ସାହିତ୍ୟର ମହାମିଳନ ପାଇଁ ପ୍ରସ୍ତୁତି: ସିନାପାଲିରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
Nuapada (ନୂଆପଡ଼ା)ରିପୋର୍ଟ: ମଳୟ ମେହେର, ଜିଲ୍ଲା ପ୍ରତିନିଧିAugust 22, 202641 views

ସିନାପାଲି: ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ ପ୍ରତିଭା, ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ସ୍ମୃତି ଓ ସାହିତ୍ୟକୃତିକୁ ଜନମାନସରେ ଅଧିକ ପ୍ରସାର କରିବା ଲକ୍ଷ୍ୟରେ ସିନାପାଲିରେ ଆୟୋଜିତ ହେବାକୁ ଯାଉଛି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ସାରସ୍ୱତ ସମିତି, ସିନାପାଲିର ମିଳିତ ସହଯୋଗରେ ଆସନ୍ତା ୨୮ ଅଗଷ୍ଟ ୨୦୨୬, ଶୁକ୍ରବାର ଦିନ ସିନାପାଲିସ୍ଥିତ ଶ୍ରୀଜଗନ୍ନାଥ ମଣ୍ଡପରେ ଏହି ସାରସ୍ୱତ ସମାରୋହ ଅନୁଷ୍ଠିତ ହେବ।
କାର୍ଯ୍ୟକ୍ରମରେ ସାହିତ୍ୟିକ, କବି, ଗବେଷକ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀଙ୍କ ସମାଗମ ହେବା ସହ ଗଙ୍ଗାଧର ମେହେରଙ୍କ ଜୀବନ, ସାହିତ୍ୟ ସାଧନା ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ଅବଦାନ ଉପରେ ଆଲୋଚନା ହେବ। ଏଥିସହ ସାରସ୍ୱତ ସାଧନାକୁ ସମ୍ମାନ ଜଣାଇବା ସହ ବିଭିନ୍ନ ସାହିତ୍ୟିକ ପ୍ରତିଭାଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି।
ଆୟୋଜକଙ୍କ ସୂଚନା ଅନୁଯାୟୀ, ମୁଖ୍ୟଅତିଥି ଭାବେ ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବେ ପ୍ରଥିତଯଶା କବି ତଥା ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ଓ ପଦ୍ମଶ୍ରୀ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା କଳାବିକାଶ କେନ୍ଦ୍ର, କଟକର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, ସଭାମୁଖ୍ୟ ଭାବେ ସିନାପାଲିର ବରିଷ୍ଠ ଆଇନଜୀବୀ ଶ୍ରୀ ବୈଶମ୍ପାୟନ ମେହେର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଗଙ୍ଗାଧର ମେହେରଙ୍କ ସାହିତ୍ୟ କେବଳ ଓଡ଼ିଆ ଭାଷାର ଗୌରବ ନୁହେଁ, ଏହା ଓଡ଼ିଆ ଜାତିର ସାଂସ୍କୃତିକ ଚେତନାର ଏକ ଅମୂଲ୍ୟ ଅଧ୍ୟାୟ। ତେଣୁ ତାଙ୍କ ଜୟନ୍ତୀ ଅବସରରେ ସିନାପାଲିରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହକୁ ନେଇ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ସାହିତ୍ୟପ୍ରେମୀ, କବି, ଲେଖକ ଓ ବୁଦ୍ଧିଜୀବୀଙ୍କୁ ଏହି ସାରସ୍ୱତ ମହାମିଳନରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି।
