--:--:--
-- ---
Srishti News

ଖୁଦୁରୁକୁଣୀ ଭସାଣି ଉତ୍ସବ ସମାପନ: ବାଣ ରୋଷଣୀରେ ଦୁଲିଲା ରାହାସ ଗାଁ, ଶୋଭାଯାତ୍ରାରେ ନଦୀ ଅଭିମୁଖେ ମା’ଙ୍କୁ ବିଦାୟ

Jajpur (ଯାଜପୁର)ଯାଜପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟSeptember 22, 202668 views
ଖୁଦୁରୁକୁଣୀ ଭସାଣି ଉତ୍ସବ ସମାପନ: ବାଣ ରୋଷଣୀରେ ଦୁଲିଲା ରାହାସ ଗାଁ, ଶୋଭାଯାତ୍ରାରେ ନଦୀ ଅଭିମୁଖେ ମା’ଙ୍କୁ ବିଦାୟ
ଯାଜପୁର/ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ କପିଳା ଗ୍ରାମପଞ୍ଚାୟତର ରାହାସ ଗ୍ରାମ ବାଉଁଶବାଡ଼ି ଜେନାସାହିରେ ଚଳିତ ବର୍ଷର ଖୁଦୁରୁକୁଣୀ ପୂଜା ଓ ଭସାଣି ଉତ୍ସବ ଧୁମଧାମରେ ସମାପନ ହୋଇଛି। ସାହିର ଉଦୀୟମାନ କୁମାରୀମାନଙ୍କ ସମେତ ଯୁବକ ଓ ସାହିବାସୀଙ୍କ ମିଳିତ ଉଦ୍ୟମରେ ମା’ ଖୁଦୁରୁକୁଣୀଙ୍କ ମୂର୍ତ୍ତିକୁ ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ଅବସରରେ ମାସସାରା ନିରାମିଷ ଭୋଜନ କରି ଭକ୍ତି ଓ ନିଷ୍ଠାର ସହ ମା’ଙ୍କ ଆରାଧନା କରିଥିଲେ ଯୁବତୀମାନେ। ପୂଜାର ସମାପନ ଅବସରରେ ଆୟୋଜିତ ଭସାଣି ଶୋଭାଯାତ୍ରା ବେଶ୍ ଆକର୍ଷଣୀୟ ହୋଇଥିଲା। ବାଣ ରୋଷଣୀ ଓ ବାଦ୍ୟବାଜଣାରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ମା’ଙ୍କ ମୂର୍ତ୍ତିକୁ ଗ୍ରାମ ପରିକ୍ରମା କରାଇବା ପରେ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ନଦୀ ଅଭିମୁଖେ ନେଇଥିଲେ। ଏହି ଅବସରରେ ସାହିର ମହିଳା, ଯୁବକ ଓ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶ ମଧ୍ୟରେ ମା’ ଖୁଦୁରୁକୁଣୀଙ୍କୁ ବିଦାୟ ଦିଆଯାଇଥିଲା।