରାୟ ପ୍ରଜାତିର ଜୀବ ଉତ୍ତର ବାଲେଶ୍ଵରର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ମିଳିବା ଏକ ବଡ଼ ପ୍ରାକୃତିକ ବ୍ୟତିକ୍ରମ ବୋଲି ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି। ପ୍ରାୟ ୩,୦୦୦ ରୁ ୫,୦୦୦ ହେକ୍ଟର ବିଶିଷ୍ଟ ଏହି ବିଚିତ୍ରପୁର ଲୁଣା ଜଙ୍ଗଲ ଠାରୁ ମାଲେସିଆ ଓ ଇଣ୍ଡୋନେସିଆର ଦୂରତା ଜଳପଥରେ ପ୍ରାୟ ୧,୮୦୦ ମାଇଲ। ଏତେ ଦୂର ବାଟର ଅନେକ ଦ୍ୱୀପପୁଞ୍ଜ ଅତିକ୍ରମ କରି ଏହି ଶାନ୍ତ ପ୍ରକୃତିର ଜୀବମାନେ ନିଜେ ସମୁଦ୍ର ପାରି ହୋଇ ଆସିବା ଅସମ୍ଭବ। ଅନ୍ୟପଟେ, ବିଚିତ୍ରପୁର ଠାରୁ ପ୍ରାୟ ୧୫୦ ରୁ ୨୦୦ କିଲୋମିଟର ଦୂରରେ ଅବସ୍ଥିତ ବିଶ୍ଵପ୍ରସିଦ୍ଧ ସୁନ୍ଦରବନରୁ ଏମାନେ ଭାସି ଆସିଥାଇପାରନ୍ତି ବୋଲି କେହି କେହି ସନ୍ଦେହ କରୁଥିଲେ ହେଁ, ମଝିରେ ଥିବା ଗଙ୍ଗା ଓ ହୁଗୁଳି ନଦୀର ମୁହାଣ ଏବଂ ସେଠାକାର ପ୍ରଖର ସୁଅକୁ ଅତିକ୍ରମ କରିବା ଏହି ପ୍ରାଣୀଙ୍କ ପକ୍ଷେ ପ୍ରାୟତଃ ଅସମ୍ଭବ। ସାମ୍ପ୍ରତିକ ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏହି ୫ଟି ଓରାଙ୍ଗଓଟାଙ୍ଗଙ୍କ ଦୃଶ୍ୟମାନ ହେବା ଘଟଣାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର ଧରିଛି। କେତେକ ଲୋକ ଏହାକୁ ଏକ କୁଦରତର ଚମତ୍କାର ବୋଲି କହୁଥିବା ଦେଖା ଦେଇଛି। ଏହି ବିରଳ ପ୍ରଜାତିର ଜୀବଗୁଡ଼ିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର ନକରି, ସେମାନଙ୍କର ପ୍ରାକୃତିକ ପରିବେଶକୁ ଦୃଷ୍ଟିରେ ରଖି ସେହି ସ୍ଥାନୀୟ ବିଚିତ୍ରପୁର ସଂରକ୍ଷିତ ଅଞ୍ଚଳରେ ହିଁ ସୁରକ୍ଷିତ ଭାବେ ଛାଡ଼ିଦେବାକୁ ଭୋଗରାଇବାସୀ ଓ ଆଖପାଖର ବୁଦ୍ଧିଜୀବୀମାନେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ବନ ବିଭାଗ ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵର

ଭତ୍ତା ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେଡି
ବରଗଡ଼, ୮/୯ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗଙ୍କ ସମେତ ବିଭିନ୍ନ ଭତ୍ତା ହିତାଧିକାରୀଙ୍କ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ବରଗଡ଼ରେ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ବରଗଡ଼ ଗାନ୍ଧୀଛକରୁ ବିଜେଡି ନେତା ଓ କର୍ମୀମାନେ ଏକ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଭତ୍ତା ସମସ୍ୟାର ଶୀଘ୍ର ସମାଧାନ ଏବଂ ହିତାଧିକାରୀଙ୍କୁ ବକେୟା ଭତ୍ତା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ପ୍ରାୟ ୪ ମାସ ହେବ ଅନେକ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗଙ୍କ ସମେତ ଅନ୍ୟାନ୍ୟ ହିତାଧିକାରୀ ଭତ୍ତା ପାଇନାହାନ୍ତି। ଫଳରେ ଭତ୍ତା ଉପରେ ନିର୍ଭରଶୀଳ ହିତାଧିକାରୀମାନେ ଅସୁବିଧାରେ ପଡ଼ୁଥିବା ଦଳ ପକ୍ଷରୁ କୁହାଯାଇଛି। ଆଗକୁ ନୂଆଖାଇ ପର୍ବ ଥିବାରୁ ତା’ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବକେୟା ସହ ଭତ୍ତା ପ୍ରଦାନ କରିବା ଏବଂ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ସୁଚାରୁ ରୂପେ କରିବାକୁ ବିଜେଡି ଦାବି କରିଛି। ଏହି କାର୍ଯ୍ୟକ୍ରମରେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟିକା ରୀତା ସାହୁ, ଯୁବ ନେତା ସୁବ୍ରତ ସିଂଙ୍କ ସମେତ ବହୁ ବିଜେଡି କର୍ମୀ ଓ ଭତ୍ତା ହିତାଧିକାରୀ ଉପସ୍ଥିତ ରହିଥିଲେ।
Bargarh (ବରଗଡ଼) • ସତ୍ୟସୁରୁଜାଲ

ତିନି ମାସ ପରେ ବି ମିଳିଲାନି ସମାଧାନ ସର୍ବସାଧାରଣ କେନାଲରେ ଡ୍ରେନେଜ୍ ପାଣି ଛାଡ଼ିବା ବନ୍ଦ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ବରଗଡ଼: ସର୍ବସାଧାରଣ କେନାଲରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ଓ ବିଭିନ୍ନ ସଂସ୍ଥାର ଅପଚାରିତ ଡ୍ରେନେଜ୍ ପାଣି ଛଡ଼ାଯାଉଥିବା ଅଭିଯୋଗକୁ ନେଇ ପୁଣିଥରେ ପ୍ରଶାସନର ଦ୍ୱାରସ୍ଥ ହୋଇଛି NSUI ବରଗଡ଼। NSUI ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କେନାଲରେ ଡ୍ରେନେଜ୍ ପାଣି ଛାଡ଼ାଯିବା ଯୋଗୁଁ ଜଳ ପ୍ରଦୂଷଣ ବଢ଼ିବା ସହ ପରିବେଶ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଛି। ଏଥିସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ସୂଚନା ଅନୁସାରେ, ଗତ ୨୦ ଜୁନ୍ ୨୦୨୬ ତାରିଖରେ ଏହି ସମସ୍ୟା ନେଇ କେନାଲ ସର୍କଲ, ବରଗଡ଼ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ NSUI ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ହେଲେ ସ୍ମାରକପତ୍ର ଦେବାର ପ୍ରାୟ ତିନି ମାସ ପରେ ମଧ୍ୟ ଅଭିଯୋଗ ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି NSUI ପକ୍ଷରୁ ବରଗଡ଼ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି। କେନାଲରେ ଅଶୋଧିତ ଡ୍ରେନେଜ୍ ପାଣି ଛାଡ଼ୁଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକୁ ଚିହ୍ନଟ କରି ତଦନ୍ତ କରାଯିବା ସହ ଆବଶ୍ୟକ ହେଲେ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି। NSUIର ଦାବି ଅନୁଯାୟୀ, କେନାଲ ଭଳି ସର୍ବସାଧାରଣ ଜଳପଥରେ ଅପଚାରିତ ଡ୍ରେନେଜ୍ ପାଣି ଛାଡ଼ିବା ଫଳରେ ଜଳର ଗୁଣବତ୍ତା ଓ ପରିବେଶ ଉଭୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ଭବିଷ୍ୟତରେ ଏଭଳି ଭାବେ ଡ୍ରେନେଜ୍ ପାଣି ନ ଛଡ଼ାଯିବା ପାଇଁ ନିୟମିତ ନଜରଦାରି ବ୍ୟବସ୍ଥା କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏହି ସମ୍ପର୍କରେ NSUI ବରଗଡ଼ର ଗୌରବ ପତି (ଆଜାଦ) ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
Bargarh (ବରଗଡ଼) • ସତ୍ୟ ସୁରୁଜଳ
