--:--:--
-- ---
Srishti News

Web News

ବନ୍ୟା ପ୍ରପୀଡ଼ିତଙ୍କୁ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ରିଲିଫ୍ ବଣ୍ଟନ
Aug 9, 2026•22 views

ବନ୍ୟା ପ୍ରପୀଡ଼ିତଙ୍କୁ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ରିଲିଫ୍ ବଣ୍ଟନ

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବୈନ୍ସେରିଆ ପଞ୍ଚାୟତ ଓ କିମ୍ଭିରିଆ ଗ୍ରାମରେ ବନ୍ୟା ପ୍ରପୀଡ଼ିତ ପରିବାରଙ୍କ ସହାୟତା ନିମନ୍ତେ ଓଡ଼ିଶା ଡିଜିଟାଲ ମହା ମିଡିଆ ସଂଘ ପକ୍ଷରୁ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଘର ଉଦ୍ୟମରେ ବନ୍ୟା ଯୋଗୁଁ ଦୁର୍ଦ୍ଦଶାରେ ପଡ଼ିଥିବା ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ ସମେତ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା। ବିପଦ ସମୟରେ ଅସହାୟ ପରିବାରଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସହଯୋଗ କରିବା ସଂଘର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଡିଜିଟାଲ ମହା ମିଡିଆ ସଂଘର ସଭାପତି ପଦ୍ମଲୋଚନ ନାୟକ, ସମ୍ପାଦକ ବସନ୍ତ ମାଲିକ, ରାଜ୍ୟ ସଦସ୍ୟ ମହେଶ୍ୱର ମହିଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ପ୍ରଦାନ କରିଥିଲେ। ସଂଘର ସଦସ୍ୟମାନଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ମଧ୍ୟ ବିପଦ ସମୟରେ ଅସହାୟ ଲୋକଙ୍କ ପାଖରେ ଠିଆ ହୋଇ ସହଯୋଗ ଜାରି ରଖିବାକୁ ସଂଘ ପକ୍ଷରୁ ପ୍ରୟାସ କରାଯିବ ବୋଲି କୁହାଯାଇଛି।

Jajpur (ଯାଜପୁର) • ଯାଜପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟ

ଯାଜପୁର ବ୍ଳକ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳିତ
Aug 9, 2026•22 views

ଯାଜପୁର ବ୍ଳକ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳିତ

ଯାଜପୁର: ପବିତ୍ର କ୍ରାନ୍ତି ଦିବସ ଅବସରରେ ଯାଜପୁର ନଗର କଂଗ୍ରେସ ଓ ବ୍ଲକ କଂଗ୍ରେସ ପକ୍ଷରୁ ଯାଜପୁର ସହର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ନଗର କଂଗ୍ରେସର ସଭାପତି ନାରାୟଣ ଚନ୍ଦ୍ର ସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦିବସରେ ବିଧାନସଭାର ନେତା ସନ୍ତୋଷ ନନ୍ଦ ଯୋଗଦେଇ କଂଗ୍ରେସ ପତାକା ଉତ୍ତୋଳନ କରି ଉପସ୍ଥିତ ନେତୃମଣ୍ଡଳୀ ମାନଙ୍କୁ କ୍ରାନ୍ତି ଦିବସର ସ୍ମୃତିକୁ ବ୍ୟକ୍ତ କରିଥିଲେ । ଇତି ଅବସରରେ ସ୍ୱାଧୀନତା ସଂଗ୍ରାମରେ ସମସ୍ତ ମହାନ ଜନନେତାମାନଙ୍କୁ ଭକ୍ତିିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅଗଷ୍ଟ ୧୯୪୨ ମସିହାରେ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଜାତିର ଜନକ ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସନର ଅବସାନ ପାଇଁ ସେମାନଙ୍କୁ ଦେଶରୁ ହଟାଇ ଭାରତ ବର୍ଷକୁ ସ୍ୱାଧୀନ କରିବା ପାଇଁ ଏହା ଥିଲା ସବୁଠାରୁ ସ୍ମରଣୀୟ ଓ ଦୁର୍ବିଶ ଲଢ଼େଇ । ଆଜି ଭାରତ ବର୍ଷ ସ୍ୱାଧୀନତା ପାଇଛି । ମହାତ୍ମା ଗାନ୍ଧୀ ସେତେବେଳେ ବ୍ରିିଠିଶ ସାମ୍ରାଜ୍ୟ ବିରୁଦ୍ଧରେ ଲଢ଼େଇ ଜାରି ରଖିଥିଲେ । ଏବେବି ଆଉ ଏକ ଲଢ଼େଇ ପାଇଁ ଆମ୍ଭମାନଙ୍କୁ ଏକଜୁଟ ହେବାକୁ ପଡ଼ିବ ଭାରତବର୍ଷର ସାମ୍ପ୍ରଦାୟିକ ମଂଜି ବୁଣୁଥିବା ଜାତି ସଂହତି ଅଖଣ୍ଡତା ଛାତ୍ର ଯୁବ କୃଷକଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାର ବିରୁଦ୍ଧରେ ଆସନ୍ତୁ ଆମେ ଏକଜୁଟ ହେଇ ଏହି ପତାକା ତଳେ ରହି ଶପଥ କରିବା କଷ୍ଟ ଲବ୍ଧ ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖିବା ଓ କଂଗ୍ରେସ ନେତୃତ୍ୱରେ ବିକଶିତ ଭାରତବର୍ଷ ଗଠନ କରିବାକୁ ଶପଥ ନେବା ବୋଲି ଶ୍ରୀ ନନ୍ଦ କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଟ ନେତା ବିଷ୍ଣୁ ରାଉତ, ବ୍ଳକ ସଭାପତି ଗଦାଧର ଦାସ, ପୂର୍ଣ୍ଣ ଯେନା, ଦୁର୍ଯ୍ୟୋଧନ ବେହେରା, ଆଲୋକ ବେହେରା, ଭାଷ୍କର ମହାନ୍ତି, ଅନିଲ କୁମାର ଜେନା, ରଘୁନାଥ ସାହୁ, ବିଭୁତି ମହାପାତ୍ର, ଅରଜିତ ନାୟକ, ଗୋବିନ୍ ସାହୁ, ଅବଦୁଲ ରୌଫ, ନିକୁଞ୍ଜ ସାମଲ, ନକୁଳ ଦେବ ସାହୁ, ଅକ୍ଷୟ ଶତପଥି, ବିଦ୍ୟାଧର ବାରିକ, ବିଜୟ ମହାପାତ୍ର ପ୍ରଭୃତି ଦିବସରେ ଯୋଗଦେଇଥିଲେ ।

Jajpur (ଯାଜପୁର) • ଅନିଲ କୁମାର ଜେନା

ଖରିଫ ଧାନ ପଞ୍ଜିକରଣ କୁ ନେଇ ଦ୍ଵନ୍ଦ ରେ କୋକସରା ବ୍ଲକ ର ଚାଷି, ନୂଆ ଗାଇଡ ଲାଇନ କୁ ନେଇ ଚାଷି ଅସନ୍ତୋଷ। ଉଚ୍ଛେଦ ନହେଲେ ଆନ୍ଦୋଳନ ଚେତାବନୀ
Aug 9, 2026•89 views

ଖରିଫ ଧାନ ପଞ୍ଜିକରଣ କୁ ନେଇ ଦ୍ଵନ୍ଦ ରେ କୋକସରା ବ୍ଲକ ର ଚାଷି, ନୂଆ ଗାଇଡ ଲାଇନ କୁ ନେଇ ଚାଷି ଅସନ୍ତୋଷ। ଉଚ୍ଛେଦ ନହେଲେ ଆନ୍ଦୋଳନ ଚେତାବନୀ

ରାଜ୍ୟ ସରକାର ଚଳିତ ବର୍ଷ ୨୦୨୬/୨୭ ଖରିଫ ଧାନଚାଷ ବିକ୍ରି ପାଇଁ ବିଭିନ୍ନ କୃଷି ସମବାୟ ସମିତି ଓ କୃଷି ବିଭାଗର ଏଗ୍ରିଷ୍ଟାକ ପୋର୍ଟାଲ ରେ କୃଷକ ରେଜିଷ୍ଟ୍ରେସନ କୁ ବାଧ୍ୟତାମୂଳକ କରିଥିବା ବେଳେ ଧାନ ବିକ୍ରି ଅନ ଲାଇନ ପାଇଁ ଚଳିତ ମାସ ୬ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି ।ତେବେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ସରକାର ଙ୍କ ନୂତନ ଗାଇଡ଼ ଲାଇନ କୁ ନେଇ ଚାଷୀକୁଳ ଦ୍ଵନ୍ଦ ରେ ପଡି ଯାଇଛନ୍ତି। ବିଶେଷତଃ ବଂଶାନୁକ୍ରମେ ନିଜ ଜେଜେବାପା ଅମଳ ରୁ ଚାଷ କରୁଥିବା ଚାଷି, ନିଜ ନାମରେ ଜମି ନଥିବା ଚାଷି ଓ ଭାଗଚାଷୀ ମାନେ ପଞ୍ଜିକରଣ ରୁ ବାଦ ପଡିବା ନେଇ ଆଶଙ୍କା ଦେଖାଦେଇଛି। ସାଧାରଣତଃ ପ୍ରତିବର୍ଷ ଜୁଲାଇ ୧୫ ରୁ ଖରିଫ ଧାନ ଫସଲ ବିକ୍ରି ପାଇଁ ପି ପାସ ପୋର୍ଟାଲ ରେ ପଞ୍ଜିକରଣ ଆରମ୍ଭ ପୂର୍ବରୁ ହେଉଥିବା ବେଳେ ଚଳିତ ବର୍ଷ ବିଳମ୍ବ ରେ ଅଗଷ୍ଟ ୬ ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଅବଧି ରହିଛି, କିନ୍ତୁ ପଞ୍ଜିକରଣ କୁ ନେଇ ରାଜ୍ୟ ସରକାର ଜାରି କରିଥିବା ନୂତନ ସର୍ତ୍ତାବଳି ଚାଷି ଙ୍କ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଛି। ନିୟମ ଅନୁଯାୟୀ ଚାଷୀଙ୍କୁ କୃଷକ ରେଜିଷ୍ଟି ସଂଖ୍ୟା ଆଧାର ରେ ପଞ୍ଜିକରଣ କରିବାକୁ ପଡିବ। ଯେଉଁ ଚାଷି ମାନଙ୍କ ନାଁ ଜମି ପଟ୍ଟା ରେ ନାହିଁ ସେମାନଙ୍କ ପାଇଁ କର ବା ମର ସ୍ଥିତି ଉପୁଜିଛି। ଏପରିକି ଅନେକ କ୍ଷେତ୍ରରେ ଜମିପଟ୍ଟା ର ଉତ୍ତରାଧିକାରୀ ମାଳିକାନା ବଣ୍ଟନ ହୋଇ ନଥିବା ବେଳେ ଏବେ ମଧ୍ୟ ଜେଜେ ବାପା ଙ୍କ ନାଁ ରେ ଥିବା ଜମି କୁ ତୃତୀୟ ପିଢ଼ି ଚାଷ କରୁଛନ୍ତି। ସେହି ଉତ୍ତରାଧିକାରୀ ଚାଷି ଙ୍କ ନାଁ ଜମିପଟ୍ଟା ରେ ନାହିଁ,ପୂର୍ବରୁ ରାଜସ୍ବ ନିରୀକ୍ଷକ ଦେଉଥିବା ରିପୋର୍ଟ ଅନୁସାରେ ଏହି ଚାଷୀମାନେ ଧାନ ବିକ୍ରି ପାଇଁ ସହମତି ପତ୍ର ଦେଇ ପଞ୍ଜିକରଣ କରୁଥିଲେ। ଭାଗଚାଷୀ ଙ୍କ ପାଇଁ ନୂଆ ନିୟମ ବଡ଼ ସମସ୍ୟା ସୃଷ୍ଟି କରିଛି। ପୂର୍ବରୁ ଜମି ମାଲିକ ଙ୍କ ସହମତି ପତ୍ର ଓ ଆଧାର କାର୍ଡ କୁ ନେଇ ସେମାନେ ପଞ୍ଜିକରଣ କରି ପାରୁଥିଲେ କିନ୍ତୁ ଏବେ ଜମି ମାଲିକ ଙ୍କ ବାୟୋମେଟ୍ରିକ ଯାଞ୍ଚ କିମ୍ବା ପ୍ରତକ୍ଷ୍ୟ ଉପସ୍ଥିତି କୁ ବାଧ୍ୟତାମୂଳକ କରା ଯାଇଥିବାରୁ ଭାଗଚାଷୀ ଙ୍କ ପାଇଁ ପଞ୍ଜିକରଣ କରିବା କଷ୍ଟସାଧ୍ୟ ହେବ ବୋଳି କୋକସରା ବ୍ଲକ ଅଞ୍ଚଳ ର କୃଷକ ନେତା ଓ ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରି ସ୍ଥିତି ରେ ନୂଆ ଗାଇଡ଼ ଲାଇନ ରେ କେମିତି ପଞ୍ଜିକରଣ କରିବେ ସେନେଇ ଚାଷି ଙ୍କ ଅକଲ ଗୁଡୁମ ହୋଇ ଯାଇଛି। ସରକାର ଙ୍କ ଏହି ଜଟିଳ ନିୟମାବଳୀ କୁ ନେଇ ଚାଷି ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଏହି ପରି ପେକ୍ଷୀ ରେ ଆଜି କୋକସରା କଲ୍ୟାଣ ମଣ୍ଡପରେ ଚାଷୀ ଏକତ୍ରିତ ହୋଇ ଏଗ୍ରିଷ୍ଟାକ ନୁଆଁ ନିୟମ କୁ ବିରୋଧ କରି ୧୧ ତାରିଖ ରେ କୋକସରା ତହସିଲ ଦାର ଙ୍କୁ ଏକ ଦାବିପତ୍ର ଦେବା ପାଇଁ ନିଷ୍ପତି ହୋଇଛି l ଏନେଇ କୋକସରାରୁ ଆଲୋଚନା କରିଛନ୍ତି

Kalahandi (କଳାହାଣ୍ଡି) • ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ନିଶା ନିବାରଣ କାର୍ଯ୍ୟକ୍ରମ
Aug 9, 2026•45 views

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ନିଶା ନିବାରଣ କାର୍ଯ୍ୟକ୍ରମ

ଖୋର୍ଦ୍ଧା, : ଗୁରୁଜଙ୍ଗସ୍ଥିତ ପି.ଏମ୍. ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ରବିବାର ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ଚକ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୬୦ ଜଣ ଛାତ୍ରଛାତ୍ରୀ ନିଶାମୁକ୍ତ ଜୀବନଯାପନ ପାଇଁ ଶପଥ ଗ୍ରହଣ କରିଥିଲେ।ବ୍ରହ୍ମାକୁମାରୀ ସେବା କେନ୍ଦ୍ରର ଅନୁରାଧା ଭଉଣୀ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ଜୀବନ ପାଇଁ ଶପଥ ପାଠ କରାଇଥିଲେ। ବ୍ରହ୍ମାକୁମାର ଜୟକୃଷ୍ଣ ଭାଇ ନିଶା ସେବନର ଅପକାରିତା, ଏହାର କୁପ୍ରଭାବ ଏବଂ କୁସଙ୍ଗରୁ ଦୂରେଇ ରହିବା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଶାଠାରୁ ଦୂରେଇ ରହିବା ସହ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ୪୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟାଙ୍କା ମହାପାତ୍ର

ଜଳମଗ୍ନ ଅଞ୍ଚଳରେ ପହଞ୍ଚିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିପନ୍ନଙ୍କୁ ଭେଟି ବୁଝିଲେ ସମସ୍ୟା
Aug 9, 2026•77 views

ଜଳମଗ୍ନ ଅଞ୍ଚଳରେ ପହଞ୍ଚିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିପନ୍ନଙ୍କୁ ଭେଟି ବୁଝିଲେ ସମସ୍ୟା

ଧାମନଗର/ତିହିଡ଼ି: ଲଗାଣ ବର୍ଷା ଓ ଜଳମଗ୍ନ ପରିସ୍ଥିତି ଯୋଗୁଁ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ତଳଗୋପବିନ୍ଧା ଅଞ୍ଚଳରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ପରିସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏଭଳି ସଙ୍କଟପୂର୍ଣ୍ଣ ସମୟରେ ଜଳମଗ୍ନ ଅଞ୍ଚଳରେ ପହଞ୍ଚି ପ୍ରଭାବିତ ଲୋକମାନଙ୍କୁ ସାକ୍ଷାତ ଭେଟି ସେମାନଙ୍କ ସମସ୍ୟା ବୁଝିଛନ୍ତି ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ମନ୍ତ୍ରୀ ତଳଗୋପବିନ୍ଧା ଅଞ୍ଚଳରେ ପହଞ୍ଚି ଜଳବନ୍ଦୀ ହୋଇଥିବା ପରିବାରଗୁଡ଼ିକ ସହ ଆଲୋଚନା କରିଥିଲେ। ପ୍ରଭାବିତ ଭାଇଭଉଣୀମାନଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ସୁଖଦୁଃଖ ଓ ଦୈନନ୍ଦିନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଜଳବନ୍ଦୀ ଯୋଗୁଁ ଯାତାୟାତ, ପାନୀୟ ଜଳ, ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ ଲୋକମାନେ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଅବଗତ ହୋଇଥିଲେ। ପ୍ରଭାବିତ ଲୋକଙ୍କ ସହ ଆଲୋଚନା ସମୟରେ ମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ଏହି କଠିନ ସମୟରେ ସରକାର ଓ ପ୍ରଶାସନ ସେମାନଙ୍କ ସହିତ ରହିଛି। ଜଳବନ୍ଦୀ ସମସ୍ୟାର ଶୀଘ୍ର ସମାଧାନ ସହ ପ୍ରଭାବିତ ପରିବାରମାନଙ୍କ ନିକଟରେ ଆବଶ୍ୟକ ସହାୟତା ପହଞ୍ଚାଇବାକୁ ସେ ଗୁରୁତ୍ୱ ଦେଇଥିଲେ। ଏହାପରେ ମନ୍ତ୍ରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଜଳମଗ୍ନ ଅଞ୍ଚଳର ସ୍ଥିତି ଓ ବିପନ୍ନ ପରିବାରଗୁଡ଼ିକର ଆବଶ୍ୟକତା ସମ୍ପର୍କରେ ଅଧିକାରୀମାନଙ୍କଠାରୁ ସବିଶେଷ ତଥ୍ୟ ନେବା ସହ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିପନ୍ନ ଲୋକଙ୍କ ନିକଟରେ ଯେପରି ତୁରନ୍ତ ରିଲିଫ୍ ସାମଗ୍ରୀ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ପହଞ୍ଚିପାରିବ, ସେଥିପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଜଳବନ୍ଦୀ ଅଞ୍ଚଳରେ ଲୋକମାନଙ୍କୁ କୌଣସି ପ୍ରକାର ଅସୁବିଧା ନହେବା ପାଇଁ ପ୍ରଶାସନକୁ ସମନ୍ୱୟ ରଖି ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଥିଲା। ଏହି ଅବସରରେ ମନ୍ତ୍ରୀ କହିଥିଲେ, “ସଙ୍କଟ ସମୟରେ ଆପଣମାନଙ୍କ ସୁରକ୍ଷା ଓ ସେବା ଆମର ପ୍ରଥମ ପ୍ରାଥମିକତା। ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଅଛି। ଏହି କଠିନ ସମୟରେ ଆମେ ପ୍ରତ୍ୟେକଟି ପରିବାର ପାଖରେ ଛିଡ଼ା ହେବାକୁ ପଡ଼ିବ।” ମନ୍ତ୍ରୀଙ୍କ ଏହି ଗସ୍ତ ଓ ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା ଅଞ୍ଚଳବାସୀଙ୍କ ମନରେ ଆଶ୍ୱାସନ ସୃଷ୍ଟି କରିଛି। ଜଳବନ୍ଦୀ ଅଞ୍ଚଳରେ ରିଲିଫ୍ ଓ ଅନ୍ୟାନ୍ୟ ଜରୁରୀ ସେବା ଶୀଘ୍ର ପହଞ୍ଚାଇବା ସହ ପରିସ୍ଥିତି ଉପରେ ପ୍ରଶାସନ ନିରନ୍ତର ନଜର ରଖିବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ସଙ୍କଟ ସମୟରେ ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ କଥା ଶୁଣିବା ଏବଂ ତୁରନ୍ତ ସହାୟତା ପାଇଁ ପ୍ରଶାସନକୁ ସକ୍ରିୟ କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ହୋଇଛି। ତଳଗୋପବିନ୍ଧା ଅଞ୍ଚଳର ଜଳବନ୍ଦୀ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହେବା ସହ ପ୍ରଭାବିତ ପରିବାରମାନଙ୍କୁ ଆବଶ୍ୟକ ସହାୟତା ମିଳିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ପଞ୍ଚସଖା ଶିକ୍ଷା ସେତୁ କାର୍ଯ୍ୟାରମ୍ଭ
Aug 9, 2026•64 views

ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ପଞ୍ଚସଖା ଶିକ୍ଷା ସେତୁ କାର୍ଯ୍ୟାରମ୍ଭ

ଚିକିଟି ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇଜଣ ବରିଷ୍ଠ ଶିକ୍ଷକଙ୍କୁ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେମାନେ ହେଲେ ଉକ୍ତ ବିଦ୍ୟାଳୟର ବିଦାୟୀ ଶିକ୍ଷକ ଗୋଦାବରୀ ପ୍ରଧାନ ଓ ଜଗମୋହନ ପୁର ବିଦ୍ୟାଳୟର ସୁରେନ୍ଦ୍ର ଗୈ।ଡ଼ । ଏଥି ଉପଲକ୍ଷେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ପ୍ରଧାନ ଶିକ୍ଷକ ଦେବରାଜ ମଳିକ। ଚିକିଟି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ପନ୍ନଗଭୂଷଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଶିକ୍ଷକଙ୍କ ଦୀର୍ଘ ଜୀବନ କାମନା କରିବା ସହ ଶିକ୍ଷା ସେତୁ ଯୋଜନାର ସଫଳ ରୂପାୟନ ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ପୂର୍ବତନ ଚିକିଟି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ କୁରେଶୁ ସେଠୀ ଶିକ୍ଷକଙ୍କ ସମୁଚିତ କର୍ତ୍ତବ୍ୟ ସମ୍ପାଦନ ହିଁ ଦେଶର ଭବିଷ୍ୟତ ଗଠନରେ ସହାୟତା ହୋଇଥାଏ ବୋଲି ନୂତନ ଶିକ୍ଷା ନୀତି ପାଇଁ ସମସ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସ୍ଥାନୀୟ ବଡ଼ ପଲଙ୍କ ସିଆରସି ଅମର କୁମାର ସାହୁ, ଏନପିଏସ ଶିକ୍ଷକ ସଂଘର ସଭାପତି ତ୍ରିଲୋଚନ ପ୍ରଧାନ, ସଂପାଦକ ରଞ୍ଜନ ବ୍ରହ୍ମା, ମଞ୍ଚାସୀନ ଥିଲେ ଓ ନିଜ ନିଜ ବକ୍ତବ୍ୟରେ ବିଦାୟୀ ଶିକ୍ଷକ ଦୁଇଜଣଙ୍କ ବିଭିନ୍ନ କାର୍ଯ୍ୟର ପ୍ରଶଂସା କରିଥିଲେ। ଉଭୟଙ୍କୁ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତତ୍ ସହିତ ବିଦାୟୀ ସଭାପତି ହରିହର ପାଢୀଙ୍କୁ ସମ୍ମାନିତ କରାଯାଇଥିଲା। ଏ କାର୍ଯ୍ୟକ୍ରମ ଭିତରେ ପଞ୍ଚସଖା ଶିକ୍ଷା ସଂଗଠନ ଆନୁକୁଲ୍ୟରେ ପେନାଲ ଟି.ଭି ସେଟ୍ କୁ ଶିକ୍ଷାଧିକାରୀ ଉଦ୍ଘାଟନ କରିଥିଲେ।ଶିକ୍ଷକ ଭବାନୀ ମହାପାତ୍ର ପରିଚୟ ପ୍ରଦାନ କରିଥିଲେ ।କ୍ଲଷ୍ଟର ସମସ୍ତ ଶିକ୍ଷକ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସାଇନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ପେଣ୍ଡାରାବନ ତିଖାଲିରେ ବିଶ୍ୱ ଆଦିବାସୀ ଦିବସ ପାଳିତ* *ଏକାଠି ହେଲେ ନୂଆପଡ଼ା ଜିଲ୍ଲାର ଆଦିବାସୀ ସମାଜ, ପାରମ୍ପରିକ ନୃତ୍ୟ-ଗୀତରେ ମୁଖରିତ ପରିବେଶ
Aug 9, 2026•62 views

ପେଣ୍ଡାରାବନ ତିଖାଲିରେ ବିଶ୍ୱ ଆଦିବାସୀ ଦିବସ ପାଳିତ* *ଏକାଠି ହେଲେ ନୂଆପଡ଼ା ଜିଲ୍ଲାର ଆଦିବାସୀ ସମାଜ, ପାରମ୍ପରିକ ନୃତ୍ୟ-ଗୀତରେ ମୁଖରିତ ପରିବେଶ

ବିଶ୍ୱ ଆଦିବାସୀ ଦିବସ ଅବସରରେ ଆଜି ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଦିବାସୀ ସମାଜର ଲୋକମାନେ ଏକାଠି ହୋଇ ପେଣ୍ଡାରାବନ ଗ୍ରାମର ତିଖାଲିଠାରେ ଏହି ଦିବସକୁ ବହୁ ଆଡମ୍ବର ଓ ଉତ୍ସାହର ସହିତ ପାଳନ କରିଛନ୍ତି। ଏହି ଅବସରରେ ଆଦିବାସୀ ସମାଜର ପରମ୍ପରା, ସଂସ୍କୃତି, କଳା, ଭାଷା ଓ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଦିବାସୀ ସଂଘର ପ୍ରତିନିଧି, ସାମାଜିକ କର୍ମୀ, ଯୁବକ-ଯୁବତୀ ଓ ସମାଜର ବହୁ ବ୍ୟକ୍ତି ଯୋଗଦେଇଥିଲେ। ସମସ୍ତେ ଏକତ୍ରିତ ହୋଇ ନିଜ ସମାଜର ଏକତା, ଭାଇଚାରା ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ। ଦିବସ ପାଳନ ଅବସରରେ ପାରମ୍ପରିକ ଆଦିବାସୀ ବେଶଭୂଷାରେ ଲୋକମାନେ ଯୋଗଦେବା ସହ ବିଭିନ୍ନ ପାରମ୍ପରିକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ଢୋଲ, ନିଶାନ ଓ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ଆଦିବାସୀ ସଂସ୍କୃତିର ଏହି ମନୋରମ ଦୃଶ୍ୟ ଉପସ୍ଥିତ ଲୋକଙ୍କ ମନ ମୋହିଥିଲା। ବକ୍ତାମାନେ କହିଥିଲେ ଯେ, ଆଦିବାସୀ ସମାଜର ଭାଷା, ସଂସ୍କୃତି, ପରମ୍ପରା ଓ ପ୍ରାକୃତିକ ସମ୍ପଦ ସହିତ ଜଡ଼ିତ ଜୀବନଶୈଳୀ ଦେଶର ଅମୂଲ୍ୟ ସାଂସ୍କୃତିକ ସମ୍ପଦ। ଏହାର ସୁରକ୍ଷା ସହ ଆଦିବାସୀ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ସାମାଜିକ ବିକାଶ ଦିଗରେ ସମସ୍ତଙ୍କୁ ଏକାଠି ହୋଇ କାମ କରିବା ଆବଶ୍ୟକ। ଏହି ଅବସରରେ ଆଦିବାସୀ ଯୁବପିଢ଼ି ନିଜ ପରମ୍ପରା ଓ ସଂସ୍କୃତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସହ ସମାଜର ସାମଗ୍ରିକ ବିକାଶରେ ନିଜର ଭୂମିକା ନେବାକୁ ସଂକଳ୍ପ ନେଇଥିଲେ। ଶେଷରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ଏକତାର ବାର୍ତ୍ତା ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Nuapada (ନୂଆପଡ଼ା) • ଗିରେନ୍ଦ୍ର କୁମାର ଜଗତ: କୋମନା

ନୂଆପଡ଼ା ସଦର ବିଶୋରାରେ ବିଶ୍ୱ ଆଦିବାସୀ ଦିବସ ପାଳିତ
Aug 9, 2026•22 views

ନୂଆପଡ଼ା ସଦର ବିଶୋରାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ନୂଆପଡ଼ା ସଦର ବ୍ଲକ ବିଶୋରା ସାପ୍ତାହିକ ବଜାର ଠାରେ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଆଦିବାସୀ ସଂଗ୍ରାମୀ ତଥା ମହାନାୟକ ବିର୍ସା ମୁଣ୍ଡାଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହାପରେ ବିଶୋରା ବଜାରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗାଁର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଜିଲ୍ଲା ଆଦିବାସୀ ସଂଘ ସଭାପତି ଭାନୁ ପ୍ରତାପ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ସମାଜର ଅନେକ ନେତା, ନାରୀ ନେତ୍ରୀ, ସମାଜସେବୀ ଓ ସାଧାରଣ ଲୋକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅବନୀ ରଞ୍ଜନ ଯଶି ପ୍ରବକ୍ତା ଭାବେ ଯୋଗଦେଇଥିବା ବେଳେ ବଟ କୃଷ୍ଣ ଧରୁଆ ମୁଖ୍ୟ ଅତିଥି ଏବଂ ଯଦୁମଣି ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ବିଶୋରା ସର୍କଲ ସମାଜ ସଂଯୋଜକ ବିରସିଂ ମାଝୀ, ସରପଞ୍ଚ ମନୋଜ ଦଣ୍ଡସେନା, ସମାଜସେବୀ ପ୍ରତାପ ମାଝୀ, ପୂର୍ବତନ ସରପଞ୍ଚ ଯୁଗେଶ୍ୱର ଶବର, ବିଶୋରା ସମାଜ ଦେବୀ ମହେନ୍ଦ୍ର ମାଝୀ, ଶବର ସମାଜ ଉପସଭାପତି ତେଜରାଜ ଶବର, ପୁରୁଷୋତ୍ତମ ମାଝୀ, ବିଂଝାଲ ଜିଲ୍ଲା ସଭାପତି ସମର ସିଂ ବରିହା, ସମାଜସେବୀ ଚୁରଣ ସିଂ ମାଝୀ, ଗୋୟା ମାଝୀ, ଚୈତରାମ ନାଏକ, ସୁରେଶ ଶବର, ଛବିରାମ ନାଏକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଆଦିବାସୀ ସମାଜର ହକ୍ ଓ ଅଧିକାର, ପରମ୍ପରା, ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ଆଦିବାସୀ ସମାଜକୁ ନିଶାମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନିଶା ସେବନ ଠାରୁ ଦୂରେଇ ରହିବା ସହ ଏକ ସୁସ୍ଥ ଓ ସଚେତନ ସମାଜ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା। ସେହିପରି ଆଦିବାସୀ ନାରୀମାନଙ୍କ ମଧ୍ୟରେ ନେତୃତ୍ୱ, ସାହସ ଓ ସଂଗ୍ରାମୀ ମନୋଭାବ ସୃଷ୍ଟି କରିବା ଉପରେ ମଧ୍ୟ ମତ ପ୍ରକାଶ ପାଇଥିଲା। ନାରୀ ନେତ୍ରୀ ନରବୋଦା ମାଝୀ ଆଦିବାସୀ ନାରୀମାନେ ରାଣୀ ଲକ୍ଷ୍ମୀବାଈଙ୍କ ପରି ସାହସୀ ଓ ସଂଗ୍ରାମୀ ହେବା ପାଇଁ ଆହ୍ୱାନ ଦେଇଥିଲେ।

Nuapada (ନୂଆପଡ଼ା) • ରିପୋର୍ଟ: ବିଜୟ ବରିହା

Komna Storm into Semi-Finals with Convincing 2–0 Win Over Borda
Aug 9, 2026•50 views

Komna Storm into Semi-Finals with Convincing 2–0 Win Over Borda

Khariar, The 17th Raja Anup Singh Deo Memorial Football Tournament witnessed an exciting contest at the historic Raja Artatrana Sports Ground in Khariar, where Komna registered a convincing 2–0 victory over Borda of Kalahandi in the second match of the tournament. From the opening whistle, Komna displayed an aggressive approach and kept constant pressure on the Borda defence. Their coordinated attacks and disciplined gameplay kept the spectators engaged throughout the match. Despite determined efforts by Borda to fight back, Komna maintained its dominance and sealed a well-deserved 2–0 victory at the end of regulation time. With this impressive win, Komna secured its place in the first semi-final, scheduled to be played on the 12th, where the team will face Boden. The victory has raised expectations among football enthusiasts for another thrilling encounter in the knockout stage. Khariar Judicial Bar Association president Girdhari Bihari attended the match as the chief guest. Social worker Binod Bihari Padhi, Nirmal Water Express proprietor Nomesh Barik and journalist Kunu Karuan were present as guests of honour. They encouraged the players and appreciated their sporting spirit. The match was officiated by Amulya Barik, Sourav Panda, Kshirod Bhoi and Bihari Lal Masra, while Prakash Patra, Dhananjaya Mallik and Nandu Sahu provided the live commentary. The tournament is being organised under the direct supervision of the Anup Singh Deo Memorial Football Trust, led by president Ankit Singh Deo, secretary Jitendra Nayak, vice-president Prabhu Dutta Gaud, treasurer Bishwaranjan Panda and other members. The successful conduct of the tournament has added to the sporting atmosphere in Khariar, with football lovers eagerly looking forward to the upcoming semi-final clash between Komna and Boden.

Nuapada (ନୂଆପଡ଼ା) • Report: Malaya Meher & Bhajan Lal Jagat

ବାଘଶାଳା ରାଧାକାନ୍ତ ମଠର ମହନ୍ତ ହେଲେ ଗୋପାଳ ଦାସ, ବିଧାୟକ ରୂପେଶଙ୍କ ଉପସ୍ଥିତିରେ ଉତ୍ତରାଧିକାରୀ ଘୋଷଣା
Aug 9, 2026•18 views

ବାଘଶାଳା ରାଧାକାନ୍ତ ମଠର ମହନ୍ତ ହେଲେ ଗୋପାଳ ଦାସ, ବିଧାୟକ ରୂପେଶଙ୍କ ଉପସ୍ଥିତିରେ ଉତ୍ତରାଧିକାରୀ ଘୋଷଣା

ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ବାଘଶାଳା ଗ୍ରାମର ପ୍ରସିଦ୍ଧ ରାଧାକାନ୍ତ ମଠର ନୂତନ ମହନ୍ତ ଭାବେ ଗୋପାଳ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ମଠର ମହନ୍ତ ମହାରାଜ ଓ ସାଧୁସନ୍ଥଙ୍କ ଉପସ୍ଥିତିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଛି। ପୂର୍ବତନ ମହନ୍ତ ରାଧାଚରଣ ଦାସଙ୍କ ବିୟୋଗ ପରେ ଦୀର୍ଘଦିନ ଧରି ମଠରେ ସ୍ଥାୟୀ ମହନ୍ତ ନଥିବାରୁ ପରିଚାଳନାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ମଠ ପରିଚାଳିତ ବିଦ୍ୟାଳୟର କର୍ମକର୍ତ୍ତା, ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ହାଇଟେକ୍‌ ଗ୍ରୁପ୍‌ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ଉପସ୍ଥିତିରେ ପୂର୍ବରୁ କାଶୀନଗର ମହନ୍ତ ମହାରାଜଙ୍କୁ ଉତ୍ତରାଧିକାରୀ ତଥା ଚେଲା ଭାବେ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସ୍ଥାୟୀ ଭାବେ ମହନ୍ତ ଦାୟିତ୍ୱ ଗ୍ରହଣ ହୋଇନଥିଲା। ଏହି ପରିପ୍ରେକ୍ଷୀରେ ବିଶେଷ ଧାର୍ମିକ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗୋପାଳ ଦାସଙ୍କୁ ରାଧାକାନ୍ତ ମଠର ମହନ୍ତ ମହାରାଜ ଭାବେ ଉତ୍ତରାଧିକାରୀ ତଥା ଚେଲା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ପୁରୀ ରାଧାକାନ୍ତ ମଠ, ପାରଳାଖେମୁଣ୍ଡି, ଟେକିଲି, ଶ୍ରୀକାକୁଲମ, ଚାଙ୍ଗୁଡ଼ି ଆଦି ବିଭିନ୍ନ ମଠର ମହନ୍ତ ମହାରାଜଙ୍କ ସମେତ ବହୁ ସାଧୁସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ନୂତନ ମହନ୍ତ ଭାବେ ଗୋପାଳ ଦାସ ଦାୟିତ୍ୱ ନେବା ପରେ ମଠର ଧାର୍ମିକ ପରମ୍ପରା, ପୂଜାପାଠ ଓ ସାମାଜିକ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ସହ ମଠ ପରିଚାଳିତ ବିଦ୍ୟାଳୟର କାର୍ଯ୍ୟକୁ ସୁଚାରୁ ଭାବେ ଆଗେଇ ନେବେ ବୋଲି ଆଶା ପ୍ରକାଶ ପାଇଛି। ତାଙ୍କ ଦାୟିତ୍ୱ ଗ୍ରହଣକୁ ନେଇ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Gajapati (ଗଜପତି) • ପାରଳାଖେମୁଣ୍ଡି, ହରିଶ୍ଚନ୍ଦ୍ର ପରିଛା

ଫେରିବାଲା ଗିରଫ, ୭ କେଜି ଗଞ୍ଜାଇ ଜବତ
Aug 9, 2026•62 views

ଫେରିବାଲା ଗିରଫ, ୭ କେଜି ଗଞ୍ଜାଇ ଜବତ

ଚିକିଟି ଅବକାରୀ ଥାନା ତରଫରୁ ପେଟ୍ରୋଲିଙ୍ଗ ବେଳେ କେ.ନୂଆଗାଁ ଥାନା ଅଧୀନ କୃଷ୍ଣପୁର ଗ୍ରାମ ମୁଖ୍ୟ ରାସ୍ତାରେ ୭ କେଜି ଗଞ୍ଜେଇ ଧରି ଚିକିଟି ଅଭିମୁଖେ ଚାଲି ଚାଲି ଆସୁଥିବା ଏକ ଫେରିବାଲା କୁ ଧରି କେସ ନଂ ୮୭/୨୬-୨୭ ପ୍ରକାରେ ଏକ ମାମଲା ରୁଜୁ କରି ଗିରଫ କରିଛି । ସୂଚନା ମୁତାବକ ଗିରଫ ହୋଇଥିବା ଉକ୍ତ ଫେରିବାଲା ଜଣକ ପଶ୍ଚିମବଙ୍ଗ ରାଜ୍ୟ ର କଲିକତା ଅଞ୍ଚଳ ର ବୋଲି ଜଣାପଡିଛି l ସେ ଫୁଲବାଣୀ ଅଞ୍ଚଳ ରେ ଫେରିବାଲା ଭାବେ ବୁଲି ବୁଲି କପଡା ବେପାର କରେ l ନିଜ ରାଜ୍ୟ କୁ ସେ ଗଲାବେଳେ ଗଞ୍ଜାଇ ବିକ୍ରି କରିବା ଉଧ୍ୟେଶ୍ୟ ରେ ନିଏ ବୋଲି ସୂଚନା ମିଳିଛି l ଜବତ ଗଞ୍ଜେଇକୁ ଅବକାରୀ ବିଭାଗ ହେପାଜତକୁ ନେଇ ଘଟଣା ସମ୍ପର୍କରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ଚଢ଼ାଉ ସମୟ ରେ ଏ ଏସ ଆଇ ସୁକାନ୍ତ କଂହର,ସଞ୍ଜୟ କୁମାର ଭୁକ୍ତା,ସାହେବ ଶବର, ପ୍ରଫୁଲ୍ଲ ବେହେରା, ଗୋବିନ୍ଦ ବେହେରା, ସୂର୍ଯ୍ୟ ନାରାୟଣ ବେହେରା, ଦିବ୍ୟ ରଞ୍ଜନ କଂହର ସାମିଲ ଥିଲେ l

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ଭଙ୍ଗା ଘରେ ଭବିଷ୍ୟତର ସ୍ୱପ୍ନ… ଦିବ୍ୟାଙ୍ଗ ପୁଅ ଓ ୪ ବର୍ଷର ଶିଶୁକୁ ନେଇ ଅସହାୟ ପରିବାରର ଆକୁଳ ନିବେଦନ
Aug 9, 2026•18 views

ଭଙ୍ଗା ଘରେ ଭବିଷ୍ୟତର ସ୍ୱପ୍ନ… ଦିବ୍ୟାଙ୍ଗ ପୁଅ ଓ ୪ ବର୍ଷର ଶିଶୁକୁ ନେଇ ଅସହାୟ ପରିବାରର ଆକୁଳ ନିବେଦନ

କଳିଙ୍ଗନଗର ଦାନଗଦି: ମୁଣ୍ଡ ଉପରେ ନାହିଁ ସୁରକ୍ଷିତ ଛାତ। ଚାରିପଟେ ଜଙ୍ଗଲିଆ ପରିବେଶ। ରାତି ହେଲେ ସାପ, ବେଙ୍ଗ ଓ ବିଭିନ୍ନ ଜୀବଜନ୍ତୁଙ୍କ ଭୟ। ଭଙ୍ଗା ଦଦରା ଘର ଭିତରେ ଦିବ୍ୟାଙ୍ଗ ପୁଅ ଓ ୪ ବର୍ଷର ଛୋଟ ଶିଶୁକୁ ନେଇ ଭୟ ଓ ଆଶଙ୍କାରେ ରାତି କାଟୁଛି ଏକ ଗରିବ ପରିବାର। ଆଖିରେ ଅଛି ଭଲ ଦିନର ସ୍ୱପ୍ନ, ହେଲେ ସ୍ୱପ୍ନକୁ ସାକାର କରିବା ପାଇଁ ନାହିଁ ସମ୍ବଳ। ଏଭଳି ଏକ ହୃଦୟବିଦାରକ ଚିତ୍ର ଦେଖିବାକୁ ମିଳିଛି ଦାନଗଦି ବ୍ଲକ ଅନ୍ତର୍ଗତ ଦେଉଳକଣ ପଞ୍ଚାୟତର ପାଟବାଳୀ ଗ୍ରାମ ଭାଟିସାଇ ଅଞ୍ଚଳରେ। ଏଠାରେ ଭଙ୍ଗା ଘରେ ରହୁଛନ୍ତି ପ୍ରଶାନ୍ତ କୁମାର ବେହେରା, ପତ୍ନୀ ସବିତା ବେହେରା, ଦିବ୍ୟାଙ୍ଗ ବଡ଼ପୁଅ ତପନ କୁମାର ବେହେରା ଏବଂ ୪ ବର୍ଷର ସାନପୁଅ ଅଭୟ କୁମାର ବେହେରା। ପରିବାରର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଯେ ନିଜ ଉଦ୍ୟମରେ ଘରଟିଏ ତିଆରି କରିବା ତାଙ୍କ ପାଇଁ ସ୍ୱପ୍ନ ପାଲଟିଛି। ଯେଉଁ ଘରଟି ଦିନେ ପରିବାରକୁ ଆଶ୍ରୟ ଦେଉଥିଲା, ଆଜି ସେହି ଘର ନିଜେ ଅସୁରକ୍ଷିତ। କେତେବେଳେ କ’ଣ ହେବ, ସେହି ଭୟରେ ପରିବାର ଦିନ କାଟୁଛି। ବିଶେଷକରି ଘରେ ଦିବ୍ୟାଙ୍ଗ ପୁଅ ଓ ଏକ ଛୋଟ ଶିଶୁ ଥିବାରୁ ପରିବାରର ଚିନ୍ତା ଆହୁରି ବଢ଼ିଯାଇଛି। ବର୍ଷା ଆସିଲେ ଭଙ୍ଗା ଘର ଭିତରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ରାତିର ଅନ୍ଧାରରେ ଜୀବଜନ୍ତୁଙ୍କ ଭୟ ମଧ୍ୟରେ ଛୋଟ ଶିଶୁଟିକୁ ନେଇ ରାତି କାଟିବାକୁ ପଡ଼ୁଛି। ଆଶ୍ଚର୍ଯ୍ୟର ବିଷୟ, ନରଣପୁର-ଡୁବୁରି ଏକ୍ସପ୍ରେସ୍ ହାଇୱେଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏବଂ ଟମକା ଥାନା ନିକଟରେ ଏହି ପରିବାର ଏଭଳି ଅସହାୟ ଅବସ୍ଥାରେ ରହୁଥିବା ଅଭିଯୋଗ ହୋଇଛି। ବିକାଶର ଆଲୋକ ପହଞ୍ଚିଥିବା ଅଞ୍ଚଳରେ ମଧ୍ୟ ଏହି ପରିବାରର ମୁଣ୍ଡ ଉପରେ ଏଯାଏଁ ନିରାପଦ ଛାତ ନାହିଁ। ପ୍ରଶାନ୍ତଙ୍କ ଆଖିରେ ଲୁହ, ମୁହଁରେ ଗୋଟିଏ ପ୍ରଶ୍ନ—“ମୋ ପରିବାର ପାଇଁ ମୁଁ କେବେ ଗୋଟିଏ ନିରାପଦ ଘର ପାଇବି?” ସରକାରଙ୍କ ଯୋଜନା ତାଙ୍କ ପାଇଁ ମଧ୍ୟ ଅଛି ବୋଲି ସେ ଆଶା ରଖିଛନ୍ତି। ତାଙ୍କର ଆକୁଳ ନିବେଦନ—ସ୍ଥାନୀୟ ପ୍ରଶାସନ ଓ ଦାନଗଦି ବ୍ଲକ ପ୍ରଶାସନ ତାଙ୍କ ପରିବାରର ଅବସ୍ଥାକୁ ଅନୁଧ୍ୟାନ କରନ୍ତୁ। ଦିବ୍ୟାଙ୍ଗ ପୁଅ ଓ ଛୋଟ ଶିଶୁଙ୍କ ମୁଣ୍ଡ ଉପରେ ଏକ ନିରାପଦ ଛାତ ଦେବାକୁ ତୁରନ୍ତ ପଦକ୍ଷେପ ନିଆଯାଉ। ପ୍ରଶାନ୍ତଙ୍କ ଆବେଦନ କେବଳ ଗୋଟିଏ ଘର ପାଇଁ ନୁହେଁ; ଏହା ତାଙ୍କ ପରିବାରର ସୁରକ୍ଷିତ ଜୀବନ ପାଇଁ ଏକ ଆକୁଳ ଆବେଦନ।

Jajpur (ଯାଜପୁର) • ଅନିଲ କୁମାର ଜେନା ଙ୍କ ରିପୋର୍ଟ