--:--:--
-- ---
Srishti News

Web News

କାମରେ ଲାଗୁନି ୫ କୋଟି ଟଙ୍କାରେ ନିର୍ମିତ ଓଭର ହେଡ ପାଣି ଟାଙ୍କି
Aug 8, 2026•18 views

କାମରେ ଲାଗୁନି ୫ କୋଟି ଟଙ୍କାରେ ନିର୍ମିତ ଓଭର ହେଡ ପାଣି ଟାଙ୍କି

ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପୂର୍ବ ସରକାର ସମୟରେ ପ୍ରାୟ ୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସର ଓ ନୂଆ ଭୁବନରେ "ଆମ ସହର ଆମ ଉନ୍ନତି" ଯୋଜନାରେ ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୁଇ ବର୍ଷ ହେଲା ଏହି ପ୍ରକଳ୍ପ ଶେଷ ହୋଇଛି । ସ୍ୱତନ୍ତ୍ର ଟ୍ରାନସଫର୍ମର ବସାଯାଇ ବିଦ୍ୟୁତ ଯୋଗାଣ ମଧ୍ୟ ହୋଇଛି । ବିଧାୟକଙ୍କ କର୍ମୀ ଙ୍କ ଦ୍ଵାରା ଚତୁପାର୍ଶ୍ୱ ପ୍ରାଚୀର ନିର୍ମାଣ କରାଯାଇ ଗେଟ୍ ମଧ୍ୟ ଲଗାଯାଇଛି । ଗ୍ରୀଷ୍ମ ଋତୁରେ ଟ୍ୟାଙ୍କର ଯୋଗେ ବିଭିନ୍ନ ୱାର୍ଡ କୁ ପାନୀୟ ଜଳ ଯୋଗାଣ କରାଯାଇ ମୋଟା ଅଙ୍କର ମୁନାଫା ଉଠା ଯାଉଥିବା ବେଳେ ବର୍ଷା ଦିନେ ମଧ୍ୟ ଭୁବନ ଏନ୍ ଏ ସି ର ଅଧିକାଂଶ ୱାର୍ଡ଼କୁ ନିୟମିତ ଭାବେ ଜଳ ଯୋଗାଣ ହୋଇ ପାରୁନାହିଁ । କେବଳ ଗୋଟିଏ କଥା ଓଭର ହେଡ ପାଣି ଟାଙ୍କି କାର୍ଯ୍ୟକ୍ଷମ ହେଲେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇଯିବ କୁହାଯାଉଛି । ବିଭିନ୍ନ ୱାର୍ଡକୁ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ପାଇପ୍ ବିଛା କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ତାହେଲେ ଓଭର ହେଡ ପାଣି ଟାଙ୍କି କାର୍ଯ୍ୟକ୍ଷମ ହୋଇ ପାରୁନି କାହିଁକି ? ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ଜଳ ସଂରକ୍ଷଣ ସମୟରେ ଏହା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହି ଥିବାରୁ ଏହାକୁ କାର୍ଯ୍ୟକ୍ଷମ କରାଯାଉନାହିଁ ବୋଲି ଅଭିଯୋଗ ଶୁଣାଯାଉଛି । ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ବେଳେ ବିଭିନ୍ନ ୱାର୍ଡ କୁ ନିମ୍ନ ମାନର ପାଇପ୍ ବିଛା ହୋଇଛି । ଦୁଇ ଫୁଟ ଖୋଳି ତଳେ ବାଲି ଫିଲିଙ୍ଗ କରି ତା ଉପରେ ଇଟା ଦେଇ ପାଇପ୍ ବିଛା ଯିବା ବଦଳରେ ମାତ୍ର ୬ ଇଞ୍ଚ ଓ କେତେକ ସ୍ଥାନରେ ଫୁଟେ ଖୋଳି ପାଇପ୍ ବିଛା ଯାଥିବାରୁ କାର,ଟ୍ରାକ୍ଟର ଯିବା ଯୋଗୁଁ ଅଧିକାଂଶ ସ୍ଥାନରେ ପାଇପ୍ ଫଟି ଯାଉଛି । ଏନ୍ ଏ ସି ତରଫରୁ ନିର୍ମାଣ ହୋଇଥିବା କଂକ୍ରିଟ ଓ ପେଭର ରାସ୍ତାକୁ ଜନସ୍ୱାସ୍ଥ୍ୟ ବିଭାଗ ବାରମ୍ବାର ଖୋଲିତାଡ଼ି ନଷ୍ଟ କରୁଛି । ତେବେ ଯାହାବି ହେଉନା କାହିଁକି ଭୁବନର ଗଣପର୍ବ ଐତିହାସିକ ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ପୂର୍ବରୁ ଏହି ଓଭର ହେଡ ପାଣିଟାଙ୍କି କାର୍ଯ୍ୟକ୍ଷମ କରି ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ଜନ ସାଧାରଣରେ ଦାବି ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ ମତାମତ ପାଇଁ ବାରମ୍ବାର ତାଙ୍କ ମୋବାଇଲ କୁ ଫୋନ କରିଥିଲେ ମଧ୍ୟ ସେ କଲ ରିଶିଭ କରିନଥିଲେ ।

Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ଆଗରପଡ଼ା ଶିଶୁ ମନ୍ଦିର ପରିସରରେ ସାପ କାମୁଡ଼ାରେ ୧୧ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ
Aug 8, 2026•63 views

ଆଗରପଡ଼ା ଶିଶୁ ମନ୍ଦିର ପରିସରରେ ସାପ କାମୁଡ଼ାରେ ୧୧ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ

ଆଗରପଡ଼ା: ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଆଗରପଡ଼ା ଶିଶୁ ମନ୍ଦିର ପରିସରରେ ସାପ କାମୁଡ଼ାରେ ଜଣେ ୧୧ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ପୁଲୋଖିତ ଭଞ୍ଜଦେଓ। ତାଙ୍କ ବାପାଙ୍କ ନାମ ଅଜୟ ଭଞ୍ଜଦେଓ। ସୂଚନା ଅନୁଯାୟୀ, ପୁଲୋଖିତଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ବେଳେ ସେ ଆଗରପଡ଼ାରେ ତାଙ୍କ ମାମୁଁ ଘରେ ରହି ପାଠ ପଢ଼ୁଥିଲେ। ଘଟଣା ଦିନ ଖାଇବା ଛୁଟି ସମୟରେ ସେ ଖାଉଥିବା ବେଳେ ଏକ ସାପ କାମୁଡ଼ିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ସାପ କାମୁଡ଼ିବା ପରେ ଛାତ୍ରଙ୍କୁ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଆଗରପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ୧୧ ବର୍ଷୀୟ କୁନି ଛାତ୍ରଙ୍କ ଅକାଳ ମୃତ୍ୟୁରେ ପରିବାର, ସହପାଠୀ ଓ ସ୍ଥାନୀୟ ଲୋକେ ମର୍ମାହତ ହୋଇଛନ୍ତି।

Bhadrak (ଭଦ୍ରକ) • ରିପୋର୍ଟ: ଶିଶିର କୁମାର ସ୍ୱାଇଁ

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଔଷଧୀୟ ବୃକ୍ଷରୋପଣ
Aug 8, 2026•67 views

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଔଷଧୀୟ ବୃକ୍ଷରୋପଣ

ତାଳଚେର: ପରିବେଶ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ଲକ୍ଷ୍ୟରେ ରାଷ୍ଟ୍ରତନ୍ତ୍ର ସମ୍ବାଦପତ୍ର ପକ୍ଷରୁ ସ୍ଥାନୀୟ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ‘ଗଛ ଲଗାଇବା କାହା ପାଇଁ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଶୋକ ବୃକ୍ଷରୋପଣ କରିବା ସହ ବୃକ୍ଷର ଉପକାରିତା ଓ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଖଣି ଉପନିର୍ଦେଶକ ଦେବେନ୍ଦ୍ରନାଥ ଦଳାଇ ଚାରାଗୁଡ଼ିକର ଯତ୍ନ ନେବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏନ୍‌ଟିପିସି ତାଳଚେର ଥର୍ମାଲର ମାନବସମ୍ବଳ ଉପମହାପ୍ରବନ୍ଧକ ସଂଜିତ କୁମାର ସେନାପତି ତାଳଚେରରେ ସବୁଜ ବଳୟ ସୃଷ୍ଟି ଓ ପ୍ରଦୂଷଣ ହ୍ରାସ ପାଇଁ ବୃକ୍ଷରୋପଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଭୀମସେନ ଦେହୁରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବନପାଳ ସିଦ୍ଧାର୍ଥ ଅନୁରାଗ ପରିଡ଼ା, ଏନ୍‌ଟିପିସି ଜନସମ୍ପର୍କ ଅଧିକାରୀ ବିଷ୍ଣୁ ଚନ୍ଦ୍ର ସାହୁଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, ସାମ୍ବାଦିକ, ସମାଜସେବୀ ଓ ଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅଶୋକ, ପାତାଳ ଗରୁଡ଼, ଲିମ୍ବ, ବଉଳ ଓ ପିଜୁଳି ସମେତ ୩୦ରୁ ଅଧିକ ଚାରା ରୋପଣ କରାଯାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଧର୍ମଶାଳା ବିଧାୟକଙ୍କ ସମର୍ଥକଙ୍କ ଆତଙ୍କରାଜ ବନ୍ଦ ଦାବି:  ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଭିନ୍ନ ଗଣସଂଗଠନ
Aug 8, 2026•21 views

ଧର୍ମଶାଳା ବିଧାୟକଙ୍କ ସମର୍ଥକଙ୍କ ଆତଙ୍କରାଜ ବନ୍ଦ ଦାବି: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଭିନ୍ନ ଗଣସଂଗଠନ

ଯାଜପୁରରୋଡ଼: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ)ଙ୍କ ସମର୍ଥକଙ୍କ ପକ୍ଷରୁ କଥିତ ଭାବେ ଚାଲିଥିବା ଆତଙ୍କରାଜ ଓ ତାନାସାହି ଶାସନ ବନ୍ଦ କରିବା ସହ ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ବିଭିନ୍ନ ଗଣସଂଗଠନ। ଏନେଇ ଶନିବାର ଯାଜପୁରରୋଡ଼ସ୍ଥିତ ହୋଟେଲ ରୟାଲ କଳିଙ୍ଗରେ ସିଭିଲ ସୋସାଇଟି ଫୋରମ, ଯାଜପୁରର ଆହ୍ୱାନକ୍ରମେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସଂଘର ସମ୍ପାଦକ ବିଶ୍ୱନାଥ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ବ୍ୟାସନଗରର ପୂର୍ବତନ କାଉନସିଲର ତଥା ବିଜେପି ନେତା ପ୍ରସନ୍ନ ସାମଲ (ବାବୁଲି), ସିଆଇଟିୟୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଯାଜପୁର ଜିଲ୍ଲା ଏସ୍‌ସି-ଏସ୍‌ଟି ସଂଘର ସମ୍ପାଦକ ବଳରାମ କାଣ୍ଡି, ଜହ୍ନା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ କ୍ଷୀରଦ କୁମାର ଦାସ, ବିସ୍ଥାପନ ବିରୋଧୀ ଜନମଞ୍ଚ, କଳିଙ୍ଗନଗରର ସୁରେନ୍ଦ୍ର ହାଇବ୍ରୁ, ସିପିଆଇ ନେତା ଆଲୋକ ମହାନ୍ତି, ପ୍ରତାପ ଦାସ, ସହଦେବ ଜେନାଙ୍କ ସମେତ ବିଭିନ୍ନ ଗଣସଂଗଠନର ନେତୃବୃନ୍ଦ ଯୋଗଦେଇଥିଲେ। ସମ୍ମିଳନୀରେ ବକ୍ତାମାନେ କହିଥିଲେ ଯେ, ଚଳିତ ବନ୍ୟା ସମୟରେ ଧର୍ମଶାଳା ଅଞ୍ଚଳରେ ସହଯୋଗ ଓ ସହାୟତା କାର୍ଯ୍ୟ କରୁଥିବା ରାକେଶ କୁମାର ନାୟକ (ରକି)ଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ପାଲଟା ଅଭିଯୋଗ ହୋଇଥିବା ମଧ୍ୟ ସେମାନେ ଅଭିଯୋଗ କରିଥିଲେ। ଆଇନଗତ ପରାମର୍ଶ ନେବା ପାଇଁ ରାକେଶ ଗତ ୬ ତାରିଖରେ ଯାଜପୁରରୋଡ଼ ଆସିଥିବା ବେଳେ ତାଙ୍କ ମାମୁଙ୍କ ଗାଡ଼ିରେ ସାପଗାଡ଼ିଆ ରାସ୍ତା ଦେଇ ଯାଉଥିବା ସମୟରେ କେତେକ ବ୍ୟକ୍ତି ଗାଡ଼ି ଅଟକାଇ ତାଙ୍କୁ ଅପହରଣ କରିନେବାକୁ ଉଦ୍ୟମ କରିଥିବା ସମ୍ମିଳନୀରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାକୁ ନେଇ ଯାଜପୁରରୋଡ଼ ଅଞ୍ଚଳରେ ଅଶାନ୍ତିର ପରିବେଶ ସୃଷ୍ଟି ହେଉଥିବା ନେଇ ଗଣସଂଗଠନଗୁଡ଼ିକ ଉଦ୍‌ବେଗ ପ୍ରକାଶ କରିଥିଲେ। ସଚେତନ ନାଗରିକ ମଞ୍ଚର ଆହ୍ୱାନକ୍ରମେ ଗଠିତ ଶାନ୍ତି କମିଟିର ନିଷ୍ପତ୍ତିକୁ ସମର୍ଥନ ଜଣାଇ ଯାଜପୁରରୋଡ଼ରେ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ଗଣସଂଗଠନଗୁଡ଼ିକ ଆହ୍ୱାନ ଦେଇଥିଲେ। ଏଥିସହ ଘଟଣାର ନିରପେକ୍ଷ ତଦନ୍ତ କରିବା, ଦୋଷୀଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଅଞ୍ଚଳରେ କଥିତ ଆତଙ୍କରାଜ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଦାବି କରାଯାଇଥିଲା।

Jajpur (ଯାଜପୁର) • ଅନିଲ କୁମାର ଜେନା

ବୋଲଗଡ଼ ବାଙ୍କୋଇରେ ଅବକାରୀ ବିଭାଗର ବଡ଼ ଚଢ଼ାଉ ୨୨୦ ଲିଟର ବିଦେଶୀ ମଦ, ୧୨୫୦ ଲିଟର ଦେଶୀ ମଦ ଜବତ, ୨ ଗିରଫ
Aug 8, 2026•68 views

ବୋଲଗଡ଼ ବାଙ୍କୋଇରେ ଅବକାରୀ ବିଭାଗର ବଡ଼ ଚଢ଼ାଉ ୨୨୦ ଲିଟର ବିଦେଶୀ ମଦ, ୧୨୫୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ଖୋର୍ଦ୍ଧା-ଖୋର୍ଦ୍ଧା ଅବକାରୀ ମୋବାଇଲ୍ ଟିମ୍ ପକ୍ଷରୁ ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ଅଞ୍ଚଳରେ ବଡ଼ଧରଣର ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଅବକାରୀ ବିଭାଗ ପକ୍ଷରୁ ୨୨୦ ଲିଟର ବିଦେଶୀ ମଦ ସହ ୧୨୫୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅବକାରୀ ଟିମ୍ ଗିରଫ କରିଛି। ତେବେ ଏତେ ପରିମାଣର ବିଦେଶୀ ମଦ ବାଙ୍କୋଇ ଅଞ୍ଚଳକୁ ଆସିଲା କେଉଁଠୁ? ଏହା ପଛରେ କୌଣସି ବଡ଼ ଚୋରା ମଦ କାରବାରୀ ରାକେଟ୍ ରହିଛି କି? ତାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଅନ୍ୟପଟେ ଜବତ ହୋଇଥିବା ବିଦେଶୀ ମଦ ଅସଲି ନା ନକଲି, ତାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଜବତ ମଦର ନମୁନା କେମିକାଲ୍ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ କେମିକାଲ୍ ରିପୋର୍ଟ ଆସିବା ପରେ ମଦର ପ୍ରକୃତ ମାନ ଓ ଗୁଣବତ୍ତା ସ୍ପଷ୍ଟ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।ତେବେ ଏତେ ପରିମାଣର ବିଦେଶୀ ମଦର ଉତ୍ସ କଣ ଏବଂ ଏହା ପଛରେ ଆଉ କେଉଁମାନେ ରହିଛନ୍ତି, ସେନେଇ ଅବକାରୀ ବିଭାଗର ତଦନ୍ତ ଜାରି ରହିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ସଡ଼କ ସୁରକ୍ଷାକୁ ଗୁରୁତ୍ୱ: ଟ୍ରାଫିକ ନିୟମ ଉଲ୍ଲଂଘନ ଉପରେ ଏଣିକି ଡିଜିଟାଲ ନଜର
Aug 8, 2026•35 views

ସଡ଼କ ସୁରକ୍ଷାକୁ ଗୁରୁତ୍ୱ: ଟ୍ରାଫିକ ନିୟମ ଉଲ୍ଲଂଘନ ଉପରେ ଏଣିକି ଡିଜିଟାଲ ନଜର

ସଡ଼କ ଦୁର୍ଘଟଣା ହ୍ରାସ ସହ ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ଟ୍ରାଫିକ ନିୟମ ପାଳନ ଉପରେ କଡ଼ା ନଜର ରଖାଯିବ। ଏନେଇ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ଅଶୋକ କୁମାର ପାଣିଗ୍ରାହୀ ଜନସାଧାରଣଙ୍କୁ ସଚେତନ କରିବା ସହ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ଆଦେଶ ସଂଖ୍ୟା ୧୪୦୮୬, ତାରିଖ ୦୩/୦୮/୨୦୨୬ ଅନୁଯାୟୀ ରାଜ୍ୟର ୯ଟି ନିର୍ଦ୍ଦିଷ୍ଟ ଜାତୀୟ ଓ ରାଜ୍ୟ ରାଜପଥରେ ଇଣ୍ଟେଲିଜେଣ୍ଟ ଏନ୍‌ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମ୍‌ଏସ୍) ମାଧ୍ୟମରେ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ବ୍ୟବସ୍ଥା ଅଧୀନରେ ବରଗଡ଼ ଜିଲ୍ଲାର ରାଜ୍ୟ ରାଜପଥ ନମ୍ବର-୦୩ର ସୋହେଲାଠାରୁ ମାଣ୍ଡସିଲ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ନିୟମ ଉଲ୍ଲଂଘନ ଉପରେ ଡିଜିଟାଲ ମାଧ୍ୟମରେ ନଜର ରଖାଯିବ। ନିୟମ ଉଲ୍ଲଂଘନ ହେଲେ ଯାନର ଫଟୋ କିମ୍ବା ଭିଡିଓ ପ୍ରମାଣ ସହିତ ଘଟଣାସ୍ଥଳ, ତାରିଖ, ସମୟ ଓ ଯାନର ବେଗ ଭଳି ତଥ୍ୟ ରେକର୍ଡ ହୋଇ ଇ-ଚାଲାଣ ଜାରି କରାଯିବ। ବିଶେଷକରି ନିର୍ଦ୍ଧାରିତ ବେଗସୀମା ଠାରୁ ଅଧିକ ବେଗରେ ଗାଡ଼ି ଚଳାଇବା, ଦୁଇଚକିଆ ଯାନରେ ଚାଳକଙ୍କ ବ୍ୟତୀତ ଏକାଧିକ ପିଲିଅନ୍ ଯାତ୍ରୀଙ୍କୁ ବସାଇବା, ଚାଳକ କିମ୍ବା ପିଲିଅନ୍ ଯାତ୍ରୀ ହେଲ୍‌ମେଟ୍ ନ ପିନ୍ଧିବା, ଭୁଲ୍ ଦିଗରେ ଗାଡ଼ି ଚଳାଇବା ଏବଂ ଟ୍ରାଫିକର ଅନୁମୋଦିତ ପ୍ରବାହ ବିପରୀତ ଦିଗରେ ଯାତାୟାତ କରିବା ଭଳି ଉଲ୍ଲଂଘନ ଚିହ୍ନଟ କରାଯିବ। ତେଣୁ ଗାଡ଼ି ଚଳାଇବା ସମୟରେ ନିର୍ଦ୍ଧାରିତ ବେଗସୀମା ପାଳନ କରିବା, ଦୁଇଚକିଆ ଯାନରେ ଚାଳକ ଓ ପିଲିଅନ୍ ଯାତ୍ରୀ ହେଲ୍‌ମେଟ୍ ପିନ୍ଧିବା, ଅନୁମୋଦିତ ଦିଗରେ ଯାତାୟାତ କରିବା ସହ ସମସ୍ତ ଟ୍ରାଫିକ ନିୟମ ପାଳନ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଆରଟିଓଙ୍କ କହିବା ଅନୁଯାୟୀ, ଏହି ଡିଜିଟାଲ ଏନ୍‌ଫୋର୍ସମେଣ୍ଟ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ କେବଳ ଇ-ଚାଲାଣ ଜାରି କରିବା ନୁହେଁ। ବରଂ ଲୋକଙ୍କ ମଧ୍ୟରେ ଟ୍ରାଫିକ ନିୟମ ପ୍ରତି ସଚେତନତା ବୃଦ୍ଧି କରିବା, ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଏବଂ ଜନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଏହାର ପ୍ରମୁଖ ଲକ୍ଷ୍ୟ।

Bargarh (ବରଗଡ଼) • ବଂଶୀଧର ନାୟକ

ପ୍ରଜାପତି ବ୍ରହ୍ମକୁମାରୀ ପକ୍ଷରୁ ୧୦କରୋଡ଼ ନିଶା ମୁକ୍ତି  ପ୍ରତିଜ୍ଞା ଅଭିଯାନ l
Aug 8, 2026•153 views

ପ୍ରଜାପତି ବ୍ରହ୍ମକୁମାରୀ ପକ୍ଷରୁ ୧୦କରୋଡ଼ ନିଶା ମୁକ୍ତି ପ୍ରତିଜ୍ଞା ଅଭିଯାନ l

ଟିଟିଲାଗଡ଼ :-୮/୮/୨୬ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୦କରୋଡ଼ ନିଶାମୁକ୍ତି ପ୍ରତିଜ୍ଞା ଅଭିଯାନ ବିନେକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ରହ୍ମ କୁମାରୀ ମନୀଷା, ବ୍ରହ୍ମକୁମାରୀ ପମସ୍ୱାନି, ବ୍ରହ୍ମକୁମାରୀ ପ୍ରିୟଙ୍କା,ପ୍ରମୋଦ,କ୍ଷୀରସିନ୍ଧୁ, ଇନ୍ଦ୍ରମଣି ସମୂହ ଯୋଗଦାନ ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନିଶା ନିବାରଣ ଉପରେ ବୁଝାଇଥିଲେ l ନିଶା ମଣିଷ୍ୟର ଶରୀରକୁ କ୍ଷତିକରିବା ସହିତ ପଥଭ୍ରଷ୍ଟ କରିଥାଏ l ନିଶାରୁ ଦୁରେଇରହି ନିଜ ଜୀବନକୁ ସୁନ୍ଦର ଭାବରେ ଗଢି ତୋଳିବା ସହିତ ନିଶାମୁକ୍ତ ଭାରତ ଗଠନ କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ l ପରେ ନିଶା ରୁ ଦୁରେଇ ରହିବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ l ଆଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ ବିନେକେଲା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିନେକେଲା,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଲପଦର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଘୋଡ଼ାର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାର୍ଲାଡ଼ ଠାରେ ଏହି କାର୍ଯ୍ୟକ୍ରମ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ଅଭିଯାନ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l

Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀର

୨୫ ବର୍ଷ ପରେ ଅବସରପ୍ରାପ୍ତ ପୌର କର୍ମଚାରୀଙ୍କୁ ମିଳିବ ବକେୟା ପାଉଣା, ମଞ୍ଜୁର ହେଲା ୪.୫୫ କୋଟି
Aug 8, 2026•69 views

୨୫ ବର୍ଷ ପରେ ଅବସରପ୍ରାପ୍ତ ପୌର କର୍ମଚାରୀଙ୍କୁ ମିଳିବ ବକେୟା ପାଉଣା, ମଞ୍ଜୁର ହେଲା ୪.୫୫ କୋଟି

ତାଳଚେର: ଦୀର୍ଘ ୨୫ ବର୍ଷ ଧରି ବକେୟା ଅବସରକାଳୀନ ପାଉଣାକୁ ଅପେକ୍ଷା କରିଥିବା ତାଳଚେର ପୌର ପରିଷଦର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର। ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ବକେୟା ପାଉଣା ପ୍ରଦାନ ନିମନ୍ତେ ୪ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ସମସ୍ୟାକୁ ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆ ଗୁରୁତ୍ୱର ସହ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଶ୍ରୀ ପ୍ରଧାନଙ୍କ ହସ୍ତକ୍ଷେପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅର୍ଥ ମଞ୍ଜୁର ହୋଇଥିବା ଜଣାପଡ଼ିଛି। ଅର୍ଥ ମଞ୍ଜୁର ହେବା ପରେ ଅବସରପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ପରିବାରରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଏଥିପାଇଁ ନଗରପାଳ ପବିତ୍ର ଭୂତିଆ ଓ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୌର କର୍ମଚାରୀ ଓ ତାଳଚେରବାସୀ କୃତଜ୍ଞତା ଜଣାଇଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଆଠମଲ୍ଲିକରେ ୭.୧୯ କୋଟିର ପ୍ରକଳ୍ପ ଲୋକାର୍ପଣ କଲେ ମନ୍ତ୍ରୀ ରବି ନାରାୟଣ ନାଏକ
Aug 8, 2026•69 views

ଆଠମଲ୍ଲିକରେ ୭.୧୯ କୋଟିର ପ୍ରକଳ୍ପ ଲୋକାର୍ପଣ କଲେ ମନ୍ତ୍ରୀ ରବି ନାରାୟଣ ନାଏକ

ଅନୁଗୋଳ: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏକଦିନିଆ ଅନୁଗୋଳ ଗସ୍ତରେ ଆସି ଆଠମଲ୍ଲିକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗସ୍ତ ଆରମ୍ଭରେ ସେ ଆଠମଲ୍ଲିକର ରାଜା ସ୍ୱର୍ଗତ ପ୍ରଦୀପ ଚନ୍ଦ୍ର ଦେଓଙ୍କ ଦ୍ୱାଦଶ କର୍ମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ ଉପସ୍ଥିତ ଥିଲେ। ପଦ୍ମପୋଖରୀ ଠାରେ ଏମ୍‌ସିଏଲ୍‌ର ସିଏସ୍‌ଆର୍ ପାଣ୍ଠିରୁ ୭.୧୯ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜନହିତକର ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିରେ ନୂତନ ରାସ୍ତା, ଆଲୋକୀକରଣ ଓ ଦୁର୍ଗା ମନ୍ଦିର ପୁନରୁଦ୍ଧାର ଭଳି କାର୍ଯ୍ୟ ସାମିଲ ରହିଛି। ଏହାସହିତ ‘ମା’ ପାଇଁ ଗଛଟିଏ’ ଅଭିଯାନରେ ମନ୍ତ୍ରୀ ବୃକ୍ଷରୋପଣ କରିଥିଲେ। ଆଠମଲ୍ଲିକ ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ଅଭିଯୋଗ ଶୁଣାଣିରେ ଯୋଗଦେଇ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସୁଶାନ୍ତଙ୍କ ମୃତ୍ୟୁ ପରେ ଧାରଣା: ଯୁବ ବିଜେଡି ସଭାପତିଙ୍କ ହସ୍ତକ୍ଷେପ, ମିଳିଲା କ୍ଷତିପୂରଣ ଓ ନିଯୁକ୍ତି
Aug 8, 2026•166 views

ସୁଶାନ୍ତଙ୍କ ମୃତ୍ୟୁ ପରେ ଧାରଣା: ଯୁବ ବିଜେଡି ସଭାପତିଙ୍କ ହସ୍ତକ୍ଷେପ, ମିଳିଲା କ୍ଷତିପୂରଣ ଓ ନିଯୁକ୍ତି

କଣ୍ଟାବଣିଆ: ଟାଟା ଷ୍ଟିଲ୍‌ର SGB କମ୍ପାନୀରେ କାର୍ଯ୍ୟରତ ବଅଁରପାଳ ବ୍ଲକ ନୂଆହତା ଗ୍ରାମର ଶ୍ରୀ ସୁଶାନ୍ତ ସାମଲ ଅନ୍-ଡ୍ୟୁଟି ସମୟରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁଃଖଦ ଖବର ପାଇ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ ତୁରନ୍ତ ଟାଟା ଷ୍ଟିଲ୍ ଗେଟ୍ ସମ୍ମୁଖରେ ପହଞ୍ଚି ପରିବାରବର୍ଗଙ୍କ ଧାରଣାରେ ସାମିଲ ହୋଇଥିଲେ। ସେ ମୃତକଙ୍କ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇବା ସହ ପରିବାରର ଦୁଃଖରେ ସାମିଲ ହୋଇଥିଲେ। ମୃତକଙ୍କ ପରିବାରକୁ ଉଚିତ୍ କ୍ଷତିପୂରଣ ଏବଂ ନିଯୁକ୍ତି ପ୍ରଦାନ ପାଇଁ ଟାଟା ଷ୍ଟିଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଜଣାଯାଇଥିଲା। ଏନେଇ ପରେ ଏକ ତ୍ରିପକ୍ଷୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଆଲୋଚନା ପରେ ମୃତକଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ସହ ତାଙ୍କ ପତ୍ନୀ ଶ୍ରୀମତୀ ସୁରେଖା ସାମଲଙ୍କୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ନିଃସର୍ତ୍ତ ନିଯୁକ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତିକୁ ନେଇ ପରିବାରବର୍ଗଙ୍କୁ କିଛିଟା ଆଶ୍ୱସ୍ତି ମିଳିଥିବା ବେଳେ, ମୃତ ସୁଶାନ୍ତ ସାମଲଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି। ଏଥିସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଚମ୍ପାଗଡ ପଞ୍ଚାୟତରେ ରାସନ ବଣ୍ଟନରେ ଅନିୟମିତତା ଅଭିଯୋଗ  ହିତାଧିକାରୀଙ୍କୁ ରସିଦ ମିଳୁନି, ଓଜନରେ ହେରଫେର ଅଭିଯୋଗ; ନିରପେକ୍ଷ ତଦନ୍ତ ଦାବି
Aug 8, 2026•10 views

ଚମ୍ପାଗଡ ପଞ୍ଚାୟତରେ ରାସନ ବଣ୍ଟନରେ ଅନିୟମିତତା ଅଭିଯୋଗ ହିତାଧିକାରୀଙ୍କୁ ରସିଦ ମିଳୁନି, ଓଜନରେ ହେରଫେର ଅଭିଯୋଗ; ନିରପେକ୍ଷ ତଦନ୍ତ ଦାବି

ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ମାଧ୍ୟମରେ ରାସନ ବଣ୍ଟନକୁ ନେଇ ବ୍ୟାପକ ଅନିୟମିତତାର ଅଭିଯୋଗ ଆସିଛି। ସରକାରଙ୍କ ପକ୍ଷରୁ ଯୋଗ୍ୟ ଖାଉଟି କାର୍ଡଧାରୀଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉଥିବାବେଳେ, ଚମ୍ପାଗଡ ପଞ୍ଚାୟତର PEOଙ୍କ ନାମରେ ଥିବା ରାସନ ଯୋଗାଣ କେନ୍ଦ୍ରରେ ନିୟମ ଅନୁଯାୟୀ ବଣ୍ଟନ ହେଉନଥିବା ନେଇ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତ ପରିସରରେ ରାସନ ବଣ୍ଟନ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ହିତାଧିକାରୀଙ୍କୁ ରାସନ ନେବା ସମୟରେ ରସିଦ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି। ରସିଦ ମାଗିଲେ ମଧ୍ୟ ତାହା ଦିଆଯାଉନଥିବା ନେଇ କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି। ଏହାସହ ରାସନ ବଣ୍ଟନ ସମୟରେ ଓଜନରେ ମଧ୍ୟ ହେରଫେର କରାଯାଉଥିବା ଅଭିଯୋଗ ରହିଛି। ଓଜନ କଣ୍ଟା ଉପରେ ନିର୍ଦ୍ଦିଷ୍ଟ ଓଜନର ବଟକରା ରଖି ରାସନ ଦିଆଯାଉଥିବାରୁ ହିତାଧିକାରୀମାନେ ନିଜ ହକ୍‌ର ରାସନରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସରକାରଙ୍କ ପକ୍ଷରୁ Smart PDS ବ୍ୟବସ୍ଥା ଲାଗୁ କରାଯାଇଥିଲେ ମଧ୍ୟ ଏହାର ସୁଫଳ ଚମ୍ପାଗଡ ପଞ୍ଚାୟତରେ ହିତାଧିକାରୀମାନେ ସଠିକ୍ ଭାବେ ପାଉନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ରାସନ ବଣ୍ଟନ କାର୍ଯ୍ୟରେ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତିକୁ ନେଇ ମଧ୍ୟ ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି। ସେ ଏକ ରାଜନୈତିକ ଦଳର ସକ୍ରିୟ କର୍ମୀ ବୋଲି ଅଭିଯୋଗ ହେଉଥିବାବେଳେ, ତାଙ୍କୁ ରାସନ ବଣ୍ଟନ ଭଳି ସରକାରୀ ବ୍ୟବସ୍ଥାରେ କେଉଁ ଆଧାରରେ ନିୟୋଜିତ କରାଯାଇଛି, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

Nayagarh (ନୟାଗଡ଼) • ନିରଂଜନ ମହାପାତ୍ର

ଶଙ୍ଖଚିଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
Aug 8, 2026•17 views

ଶଙ୍ଖଚିଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

କୋରେଇ ବ୍ଲକ ଶଙ୍ଖଚିଲା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଗୁରୁବାର ଦିନ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ହିଙ୍ଗୁଳା ହାଇସ୍କୁଲ ତରାପୁର ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବପ୍ରସାଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଉତ୍ସବ ଶୁଭ ଉଦଘାଟନ କରିବା ସଙ୍ଗେ ସଙ୍ଗେ ଶିଶୁମାନଙ୍କୁ ଅନେକ ପ୍ରେରଣା ମୂଳକ କଥା ରଖିଥିଲେ । ସରସ୍ୱତୀ ବିଦ୍ୟାମନ୍ଦିର ର ପ୍ରଧାନ ଆଚର୍ଯା ରୀନାବାଳା ବେହେରା ସ୍ୱାଗତ ଭାଷଣ ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ବିଦ୍ୟାଧର ସାହୁ, ଶିଶୁମାନଙ୍କୁ ପିଲାଟି ଦିନରୁ ବିଜ୍ଞାନକୁ ଭଲପାଇବା ଏବଂ କିଛି ନୂଆକରି ଗଢି ତୋଳିବାର ପ୍ରୟାସ ହିଁ ତାଙ୍କୁ ଭବିଷ୍ୟତରେ ଜଣେ ବୈଜ୍ଞାନିକ ରୂପେ ପରିଚୟ ଦେବ , ଏଥିରେ ସନ୍ଦେହ ନାହିଁ ବୋଲି ପ୍ରକାଶ କରିଥିଲେ । ସଭାପତି ରଘୁନାଥ ବେହେରା ବିଫଳତା ନୁହେଁ ଲଗାତାର ଉଦ୍ୟମ ଓ ଧର୍ଯ୍ୟ ହିଁ ସଫଳତାର ମାପକାଠି ସମସ୍ତ ଶିଶୁମାନଙ୍କର ମୂଳମନ୍ତ୍ର ହେଉ ଏହାହିଁ ଆଶା କରିଥିଲେ ! ଏହି ମେଳାରେ ସର୍ବମୋଟ ୬୫ ଜଣ ଶିଶୁ ବିଭିନ୍ନ ପ୍ରକାର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ବିଚାରକ ଭାବେ ଠାକୁରପାଟଣା କ୍ଲଷ୍ଟର ର ସିଆରସି ପ୍ରଦୀପ କୁମାର ସାହୁ ଶଙ୍ଖଚିଲା ହିଙ୍ଗୁଳା ହାଇସ୍କୁଲ ବିଜ୍ଞାନ ଶିକ୍ଷୟତ୍ରୀ ମଧୁସ୍ମିତା ମାଝୀ , ଶୁଚିସ୍ମିତା ନାୟକ , ବିରୁହାଁ ହାଇସ୍କୁଲ ର ଅନିଲ କୁମାର ସାହ, ତଣ୍ଡରା ହାଇସ୍କୁଲ ର ରଶ୍ମୀକାନ୍ତ ବଳ ପ୍ରମୁଖ ବିଚାରକ ଭାବେ ଯୋଗଦାନ କରିଥିଲେ । ଉଦଯାପନ ଉତ୍ସବରେ ବିଦ୍ୟାମନ୍ଦିର ର ବିଜ୍ଞାନ ପ୍ରମୁଖ ବିଶ୍ୱଜିତ ବେହେରା ବିଜ୍ଞାନ ମେଳାର ବୃତ୍ତ ପଠନ କରିଥିଲେ ଓ ବିଜେତା ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମତିର ସମସ୍ତ ସଦସ୍ୟ ଓ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Jajpur (ଯାଜପୁର) • ଅନିଲ କୁମାର ଜେନା