--:--:--
-- ---
Srishti News

ଲୋକକଳା ଓ ସଂସ୍କୃତିର ଝଲକ ସାଙ୍ଗକୁ ଭାଇଚାରାର ବାର୍ତ୍ତା

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକSeptember 18, 20268 views
ଲୋକକଳା ଓ ସଂସ୍କୃତିର ଝଲକ ସାଙ୍ଗକୁ ଭାଇଚାରାର ବାର୍ତ୍ତା
ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବରମୁଣ୍ଡା ଗ୍ରାମରେ ଆୟୋଜିତ ‘ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ତିନିଦିନ ଧରି ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ପ୍ରବନ୍ଧ, ରସିଘିଚା, ମ୍ୟୁଜିକ ଚେୟାର, ରଙ୍ଗୋଲି, କ୍ୟାରମ ଓ ଚିତ୍ରାଙ୍କନ ଭଳି ପ୍ରତିଯୋଗିତାରେ ଗ୍ରାମର ଯୁବକଯୁବତୀ ଓ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇଥିଲେ। ବିଜେପୁର ବ୍ଲକ ଚେୟାରମ୍ୟାନ ଜୟକୃଷ୍ଣ ଡନସେନା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିବାବେଳେ ଗୌନ୍ତିଆ ଚନ୍ଦ୍ରଗୁପ୍ତ ନାଏକଙ୍କ ସଭାପତିତ୍ୱରେ ସାଧାରଣ ସଭାରେ ରିତା ସାହୁ ଯୋଗଦାନ କରିଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇଙ୍କ ସମେତ ବିଭିନ୍ନ ଜନପ୍ରତିନିଧି, ବୁଦ୍ଧିଜୀବୀ, ଚାଷୀ ଓ କଳାକାର ଉପସ୍ଥିତ ଥିଲେ।ସମାଜସେବା ଓ ଗ୍ରାମର ପୂଜାର୍ଚ୍ଚନା କ୍ଷେତ୍ରରେ ଅବଦାନ ପାଇଁ ସ୍ୱର୍ଗତ ରୋହିତାସ୍ଵ ମାଝୀଙ୍କୁ ମରଣୋତ୍ତର ଭାବେ ‘ଅମୂଲ୍ୟ ରତନ ବରମୁଣ୍ଡା’ ସମ୍ମାନ ପ୍ରଦାନ କରାଯାଇଥିଲା।ସନ୍ଧ୍ୟାରେ ଗ୍ରାମର ଛାତ୍ରଛାତ୍ରୀଙ୍କ ଲୋକନୃତ୍ୟ ଓ ସଙ୍ଗୀତ ପରିବେଷଣ ସହ ‘ବୁଢ଼ାରଜା କଳା ପରିଷଦ’ର ଦୁଲ୍‌ଦୁଲି ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଏହାପରେ ହେମନ୍ତ କୁମାର ପଧାନଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ନାଟକ ‘ସମିଆର୍‌ ଖେଲ୍‌’ ମଞ୍ଚସ୍ଥ ହୋଇଥିଲା। ଅନ୍ତିମ ଦିନରେ ଡ. ବୃନ୍ଦାବନ ନାଏକଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ବିଜେପୁର ବିଧାୟକ ସନତ କୁମାର ଗଡତିୟା ଯୋଗଦେଇଥିଲେ। ଏହି ଅବସରରେ ସ୍ୱଚ୍ଛ ପରିବେଶ, ବୃକ୍ଷରୋପଣ ଓ ସମାଜକଲ୍ୟାଣ ଉପରେ ଅତିଥିମାନେ ମତ ରଖିଥିଲେ।ବୃକ୍ଷରୋପଣ, ହସ୍ତତନ୍ତ ଓ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ କନଗାଁର ରାମଚନ୍ଦ୍ର ସାହୁଙ୍କୁ ‘ମିତ୍‌ ମଏତର’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ପଦ୍ମପୁରର ‘ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ’ର ଦୁଲ୍‌ଦୁଲି, ମହୁଲପାଲି କଳାକାରଙ୍କ ରାଧାକୃଷ୍ଣ ଲୀଳା ନୃତ୍ୟ ଏବଂ ଶେଷରେ ଗୁରୁଶ୍ରୀ ଜଗନ୍ନାଥ ସେଟ୍‌ଙ୍କ ନିର୍ଦ୍ଦେଶିତ ନାଟକ ‘ଆଦମ୍‌ ଖୋର୍‌’ ପରିବେଷିତ ହୋଇଥିଲା। ନାଟକ ମାଧ୍ୟମରେ ପାରିବାରିକ ସମ୍ପର୍କ ଓ ଲୋଭର ପରିଣାମ ନେଇ ସାମାଜିକ ବାର୍ତ୍ତା ଦିଆ ଯାଇଥିଲା। ଶିକ୍ଷକ ଡୋଲାମଣି ପଧାନ, ବିଭୂତି ଭୂଷଣ ସାହୁ ଓ ଆଶିଷ ପାଧନ ମଞ୍ଚ ପରିଚାଳନା କରିଥିବାବେଳେ ଶେଷଦେବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।