Web News

ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼, ୧୮/୦୮/୨୬: ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ ଉପରେ ଆଜି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଙ୍କ ସମ୍ମିଳନୀ କକ୍ଷଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ , ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଧ୍ୟରୁ ଶ୍ରୀମତୀ କୁସୁମ ଟେଟେ,ଶ୍ରୀ ଜୟ ନାରାୟଣ ତ୍ରିପାଠୀ, ଶ୍ରୀ ଭେଷଜ ରଥ, ଶ୍ରୀ ଅଜିତ ପ୍ରସାଦ, ଶ୍ରୀ ପର୍ଶୁରାମ ସରାଫ, ଶ୍ରୀ ଅମିୟ କୁମାର ପ୍ରଧାନ, ଶ୍ରୀ ଅନିଲ କୁମାର ବରୁଆ, ଇକବାଲ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାରେ ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନର ଦାବି ଓ ଆପତ୍ତି ପର୍ଯ୍ୟାୟ ର ଶେଷ ତାରିଖ ହେଉଛି ୧୯/୦୮/୨୬। ବୈଠକରେ ଏହି ସବୁ ପର୍ଯ୍ୟାୟ ଗୁଡ଼ିକ ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଜନୈତିକ ଦଳ ମାନଙ୍କୁ ଫର୍ମ ୯,୧୦,୧୧,୧୧A ଓ ୧୧B ପ୍ରଦାନ କରାଯାଇଥିଲା । ସେହିଭଳି ଫର୍ମ ୬,୭ ଓ ୮ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ ସମସ୍ତ ରାଜନୈତିକ ଦଳ ଗୁଡ଼ିକୁ ସଂଶୋଧନ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଏକ ସମ୍ପୂର୍ଣ୍ଣ ସ୍ବଚ୍ଛ ଏବଂ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନେଇ ବୈଠକରେ ଆଲୋଚନା କରାଯାଇଥିଲା।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଖୋର୍ଦ୍ଧାରେ ଜାତୀୟ ଅନୁସୂଚିତ ଜାତି କମିଶନ ଟିମ୍ର ସମୀକ୍ଷା
ସରକାରୀ ଯୋଜନାର ସୁଫଳ ଯେପରି ସମସ୍ତ ହିତାଧିକାରୀ ପାଇପାରନ୍ତି, ଗୁରୁତ୍ୱାରୋପ ଖୋର୍ଦ୍ଧା: ଅନୁସୂଚିତ ଜାତି ବର୍ଗର ହିତାଧିକାରୀଙ୍କ ପାଇଁ ସରକାର ରୂପାୟଣ କରୁଥିବା ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମୀକ୍ଷା କରିଛି ଜାତୀୟ ଅନୁସୂଚିତ ଜାତି କମିଶନ। ଡ଼ଃ ପାର୍ଥ ସାରଥୀ ବିଶ୍ୱାସଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ କମିଶନ ଟିମ୍ ଖୋର୍ଦ୍ଧା ଜିଲ୍ଲା ପରିଦର୍ଶନ କରି ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ବିଷୟରେ ତଥ୍ୟ ଅନୁଧ୍ୟାନ କରିଥିଲେ। ବୈଠକରେ ମନରେଗା, ଜମି ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱାସ୍ଥ୍ୟସେବା, ଶିକ୍ଷାବୃତ୍ତି, ଛାତ୍ରାବାସ, ମୁଦ୍ରା ଋଣ ଓ ଜନଧନ ଯୋଜନା ଭଳି ବିଭିନ୍ନ ଯୋଜନାର ସ୍ଥିତି ଓ ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସମୀକ୍ଷା ସମୟରେ ଜିଲ୍ଲାର ୧୬,୮୦୧ ଜଣ ଅନୁସୂଚିତ ଜାତି ହିତାଧିକାରୀଙ୍କୁ ମନରେଗା କାର୍ଡ ପ୍ରଦାନ କରାଯାଇଥିବା ସୂଚନା କମିଶନ ଟିମ୍କୁ ଦିଆଯାଇଥିଲା। ସେହିପରି ଜିଲ୍ଲାର ୧୪ଟି ଛାତ୍ରାବାସରେ ପ୍ରାୟ ୧,୪୦୦ ଛାତ୍ରଛାତ୍ରୀ ରହି ବିଭିନ୍ନ ସୁବିଧା ପାଉଥିବା ନେଇ ମଧ୍ୟ ଅବଗତ କରାଯାଇଥିଲା। ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ, ହିତାଧିକାରୀଙ୍କ ଲାଭ ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା ପରେ କମିଶନ ଟିମ୍ ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଅନୁସୂଚିତ ଜାତି ବର୍ଗର କୌଣସି ହିତାଧିକାରୀ ଯେପରି ସରକାରୀ ଯୋଜନାର ସୁଫଳରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ପ୍ରଶାସନ ଅଧିକ ଗୁରୁତ୍ୱ ଦେବାକୁ କମିଶନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା। ସରକାରୀ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସଠିକ୍ ଭାବେ ପହଞ୍ଚିବା ସହ ଅନୁସୂଚିତ ଜାତି ସମୁଦାୟର ସାମାଜିକ ଓ ଆର୍ଥିକ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଜୋର ଦିଆଯାଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ : ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଓମ୍ବାଡସି ଓଏସ୍ଡିଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ
ବିଭିନ୍ନ ପାଠାଗାରର ନିରୀକ୍ଷଣ ଏବଂ ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟ ସମୀକ୍ଷା ସୁନ୍ଦରଗଡ଼, ୧୮/୦୮/୨୬: ଓମ୍ବାଡସି(OMBADC) ଓଭରସାଇଟ୍ ଅଥୋରିଟୀଙ୍କ ଓଏସ୍ଡି-୧ ଶେଖ୍ ନଇମୁଦ୍ଦିନ୍ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଓ ଅଗ୍ରଗତି ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ଓମ୍ବାଡସି ଓଏସ୍ଡି ସ୍ଥାନୀୟ ପୁରଣା ବସ୍ଷ୍ଟାଣ୍ଡ ନିକଟସ୍ଥ ସୂଚନା ଓ ଲୋକସମ୍ପର୍କ ବିଭାଗର ପାଠାଗାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ, ଜିଲ୍ଲା ସଂସ୍କୃତି ଭବନ ଠାରେ ଅବସ୍ଥିତ ପାଠାଗାରର ପରିଦର୍ଶନ କରିଥିଲେ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ପାଠାଗାର କର୍ମଚାରୀ ମାନଙ୍କ ସହିତ ପାଠାଗାର ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସେ ପାଠାଗାରର ପରିବେଶ, ଭିତ୍ତିଭୂମି ଓ ପୁସ୍ତକଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ସହ ପାଠାଗାର ର ବିଭିନ୍ନ ରେଜିଷ୍ଟର ଗୁଡ଼ିକ ଯାଞ୍ଚ କରିଥିଲେ। ଏଥିସହିତ ପାଠାଗାରରେ ଅଧ୍ୟୟନରତ ପାଠକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ। ସେହିଭଳି ପାଠାଗାରରେ ଆହୁରି କେଉଁ ପ୍ରକାରର ସୁବିଧା ସେମାନଙ୍କୁ ଆବଶ୍ୟକ, ସେନେଇ ମଧ୍ୟ ସେ ଛାତ୍ରଛାତ୍ରୀଙ୍କ ମତାମତ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଅଧ୍ୟୟନ ପାଇଁ ଆହୁରି ପୁସ୍ତକ, ପତ୍ରିକା ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଗୁଡିକର ଆବଶ୍ୟକତା ଉପରେ କହିଥିଲେ ପରେ ପରେ ଓମ୍ବାଡସି ଓଏସ୍ଡି ଏବଂ ତାଙ୍କ ଦଳ ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳା (Regional Food Testing Laboratory) ପରିଦର୍ଶନ କରିଥିଲେ। ପ୍ରୟୋଗଶାଳା ଭବନର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ଏହାର ନିର୍ମାଣ ଗୁଣବତ୍ତା ଓ ସମ୍ପୂର୍ଣ୍ଣ କାର୍ଯ୍ୟର ମାନ ଯାଞ୍ଚ କରିଥିଲେ। ଏଥିସହିତ ପିଡବ୍ଲ୍ୟୁଡି ବିଭାଗ ଠାରୁ ସ୍ୱାସ୍ଥ୍ୟ ବିଭାଗକୁ ପ୍ରୟୋଗଶାଳା ଭବନ ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ଆରମ୍ଭ କରି ଏହାକୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDMO)ଙ୍କ ସହ ଆଲୋଚନା କରି ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳା ପାଇଁ ଆବଶ୍ୟକ ଉପକରଣ ଓ ଯନ୍ତ୍ରପାତି ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରୟୋଗଶାଳାଟି ଶୀଘ୍ର କାର୍ଯ୍ୟକ୍ଷମ ହେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ତ୍ୱରାନ୍ୱିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ଜିଲ୍ଲାରେ ଓମ୍ବାଡସି ଅଧୀନରେ ସମ୍ପୂର୍ଣ୍ଣ ହୋଇଥିବା ସମସ୍ତ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଏହାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଓଏସ୍ଡି ଗୁରୁତ୍ୱାରୋପ କରିଥିଲେ। ଏନ୍ସିଡି (NCD) କମ୍ପ୍ଲେକ୍ସ ସମେତ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକୁ ବିଳମ୍ବ ନକରି କାର୍ଯ୍ୟକ୍ଷମ କରିବା ନିମନ୍ତେ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଆମ୍ବାଡସି ଅଧୀନରେ ନିର୍ମିତ ଭିତ୍ତିଭୂମିଗୁଡ଼ିକର ଉପଯୋଗ ସୁନିଶ୍ଚିତ କରିବା ସହ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ସୁବିଧା ପ୍ରଦାନ ଉପରେ ଏହି ଗସ୍ତରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ତାଙ୍କର ଏହି ଗସ୍ତ ସମୟରେ ଶ୍ରୀ ଅମ୍ବୁଜ ପ୍ରସାଦ – ଟିମ୍ ଲିଡର୍, ଓମ୍ବାଡସି, ପିଏମ୍ୟୁ, ଶ୍ରୀ ନଳିନୀ କୁମାର ଦାସ ଏବଂ ସୁଦର୍ଶନ ସାୱରା, ଓମ୍ବାଡସି, ପିଏମ୍ୟୁର ବିଶେଷଜ୍ଞ, ୱାସିମ୍ ଅହମ୍ମଦ, ଭିତ୍ତିଭୂମି ବିଶେଷଜ୍ଞ, ଜିଲ୍ଲା ସେଲ୍, ସୁନ୍ଦରଗଡ଼,ପ୍ରଣୟ କୁମାର ପଟେଲ, ଭିତ୍ତିଭୂମି ବିଶେଷଜ୍ଞ, ଜିଲ୍ଲା ସେଲ୍, ସୁନ୍ଦରଗଡ଼, ସିଦ୍ଧେଶ୍ୱର ପଟ୍ଟନାୟକ,ଜୀବିକା ବିଶେଷଜ୍ଞ, ଜିଲ୍ଲା ସେଲ୍, ସୁନ୍ଦରଗଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଜିଲ୍ଲାପାଳଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ
ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳରେ ଗତ କିଛିଦିନ ହେବ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ସମସ୍ୟାର ସମୀକ୍ଷା ଏବଂ ଏହାର ସମାଧାନ ପାଇଁ ଆଜି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସୁନ୍ଦରଗଡ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ସହିତ ସେକ୍ଟର-୬ ମହିମା ଆଶ୍ରୟ ବସ୍ତି, ସେକ୍ଟର-୭ ଅଭିରାମପାଲି ବସ୍ତି ଅଞ୍ଚକ ସମେତ ବର୍ଷାରେ ପ୍ରଭାବିତ ଅଞ୍ଚଳ ବୁଲିଥିଲେ । ପରିଦର୍ଶନ ସମୟରେ ବର୍ଷାରେ ଭାଙ୍ଗିଥିବ ଘର ଗୁଡିକୁ ମରାମତି କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ଉଭୟେ ପ୍ରତିଶ୍ରୁତି ଦେଇଥିଲେ ।ଜିଲ୍ଲାପାଳ ଏବଂ ବିଧାୟକଙ୍କ ପରିଦର୍ଶନ ସମୟରେ ସମ୍ପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ମଧ୍ୟ ଉପସ୍ଥିତ ଥିଲେ ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ବିଜେଡି ଛାଡ଼ି ବିଜେପିରେ ବହୁ ଯୁବନେତାଙ୍କ ଯୋଗଦାନ; ଜୁଏଲ ଓରାମ ଓ ଶଙ୍କର ଓରାମଙ୍କ ଉପସ୍ଥିତିରେ ଦଳରେ ସାମିଲ
ରାଉରକେଲା: ବିଜେଡିକୁ ଝଟକା ଦେଇ ବିଜେପିରେ ସାମିଲ ହେଲେ ବହୁ ଯୁବନେତା ଓ କାର୍ଯ୍ୟକର୍ତ୍ତା। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ପ୍ରାକ୍ତନ ବିଧାୟକ ଶଙ୍କର ଓରାମଙ୍କ ଉପସ୍ଥିତିରେ ଆଜି ବରିଷ୍ଠ ବିଜେଡି ଯୁବନେତା ତଥା ରାଉରକେଲା ଟ୍ରକ ଟିପର ଓନର ଆସୋସିଏସନ ର ସଭାପତି ବିରାଜ ବିଶ୍ୱାଳଙ୍କ ନେତୃତ୍ୱରେ ବହୁ ଯୁବନେତା ଓ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗଦେଇଛନ୍ତି। ଦୀର୍ଘଦିନ ଧରି ବିଜେଡି ସହ ଜଡ଼ିତ ଥିବା ଏହି ନେତା ଓ କର୍ମୀମାନେ ସାରଦା ନାୟକଙ୍କ ଶିବିର ଛାଡ଼ି ଜୁଏଲ ଓରାମଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେପିର ହାତ ଧରିଥିବା କୁହାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ବିକାଶ ନାୟକ, ରାମକୃଷ୍ଣ ନନ୍ଦ, ଦେବାଶିଷ ଜେନା, ରବିନାରାୟଣ ମହନ୍ତ, କାଳି ପ୍ରସନ୍ନ ସ୍ୱାଇଁ, ବିଶ୍ୱେଶର ଦାସ, ସୁଶାନ୍ତ ଦାସ, ତାପସ ମିଶ୍ର, ଶ୍ରୀକାନ୍ତ ଦାସ ପ୍ରମୁଖ ବିଜେପିରେ ଯୋଗଦାନ କରିଥିଲେ l ଏହି ସମାରୋହ ରେ ବିଜେପି ର ବରିଷ୍ଠ ନେତା ଅଶୋକ ଲେଙ୍କା, ମନୋରଞ୍ଜନ ମୁନି, ପ୍ରମୋଦ ଜେନା, ଦିଲ୍ଲୀପ ପଟ୍ଟନାୟକ, ଶଶାଙ୍କ ଶେଖର ଜେନା, ସରୋଜ ଦାସ, ସୁଶାନ୍ତ ମହାପାତ୍ର, ବିଶ୍ୱ ପ୍ରତାପ ସିଂ, ମନୋଜ ନାୟକ, ଦିପୁ ଦାସ, ଆଶିଷ ହରିପାଲ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଯୋଗଦାନକୁ ନେଇ ଅଞ୍ଚଳରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଯୁବନେତା ଓ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ବିଜେପିମୁହାଁ ହେବା ଆଗାମୀ ଦିନରେ ସ୍ଥାନୀୟ ରାଜନୀତି ଉପରେ କେତେ ପ୍ରଭାବ ପକାଇବ, ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଚିକିଟି ରେ ସ୍କୁଲ ନିରାପତ୍ତା ସପ୍ତାହ ପାଳନ
ଚିକିଟି ଓସେପା ତରଫରୁ ସ୍କୁଲ ଗୁଡିକରେ ପାଳନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଭିତରୁ ସ୍କୁଲ ନିରାପତ୍ତା ସପ୍ତାହ ପାଳନ ଏକ ଉପଯୋଗୀ କାର୍ଯ୍ୟ କ୍ରମ। ଅଗଷ୍ଟ ମାସରେ ଏହା ପାଳନ କରି ସ୍କୁଲର ନିରାପତ୍ତା ଯାଞ୍ଚ କରି ପଦକ୍ଷେପ ନେବା ସହ ଲୋକଙ୍କୁ ନିରାପତ୍ତାର ବାର୍ତ୍ତା ଦେଇଥାନ୍ତି ଛାତ୍ର ଛାତ୍ରୀ ମାନେ। ଚିକିଟି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଏ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ପୋଷ୍ୟ ବିଦ୍ୟାଳୟ କୋଳଥିଆ ପ୍ରାଥମିକ ବିଦ୍ୟାଳୟ ରେ ନିରାପତ୍ତା ସପ୍ତାହନ୍ତ କାର୍ଯ୍ୟକ୍ରମରେ ବିଇଓ ପନ୍ନଗ ଭୂଷଣ ମାଝି, ବିଆରସିସି ତ୍ରିନାଥ ମଳିକ, ସିଆରସିସି ଶ୍ରୀମତୀ ମିନତି ପାଠୀ, ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରମାକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ସଚେତନ କରାଇବା ସହ ସେମାନଙ୍କ ସହ ସ୍ଲୋଗାନ ଦେଇ ଶୋଭା ଯାତ୍ରାରେ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀଙ୍କ ଭିତରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଇଓ ମହୋଦୟ ଏକ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରି ଭବିଷ୍ୟତରେ ଭୂମିକମ୍ପ, ପ୍ରାକୃତିକ ବିପର୍ଯ୍ୟୟ ବା ଅଗ୍ନି ଭୟ କୁ ମଧ୍ୟ ସାମ୍ନା କରିବା ସାହସ ପିଲାମାନେ ବିଦ୍ୟାଳୟରୁ ହିଁ ଶିଖିପାରିବେ ବୋଲି କହିଥିଲେ। ବିଆରସିସି ଶ୍ରୀଯୁକ୍ତ ମଳିକ ଓ ସିଆରସିସି ମିନତି ପାଠୀ ନିଜ ନିଜ ବକ୍ତବ୍ୟରେ ପ୍ରାଥମିକ ଚିକିତ୍ସା, ସଡକ ନିରାପତ୍ତା, ବିଦ୍ୟାଳୟ ପରିସର ସୁରକ୍ଷା, ଶିଶୁ ସୁରକ୍ଷା, ସାଇବର ସୁରକ୍ଷା ଭଳି ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ବିଷୟରେ ବୁଝାଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ପି ଜଗଦମ୍ବା ସ୍କୁଲ ସେଫଟି କମିଟି ସଦସ୍ୟ ମାନଙ୍କୁ ପରିଚୟ ପ୍ରଦାନ ସହ ତାଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ। ଅନ୍ୟତମ ଅତିଥି ଭାବେ ରମାକାନ୍ତ ବେହେରା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ସହକାରୀ ଶିକ୍ଷକ ସୁନୀଲ ପାଣିଗ୍ରାହୀ ଓ ଶିବରାମ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।
Ganjam (ଗଞ୍ଜାମ) • (ଦୁର୍ଗା ମାଧବ ମହାରଣା)

ସହର ବିକାଶରେ ସ୍ୱଚ୍ଛତା ଓ ପାରଦର୍ଶିତାକୁ ପ୍ରାଥମିକତା
ଡୁଡା ସମୀକ୍ଷା ବୈଠକରେ ରାଜସ୍ୱ ଆଦାୟ, ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ ନୂଆପଡ଼ା, ୧୮/୦୮: ନୂଆପଡ଼ା ଜିଲ୍ଲାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ ଓ ସୁସଂଗଠିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକରେ ସ୍ୱଚ୍ଛତା, ରାଜସ୍ୱ ଆଦାୟ, ସହର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସଠିକ୍ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳ ମଧୁସୂଦନ ଦାଶ ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ପିଡି, ଡୁଡା ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସ୍ୱାଗତ ଜଣାଇବା ସହ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସିର ବିଭିନ୍ନ ଉନ୍ନୟନମୂଳକ ଯୋଜନା, ଆର୍ଥିକ ସ୍ଥିତି, ରାଜସ୍ୱ ଆଦାୟ, ସହରୀ ଭିତ୍ତିଭୂମି, କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମେତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସରକାରୀ ପ୍ରକଳ୍ପଗୁଡ଼ିକରେ ସ୍ୱଚ୍ଛତା ଓ ପାରଦର୍ଶିତାକୁ କୌଣସି ପରିସ୍ଥିତିରେ ଅବହେଳା ନକରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସହର ସୌନ୍ଦର୍ଯ୍ୟକରଣ ପାଇଁ ଦୀର୍ଘମିଆଦୀ ଓ ସୁଚିନ୍ତିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରି ତାହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ସହ ଆବଶ୍ୟକ ସ୍ଥଳେ ଆଇନାନୁସାରେ ପଦକ୍ଷେପ ନେବାକୁ ମଧ୍ୟ ସେ କହିଥିଲେ। ରାଜସ୍ୱ ଆଦାୟରେ ଗତି ଆଣିବା ଉପରେ ଗୁରୁତ୍ୱ ୨୦୨୬-୨୭ ଆର୍ଥିକ ବର୍ଷର ରାଜସ୍ୱ ଆଦାୟ ସମୀକ୍ଷା ବେଳେ ଖଡ଼ିଆଳ ଏନ୍ଏସିରେ ୫୧.୯୧ ଲକ୍ଷ ଟଙ୍କା, ନୂଆପଡ଼ା ଏନ୍ଏସିରେ ୪୧.୨୯ ଲକ୍ଷ ଟଙ୍କା ଏବଂ ଖରିଆର ରୋଡ୍ ଏନ୍ଏସିରେ ୫୮.୭୧ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ତଥ୍ୟ ଉପସ୍ଥାପିତ ହୋଇଥିଲା। ରାଜସ୍ୱ ଆଦାୟକୁ ଆହୁରି ତ୍ୱରାନ୍ୱିତ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ୧୪୦ ପରିବାର ପାଇଲେ ନୂଆ ଘର ପିଏମ୍ଏୱାଇ-୨.୦ ଯୋଜନା ଅଧୀନରେ ନୂଆପଡ଼ା ଏନ୍ଏସିରେ ୧୦୧ଟି ଏବଂ ଖରିଆର ରୋଡ୍ ଏନ୍ଏସିରେ ୩୯ଟି ନିର୍ମିତ ଗୃହର ଗୃହପ୍ରବେଶ କାର୍ଯ୍ୟକ୍ରମ ଗତ ଅଗଷ୍ଟ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ଏଥିସହ ପ୍ଲାଷ୍ଟିକ ନିଷେଧ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମର କଡ଼ାକଡ଼ି ପାଳନ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆବଶ୍ୟକ ଏନ୍ଫୋର୍ସମେଣ୍ଟ ଜାରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନୂଆପଡ଼ା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡ଼ିଆଳ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରିଆର ରୋଡ୍ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକଙ୍କ ସମେତ ଡୁଡାର ଅଧିକାରୀ ଓ କର୍ମଚାରୀ, ମ୍ୟୁନିସିପାଲ ଇଞ୍ଜିନିୟର, ଏମ୍ଆଇଏସ୍ କର୍ମଚାରୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Nuapada (ନୂଆପଡ଼ା) • ବିଜୟ ବରିହା, ନୂଆପଡା

ଦୁଇ ଦିନ ଧରି ନିଖୋଜ ଯୁବକଙ୍କୁ ଉଦ୍ଧାର କଲେ ବାଲିପାଟଣା ମେଡିକାଲ ଷ୍ଟାଫ୍ ଓ ଓଡ୍ରାଫ୍ ଟିମ୍
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ଅର୍ଜୁନପୁର ପଞ୍ଚାୟତର ବାଲିପାଟଣା ଗ୍ରାମରେ ଘଟିଛି ଏକ ଉଦ୍ଧାର ଘଟଣା। ଗତ ଦୁଇ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କୁ ସଙ୍କଟଜନକ ପରିସ୍ଥିତିରୁ ଉଦ୍ଧାର କରିଛନ୍ତି ବାଲିପାଟଣା ମେଡିକାଲ ଷ୍ଟାଫ୍ ଓ ଓଡ୍ରାଫ୍ ଟିମ୍। ସୂଚନା ଅନୁସାରେ, ଯୁବକ ଜଣକ ଗତ ଦୁଇ ଦିନ ଧରି ନିଖୋଜ ଥିବାରୁ ପରିବାର ଲୋକେ ଚିନ୍ତାରେ ଥିଲେ। ତାଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଥିଲା। ଏହି ସମୟରେ ଯୁବକଙ୍କ ସନ୍ଧାନ ମିଳିବା ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଟିମ୍ ଓ ବାଲିପାଟଣା ମେଡିକାଲ ଷ୍ଟାଫ୍ ତତ୍ପରତା ଦେଖାଇଥିଲେ। ଅତ୍ୟନ୍ତ ସତର୍କତାର ସହ ଉଦ୍ଧାର କାର୍ଯ୍ୟ କରି ଯୁବକଙ୍କୁ ନିରାପଦ ସ୍ଥାନକୁ ଅଣାଯାଇଥିଲା। ପରେ ତାଙ୍କୁ ଆବଶ୍ୟକ ଚିକିତ୍ସା ଓ ସହାୟତା ପାଇଁ ମେଡିକାଲ ଟିମ୍ ହସ୍ତାନ୍ତର କରିଥିଲା। ଦୁଇ ଦିନ ଧରି ନିଖୋଜ ଥିବା ଯୁବକଙ୍କୁ ଏଭଳି ସଙ୍କଟପୂର୍ଣ୍ଣ ସମୟରେ ଉଦ୍ଧାର କରି ବାଲିପାଟଣା ମେଡିକାଲ ଷ୍ଟାଫ୍ ଓ ଓଡ୍ରାଫ୍ ଟିମ୍ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନଙ୍କର ତତ୍ପରତା ଓ ସାହସିକ ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି। ସଙ୍କଟ ସମୟରେ ସେବା ଓ ସାହସର ପରିଚୟ ଦେଇ ଦୁଇ ଦିନ ଧରି ନିଖୋଜ ଯୁବକଙ୍କୁ ନୂଆ ଜୀବନର ଆଶା ଦେଇଛନ୍ତି ବାଲିପାଟଣା ମେଡିକାଲ ଷ୍ଟାଫ୍ ଓ ଓଡ୍ରାଫ୍ ଟିମ୍।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଭଦ୍ରକ ଆରଡି–ତିନିତର ରାସ୍ତାରେ ବନ୍ୟାର ଭୟଙ୍କର ରୂପ
ଭଦ୍ରକ ଆରଡି–ତିନିତର ରାସ୍ତାରେ ବନ୍ୟାଜଳର ପ୍ରଖର ସ୍ରୋତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ରାସ୍ତା ଉପରେ ବହୁଥିବା ଉଗ୍ର ବନ୍ୟାସ୍ରୋତରେ ଜଣେ ବ୍ୟକ୍ତି ଭାସିଯାଉଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଘଟଣାର ଚିତ୍ର ଦେଖିଲେ ବନ୍ୟାଜଳର ଭୟାବହତା ସ୍ପଷ୍ଟ ବାରି ହେଉଛି। ପ୍ରଖର ସ୍ରୋତ ଥିବା ସମୟରେ ରାସ୍ତା ପାର ହେବା ଅତ୍ୟନ୍ତ ବିପଦଜନକ। ତେଣୁ ସମସ୍ତଙ୍କୁ ଅନୁରୋଧ—ଜୀବନକୁ ବିପଦରେ ପକାଇ ବନ୍ୟାଜଳ ମଧ୍ୟରେ ରାସ୍ତା ପାର ହୁଅନ୍ତୁ ନାହିଁ। ଆରଡି–ତିନିତର ରାସ୍ତାରେ ବନ୍ୟାର ଭୟଙ୍କର ରୂପ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବୀଦାସ ମହାରାଜଙ୍କ ୬୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ କଳାହାଣ୍ଡି ବିଜେପି ପକ୍ଷରୁ ବିଶାଳ କଳସ ଶୋଭାଯାତ୍ରା ଓ ମଣ୍ଡଳସ୍ତରୀୟ କଳସ ବିତରଣ
ଭବାନୀପାଟଣା, କଳାହାଣ୍ଡି: ସମତା, ସାମାଜିକ ସମରସତା, ଭାଇଚାରା ଓ ମାନବିକତାର ମହାନ ବାର୍ତ୍ତା ପ୍ରଚାର କରିଥିବା ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବୀଦାସ ମହାରାଜଙ୍କ ୬୫୦ତମ ଜନ୍ମଜୟନ୍ତୀକୁ ଅବିସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଏକ ଭବ୍ୟ କଳସ ଶୋଭାଯାତ୍ରା ଓ ସମସ୍ତ ମଣ୍ଡଳକୁ ପବିତ୍ର କଳସ ବିତରଣ କାର୍ଯ୍ୟକ୍ରମ ଭବାନୀପାଟଣାରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ଦୁର୍ଗାଙ୍କ ତତ୍ତ୍ୱାବଧାନରେ ପୁରୁଣାପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରଠାରୁ ଏହି ଭବ୍ୟ କଳସ ଶୋଭାଯାତ୍ରା ଆରମ୍ଭ ହୋଇ ଟାଉନ ହଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ଶୋଭାଯାତ୍ରାରେ ସନ୍ଥ ରବୀଦାସ ମହାରାଜଙ୍କ ପବିତ୍ର ବାଣୀ ଓ ଆଦର୍ଶର ଜୟଗାନ ସହିତ ଭକ୍ତି ଓ ସମରସତାର ଏକ ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ଟାଉନ ହଲ୍ ପରିସରରେ ଆୟୋଜିତ ସଭାରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ବାଇଧର ମଲ୍ଲିକ ଯୋଗଦେଇ ସନ୍ଥ ଶିରୋମଣି ଶ୍ରୀ ରବୀଦାସ ମହାରାଜଙ୍କ ମହାନ ଜୀବନ, ସମାଜ ପ୍ରତି ତାଙ୍କର ଅବଦାନ ଏବଂ ସମତା ଓ ସାମାଜିକ ସମରସତାର ବିଚାରଧାରା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସନ୍ଥ ରବୀଦାସଙ୍କ ବାଣୀ କେବଳ ଏକ ନିର୍ଦ୍ଦିଷ୍ଟ ସମାଜ ପାଇଁ ନୁହେଁ; ଏହା ସମଗ୍ର ମାନବ ସମାଜ ପାଇଁ ଏକ ମହାନ ଜୀବନଦର୍ଶନ। ଜାତି, ବର୍ଣ୍ଣ ଓ ଭେଦଭାବର ଊର୍ଦ୍ଧ୍ୱରେ ଉଠି ପ୍ରେମ, ସମାନତା ଓ ଭାଇଚାରାରେ ଏକ ସୁନ୍ଦର ସମାଜ ଗଠନ କରିବା ହିଁ ତାଙ୍କର ମହାନ ସନ୍ଦେଶ ଥିଲା। ଏହି ସଭାରେ ରାଜ୍ୟ ଉପସଭାପତି ଶ୍ରୀ ଭବେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ନମିତା ରାଣୀ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହିମାଂଶୁ ପଣ୍ଡା, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ବିଷ୍ଣୁ ନାଏକ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ମନୀନଜର ଆର୍ଯ୍ୟ, ରାଜ୍ୟ ସମ୍ପାଦକ ଶ୍ରୀ ହରିହର ମହାନଦ, ଶ୍ରୀ ଅର୍ପ୍ରେସ ସ୍ୱାଇଁ, ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ କାଞ୍ଚନ ବାଗ, ପୂର୍ବତନ ବିଧାୟକ ଶ୍ରୀ ଅନାମ ନାଏକଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ସନ୍ଥ ରବୀଦାସ ମହାରାଜଙ୍କ ମହାନ ବିଚାରଧାରା ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ମଣ୍ଡଳର ସଭାପତି ଓ ପ୍ରଭାରୀ, ଜିଲ୍ଲା ପଦାଧିକାରୀ ଏବଂ ସମସ୍ତ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ ନେତୃତ୍ୱ ଉପସ୍ଥିତ ରହିଥିଲେ। ପରେ ସନ୍ଥ ରବୀଦାସ ମହାରାଜଙ୍କ ଜନ୍ମଭୂମିରୁ ଆସିଥିବା ପବିତ୍ର କଳସଗୁଡ଼ିକୁ ଜିଲ୍ଲାର ବିଭିନ୍ନ ମଣ୍ଡଳକୁ ଶ୍ରଦ୍ଧା ଓ ଭକ୍ତିର ସହିତ ବିତରଣ କରାଯାଇଥିଲା। ଏହି ପବିତ୍ର କଳସକୁ ସ୍ୱାଗତ କରିବା ପାଇଁ ମାର୍ଗର ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ଜନସାଧାରଣ ଶ୍ରଦ୍ଧାର ସହ କଳସକୁ ସ୍ୱାଗତ କରିବା ସହ ସନ୍ଥଙ୍କ ମହାନ ବାଣୀ ଓ ବିଚାରଧାରା ପ୍ରତି ନିଜର ସମ୍ମାନ ପ୍ରକାଶ କରିଥିଲେ। ସନ୍ଥଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କର ମହାନ ବାଣୀ ଓ ମାନବତାବାଦୀ ବିଚାରକୁ ଜନଜନଙ୍କ ନିକଟରେ ପହଞ୍ଚାଇବାର ଏହି ପ୍ରୟାସକୁ ସାଧାରଣ ଜନତା ବ୍ୟାପକ ଭାବେ ପ୍ରଶଂସା କରିଛନ୍ତି। ଏହି ଆୟୋଜନ କେବଳ ଏକ ଉତ୍ସବ ନୁହେଁ, ବରଂ ସମତା, ସମରସତା ଓ ମାନବିକତାର ମହାନ ସନ୍ଦେଶକୁ ଘରେ ଘରେ ପହଞ୍ଚାଇବାର ଏକ ପବିତ୍ର ସଙ୍କଳ୍ପ ବୋଲି ମତ ପ୍ରକାଶ ପାଇଛି।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

Floodwater Released from Lower Indra Dam Tikhali as Water Level Rises
One Gate Opened to Discharge 90 Cusecs; Reservoir Water Level Stands at 263.50 Metres Nuapada, August 18: Floodwater is being released from the Tikhaly Lower Indra Irrigation Project in Khariar block of Nuapada district for the second time this season, following a rise in the reservoir’s water level amid continued rainfall. Keeping in view the possibility of another spell of low-pressure-induced rainfall on August 19, the authorities have opened one gate of the dam as a precautionary measure to regulate the reservoir level and maintain adequate storage capacity. At present, around 90 cusecs of water is being discharged through the open gate, while an estimated 150–160 cusecs of rainwater is flowing into the reservoir. The maximum water-holding level of Tikhaly Dam is 265.50 metres, while the current water level stands at approximately 263.50 metres. Officials are closely monitoring the inflow and the reservoir level to prevent excessive accumulation of water and minimise the possibility of a flood situation in downstream areas. Additional gates may be opened if required, depending on the inflow and prevailing weather conditions. The dam witnessed its first floodwater discharge of the season on July 27. As the water level increased further, five gates were opened on July 29 to release excess water. Superintending Engineer Saumya Ranjan Jaypuria said that the department is keeping a continuous watch on the water level and inflow and is taking all necessary precautionary measures to prevent any flood-like situation. The authorities have assured that the situation is being closely monitored and water will be released through additional gates whenever necessary to maintain the reservoir at a safe level.
Nuapada (ନୂଆପଡ଼ା) • Reports: Malaya Meher, DC

Two Drivers Seriously Injured in Head-On Collision Near Haripur
Komna, Nuapada: A serious road accident took place on Tuesday near Haripur under Komna block of Nuapada district, on National Highway-353. A Swift Dzire car and a Tata Ace (“Chhota Hathi”) collided head-on, leaving both drivers seriously injured. According to information, the Swift Dzire reportedly belongs to a medicine shop owner from Khariar. The Tata Ace, on the other hand, is said to be from the Kantabanji area. The impact of the collision left the Tata Ace driver with a fractured leg. He was rescued and immediately shifted to the Komna Community Health Centre for treatment. The driver of the Swift Dzire also sustained serious injuries and was subsequently taken to Mission Hospital in Khariar for medical treatment. Following the accident, Komna Police reached the spot and inspected both vehicles. Police have initiated an investigation to ascertain the exact circumstances that led to the head-on collision. The precise cause of the accident is yet to be established, and further investigation by the police is underway.
Nuapada (ନୂଆପଡ଼ା) • Report: Malaya Meher, DC
