--:--:--
-- ---
Srishti News

Web News

ବରଗଡ଼ର ନୂଆ SDPO ହେଲେ IPS ଏ.ବି. ଶିଳ୍ପା ୨୦୨୧ ବ୍ୟାଚ୍‌ର IPS ଅଧିକାରୀଙ୍କୁ ବରଗଡ଼ ଉପଖଣ୍ଡର ଦାୟିତ୍ୱ
Sep 23, 2026•12 views

ବରଗଡ଼ର ନୂଆ SDPO ହେଲେ IPS ଏ.ବି. ଶିଳ୍ପା ୨୦୨୧ ବ୍ୟାଚ୍‌ର IPS ଅଧିକାରୀଙ୍କୁ ବରଗଡ଼ ଉପଖଣ୍ଡର ଦାୟିତ୍ୱ

ବରଗଡ଼, ୨୨ ସେପ୍ଟେମ୍ବର ୨୦୨୬: ବରଗଡ଼ ଉପଖଣ୍ଡ ପୋଲିସ ବିଭାଗରେ ନୂଆ SDPO ଭାବେ ୨୦୨୧ ବ୍ୟାଚ୍‌ର IPS ଅଧିକାରୀ ଏ.ବି. ଶିଳ୍ପାଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ IPS ଅଧିକାରୀମାନଙ୍କ ବଦଳି ଓ ନିଯୁକ୍ତି ସମ୍ପର୍କିତ ନିର୍ଦ୍ଦେଶନାମାରେ ଏହି ନିଯୁକ୍ତି ସୂଚନା ରହିଛି। ଉପଲବ୍ଧ ସରକାରୀ ଅଧିକାରୀ ତାଲିକାରେ ଏ.ବି. ଶିଳ୍ପାଙ୍କୁ ୨୦୨୧ ରେ ନିଯୁକ୍ତି ପାଇଥିବା IPS ଅଧିକାରୀ ଭାବେ ଦର୍ଶାଯାଇଛି। Odisha Government ନୂଆ ଦାୟିତ୍ୱ ଅନୁସାରେ ଶିଳ୍ପା ବରଗଡ଼ SDPO ଭାବେ କାର୍ଯ୍ୟ କରିବେ। ଏହି ନିଯୁକ୍ତି ପରେ ବରଗଡ଼ ଉପଖଣ୍ଡର ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ପ୍ରଶାସନ ସମ୍ବନ୍ଧୀୟ କାର୍ଯ୍ୟରେ ତାଙ୍କ ଉପରେ ଦାୟିତ୍ୱ ରହିବ। ଏ.ବି. ଶିଳ୍ପା ପୂର୍ବରୁ ପୋଲିସ ବିଭାଗର ବିଭିନ୍ନ ଦାୟିତ୍ୱରେ କାର୍ଯ୍ୟ କରିଥିବା ଅଧିକାରୀ ତାଲିକାରୁ ଜଣାପଡ଼େ। Odisha Government ନୂଆ SDPOଙ୍କ ଯୋଗଦାନକୁ ନେଇ ବରଗଡ଼ ପୋଲିସ ପ୍ରଶାସନରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Bargarh (ବରଗଡ଼) • Reports: Satya Surujal

ପୁରୀରେ ଆୟୋଜିତ ହେଲା ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ ଶିବିର: ରୋଟାରୀ ଇଷ୍ଟ ଓ ଜଗନ୍ନାଥ ଧାମର ମିଳିତ ପ୍ରୟାସ
Sep 22, 2026•20 views

ପୁରୀରେ ଆୟୋଜିତ ହେଲା ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ ଶିବିର: ରୋଟାରୀ ଇଷ୍ଟ ଓ ଜଗନ୍ନାଥ ଧାମର ମିଳିତ ପ୍ରୟାସ

​ବ୍ରହ୍ମପୁର, ରାଜସ୍ଥାନ ଜୟପୁର ସ୍ଥିତ ‘ଶ୍ରୀ ଭାଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି’ର ସହଯୋଗ, ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟ ଏବଂ ରୋଟାରୀ କ୍ଲବ ଅଫ୍ ଜଗନ୍ନାଥ ଧାମର ମିଳିତ ଆନୁକୂଲ୍ୟରେ ପୁରୀଠାରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ​ଏହି ସେବାମୂଳକ କାର୍ଯ୍ୟକ୍ରମକୁ ରୋଟାରୀ ଜିଲ୍ଲା-୩୨୬୨ର ଗଭର୍ଣ୍ଣର ଅନିଲ କୁମାର ସାମଲ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସଭାରେ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, "ଦିବ୍ୟାଙ୍ଗମାନଙ୍କ କଲ୍ୟାଣ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ, ରୋଟାରୀ ତରଫରୁ ନିରବଚ୍ଛିନ୍ନ ଭାବେ ଚାଲିଥିବା ଏହିଭଳି ସେବାମୂଳକ କାର୍ଯ୍ୟକ୍ରମ ବାସ୍ତବରେ ଅତ୍ୟନ୍ତ ପ୍ରଶଂସନୀୟ।" ​ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ପ୍ରାନ୍ତପାଳ ମନୋଜ କୁମାର ତ୍ରିପାଠୀ ଓ ପ୍ରଭୁଦତ୍ତ ସୁବୁଦ୍ଧି, କାର୍ଯ୍ୟକ୍ରମର ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି (ରୋଟାରୀ ଇଷ୍ଟ), ଜଗନ୍ନାଥ ଧାମର ସଭାପତି ସନମୋହନ ପ୍ରଧାନ ଏବଂ ରୋଟାରୀ ଇଷ୍ଟର ସଭାପତି ହୃଷୀକେଶ ପ୍ରଧାନ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ​କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ଜଗନ୍ନାଥ ଧାମର ସମ୍ପାଦକ ରବିନାରାୟଣ ସାହୁଙ୍କ ସମେତ ରୋଟାରୀ ଇଷ୍ଟର ଡଃ ସମ୍ବିତ ବେଗ୍ରାୟ, ରାଜେଶ୍ୱର ରାଓ, କାମରାଜୁ ମହାରଣା, ପ୍ରଦୀପ କୁମାର ପଣ୍ଡା, ଅସିତ ଦତ୍ତ, ଜୟନ୍ତ କିଶୋର ପାତ୍ର ଓ ଶାନ୍ତନୁ କୁମାର ପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏହି ଶିବିର ମାଧ୍ୟମରେ ଅନେକ ଦିବ୍ୟାଙ୍ଗ ଉପକୃତ ହୋଇପାରିଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ: ଦୁର୍ଗା ମାଧବ ମହାରଣା, ଚିକିଟି

କୋରିଗାଁରେ ୪ର୍ଥ ବର୍ଷର କୁରଙ୍ଗେଶ୍ୱର ଶିବିର
Sep 22, 2026•61 views

କୋରିଗାଁରେ ୪ର୍ଥ ବର୍ଷର କୁରଙ୍ଗେଶ୍ୱର ଶିବିର

୨୨ ୟୁନିଟ୍ ରକ୍ତ ସଂଗ୍ରହ, ଯୁବପିଢ଼ିଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପ୍ରଖଣ୍ଡରେ ବଜରଙ୍ଗ ଦଳ ପକ୍ଷରୁ ଯୁବପିଢ଼ିଙ୍କୁ ନେଇ ୪ର୍ଥ ବର୍ଷର କୁରଙ୍ଗେଶ୍ୱର ଶିବିର ଅନୁଷ୍ଠିତ ହୋଇଯାଇଛି। କୋରିଗାଁ ଖଣ୍ଡସ୍ଥିତ S.V.S.K. ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା। ଶିବିରରେ ଯୁବପିଢ଼ିଙ୍କ ଉତ୍ସାହଜନକ ଅଂଶଗ୍ରହଣ ମଧ୍ୟରେ ମୋଟ ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଭଦ୍ରକ ରେଡ୍ କ୍ରସ୍ ପକ୍ଷରୁ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଏହି ଅବସରରେ ସାଧୁ ବାବା ସନ୍ତୋଷ ଦାସ, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା କର୍ମକର୍ତ୍ତା ରଥକିଶୋର ସାମଲ, ଚନ୍ଦ୍ରଶେଖର ସାମଲ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ରବି ସାହୁ, ଗରୁଜୀ ଗୁରୁମା, ସମାଜସେବୀ ସନ୍ଦୀପ ସାମଲ, ଇଞ୍ଜିନିୟର ଦେବ ସେଠୀ, ଆଶିଷ ସାମଲ, ସିଦ୍ଧାର୍ଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗ୍ରାମ କର୍ମକର୍ତ୍ତା, ଶିଶୁ ମନ୍ଦିର କାର୍ଯ୍ୟକର୍ତ୍ତା ମହେଶ୍ୱର ନାୟକଙ୍କ ସମେତ ବଜରଙ୍ଗ ଦଳର ହିମାଂଶୁ ଶେଖର ବେହେରା, ପ୍ରକାଶ ଚନ୍ଦ୍ର ନାୟକ, ସିଲୁ ଦାସ, ଗୌରା ବାରିକ, କହ୍ନେଇ ସୂତାର, ଦୀନା ସାହୁ, ବୁବୁ ଆଇଚ, ସିତୁନୁ ଦାଶ, ମିଲନ ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଓ ଯୁବକ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଆବଶ୍ୟକ ସମୟରେ ରକ୍ତ ଯୋଗାଣରେ ସହାୟତା କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆୟୋଜକଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଖୁଦୁରୁକୁଣୀ ଭସାଣି ଉତ୍ସବ ସମାପନ: ବାଣ ରୋଷଣୀରେ ଦୁଲିଲା ରାହାସ ଗାଁ, ଶୋଭାଯାତ୍ରାରେ ନଦୀ ଅଭିମୁଖେ ମା’ଙ୍କୁ ବିଦାୟ
Sep 22, 2026•68 views

ଖୁଦୁରୁକୁଣୀ ଭସାଣି ଉତ୍ସବ ସମାପନ: ବାଣ ରୋଷଣୀରେ ଦୁଲିଲା ରାହାସ ଗାଁ, ଶୋଭାଯାତ୍ରାରେ ନଦୀ ଅଭିମୁଖେ ମା’ଙ୍କୁ ବିଦାୟ

ଯାଜପୁର/ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ କପିଳା ଗ୍ରାମପଞ୍ଚାୟତର ରାହାସ ଗ୍ରାମ ବାଉଁଶବାଡ଼ି ଜେନାସାହିରେ ଚଳିତ ବର୍ଷର ଖୁଦୁରୁକୁଣୀ ପୂଜା ଓ ଭସାଣି ଉତ୍ସବ ଧୁମଧାମରେ ସମାପନ ହୋଇଛି। ସାହିର ଉଦୀୟମାନ କୁମାରୀମାନଙ୍କ ସମେତ ଯୁବକ ଓ ସାହିବାସୀଙ୍କ ମିଳିତ ଉଦ୍ୟମରେ ମା’ ଖୁଦୁରୁକୁଣୀଙ୍କ ମୂର୍ତ୍ତିକୁ ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ଅବସରରେ ମାସସାରା ନିରାମିଷ ଭୋଜନ କରି ଭକ୍ତି ଓ ନିଷ୍ଠାର ସହ ମା’ଙ୍କ ଆରାଧନା କରିଥିଲେ ଯୁବତୀମାନେ। ପୂଜାର ସମାପନ ଅବସରରେ ଆୟୋଜିତ ଭସାଣି ଶୋଭାଯାତ୍ରା ବେଶ୍ ଆକର୍ଷଣୀୟ ହୋଇଥିଲା। ବାଣ ରୋଷଣୀ ଓ ବାଦ୍ୟବାଜଣାରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ମା’ଙ୍କ ମୂର୍ତ୍ତିକୁ ଗ୍ରାମ ପରିକ୍ରମା କରାଇବା ପରେ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ନଦୀ ଅଭିମୁଖେ ନେଇଥିଲେ। ଏହି ଅବସରରେ ସାହିର ମହିଳା, ଯୁବକ ଓ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶ ମଧ୍ୟରେ ମା’ ଖୁଦୁରୁକୁଣୀଙ୍କୁ ବିଦାୟ ଦିଆଯାଇଥିଲା।

Jajpur (ଯାଜପୁର) • ଯାଜପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟ

ଚିକିଟି ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ "ମାଁ ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ
Sep 22, 2026•33 views

ଚିକିଟି ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ "ମାଁ ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିକିଟି : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପୀ ଚାଲିଥିବା ଏକମାସିଆ "ସେବା ସଂକଳ୍ପ ଅଭିଯାନ" ଅନ୍ତର୍ଗତ ଚିକିଟି ନିର୍ବାଚନ ମଣ୍ଡଳୀର କଳବାଡ଼ ପଞ୍ଚାୟତ ସ୍ଥିତ ବରାହୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆୟୋଜିତ "ମାଁ ପାଇଁ ଗଛଟିଏ" (ଏକ ପେଡ଼ ମାଁ କେ ନାମ) କାର୍ଯ୍ୟକ୍ରମରେ ସ୍ଥାନୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାମାନେ ବହୁ ସଂଖ୍ୟାରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ବିଜେପିର ବହୁ ମାନ୍ୟଗଣ୍ୟ କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ଏଭଳି ଏକ ମହତ ସେବା କାର୍ଯ୍ୟ ଓ ପରିବେଶ ଅନୁକୂଳ ଅଭିଯାନ ମାଧ୍ୟମରେ ପାଳନ କରାଯାଇଥିବାରୁ କାର୍ଯ୍ୟକର୍ତ୍ତାମାନେ ନିଜକୁ ଧନ୍ୟ ମନେ କରିବା ସହ ଏହା ଆଗାମୀ ଦିନରେ ଅଞ୍ଚଳକୁ ସବୁଜ ସୁନ୍ଦର କରିବାରେ ବେଶ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି। ବିଶେଷ କରି ମାପାଇଁଗଛଟିଏ ଏବଂ ସେବାସଂକଳ୍ପଦିବସ ବାର୍ତ୍ତାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ତିଳେଇଝର ଗାଁରେ ଭାଲୁ ଆକ୍ରମଣ, ବୃଦ୍ଧ ଗୁରୁତର: ରାସ୍ତାରେ ସାଇକେଲ ଯୋଗେ ଯାଉଥିବା ବେଳେ ହଠାତ୍‌ ଆକ୍ରମଣ; ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ
Sep 22, 2026•59 views

ତିଳେଇଝର ଗାଁରେ ଭାଲୁ ଆକ୍ରମଣ, ବୃଦ୍ଧ ଗୁରୁତର: ରାସ୍ତାରେ ସାଇକେଲ ଯୋଗେ ଯାଉଥିବା ବେଳେ ହଠାତ୍‌ ଆକ୍ରମଣ; ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ

ନୂଆପଡ଼ା:୨୨/୦୯ : ନୂଆପଡ଼ା ସଦର ତିଳେଇଝର ଗାଁ ନିକଟରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଆହତ ବୃଦ୍ଧ ଜଣକ ତିଳେଇଝର ଗ୍ରାମର ରୂପସିଂ ରାଉତ ବୋଲି ଜଣାପଡ଼ିଛି। ଘଟଣା ପରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ରୂପସିଂ ରାଉତ ନିଜ ଘରୁ ସାଇକେଲ ଯୋଗେ ଦର୍ଲିମୁଣ୍ଡା ଅଭିମୁଖେ ଯାଉଥିଲେ। ତିଳେଇଝର ଗାଁ ନିକଟସ୍ଥ ରାସ୍ତାରେ ଯାଉଥିବା ସମୟରେ ହଠାତ୍‌ ଏକ ଭାଲୁ ତାଙ୍କ ସମ୍ମୁଖକୁ ଆସି ଆକ୍ରମଣ କରିଥିବା ଜଣାପଡ଼ିଛି। ଭାଲୁର ଆକ୍ରମଣରେ ସେ ରାସ୍ତାରେ ପଡ଼ିଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ରୂପସିଂ ରାଉତଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଏହି ଘଟଣା ପରେ ତିଳେଇଝର ଗାଁ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଗାଁ ନିକଟରେ ଭାଲୁର ଗତିବିଧି ଥିବାରୁ ଲୋକମାନେ ବିଶେଷକରି ସକାଳ ଓ ସନ୍ଧ୍ୟା ସମୟରେ ଯାତାୟାତ କରିବାକୁ ଭୟ କରୁଥିବା କୁହାଯାଉଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଗତିବିଧି ରହୁଥିବାରୁ ଏଭଳି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ତେଣୁ ଭାଲୁର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନଜର ରଖିବା ସହ ଗାଁ ଓ ରାସ୍ତା ନିକଟରେ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିସହ ଆହତ ବୃଦ୍ଧଙ୍କ ଉତ୍ତମ ଚିକିତ୍ସା ଓ ଆବଶ୍ୟକ ସହାୟତା ପାଇଁ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବାକୁ ମଧ୍ୟ ଦାବି ହୋଇଛି। ଘଟଣା ପରେ ବନ ବିଭାଗ ପକ୍ଷରୁ ଭାଲୁର ଗତିବିଧି ଉପରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସ୍ଥାନୀୟ ଲୋକଙ୍କ ନଜର ରହିଛି।

Nuapada (ନୂଆପଡ଼ା) • ବିଜୟ ବରିହା

ଖୋର୍ଦ୍ଧା ପୋଲିସର ବଡ଼ ଚଢ଼ାଉ, ବେଆଇନ ଜର୍ଦ୍ଦା-ଗୁଟଖା କାରବାର ପର୍ଦ୍ଦାଫାଶ
Sep 22, 2026•44 views

ଖୋର୍ଦ୍ଧା ପୋଲିସର ବଡ଼ ଚଢ଼ାଉ, ବେଆଇନ ଜର୍ଦ୍ଦା-ଗୁଟଖା କାରବାର ପର୍ଦ୍ଦାଫାଶ

ଖୋର୍ଦ୍ଧା: ବେଆଇନ ଜର୍ଦ୍ଦା ଓ ଗୁଟଖା କାରବାର ବିରୋଧରେ ଖୋର୍ଦ୍ଧା ପୋଲିସର ବଡ଼ଧରଣର ଚଢ଼ାଉ। ଚଢ଼ାଉ ବେଳେ ୪୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଜର୍ଦ୍ଦା, ଗୁଟଖା ଓ ଅନ୍ୟାନ୍ୟ ସାମଗ୍ରୀ ସହ ନଗଦ ଟଙ୍କା ଜବତ କରିଛି ପୋଲିସ। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଖୋର୍ଦ୍ଧା ପୋଲିସର ଏହି ଚଢ଼ାଉ ପରେ ବେଆଇନ ଜର୍ଦ୍ଦା ଓ ଗୁଟଖା କାରବାର କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ଜବତ ସାମଗ୍ରୀ ଓ ନଗଦ ଟଙ୍କାକୁ ପୋଲିସ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ - ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ତୋର୍ରା ଗ୍ରାମ ପାଇଁ ଗୌରବ ଆଣିଲେ ଖେମନ: ନିଟ୍‌ (ୟୁଜି) ପରୀକ୍ଷାରେ ପ୍ରଥମ ପ୍ରଚେଷ୍ଟାରେ ସଫଳତା
Sep 22, 2026•54 views

ତୋର୍ରା ଗ୍ରାମ ପାଇଁ ଗୌରବ ଆଣିଲେ ଖେମନ: ନିଟ୍‌ (ୟୁଜି) ପରୀକ୍ଷାରେ ପ୍ରଥମ ପ୍ରଚେଷ୍ଟାରେ ସଫଳତା

ନୂଆପଡ଼ା:୨୨/୦୯ ଦଣ୍ଡ ମୁକ୍ତ ଅଞ୍ଚଳର ଏକ ଗରିବ ପରିବାରରୁ ଆସି ନିଜର ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ପରିଶ୍ରମ ବଳରେ ନିଟ୍‌ (ୟୁଜି) ପରୀକ୍ଷାରେ ସଫଳତା ହାସଲ କରି ତୋର୍ରା ଗ୍ରାମ ତଥା ନିଜ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଖେମନ ସତନାମୀ। ତାଙ୍କ ଏହି ସଫଳତା ପରେ ତୋର୍ରା ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ଠାକୁର ସିଂ ସତନାମୀ ଓ କୋମଲ ବାଇ ସତନାମୀଙ୍କ ପୁଅ ଖେମନ ସତନାମୀ ପିଲାଦିନରୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ। ସେ ତୋର୍ରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ୨୦୧୭-୧୮ ଶିକ୍ଷାବର୍ଷରେ ନବୋଦୟ ପ୍ରବେଶିକା ପରୀକ୍ଷାରେ ଚୟନ ହୋଇ ତରବୋଡ଼ାସ୍ଥିତ ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ନବୋଦୟ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୪ ଶତକଡ଼ା ନମ୍ବର ରଖି ସଫଳତା ହାସଲ କରିବା ପରେ ଖେମନଙ୍କୁ ପୁଣେସ୍ଥିତ ଦକ୍ଷିଣା ଫାଉଣ୍ଡେସନ ଅନୁଶିକ୍ଷଣ କେନ୍ଦ୍ର ପକ୍ଷରୁ ଏକ ବର୍ଷର ମାଗଣା ମେଡିକାଲ କୋଚିଂ ନେବାର ସୁଯୋଗ ମିଳିଥିଲା। ଏହି ସୁଯୋଗକୁ ସଠିକ୍‌ ଭାବେ ଉପଯୋଗ କରି ସେ ୨୦୨୫-୨୬ ନିଟ୍‌ ପରୀକ୍ଷାରେ ପ୍ରଥମ ପ୍ରଚେଷ୍ଟାରେ ସଫଳତା ହାସଲ କରିଛନ୍ତି। ଖେମନଙ୍କ ଏହି ସଫଳତାରେ ତୋର୍ରା ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏକ ମଫସଲ ଗ୍ରାମର ସାଧାରଣ ପରିବାରର ଜଣେ ଛାତ୍ର ନିଜ ଅଧ୍ୟବସାୟ ବଳରେ ନିଟ୍‌ ପରୀକ୍ଷାରେ ସଫଳତା ପାଇବା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛି। ଖେମନଙ୍କ ସଫଳତା ପାଇଁ ତୋର୍ରା ବିଦ୍ୟାଳୟର ସେତେବେଳର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କିଶୋର କୁମାର ପରିଡ଼ା, ସହକାରୀ ଶିକ୍ଷକ ଦେଓ ରାମ ସତନାମୀ, ଟିକେଲାଲ ଶବର, ଲକ୍ଷ୍ମୀଚନ୍ଦ ପଟେଲ, ଶିଶିର କୁମାର ଭୋଇ, ମନୋଜ କୁମାର ପଟେଲ, ମନିଷ କୁମାର ସାହୁ, ଜାନ ସଭାପତି ଘନଶ୍ୟାମ ଭୋଇ ଏବଂ ବର୍ତ୍ତମାନର ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ୍‌ ଭଗତ ରାମ ମାଝୀ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ତାଙ୍କୁ ଉପଢୌକନ, ଡାଇରୀ ଓ କଲମ ପ୍ରଦାନ କରି ଉତ୍ସାହିତ କରାଯିବା ସହ ଶୁଭେଚ୍ଛା ଓ ଶୁଭାଶୀର୍ବାଦ ପ୍ରଦାନ କରାଯାଇଥିଲା। ଖେମନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ଶିକ୍ଷାଜୀବନର ସଫଳତା କାମନା କରିଥିଲେ ଉପସ୍ଥିତ ଶିକ୍ଷକ ଓ ଅଞ୍ଚଳବାସୀ।

Nuapada (ନୂଆପଡ଼ା) • ରିପୋର୍ଟ: ବିଜୟ ବରିହା

ବଦଳିଲେ ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ୍‌* ନୂତନ ଏସ୍‌ପି ଭାବେ ଦାୟିତ୍ୱ ନେଲେ ଅଭିନବ ସୋନକର
Sep 22, 2026•16 views

ବଦଳିଲେ ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ୍‌* ନୂତନ ଏସ୍‌ପି ଭାବେ ଦାୟିତ୍ୱ ନେଲେ ଅଭିନବ ସୋନକର

ବ୍ରହ୍ମପୁର; ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ୍‌ଙ୍କ ବଦଳି ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବଦଳି ନିର୍ଦ୍ଦେଶନାମାରେ ତାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ଢେଙ୍କାନାଳ ଏସ୍‌ପି ଭାବେ କାର୍ଯ୍ୟରତ ଅଭିନବ ଶଙ୍କରଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ବଦଳି କରାଯାଇଛି। ଅଭିନବ ସୋନକର ୨୦୧୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ। ଗୃହ ବିଭାଗର ନୋଟିଫିକେସନ୍‌ ଅନୁଯାୟୀ, ସେ ଖୁବ୍‌ଶୀଘ୍ର ବ୍ରହ୍ମପୁର ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କରିବେ।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ

ପିଏଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
Sep 22, 2026•11 views

ପିଏଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ -ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କନବାର ଗ୍ରାମରେ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଳନ କରାଯିବାକୁ ଆଜି ସ୍କୁଲ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସାନନ୍ଦ କୁମାର ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ବରଗଡ ସବ୍‌ଡିଭିଜନର ସାଂସଦ ପ୍ରତିନିଧି ଲିପସିତ ମିଶ୍ର, ସମ୍ମାନିତ ଅତିଥି ସ୍କୁଲ ଶତବାର୍ଷିକୀ ପାଳନର ବୟୋଜ୍ୟଷ୍ଠ ସଭାପତି ଭୋଜରାଜ ପଧାନ, ସମ୍ମାନିତ ଅତିଥି ସ୍କୁଲ ପରିଚାଳନା କମିଟିର ସଭାପତି ଗୋପ ଭୋଇ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ପ୍ରଶାନ୍ତ ଭୋଇ । ଏହି ସ୍କୁଲ ଚଳିତ ବର୍ଷ ୨୦୨୬ ମସିହା ଡିସେମ୍ବର ମାସରେ ତାର ୧୦୦ ବର୍ଷ ଅତିକ୍ରମ କରିବ ଏଂବ ତିନିଦିନ ଧରି ଏହି ଉତ୍ସବ ପାଳନ କରାଯିବ, ଏହି ଅବସରରେ ଗ୍ରାମବାସୀଙ୍କ ତରଫରୁ ଧୁମଧାମରେ ଶତବାର୍ଷିକୀକୁ ପାଳନ କରାଯିବାକୁ ଏଂବ ସ୍କୁଲ ତରଫରୁ ଏକ ସ୍ମରଣିକା ପ୍ରକାଶ କରାଯିବାକୁ ତଥା ସାଂସ୍କୃତିକ କାର୍ଯ୍ୟକ୍ରମଠୁ ଆରମ୍ଭ କରି ଓଡିଶାର ମହା ମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଶତବାର୍ଷିକୀ ପାଳନର ପରିଚାଳନା କମିଟିକୁ ଧରି ଭୂବନେଶ୍ୱର ଯାଇ ନିଜେ ରହି ନିମନ୍ତ୍ରଣ କରିବାକୁ ଶ୍ରୀ ପୁରୋହିତ ପ୍ରତିଶ୍ରୁତି ଦେଇଥିଲେ ଏଂବ ଏହି ଉତ୍ସବରେ ପ୍ରଶାସନିକ ସ୍ତରର ସମସ୍ତ ଅଧିକାରୀ ତଥା ଏ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବାକୁ ସାଂସଦ ପ୍ରତିନିଧି ଶ୍ରୀ ମିଶ୍ର କହିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ସେବା ବିନିମୟ ମୁକ୍ତା ବାରିକ ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବେଟି ବଚାଓ ବେଟି ପଢ଼ାଓ" ଉପରେ ସମନ୍ୱୟ ବୈଠକ ଅନୁଷ୍ଠିତ
Sep 22, 2026•15 views

ବେଟି ବଚାଓ ବେଟି ପଢ଼ାଓ" ଉପରେ ସମନ୍ୱୟ ବୈଠକ ଅନୁଷ୍ଠିତ

ରାଉରକେଲା: ସୁନ୍ଦରଗଡ ର ସଦଭାବନା ଭବନ ଠାରେ ବେଟି ବଚାଓ ବେଟି ପଢାଓ ଅନ୍ତର୍ଭୁକ୍ତ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଓ "ଶିଶୁ ପାଇ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂରଜ କୁମାର ପଟ୍ଟନାୟକ ଏବଂ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଫିସର ଉପସ୍ଥିତ ରହି ପ୍ରାସଙ୍ଗିକ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ସେହିଭଳି ବାଲ୍ୟ ବିବାହ ପ୍ରତିରୋଧ ପାଇ କି କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଉପରେ ମଧ୍ୟ ଉପସ୍ଥାପନ କରାଯାଇଥିଲା।ଜିଲା ଶିକ୍ଷା ଅଧିକାରୀ ଛାତ୍ରୀମାନଙ୍କ ଶିକ୍ଷା ପାଇଁ କଣ କଣ ସୁବିଧା ସୁଯୋଗ ରହିଛି ତାହା ଉପରେ ଆଲୋଚନା କରିଥିଲେ।ସେହିପରି ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପୋଲିସ ବିଭାଗ, ଶ୍ରମ ବିଭାଗ ନିଜ ନିଜ ବିଭାଗରେ ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ସମୟରେ ତୃଣମୂଳ ସ୍ତରରୁ ଉଦ୍ୟମ କରି ସଚେତନତାର ଅଭିଯାନ ଆରମ୍ଭ କରି ଶିଶୁ ମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ଵାରୋପ ପ୍ରଦାନ କରାଯିବା ନେଇ ବୈଠକ ରେ ଆଲୋଚନା କରାଯାଇଥିଲା । ସେହିଭଳି ବୈଠକ ରେ ବାଲ୍ୟ ବିବାହ ପ୍ରତିରୋଧ କରି ସି ଡି ପି ଓ ମାନେ ପଦକ୍ଷେପ ଗ୍ରହଣ କଲା ପରେ ମଧ୍ୟ ପରବର୍ତୀ ସମୟରେ ବିଭିନ୍ନ ସମସ୍ୟା ଉପୁଜୁଥିବା ନେଇ ପୋଲିସ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗ୍ରାମ ଶିଶୁ ସୁରକ୍ଷା କମିଟିର ନିୟମିତ ବୈଠକ, କିଶୋର ଟ୍ରାକିଙ୍ଗ ଖାତା ପୂରଣ, ଓ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଓ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଘୋଷଣା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଏସ୍‌ପିସିବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ପାଳିତ: ଶୀତଳ ପୃଥିବୀ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ ଆହ୍ୱାନ
Sep 22, 2026•11 views

ଏସ୍‌ପିସିବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ପାଳିତ: ଶୀତଳ ପୃଥିବୀ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ ଆହ୍ୱାନ

ରାଉରକେଲା, ୨୨/୦୯: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି), ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆରଏସପିସ୍ଥିତ ସିପିଟିଆଇ ଅଡିଟୋରିୟମରେ ବିଶ୍ୱ ଓଜୋନ ଦିବସ-୨୦୨୬ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ଶୀତଳ ପୃଥିବୀ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ’ ରଖାଯାଇଥିଲା। ଏହି ଅବସରରେ ଓଜୋନ ସ୍ତର ସୁରକ୍ଷା ସହ ଓଜୋନ କ୍ଷୟକାରୀ ପଦାର୍ଥ (ODS) ହ୍ରାସ ଏବଂ ପରିବେଶ ଅନୁକୂଳ ନୂତନ ପ୍ରଯୁକ୍ତି ଆପଣାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏସ୍‌ପିସିବିର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡକ୍ଟର ଅନୁପ କୁମାର ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ। ପୃଥିବୀର ତାପମାତ୍ରା ବୃଦ୍ଧି, ଓଜୋନ ସ୍ତର ଉପରେ ପ୍ରଭାବ ଏବଂ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ପ୍ରଭାବ ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ଶୀତଳ ପୃଥିବୀ ପାଇଁ ସମାଜର ସମସ୍ତ ସ୍ତରରେ ସମନ୍ୱିତ ପଦକ୍ଷେପ ଆବଶ୍ୟକ ବୋଲି ସେ କହିଥିଲେ। ଏହି ଅବସରରେ ଏସ୍‌ପିସିବି ପକ୍ଷରୁ ଓଜୋନ କ୍ଷୟକାରୀ ପଦାର୍ଥ ହ୍ରାସ ଏବଂ ବିକଳ୍ପ ବ୍ୟବସ୍ଥା ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଆରଏସପି, ସେଲ୍‌, ରାଉରକେଲାର ମୁଖ୍ୟ ମହାପ୍ରବନ୍ଧକ ପ୍ରମୋଦ ଚନ୍ଦ୍ର ଦାଶ ଶୀତଳ ପୃଥିବୀ ପାଇଁ ସବୁଜ ଇସ୍ପାତ ଉତ୍ପାଦନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ୍‌ର ଓଡ଼ିଶା ମାଇନିଂ ଡିଭିଜନ୍‌, ବଡ଼ବିଲର ଉପାଧ୍ୟକ୍ଷ ତଥା ମୁଖ୍ୟ-ପରିବେଶ ସୁରେଶ ମହାପାତ୍ର ଲୁହାପଥର ଖଣି ଓ ପରିଷ୍କରଣରେ ପରିବେଶ ଅନୁକୂଳ ପଦ୍ଧତି ସମ୍ପର୍କରେ ମତ ରଖିଥିଲେ। ସେହିପରି ଏନ୍‌ଆଇଟି ରାଉରକେଲାର ଖଣି ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡକ୍ଟର ଏଚ୍‌.ବି. ସାହୁ ସ୍ଥାୟୀ ଖଣି କାର୍ଯ୍ୟ ଓ ପରିବେଶ ପରିଚାଳନା ଉପରେ ଆଲୋଚନା କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା ସ୍ଥାୟୀ ପରିବହନ ଓ ଯାନବାହନ ଧୂଆଁ ହ୍ରାସ ସମ୍ପର୍କରେ ନିଜ ମତ ରଖିଥିଲେ। ପରେ ଅତିଥିମାନଙ୍କୁ ସ୍ମାରକୀ ଓ କପଡ଼ା ବ୍ୟାଗ ପ୍ରଦାନ କରାଯିବା ସହ ଇଂରାଜୀ ଓ ହିନ୍ଦୀରେ ‘ମିଶନ୍ ଲାଇଫ୍’ ଶପଥ ପାଠ କରାଯାଇଥିଲା। ‘ଆମ ଖାଦ୍ୟ ଆମ ସଂସ୍କୃତି’ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଉପ ପରିବେଶ ଯନ୍ତ୍ରୀ ଇଂ. ବିଜୟ କୁମାର ଭୋଇ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଉପ ପରିବେଶ ଯନ୍ତ୍ରୀ ଇଂ. ରମଣୀ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଇଂ. ଚନ୍ଦ୍ରଶେଖର ଚୌହାନ, ଇଂ. ରଜତ କୁମାର ସେଠୀ, ଓଏସ୍‌ଡି ବି.ବି. ମହନ୍ତ, ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞା ଜ୍ୟୋତି ସେନାପତିଙ୍କ ସମେତ ବୋର୍ଡର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ