ଏସ୍ପିସିବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ପାଳିତ: ଶୀତଳ ପୃଥିବୀ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ ଆହ୍ୱାନ
Rourkela (ରାଉରକେଲା)କୁଞ୍ଜବିହାରୀ ରାଉତSeptember 22, 202613 views

ରାଉରକେଲା, ୨୨/୦୯: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି), ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆରଏସପିସ୍ଥିତ ସିପିଟିଆଇ ଅଡିଟୋରିୟମରେ ବିଶ୍ୱ ଓଜୋନ ଦିବସ-୨୦୨୬ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ଶୀତଳ ପୃଥିବୀ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ’ ରଖାଯାଇଥିଲା। ଏହି ଅବସରରେ ଓଜୋନ ସ୍ତର ସୁରକ୍ଷା ସହ ଓଜୋନ କ୍ଷୟକାରୀ ପଦାର୍ଥ (ODS) ହ୍ରାସ ଏବଂ ପରିବେଶ ଅନୁକୂଳ ନୂତନ ପ୍ରଯୁକ୍ତି ଆପଣାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏସ୍ପିସିବିର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡକ୍ଟର ଅନୁପ କୁମାର ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ। ପୃଥିବୀର ତାପମାତ୍ରା ବୃଦ୍ଧି, ଓଜୋନ ସ୍ତର ଉପରେ ପ୍ରଭାବ ଏବଂ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ପ୍ରଭାବ ନେଇ ସେ ଉଦ୍ବେଗ ପ୍ରକାଶ କରିଥିଲେ। ଶୀତଳ ପୃଥିବୀ ପାଇଁ ସମାଜର ସମସ୍ତ ସ୍ତରରେ ସମନ୍ୱିତ ପଦକ୍ଷେପ ଆବଶ୍ୟକ ବୋଲି ସେ କହିଥିଲେ।
ଏହି ଅବସରରେ ଏସ୍ପିସିବି ପକ୍ଷରୁ ଓଜୋନ କ୍ଷୟକାରୀ ପଦାର୍ଥ ହ୍ରାସ ଏବଂ ବିକଳ୍ପ ବ୍ୟବସ୍ଥା ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା।
ଆରଏସପି, ସେଲ୍, ରାଉରକେଲାର ମୁଖ୍ୟ ମହାପ୍ରବନ୍ଧକ ପ୍ରମୋଦ ଚନ୍ଦ୍ର ଦାଶ ଶୀତଳ ପୃଥିବୀ ପାଇଁ ସବୁଜ ଇସ୍ପାତ ଉତ୍ପାଦନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ୍ର ଓଡ଼ିଶା ମାଇନିଂ ଡିଭିଜନ୍, ବଡ଼ବିଲର ଉପାଧ୍ୟକ୍ଷ ତଥା ମୁଖ୍ୟ-ପରିବେଶ ସୁରେଶ ମହାପାତ୍ର ଲୁହାପଥର ଖଣି ଓ ପରିଷ୍କରଣରେ ପରିବେଶ ଅନୁକୂଳ ପଦ୍ଧତି ସମ୍ପର୍କରେ ମତ ରଖିଥିଲେ।
ସେହିପରି ଏନ୍ଆଇଟି ରାଉରକେଲାର ଖଣି ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡକ୍ଟର ଏଚ୍.ବି. ସାହୁ ସ୍ଥାୟୀ ଖଣି କାର୍ଯ୍ୟ ଓ ପରିବେଶ ପରିଚାଳନା ଉପରେ ଆଲୋଚନା କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା ସ୍ଥାୟୀ ପରିବହନ ଓ ଯାନବାହନ ଧୂଆଁ ହ୍ରାସ ସମ୍ପର୍କରେ ନିଜ ମତ ରଖିଥିଲେ।
ପରେ ଅତିଥିମାନଙ୍କୁ ସ୍ମାରକୀ ଓ କପଡ଼ା ବ୍ୟାଗ ପ୍ରଦାନ କରାଯିବା ସହ ଇଂରାଜୀ ଓ ହିନ୍ଦୀରେ ‘ମିଶନ୍ ଲାଇଫ୍’ ଶପଥ ପାଠ କରାଯାଇଥିଲା। ‘ଆମ ଖାଦ୍ୟ ଆମ ସଂସ୍କୃତି’ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଉପ ପରିବେଶ ଯନ୍ତ୍ରୀ ଇଂ. ବିଜୟ କୁମାର ଭୋଇ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଉପ ପରିବେଶ ଯନ୍ତ୍ରୀ ଇଂ. ରମଣୀ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଇଂ. ଚନ୍ଦ୍ରଶେଖର ଚୌହାନ, ଇଂ. ରଜତ କୁମାର ସେଠୀ, ଓଏସ୍ଡି ବି.ବି. ମହନ୍ତ, ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞା ଜ୍ୟୋତି ସେନାପତିଙ୍କ ସମେତ ବୋର୍ଡର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
