--:--:--
-- ---
Srishti News

ଭଙ୍ଗା ଘରେ ଭବିଷ୍ୟତର ସ୍ୱପ୍ନ… ଦିବ୍ୟାଙ୍ଗ ପୁଅ ଓ ୪ ବର୍ଷର ଶିଶୁକୁ ନେଇ ଅସହାୟ ପରିବାରର ଆକୁଳ ନିବେଦନ

Jajpur (ଯାଜପୁର)ଅନିଲ କୁମାର ଜେନା ଙ୍କ ରିପୋର୍ଟAugust 9, 202624 views
ଭଙ୍ଗା ଘରେ ଭବିଷ୍ୟତର ସ୍ୱପ୍ନ… ଦିବ୍ୟାଙ୍ଗ ପୁଅ ଓ ୪ ବର୍ଷର ଶିଶୁକୁ ନେଇ ଅସହାୟ ପରିବାରର ଆକୁଳ ନିବେଦନ
କଳିଙ୍ଗନଗର ଦାନଗଦି: ମୁଣ୍ଡ ଉପରେ ନାହିଁ ସୁରକ୍ଷିତ ଛାତ। ଚାରିପଟେ ଜଙ୍ଗଲିଆ ପରିବେଶ। ରାତି ହେଲେ ସାପ, ବେଙ୍ଗ ଓ ବିଭିନ୍ନ ଜୀବଜନ୍ତୁଙ୍କ ଭୟ। ଭଙ୍ଗା ଦଦରା ଘର ଭିତରେ ଦିବ୍ୟାଙ୍ଗ ପୁଅ ଓ ୪ ବର୍ଷର ଛୋଟ ଶିଶୁକୁ ନେଇ ଭୟ ଓ ଆଶଙ୍କାରେ ରାତି କାଟୁଛି ଏକ ଗରିବ ପରିବାର। ଆଖିରେ ଅଛି ଭଲ ଦିନର ସ୍ୱପ୍ନ, ହେଲେ ସ୍ୱପ୍ନକୁ ସାକାର କରିବା ପାଇଁ ନାହିଁ ସମ୍ବଳ। ଏଭଳି ଏକ ହୃଦୟବିଦାରକ ଚିତ୍ର ଦେଖିବାକୁ ମିଳିଛି ଦାନଗଦି ବ୍ଲକ ଅନ୍ତର୍ଗତ ଦେଉଳକଣ ପଞ୍ଚାୟତର ପାଟବାଳୀ ଗ୍ରାମ ଭାଟିସାଇ ଅଞ୍ଚଳରେ। ଏଠାରେ ଭଙ୍ଗା ଘରେ ରହୁଛନ୍ତି ପ୍ରଶାନ୍ତ କୁମାର ବେହେରା, ପତ୍ନୀ ସବିତା ବେହେରା, ଦିବ୍ୟାଙ୍ଗ ବଡ଼ପୁଅ ତପନ କୁମାର ବେହେରା ଏବଂ ୪ ବର୍ଷର ସାନପୁଅ ଅଭୟ କୁମାର ବେହେରା। ପରିବାରର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଯେ ନିଜ ଉଦ୍ୟମରେ ଘରଟିଏ ତିଆରି କରିବା ତାଙ୍କ ପାଇଁ ସ୍ୱପ୍ନ ପାଲଟିଛି। ଯେଉଁ ଘରଟି ଦିନେ ପରିବାରକୁ ଆଶ୍ରୟ ଦେଉଥିଲା, ଆଜି ସେହି ଘର ନିଜେ ଅସୁରକ୍ଷିତ। କେତେବେଳେ କ’ଣ ହେବ, ସେହି ଭୟରେ ପରିବାର ଦିନ କାଟୁଛି। ବିଶେଷକରି ଘରେ ଦିବ୍ୟାଙ୍ଗ ପୁଅ ଓ ଏକ ଛୋଟ ଶିଶୁ ଥିବାରୁ ପରିବାରର ଚିନ୍ତା ଆହୁରି ବଢ଼ିଯାଇଛି। ବର୍ଷା ଆସିଲେ ଭଙ୍ଗା ଘର ଭିତରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ରାତିର ଅନ୍ଧାରରେ ଜୀବଜନ୍ତୁଙ୍କ ଭୟ ମଧ୍ୟରେ ଛୋଟ ଶିଶୁଟିକୁ ନେଇ ରାତି କାଟିବାକୁ ପଡ଼ୁଛି। ଆଶ୍ଚର୍ଯ୍ୟର ବିଷୟ, ନରଣପୁର-ଡୁବୁରି ଏକ୍ସପ୍ରେସ୍ ହାଇୱେଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏବଂ ଟମକା ଥାନା ନିକଟରେ ଏହି ପରିବାର ଏଭଳି ଅସହାୟ ଅବସ୍ଥାରେ ରହୁଥିବା ଅଭିଯୋଗ ହୋଇଛି। ବିକାଶର ଆଲୋକ ପହଞ୍ଚିଥିବା ଅଞ୍ଚଳରେ ମଧ୍ୟ ଏହି ପରିବାରର ମୁଣ୍ଡ ଉପରେ ଏଯାଏଁ ନିରାପଦ ଛାତ ନାହିଁ। ପ୍ରଶାନ୍ତଙ୍କ ଆଖିରେ ଲୁହ, ମୁହଁରେ ଗୋଟିଏ ପ୍ରଶ୍ନ—“ମୋ ପରିବାର ପାଇଁ ମୁଁ କେବେ ଗୋଟିଏ ନିରାପଦ ଘର ପାଇବି?” ସରକାରଙ୍କ ଯୋଜନା ତାଙ୍କ ପାଇଁ ମଧ୍ୟ ଅଛି ବୋଲି ସେ ଆଶା ରଖିଛନ୍ତି। ତାଙ୍କର ଆକୁଳ ନିବେଦନ—ସ୍ଥାନୀୟ ପ୍ରଶାସନ ଓ ଦାନଗଦି ବ୍ଲକ ପ୍ରଶାସନ ତାଙ୍କ ପରିବାରର ଅବସ୍ଥାକୁ ଅନୁଧ୍ୟାନ କରନ୍ତୁ। ଦିବ୍ୟାଙ୍ଗ ପୁଅ ଓ ଛୋଟ ଶିଶୁଙ୍କ ମୁଣ୍ଡ ଉପରେ ଏକ ନିରାପଦ ଛାତ ଦେବାକୁ ତୁରନ୍ତ ପଦକ୍ଷେପ ନିଆଯାଉ। ପ୍ରଶାନ୍ତଙ୍କ ଆବେଦନ କେବଳ ଗୋଟିଏ ଘର ପାଇଁ ନୁହେଁ; ଏହା ତାଙ୍କ ପରିବାରର ସୁରକ୍ଷିତ ଜୀବନ ପାଇଁ ଏକ ଆକୁଳ ଆବେଦନ।