Web News

ପୀରବଜାର ଖୁଦୁରୁକୁଣୀ ଭସାଣି ଉତ୍ସବ | ଯୋଗଦେଲେ ୧୧ଗୋଟି ମେଢ଼
ଜଗତପୁର:ଜଗତପୁର ନିକଟସ୍ଥ ପୀରବଜାର ଯାତ୍ରା ପଡିଆ ଠାରେ ପ୍ରସିଦ୍ଧ ଖୁଦୁରୁକୁଣୀ ଭସାଣି ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଗୁଜରପୁର ମହାଦେବସାହି,ଖଲିଫା ସାହି,ବାରିକ ସାହି, ମଙ୍ଗଳାସାହି, ଭାଗବତ ସାହି, ଖରଦାସହି, ଅଣ୍ଡଇସାହି, ପାଟରାସାହି, ବେହେରାସାହି, କଣିବାଟି ଓ ଚମ୍ପତି ସମେତ ମୋଟ୍ ୧୧ଗୋଟି ମେଢ ଯୋଗଦେଇଥିଲେ । ବୁଧବାର ମଧ୍ୟାହ୍ନ ସମୟରେ ସୁସଜ୍ଜିତ ମୃଣ୍ମୟୀ ପ୍ରତିମା ଗୁଡିକ ଯାତ୍ରା ପଡିଆରୁ ଶୋଭାଯାତ୍ରାରେ ବାହାରି ସନ୍ଧ୍ୟା ସମୟରେ ଖଇରା ଠାରେ ଏକ ଅସ୍ଥାୟୀ ଖାତରେ ବିସର୍ଜିତ କରାଯାଇଥିଲା | ଯାତ୍ରା କମିଟି କୋଷାଧ୍ୟକ୍ଷ ଲକ୍ଷ୍ମୀଧର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ଜଗତପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାସମଲ, ଗୁଜରପୁର ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ନନ୍ଦି, ଚମ୍ପତି ସରପଞ୍ଚ ଗୌରାଙ୍ଗ ପରିଡା, ଯାତ୍ରା କମିଟି ସଭାପତି କେଶବ ଚନ୍ଦ୍ର ବେହେରା, ସମ୍ପାଦକ ଦୁଷ୍ମନ୍ତ ବେହେରା, ଉପସଭାପତି ମୁସ୍ତାକିମ ଖାଁ, ସହ ସମ୍ପାଦକ ଅସଲମ ଖାଁ,ଶିକ୍ଷାବିତ୍ ଚୈତନ୍ୟ ବେହୁରା ପ୍ରମ୍ମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଯାତ୍ରା କମିଟି ପ୍ରତିଷ୍ଠାତା ସ୍ବର୍ଗତ କୃତିବାସ ବେହେରାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପୀରବଜାର ଯାତ୍ରା କମିଟି ପକ୍ଷରୁ ବରିଷ୍ଠ ସଦସ୍ୟ ସୁଦାମ ବେହେରା, ଉପଦେଷ୍ଠା ଭାସ୍କର ବେହେରା, ଆଜମଲ ଖାଁ, ମନ୍ମଥ ବେହେରା, ସେକ୍ ହାସିମ୍ ଓ ପପୁ ସାହେବ ପ୍ରମ୍ମୁଖ ପରିଚାଳନାରେ ସହଯୋଗ କରିଥିଲେ।
Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ସିମର ବସଷ୍ଟାଣ୍ଡ ନିକଟରୁ ୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଖୋର୍ଦ୍ଧା:ଖୋର୍ଦ୍ଧାରେ ଅବକାରୀ ବିଭାଗର ବଡ଼ ଚଢ଼ାଉ। ବାଘମାରୀ–କଳାପଥର ରାସ୍ତାର ସିମର ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରି ୨୨ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ଦୀପକ ଜେନାଙ୍କୁ ଗିରଫ କରାଯାଇଛି।ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ତଦନ୍ତ ଜାରି ରହିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର , ଖୋର୍ଦ୍ଧା

ବିଦ୍ୟାଳୟ ରେ ପାଳନ ହେଲା ଶିକ୍ଷୟତ୍ରୀ ଙ୍କ ଦ୍ୱାଦଶାହ
ନିଆରା ପରମ୍ପରା ସୃଷ୍ଟିକଲେ ବିଦ୍ୟାଳୟ କର୍ମକର୍ତ୍ତା ଭୁଦ୍ଧିଜୀବୀ ମହଲ ରେ ପ୍ରଂଶସା ର ସୁଅ ଖୋର୍ଦ୍ଧା - ବେଗୁନିଆ ବ୍ଲକ ପୋଡାଡ଼ିହ ସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାରତୀୟ ବିଦ୍ୟା ନିକେତନ ରେ ପାଳିତ ହୋଇ ଯାଇଛି ପ୍ରଧାନ ଆଚାର୍ଯ୍ୟା ସ୍ବର୍ଗତଃ ସୁଷମା ମହାପାତ୍ର ଙ୍କ ଦ୍ୱାଦଶାହ।ବିଦ୍ୟାଳୟ ର ପ୍ରତିଷ୍ଠା ୨୦୦୭ ମସିହାରେ ହୋଇଥିଲା ସେବେଠାରୁ ନିଷ୍ଠାପର ଭାବେ କାର୍ଯ୍ୟ କରି ଶିକ୍ଷା କ୍ଷେତ୍ର ରେ ବିଦ୍ୟାଳୟ କୁ ସଫଳତା ର ଶୀର୍ଷରେ ପହଞ୍ଚାଇ ଥିବା ଶ୍ରୀମତୀ ମହାପାତ୍ର ଫୁସଫୁସ ସଂକ୍ରମଣ ହେତୁ ଶ୍ୱାସ କ୍ରିୟା ଜନିତ ସମସ୍ୟା ରେ ଦୁଇବର୍ଷ ପୀଡିତ ହୋଇ ଗତ ୧୦ ତାରିଖରେ ଇହଲୀଳା ତ୍ୟାଗ କରିଥିଲେ। ତାଙ୍କ ଅମର ଆତ୍ମା ର ସଦଗତି ଓ ସ୍ମୃତି ଉଦେଶ୍ୟରେ କର୍ମକ୍ଷେତ୍ର ଭାରତୀୟ ବିଦ୍ୟାନିକେତନର ପ୍ରତିଷ୍ଠାତା ସମ୍ପାଦକ ଶୁଭକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ବର୍ତ୍ତମାନର ପ୍ରଧାନ ଆଚାର୍ଯ୍ୟା ସୁକାନ୍ତି ଜେନା ଙ୍କ ସଂଯୋଜନା କ୍ରମେ ବିଦ୍ୟାଳୟର ସମସ୍ତ ଗୁରୁମା ମାନଙ୍କ ସହଯୋଗ ଭିତ୍ତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କ ଫୋଟୋ ଚିତ୍ରରେ ସମସ୍ତ କର୍ମଚାରୀ ସମେତ ଶିଶୁ ଭାଇ ଭଉଣୀ ମାନେ ସମୂହ ଶ୍ରଦ୍ଧାସୁମନ ଅର୍ପଣ କରି ମହାନ୍ ଅମର ଆତ୍ମାଙ୍କ ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାନିକେତର ସମ୍ପାଦକ ଶ୍ରୀ ମହାପାତ୍ର ଙ୍କ ସମେତ ସମସ୍ତ ଗୁରୁମା, ଛାତ୍ର ଛାତ୍ରୀ ତାଙ୍କର ସ୍ମୃତି ଚାରଣ କରିଥିଲେ। ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ପକ୍ଷ ରୁ ଜଳପାନ ବ୍ୟବସ୍ଥା କରାଯାଇଥିଲା। ଏଭଳି ଏକ ମହତ୍ ଉଦ୍ଦେଶ୍ୟ ରଖି ବିଦ୍ୟାଳୟରେ ଅନୁଷ୍ଟିତ ହୋଇଥିବା ସ୍ୱର୍ଗତା ପ୍ରଧାନ ଆଚର୍ଯ୍ୟାଙ୍କ ଆତ୍ମାର ସଦଗତି ନିମନ୍ତେ ଅନନ୍ୟ ଭାବେ ଶ୍ରଦ୍ଧାଞ୍ଜଳି ସଭାକୁ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ପ୍ରଶଂସାର କେନ୍ଦ୍ରବିନ୍ଦୁ ପାଲଟିଛି । ପୋଡ଼ାଡିହ ବିଦ୍ୟା ନିକେତନର ଏଭଳି ନିଆରା କାର୍ଯ୍ୟକ୍ରମ ଆୟୋଜନ ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥିବା ବେଳେ ଗୁରୁ ଓ ଶିଷ୍ୟ ପରମ୍ପରାର ଏକ ନୂତନ ଦିଗଦର୍ଶନ ଦେଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ତିନି ଦଫା ଦାବିରେ ଟିକାତାଳ ଟୋଲ୍ଗେଟ୍କୁ ସ୍ଥାନୀୟଙ୍କ ବିରୋଧ
ଖୋର୍ଦ୍ଧା-ତିନି ଦଫା ଦାବି ନେଇ ଟିକାତାଳ ଟୋଲ୍ଗେଟ୍କୁ ସ୍ଥାନୀୟ ଲୋକଙ୍କ ବିରୋଧ। ରାସ୍ତାର ପୁନରୁଦ୍ଧାର, ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଏବଂ ବୋଲଗଡ଼ ଓ ବେଗୁନିଆ ଅଞ୍ଚଳର ସମସ୍ତ ଚାରିଚକିଆ ଯାନର ଯାତାୟାତକୁ ଟୋଲ୍ମୁକ୍ତ କରିବା ଦାବି କରିଛନ୍ତି ସ୍ଥାନୀୟ ଲୋକେ। ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ଟୋଲ୍ଗେଟ୍ ଚାଲୁ ହେବା ପୂର୍ବରୁ ରାସ୍ତାର ଆବଶ୍ୟକ ପୁନରୁଦ୍ଧାର କରାଯିବା ସହ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଦାବିଗୁଡ଼ିକ ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସ୍ଥାନୀୟମାନେ କହିଛନ୍ତି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଫୁଲୁଛି ବାହୁଦା ବାଘଲଟି ବନ୍ୟାଜଳ ଛାଡିଲେ ବିପଦ ବଢ଼ିପାରେ
ଚିକିଟି, ୨୩/୯ ):ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ଚିକିଟି ବ୍ଲକ ରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ହୋଇଛି ଏବଂ ବର୍ଷା ର ମୋଟ ପରିମାଣ ୭୩. ୨ ମିଲି ମିଟର ରେକର୍ଡ ରହିଛି l ଯାହା ଫଳ ରେ ଚିକିଟି ର ଜୀବନ ରେଖା ବାହୁଦା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି l ସେହିପରି ବାଘଲାଟି ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ଗତ ଏକ ଘଣ୍ଟା ମଧ୍ୟରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ବାଘଲଟି ଜଳ ଭଣ୍ଡାର ର ଜଳ ଧାରଣ ମୋଟ ୧୦୬ ରହିଛି l ବର୍ତମାନ ୯୮ ରହିଥିବା ବେଳେ ଜଳ ଧାରଣ କ୍ଷମତା ୧୦୪ କୁ ବୃଦ୍ଧି ପାଇଲେ ବାଘଲଟି ପାଣି ବାହୁଦା ରେ ଛାଡିବାକୁ ବାଘଲଟି କତୃପକ୍ଷ ନିଷ୍ପତି ନେଇଛନ୍ତି l ଏହି ପରିସ୍ଥିତିରେ ଆଜି ରାତି ସୁଦ୍ଧା ବାଘଲାଟି ଜଳଭଣ୍ଡାରରୁ ଅତିରିକ୍ତ ଜଳ ନିଷ୍କାସନ କରାଯାଇପାରେ ବୋଲି କୁହାଯାଇଛି l ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ନିମ୍ନମୁହାଁ ଏବଂ ବାହୁଦା ନଦୀକୁଳିଆ ରହୁଥିବା ଜନସାଧାରଣ ଆଗୁଆ ସତର୍କ ରହିବା ସହ ନିଜ ନିଜ ସୁରକ୍ଷା ପାଇଁ ଆବଶ୍ୟକ ପ୍ରସ୍ତୁତି ନେବାକୁ ବାଘଲଟି ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ଜନସାଧାରଣ ନଦୀ, ନାଳ, ଜଳପ୍ରବାହ ଅଞ୍ଚଳ ଏବଂ ଜଳଭଣ୍ଡାରର ନିମ୍ନମୁହାଁ ଅଞ୍ଚଳକୁ ନଯିବା ସହ ଜଳସ୍ରୋତ ଅତିକ୍ରମ କରନ୍ତୁ ନାହିଁ ଏବଂ ପରିସ୍ଥିତିକୁ ନେଇ ଭୟଭୀତ ନହେବା ପାଇଁ କୁହାଯାଇଛି l ଅନ୍ୟପଟେ ବାତ୍ୟା କୁ ଦୃଷ୍ଟି ରେ ରଖି ସୁନାପୁର ବାତ୍ୟା ଆଶ୍ରୟ ସ୍ଥଳକୁ ୪୦ ଜଣ ଙ୍କୁ ସ୍ଥାନାନ୍ତର କରାଯାଇଛି l ସେଥିମଧ୍ୟରୁ ୧୧ ପୁରୁଷ, ୨୦ ମହିଳା ଏବଂ ୯ ଜଣ ଶିଶୁ ରହିଛନ୍ତି l ଚିକିଟି ବ୍ଲକ ର ୨୫ ଜଣ ଗର୍ଭବତୀ ମହିଳା ଙ୍କୁ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ଚିକିଟି ବ୍ଲକ ପ୍ରଶାସନ ତରଫରୁ ସୂଚନା ମିଳିଛି l ଖବର ଲେଖା ହେବା ସୁଦ୍ଧା କୌଣସି କ୍ଷୟକ୍ଷତି ର ସୂଚନା ନଥିବା ତହସିଲଦାର ବିଶ୍ୱରଂଜନ କଂହର କହିଛନ୍ତି l
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ମକା କିଆରୀରେ ଭାଲୁ ଆତଙ୍କ, ରାତାରାତି ଉଜାଡ଼ି ଦେଲା ଏକର ଏକର ମକା ଚାଷ ,ଚାଷୀ ମୁଣ୍ଡରେ ହାତ, ବନ ବିଭାଗ କୁଆଡ଼େ ଗଲା
କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ଉପାନ୍ତ ଅଞ୍ଚଳରେ ଏବେ ଦିନକୁ ଦିନ ଭାଲୁ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଫଳ ସ୍ୱରୂପ ଅଞ୍ଚଳରେ ଚାଷ କରାଯାଇଥିବା ମାଣ୍ଡିଆ, ହରଡ଼, କୋଳଥ, ମକା ଆଦି କିଆରୀରେ ଜଙ୍ଗଲି ଭାଲୁ ସବୁ ପଶି ବ୍ୟାପକ ପରିମାଣରେ ଫସଲ କ୍ଷୟ କ୍ଷତି କରୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ ଆମପାଣି ପଞ୍ଚାୟତ କନ୍ଦାଗଡ଼ ତିର୍ତିଆ ପଡ଼ାର ଚାଷୀ ଲକ୍ଷ୍ମଣ ରାଉତ ତାଙ୍କ କ୍ଷେତରେ ପ୍ରାୟ ଚାରି ହେକ୍ଟର ମକା ଚାଷ କରିଥିଲେ। ବର୍ତ୍ତମାନ ମକା ଅମଳ ସମୟରେ କିଛି ଜଙ୍ଗଲି ଭାଲୁ ତାଙ୍କ ମକା କିଆରୀରେ ପଶି ବ୍ୟାପକ ପରିମାଣରେ ମକା ଭଙ୍ଗାରୁଜା ଓ କ୍ଷୟ କ୍ଷତି କରିଥିବା ଅଭିଯୋଗ କରିଛନ୍ତି।ଲକ୍ଷ୍ମଣ ରାଉତ ଜଣେ ଗରିବ ଚାଷୀ ।ଋଣ କରଜ କରି ସେ ଦି ପଇସା ଆଶାରେ ମକା ଚାଷ କରିଥିଲେ। ହେଲେ ବର୍ତ୍ତମାନ ଭାଲୁ ଆତଙ୍କ ଯୋଗୁଁ ତାଙ୍କର ପାଖାପାଖି ଏକ ଏକର ମକା ଚାଷ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଥିବା ପ୍ରକାଶ ପାଇଛି। ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଚାଷୀ ଲକ୍ଷ୍ମଣ ରାଉତଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ପ୍ରକାଶ ଥାଉକି ଆମପାଣି ଅଞ୍ଚଳରେ ଏଥି ପୂର୍ବରୁ ମଧ୍ୟ ଅନେକ ଜଙ୍ଗଲି ଭାଲୁ ପଶି ବ୍ୟାପକ ଫସଲ କ୍ଷୟ କ୍ଷତି କରିବା ସହିତ ଲୋକଙ୍କ ଧନ ଜୀବନ ମଧ୍ୟ କ୍ଷତି କରିଛି। ତେବେ ଅଞ୍ଚଳରେ ବାରମ୍ବାର ଏପରି ଅଘଟଣ ଘଟୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ବନ ବିଭାଗ ଏଦିଗରେ ଯତ୍ନବାନ ହୋଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଗଭୀର ଅବପାତ ପରିସ୍ଥିତିର ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଆଜି ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ୱାରା ଦକ୍ଷିଣ ଓଡ଼ିଶା ଜିଲ୍ଲାପାଳଙ୍କୁ ନେଇ ସମୀକ୍ଷା ବୈଠକ
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇ ଦୁଇ ଦିନ ୨୩ ଏବଂ ୨୪ ତାରିଖ ପାଇଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣ ଭବାନୀପାଟଣା ତା: ୨୩.୦୯.୨୦୨୬ ପୂର୍ବ-କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଏବଂ ଗତକାଲି ଠାରୁ ଆରମ୍ଭ ପ୍ରତିକୂଳ ପାଣିପାଗ ଓ ଗଭୀର ଅବପାତ କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆଭାସୀ ମାଧ୍ୟମରେ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ନେଇ ଗତକାଲି ୨୨.୯.୨୦୨୬ ରିଖ ସମୀକ୍ଷା କରିଛନ୍ତି। ଏହି ଅବସରରେ ଆଜି ତା ୨୩.୯.୨୦୨୬ ରିଖ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଦକ୍ଷିଣ ଓଡ଼ିଶା ସମସ୍ତ ଜିଲ୍ଲାପାଳଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବୈତୁରା ଦୀପ ଙ୍କ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଆଇଏମଡିର ଆକଳନ ଅନୁଯାୟୀ, ଆସନ୍ତା କାଲି ୨୪ ରେଡ୍ ୱାର୍ଣିଂ ଓ ୨୫ ସେପ୍ଟେମ୍ବର ୨୦୨୬ ପାଇଁ ‘ଅରେଞ୍ଜ ୱର୍ଣିଂ’ ଜାରି କରାଯାଇଛି। ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ କ୍ଷେତ୍ରସ୍ତରରେ ଗ୍ରହଣ କରାଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପର ସମୀକ୍ଷା କରିବା ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର ଓ ବିଡିଓମାନଙ୍କର ଛୁଟି ବାତିଲ କରାଯାଇଛି। ସେମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ସଜାଗ ଓ ଉପସ୍ଥିତ ରହିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ପୂର୍ବାନୁମତି ବିନା ମୁଖ୍ୟାଳୟ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପଞ୍ଚାୟତ ଏବଂ ବ୍ଲକସ୍ତରରେ ଚୂଡା, ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥିତି ସମୀକ୍ଷା କରିବା ସହ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ସାମଗ୍ରୀର ଅଭାବ ନହେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବାକୁ ସି ଏସ ଓ ଏବଂ ସମସ୍ତ ବିଡିଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଜଳର ସୁଗମ ନିଷ୍କାସନ ସୁନିଶ୍ଚିତ କରିବା ତଥା ଜଳବନ୍ଦୀ ପରିସ୍ଥିତି କିମ୍ବା ଆକସ୍ମିକ ବନ୍ୟାର ଆଶଙ୍କା ହ୍ରାସ କରିବା ପାଇଁ ସମସ୍ତ ପୌରାଞ୍ଚଳର ଡ୍ରେନ୍ ଗୁଡିକୁ ଡି-ସିଲ୍ଟିଂ (ପଙ୍କ ନିଷ୍କାସନ) ପାଇଁ ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ଗଛ ପଡ଼ିବା କିମ୍ବା ମାତ୍ରାଧିକ ବର୍ଷା ଯୋଗୁଁ ରାସ୍ତା ଅବରୋଧ ଭଳି ଘଟଣାରେ ତୁରନ୍ତ ପଦକ୍ଷେପ ନେଇ ଯଥାଶୀଘ୍ର ଯାତାୟାତ ସ୍ୱାଭାବିକ କରିବା ପାଇଁ ଅଗ୍ନିଶମ ସେବା କର୍ମଚାରୀଙ୍କୁ ସଜାଗ ରହିବା ସହ ବିଦ୍ୟୁତ୍ ସରବରାହରେ ବାଧା ଉପୁଜିଲେ ତୁରନ୍ତ ପୁନଃସ୍ଥାପନ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳ ଓ ଆବଶ୍ୟକ ସାଧନ ପ୍ରସ୍ତୁତ ରଖିବାକୁ ଟାଟା ପାୱାରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ, ମତ୍ସ୍ୟଜୀବୀଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ବର୍ତ୍ତମାନର ପାଣିପାଗ ଓ ବଜ୍ରପାତ ପରିସ୍ଥିତିରେ ନଦୀ ମଧ୍ୟକୁ ମାଛ ଧରିବା କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଦେଶୀ ଡଙ୍ଗା ଯୋଗେ ଯାତାୟାତ ନକରିବାକୁ ସ୍ଥାନୀୟ ବିଡିଓ ଏବଂ ତହସିଲଦାରଙ୍କ ତତ୍ତ୍ୱାବଧାନରେ ମାଇକିଂ ଦ୍ଵାରା ବ୍ୟାପକ ସଚେତନତା କାର୍ଯ୍ୟ ଚାଲୁ ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ୨୩ ଓ ଆସନ୍ତା କାଲି ୨୪ ସେପ୍ଟେମ୍ବର ଦୁଇଦିନ ଜିଲର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି । ବିଭିନ୍ନ ବ୍ଲକର ବିଦ୍ୟାଳୟ ମାନଙ୍କରେ ୨୮ ଟି ସାମୟିକ ଆଶ୍ରୟ ସ୍ଥଳ, ଅଗ୍ନିଶମ ବିଭାଗର ପ୍ରସ୍ତୁତି,ଥୁଆମୂଳ ରାମପୁର,ଏମ ରାମପୁର,କୋକସରା ଏବଂ ଲାଞ୍ଜିଗଡ ବ୍ଲକ ର ଭୂସ୍ଖଳନ ଚିହ୍ନଟ ଓ ସତର୍କତା ,ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର,ଅତି ଆବଶ୍ୟକ ଔଷଧ ସହ ୧୩ ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ ପ୍ରସ୍ତୁତ,କୃଷି ବିଭାଗ କର୍ମଚାରୀଙ୍କ ଦ୍ୱାରା ସମ୍ଭାବ୍ୟ ଫସଲ ନଷ୍ଟ ଉପରେ ସତର୍କତା, ସମସ୍ତ ତହସିଲ ରେ ୮୦୦୦ ପଲିଥିନ ବ୍ୟବହାର ପାଇଁ ମହଜୁଦ୍, ସମସ୍ତ ବ୍ଲକ ଓ ତହସିଲ ଠାରେ କଣ୍ଟ୍ରୋଲ ରୁମ ସହ ସହାୟତା ଓ ସୁଚନା ପାଇଁ ଜିଲ୍ଲା ଜରୁରୀ କଣ୍ଟ୍ରୋଲ ରୁମ ନମ୍ବର ୦୬୬୭୦ ୨୩୦୪୫୭ ଏବଂ ୦୬୬୭୦ ୨୩୦୪୫୫ ବ୍ୟବସ୍ଥା କରାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣଙ୍କଠାରୁ ସୂଚନା ଗ୍ରହଣ, ଅବିଳମ୍ବେ ପଦକ୍ଷେପ ଗ୍ରହଣ ଏବଂ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ଓ ବ୍ଲକସ୍ତରୀୟ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ। ତେଣୁ ସମସ୍ତ ଜନସାଧାରଣ ସଜାଗ ରହି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଉଥିବା ସରକାରୀ ସୂଚନା ଓ ପରାମର୍ଶ ପାଳନ କରିବା ସହ ଏହି ସମୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ସୋଲାର ପମ୍ପ ଅଚଳ, ପିଇବା ପାଣି ଚିନ୍ତା ଗୋଟିଏ ନଳକୂପ ଭରସାରେ ବେହେରାଗୁଡା ବାସୀ
ଧର୍ମଗଡ଼,: ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱଚ୍ଛ ଓ ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜଳଯୋଗାଣ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଅନେକ ସ୍ଥାନରେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏହି ପ୍ରକଳ୍ପଗୁଡ଼ିକ ଅଚଳ ହୋଇପଡ଼ିଥିବା ଅଭିଯୋଗ ହେଉଛି। ଏଭଳି ଏକ ସମସ୍ୟା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଳୀ ପଞ୍ଚାୟତ ଅନ୍ତର୍ଗତ ବେହେରାଗୁଡା ଗ୍ରାମରେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ପ୍ରାୟ ଏକ ବର୍ଷ ହେବ ଗ୍ରାମରେ ଥିବା ସୋଲାର ପମ୍ପ ଅଚଳ ହୋଇପଡ଼ିଛି। ଫଳରେ ଗ୍ରାମର ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ପରିବାର ପାନୀୟଜଳ ପାଇଁ ଏବେ ମାତ୍ର ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଗ୍ରାମର ସମସ୍ତ ପରିବାର ଏହି ଗୋଟିଏ ନଳକୂପ ଉପରେ ନିର୍ଭର କରୁଥିବାରୁ ପାଣି ନେବା ପାଇଁ ଲୋକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସହ ଅନେକ ସମୟରେ ଦୂରବାଟ ଅତିକ୍ରମ କରିବାକୁ ପଡ଼ୁଛି। ବିଶେଷକରି ମହିଳା, ଶିଶୁ ଓ ବୟସ୍କମାନେ ପାଣି ସଂଗ୍ରହ କରିବାରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି। ସୋଲାର ପମ୍ପ ଅଚଳ ହେବା ପରେ ଏହାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ପାନୀୟଜଳ ସମସ୍ୟା ଲାଗି ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ତେଣୁ ତୁରନ୍ତ ଅଚଳ ସୋଲାର ପମ୍ପର ମରାମତି କରି ଜଳଯୋଗାଣ ବ୍ୟବସ୍ଥା ସ୍ୱାଭାବିକ କରିବା ସହ ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ବେହେରାଗୁଡା ଗ୍ରାମବାସୀ ଦାବି କରିଛନ୍ତି।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ନୂଆଗାଁ ଗ୍ରାମରେ ଆଜି ପଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦଘାଟନ ହୋଇଯାଇଛି
ଦେବଗଡ଼:-(ତା -୨୩-୦୯-୨୦୨୬)- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ଗ୍ରାମ ପଞ୍ଚାୟତ ର ନୂଆଗାଁ ଗ୍ରାମରେ ଦୋଳଗୋବିନ୍ଦ କ୍ଲବ୍ ଆନୁକୁଲ୍ୟରେ ପଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦଘାଟନ ହୋଇଯାଇଛି। କ୍ଲବ୍ ର ସଭାପତି ଶ୍ରୀଯୁକ୍ତ ସୁଜ୍ଞାନୀ ନାୟକ, ସମ୍ପାଦକ ପ୍ରଦୀପ ସାମଲ ଏବଂ ସମସ୍ତ ସଭ୍ୟ ଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବଳମ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତୀ ରୀନା ବେହେରା ଧୂପ, ଦ୍ବୀପ ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରିଥିଲେ ଏବଂ ଫିତା କାଟି ଉଦଘାଟନ କରିଥିଲେ। ଏହି ଉଦଘାଟନୀ ମ୍ୟାଚ୍ ରେ ପ୍ରଥମ କରି ବଳମ ଓ ବାଞ୍ଝିକୁସୁମ ମଧ୍ୟରେ ହୋଇଥିଲା।ବଳମ ୩-୦ ଗୋଲ୍ ରେ ବିଜୟ ଲାଭ କରିଥିଲା। ଦ୍ବିତୀୟ ମ୍ୟାଚ୍ ଟି ପୁରୁଣାପାଣି ଓ ବଜରଙ୍ଗୀ ଏଫ୍. ସି ମଧ୍ୟରେ ହୋଇଥିଲା ଏବଂ ଏହି ମ୍ୟାଚରେ ପୁରୁଣାପାଣି ଦଳ ପେନାଲଟି ସୁଟ୍ ମାଧ୍ୟମରେ ୧-୦ ଗୋଲ୍ ରେ ବିଜୟ ଲାଭ କରି ବଜରଙ୍ଗୀ ଏଫ୍. ସି କୁ ପରାସ୍ତ କରିଥିଲା। ତୃତୀୟ ମ୍ୟାଚ୍ ଯାହାକି ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ, ଏହି ମ୍ୟାଚ୍ ଟି ବଳମ ଓ ପୁରୁଣାପାଣି ମଧ୍ୟରେ ହୋଇଥିଲା ଏବଂ ଏହି ମ୍ୟାଚରେ ବଳମ ଦଳ ପୁରୁଣାପାଣି ଦଳ କୁ ଖେଳ ଶେଷ ସୁଦ୍ଧା ୦୪ ଟି ଗୋଲ୍ ଦେଇଥିଲା ଫଳରେ ବଳମ ଦଳ ବିଜୟ ଲାଭ କରିଥିଲା । ଏହି ସମସ୍ତ ଖେଳକୁ ସରକାର ଙ୍କ ଦ୍ଵାରା ମାନ୍ୟତା ପ୍ରାପ୍ତ ତିନି ଜଣ ରେଫରୀ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସ ଖେଳ ହେଲେ ମଧ୍ୟ ପ୍ରାୟ ୨୦୦୦ ରୁ ୨୫୦୦ ପର୍ଯ୍ୟନ୍ତ ଲୋକ ଙ୍କ ସମାଗମ ହୋଇଥିଲା ଏବଂ ସମସ୍ତ ଦର୍ଶକ ଶାନ୍ତି ଶୃଙ୍ଖଳା ବଜାୟ ରଖି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଖେଳ କୁ ଉପଭୋଗ କରିଥିଲେ । ଦୋଳଗୋବିନ୍ଦ କ୍ଲବ୍ ର ସମସ୍ତ ସଦସ୍ୟ ମାନେ ଯଥା- ଶ୍ରୀଯୁକ୍ତ ଟିକେଶ୍ବର ଦାସ, ଶୁକଦେବ ଧଳ, ସୁଜିତ ଜେନା, ଧିରେନ୍ ଧଳ, ପ୍ରଦୀପ ଧଳ, ଚଗଲା ସାହୁ, ବଳରାମ ନାୟକ, କିଶୋର ନାୟକ, ଅଜୟ ସାହୁ , କୃଷ୍ଣ ନାୟକ ତଥା ସମସ୍ତ ସକ୍ରିୟ ସଭ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
Deogarh (ଦେଓଗଡ଼) • ରିପୋର୍ଟ:- ନରୋତ୍ତମ ପରିଡ଼ା

ଗଜଲକ୍ଷ୍ମୀ ପୂଜା ପାଇଁ ଅନୁକୂଳ ମାଟି ଅଣାଗଲା
ଢେ଼ଙ୍କାନାଳ ୨୩.୯- ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ପବିତ୍ର ବାମନ ଜନ୍ମ ସୁନିଆଁ ରେ ଅନୁକୂଳ ମାଟି ଅଣାଗଲା । ପୁରାତନ ଅନୁଷ୍ଠାନ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ , ଅରାସାହି ତରଫରୁ ଏକ ଶୋଭାଯାତ୍ରାରେ ଯାଇ ରଗଡ଼ି ନାଳ ନିକଟରେ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ମାଟି ଅଣାଯାଇଥିଲା । ଅରାସାହି ସଭାପତି ହୃଦାନନ୍ଦ ବେହେରା ଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ସାହି ବାସିନ୍ଦା ଏଥିରେ ସାମିଲ ହୋଇଥିଲେ । ମହାଲକ୍ଷ୍ମୀ ବଣିକ ସଂଘ ନୁଆ ବଜାର ତରଫରୁ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଙ୍କ ନେତୃତ୍ଵରେ ବ୍ୟବସାୟୀ ଭାଇ ମାନେ ମଧ୍ୟ ଶୋଭାଯାତ୍ରାରେ ଯାଇ ରଗଡି ସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇ ପବିତ୍ର ମାଟି ଆଣିଥିଲେ । ଅନୁରୂପ ଭାବେ ଭୁବନର ଲତାବିଲ ( ବଉଳ ଛକ ), ଟୋଲଙ୍କ ବେରେଣି,ବଡ଼ହାଟ ପ୍ରଭୃତି ପୂଜା ପ୍ରତିଷ୍ଠାନ ତରଫରୁ ମଧ୍ୟ ଲକ୍ଷ୍ମୀପୂଜା ନିମନ୍ତେ ମାଟି ଅଣାଯାଇଥିଲା ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

କଂସାରୀ ସମାଜ ଲକ୍ଷ୍ମୀପୂଜା ଶତ ବାର୍ଷିକୀ ଉପଲକ୍ଷେ ମାଟି ଅନୁକୂଳ
ଢେ଼ଙ୍କାନାଳ ୨୩.୯- ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ଗୋପାଳପୁରପାଟଣା ଛକ ସ୍ଥିତ ବ୍ରଜମୋହନ ଜୀୟୁ ମଣ୍ଡପ ଠାରେ କଂସାରୀ ସମାଜ ପକ୍ଷରୁ ଚଳିତ ବର୍ଷ ଲକ୍ଷ୍ମୀପୂଜା ର ଶତାବର୍ଷିକ ପାଳନ ହେବ । ଏହି ଉପଲକ୍ଷେ ପବିତ୍ର ବାମନ ଜନ୍ମ ସୁନିଆ ତିଥିରେ ଶୁଭ ମାଟି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କଂସାରୀ ସମାଜ ସଭାପତି ନନ୍ଦକିଶୋର ମେହେଣା , ସମ୍ପାଦକ ଗିରିଶ ମହାରଣା, କୋଷାଧକ୍ଷ ପ୍ରଫୁଲ୍ଲ ସାହୁ, ଉପଦେଷ୍ଟା ଇନ୍ଦ୍ରମଣି ମହାପାତ୍ର ଙ୍କ ସମେତ କାଉନସିଲର ପପୁ କୁମାର ସାହୁ ଓ କଂସାରୀ ସମାଜ ର ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ। ରଗଡି ନାଳ କୂଳରେ ପୂଜାର୍ଚ୍ଚନା କରାଯାଇ ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଅନୁକୂଳ ମାଟି ଉଠାଣ ହୋଇଥିଲା।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଅତ୍ୟଧିକ ଡିଜେ ସାଉଣ୍ଡ ଉପରେ ନିୟନ୍ତ୍ରଣ ଦାବି କଲା ଆମ୍ ଆଦମୀ ପାର୍ଟି
ବରଗଡ଼: ବରଗଡ଼ ସହର ଓ ଜିଲ୍ଲାରେ ବଢ଼ୁଥିବା ଧ୍ୱନି ପ୍ରଦୂଷଣକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛି ଆମ୍ ଆଦମୀ ପାର୍ଟି। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ପ୍ରତିଦିନ ଉଚ୍ଚ ଶବ୍ଦରେ ଡିଜେ ପ୍ରୋସେସନ ଓ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିବାରୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଆମ୍ ଆଦମୀ ପାର୍ଟି ନେତା ଭବାନୀ ସାହୁ କହିଛନ୍ତି ଯେ, ଜନବସତି ଅଞ୍ଚଳରେ ଧ୍ୱନି ପ୍ରଦୂଷଣ ନିୟନ୍ତ୍ରଣ ସମ୍ପର୍କିତ ନିୟମ ଅନୁଯାୟୀ ନିର୍ଦ୍ଧାରିତ ଶବ୍ଦ ସୀମା ମଧ୍ୟରେ ଡିଜେ ଓ ଲାଉଡ୍ସ୍ପିକରର ଶବ୍ଦ ରହିବା ଆବଶ୍ୟକ। କିନ୍ତୁ ବରଗଡ଼ର ବିଭିନ୍ନ ଅଞ୍ଚଳରେ ଏହି ସୀମାକୁ ଉଲ୍ଲଂଘନ କରି ଅତ୍ୟଧିକ ଶବ୍ଦରେ ଡିଜେ ବଜାଯାଉଥିବା ଅଭିଯୋଗ ରହିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଅତ୍ୟଧିକ ଶବ୍ଦ ଯୋଗୁଁ ବୃଦ୍ଧବୃଦ୍ଧା, ରୋଗୀ, ଛୋଟ ପିଲା ଓ ସାଧାରଣ ଲୋକେ ବିଭିନ୍ନ ପ୍ରକାର ଅସୁବିଧାରେ ପଡ଼ୁଛନ୍ତି। ତେଣୁ ଧ୍ୱନି ପ୍ରଦୂଷଣ ଉପରେ ତୁରନ୍ତ ନଜର ରଖିବା ସହ ନିର୍ଦ୍ଧାରିତ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି। ଏହା ସହିତ ଅତ୍ୟଧିକ ଶବ୍ଦରେ ଡିଜେ ବଜାଉଥିବା ଓ ଧ୍ୱନି ପ୍ରଦୂଷଣ ସୃଷ୍ଟି କରୁଥିବାଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି। ଏହି ଅଭିଯୋଗ ସମୟରେ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମ୍ପାଦକ ସ୍ୱରୂପ କୁମାର ଭୋଇ, ମହିଳା ନେତ୍ରୀ ମାରିୟମ ବାର୍ଲା, ଆଇନଜୀବୀ ରମେଶ ପତି, ମୋଇନ ମହମ୍ମଦ, ମିଲୁ ନାଗଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
Bargarh (ବରଗଡ଼) • ବରଗଡ଼ରୁ ସତ୍ୟ ସୁରୁଜାଲଙ୍କ ରିପୋର୍ଟ
