ଚିକିଟି ପ୍ରେସ୍ କ୍ଲବ ତରଫରୁ ଗଣମାଧ୍ୟମ କର୍ମୀଙ୍କ ଆଲୋଚନା ସଭା : ସାମ୍ବାଦିକଙ୍କ ସୁରକ୍ଷା, ମଙ୍ଗଳ ଓ ସାମାଜିକ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା
Ganjam (ଗଞ୍ଜାମ)ଦୁର୍ଗା ମାଧବAugust 22, 202658 views

ଚିକିଟି, ୨୨/୮: ଚିକିଟି ପ୍ରେସ୍ କ୍ଲବ ଅନୁବନ୍ଧିତ ଡିଜିଟାଲ ଓ ପ୍ରିଣ୍ଟ ମିଡିଆ ସଂଘର ଏକ ବୈଠକ ଚିକିଟିଗଡ଼ସ୍ଥିତ ଜମ୍ଭେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିଟି ଅଞ୍ଚଳର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନେ ଯୋଗଦେଇଥିଲେ।
ବୈଠକରେ ସାମ୍ବାଦିକତା କ୍ଷେତ୍ରର ବିଭିନ୍ନ ସମସ୍ୟା, ସୁବିଧା-ଅସୁବିଧା, ସାମ୍ବାଦିକଙ୍କ ସୁରକ୍ଷା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ପଞ୍ଜିକୃତ ସଂସ୍ଥା ଚିକିଟି ପ୍ରେସ୍ କ୍ଲବ (ସିପିସି) ଅଧୀନରେ ନୂତନ ଭାବେ ଗଠିତ ଚିକିଟି ଡିଜିଟାଲ ଓ ପ୍ରିଣ୍ଟ ମିଡିଆ ସଂଘକୁ ଅନୁବନ୍ଧିତ କରିବା ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା।
ସାମ୍ବାଦିକମାନେ ନିରପେକ୍ଷ ଭାବେ ଜନସାଧାରଣଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନର ଦୃଷ୍ଟିକୁ ଆଣୁଥିବା ବେଳେ ସେମାନଙ୍କ ନିଜସ୍ୱ ସମସ୍ୟା ଓ ସୁରକ୍ଷା ପ୍ରତି ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ସାମ୍ବାଦିକମାନଙ୍କ ମଙ୍ଗଳ, ସୁରକ୍ଷା, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟସେବା, ବୀମା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କିତ ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ଏହାର ସମାଧାନ ପାଇଁ ଦୃଢ଼ ଦାବି ଜଣାଇବାକୁ ସମସ୍ତ ସାମ୍ବାଦିକ ଏକମତ ହୋଇଥିଲେ।
ବୈଠକରେ ସଭାପତି ନିଗମାନନ୍ଦ ପଣ୍ଡା, (ହିମ୍ମତ, ତୀର୍ଥ କ୍ଷେତ୍ର)ଉପସଭାପତି ଦୀପକ କୁମାର ଚୌଧୁରୀ, (ପ୍ରବାହ)ସମ୍ପାଦକ ଅରୁଣ କୁମାର ପଣ୍ଡା,(ଚେତନା )ସହ ସଂପାଦକ ଦୁର୍ଗା ମାଧବ ମହାରଣା,(ସୃଷ୍ଟି ନିଉସ, ଅଭିନନ୍ଦନ)ନରସିଂହ ବେହେରା,(ଓଡ଼ିଶା ଦର୍ପଣ)ରତିକାନ୍ତ ପାଢ଼ୀ,(ହୀରାଞ୍ଚଳ)କୃଷ୍ଣ ପ୍ରସାଦ ପାଢ଼ୀ,(ସମାଲୋଚନା)ରୁପାଲୀ ମହାନ୍ତି,(ସ୍ଵରାଜ୍ୟ)ଶୁଭେନ୍ଦୁ ଶତପଥୀ,(ଆରୋପ)ପ୍ରକାଶ ଚନ୍ଦ୍ର ସାହୁ,(ଧରିତ୍ରୀ ଶ୍ରୀବତ୍ସ ସାହୁ(ଭଞ୍ଜଦୂତ)ମାନସ ରଂଜନ ପାଢ଼ୀ (ଉତ୍କଳ ସମାଜ)ଚିକିଟି ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଚିକିଟି ପ୍ରେସ କ୍ଲବ୍ ର ଟ୍ରଷ୍ଟି ତଥା ଉପଦେଷ୍ଟା ଦ୍ବୟ ବିଭୁଧେନ୍ଦ୍ର ପାଢ଼ୀ ଏବଂ ଅର୍ଜୁନ ପଣ୍ଡା ସଠିକ୍ ଦିଗଦର୍ଶନ ଦେବା ସହିତ ସେବା ମନୋଭାବ ନେଇ ସାମ୍ବାଦିକତା କାର୍ଯ୍ୟ କଲେ ନିଜେ ଶୃଙ୍ଖଳା,ସହିଷ୍ଣୁତା ଓ ଶାଳୀନତା ଅଭ୍ୟାସ କରିବାକୁ ହେବ ବୋଲି ଉପଦେଶ ଦେଇଥିଲେ। ସେମାନଙ୍କ ଦୀର୍ଘ ସାମ୍ବାଦିକତା ଜୀବନର ଅନୁଭୂତିରୁ କିଛି କିଛି ଅବତାରଣା କରି ସାଙ୍ଗଠନିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଇଥିଲେ।
ଏଥିସହ ଚିକିଟି ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ଗୁରୁତ୍ୱର ସହ ଉଠାଇ ଲୋକଙ୍କ ସ୍ୱରକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ଜନସ୍ୱାର୍ଥ ଜନିତ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବାକୁ ଶପଥ ଗ୍ରହଣ କରିଥିଲେ।
ଶେଷରେ ରତିକାନ୍ତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
