--:--:--
-- ---
Srishti News

Web News

ଚିଲିକା ଜେଟିରେ ପୁଲିସର ଚଢ଼ାଉ, ବ୍ରାଉନସୁଗାର ସହ ୨ ଗିରଫ
Aug 25, 2026•30 views

ଚିଲିକା ଜେଟିରେ ପୁଲିସର ଚଢ଼ାଉ, ବ୍ରାଉନସୁଗାର ସହ ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଚିଲିକା ଜେଟି ନିକଟ ବାଲୁଗାଁ କଲେଜ ପାର୍ଶ୍ୱରେ ବ୍ରାଉନସୁଗାର ବେପାର ନେଇ ସୂଚନା ପାଇ ପୁଲିସ ଚଢ଼ାଉ କରିଛି। ଚଢ଼ାଉ ବେଳେ ୩୦.୦୪ ଗ୍ରାମ ବ୍ରାଉନସୁଗାର ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି।ଗିରଫ ବ୍ୟକ୍ତିଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍‌ ଓ ଗୋଟିଏ ସ୍କୁଟି ମଧ୍ୟ ଜବତ ହୋଇଛି। ଏନଡିପିଏସ୍‌ ଆଇନରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଗୁରୁଜଙ୍ଗ ଟାଙ୍ଗୀସାହି-ନୂଆଗାଁ ରାସ୍ତା ସାଜିଛି ମରଣଯନ୍ତା ଏ ରାସ୍ତା କାହାର? ପୂର୍ତ୍ତ ବିଭାଗ ନା ଗ୍ରାମ୍ୟ ଉନ୍ନୟନ ବିଭାଗ — ଦାୟିତ୍ୱ ନେବ କିଏ?
Aug 25, 2026•61 views

ଗୁରୁଜଙ୍ଗ ଟାଙ୍ଗୀସାହି-ନୂଆଗାଁ ରାସ୍ତା ସାଜିଛି ମରଣଯନ୍ତା ଏ ରାସ୍ତା କାହାର? ପୂର୍ତ୍ତ ବିଭାଗ ନା ଗ୍ରାମ୍ୟ ଉନ୍ନୟନ ବିଭାଗ — ଦାୟିତ୍ୱ ନେବ କିଏ?

ଖୋର୍ଦ୍ଧା ପୌରପରିଷଦ ଅଧୀନ ଗୁରୁଜଙ୍ଗ ୧୮ ନମ୍ବର ୱାର୍ଡର ଟାଙ୍ଗୀସାହି-ନୂଆଗାଁ ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ଅବସ୍ଥା ଏଭଳି ଶୋଚନୀୟ ହୋଇପଡ଼ିଛି ଯେ, ଏହି ରାସ୍ତାରେ ଯାତାୟାତ କରିବା ସମୟରେ ଲୋକେ ଭଗବାନଙ୍କ ଭରସାରେ ଯାତ୍ରା କରୁଥିବା ଅଭିଯୋଗ ହେଉଛି।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ଏହି ରାସ୍ତାଟି କାହାର? ପୂର୍ତ୍ତ ବିଭାଗର ନା ଗ୍ରାମ୍ୟ ଉନ୍ନୟନ ବିଭାଗର? ରାସ୍ତାର ଦୁରବସ୍ଥା ନେଇ ସାଧାରଣ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ କେଉଁ ବିଭାଗ ଏହାର ଦାୟିତ୍ୱ ନେବ, ତାହା ସ୍ପଷ୍ଟ ହେଉନାହିଁ।ରାସ୍ତା ସାରା ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ବର୍ଷା ହେଲେ ସେଥିରେ ପାଣି ଜମି ଅବସ୍ଥା ଆହୁରି ସଙ୍ଗୀନ ହୋଇପଡ଼ୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ ଏହି ଗର୍ତ୍ତରେ ପଡ଼ି ପ୍ରାୟ ୪୦ରୁ ୫୦ ଜଣ ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଏପରିକି ରାସ୍ତାର ଅବସ୍ଥା ଦେଖି ଆମ୍ବୁଲାନ୍ସ ଚାଳକମାନେ ମଧ୍ୟ ଏହି ରାସ୍ତାକୁ ଯିବାକୁ ଭୟ କରୁଥିବା ଅଭିଯୋଗ ହୋଇଛି।ଏହି ରାସ୍ତା ଦେଇ ନୂଆଗାଁ, ଅରାଙ୍ଗ, ମହୁଲ, ମଧୁପୁର, ମାଜଣା, ଅଙ୍ଗାରପଡ଼ା, ପଳାସପୁର, ବିନ୍ଧଗିରି, ଛତାବର, ମିନଚୀନ ପାଟଣା, ମେଣ୍ଢାଶାଳ, ଅରିଶଲ ସମେତ ବିଭିନ୍ନ ଅଞ୍ଚଳର ଲୋକେ ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକକୁ ଯାତାୟାତ କରନ୍ତି। ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଉଥିବା ବେଳେ ଗର୍ଭବତୀ ମହିଳା ଓ ରୋଗୀମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅରାଙ୍ଗ ମୌଜାରେ ଶିଳ୍ପାନୁଷ୍ଠାନର କାର୍ଯ୍ୟ ଆରମ୍ଭ ହେବା ପରେ ଏହି ସମସ୍ୟା ଆହୁରି ବଢ଼ିଛି। ଭାରୀ ମାଲବାହୀ ଯାନଗୁଡ଼ିକ ଏହି ଅଣଓସାରିଆ ରାସ୍ତା ଦେଇ ନିୟମିତ ଯାତାୟାତ କରିବା ଫଳରେ ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହୋଇଥିବା ଅଭିଯୋଗ ହୋଇଛି। ଶିଳ୍ପାନୁଷ୍ଠାନ ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରାଯାଇନଥିବାରୁ ସାଧାରଣ ଲୋକଙ୍କ ରାସ୍ତା ଉପରେ ଭାରୀ ଯାନ ଚଳାଚଳ କରୁଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଅନ୍ୟପଟେ ପିତାପଲିଠାରୁ ଶରଧାପୁର ପର୍ଯ୍ୟନ୍ତ ନୂଆ ୫୭ ନମ୍ବର ଜାତୀୟ ରାଜପଥର କାମ ଦୀର୍ଘଦିନ ଧରି ଚାଲିଥିବାରୁ ଗୁରୁଜଙ୍ଗ ଓ ନୂଆଗାଁ ଓଭରବ୍ରିଜ୍ ତଳ ଅଞ୍ଚଳରେ ମଧ୍ୟ ଖାଲଖମା ସହ ପାଣି ଜମି ରହୁଛି। ଫଳରେ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ସବୁ ଦେଖି ମଧ୍ୟ ନିରବ ରହିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଇନଥିବା ସାମାଜିକ କର୍ମୀ ଗୋପାଳ କୃଷ୍ଣ ପ୍ରଧାନ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେଉଁ ବିଭାଗ ଏହି ରାସ୍ତାର ଦାୟିତ୍ୱରେ ଅଛି, ତାହା ସ୍ପଷ୍ଟ ହୋଇପାରିନଥିବା ସେ କହିଛନ୍ତି। ଦୈନିକ ପ୍ରାୟ ୧୫ରୁ ୨୦ଟି ଗ୍ରାମର ଲୋକେ ନିର୍ଭର କରୁଥିବା ଏହି ରାସ୍ତାର ତୁରନ୍ତ ମରାମତି ଓ ସ୍ଥାୟୀ ସମାଧାନ ଦାବି ଜୋର ଧରିଛି। ଆଗକୁ କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ନଚେତ୍ ଏହି ରାସ୍ତାକୁ ନେଇ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦିଆଯାଇଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଦୁଇ-ତିନି ବର୍ଷର ସାମାଜିକ ବାଛନ୍ଦ ପରେ ହିଂସାର ଅଭିଯୋଗ: ୧୧ ଦଳିତ ପରିବାରଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
Aug 25, 2026•23 views

ଦୁଇ-ତିନି ବର୍ଷର ସାମାଜିକ ବାଛନ୍ଦ ପରେ ହିଂସାର ଅଭିଯୋଗ: ୧୧ ଦଳିତ ପରିବାରଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ପୁରୀ/ଚନ୍ଦନପୁର: ଦୀର୍ଘ ଦୁଇରୁ ତିନି ବର୍ଷ ଧରି ସାମାଜିକ ବାଛନ୍ଦର ଶିକାର ହୋଇଥିବା ଅଭିଯୋଗ ପରେ ଏବେ ହିଂସା ଓ ସମ୍ପତ୍ତି ଲୁଟ୍‌ ଭଳି ସଙ୍ଗୀନ ଅଭିଯୋଗକୁ ନେଇ ଚର୍ଚ୍ଚାରେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣା ମଠସାହି ଅଞ୍ଚଳ। ଗାଁରେ ବସବାସ କରୁଥିଲେ ମଧ୍ୟ ସାମାଜିକ ଭାବେ ଦୂରେଇ ରହିବାକୁ ୧୧ଟି ଦଳିତ ପରିବାରଙ୍କୁ ବାଧ୍ୟ କରାଯାଇଥିବା ପୀଡ଼ିତ ପରିବାରମାନେ ଅଭିଯୋଗ କରିଛନ୍ତି। ପୀଡ଼ିତମାନଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କୁ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା କରିବାକୁ କୁହାଯାଇଥିଲା। ନିଜର କୌଣସି ଦୋଷ ନଥିବାରୁ ମିଥ୍ୟା ମାମଲା କରିବାକୁ ରାଜି ନହେବା ପରେ ସେମାନଙ୍କ ଉପରେ ସାମାଜିକ ବାଛନ୍ଦ ଲାଗୁ କରାଯାଇଥିବା ସେମାନେ କହିଛନ୍ତି। ଦୀର୍ଘ ସମୟ ଧରି ଏହି ସ୍ଥିତି ଜାରି ରହିଥିବା ଅଭିଯୋଗ ହୋଇଛି। ଏହାପରେ ନିଜ ନାମରେ ଥିବା ଜମିରୁ ଦଳ କାଢ଼ିବାକୁ ନେଇ ବିବାଦ ତୀବ୍ର ହୋଇଥିବା ଅଭିଯୋଗ ଆସିଛି। ଜମିରୁ ଦଳ କାଢ଼ିବା ସମୟରେ ଅନେକ ଲୋକ ଏକାଠି ହୋଇ ସେମାନଙ୍କ ଉପରେ ଆକ୍ରମଣ କରିଥିବା ପୀଡ଼ିତ ପରିବାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଘଟଣାରେ ଅନେକ ବ୍ୟକ୍ତି ଆହତ ହୋଇଥିବା ବେଳେ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅର୍ଜୁନ ସେଠୀ, ଦୀନବନ୍ଧୁ ସେଠୀ, ଆରତ ସେଠୀ, ସାରଥ ସେଠୀ, ଲକ୍ଷ୍ମୀଧର ସେଠୀ, ମକରା ସେଠୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ମହେଶ୍ୱର ସେଠୀ, ନକୁଳ ସେଠୀ, ଗଙ୍ଗାଧର ସେଠୀ ଓ ନାରାୟଣ ସେଠୀଙ୍କ ନାମ ରହିଛି। ଅଭିଯୋଗ ଏତିକିରେ ସୀମିତ ନୁହେଁ। ପୀଡ଼ିତ ପରିବାରଙ୍କ ଘରୁ ସୁନା, ରୂପା, ଟଙ୍କା, ମୋବାଇଲ ଫୋନ୍‌ ଓ ସ୍କୁଟି ଭଳି ସମ୍ପତ୍ତି ନେଇଯାଇଥିବା ଅଭିଯୋଗ ହୋଇଛି। ଏପରିକି ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦିଆଯାଇଥିବା ଭଳି ଅତ୍ୟନ୍ତ ଗୁରୁତର ଅଭିଯୋଗ ମଧ୍ୟ ପୀଡ଼ିତଙ୍କ ପକ୍ଷରୁ ଆସିଛି। ଏକପଟେ ଆହତଙ୍କ ଚିକିତ୍ସା, ଅନ୍ୟପଟେ ଘର ଓ ସମ୍ପତ୍ତି ସମ୍ପର୍କରେ ଏପରି ଅଭିଯୋଗ ଘଟଣାକୁ ଅଧିକ ସମ୍ବେଦନଶୀଳ କରିଛି। ଏହାକୁ ନେଇ ଅଞ୍ଚଳରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଏହି ଘଟଣା ପରେ ସାମାଜିକ ବାଛନ୍ଦ ଭଳି ପ୍ରଥା, ଜାତିଗତ ଭେଦଭାବ ଓ ଆଇନକୁ ହାତକୁ ନେବା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠିଛି। କୌଣସି ବିବାଦ ଥିଲେ ମଧ୍ୟ ତାହାର ସମାଧାନ ଆଇନଗତ ମାର୍ଗରେ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି। ପୀଡ଼ିତ ପରିବାରମାନେ ସେମାନଙ୍କ ସୁରକ୍ଷା ସହ ଘଟଣାର ନିରପେକ୍ଷ ଓ ନିଷ୍ପକ୍ଷ ତଦନ୍ତ ଦାବି କରିଛନ୍ତି। ତେବେ ଘଟଣା ସମ୍ପର୍କିତ ସମସ୍ତ ଅଭିଯୋଗର ପ୍ରକୃତ ସତ୍ୟତା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଘଟଣାରେ ପ୍ରଶାସନ ଓ ପୁଲିସ ତୁରନ୍ତ ହସ୍ତକ୍ଷେପ କରି ପୀଡ଼ିତ ପରିବାରଙ୍କ ସୁରକ୍ଷା ନିଶ୍ଚିତ କରିବା ସହ ଦୋଷୀଙ୍କ ବିରୋଧରେ ଆଇନାନୁସାରେ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।

Puri (ପୁରୀ) • ରିପୋର୍ଟ: ଓଁ ପ୍ରକାଶ ସାହୁ, ପୁରୀ

ଖମାର ମାର୍କେଟ୍‌ରେ ଟ୍ରକ୍ ଧକ୍କାରେ ଦଶମ ଛାତ୍ର ମୃତ, ସୁରକ୍ଷା ବ୍ୟବସ୍ଥା ଦାବିରେ କଂଗ୍ରେସର ଚେତାବନୀ
Aug 25, 2026•123 views

ଖମାର ମାର୍କେଟ୍‌ରେ ଟ୍ରକ୍ ଧକ୍କାରେ ଦଶମ ଛାତ୍ର ମୃତ, ସୁରକ୍ଷା ବ୍ୟବସ୍ଥା ଦାବିରେ କଂଗ୍ରେସର ଚେତାବନୀ

ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ମାର୍କେଟ୍‌ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ବଜାର ଦେଇ ଯାଉଥିବା ବେଳେ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଦୁର୍ଘଟଣାକୁ ନେଇ ପାଲଲହଡ଼ା କଂଗ୍ରେସ ନେତା ସୁବ୍ରତ ଗଡ଼ନାୟକ କଡ଼ା ନିନ୍ଦା କରିବା ସହ ଭାରୀଯାନ ନିୟନ୍ତ୍ରଣ ପାଇଁ ବାଇପାସ୍ ରାସ୍ତା, ଏଆଇ କ୍ୟାମେରା, ନିର୍ଦ୍ଧାରିତ ସମୟରେ ନୋ-ଏଣ୍ଟ୍ରି, ଦୃଢ଼ ଟ୍ରାଫିକ୍ ବ୍ୟବସ୍ଥା ଓ ସଚେତନତା ଫଳକ ଲଗାଇବା ଦାବି କରିଛନ୍ତି। ଘଟଣାସ୍ଥଳରେ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଶାନ୍ତ ସାହୁ ଓ ଏସ୍‌ସି ସେଲ୍‌ ସଭାପତି ସୌରଭ ବେହେରା ପହଞ୍ଚି ପ୍ରଶାସନ ସହ ଆଲୋଚନା କରିଥିଲେ। ଏକ ମାସ ମଧ୍ୟରେ ଦାବିଗୁଡ଼ିକ ପୂରଣ ନହେଲେ କଂଗ୍ରେସ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସୁବ୍ରତ ଗଡ଼ନାୟକ ଚେତାବନୀ ଦେଇଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜିଲ୍ଲା ପରିଷଦ ବୈଠକରେ ତାଳଚେର ବିକାଶ ପ୍ରସଙ୍ଗ ଉଠାଇଲେ ବିଧାୟକ
Aug 25, 2026•84 views

ଜିଲ୍ଲା ପରିଷଦ ବୈଠକରେ ତାଳଚେର ବିକାଶ ପ୍ରସଙ୍ଗ ଉଠାଇଲେ ବିଧାୟକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପରିଷଦ କକ୍ଷରେ ୬୨ତମ ଜିଲ୍ଲା ପରିଷଦ ବୈଠକ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଭିନ୍ନ ବିଧାନସଭାର ବିଧାୟକ, ଜିଲ୍ଲାପାଳ ଅବ୍ଦାଲ ଏମ୍. ଅଖତର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ତାଳଚେର ନିର୍ବାଚନମଣ୍ଡଳୀ ସମେତ ଅନୁଗୋଳ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିଧାୟକ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ବିଶେଷକରି ଦୈନନ୍ଦିନ ଜନସମସ୍ୟାର ତୁରନ୍ତ ସମାଧାନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଧାର, ରାସ୍ତା ନିର୍ମାଣ ଓ ମରାମତି, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଉପରେ ଗୁରୁତ୍ୱ ଦେଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସାଇବର ଅପରାଧରୁ ସୁରକ୍ଷା ପାଇଁ ସଚେତନତା: ଖଇରାରେ ପୋଲିସର ଜନଜାଗରଣ କାର୍ଯ୍ୟକ୍ରମ
Aug 25, 2026•45 views

ସାଇବର ଅପରାଧରୁ ସୁରକ୍ଷା ପାଇଁ ସଚେତନତା: ଖଇରାରେ ପୋଲିସର ଜନଜାଗରଣ କାର୍ଯ୍ୟକ୍ରମ

ବୋଡେନ, ୨୫/୦୮: ଡିଜିଟାଲ ଯୁଗରେ ବଢ଼ିଚାଲିଥିବା ସାଇବର ଅପରାଧକୁ ରୋକିବା ସହ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ଅନଲାଇନ୍ ଠକେଇରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ବୋଡେନ ଥାନା ପକ୍ଷରୁ ଖଇରାସ୍ଥିତ ସରକାରୀ ଜନଶକ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ସାଇବର କ୍ରାଇମ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରିନ୍ସିପାଲ ସହଦେବ ହରପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ମଝିଆ ମାଝୀ, ମଙ୍ଗଳ ସିଂ ମାଝୀ, ମହେନ୍ଦ୍ର ବାଗ, ଜଗତରାମ ଦଣ୍ଡସେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବୋଡେନ ଥାନାର ଥାନା ଅଧିକାରୀ ଧର୍ମେନ୍ଦ୍ର ଭୋଇ ଓ କ୍ଷୀରସିନ୍ଧୁ ମାଝୀଙ୍କ ସମେତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅନ୍ତ ରାମ ମେହେର ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସାଇବର ଠକେଇର ବିଭିନ୍ନ ଉପାୟ, ଅଜଣା ଲିଙ୍କ୍‌ରେ କ୍ଲିକ୍‌ ନକରିବା, ଓଟିପି, ପାସୱାର୍ଡ ଓ ବ୍ୟାଙ୍କ ସମ୍ବନ୍ଧୀୟ ଗୁପ୍ତ ତଥ୍ୟ କାହା ସହିତ ଶେୟାର ନକରିବା ଏବଂ ସନ୍ଦେହଜନକ ଫୋନ୍‌ କଲ୍‌ ଓ ମେସେଜ୍‌ରୁ ସତର୍କ ରହିବା ନେଇ ସଚେତନ କରାଯାଇଥିଲା। ସାଇବର ଅପରାଧର ଶିକାର ହେଲେ ତୁରନ୍ତ ଆଇନଗତ ସହାୟତା ନେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଛାତ୍ରଛାତ୍ରୀମାନେ ଡିଜିଟାଲ ମାଧ୍ୟମ ବ୍ୟବହାର ସମୟରେ କିପରି ସତର୍କ ରହିବେ ଏବଂ ସାଇବର ଅପରାଧୀଙ୍କ ଠକେଇରୁ ନିଜକୁ ଓ ପରିବାରକୁ କିପରି ସୁରକ୍ଷିତ ରଖିବେ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ପୁଷ୍ପା ମାଝୀ ସୁନ୍ଦର ଭାବେ ପରିଚାଳନା କରିଥିଲେ। ବିଦ୍ୟାଳୟ ଓ ବୋଡେନ ଥାନାର ଏହି ମିଳିତ ପ୍ରୟାସକୁ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନେ ସ୍ୱାଗତ କରିଥିଲେ। ସୌଜନ୍ୟ: ମହେନ୍ଦ୍ର

Nuapada (ନୂଆପଡ଼ା) • ରିପୋର୍ଟ: କଶ୍ୟପ ଜଗତ, ବୋଡେ଼ନ

Nature in Gangadhar’s Works Takes Centre Stage at Speech and Patriotic Song Competitions in Sinapali
Aug 25, 2026•46 views

Nature in Gangadhar’s Works Takes Centre Stage at Speech and Patriotic Song Competitions in Sinapali

Sinapali, August 25: A block-level speech and patriotic song competition was organised at PM Shri High School, Sinapali, on Tuesday by the Gangadhar Saraswat Samiti, a leading literary organisation of Nuapada district, as part of the celebrations marking the birth anniversary of Swabhaba Kabi Gangadhar Meher. The programme aimed to acquaint students with Gangadhar Meher’s rich literary legacy, particularly his deep love for nature and his spirit of patriotism. Students from various schools across Sinapali block participated enthusiastically in the competitions and showcased their literary and musical talents. In the speech competition on the theme “Nature in Gangadhar Meher’s Works”, Aradhya Sa of OAV Timanpur secured first place, Diptimayee Baitharu of PM Shri High School, Sinapali, stood second, while Pushpanjali Majhi of Girls’ High School, Sinapali, secured third position. In the patriotic song competition, Tejaswini Dhibar of OAV Timanpur bagged first place, Archita Bandichhor of PM Shri High School, Sinapali, secured second position, and Tejaswini Dandasena of Upper Primary School, Timanpur, stood third. The programme was attended by Satyabrata Gahir, Kumudabandhu Joshi, Trinath Meher, Mohan Das and Manoranjan Meher as guests. They highlighted the importance of Gangadhar Meher’s contribution to Odia literature and the prominent place of nature and patriotism in his writings. Pradyumna Singh Chinda, Atul Kumar Patra and December Meher served as judges for the speech competition. Musician Chudamani Meher, Deepak Sa and Bansidhar Jagat judged the patriotic song competition. At the beginning of the programme, Lochan Meher welcomed the guests and participants. Gangadhar Saraswat Samiti president Baishnab Meher and secretary Tarun Kumar Meher, along with Gautam Meher, Pareshnath Panigrahi, Premananda Meher, Shivaprasad Meher, Lilakar Sa, Manoj Jagat, Sanurjya Meher, Benudhar Meher and Rashmiranjan Sa, extended their cooperation in conducting the programme. The programme concluded with a vote of thanks proposed by Nikunj Bihari Sa. It may be noted that the Gangadhar Saraswat Samiti will organise a grand celebration of Swabhaba Kabi Gangadhar Meher’s birth anniversary next Friday. A literary gathering will also be organised on the occasion, which is expected to be attended by several eminent writers and literary personalities.

Nuapada (ନୂଆପଡ଼ା) • Reports: Malaya Meher, DC

କର୍ଲାକୋଟରେ ପାଣି ସମସ୍ୟାକୁ ନେଇ ତେଜିଲା ଅସନ୍ତୋଷ, ଆନ୍ଦୋଳନ ପାଇଁ କଂଗ୍ରେସର ସଜବାଜ
Aug 25, 2026•18 views

କର୍ଲାକୋଟରେ ପାଣି ସମସ୍ୟାକୁ ନେଇ ତେଜିଲା ଅସନ୍ତୋଷ, ଆନ୍ଦୋଳନ ପାଇଁ କଂଗ୍ରେସର ସଜବାଜ

ବୋଡେ଼ନ: ୨୪/୦୮ ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ପଞ୍ଚାୟତର କର୍ଲାକୋଟ ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଥିବା ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ପାଣି ଭଳି ମୌଳିକ ଆବଶ୍ୟକତା ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ସମସ୍ୟାର ସ୍ଥାୟୀ ସମାଧାନ ନ ହେବାକୁ ନେଇ ଗ୍ରାମବାସୀ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖଡ଼ିଆଳ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି ମଙ୍ଗଳବାର କର୍ଲାକୋଟ ଗ୍ରାମକୁ ଗସ୍ତ କରି ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଆଲୋଚନା ସମୟରେ ପାନୀୟଜଳ ସମସ୍ୟା ହିଁ ସବୁଠାରୁ ଗୁରୁତର ପ୍ରସଙ୍ଗ ଭାବେ ସାମ୍ନାକୁ ଆସିଥିଲା। ଗ୍ରାମବାସୀଙ୍କ କହିବାନୁସାରେ, ଦୀର୍ଘ ସମୟ ଧରି ପାଣି ପାଇଁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଏନେଇ ବାରମ୍ବାର ଦାବି ଓ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। କମଳ ଚରଣ ତାଣ୍ଡି କହିଛନ୍ତି ଯେ, “ପାଣି ଲୋକଙ୍କର ମୌଳିକ ଆବଶ୍ୟକତା। ଗ୍ରାମବାସୀଙ୍କ ନ୍ୟାୟସଙ୍ଗତ ଦାବିକୁ ଆଉ ଅଣଦେଖା କରାଯିବ ନାହିଁ।” ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଦଳ ପକ୍ଷରୁ ଜନସାଧାରଣଙ୍କୁ ସାଙ୍ଗରେ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳ ଗ୍ରାମବାସୀଙ୍କ ସହ ବିସ୍ତୃତ ଆଲୋଚନା କରି ପାଣି ସମସ୍ୟାର ସ୍ଥାୟୀ ସମାଧାନ ନେଇ ପରବର୍ତ୍ତୀ ପଦକ୍ଷେପ ଉପରେ ମତବିନିମୟ କରିଥିଲେ। କର୍ଲାକୋଟ ଗ୍ରାମର ପାନୀୟଜଳ ସମସ୍ୟାକୁ ପ୍ରଶାସନ ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କ ଦୀର୍ଘଦିନର ଦାବିର ସ୍ଥାୟୀ ସମାଧାନ କରୁ, ଏହା ହିଁ ବର୍ତ୍ତମାନ ଗ୍ରାମବାସୀଙ୍କ ପ୍ରମୁଖ ଦାବି ହୋଇଛି ।

Nuapada (ନୂଆପଡ଼ା) • କଶ୍ୟପ ଜଗତ: ବୋଡେ଼ନ

ରାସ୍ତା କଡ଼ରେ ଅସହାୟ ମାଆ ଓ ଦୁଇ ଶିଶୁ କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ
Aug 25, 2026•59 views

ରାସ୍ତା କଡ଼ରେ ଅସହାୟ ମାଆ ଓ ଦୁଇ ଶିଶୁ କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ

ରାସ୍ତା କଡ଼ରେ ଦୁଇ ଶିଶୁଙ୍କୁ ଧରି ଅସହାୟ ଅବସ୍ଥାରେ ବସିଥିବା ଜଣେ ବିଧବା ମହିଳାଙ୍କ ନିକଟରେ ପହଞ୍ଚି ମାନବିକତାର ନିଦର୍ଶନ ଦେଖାଇଛନ୍ତି ସାମ୍ବାଦିକ। ଉଦ୍ଧାର ପରେ ମହିଳା ଓ ଦୁଇ ଶିଶୁଙ୍କୁ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମରେ ଥଇଥାନ କରାଯାଇଛି। ଧର୍ମଗଡ଼ ବ୍ଲକ ବେହେରା ଗ୍ରାମର ବିଜୁ ଏକ୍ସପ୍ରେସ ବସଷ୍ଟାଣ୍ଡ ଛକ ନିକଟରେ ଦୀର୍ଘ ସମୟ ଧରି ଜଣେ ମହିଳା ଦୁଇ ଶିଶୁଙ୍କୁ ଧରି ବସିଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ପଚରାଉଚରା କରିବାରୁ ମହିଳାଙ୍କ ଦୁଃଖଦ କାହାଣୀ ସାମ୍ନାକୁ ଆସିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଶିଶୁଙ୍କୁ ନେଇ ସେ ଅସହାୟ ହୋଇପଡ଼ିଥିବା ଜଣାପଡ଼ିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ନିଜ ଦୁଇ ଶିଶୁଙ୍କୁ କୌଣସି ଆଶ୍ରମ କିମ୍ବା ସହୃଦୟ ବ୍ୟକ୍ତିଙ୍କ ହାତରେ ଦେଇ ନିଜେ ଅନ୍ୟତ୍ର ଚାଲିଯିବାକୁ ମଧ୍ୟ ମହିଳା ଜଣକ ଚିନ୍ତା କରୁଥିଲେ। ଖବର ପାଇ ଓଡ଼ିଶା ଭାସ୍କର ଧର୍ମଗଡ଼ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ସୁବାସ ବାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ମହିଳାଙ୍କ ସହ ଆଲୋଚନା କରିବା ପରେ ଯଶୋଦା ଅନାଥ ଆଶ୍ରମର ପରିଚାଳକ ଶ୍ୟାମସୁନ୍ଦର ଜାଲଙ୍କ ସହ ଯୋଗାଯୋଗ କରିଥିଲେ। ପରେ ମହିଳା ଓ ଦୁଇ ଶିଶୁଙ୍କୁ ଆଶ୍ରମରେ ଥଇଥାନ କରାଯାଇଥିଲା। ମହିଳା ଜଣକ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ବାରଲୀ ଗ୍ରାମର ଚଞ୍ଚଲା ହରିଜନ। ତାଙ୍କ ସହ ଥିବା ପୁଅ ବିଦ୍ୟାଧର ହରିଜନଙ୍କ ବୟସ ୭ ବର୍ଷ ହୋଇଥିବା ବେଳେ ଝିଅ ମିତା ହରିଜନଙ୍କ ବୟସ ମାତ୍ର ୨ ମାସ। ଚଞ୍ଚଲାଙ୍କ କହିବା ଅନୁସାରେ, ସେ ପ୍ରେମ ବିବାହ କରି ହରି ହରିଜନଙ୍କୁ ବିବାହ କରିଥିଲେ। ଭିନ୍ନ ଜାତିରେ ବିବାହ କରିଥିବାରୁ ପରିବାର ଲୋକେ ତାଙ୍କୁ ପର କରିଦେଇଥିଲେ। ଏହାପରେ ସ୍ୱାମୀଙ୍କ ମୃତ୍ୟୁ ତାଙ୍କ ଜୀବନକୁ ଆହୁରି ଦୁର୍ବିଷହ କରିଦେଇଥିଲା। ଏବେ ଯଶୋଦା ଅନାଥ ଆଶ୍ରମରେ ଆଶ୍ରୟ ମିଳିବା ପରେ ଦୁଇ ଶିଶୁଙ୍କୁ ନେଇ ଚଞ୍ଚଲାଙ୍କ ଜୀବନରେ ନୂଆ ଆଶା ସୃଷ୍ଟି ହୋଇଛି। ସାମ୍ବାଦିକଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି।

Kalahandi (କଳାହାଣ୍ଡି) • ଧର୍ମଗଡ଼: ରିତେଶ କୁମାର ମୁଣ୍ଡ

Workshop and Awareness Programme on Bharatiya Nyaya Sanhita Held at Dharmagarh Panchayat College
Aug 25, 2026•130 views

Workshop and Awareness Programme on Bharatiya Nyaya Sanhita Held at Dharmagarh Panchayat College

Dharmagarh, Kalahandi, August 25: A two-day workshop and awareness programme on the Bharatiya Nyaya Sanhita (BNS) was organised at Dharmagarh Panchayat College by the Central Bureau of Communication (CBC), Bhawanipatna, under the Ministry of Information and Broadcasting, Government of India, with the objective of creating public awareness about the new criminal law. On the concluding day, the programme was presided over by Kagesh Baipai, Field Officer, CBC. Dharmagarh SDPO Barshita Adepu attended as the chief guest and inaugurated the workshop and awareness programme by lighting the ceremonial lamp. Senior advocate Sanjukta Panda attended as the guest speaker, while youth organiser Abinash Munda and Biraja Prasad Panda, President of Professor Bhubaneswar Behera Memorial Youth Organisation, were present as guests of honour. The programme was conducted by lecturer Ganapati Bag. Around 200 students of the college participated in the programme. The invited speakers explained various aspects of the Bharatiya Nyaya Sanhita and highlighted important legal provisions, rights and responsibilities to enhance awareness among the students and the general public. At the beginning of the programme, students and members of a cultural troupe took out an awareness rally through Dharmagarh town, raising slogans related to the Bharatiya Nyaya Sanhita. On the first day, various competitions including a quiz, essay writing and elocution were organised among the students. The winners were felicitated and awarded prizes by the Central Bureau of Communication. The competitions were conducted by sports instructor Abhaya Kumar Bag. The programme concluded with a cultural presentation by an institution sent by the Central Bureau of Communication, Bhubaneswar, featuring performances based on the theme of the Bharatiya Nyaya Sanhita. At the end of the programme, lecturer Jagannath Thakur proposed the vote of thanks.

Kalahandi (କଳାହାଣ୍ଡି) • Reports: Rupendra Kumar Sunani

ପାଟରଙ୍ଗା ଠାରେ ଜିନ୍ଦଲ ଷ୍ଟେନଲେସ ର ମେଗା ସ୍ବାସ୍ଥ୍ୟ ଶିବିର
Aug 25, 2026•25 views

ପାଟରଙ୍ଗା ଠାରେ ଜିନ୍ଦଲ ଷ୍ଟେନଲେସ ର ମେଗା ସ୍ବାସ୍ଥ୍ୟ ଶିବିର

କଳିଙ୍ଗନଗର ଗ୍ରାମାଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ଜିନ୍ଦଲ ଷ୍ଟେନଲେସ୍‌ର ସିଏସଆର ଶାଖା ଓ ଜିନ୍ଦଲ ଷ୍ଟେନଲେସ୍ ଫାଉଣ୍ଡେସନ୍ ପକ୍ଷରୁ ଯାଜପୁର ଜିଲ୍ଲା କୋରେଇ ବ୍ଲକର ପାଟରଙ୍ଗା ଗ୍ରାମରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏଥିରେ ପାଟରଙ୍ଗା ଓ ଆଖପାଖ ଅଞ୍ଚଳର ୩୦୦ରୁ ଅଧିକ ଲୋକ ମାଗଣା ଚିକିତ୍ସା ପରାମର୍ଶ, ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ପାଇଥିଲେ। ଶିବିରରେ ଜେନେରାଲ୍ ମେଡିସିନ୍, ପ୍ରସୂତି ଓ ସ୍ତ୍ରୀରୋଗ, ଶିଶୁରୋଗ ଏବଂ ମଧୁମେହ ବିଶେଷଜ୍ଞମାନେ ରୋଗୀଙ୍କୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱରସ୍ଥିତ CureBayର ପାରାମେଡିକାଲ୍ ଟିମ୍ ପକ୍ଷରୁ ରକ୍ତ ପରୀକ୍ଷା, ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇଥିଲା। ପରୀକ୍ଷା ଅନୁଯାୟୀ ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ପାଟରଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜନ କୁମାର ଦାସ ଶିବିରର ଉଦ୍‌ଘାଟନ କରି ଏଭଳି ଲୋକକଲ୍ୟାଣମୂଳକ ପଦକ୍ଷେପ ପାଇଁ ଜିନ୍ଦଲ ଷ୍ଟେନଲେସ୍‌କୁ ପ୍ରଶଂସା କରିଥିଲେ। ଜିନ୍ଦଲ ଷ୍ଟେନଲେସ୍‌ର ଯାଜପୁର ୟୁନିଟ୍ ମୁଖ୍ୟ ଦୀପକ ଅଗ୍ରୱାଲ କହିଛନ୍ତି ଯେ, ଗ୍ରାମୀଣ ଅଞ୍ଚଳରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ପହଞ୍ଚାଇବା କମ୍ପାନୀର ପ୍ରମୁଖ ପ୍ରତିବଦ୍ଧତା ମଧ୍ୟରୁ ଅନ୍ୟତମ। ଜିନ୍ଦଲ ଷ୍ଟେନଲେସ୍‌ର ସିଏସଆର ପଦକ୍ଷେପ ଅଧୀନରେ ଦାନଗଦୀର ହୁଡିସାହିସ୍ଥିତ ଷ୍ଟାଟିକ୍ ହେଲ୍ଥ କ୍ଲିନିକ୍ ମାଧ୍ୟମରେ ପ୍ରାୟ ୧୫ଟି ଗ୍ରାମକୁ ନିୟମିତ ମାଗ ଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏହାସହ ମୋବାଇଲ୍ ହେଲ୍ଥ ୟୁନିଟ୍ ଜରିଆରେ ଦୁର୍ଗମ ଅଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟସେବା ପହଞ୍ଚାଯାଉଛି। ପୂର୍ବରୁ ସୁକିନ୍ଦା ବ୍ଲକର ବାମ୍ବିଲୋ ଓ ଦାନଗଦି ବ୍ଲକର ଦାମୋଦରପୁରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୭୦୦ ଗ୍ରାମବାସୀ ଉପକୃତ ହୋଇଥିଲେ।

Jajpur (ଯାଜପୁର) • ରିପୋର୍ଟ ଅନିଲ କୁମାର ଜେନା କଳିଙ୍ଗନଗର

ବିପଦସଙ୍କୁଳ ଅବସ୍ଥାରେ ମିଲିଟାରୀ ରୋଡ଼କୁ ସଂଯୋଗ କରୁଥିବା ଖରଡ଼ିର ମୁଖ୍ୟ ରାସ୍ତା  ରାସ୍ତାର ଦୁର୍ଦ୍ଦଶାକୁ ନେଇ ବଢ଼ୁଛି ଜନଅସନ୍ତୋଷ; ତୁରନ୍ତ ସ୍ଥାୟୀ ନିର୍ମାଣ ନହେଲେ ଗଣଆନ୍ଦୋଳନର ଚେତାବନୀ
Aug 25, 2026•23 views

ବିପଦସଙ୍କୁଳ ଅବସ୍ଥାରେ ମିଲିଟାରୀ ରୋଡ଼କୁ ସଂଯୋଗ କରୁଥିବା ଖରଡ଼ିର ମୁଖ୍ୟ ରାସ୍ତା ରାସ୍ତାର ଦୁର୍ଦ୍ଦଶାକୁ ନେଇ ବଢ଼ୁଛି ଜନଅସନ୍ତୋଷ; ତୁରନ୍ତ ସ୍ଥାୟୀ ନିର୍ମାଣ ନହେଲେ ଗଣଆନ୍ଦୋଳନର ଚେତାବନୀ

ଜଖପୁରା, ତା.୪/୮ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ଖରଡ଼ି ଗ୍ରାମକୁ ମିଲିଟାରୀ ରୋଡ଼ ସହ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଆଜି ଗ୍ରାମାଞ୍ଚଳର ବିକାଶ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗ୍ରାମ୍ୟ ବିକାଶ ବିଭାଗ ଅଧୀନରେ ଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇ ଆଜି ମରଣଯନ୍ତାରେ ପରିଣତ ହୋଇଛି। ବର୍ଷା ଆସିଲେ ଏହି ରାସ୍ତାର ଦୃଶ୍ୟ ଦେଖି ଲାଗୁଛି, ଯେପରି ରାସ୍ତା ନୁହେଁ ବରଂ କାଦୁଅ ଓ ପାଣିରେ ଭର୍ତ୍ତି ଏକ ବିପଦପୂର୍ଣ୍ଣ ଖାଲ। ତଥାପି ଗ୍ରାମ୍ୟ ବିକାଶ ବିଭାଗର ନିଦ ଭାଙ୍ଗୁ ନାହିଁ।ଖରଡ଼ି ଗ୍ରାମର ଏହି ମୁଖ୍ୟ ରାସ୍ତା କେବଳ ଯାତାୟାତର ମାଧ୍ୟମ ନୁହେଁ, ବରଂ ହଜାର ହଜାର ଲୋକଙ୍କ ଦୈନନ୍ଦିନ ଜୀବନର ଆଧାର। ପ୍ରତିଦିନ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ, ଚାଷୀ, ଶ୍ରମିକ, ବ୍ୟବସାୟୀ, ସରକାରୀ କର୍ମଚାରୀ, ରୋଗୀ ଓ ସାଧାରଣ ଲୋକ ମିଲିଟାରୀ ରୋଡ଼କୁ ଯାତାୟାତ କରୁଛନ୍ତି। କିନ୍ତୁ ବର୍ତ୍ତମାନ ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ବଡ଼ ଯାନବାହନ କଥା ଦୂରର କଥା, ଖାଲି ପାଦରେ ଚାଲିବାକୁ ମଧ୍ୟ ଲୋକମାନେ ଭୟ କରୁଛନ୍ତି। ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଗର୍ତ୍ତରେ ବର୍ଷା ପାଣି ଜମି ରହୁଥିବାରୁ କେଉଁଠି ରାସ୍ତା ଓ କେଉଁଠି ଖାଲ, ତାହା ଜାଣିବା କଷ୍ଟକର ହୋଇପଡ଼ୁଛି। ଦୁଇଚକିଆ ଯାନଚାଳକମାନେ ପ୍ରତିଦିନ ଜୀବନକୁ ବାଜି ଲଗାଇ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନେ କାଦୁଅରେ ପଡ଼ି ଆହତ ହେଉଛନ୍ତି। ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ରୋଗୀଙ୍କ ପାଇଁ ଏହି ରାସ୍ତା ଯମଯନ୍ତ୍ରଣାରେ ପରିଣତ ହୋଇଛି। ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ୟ ଠିକ୍ ସମୟରେ ପହଞ୍ଚିବାରେ ସମସ୍ୟା ହେଉଥିବାରୁ ସ୍ଥାନୀୟ ଲୋକ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ରାସ୍ତାର ସ୍ଥାୟୀ ନିର୍ମାଣ ପାଇଁ ବହୁବାର ଗ୍ରାମ୍ୟ ବିକାଶ ବିଭାଗ, ବ୍ଲକ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ପ୍ରତିଥର ମିଳିଛି କେବଳ ପ୍ରତିଶ୍ରୁତି। ମଧ୍ୟେମଧ୍ୟେ ଗର୍ତ୍ତରେ କିଛି ମୋରମ କିମ୍ବା ପଥର ପକାଇ ଦାୟିତ୍ୱ ସାରି ଦିଆଯାଉଛି। ପ୍ରଥମ ବର୍ଷାରେ ସେହି କାମ ଧୋଇଯାଉଛି ଏବଂ ପୁଣି ରାସ୍ତା ପୂର୍ବଭଳି ମରଣଯନ୍ତା ପାଲଟିଯାଉଛି। ଏହା ସରକାରୀ ଅର୍ଥର ଅପଚୟ ସହ ଲୋକଙ୍କ ଟିକସ ଟଙ୍କାର ଖୋଲାଖୋଲି ଦୁରୁପଯୋଗ ବୋଲି ସାଧାରଣରେ ଆଲୋଚନା ହେଉଛି।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଗ୍ରାମ୍ୟ ବିକାଶ ବିଭାଗର ଅଧିକାରୀମାନେ କେବେ ଏହି ରାସ୍ତାର ବାସ୍ତବ ଅବସ୍ଥା ଦେଖିଛନ୍ତି କି? ଯଦି ଦେଖିଛନ୍ତି, ତେବେ ଏହାର ସ୍ଥାୟୀ ସମାଧାନ କାହିଁକି ହୋଇନାହିଁ? ନା କୌଣସି ବଡ଼ ଦୁର୍ଘଟଣା, ଜୀବନହାନି କିମ୍ବା ଜନଆନ୍ଦୋଳନ ପରେ ହିଁ ବିଭାଗର ନିଦ ଭାଙ୍ଗିବ? ଲୋକଙ୍କ ଜୀବନଠାରୁ କି ଫାଇଲର ନୋଟିଂ ଓ ଟେଣ୍ଡର ପ୍ରକ୍ରିୟା ଅଧିକ ମୂଲ୍ୟବାନ? ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ, ଉନ୍ନତ ସଡ଼କ ଯୋଗାଯୋଗ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖାଉଥିବା ବେଳେ ଖରଡ଼ି ଗ୍ରାମର ଏହି ରାସ୍ତା ସେହି ସବୁ ଦାବିକୁ ପ୍ରଶ୍ନବାଚୀ ସମ୍ମୁଖରେ ଠିଆ କରିଛି। କାଗଜକଲମରେ ବିକାଶର ଚିତ୍ର ଯେତେ ସୁନ୍ଦର ଦେଖାଯାଉ, ବାସ୍ତବରେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ତାହାର ସମ୍ପୂର୍ଣ୍ଣ ବିପରୀତ କାହାଣୀ କହୁଛି। ସ୍ଥାନୀୟ ବୁଦ୍ଧିଜୀବୀ, ଯୁବବର୍ଗ ଓ ସାଧାରଣ ଲୋକେ ଜିଲ୍ଲାପାଳ, ଦାନଗଦି ବିଡିଓ, ଗ୍ରାମ୍ୟ ବିକାଶ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି ଯେ, ଏହି ରାସ୍ତାର ତୁରନ୍ତ ସ୍ଥାୟୀ ପକ୍କା ନିର୍ମାଣ, ଡ୍ରେନେଜ୍ ବ୍ୟବସ୍ଥା ଓ ଗୁଣାତ୍ମକ କାର୍ଯ୍ୟ କରାଯାଉ। ଆଉ ଅସ୍ଥାୟୀ ମରାମତି ନୁହେଁ, ବରଂ ସ୍ଥାୟୀ ସମାଧାନ ହିଁ ସମୟର ଦାବି।ଖରଡ଼ିବାସୀଙ୍କ ଗୋଟିଏ ହିଁ ପ୍ରଶ୍ନ, ଆଉ କେତେ ଦିନ ଏହି ମରଣଯନ୍ତା ରାସ୍ତାରେ ଜୀବନକୁ ବାଜି ଲଗାଇ ଚାଲିବୁ? ଗ୍ରାମ୍ୟ ବିକାଶ ବିଭାଗର ନିଦ ଭାଙ୍ଗିବ କେବେ?

Jajpur (ଯାଜପୁର) • ରିପୋର୍ଟ ଅନିଲ କୁମାର ଜେନା କଳିଙ୍ଗନଗର