Web News

ଗଜାନନ ଙ୍କ ବଡପୂଜାରେ ୫ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ସାମୂହିକ ପ୍ରସାଦ ସେବନ
ଢେ଼ଙ୍କାନାଳ ୧୮.୯- ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ଗତ ସୋମବାର ଠାରୁ ୨୧ ଟି ପୂଜା ମଣ୍ଡପରେ ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହୋଇଛି । ଫ୍ରେଣ୍ଡସିପ କ୍ଲବ୍ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ହାଇସ୍କୁଲ ପଡ଼ିଆରେ ବୃନ୍ଦାବନ ପ୍ରେମ ମନ୍ଦିର ର ଅବିକଳ ନକଲ କରି ରାଧାକୃଷ୍ଣ ଙ୍କ ସମେତ ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ପୂଜା କରୁଛି । ଶୁକ୍ରବାର ପଞ୍ଚମ ଦିନରେ ପ୍ରଭୁ ଗଜାନନ ଙ୍କ ର ବଡପୂଜା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ସାମୂହିକ ପ୍ରସାଦ ସେବନ କରିଥିଲେ। ଫ୍ରେଣ୍ଡସିପ କ୍ଲବ୍ ର ସଭାପତି ଜୀବନ ଜ୍ୟୋତି ପୃଷ୍ଟି ଙ୍କ ତତ୍ତ୍ଵାବଧାନରେ ଚିନ୍ମୟ କୁମାର ପୃଷ୍ଟି,ଗୋପାଳ ନାୟକ,ଦିନେଶ ଦାସ,ସୁବ୍ରତ କୁମାର ସାହୁ,ମୁନା ନାୟକ,ଆଶିଷ କୁମାର ଦାଶ,ଅଜୟ ପୃଷ୍ଟି,ବୁନୁ ସାହୁ , ଶ୍ରୀକାନ୍ତ ବେହେରା, ସ୍ୱର୍ଣ୍ଣ ରଞ୍ଜନ ପୃଷ୍ଟି,ବିକାଶ ସାଥୁଆ ମହାପାତ୍ର ଙ୍କ ସମେତ କ୍ଲବ୍ ର ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ସମୟରେ ଆଳତି ଦେଖିବାକୁ ପ୍ରବଳ ଜନ ସମାଗମ ହେଉଛି । ଅପରାହ୍ନ ୫ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପ୍ରବଳ ଭିଡ ଲାଗି ରହୁଛି । ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ଙ୍କ ତତ୍ତ୍ଵାବଧାନରେ ପୋଲିସ କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ କରୁଛନ୍ତି ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ, ପଶ୍ଚିମାଞ୍ଚଳ ଶାଖା ଦ୍ୱାରା ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ ଆସନ୍ତା ୧୧ ରୁ ୧୫
ରାଉରକେଲା: ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ ର ପଶ୍ଚିମାଞ୍ଚଳ ଶାଖା ଦ୍ୱାରା ଶ୍ରୀଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ ପାଇଁ ଉଦିତନଗର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଏକ ବୈଠକ ପରିଷଦ ର ସଭ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ସଭାପତି ତ୍ରିନାଥ ଦାଶ ମୋହିନୀ ଅଧ୍ୟକ୍ଷତା କରିଥିଲେ । ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ନଭେମ୍ବର ମାସ ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମ ୫ ଦିନ ବ୍ୟାପୀ ଉଦିତନଗର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରେ ପାରାୟଣ , ଯଜ୍ଞ ଏବଂ ପ୍ରବଚନ ଇତ୍ୟାଦି ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରବଚନ ପ୍ରଦାନ କରିବା ପାଇଁ ବାବା ସତ୍ୟାନନ୍ଦ ଦାସ ମହାରାଜ ସମ୍ମତି ପ୍ରଦାନ କରିଛନ୍ତି। ଉକ୍ତ ବୈଠକରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବରିଷ୍ଠ ସଭ୍ୟ ତଥା ସମାଜସେବୀ ହରିହର ରାଉତରାୟ ଙ୍କୁ କମିଟି ମୁଖ୍ୟ ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକ ରେ ସର୍ବଶ୍ରୀ ଦିଲୀପ କୁମାର କର, ଯଜ୍ଞ ନାରାୟଣ ପାଢ଼ୀ,ମଧୁସୂଦନ ମହାପାତ୍ର, ସୂର୍ଯ୍ୟମଣି ବେହେରା, ସୁବାସ ପାତ୍ର, ସୁନାକର ନାୟକ, ବଦ୍ରୀ ନାରାୟଣ ପାଢ଼ୀ, ରୁଦ୍ର ନାରାୟଣ ସ୍ୱାଇଁ, ରମେଶ ନାୟକ,ପ୍ରେମଚାନ୍ଦ ପଶାୟତ ପ୍ରମୁଖଙ୍କ ସମେତ ପରିଷଦ ର ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ନୀଳାଚଳ ଯୁବ ପରିଷଦର ଶ୍ରୀ ଗଣେଶ ପୂଜା ସମ୍ପନ୍ନ
ରାଉରକେଲା: କୋଏଲ ନଗର ସି ବ୍ଲକ ସ୍ଥିତ ନୀଳାଚଳ ଯୁବ ପରିଷଦର ୪ ଦିନ ଧରି ଚାଲିଥିବା ଶ୍ରୀଗଣେଶଙ୍କ ପୂଜା ମହାସମାରୋହରେ ସମ୍ପନ୍ନ ହୋଇଛି। ୧୪ ତାରିଖ ଦିନ କଳସ ଯାତ୍ରା ଓ ପୂଜାରମ୍ଭ,୧୫ ତାରିଖ ଦିନ ଭଗବତ ଚର୍ଚ୍ଚା,୧୬ ତାରିଖ ଦିନ କନିଷ୍ଠ ଓ ବରିଷ୍ଠ ବିଭାଗରେ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା,୧୭ ତାରିଖ ଦିନ ସହସ୍ର ଦୀପ ଦାନ ଓ ପୁରସ୍କାର ବିତରଣ ଉତ୍ସବ ତଥା ଆଜି ପ୍ରସାଦ ସେବନ ସହ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଥିଲା। ତେବେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସମାଜସେବୀ ବିରେନ୍ ସେନାପତି ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଉଭୟ ଅତିଥି ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସଂସ୍କୃତି, ପରମ୍ପରାକୁ ବଜାୟ ରଖି ଆଗାମୀ ପିଢ଼ି ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ ସାଧୁବାଦ ଦେଇଥିଲେ। ରୁଦ୍ରପ୍ରସନ୍ନ ସାମଲ ଙ୍କ ସଂଯୋଜନା, ସଭାପତି ନମ୍ରତା ମହାରଣା, ସମ୍ପାଦକ ପ୍ରିୟଦର୍ଶିନୀ ମହାରଣାଙ୍କ ଆବାହକତ୍ୱ ରେ ସର୍ବଶ୍ରୀ ରାଜେଶ ମହାରଣା, ବିନୋଦ ମହାରଣା, ଦେବଦତ୍ତ ସାହୁ ଙ୍କ ସମେତ ଅପର୍ଣ୍ଣା,ନିକିତା,ବିନିତା, ପ୍ରିୟାଂଶୁ, ପ୍ରଭାତ, ଆଦିତ୍ୟ, ମିତ୍ରଭାନୁ, ସସ୍ମିତା, ବିଜୟଲକ୍ଷ୍ମୀ, ସନ୍ତୋଷିନୀ, ଦୀପିକା, କ୍ରିଷ୍ଣା ପ୍ରମୁଖ ସହଯୋଗ କରିଥିଲାବେଳେ ପୂଜକ ଭାବେ କୈବଲ୍ୟ ମିଶ୍ର ଓ ଯତୀନ ମିଶ୍ର ଦାୟିତ୍ୱ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

କୃଷି ଋଣ ଖାତାରୁ ୧୩,୧୯୯ ଟଙ୍କା ଡେବିଟ୍ ଅଭିଯୋଗ
ଦୋବଲ ଏସ୍ବିଆଇ ଶାଖା ବିରୋଧରେ ଥାନାରେ ଅଭିଯୋଗ ଧାମନଗର, ୧୮।୯: କୃଷି ଋଣ ଖାତାରୁ ତାଙ୍କ ସମ୍ମତି ବିନା ୧୩,୧୯୯ ଟଙ୍କା ଡେବିଟ୍ ହୋଇଥିବା ଅଭିଯୋଗ କରିଛନ୍ତି ରାଧାବଲ୍ଲଭପୁର ଗ୍ରାମର ସଞ୍ଜୀବ କୁମାର ମହାନ୍ତି। ଏନେଇ ସେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ ସହ ଟଙ୍କା ଫେରସ୍ତ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ, ସଞ୍ଜୀବ କୃଷି ଋଣ ପାଇଁ ଦୋବଲ ଏସ୍ବିଆଇ ଶାଖାରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ପରେ ତାଙ୍କ ନାମରେ ଏକ କୃଷି ଋଣ ଖାତା ଖୋଲାଯାଇଥିଲା। ତେବେ ଗତ ଅଗଷ୍ଟ ୧୯ ତାରିଖରେ ତାଙ୍କ ଅଜାଣତରେ ଉକ୍ତ ଖାତାରୁ ୧୩,୧୯୯ ଟଙ୍କା ଡେବିଟ୍ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏହି ଟଙ୍କା କେଉଁ କାରଣରେ ଡେବିଟ୍ ହେଲା ଏବଂ କେଉଁ ଖାତାକୁ ଟଙ୍କା ଯାଇଛି, ସେ ସମ୍ପର୍କରେ ତାଙ୍କୁ ସ୍ପଷ୍ଟ ସୂଚନା ମିଳିନଥିବା ସଞ୍ଜୀବ ଅଭିଯୋଗରେ ଦର୍ଶାଇଛନ୍ତି। ଟଙ୍କା ଫେରସ୍ତ ଓ ଡେବିଟ୍ର କାରଣ ଜାଣିବା ପାଇଁ ସେ ବ୍ୟାଙ୍କ ଶାଖାକୁ ଯାଇଥିଲେ ମଧ୍ୟ ସମାଧାନ ହୋଇନଥିବା ସେ ଅଭିଯୋଗ କରିଛନ୍ତି। ଏହି ଟଙ୍କା କିପରି ଡେବିଟ୍ ହେଲା, କାହା ନିର୍ଦ୍ଦେଶରେ ହେଲା ଏବଂ ଟଙ୍କା କେଉଁ ଖାତାକୁ ଯାଇଛି, ତାହାର ତଦନ୍ତ କରାଯାଇ ଟଙ୍କା ଫେରସ୍ତ କରାଯାଉ ବୋଲି ସଞ୍ଜୀବ ଦାବି କରିଛନ୍ତି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ସାରମସିଲିରେ ସାମୂହିକ ନୂଆଁଖାଇ ଓ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ
ଝାରବନ୍ଧ -ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସାରମସିଲି ଗ୍ରାମର ମଝିପଡ଼ାରେ ସାମୂହିକ ଭାବେ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି। ଗ୍ରାମବାସୀ ଏକାଠି ହୋଇ ଚଳିତବର୍ଷ ମଝିପଡ଼ାରେ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲେ। ନୂଆଁଖାଇ ହେଉଛି ନୂଆ ଧାନକୁ ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିବା ପରେ ପରିବାର ଓ ସମାଜ ସହ ଏକାଠି ନବାନ୍ନ ଭୋଜନ କରିବାର ପରମ୍ପରା। ଏହି ପର୍ବ ଚାଷୀଙ୍କ ଜୀବନ, କୃଷି ଓ ମାଟି ସହ ଜଡ଼ିତ ଥିବାରୁ ପଶ୍ଚିମ ଓଡ଼ିଶାରେ ଏହାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ସାରମସିଲି ମଝିପଡ଼ାରେ ଆୟୋଜିତ ସାମୂହିକ ନୂଆଁଖାଇରେ ମଝି ପଡ଼ାର ବୟସ୍କଙ୍କଠାରୁ ଆରମ୍ଭ କରି ଯୁବକ, ମହିଳା ଓ ଶିଶୁମାନେ ଉତ୍ସାହର ସହ ସାମିଲ ହୋଇଥିଲେ। ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇବା ସହ ପାରମ୍ପରିକ ନବାନ୍ନ ଭୋଜନକୁ ନେଇ ସମସ୍ତଙ୍କ ମଧ୍ୟରେ ବିଶେଷ ଆନନ୍ଦ ପରିଲକ୍ଷିତ ହୋଇଥିଲା। ସାମୂହିକ ନୂଆଁଖାଇ ମାଧ୍ୟମରେ ଗ୍ରାମର ଭାଇଚାରା, ସାମାଜିକ ଏକତା ଓ ପରସ୍ପର ସହଯୋଗର ଭାବନା ଆହୁରି ମଜବୁତ ହୋଇଛି। ଏହି ଅବସରରେ ମଝିପଡ଼ାର ଗ୍ରାମବାସୀ ସହଦେବ ସାହୁ, ଗିରଧାରୀ ସାହୁ, ପରମାନନ୍ଦ ସାହୁ, ସୂରିତ ସାହୁ, ଦିଲ୍ଲୀପ ସାହୁ, ଦୀନବନ୍ଧୁ ସାହୁ, ଗୋବର୍ଦ୍ଧନ ସାହୁ, ଗର୍ଜନ ସାହୁ, ରିଖିରାମ ଶତନାମୀ ସହ ପ୍ରମୁଖ ଉପସ୍ଥିତ ଥିଲେ। ନିମନ୍ତ୍ରିତ ଅତିଥି ଭାବେ ବିଜେପି ଜଗଦଲପୁର ମଣ୍ଡଳ ସଭାପତି କ୍ଷୀରସାଗର ସାହୁ, ପଦ୍ମନ ରଣା, ହରେକୃଷ୍ଣ ପଟେଲ, ମଦନ ପଟେଲ, ସତ୍ୟମ ପ୍ରଧାନ, ଗଣେଶ ସାହୁ, ତୁଳସୀ ସାହୁ, ପ୍ରଦ୍ୟୁମ୍ନ ସାହୁ ଯୋଗଦେଇ ନୂଆ ପିଢ଼ିକୁ ନିଜ ମାଟି, ପରମ୍ପରା ଓ ସଂସ୍କୃତି ସହ ଯୋଡ଼ି ରଖିବାକୁ ଆହ୍ୱାନ ଦେଇଥିଲେ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଲୋକକଳା ଓ ସଂସ୍କୃତିର ଝଲକ ସାଙ୍ଗକୁ ଭାଇଚାରାର ବାର୍ତ୍ତା
ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବରମୁଣ୍ଡା ଗ୍ରାମରେ ଆୟୋଜିତ ‘ନୂଆଁଖାଇ ଭେଟ୍ଘାଟ୍-୨୦୨୬’ ତିନିଦିନ ଧରି ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ପ୍ରବନ୍ଧ, ରସିଘିଚା, ମ୍ୟୁଜିକ ଚେୟାର, ରଙ୍ଗୋଲି, କ୍ୟାରମ ଓ ଚିତ୍ରାଙ୍କନ ଭଳି ପ୍ରତିଯୋଗିତାରେ ଗ୍ରାମର ଯୁବକଯୁବତୀ ଓ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇଥିଲେ। ବିଜେପୁର ବ୍ଲକ ଚେୟାରମ୍ୟାନ ଜୟକୃଷ୍ଣ ଡନସେନା ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବାବେଳେ ଗୌନ୍ତିଆ ଚନ୍ଦ୍ରଗୁପ୍ତ ନାଏକଙ୍କ ସଭାପତିତ୍ୱରେ ସାଧାରଣ ସଭାରେ ରିତା ସାହୁ ଯୋଗଦାନ କରିଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇଙ୍କ ସମେତ ବିଭିନ୍ନ ଜନପ୍ରତିନିଧି, ବୁଦ୍ଧିଜୀବୀ, ଚାଷୀ ଓ କଳାକାର ଉପସ୍ଥିତ ଥିଲେ।ସମାଜସେବା ଓ ଗ୍ରାମର ପୂଜାର୍ଚ୍ଚନା କ୍ଷେତ୍ରରେ ଅବଦାନ ପାଇଁ ସ୍ୱର୍ଗତ ରୋହିତାସ୍ଵ ମାଝୀଙ୍କୁ ମରଣୋତ୍ତର ଭାବେ ‘ଅମୂଲ୍ୟ ରତନ ବରମୁଣ୍ଡା’ ସମ୍ମାନ ପ୍ରଦାନ କରାଯାଇଥିଲା।ସନ୍ଧ୍ୟାରେ ଗ୍ରାମର ଛାତ୍ରଛାତ୍ରୀଙ୍କ ଲୋକନୃତ୍ୟ ଓ ସଙ୍ଗୀତ ପରିବେଷଣ ସହ ‘ବୁଢ଼ାରଜା କଳା ପରିଷଦ’ର ଦୁଲ୍ଦୁଲି ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଏହାପରେ ହେମନ୍ତ କୁମାର ପଧାନଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ନାଟକ ‘ସମିଆର୍ ଖେଲ୍’ ମଞ୍ଚସ୍ଥ ହୋଇଥିଲା। ଅନ୍ତିମ ଦିନରେ ଡ. ବୃନ୍ଦାବନ ନାଏକଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ବିଜେପୁର ବିଧାୟକ ସନତ କୁମାର ଗଡତିୟା ଯୋଗଦେଇଥିଲେ। ଏହି ଅବସରରେ ସ୍ୱଚ୍ଛ ପରିବେଶ, ବୃକ୍ଷରୋପଣ ଓ ସମାଜକଲ୍ୟାଣ ଉପରେ ଅତିଥିମାନେ ମତ ରଖିଥିଲେ।ବୃକ୍ଷରୋପଣ, ହସ୍ତତନ୍ତ ଓ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ କନଗାଁର ରାମଚନ୍ଦ୍ର ସାହୁଙ୍କୁ ‘ମିତ୍ ମଏତର’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ପଦ୍ମପୁରର ‘ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ’ର ଦୁଲ୍ଦୁଲି, ମହୁଲପାଲି କଳାକାରଙ୍କ ରାଧାକୃଷ୍ଣ ଲୀଳା ନୃତ୍ୟ ଏବଂ ଶେଷରେ ଗୁରୁଶ୍ରୀ ଜଗନ୍ନାଥ ସେଟ୍ଙ୍କ ନିର୍ଦ୍ଦେଶିତ ନାଟକ ‘ଆଦମ୍ ଖୋର୍’ ପରିବେଷିତ ହୋଇଥିଲା। ନାଟକ ମାଧ୍ୟମରେ ପାରିବାରିକ ସମ୍ପର୍କ ଓ ଲୋଭର ପରିଣାମ ନେଇ ସାମାଜିକ ବାର୍ତ୍ତା ଦିଆ ଯାଇଥିଲା। ଶିକ୍ଷକ ଡୋଲାମଣି ପଧାନ, ବିଭୂତି ଭୂଷଣ ସାହୁ ଓ ଆଶିଷ ପାଧନ ମଞ୍ଚ ପରିଚାଳନା କରିଥିବାବେଳେ ଶେଷଦେବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଶିହିଡିଆରେ ଗଣପତି ୟୁଥ୍ କ୍ଲବ୍ ପକ୍ଷରୁ ଭବ୍ୟ ଗଣେଶ ପୂଜା ଆୟୋଜିତ
ଶିହିଡିଆ: ଶିହିଡିଆ ଗ୍ରାମରେ ଗଣପତି ୟୁଥ୍ କ୍ଲବ୍, ଶିହିଡିଆ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତି ଓ ଉତ୍ସାହର ସହିତ ଶ୍ରୀ ଗଣେଶ ପୂଜା ଆୟୋଜିତ ହୋଇଛି। ଏହି ଅବସରରେ ଆକର୍ଷଣୀୟ ପୂଜା ମଣ୍ଡପ ସଜାଯାଇଥିବା ବେଳେ ଗ୍ରାମବାସୀ ଓ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। ପୂଜା କାର୍ଯ୍ୟକ୍ରମର ଆରମ୍ଭରେ କଳସ ଯାତ୍ରା ଓ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା। ପରେ ବିଧିବିଧାନ ଅନୁଯାୟୀ ଶ୍ରୀ ଗଣେଶଙ୍କ ପୂଜା, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହାସହ ନାମ ସଂକୀର୍ତ୍ତନ, ମେଲୋଡି ଡ୍ୟାନ୍ସ ପ୍ରୋଗ୍ରାମ୍ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ଗଣପତି ୟୁଥ୍ କ୍ଲବ୍ ପକ୍ଷରୁ ପ୍ରତିବର୍ଷ କେବଳ ଧାର୍ମିକ କାର୍ଯ୍ୟ ନୁହେଁ, ବରଂ ରକ୍ତଦାନ ଶିବିର, ବୃକ୍ଷରୋପଣ ଓ ବିଭିନ୍ନ ସେବାମୂଳକ କାର୍ଯ୍ୟ ମଧ୍ୟ କରାଯାଉଛି। ଯୁବପିଢ଼ିଙ୍କୁ ଏକତ୍ରିତ କରି ସମାଜସେବା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବା କ୍ଲବ୍ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କ୍ଲବ୍ ସଦସ୍ୟମାନେ କହିଛନ୍ତି। ପୂଜା ଓ ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଗ୍ରାମବାସୀ, ଯୁବକ ସଂଘର ସମସ୍ତ ସଦସ୍ୟ ଓ ଭକ୍ତମାନଙ୍କର ସହଯୋଗ ରହିଛି। ଶେଷରେ କ୍ଲବ୍ ପକ୍ଷରୁ ସମସ୍ତ ସହଯୋଗୀ, ଶୁଭେଚ୍ଛୁ ଓ ଭକ୍ତମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଯାଇଛି।
Sundargarh (ସୁନ୍ଦରଗଡ଼) • Soumyabrata Dala Behera

ଦିନକୁ ଦିନ ବଢୁଛି ବଣୁଆ ହାତୀଙ୍କ ଉପଦ୍ରବ
ବଣାଇ: ଦିନକୁ ଦିନ ବଣାଇ ବନଖଣ୍ଡ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଆଜି ବଣାଇ ବନଖଣ୍ଡ ଅନ୍ତର୍ଗତ ଭାଙ୍ଗଡିହି ଅଞ୍ଚଳରେ ଏକ ବଣୁଆ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ବଣାଇ ଅଞ୍ଚଳର ବିଭିନ୍ନ ଗ୍ରାମରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗିରହିଛି। ହାତୀମାନେ ଗ୍ରାମ ଭିତରକୁ ପଶି ଚାଷଜମିରେ ଥିବା ଫସଲ ନଷ୍ଟ କରିବା ସହିତ ଘରଦ୍ୱାର ଭାଙ୍ଗି ଦେଉଥିବା ଅଭିଯୋଗ ହେଉଛି। ଫଳରେ ଚାଷୀ ଓ ସାଧାରଣ ଲୋକମାନେ ଆର୍ଥିକ କ୍ଷତି ସହିବା ସହିତ ନିଜ ଜୀବନ ଓ ସମ୍ପତ୍ତିର ସୁରକ୍ଷା ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ହାତୀଙ୍କ ଗତିବିଧି ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ପରିବେଶ ଦେଖାଦେଇଛି। ତେଣୁ ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
Sundargarh (ସୁନ୍ଦରଗଡ଼) • ବଣାଇରୁ : ସୌମ୍ୟ ବ୍ରତ ଦଳବେହେରା

ନିର୍ମାଣଶ୍ରମିକ ସହାୟତାପ୍ରଦାନ ରେ ବ୍ୟାପକ ଜାଲିଆତି କୁ ନେଇ, ଯାଜପୁରଜିଲ୍ଲା ଶ୍ରମକାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା,
ବ୍ୟାସନଗର ଆଜି ତା ୧୮, ୯, ୨୦୨୬ ରିଖ ଯାଜପୁରଜିଲ୍ଲା ଶ୍ରମକାର୍ଯ୍ୟାଳୟ ରେ ବ୍ୟାପକ ଦୁର୍ନୀତି ଓ ସହାୟତା ରାଶି ପ୍ରଦାନ ରେ ଅନିୟମିତତା ପ୍ରତିବାଦ କରି ଶତାଧିକ ନିର୍ମାଣ ଶ୍ରମିକ ହିତାଧିକାରୀ ତୁରନ୍ତ ଅର୍ଥପ୍ରଦାନ ଦାବିରେ ଗଣଧାରଣା ଦେଇଥିଲେ, ଏହାକୁ ସମର୍ଥନ କରି ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଂଘ ସଭାପତି ତଥା ଓ, ଜେ ସି ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଧାରଣା ସ୍ଥଳରେ ପହଂଚିଥିଲେ ଓ ଆୟୋଜିତ ପ୍ରତିବାଦ ସଭାରେ ଭାଷଣ ଦେଇ ଏହି ଶ୍ରମକାର୍ଯ୍ୟାଳୟ ଦଲାଲ ଓ ମାଲିକ ମାନଙ୍କ ହାତରେ ପରିଚାଳିତ ହେବାଦ୍ୱାରା ବହୁ ଶ୍ରମିକ ସାମାଜିକସୁରକ୍ଷା ରୁ ବଂଚିତହେଉଛନ୍ତି, | ଅନେକ ଅଣଶ୍ରମିକ ଅଧିକାରୀମାନଙ୍କୁ ଲାଞ୍ଚ ଦେଇ ନିଜର ନାମ ପଞ୍ଜିକୃତ କରିବା ଘଟଣା କୁ ଶ୍ରୀ ମହାନ୍ତି ଦୃଢ଼ ନିନ୍ଦା କରିଥିଲେ, ପରିସ୍ଥିତି ଉତ୍ତଜନାପୂର୍ଣ୍ଣ ହେବାରୁ ଜିଲ୍ଲାଶ୍ରମଅଧିକାରୀ ସୁଧୀର ସାହୁ ଓ ଅହକାରୀ ଶ୍ରମଅଧିକାରୀ ଅଭିଜିତ ପ୍ରଧାନ ଧାରଣା କାରିଙ୍କ ସହି ଆଲୋଚନା କରି ଆସନ୍ତା ମାସରେ ଦରଖାସ୍ତ କାରୀକୁ ସହାୟତାପ୍ରଦାନ କରାଯିବ ସହ, କୋରାଇ ଓ ବ୍ୟାସନଗର ପାଇଁ ଶ୍ରୀ ପ୍ରଧାନ ନିଯୁକ୍ତ ଅଛନ୍ତି ବୋଲି ଘୋଷଣା କରିଥିଲେ |ଏହି ଆଲୋଚନା ରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଧର ଯେନା, ଅଭିମନ୍ୟୁ ପାତ୍ର, ମଦନ ସାହୁ,ପ୍ରଶାନ୍ତ ଜେନା ଶତ୍ରୁଘନ ମଲିକ, ଲଷ୍ମୀଧର ପାତ୍ର ରାକେଶ କୁମାର ଓ ପ୍ରଦୀପ ସେଠି ପ୍ରମୁଖ ଅଂଶଗ୍ରହଣ କରିଥିଲେ
Jajpur (ଯାଜପୁର) • ବ୍ୟାସନଗର ରୁ ପ୍ରଦୀପ କୁମାର ପୃଷ୍ଟି

ଜାବିହାର ଛକରୁ ହାତୀଆଶୁଣି ରାସ୍ତାରେ କବାଡ଼ିଆଙ୍କ ଦୌରାତ୍ମ୍ୟ ରାସ୍ତା ଉପରେ ଲୁହା-ଟିଣ କାଟିବା ଯୋଗୁଁ ଯାତାୟାତ ବାଧା, ଦୁର୍ଘଟଣା ଆଶଙ୍କା
ଭୁବନେଶ୍ୱର, : ଜାବିହାର ଛକଠାରୁ ହାତୀଆଶୁଣି ଅଭିମୁଖେ ଯାଇଥିବା ରାସ୍ତାକଡ଼ରେ କେତେକ କବାଡ଼ିଆ ଦୋକାନ ଖୋଲି ରାସ୍ତା ଉପରକୁ ଲୁହା, ଟିଣ ଓ ବିଭିନ୍ନ ସାମଗ୍ରୀ ରଖି ମେସିନ୍ ସାହାଯ୍ୟରେ କାଟୁଥିବା ଅଭିଯୋଗ ହୋଇଛି। ଏହା ଯୋଗୁଁ ରାସ୍ତା ସଙ୍କୁଚିତ ହେବା ସହ ଗାଡ଼ିମୋଟର ଚଳାଚଳ ଓ ପଥଚାରୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ରାସ୍ତା ଉପରେ ଲୁହା ଓ ଟିଣ କାଟିବା ବେଳେ ସାମଗ୍ରୀ ଖସି ପଥଚାରୀ କିମ୍ବା ଗାଡ଼ି ଉପରେ ପଡ଼ିବାର ଆଶଙ୍କା ମଧ୍ୟ ରହିଛି। ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ପ୍ରଶ୍ନ—ଏଭଳି ଭାବେ ରାସ୍ତା ଦଖଲ କରି କାମ ଚାଲୁଥିବା ବେଳେ BMC ଓ ମହାନଗର ନିଗମର ନଜର କାହିଁକି ପଡ଼ୁନାହିଁ? ସ୍ଥାନୀୟ ଲୋକଙ୍କ ଦାବି, ତୁରନ୍ତ ଘଟଣାସ୍ଥଳ ଯାଞ୍ଚ କରି ରାସ୍ତା ଅବରୋଧ ହଟାଯାଉ ଏବଂ ପଥଚାରୀ ଓ ଯାନବାହନ ଚଳାଚଳ ପାଇଁ ସୁରକ୍ଷିତ ବ୍ୟବସ୍ଥା କରାଯାଉ। ଯଦି ସମସ୍ୟାର ସମାଧାନ ଶୀଘ୍ର ନହୁଏ, ତେବେ ବସ୍ତିବାସିନ୍ଦାମାନେ BMC କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି ସୂଚନା ଦେଇଛନ୍ତି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ

ରାହଂସରେ ଧୁମଧାମରେ ଗଣେଶ ପୂଜା ପାଳିତ ଶିଶୁ କଳାକାରଙ୍କ ନୃତ୍ୟ ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କପିଳା ଗ୍ରାମପଞ୍ଚାୟତର ରାହଂସ ଗ୍ରାମରେ ଆର୍.ଏସ୍. ଗଣେଶ ପୂଜା କମିଟି ପକ୍ଷରୁ ବିଘ୍ନବିନାଶକ ଭଗବାନ ଶ୍ରୀଗଣେଶଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ପୂଜା କମିଟିର ସଭାପତି, ସମ୍ପାଦକଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହଯୋଗରେ ପୂଜାକୁ ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀଙ୍କ ଚିତ୍ତବିନୋଦନ ସହ ଶିଶୁ କଳାକାରମାନଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ଶିଶୁ କଳାକାରମାନେ ଯୋଗଦେଇ ନିଜ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ଶିଶୁ କଳାକାରମାନଙ୍କ ଚମତ୍କାର ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ବିଚାରକମାନେ କଳାକାରମାନଙ୍କ ପ୍ରଦର୍ଶନକୁ ମୂଲ୍ୟାୟନ କରି ବିଜେତା ଓ ଯୋଗ୍ୟ ସ୍ଥାନ ଅଧିକାର କରିଥିବା ଶିଶୁ କଳାକାରମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ପୂଜା କମିଟି ପକ୍ଷରୁ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇଥିବା ବେଳେ ଗ୍ରାମବାସୀଙ୍କ ସହଯୋଗ ଓ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ସଫଳ କରିଥିଲା।
Jajpur (ଯାଜପୁର) • ଯାଜପୁର, ବିଞ୍ଝାରପୁରରୁ ଉଦୟ ନାଥ ଜେନାଙ୍କ ରିପୋର୍ଟ

ମହାନଦୀରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
ଜଗତପୁର: ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ଛାତ୍ର ଦିବ୍ୟାଂଶୁ ନାୟକ (୧୪)ଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି l ଗତ କାଲି ନିଖୋଜ ସ୍ଥାନ ଠାରୁ ମାତ୍ର ୧ କିଲୋମିଟର ଦୂର ନୂଆସାହି ନିକଟରୁ ମୃତ ଦେହ ଭାସୁଥିବା ବେଳେ ଏହାକୁ ଉଦ୍ଧାର କରାଯାଇଛି l ସୂଚନା ଯୋଗ୍ୟ ଯେ ଗତ କାଲି ଗୁରୁବାର ସକାଳ ପ୍ରାୟ ସାଢେ ଦଶଟା ବେଳେ ମୃତକ ଦିବ୍ୟାଂଶୁ ତା' ଅନ୍ୟ ଦୁଇ ସାଙ୍ଗ ନାନକାରର ଶୁଭମ ସିଂହ ଓ ଅଶ୍ୱିନୀ କୁମାର ଗିରିଙ୍କ ସହ ତରୋଳରେ ଚାଲିଥିବା ଗଣେଶ ମହୋତ୍ସବ ଦେଖିବାକୁ ଯାଇଥିଲେ l ସେଠାରୁ ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ l ବାଲିସାହି ନିକଟରେ ମହାନଦୀରେ ଗାଧୋଇବାକୁ ପସିଥିବା ସମୟରେ ଦିବ୍ୟାଂଶୁର ଗୋଡ଼ ଖସିଯାଇଥିଲା ଓ ସେ ବୁଡ଼ିଯାଇଥିଲା l ଏହି ସମୟରେ ସେଠାରେ ଥିବା ଲୋକମାନେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଦିବ୍ୟାଂଶୁର ପତ୍ତା ପାଇପାରିନଥିଲେ l ଖବର ପାଇ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ସ୍କୁବା ଉଦ୍ଧାରକାରୀ ଦଳ ବହୁ ଖୋଜାଖୋଜି କରିଥିଲେ ହେଁ ସଂନ୍ଧ୍ଯା ପର୍ଯ୍ୟନ୍ତ ନିଖୋଜ ଛାତ୍ରଙ୍କ ସନ୍ଧାନ ପାଇପାରି ନଥିଲେ। ଶୁକ୍ରବାର ସକାଳେ ଅଗ୍ନିଶମ ବାହୀନୀଙ୍କ ଦ୍ୱାରା ନିଖୋଜ ନାବାଳକ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି | ଜଗତପୁର ପୁଲିସ ଉଦ୍ଧାର ମୃତ ଦେହକୁ ଜବତକରି ସାବିତ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ଶବ ବ୍ୟବଛେଦ ନିମନ୍ତେ କଟକ ବଡ ମେଡିକାଲକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l
Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ
