Web News

କନ୍ତକାର ସେତୁରେ ଅସ୍ଥାୟୀ ବାଡା ନିର୍ମାଣ
ଯାଜପୁର ବରୀ: ବରୀ ଅଞ୍ଚଳବାସୀଙ୍କ ଦାବି ଆଜି ଆଂଶିକ ପୂରଣ ହୋଇଛି ବରୀ ରାମଚନ୍ଦ୍ରପୁର ରାସ୍ତାରେ ଥିବା କନ୍ତକାର ସେତୁ ସଂଯୋଗୀ କରଣ ଗତକାଲି ମଙ୍ଗଳବାର ପୂର୍ତ୍ତି ବିଭାଗ ପକ୍ଷରୁ ଅସ୍ଥାୟୀ କାଠବାଡ଼ା ନିର୍ମାଣ କରାଯାଇଛି ଏହି ସେଥିରେ ପ୍ରତିଦିନ ଶହ ଶହ ପଥଚାରୀ ଯିବାସହ ବିପଦର କାରଣ ହେଉଥିଲା କନ୍ତକାର ସେତୁ ଏ ନେଇ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରକାଶ ପାଇବା ସହ ଜାଗ୍ରତ ବରୀ ପକ୍ଷରୁ ବରୀ ବ୍ଲକ କାର୍ଯ୍ୟାଳୟ ରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରାଯାଇଥିଲା ଏବେ ଅସ୍ଥାୟୀ ବାଡ଼ା ନିର୍ମାଣ ପରେ ସାଧାରଣ ରେ ଖୁସି ପ୍ରକାଶ ପାଇବା ସହ ବିଭାଗ କେବେ ସ୍ଥାୟୀ ବାଡ଼ା ନିର୍ମାଣ କରିବାକୁ ପଦକ୍ଷେପ ନେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
Jajpur (ଯାଜପୁର) • ବରୀରୁ ସୁଧାଂଶୁ ଶେଖର ଓଝାଙ୍କ

ମୁକୁଳା ପଡିଛି ଚନ୍ଦନପୁର ଘାଇ ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ
ଯାଜପୁର ବରୀ: ବନ୍ୟାର ଏକ ମାସ ପରେ ବି ବ୍ରାହ୍ମଣୀ ନଦୀର ଚନ୍ଦନପୁର ଠାରେ ହୋଇଥିବା ଘାଇ ମୁକୁଳା ପଡିଛି । ଏହାକୁ ବନ୍ଧାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ବନ୍ଧ ନିର୍ମାଣ ସମୟରେ ନିମ୍ନମାନର ମାଟି ପକାଇ ବନ୍ଧ ବନ୍ଧା ଯାଇଥିବାରୁ ଗତ ବନ୍ୟାରେ ଏହି ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ୍ୟାରେ ଘାଇ ହେବା ଦ୍ୱାରା ବ୍ୟାପକ ଅଞ୍ଚଳରେ ଧାନ ଚାଷ ସହିତ ଅନ୍ୟାନ୍ୟ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ବନ୍ୟା ପରେ ଏହି ଘାଇକୁ ତୁରନ୍ତ ମରାମତି କରିବା ବଦଳରେ ବିଭାଗ କାହିଁକି ପଦକ୍ଷେପ ନେଇ ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଲଘୁଚାପ ଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ଏପରି ସ୍ଥଳେ ଯଦି ବ୍ରହ୍ମଣୀର ଉପର ମୁଣ୍ଡରେ ବର୍ଷା ହୋଇ ବନ୍ୟା ଆସେ ତେବେ ଏହି ଘାଇ ଦେଇ ବନ୍ୟା ଜଳ ପ୍ରବେଶ କଲେ ବ୍ୟାପକ ଅଞ୍ଚଳ ପୁଣି ଜଳମଗ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ବିଭାଗ ପକ୍ଷରୁ ଏହି ଘାଇ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ
Jajpur (ଯାଜପୁର) • ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ

ଅସରାଏ ବର୍ଷାରେ NH-57ରେ କୃତ୍ରିମ ପୋଖରୀ
ଖୋର୍ଦ୍ଧା: ଅସରାଏ ବର୍ଷା ହେଲେ ଖୋର୍ଦ୍ଧା–ବଲାଙ୍ଗୀର NH-57ର ଜାଗୁଳେଇପାଟଣା ଛକରେ ସୃଷ୍ଟି ହେଉଛି କୃତ୍ରିମ ପୋଖରୀ। ରାସ୍ତା ଉପରେ ଜମି ରହୁଛି ବର୍ଷାଜଳ। ଫଳରେ ପାଣି ତଳେ ଲୁଚିଯାଉଛି ରାସ୍ତାର ଖାଲଖମା। ଏହା ଯାନବାହନ ଚାଳକଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ବଢ଼ାଇ ଦେଇଛି।କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତିକରଣ କରାଯାଉଥିବା ବେଳେ, ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା କାହିଁକି ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ପାଣି ତଳେ ଖାଲ ଦିଶୁନାହିଁ, କିନ୍ତୁ ତା' ତଳେ ଲୁଚି ରହିଛି ବିପଦ। ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ଏଠାରେ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଜାଗୁଳେଇପାଟଣା ଛକରେ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କେବେ ହେବ? ଯାତ୍ରୀ ଓ ଯାନବାହନ ଚାଳକଙ୍କ ସୁରକ୍ଷା ପାଇଁ NHAI କର୍ତ୍ତୃପକ୍ଷଙ୍କ ଦୃଷ୍ଟି କେବେ ପଡ଼ିବ, ତାହାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଭତ୍ତା ଯୋଜନାରେ ହିତାଧିକାରୀ ବୃଦ୍ଧି ନେଇ ପ୍ରଶ୍ନ, ୫ ଲକ୍ଷ ଆବେଦନ ପଡ଼ିଥିବା ଦାବି
ଭୁବନେଶ୍ୱର: ୨୩/୦୯: ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ନେବା ପରେ ଭତ୍ତା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ହୋଇନଥିବା ନେଇ ପ୍ରଶ୍ନ ଉଠିଛି। ଭତ୍ତା ପାଇଁ ପ୍ରାୟ ୫ ଲକ୍ଷ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆବେଦନ ଦୀର୍ଘ ଦୁଇ ବର୍ଷ ଧରି ସରକାରୀ ଦପ୍ତରରେ ପଡ଼ିରହିଥିବା ଦାବି କରାଯାଇଛି। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ମଧ୍ୟ କୁହାଯାଇଛି। ଏହା ଫଳରେ ଆବଶ୍ୟକତା ଥିବା ଗରିବ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ ସାମାଜିକ ନିରାପତ୍ତା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ପ୍ରାୟ ୫୭ ଲକ୍ଷ ହିତାଧିକାରୀ ବିଭିନ୍ନ ଭତ୍ତା ଯୋଜନା ଓ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି। ସେହିପରି, ୮୦ ବର୍ଷରୁ ଅଧିକ ବୟସର ପ୍ରାୟ ୩.୮୪ ଲକ୍ଷ ବୃଦ୍ଧବୃଦ୍ଧା ମାସିକ ୩,୦୦୦ ଟଙ୍କା ଭତ୍ତା ପାଉଥିବା କୁହାଯାଇଛି। ତେବେ ଏହି ଭତ୍ତା ମଧ୍ୟ ନିୟମିତ ଭାବେ ମିଳୁନଥିବା ଅଭିଯୋଗ ରହିଛି। ଭତ୍ତା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିବା ଯୋଗ୍ୟ ହିତାଧିକାରୀଙ୍କ ଆବେଦନର ଶୀଘ୍ର ଯାଞ୍ଚ ଓ ଭତ୍ତା ପ୍ରଦାନ ପାଇଁ ପଦକ୍ଷେପ ନେବା ଦାବି ହୋଇଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ:ଲକ୍ଷ୍ମୀଧର ମୁର୍ମୁ

ପୂର୍ବତନ ସରପଞ୍ଚ ଖଡ଼ିଅଣ୍ଟା ପଞ୍ଚାୟତ କ୍ରୀତିଚନ୍ଦ୍ର ଜେନା ଙ୍କୁ ପୂର୍ବତନ ବିଧାୟକ ତଥା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଭେଟି ସ୍ଵାସ୍ଥ୍ୟ ସମସ୍ୟା ବୁଝିଛନ୍ତି
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଖଡିଅଣ୍ଟା ପଞ୍ଚାୟତ ରେ ପୂର୍ବତନ ସରପଞ୍ଚ କ୍ରୀତିଚନ୍ଦ୍ର ଜେନା ଙ୍କୁ ପୂର୍ବତନ ବିଧାୟକ ତଥା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଭେଟି ସ୍ଵାସ୍ଥ୍ୟ ସମସ୍ୟା ଉପରେ ପଚାରିଛନ୍ତି , ଅଂଶୁମାନ ମହାନ୍ତି ହେଉଛନ୍ତି ଜଣେ ଦକ୍ଷ ରାଜ ନେତା ତଥା ୩୦ ବର୍ଷ ରାଜ ନୀତି କରି ୬ ଥର ବିଧାୟକ ଏବଂ,ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତି ଙ୍କ ସୁଯୋଗ୍ୟ ସନ୍ତାନ ଭାବେ ରାଜ ନୀତି ଜାରି ରଖିଛନ୍ତି,ଲୋକ ମାନଙ୍କ ପାଖରେ ବିପଦ ସମୟରେ ବନ୍ୟା ହେଉ ଅବା ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଛିଡ଼ା ହୋଇଛନ୍ତି , ଏବଂ ଗାଁ ଗହଳିରେ ଯୁବକ ପିଲା ମାନେ ଯେଉଁ ପୋଗ୍ରମ୍ କରନ୍ତି,କିମ୍ବା ଘର ପୋଡ଼ି ଠାରୁ ଆରମ୍ଭ କରି ରାସ୍ତାରେ ସଡ଼କ ଦୁର୍ଘଟଣା ରେ ମେଡିକାଲ କୁ ନିଜ ଗାଡିରେ ନେଇ ପହଞ୍ଚେଇବା ଏବଂ ରୋଗୀ କେମିତି ଭଲରେ ଚିକିତ୍ସା ହୋଇପାରିବ ତାହା ମଧ୍ୟପୂର୍ବରୁ ନଜିର ଅଛି, ରାଜନୈତିକ ଭାବରେ ସାମାଜିକ ଆଖି ଦୂର୍ଶିଆ ଉନ୍ନତି ମୂଳକ କାର୍ଯ୍ୟ କରି ଆସୁଛନ୍ତି, ତେଣୁ ରାଜନଗର ନିର୍ବାଚନରେ ଏ ଭଳି ନେତା ଙ୍କୁ ସାମାଜିକ କ୍ଷେତ୍ରରେ ବହୁ ପ୍ରଶଂସାର ସୁଅ ଛୁଟିଛି
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର --- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା

ଓଡିଶା ମାଧମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ନବନିର୍ମିତ ଗୃହର ଶୁଭ ଉଦ୍ଘାଟନ ଓ ସମ୍ବର୍ଦ୍ଧନା ସମାରୋହ
ଓଡିଶା ମାଧମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା ଦୁହୁରିଆ ସ୍ଥିତ ଶିକ୍ଷକ ଭବନ ନବନିର୍ମିତ ଗୃହର ଶୁଭ ଉଦ୍ଘାଟନ ବିଧାୟକ ଗଣେଶ୍ୱର ବେହେରାଙ୍କ କରମଣ୍ଡଳରେ ହୋଇଅଛି । ଏହି ଅବସରରେ ଚଳିତ ବର୍ଷ ପଦନ୍ନୋତି ପାଇଥିବା ଜିଲ୍ଲାର ୪୨ଜଣ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷିକାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଓଷ୍ଟା ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲା ସମ୍ପାଦକ ଭଗବାନ ସାହୁ ପ୍ରାରମ୍ଭିକ ସୂଚନା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମଞ୍ଚାସିନ ଅତିଥି ଭାବେ ଉଦ୍ଘାଟକ ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ମୁଖ୍ୟ ବକ୍ତା ରାଜ୍ୟ ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର, ବିଶିଷ୍ଟ ଅତିଥି ଭାବେ ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ଓଷ୍ଟା କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ରାଜ୍ୟ ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା, ନିର୍ମଳ କୁମାର ଜେନା, ପ୍ରାକ୍ତନ ସମ୍ପାଦକ ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ଶିକ୍ଷା ପ୍ରଦୀପ ସମ୍ପାଦକ କାଳି ପ୍ରସାଦ ନାୟକ, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ତପନ କୁମାର ସିଂହ, ନିର୍ମଳ କୁମାର ନାୟକ, ରାଜ୍ୟ କାରିଣୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ପ୍ରାକ୍ତନ ଉପସଭାପତି ଅଧିକାରୀ ରାଧାକାନ୍ତ ଦାସ ଯୋଗଦେଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ସାମଗ୍ରିକ ବିକାଶ ପାଇଁ ଦୀର୍ଘ ୮୦ବର୍ଷରୁ ଉର୍ଦ୍ଧ ସମୟ ଧରି ଓଡିଶାରେ ଓଷ୍ଟା ସଂଗଠନ ନିରବ ଚ୍ଛିନ୍ନ ରୁପେ କାର୍ଯ୍ୟକାରୀ ଆସୁଅଛି । ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷିକାମାନେ ବିଦ୍ୟାଳୟର ମେରୁଦଣ୍ଡ । ସେମାନଙ୍କର ତ୍ୟାଗ, ନିଷ୍ଠା, କର୍ତ୍ତବ୍ୟ ପରାୟଣ, ସମୟାନୁ ବର୍ତ୍ତକା, ସଂହତି ଓ ସମନ୍ୱୟ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତ୍ତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ଯୁଗ୍ମ ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଟିଟିକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜୟଶ୍ରୀ ପତି ଓ ତାଙ୍କ ଗ୍ରୁପ ସ୍ୱାଗତ ସଙ୍ଗିତ ଗାନ କରିଥିବା ବେଳେ ସମ୍ବର୍ଦ୍ଧନା ସମାରୋହକୁ ଜିଲ୍ଲା ଉପସଭାପତି ରିନା ରାଉତ, ଯୁଗ୍ମ ସମ୍ପାଦିକା ସରୋଜିନି ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ମଧୁଛନ୍ଦା ଶର୍ମା, ଜିଲ୍ଲା ଉପସଭାପତି ସଞ୍ଜୟ କୁମାର ସାମଲ, ବିଚିତ୍ର କୁମାର ସାହୁ, ଜିଲ୍ଲା କାର୍ଯ୍ୟାକାରିଣୀ ସଦସ୍ୟ ମହେଶ୍ୱର ସାହୁ, ବିଶ୍ୱଜିତ ଦାସ, ସନ୍ତୋଷ କୁମାର ବରାଳ, ରବିନ୍ଦ୍ର କୁମାର ଦାସ, ବ୍ଲକ ସମ୍ପାଦକ ନାରାୟଣ ପଣ୍ଡା, ଅକ୍ଷୟ କୁମାର, ଦେବରାଜ ନାୟକ, ଅରବିନ୍ଦ ନାୟକ, ମଳୟ କୁମାର ପାଣି, ରଘୁନାଥ ଦାସ, ପ୍ରଶନ୍ନ କୁମାର ପରିଡା, ଅତୁଲ୍ୟ କୁମାର ରଥ, ବ୍ଲକ ସଭାପତି ତପନ କୁମାର ଦାସ, ଅଜୟ କୁମାର ବଳାଳ, ପ୍ରଭାଷ କୁମାର ପ୍ରଧାନ, ମାନସ ରଞ୍ଜନ ମିଶ୍ର, ସୁଶାନ୍ତ କୁମାର କର, ସୁରେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଯୁଗ୍ମ ସମ୍ପାଦିକା ସରୋଜିନି ସ୍ୱାଇଂ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ଶତାଧିକ ଶିକ୍ଷକ, ଶିକ୍ଷିକା, କର୍ମଚାରୀମାନଙ୍କ ସହ ବ୍ଲକ ଓ ଜିଲ୍ଲା ପ୍ରାକ୍ତନ ନେତୃତ୍ୱ, ଶିକ୍ଷାପ୍ରେମୀମାନେ ଯୋଗ ଦେଇଥିଲେ ।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା

ଅର୍ବାନ ବ୍ୟାଙ୍କ ପକ୍ଷରୁ ଅସହାୟ ଉମେଶ କୁମାରଙ୍କୁୁ ସହାୟତା
ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ଅସହାୟ ଉମେଶ କୁମାରଙ୍କୁ ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଘନଶ୍ୟାମପୁର ଗ୍ରାମର ଉମେଶ କୁମାର ପାତ୍ରଙ୍କ ଏକମାତ୍ର ପୁଅ ରାଜେଶ କୁମାର ପାତ୍ର(୨୧) ଭୁବନେଶ୍ୱରର ଜଟଣୀରେ ଥିବା ଏକ ଷ୍ଟିଲ କାରଖାନାରେ କାମ କରୁଥିଲେ । ସେହି କାରଖାନାରେ କାର୍ଯ୍ୟରତ ଥିବା ସମୟରେ ବିଦୁ୍ୟତ କରେଣ୍ଟ ଲାଗି ରାଜେଶଙ୍କ ମୃତୁ୍ୟ ହୋଇଯାଇଛି । ରାଜେଶଙ୍କ ମୃତୁ୍ୟ ପରେ ତାଙ୍କ ପରିବାର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଅତ୍ୟନ୍ତ ଅସହାୟ ହୋଇପଡିଛି । ଏସମ୍ପର୍କରେ ଜାଣିବା ପରେ ଅର୍ବାନ ବ୍ୟାଙ୍କ ସଭାପତି ଗୁରୁ ପ୍ରସାଦ ମହାନ୍ତି ସେହି ଗରିବ ଅସହାୟ ପରିବାରକୁ ପୁଅର ସୁଧିକ୍ରୀୟା କରିବା ନିମନ୍ତେ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବ୍ୟାଙ୍କ ସିଇଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବ୍ୟାଙ୍କର ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ଘନଶ୍ୟାମପୁରସ୍ଥିତ ବାସଭବନରେ ପହଞ୍ଚି ଉମେଶ କୁମାରଙ୍କୁ ୫ହଜାର ଟଙ୍କାର ଆର୍ଥôକ ସହାୟତା ପ୍ରଦାନ କରିଛନ୍ତି । ଏହି ସହାୟତା ପ୍ରଦାନ ସମୟରେ ବ୍ୟାଙ୍କର ଆଇ.ଟି. ମ୍ୟାନେଜର ଆଦିତ୍ୟ କୁମାର ଶତପଥୀ ଓ ସହକାରୀ ପରିଚାଳକ ଭଞ୍ଜକିଶୋର ଜେନା ଉପସ୍ଥିତ ଥିଲେ ।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା

ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଡ. ସର୍ବଣା ବିବେକ ଏମ୍
ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରି ୨୦୧୫ ବ୍ୟାଚ୍ର ଆଇପିଏସ୍ ଅଫିସର ଡ. ସର୍ବଣା ବିବେକ ଏମ୍ (Dr. Saravana Vivek M)ଙ୍କୁ ଭୁବନେଶ୍ୱରର ନୂଆ ଡେପୁଟି କମିଶନର ଅଫ୍ ପୋଲିସ୍ (DCP) ଭାବେ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ସେ ବ୍ରହ୍ମପୁରର ଏସ୍ପି (SP) ଭାବରେ କାର୍ଯ୍ୟରତ ଥିଲେ। ପୂର୍ବତନ ଡିସିପି ଜଗମୋହନ ମୀନା ନିଜ ପଦବୀରୁ ଇସ୍ତଫା ଦେବା ପରେ ଗୃହ ବିଭାଗ ପକ୍ଷରୁ ଏହି ନୂତନ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରଦବଦଲ: ବ୍ରହ୍ମପୁର SP: ଢେଙ୍କାନାଳ SP ଅଭିନବ ସୋନକରଙ୍କୁ ବ୍ରହ୍ମପୁରର ନୂଆ SP ଭାବେ ଅବସ୍ଥାପିତ କରାଯାଇଛି। ଢେଙ୍କାନାଳ SP: ପାରାଦୀପର ଅତିରିକ୍ତ SP ମାନେ ଅଜିଙ୍କ୍ୟ ବାବୁରାଓଙ୍କୁ ଢେଙ୍କାନାଳ SP ଦାୟିତ୍ୱ ଦିଆଯାଇଛି। ବରଗଡ଼ SDPO: ରାଜ୍ୟ ପୋଲିସ ମୁଖ୍ୟାଳୟର ସହକାରୀ SP ଏ.ବି. ଶିଳ୍ପାଙ୍କୁ ବରଗଡ଼ SDPO ଭାବେ ନିଯୁକ୍ତି ଦିଆଯାଇଛି।
Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର:ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଆଦିବାସୀ ଗାଁରୁ ଦେଶ-ବିଦେଶକୁ ଉଡ଼ାଣ, କିନ୍ତୁ ଆଜି ଅବହେଳିତ ପ୍ରତିଭା ଗଢ଼ୁଥିବା ପଡ଼ିଆ
ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳରୁ ଅନେକ ଫୁଟବଲ ଖେଳାଳି ନିଜ ପ୍ରତିଭା ବଳରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଦେଶ ଓ ରାଜ୍ୟର ନାମ ରଖିଛନ୍ତି | ମାତ୍ର ଯେଉଁ ମାଟି ଓ ପଡ଼ିଆରୁ ସେମାନଙ୍କର ଖେଳ ଜୀବନ ଆରମ୍ଭ ହୋଇଥିଲା, ସେହି ଆଦିବାସୀ ଗାଁର ଫୁଟବଲ ପଡ଼ିଆ ଆଜି ଚରମ ଅବହେଳାର ଶିକାର ହୋଇଛି | ସମସ୍ୟାର ମୁଖ୍ୟ ବିନ୍ଦୁ: ପ୍ରତିଭାର ବିକାଶ: ବିନା କୌଣସି ଆଧୁନିକ ସୁବିଧାରେ, କେବଳ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଗାଁର ଯୁବକ-ଯୁବତୀମାନେ ରାଜ୍ୟ, ଜାତୀୟ ଏବଂ ବିଦେଶୀ ମାଟିରେ ଫୁଟବଲ ଖେଳି ସୁନାମ ଅର୍ଜନ କରିଛନ୍ତି | ପଡ଼ିଆର ଦୁରବସ୍ଥା: ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପଡ଼ିଆରେ ଘାସ ନାହିଁ, ଚାରିପାଖରେ ଖାଲଖମା, ଏବଂ ବର୍ଷା ଦିନେ କାଦୁଅ ହୋଇ ଖେଳିବା ଅସମ୍ଭବ ହୋଇପଡ଼ୁଛି | ସୁବିଧା ସୁଯୋଗର ଅଭାବ: ପଡ଼ିଆରେ ନା ଅଛି ଚାରିକାନ୍ଥ (ବାଉଣ୍ଡ୍ରୀ), ନା ଅଛି ଚେଞ୍ଜିଂ ରୁମ୍ କିମ୍ବା ପାନୀୟ ଜଳର ସୁବିଧା | ଭବିଷ୍ୟତ ପ୍ରତି ଆଶଙ୍କା: ପଡ଼ିଆର ଶୋଚନୀୟ ଅବସ୍ଥା ଯୋଗୁଁ ନୂଆ ପିଢ଼ିର ଅଭ୍ୟାସରେ ବାଧା ସୃଷ୍ଟି ହେଉଛି ଏବଂ ଆହତ ହେବାର ଭୟ ରହୁଛି | ଗ୍ରାମବାସୀ ଓ ଖେଳାଳିଙ୍କ ଦାବି: ସ୍ଥାନୀୟ ଖେଳାଳି ଓ ଗ୍ରାମବାସୀଙ୍କ କହିବା କଥା - "ଆମ ଗାଁରୁ ଅନେକ ଖେଳାଳି ବାହାରକୁ ଯାଇ ପ୍ରତିନିଧିତ୍ବ କରିଛନ୍ତି, କିନ୍ତୁ ଆମର ମୂଳ ପଡ଼ିଆ ପ୍ରଶାସନର ନଜରକୁ ଆସୁନାହିଁ | ଯଦି ଏହି ପଡ଼ିଆର ସୁଧାର କରାଯାଏ, ତେବେ ଗାଁରୁ ଆହୁରି ଅନେକ ଆନ୍ତର୍ଜାତୀୟ ଖେଳାଳି ବାହାରିପାରିବେ |" ନିବେଦନ: ଖେଳ ବିଭାଗ ଓ ପ୍ରଶାସନ ତୁରନ୍ତ ଏହି ଆଦିବାସୀ ଗାଁ ପଡ଼ିଆର ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ—ଯେପରିକି ସମତଳ ପଡ଼ିଆ, ଗ୍ୟାଲେରୀ, ଆଲୋକ ଓ ପ୍ରଶିକ୍ଷଣର ସୁବିଧା ଯୋଗାଇ ଦିଆଯାଉ, ଯାହା ଦ୍ୱାରା ନୂତନ ପ୍ରତିଭାମାନେ ଆଗକୁ ବଢ଼ିପାରିବେ |
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଗାଁ ଦାଣ୍ଡରେ ଗଛଲତା ମାଡ଼ିଲାଣି, ଯାତାୟାତରେ ଅସୁବିଧା
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଅଙ୍ଗିସିଙ୍ଗି ଗାଁ ଦାଣ୍ଡରେ ଗଛଲତା ମାଡ଼ିଯିବାରୁ ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନାବନା ଗଛଲତା ବଢ଼ି ରାସ୍ତାକୁ ଆଚ୍ଛାଦିତ କରିବାକୁ ବସିଲାଣି। ଫଳରେ ଗ୍ରାମବାସୀଙ୍କ ଯାତାୟାତରେ ଅସୁବିଧା ହେଉଛି। ବିଶେଷକରି ବର୍ଷା ଦିନେ ଏହି ସମସ୍ୟା ଅଧିକ ଦେଖାଦେଉଛି। ରାସ୍ତାରେ ଗଛଲତା ସଫା ନହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ତେଣୁ ସମ୍ପୃକ୍ତ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗାଁ ଦାଣ୍ଡରୁ ଗଛଲତା ସଫା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ଦେବଗଡ଼ ମେଡିକାଲରେ କିନ୍ନରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସା ଅବହେଳା ଅଭିଯୋଗ
ଦେବଗଡ଼: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ କରି କିନ୍ନର ସଂଘ ପକ୍ଷରୁ ମେଡିକାଲ ପରିସରରେ ପ୍ରତିବାଦ କରାଯାଇଛି। ମୃତକ ହେଉଛନ୍ତି ଦେବଗଡ଼ ପୌରାଞ୍ଚଳ ବାସୁଦେବପୁରର ନଗେନ ବାଗ (୨୬)। ସୂଚନା ଅନୁସାରେ, ଜ୍ୱରରେ ପୀଡ଼ିତ ହେବା ପରେ ଆଜି ସକାଳେ ନଗେନଙ୍କୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସନ୍ଧ୍ୟା ସମୟରେ ଏକ ଇଞ୍ଜେକ୍ସନ୍ ଦିଆଯିବା ପରେ ତାଙ୍କର ମୃତ୍ୟୁ ଘଟିଥିବା କିନ୍ନର ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଘଟଣା ପରେ କିନ୍ନର ସମାଜର ସଦସ୍ୟମାନେ ମେଡିକାଲ ପରିସରରେ ପହଞ୍ଚି ପ୍ରତିବାଦ କରିଥିଲେ। ସମ୍ପୃକ୍ତ ଚିକିତ୍ସକଙ୍କ ବିରୋଧରେ ନିରପେକ୍ଷ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଖବର ପାଇ ଦେବଗଡ଼ ଆଦର୍ଶ ଥାନା ପୋଲିସ ମେଡିକାଲ ପରିସରରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲା। ସୂଚନା ଅନୁସାରେ, ନଗେନ ବାଗ ଜଣେ ପ୍ରତିଭାସମ୍ପନ୍ନ ଦଣ୍ଡ କଳାକାର ଭାବେ ଦେବଗଡ଼ ଓ ଅନୁଗୋଳ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ଅକାଳ ମୃତ୍ୟୁରେ କିନ୍ନର ସମାଜ ସମେତ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ତେବେ ନଗେନଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ଚିକିତ୍ସା ସମୟରେ କୌଣସି ଅବହେଳା ହୋଇଥିଲା କି ନାହିଁ ଏବଂ ଇଞ୍ଜେକ୍ସନ୍ ଦିଆଯିବା ସହ ମୃତ୍ୟୁର କୌଣସି ସମ୍ପର୍କ ରହିଛି କି ନାହିଁ—ତାହା ତଦନ୍ତ ଓ ଚିକିତ୍ସାସମ୍ବନ୍ଧୀୟ ରିପୋର୍ଟ ପରେ ସ୍ପଷ୍ଟ ହେବ।
Deogarh (ଦେଓଗଡ଼) • ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟ

ଭଦ୍ରକରେ ଦୁଇ ତୀର୍ଥଯାତ୍ରୀ ବସ୍ ମଧ୍ୟରେ ଭୟାବହ ଦୁର୍ଘଟଣା
୨୦ରୁ ଅଧିକ ଯାତ୍ରୀ ଆହତ, ୧୪ ଜଣଙ୍କ ଅବସ୍ଥା ଗୁରୁତର ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦୁଇ ତୀର୍ଥଯାତ୍ରୀ ବସ୍ ମଧ୍ୟରେ ଘଟିଛି ଭୟାବହ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଲୱେ ଓଭରବ୍ରିଜ୍ ନିକଟରେ ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ ୨ଟା ୨୫ ମିନିଟ୍ ସମୟରେ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଆଗରେ ଯାଉଥିବା ଅନ୍ୟ ଏକ ତୀର୍ଥଯାତ୍ରୀ ବସ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ ଉଭୟ ବସ୍ରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିଲେ। ରାତି ଅଧରେ ଜାତୀୟ ରାଜପଥ ଉପରେ ହଠାତ୍ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମାଞ୍ଚଳ ପୁଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ଆହତ ଯାତ୍ରୀମାନଙ୍କୁ ବସ୍ରୁ ବାହାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ। ଗୁରୁତର ଆହତ ଯାତ୍ରୀମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ତୀର୍ଥଯାତ୍ରୀମାନେ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ପୁଲିସ ପକ୍ଷରୁ ଘଟଣାସ୍ଥଳରେ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ
