Web News

ଓୟୁଜେର କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ରାଜନଗର ବ୍ଲକ ସଦର ମହକୁମାସ୍ଥିତ କେସି ମଣ୍ଡପରେ କେନ୍ଦ୍ରାପଡା ଜିଲ୍ଲା ଓୟୁଜେର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାମ୍ବାଦିକ ୟୁନିୟନର କେନ୍ଦ୍ରାପଡା ଜିଲ୍ଲା ସଭାପତି ପରେଶକୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର କର୍ମକର୍ତାମାନେ ଯୋଗଦେଇ ସଙ୍ଗଠନକୁ ସୁଦୃଢ କରିବା ପାଇଁ ନିଜର ମତାମତ ପ୍ରଦାନ କରିଥିଲେ । ସାଧାରଣ ସଂପାଦକ ଜଗନ୍ନାଥ ଦାସ ନୂତନ ସଭ୍ୟ ସଂଗ୍ରହ ସହ ପୁରାତନ ସଦସ୍ୟତା ନବୀକରଣ କରିବା ପାଇଁ ସମସ୍ତ କର୍ମକର୍ତାମାନଙ୍କୁ ସୂଚନା ଦେଇଥିଲେ । ଉପସଭାପତି ଅକ୍ଷୟ ସାହୁ, ପତିତପାବନ ଭଦ୍ର, ଜ୍ୟୋତିରଂଜନ ଜେନା, ସବିର ଖାଁ, ସୁବାଷ ସାମଲ, ଶୁଶାନ୍ତ ଦାସ, ସୁକାନ୍ତ ଦାସ, ଶ୍ରୀକାନ୍ତ ନାୟକ, ଅଶୋକ କୁମାର ସ୍ୱାଇଁ, ଚିତରଂଜନ ଦାସ, ଖୁର୍ସିଦ ଆଲାମ ଖାଁ, ପ୍ରମୁଖ ଯୋଗଦେଇ ଜିଲ୍ଲାର ୯ଟି ବ୍ଲକରେ ସଦସ୍ୟତା ସଂଗ୍ରହ ସହ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ବିଶେଷକରି ବିଭିନ୍ନ ରାଜ୍ୟରେ ସାମ୍ବାଦିକମାନଙ୍କ ପାଇଁ ଦୀର୍ଘବର୍ଷ ଭତା ଦିଆଯାଉଛି । ଏଯାବତ୍ ଆମ ରାଜ୍ୟ ଓଡିଶାରେ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ । ସବୁଠାରୁ ବଡକଥା ହେଲା, ରାଜ୍ୟ ସରକାର ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଆଜି ପର୍ଯ୍ୟନ୍ତ ଆଇନ ଆଣିଲେ ନାହିଁ , କିମ୍ବା ଆକ୍ରିଡେସନ ନିମନ୍ତେ ସରକାର କିଛି ବ୍ୟବସ୍ଥା କଲେ ନାହିଁ । ଯାହାକୁ ନେଇ ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିଥିଲେ । ସରକାରଙ୍କର ସାମ୍ବାଦିକମାନଙ୍କ ପ୍ରତି ଥିବା ବୈମାତୃକ ମନୋଭାବ ବିରୁଦ୍ଧରେ ସମଗ୍ର ରାଜ୍ୟରେ ଓୟୁଜେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇଛି । ରାଜ୍ୟ ସଂଘର ଏହି ନିଷ୍ପତିକୁ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସମର୍ଥନ ଘୋଷଣା କରିବା ସହ ରାଜ୍ୟର ଆହ୍ୱାନରେ ସମସ୍ତ କାର୍ଯ୍ୟ ଜାରି ରଖିବ ବୋଲି ପ୍ରସ୍ଥାବ ଗୃହୀତ ହୋଇଥିଲା । ସଂପାଦ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ- ଦିଲୀପ ପରିଡା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କନ୍ଧାଗାର୍ଡ ଗ୍ରାମରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପିଇଓ କାର୍ତ୍ତିକ ବେହେରାଙ୍କ ବାସଭବନ ସମେତ ଗାଇସିଲେଟ ବ୍ଲକ କାର୍ଯ୍ୟାଳୟରେ ଏକକାଳୀନ ଭାବେ ଯାଞ୍ଚ ଚାଲିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ସମ୍ବଲପୁର ଡିଭିଜନର ଭିଜିଲାନ୍ସ ଟିମ୍ ଆଜି ସକାଳୁ ଏହି ଚଢ଼ାଉ ଆରମ୍ଭ କରିଛି। କାର୍ତ୍ତିକ ବେହେରା କଟାବାହାଲ ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟରତ ଥିବା ବେଳେ ବିଭିନ୍ନ ପଞ୍ଚାୟତର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇ ଆସୁଥିବା ଜଣାପଡ଼ିଛି। ଭିଜିଲାନ୍ସ ଟିମ୍ ଚଢ଼ାଉ ସମୟରେ ତାଙ୍କ ସମ୍ପତ୍ତି ସମ୍ପର୍କିତ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବା ସୂଚନା ରହିଛି। ଏହାସହ ତାଙ୍କ ନାମରେ ଥିବା ଘର, ଯାନବାହନ ଓ ଜମିବାଡ଼ି ସମ୍ପର୍କିତ ଦସ୍ତାବିଜ ମଧ୍ୟ ଯାଞ୍ଚ କରାଯାଉଛି। ପ୍ରାଥମିକ ସୂଚନା ଅନୁସାରେ, ଏକ ଆଲିସାନ ଘର, ଗୋଟିଏ ପିକଅପ୍, ଗୋଟିଏ ସ୍କର୍ପିଓ, ଗୋଟିଏ ଟ୍ରାକ୍ଟର ଏବଂ ତିନୋଟି ମୋଟରସାଇକେଲ ଭଳି ସମ୍ପତ୍ତି ଭିଜିଲାନ୍ସ ଟିମ୍ର ନଜରକୁ ଆସିଥିବା ଜଣାପଡ଼ିଛି। ଏହାସହ ନଗଦ ଟଙ୍କା, ଏଟିଏମ୍ କାର୍ଡ ଏବଂ ଜମିବାଡ଼ି ସମ୍ପର୍କିତ କାଗଜପତ୍ର ଯାଞ୍ଚ ଚାଲିଥିବା ସୂଚନା ମିଳିଛି। ତେବେ ଚଢ଼ାଉ ଓ ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ହିଁ କାର୍ତ୍ତିକ ବେହେରାଙ୍କ ମୋଟ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଏବଂ ଆୟ ସହ ସମ୍ପତ୍ତିର ଅନୁପାତ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।
Bargarh (ବରଗଡ଼) • Reports: Satya Surujal

ଧୃଵ- ଅନ୍ନପୂର୍ଣ୍ଣା ସେବା ଓ କଳା ପରିଷଦର ସଭାପତି ନଳିନୀ କାନ୍ତ ସ୍ୱାଇଁଙ୍କ ସଭାପତିତ୍ୱ ରେ ୨ ଶିକ୍ଷାବିତ ବାବାଜି ସାର ଓ ରଞ୍ଜିତା ଗୁରୁମାଁ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ
ଆଳି -ତା-୨୨.୯.୨୬ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ପତ୍ରପୁର ଗ୍ରାମର ବିଶିଷ୍ଟ ୨ ଶିକ୍ଷା ବିତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ବାବାଜି ପରିଡା (ବିଷ୍ଣୁସାର) ଓ ତାଙ୍କ ସହଧର୍ମିଣି ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀସ୍ୱର୍ଗତା ରଞ୍ଜିତା ଧଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅଗ୍ରଣୀ ସ୍ଵେଚ୍ଛା ସେବି ଅନୁଷ୍ଠାନ ଧୃବ ଅନ୍ନପୂର୍ଣ୍ଣା କଳା ପରିଷଦର ସଭାପତି ତଥା ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ସେଣ୍ଟ୍ରାଲ ଜୋନ ଉପକୂଳ ୧୦ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ସମାଜ ସେବି ନଳିନୀକାନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି ସ୍କୃତୀ ସଭାରେ ଜିଲ୍ଲାପରିଷଦ ର ଉପାଧ୍ୟକ୍ଷ ଭିଷ୍ମ ମହାନ୍ତି ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ସାମଲ ଜିଲ୍ଲାର ବିଶିଷ୍ଟ ରାଜନେତା ସମାଜ ସେବି ବ୍ରଜସୁନ୍ଦର ଭୂୟାଁ ଆଳି ବ୍ଳକର ପ୍ରାକ୍ତନ ବି ଇ.ଓ ମାଗୁଣି ବିଶ୍ୱାଳ ଆଳି ପତ୍ରପୁର ବରିଷ୍ଠ ନାଗରିକ ମଞ୍ଚର ସଭାପତି ଦାମୋଦର ରାହୁଲ ସଂପାଦକ ପୂର୍ବତନ ସରପଞ୍ଚ ବିପିନ ବିହାରୀ ପରିଡା ସହ ସଂପାଦକ ତଥା କୁବେର ସଂଘ ରାଜ୍ୟ ସାଧାରଣ ସଂପାଦକ ଗୋଲେଖଚ଼ନ୍ଦ୍ର ସାହୁ ପଟାମୁଣ୍ଡାଇ ପୌର ପରିଷଦର ବରିଷ୍ଠ କମିଚାରୀ ପ୍ରେମାନନ୍ଦ ମହାନ୍ତି ରଞ୍ଜନ କୁମାର ଭୂୟାଁ ସରସ୍ଵତୀ ଶିଶୁ ମନ୍ଦିରର ସଭାପତି ଶିକ୍ଷାବିତ ଅର୍ଜୁନ ଦାସ ସଂପାଦକ ପ୍ରାକ୍ତନ ପ୍ରତିରକ୍ଷା କର୍ମଚାରୀ ଦିବାକର ଚୁଳି ଅଧ୍ୟାପକ ମନ୍ମଥ ପାତ୍ର ପଟାମୁଣ୍ଡାଇ ପଞ୍ଚାୟତ ସମିତିସଭ୍ୟ ସଂଘର ସଭାପତି ତଥା ବିଶିଷ୍ଟ ସଂଗ୍ରାମୀ ନେତା ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ ଉପସଭାପତି ପେଣ୍ଠପାଳ ସମିତିସଭ୍ୟ ଯୁବନେତା ଶଶାଙ୍କ ଶେଖର ବିଶ୍ୱାଳ ତରଡି ପାଳ ସମିତ ସଭ୍ୟ ନିରଞ୍ଜନ ବାରିକ ଆଳି ବ୍ଲକ ବିଜେଡିର ଯୁବ ନେତା ତଥା ପତ୍ରପୁର ର ପ୍ରାକ୍ତନ ସମିତିସଭ୍ୟ ସୁବ୍ରତ ବେହୁରା ପ୍ରାକ୍ତନସରପଞ୍ଚ ପ୍ରବିଣା ବେହୁରା ନାରୀନେତ୍ରୀ ଅନିତା ମହାନ୍ତି ସହିରା ସରପଞ୍ଚ ହେମନ୍ତ କୁମାର ମହାନ୍ତି ସମିତିସଭ୍ୟ ଏକ ଲବ୍ୟ ପାତ୍ର ପ୍ରାକ୍ତନ ସରପଞ୍ଚ ନଳିନୀକାନ୍ତ ପ୍ରଧାନ ସମାଜ ସେବି ବସନ୍ତ ପ୍ରଧାନ କିଶୋର ଭୂୟାଁ ପ୍ରଦ୍ବୀପ ସାହୁ ଶିକ୍ଷାବିତ ରବିନ୍ଦ୍ର ପ୍ରଧାନ ଶ୍ରୀଧର ରାଉତ ସ୍ମୃତିଚାରଣ କରିଥିଲେ କାର୍ଯ୍ୟକ୍ରମକୁ ଉଷାରାଣୀ ପରିଡା ପ୍ରଦ୍ବୀପ ସାହୁ ବିଶ୍ୱରଞ୍ଜନ ରଶ୍ମି ରଞ୍ଜନ ଅର୍ଚ୍ଚନା ଏଲିଜା ଶୁଭଶ୍ରୀ ସୋମ୍ୟସୁଧା ପ୍ରାର୍ଥସାରଥି ପ୍ରିୟରଞ୍ଜନ ସ୍ୱାଧିନ ପରିଚାଚିନା କରିଥିବା ବେଳେ ପ୍ରଶାନ୍ତ ଉମାକାନ୍ତ ସତ୍ୟବ୍ରତ ଦିଲ୍ଲିପ ଦେବଦତ୍ତ ପପୁ ପରିଚାଳନାରେ ସହଯୋଗ କରିଥିଲେ ଧୃବ ଅନ୍ନପୂର୍ଣ୍ଣାକଳା ପରିଷଦର କଳାକାର ଉଚ୍ଚ କୋଟିର ଭଜନ ନାମ ସଂକିର୍ତ୍ତନ ଓ ବିଶୋଷ କରି ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ନାମ ସପରିବାର ବନ୍ଧୁବର୍ଗ ଓ ଗାଁ ନାମରେ ହୋଇଥିବା ପାରି ବାରିକ ଭଜନ ଅଞ୍ଚଳ ଙ୍କୁ ଭାବମୟ କରିଥିଲା ପରିବାର ତରଫରୁ ଭଜନ ଟିମର ସଭାପତି ସମାଜ ସେବୀ ନଳିନୀକାନ୍ତ ସ୍ଵାଇଁ ସମେତ ସମସ୍ତ କଳାକାରଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ଶେଷରେ ପତ୍ରପୁର ସରପଞ୍ଚ କାନନ ବିହାରି ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା

ନିୟମଗିରି ଅଧିକାର ପାଇଁ ଲଢ଼ୁଥିବା ଲଦ ଶିକକାଙ୍କୁ ତୁରନ୍ତ ମୁକ୍ତି ଦାବି
ଭୁବନେଶ୍ୱର: ନିୟମଗିରି ଅଞ୍ଚଳର ଜଳ, ଜମି, ଜଙ୍ଗଲ ଓ ଆଦିବାସୀ ଅଧିକାରକୁ ନେଇ ଦୀର୍ଘଦିନ ଧରି ସ୍ୱର ଉଠାଇଆସୁଥିବା ନିୟମଗିରି ସୁରକ୍ଷା ସମିତିର ନେତା ଲଦ ଶିକକାଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରାଯାଉ ବୋଲି ଦାବି ଉଠିଛି। ସେପ୍ଟେମ୍ବର ୧୦ରେ CPI(M) ଓଡ଼ିଶା ରାଜ୍ୟ କମିଟି ଅଭିଯୋଗ କରିଥିଲା ଯେ, ଲାଞ୍ଜିଗଡ଼ କୋର୍ଟରୁ ଜାମିନ ପାଇବା ପରେ ଘରକୁ ଫେରୁଥିବା ସମୟରେ ଲଦ ଶିକକାଙ୍କୁ କଳ୍ୟାଣସିଂହପୁର ନିକଟରୁ ପୁଲିସ ଅଟକ ରଖିଥିଲା। ଦଳ ପକ୍ଷରୁ ତାଙ୍କୁ ତୁରନ୍ତ ମୁକ୍ତ କରିବା ସହ ତାଙ୍କୁ କେଉଁ ଆଇନଗତ ଆଧାରରେ ଅଟକ ରଖାଯାଇଛି ତାହା ସ୍ପଷ୍ଟ କରିବାକୁ ଦାବି କରାଯାଇଥିଲା। ଏହାପରେ ୧୯ ସେପ୍ଟେମ୍ବର ୨୦୨୬ରେ ଭୁବନେଶ୍ୱରରେ ହୋଇଥିବା ପ୍ରତିବାଦରେ ମଧ୍ୟ ଲଦ ଶିକକାଙ୍କ ତୁରନ୍ତ ଓ ନିଃସର୍ତ୍ତ ମୁକ୍ତି ଦାବି କରାଯାଇଥିଲା। ଆନ୍ଦୋଳନକାରୀଙ୍କ ଦାବି ହେଉଛି, ନିୟମଗିରିର ଆଦିବାସୀମାନଙ୍କ ଜଳ, ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦ ଉପରେ ଅଧିକାର ପାଇଁ ସ୍ୱର ଉଠାଇଥିବା ନେତାଙ୍କୁ ଆଇନଗତ ପ୍ରକ୍ରିୟା ଅନୁଯାୟୀ ନ୍ୟାୟ ଦିଆଯାଉ ଏବଂ ତୁରନ୍ତ ମୁକ୍ତ କରାଯାଉ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ

ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା: ମୁମ୍ବାଇରୁ ଗିରଫ ହେଲା ୧୯ଟି ମାମଲାରେ ସଂପୃକ୍ତ ଫେରାର ଅଭିଯୁକ୍ତ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋସାନିନୁଆଁଗାଁ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ୧୯ଟି ଅପରାଧିକ ମାମଲାରେ ସଂପୃକ୍ତ ଥାଇ ଦୀର୍ଘ ଦିନରୁ ଫେରାର ଥିବା ଜଣେ ୱାରେଣ୍ଟଭୁକ୍ତ ଅଭିଯୁକ୍ତକୁ ପୋଲିସ ମୁମ୍ବାଇରୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଗୋସାନିନୁଆଁଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠନଗର ବିଟ୍ କଲୋନୀର ଟୁନା ଓରଫ ଜଗଦୀଶ ଚନ୍ଦ୍ର ପାତ୍ର ଓରଫ ନିଶ୍ଚଳେଶ ପାତ୍ର ଓରଫ ଜାଙ୍ଗୁ ଟୁନା (୪୦ ବର୍ଷ)। ତାଙ୍କ ପିତାଙ୍କ ନାମ ଶାଲି ପାତ୍ର ଓରଫ ପ୍ରଫୁଲ୍ଲ ପାତ୍ର। ତାଙ୍କ ବିରୋଧରେ ପୂର୍ବରୁ ଚାରୋଟି ଅଣ-ଜାମିନଯୋଗ୍ୟ ୱାରେଣ୍ଟ ରହିଥିଲା। ଅଭିଯୁକ୍ତ ଜଗଦୀଶଙ୍କ ଅବସ୍ଥିତି ଜାଣିବା ପାଇଁ ପୋଲିସ କ୍ରମାଗତ ଭାବେ ପ୍ରୟାସ ଚଳାଇଥିଲା। ସୂଚନା ପାଇବା ପରେ ଗୋସାନିନୁଆଁଗାଁ ପୋଲିସର ଏକ ବିଶେଷ ଦଳ ମହାରାଷ୍ଟ୍ର ଗସ୍ତ କରିଥିଲେ। ଗତ ୧୯.୦୯.୨୦୨୬ ରିଖରେ ମହାରାଷ୍ଟ୍ରର ପାନଭେଲ (ମୁମ୍ବାଇ) ଅନ୍ତର୍ଗତ ତାଲୋଜା ଥାନା ଅଞ୍ଚଳରେ ଥିବା 'ଗାଲାକ୍ସି କମ୍ପାନୀ'ରୁ ତାଙ୍କୁ କାବୁ କରାଯାଇଥିଲା। ଏହାପରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଗୋସାନିନୁଆଁଗାଁ ଥାନାକୁ ଅଣାଯାଇଥିଲା। ଗତ ୨୧.୦୯.୨୦ ତାରିଖରେ ତାଙ୍କୁ ବିଚାର ପାଇଁ ମାନ୍ୟବର ଅଦାଲତରେ ହାଜର କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଗୋସାନିନୁଆଁଗାଁ ଥାନା ଏବଂ ବୈଦ୍ୟନାଥପୁର ଥାନା ଅଧୀନରେ ଥିବା ପ୍ରାୟ ୧୯ଟି ସଙ୍ଗୀନ ମାମଲାରେ ଜଡ଼ିତ ଅଛନ୍ତି। ଏହି ସମସ୍ତ ମାମଲା ଗୁଡ଼ିକ ମଧ୍ୟରେ:ହତ୍ୟା ଓ ହତ୍ୟା ଉଦ୍ୟମଡକାୟତି ଏବଂ ଦାଦାବଟି ଆଦାୟ ,ଅସ୍ତ୍ରଶସ୍ତ୍ର ଆଇନ୍ (Arms Act) ଓ ବିସ୍ଫୋରକ ପଦାର୍ଥ ଆଇନ , ଅନୁସୂଚିତ ଜାତି ଓ ଜନଜାତି (SC/ST) ଆଇନ୍ ଅନ୍ତର୍ଗତ ମାମଲା ସାମିଲ ରହିଛି। ଏହି ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରାଯାଇଛି।
Ganjam (ଗଞ୍ଜାମ) • ରିପୋର୍ଟ:ବିଜୟା ନନ୍ଦ ତ୍ରିପାଠୀ ଭଂଜନଗର

ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ: ଗୋପାଳପୁରରୁ ୨୫୦ କିମି ଦୂରରେ କେନ୍ଦ୍ରୀଭୂତ, ୨୩ ରାତି କିମ୍ବା ୨୪ ଭୋରରେ ସ୍ଥଳଭାଗ ଛୁଇଁବା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ (Depression) ଧୀରେ ଧୀରେ ଅଧିକ ଘନୀଭୂତ ଓ ତୀବ୍ର ହେବାରେ ଲାଗିଛି। ଏହା ବର୍ତ୍ତମାନ ଗୋପାଳପୁର ଠାରୁ ପ୍ରାୟ ୨୫୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଅନ୍ୟପକ୍ଷରେ, ଏହା ପୁରୀଠାରୁ ପ୍ରାୟ ୨୭୦ କିଲୋମିଟର ଦକ୍ଷିଣ-ପୂର୍ବ, ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମରୁ ୩୩୦ କିଲୋମିଟର ଏବଂ ବିଶାଖାପାଟଣାରୁ ୪୧୦ କିଲୋମିଟର ଦୂରତାରେ ରହି ସ୍ଥଳଭାଗ ଆଡ଼କୁ ମୁହାଁଉଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ଅବପାତଟି ଆଗାମୀ ସମୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ (Deep Depression) ର ରୂପ ନେବ। ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହୋଇ ୨୩ ତାରିଖ ରାତିରୁ ୨୪ ତାରିଖ ଭୋର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ବହୁ ସମ୍ଭାବନା ରହିଛି। ମୁଖ୍ୟତଃ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉପକୂଳ ଦେଇ ଏହା ସ୍ଥଳଭାଗରେ ପ୍ରବେଶ କରିପାରେ। ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଓ ଦକ୍ଷିଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ପବନର ବେଗ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ୟୁସୁଫ ମେହେର ଅଲ୍ଲୀଙ୍କ ୧୨୩ତମ ଜୟନ୍ତୀରେ ଦ୍ୱିତୀୟ ସ୍ମାରକୀ ବକ୍ତୃତା
ପୁରୀ:୨୧/୦୯: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତ ଛାଡ଼ ଆନ୍ଦୋଳନର ଉଦ୍ଘୋଷକ ବିପ୍ଳବୀ ୟୁସୁଫ ମେହେର ଅଲ୍ଲୀଙ୍କ ୧୨୩ତମ ଜୟନ୍ତୀ ଅବସରରେ ପୁରୀ ୟୁଥ୍ ହଷ୍ଟେଲରେ ଦ୍ୱିତୀୟ ସ୍ମାରକୀ ବକ୍ତୃତା ଆୟୋଜିତ ହୋଇଛି। ସମତା ସ୍ୱରାଜ ଅଭିଯାନ ଓ ୟୁସୁଫ ମେହେର ଅଲ୍ଲୀ ସେଣ୍ଟର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। “ଓଡ଼ିଶାର ଅର୍ଥନୈତିକ ସ୍ଥିତି ଓ MMDR ସଂଶୋଧନ ଅଧିନିୟମ–୨୦୨୬” ଶୀର୍ଷକ ସ୍ମାରକୀ ବକ୍ତୃତାରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓଡ଼ିଶାର ଖଣିଜ ସମ୍ପଦ, ରାଜସ୍ୱ ଅଧିକାର ଓ ଆର୍ଥିକ ସ୍ୱାୟତ୍ତତା ସମ୍ପର୍କରେ ମତ ରଖିଥିଲେ। ସେ କହିଥିଲେ, ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ରାଜସ୍ୱ ଅଧିକାର ଓ ଆର୍ଥିକ ସ୍ୱାୟତ୍ତତା ସୁରକ୍ଷିତ ରହିବା ଆବଶ୍ୟକ। ଅତ୍ୟଧିକ ଖଣିଜ ଉତ୍ତୋଳନ ଯୋଗୁଁ ଜଙ୍ଗଲ, ଜଳ, ଜମି ଓ ଆଦିବାସୀ ଜୀବନ ପ୍ରଭାବିତ ହେଉଥିବାରୁ ଆଗାମୀ ପିଢ଼ିର ଅଧିକାର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରାଜେଶ କୁମାର ମିଶ୍ର, ସାମାଜିକ କର୍ମୀ ସ୍ୱାଧୀନ କୁମାର ପଣ୍ଡା ଏବଂ ପୁରୀ ଜିଲ୍ଲା ଆମ୍ ଆଦମୀ ପାର୍ଟି ସମ୍ପାଦକ ସତ୍ୟଜିତ୍ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ୟୁସୁଫ ମେହେର ଅଲ୍ଲୀଙ୍କ ସଂଗ୍ରାମୀ ଜୀବନ ଓ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ଅବଦାନକୁ ସ୍ମରଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ଜନବାଦୀ ସାମ୍ବାଦିକା ସୁପ୍ରୀୟା ଦାଶଙ୍କୁ ପ୍ରଥମ “ୟୁସୁଫ ମେହେର ଅଲ୍ଲୀ–ଡଃ ଜିଜି ପାରିଖ ସଂକଳ୍ପ ସମ୍ମାନ–୨୦୨୬” ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୁରୀ ସହରର ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଶ୍ରମିକ ନେତା ଯୋଗଦେଇଥିଲେ। ୟୁସୁଫ ମେହେର ଅଲ୍ଲୀଙ୍କ ଚିନ୍ତାଧାରା, ସଂଗ୍ରାମ ଓ ସାମାଜିକ ନ୍ୟାୟର ଆଦର୍ଶକୁ ଆଗକୁ ନେବା ନେଇ ଆଲୋଚନା ହୋଇଥିଲା।
Puri (ପୁରୀ) • ରିପୋର୍ଟ: ଲକ୍ଷ୍ମୀଧର ମୁର୍ମୁ

ସାଲିଆସାହି ଓ ଭୁବନେଶ୍ୱରରେ ଗଣେଶ ପୂଜା ଭାଷାଣି
ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳ ସାଲିଆସାହି ସମେତ ବିଭିନ୍ନ ପୂଜା ମଣ୍ଡପରେ ଶାନ୍ତିପୂର୍ଣ୍ଣ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗଣେଶ ପୂଜା ଭାଷାଣି ଉତ୍ସବ ସମ୍ପନ୍ନ ହୋଇଛି। ଶୋଭାଯାତ୍ରା ଓ ଆକର୍ଷଣ: ଗଣପତି ବାପ୍ପାଙ୍କ ବିସର୍ଜନ ଶୋଭାଯାତ୍ରାରେ ବିଭିନ୍ନ ସାଂସ୍କୃତିକ ଦଳ, ବାଜା-ରୋଷଣି ଏବଂ ଆଲୋକମାଳାର ଆକର୍ଷଣୀୟ ସଜ୍ଜା ଦେଖିବାକୁ ମିଳିଥିଲା। 'ଗଣପତି ବାପ୍ପା ମୋରିୟା' ଧ୍ୱନିରେ ଗଗନ ପବନ ମୁଖରିତ ହୋଇଉଠିଥିଲା। ଭକ୍ତଙ୍କ ସମାଗମ: ସାଲିଆସାହିର ସ୍ଥାନୀୟ ଶ୍ରଦ୍ଧାଳୁ ଓ ଯୁବକ ସଂଘ ଗୁଡ଼ିକ ଶ୍ରଦ୍ଧାର ସହ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଶୋଭାଯାତ୍ରାରେ ନେଇ ନିର୍ଦ୍ଧାରିତ କୃତ୍ରିମ ପୁଷ୍କରିଣୀ (Artificial Ponds) ରେ ବିସର୍ଜନ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା: ଭାଷାଣି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା।
Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର:ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼

କଞ୍ଚା ଘର ସମସ୍ୟା ଓ ପକ୍କାଘର ଅପେକ୍ଷା: କେବେ ମିଳିବ ଗରିବଙ୍କୁ ନିଜ ଅଧିକାର?
ଆଜି ବି ରାଜ୍ୟର ଅନେକ ଗ୍ରାମାଞ୍ଚଳରେ ଅନେକ ଗରିବ ଓ ଅସହାୟ ପରିବାର କଞ୍ଚା, ଛଣ ଓ ନଡ଼ା ଛପର ଘରେ ବିପଦପୂର୍ଣ୍ଣ ଭାବେ ଦିନ କାଟୁଛନ୍ତି । ଖରା, ବର୍ଷା ଓ ସୀତରେ ଏହି ପରିବାରଗୁଡ଼ିକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସମସ୍ୟା ଓ ବର୍ତ୍ତମାନର ସ୍ଥିତି: ଯୋଗ୍ୟତା ଥାଇ ବି ବଞ୍ଚିତ: ଅନେକ ପ୍ରକୃତ ଯୋଗ୍ୟ ଗରିବ ହିତାଧିକାରୀ ବୈଷୟିକ ତ୍ରୁଟି, ସର୍ଭେରେ ନାମ ଛୁଟିଯିବା କିମ୍ବା ପ୍ରଶାସନିକ ବିଳମ୍ବ ଯୋଗୁଁ ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି। ସରକାରୀ ଆଶ୍ୱାସନା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା' (PMAY-G 2.0) ଏବଂ ରାଜ୍ୟ ଆବାସ ଯୋଜନା ମାଧ୍ୟମରେ ସମସ୍ତ କଞ୍ଚାଘରକୁ ପକ୍କାଘରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । PMAY-ଗ୍ରାମୀଣ ଅଧୀନରେ ବର୍ତ୍ତମାନ ସହାୟତା ରାଶି ବୃଦ୍ଧି କରାଯାଇଛି। କେବେ ମିଳିବ ସମାଧାନ? ନୂତନ ସର୍ଭେ (Awaas+): ଯେଉଁମାନଙ୍କ ନାମ ପୂର୍ବ ତାଲିକାରେ ନଥିଲା, ସେମାନଙ୍କୁ ‘ଆବାସ ପ୍ଲସ୍’ (Awaas+) ସର୍ଭେ ମାଧ୍ୟମରେ ନୂଆ ତାଲିକାରେ ସାମିଲ କରାଯାଉଛି। ନିୟମିତ କାର୍ଯ୍ୟାନ୍ୱୟନ: ସରକାରଙ୍କ ଲକ୍ଷ୍ୟ ରହିଛି ଯେ ଆଗାମୀ ବର୍ଷଗୁଡ଼ିକ ମଧ୍ୟରେ କ୍ରମାନ୍ୱୟରେ ସମସ୍ତ ପଞ୍ଜୀକୃତ ଓ ଯୋଗ୍ୟ ପରିବାରଙ୍କୁ ଆବାସ ମଞ୍ଜୁର କରାଯିବ। ହିତାଧିକାରୀମାନେ କ’ଣ କରିପାରିବେ? ପଞ୍ଚାୟତରେ ଯୋଗାଯୋଗ: ନିଜ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO)ଙ୍କ ସହ ଯୋଗାଯୋଗ କରି ଆବାସ ତାଲିକାରେ ନାମ ଅଛି କି ନାହିଁ ଯାଞ୍ଚ କରନ୍ତୁ। ଅନଲାଇନ୍ ସ୍ଥିତି ଯାଞ୍ଚ: ସରକାରୀ ପୋର୍ଟାଲ pmayg.nic.in ରେ ନିଜର ଆଧାର କାର୍ଡ କିମ୍ବା ପଞ୍ଜୀକରଣ ନମ୍ବର ଦେଇ ନାମ ଯାଞ୍ଚ କରିପାରିବେ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଭୁବନେଶ୍ୱର ସାଲିଆସାହିରୁ ଦୁଃଖଦ ଖବର: ଆର୍ଥିକ ଅନାବସ୍ଥା ଯୋଗୁଁ ଗାଡ଼ି ମରାମତି କରିପାରୁନାହାନ୍ତି ଦିବ୍ୟାଙ୍ଗ ବୃଦ୍ଧ
ରାଜଧାନୀ ଭୁବନେଶ୍ୱରର ସାଲିଆସାହି ଅଞ୍ଚଳରୁ ଏକ ଦୁଃଖଦ ତଥା ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ବୃଦ୍ଧ ନିଜର ଆବଶ୍ୟକୀୟ ତିନିଚକିଆ ଗାଡ଼ିଟି ଖରାପ ହୋଇଯିବା ଯୋଗୁଁ ତାହାକୁ ଚଲାଇ ନପାରି, ରାସ୍ତାରେ ନିଜ ପାଦରେ ଠେଲି ଠେଲି ନେବାକୁ ବାଧ୍ୟ ହେଉଛନ୍ତି। ଗାଡ଼ି ମରାମତି ପାଇଁ ନାହିଁ ଟଙ୍କା: ପ୍ରାପ୍ତ ସୂଚନା ଅନୁସାରେ, ବୃଦ୍ଧ ଜଣଙ୍କର ଗାଡ଼ିଟି ଅଚଳ/ଖରାପ ହୋଇଯାଇଥିଲେ ହେଁ ତାହାକୁ ମରାମତି କରିବା ପାଇଁ ତାଙ୍କ ନିକଟରେ ଆବଶ୍ୟକ ଅର୍ଥ ନାହିଁ। ନିଜର ଶାରୀରିକ ଅସମର୍ଥତା ସତ୍ତ୍ୱେ ଜୀବନ ଜୀବିକା ଏବଂ ନିତ୍ୟବ୍ୟବହାର୍ଯ୍ୟ କାମ ପାଇଁ ସେ ଏହିପରି ଭାବେ ଗାଡ଼ିକୁ ଠେଲି ଠେଲି ନେବାକୁ ବାଧ୍ୟ ହେଉଛନ୍ତି। ସହାୟତା ପାଇଁ ଅପିଲ୍: ସାମାଜିକ ସଂସ୍ଥା, ସ୍ଥାନୀୟ ପ୍ରଶାସନ ଏବଂ ସହୃଦୟ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ ଯେ, ଏହି ବୃଦ୍ଧ ଜଣଙ୍କର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କ ଗାଡ଼ି ମରାମତି କରିବା କିମ୍ବା ନୂତନ ଗାଡ଼ି ଯୋଗାଇଦେବା ପାଇଁ ଆଗେଇ ଆସନ୍ତୁ।
Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର:ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

କୋକସରା ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଭବାନୀପାଟଣାତା. ୨୧.୦୯.୨୦୨୬: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ନିମନ୍ତେ ଆଜି କୋକସରା ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଯୁଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତାରା ଜସ୍ମିନ୍ ଗୁଡ଼ିଆ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଉପ ନିର୍ଦ୍ଦେଶକ ଯୋଜନା ଏବଂ ସ୍ଵମନ୍ନୟ ଶ୍ରୀକାନ୍ତ ଦଳେଇ, ସି ଡି ଏମ ଓ ଡ଼ ହରେକୃଷ୍ଣ ଶତପଥୀ , ଗୋଷ୍ଠୀ ଉନ୍ନୟନ ଅଧିକାରି ଡ ହିମାଞ୍ଚଳ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୩୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୪ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୨ଟି ସାମୂହିକ ଅଭିଯୋଗ ରହିଥିଲା।ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୪ଟି ଅଭିଯୋଗର ତତ୍କାଳ ସମାଧାନ ଘଟଣାସ୍ତଳରେ କରାଯାଇଥିଲା।୧ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଚିକିତ୍ସା ବାବଦ ସହାୟତା ପ୍ରଦାନ କରାଗଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଭିଯୋଗଗୁଡ଼ିକର ତ୍ୱରିତ, ନ୍ୟାୟସଙ୍ଗତ ଓ ଗୁଣାତ୍ମକ ଫଇସଲା କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।ସାମାଜିକ ସୁରକ୍ଷା ବିଭାଗ ତରଫରୁ ୨ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ, କୋକସରା

ପାଣିଟାଙ୍କି ନିର୍ମାଣ ହୋଇଛି, ହେଲେ ମିଳୁନି ପାଣି: ଗ୍ରାମବାସୀ ହନ୍ତସନ୍ତ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କୋସଳାଙ୍ଗ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ଗାଁରେ ନିର୍ମାଣ ହୋଇଛି ପାଣିଟାଙ୍କି। ହେଲେ ଦୁଃଖର ବିଷୟ, ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କ ନିକଟରେ ପାଣି ପହଞ୍ଚି ପାରୁନାହିଁ। ଫଳରେ ପାନୀୟ ଜଳ ପାଇଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ସୁବିଧା ପାଇଁ ଏତେ ଅର୍ଥ ବ୍ୟୟରେ ପାଣିଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଏହାର ସୁଫଳ ଲୋକଙ୍କୁ ମିଳୁନାହିଁ। ପାଣିଟାଙ୍କି ଥାଇ ମଧ୍ୟ ପାଣି ନମିଳିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ସମସ୍ୟା ପ୍ରତି ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଦୃଷ୍ଟି ଦେଇ ଶୀଘ୍ର ପାଣିଟାଙ୍କି କାର୍ଯ୍ୟକ୍ଷମ କରିବା ସହ ଗ୍ରାମବାସୀଙ୍କୁ ନିୟମିତ ପାନୀୟ ଜଳ ଯୋଗାଇଦେବାକୁ ଦାବି ହେଉଛି।
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ
