--:--:--
-- ---
Srishti News

Web News

ଜମି କିସମ ପରିବର୍ତ୍ତନ ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ: ଭିଜିଲାନ୍ସ ଜାଲରେ ପିପିଲିର RI ଓ ARI
Sep 7, 2026•52 views

ଜମି କିସମ ପରିବର୍ତ୍ତନ ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ: ଭିଜିଲାନ୍ସ ଜାଲରେ ପିପିଲିର RI ଓ ARI

​ପିପିଲି : ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ସିଉଳା ଆର.ଆଇ. ସର୍କଲର ରାଜସ୍ୱ ନିରୀକ୍ଷକ (RI) କଲ୍ୟାଣୀ ଜେନା ଏବଂ ସହକାରୀ ରାଜସ୍ୱ ନିରୀକ୍ଷକ (ARI) ପୂର୍ଣ୍ଣଚନ୍ଦ୍ର ବେହେରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମିର କିସମ ପରିବର୍ତ୍ତନ (ମ୍ୟୁଟେସନ) ରିପୋର୍ଟ ଆଗକୁ ପଠାଇବା ପାଇଁ ଜଣେ ଆବେଦନକାରୀଙ୍କଠାରୁ ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ରେଡ୍‌ହାଣ୍ଡେଡ୍ କାବୁ କରିଛି।ଜଣେ ସ୍ଥାନୀୟ ବ୍ୟକ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମାନୁସାରେ ନିଜର ଚାଷ ଜମିକୁ ଘରବାରୀ କିସମକୁ ପରିବର୍ତ୍ତନ (Land Conversion) କରିବା ପାଇଁ ଆବେଦନ କରିଥିଲେ। କାମର ସ୍ଥିତି ବୁଝିବା ପାଇଁ ସେ ସିଉଳା ଆର.ଆଇ. କାର୍ଯ୍ୟାଳୟକୁ ଯାଇଥିବା ବେଳେ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଉପରସ୍ଥ ଅଧିକାରୀଙ୍କ ପାଖକୁ ପଠାଇବା ବାବଦକୁ ଆର.ଆଇ. କଲ୍ୟାଣୀ ଜେନା ଏବଂ ଏ.ଆର.ଆଇ. ପୂର୍ଣ୍ଣଚନ୍ଦ୍ର ବେହେରା ୩୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଆବେଦନକାରୀ ବାରମ୍ବାର ନେହାକାକୁତି ହୋଇଥିଲେ ସୁଦ୍ଧା ଉଭୟ ସରକାରୀ କର୍ମଚାରୀ ଟଙ୍କା ନଦେଲେ କାମ ହୋଇପାରିବ ନାହିଁ ବୋଲି ଜିଦ୍ ଧରି ବସିଥିଲେ। ସରକାରୀ ଅଧିକାରୀଙ୍କ ଏପରି ବେଆଇନ ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ଆବେଦନକାରୀ ଶେଷରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଫାନ୍ଦ (Trap) ପ୍ରସ୍ତୁତ କରାଯାଇଥିଲା। ଯୋଜନା ମୁତାବକ, ଆବେଦନକାରୀ ୩୫,୦୦୦ ଟଙ୍କା ଲାଞ୍ଚ ଦେଉଥିବା ସମୟରେ ପୂର୍ବରୁ ଓଲି ରହିଥିବା ଭିଜିଲାନ୍ସ ଟିମ୍ ଚଢ଼ଉ କରି ଦୁହିଁଙ୍କୁ ରଙ୍ଗେହାତ ଗିରଫ କରିଥିଲେ। ଘଟଣାସ୍ଥଳରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଗିରଫଦାରୀ ପରେ ଅଭିଯୁକ୍ତଙ୍କ ଅପ୍ରାପ୍ତ ସମ୍ପତ୍ତି (Disproportionate Assets) ଠାବ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଏକ ସମୟରେ ୩ଟି ସ୍ଥାନରେ ଚଢ଼ଉ ଜାରି ରହିଛି: ​ସିଉଳାସ୍ଥିତ ଆର.ଆଇ. କାର୍ଯ୍ୟାଳୟ। ​ଚାରିଛକ ନିକଟସ୍ଥ ବ୍ରହ୍ମକୁମୁଡ଼ି ଏବଂ ଚନ୍ଦନପୁର ନିକଟସ୍ଥଅଚ୍ୟୁତପୁରସ୍ଥିତ ବାସଭବନ।​ଭୁବନେଶ୍ୱର ରସୁଲଗଡ଼ସ୍ଥିତ ବାସଭବନ। ​ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ 'ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮' ଅଧୀନରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି

Puri (ପୁରୀ) • ରିପୋର୍ଟ ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲି

ରାଉରକେଲାର ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ ଅଭିଯାନ
Sep 7, 2026•28 views

ରାଉରକେଲାର ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ ଅଭିଯାନ

ରାଉରକେଲାର ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ ଅଭିଯାନ ସମୟରେ, 08 ଟି ମାମଲା ରୁଜୁ ହୋଇଥିଲା, ଯାହା ଫଳରେ 882 ଲିଟର ଅବୈଧ (I.D. liquor) ମଦ, 19,800 କିଲୋଗ୍ରାମ ଫର୍ମେଣ୍ଟେଡ୍ ୱାଶ୍ (F.M. Wash), ଏବଂ OD-14-AA-7355, OD-34-M-6152 ଏବଂ OD-14-C-9260 ପଞ୍ଜିକରଣ ନମ୍ବର ବିଶିଷ୍ଟ 03 ଟି ସ୍କୁଟି ଜବତ କରାଯାଇଥିଲା। ଜଲଦା ସି ବ୍ଲକ୍, କେମାଙ୍ଗ, ହଳଦୀବେଡା, ମନକୋ, କାଟିନ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରାଯାଇଥିଲା। ଚିହ୍ନଟ ହୋଇଥିବା ମାମଲାଗୁଡ଼ିକରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି, ଏବଂ ଅବକାରୀ ବିଭାଗ ଅବୈଧ ମଦ କାର୍ଯ୍ୟକଳାପ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିବା ପାଇଁ ପ୍ରତିବଦ୍ଧତା ଦୋହରାଇଛି।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ, ରାଉରକେଲା

ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ
Sep 7, 2026•22 views

ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ

ରାଉରକେଲା ୬/୯/୨୬ : ସହରର ସେକ୍ଟର ୨୧ ଠାରେ ଥିବା ଓଡିଶା ଵନ ଉନ୍ନୟନ ନିଗମ OFDC କାର୍ଯ୍ୟାଳୟ ଠାରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି।ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି କିପରି କରାଯିବ ସେ ସମ୍ପର୍କରେ ବନ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ସିଭିଲ ଡିଫେନସ ଓ ଅଗ୍ନିଶମ ବାହିନୀର ଅଧିକାରୀ ଓ କର୍ମଚାରୀ ଵନ କର୍ମଚାରୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ପ୍ରକାରର ତାଲିମ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ଵନ ଉନ୍ନୟନ ନିଗମର ଡିଭିଜନାଲ ମ୍ୟାନେଜର ବିଶ୍ଵଜିତ ରାଉତ, ରାଉରକେଲା ବନଖଣ୍ଡ ଅଧିକାରୀ ରବିକାନ୍ତ ମିନା, ରାଉରକେଲା ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାନସନ୍ଦା, ସିଭିଲ ଡିଫେନସ ର ଶୁଭେନ୍ଦୁ କୁମାର ପଣ୍ଡା ତାଲିମ ଶିବିର ପରିଚାଳନା କରିଥିଲେ। ଵିଗତ ଫାଇଲନ ଵାତ୍ୟାରେ ଓଡିଶା ଵନ ଉନ୍ନୟନ ନିଗମ OFDCର ଉଲ୍ଲେଖନୀୟ ଅବଦାନ ପାଇଁ ସରକାରଙ୍କ ତରଫରୁ ବିପର୍ଯ୍ୟୟ ପରିଚାଳନା ରେ OFDC କୁ ଅନ୍ତର୍ଭୁକ୍ତ କରାଯାଇଥିଲା।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ପୁଣି ଜାତୀୟସ୍ତରରେ ଚମକିଲା ରାଉରକେଲା: ସ୍ଵଚ୍ଛ ବାୟୁ ସର୍ବେକ୍ଷଣରେ ହାସଲ କଲା ପ୍ରଥମ ସ୍ଥାନ
Sep 7, 2026•23 views

ପୁଣି ଜାତୀୟସ୍ତରରେ ଚମକିଲା ରାଉରକେଲା: ସ୍ଵଚ୍ଛ ବାୟୁ ସର୍ବେକ୍ଷଣରେ ହାସଲ କଲା ପ୍ରଥମ ସ୍ଥାନ

ରାଉରକେଲା, ୭ ସେପ୍ଟେମ୍ବର ୨୦୨୬: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ପ୍ରକାଶିତ ସ୍ଵଚ୍ଛ ବାୟୁ ସର୍ବେକ୍ଷଣରେ ରାଉରକେଲା ସହର ତିନୋଟି ପୁରସ୍କାର ହାସଲ କରିଛି। ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା ପୂର୍ବକ 'ସମସ୍ତଙ୍କ ପାଇଁ ସ୍ଵଚ୍ଛ ବାୟୁ' ସହ ନାଗରିକମାନଙ୍କ ମଧ୍ୟରେ ବାୟୁ ପ୍ରଦୂଷଣ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ 'ଜାତୀୟ ସ୍ୱଚ୍ଛ ବାୟୁ' କାର୍ଯ୍ୟକ୍ରମ ଅଧୀନରେ ଏହି ସର୍ବେକ୍ଷଣ ଆୟୋଜନ କରାଯାଉଛି। ଦେଶର ୧୩୦ଟି ସହର ଏହି ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ବେଳେ ରାଉରକେଲା ସହର ଶ୍ରେଷ୍ଠ ପ୍ରଦର୍ଶନ ସହ ସର୍ବଭାରତୀୟ ସ୍ତରରେ ଗୌରବ ହାସଲ କରିଛି। ସ୍ଵଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ ରେ ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ରାଉରକେଲା ସହର ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିଭଳି ଭାବେ ୧୦ ହଜାରରୁ କମ୍ ଜନସଂଖ୍ୟା ବର୍ଗରେ ୧୩ ନମ୍ବର ୱାର୍ଡ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓ ପୁଣିଥରେ ୧୦ ହଜାରରୁ କମ୍ ଜନସଂଖ୍ୟା ବର୍ଗରେ ୧୪ ନମ୍ବର ୱାର୍ଡ ରାଜ୍ୟସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। ସେପ୍ଟେମ୍ବର ୭ ତାରିଖ ସ୍ଵଚ୍ଛ ବାୟୁ ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ପର୍ଯ୍ୟାବରଣ ଭବନର ଗଙ୍ଗା ଅଡିଟୋରିୟମ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ପୁରସ୍କାର ଗ୍ରହଣ କରିଛନ୍ତି। ରାଉରକେଲା ସହର ଦେଶରେ ପ୍ରଥମ ସ୍ଥାନ ହାସଲ କରି ସମଗ୍ର ରାଜ୍ଯ ପାଇଁ ଗୌରବ ଆଣିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ରାଉରକେଲା ମହାନଗର ନିଗମ ଆୟୁକ୍ତ ସମସ୍ତ ରାଉରକେଲାବାସୀଙ୍କ ସହ ସହରକୁ ସ୍ଵଚ୍ଛ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସମସ୍ତ ସ୍ଵଚ୍ଛ କର୍ମୀଙ୍କୁ ଶୁଭକାମନା ଓ ଧନ୍ଯବାଦ ଜଣାଇଛନ୍ତି। ସହରରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ପ୍ରଚେଷ୍ଟା ଜାରି ରହିଥିବା ବେଳେ ଏଥିପାଇଁ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ ସହ ସେଗୁଡିକର ସୂଚାରୁ ରୂପେ ପରିଚାଳନା, ବହୁଦିନରୁ ପଡି ରହିଥିବା ପୁରୁଣା ବର୍ଜ୍ୟବସ୍ତୁର ବାୟୋ ମାଇନିଂ, ବାୟୋମାସ୍ ପେଲେଟ ପ୍ଲାଣ୍ଟ ସ୍ଥାପନ କରାଯାଇ ବର୍ଜ୍ୟବସ୍ତୁ ପୋଡ଼ିବାକୁ ରୋକା ଯାଉଛି । ସେପ୍ଟିକ ଟ୍ୟାଙ୍କ ପାଣି ଓ ଡ୍ରେନ୍ ପାଣିର ପ୍ରକ୍ରିୟାକରଣ କରାଯାଇ ପୁନଃ ବ୍ୟବହାର ଯୋଗ୍ୟ କରାଯିବା ପୂର୍ବକ ସେହି ପାଣିକୁ ନିୟମିତ ଭାବେ ସ୍ପ୍ରିଙ୍କଲର୍ ଯୋଗେ ଜଳ ସିଞ୍ଚନ କରାଯାଉଛି। ମେକାନିକାଲ ସ୍ବିପିଂ ମେସିନ୍ ଜରିଆରେ ରାତ୍ରିକାଳୀନ ସଫେଇ କରାଯାଇ ରାସ୍ତାରୁ ଧୂଳି ହ୍ରାସ କରାଯାଉଛି। ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟବସ୍ତୁର ସଠିକ୍ ଭାବେ ପରିଚାଳନା କରାଯାଉଛି। ସହରର ୪ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ଏୟାର୍ ପ୍ୟୁରିଫାୟାର ସ୍ଥାପନ କରାଯାଇ ପିଏମ୍ ୨.୫ ଓ ପିଏମ୍ ୧୦ ର ମାତ୍ରା ହ୍ରାସ କରାଯାଇ ନାଗରିକମାନଙ୍କ ପାଇଁ ସ୍ଵଚ୍ଛ ବାୟୁ ସୁନିଶ୍ଚିତ କରାଯାଉଛି। ଏହା ସହ ବିଭିନ୍ନ ସମୟରେ ବାୟୁ ପ୍ରଦୂଷଣ ରୋକିବା ଲାଗି ଜନସଚେତନତା ମଧ୍ୟ ସୃଷ୍ଟି କରାଯାଉଛି।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ସ୍ୱଚ୍ଛତା ଉପରେ ଅଭିଯାନ ଯାରୀ ରଖିଛନ୍ତି ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ ପଟ୍ଟାମୁଣ୍ଡାଇ
Sep 7, 2026•52 views

ସ୍ୱଚ୍ଛତା ଉପରେ ଅଭିଯାନ ଯାରୀ ରଖିଛନ୍ତି ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ ପଟ୍ଟାମୁଣ୍ଡାଇ

ପଟ୍ଟାମୁଣ୍ଡାଇ ମୁନିସପାଲିଟ ଅନର୍ଗତ ସୁନାମ ଧନ୍ୟ ବିଦ୍ୟାଳୟ , ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ, ପଟ୍ଟାମୁଣ୍ଡାଇ ରେ ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟଙ୍କ ତତ୍ୱାବଧାନ ରେ ବିଦ୍ୟାଳୟ ପରିସର ମଧ୍ୟରେ ଏନ ସି ସି କାଡେଟ୍ସ, ସ୍କାଉଟ , ଗାଇଡ, ଜୁନିଅର୍ ରେଡ୍ କ୍ରସ ଓ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବଚ୍ଛତା ପକ୍ଷ ପାଳନ ସହ ଏକ ସଫେଇ କାର୍ଯ୍ୟ କ୍ରମ ହୋଇ ଯାଇଛି। ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟ ଙ୍କ ନିର୍ଦେଶ ରେ ଏନ ସି ସି ଅଫିସର ଶ୍ରୀ ସରୋଜ କୁମାର ସ୍ୱାଇଁ, ବରିଷ୍ଠ ଶିକ୍ଷକ ଶ୍ରୀ ଅଶୋକ କୁମାର ଦାଶ,ଶିକ୍ଷୟିତ୍ରୀ ଅନିତା ଧଳ,ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ, ଶିକ୍ଷକ ଅନିଲ କୁମାର ଦାସ ଙ୍କର ସହଯୋଗ ରେ ୧୦୦ ଜଣ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀଙ୍କ ସମେତ ପ୍ରାୟ ୫୦୦ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଥିଲେ। ପିଲାମାନେ ବିଦ୍ୟାଳୟ ପରିସର ସଫା କରିବା ସହ "ସ୍ୱଚ୍ଛତା ହି ସେବା", "ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ" ପ୍ରଭୁତି ସ୍ଲୋଗାନ ଦେଇ ଉପସ୍ଥିତ ଜନ ସାଧାରଣ ଙ୍କୁ ସଚେତନ କରାଇଥିଲେ। ପରିବେଶ ସ୍ୱଚ୍ଛ ରଖିଲେ କିପରି ରୋଗ ଦୁରୀଭୂତ ହେବ ଏବଂ ଆମେ ନିରୋଗ ରହିବା ଏହି ଉପରେ ଏକ ଆଲୋଚନା ଚକ୍ର ହୋଇଥିଲା। ଶେଷରେ ଉପସ୍ଥିତ ସମସ୍ତ ଏନ ସି ସି କାଡେଟ୍ସ , ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ପରିବେଶ କୁ ସର୍ବଦାସଫା ରଖିବା ଓ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ର ବ୍ୟବହାର ନ କରିବା ପାଇଁ ଏକ ଶପଥ ନେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଵିନୋଦ କୁମାର ନାଥ, ଵିନୋଦ କୁମାର ଜେନା, ଅଭିଷେକ ନାୟକ, ଶାଶ୍ଵତୀ ସୁଭାଦର୍ଶନି ସାହୁ, ଗୋମତୀ ସ୍ବାଇଁ,ପ୍ରଭୁତି ଉପସ୍ଥିତ ରହି ପିଲାମାନଙ୍କୁ ସହଯୋଗ କରିଥିଲେ।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା ରୁ

DIET ସରକାରୀ ବାସଭବନରେ ଝୁଲୁଛି ତାଲା: ପ୍ରିନ୍ସିପାଲ୍ କ୍ୱାର୍ଟର ପରିତ୍ୟକ୍ତ, ରକ୍ଷଣାବେକ୍ଷଣ ନେଇ ଉଠିଲା ପ୍ରଶ୍ନ
Sep 7, 2026•56 views

DIET ସରକାରୀ ବାସଭବନରେ ଝୁଲୁଛି ତାଲା: ପ୍ରିନ୍ସିପାଲ୍ କ୍ୱାର୍ଟର ପରିତ୍ୟକ୍ତ, ରକ୍ଷଣାବେକ୍ଷଣ ନେଇ ଉଠିଲା ପ୍ରଶ୍ନ

ଖଲ୍ଲିକୋଟ, ୭/୯: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାଜପ୍ରାସାଦ ପରିସରରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET)ର ସରକାରୀ ବାସଭବନ ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷଙ୍କ ପାଇଁ ନିର୍ମିତ ସରକାରୀ କ୍ୱାର୍ଟରରେ ସବୁବେଳେ ତାଲା ଝୁଲୁଥିବା ବେଳେ ଏହାର ଚତୁଃପାର୍ଶ୍ୱରେ ଅନାବନା ଗଛଲତା ମାଡ଼ି ଯାଇଥିବା ଦେଖାଯାଉଛି। ସୂଚନା ଅନୁଯାୟୀ, ଖଲ୍ଲିକୋଟ ରାଜପ୍ରାସାଦରେ ଥିବା ଏହି ଶିକ୍ଷାନୁଷ୍ଠାନ ୧୯୯୪ ମସିହାରୁ କାର୍ଯ୍ୟକ୍ଷମ ହୋଇଆସୁଛି। ପ୍ରଥମେ ଏହା ଇ.ଟି., ପରେ ସି.ଟି. ଭାବେ ପରିଚାଳିତ ହୋଇଥିବା ବେଳେ ବର୍ତ୍ତମାନ DIET ଭାବେ କାର୍ଯ୍ୟ କରୁଛି। ସବୁଜ ବନାନୀ ମଧ୍ୟରେ ଅବସ୍ଥିତ ଏହି ପ୍ରତିଷ୍ଠାନର ପରିବେଶ ଆକର୍ଷଣୀୟ ହୋଇଥିବା ସତ୍ତ୍ୱେ ଅଧ୍ୟକ୍ଷଙ୍କ ସରକାରୀ ବାସଭବନର ଅବସ୍ଥା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ବାସଭବନଟି ବ୍ୟବହାରରେ ନଥିଲେ ମଧ୍ୟ ପ୍ରତିବର୍ଷ ଏହାର ମରାମତି, ଚୂନଧଉଳା ଓ ରଙ୍ଗ କାମ ଆଦି ପାଇଁ କଣ୍ଟିଜେନ୍ସି ଫଣ୍ଡରୁ ଅର୍ଥ ବ୍ୟୟର ଅଟକଳ କରାଯାଉଥିବା ଅଭିଯୋଗ ରହିଛି। ଏହି ପରିପ୍ରେକ୍ଷୀରେ ସରକାରୀ ଅର୍ଥର ବ୍ୟବହାର ଓ କ୍ୱାର୍ଟରର ପ୍ରକୃତ ବ୍ୟବହାରିକ ସ୍ଥିତି ନେଇ ପ୍ରଶ୍ନ ଉଠିଛି। ବର୍ତ୍ତମାନ କ୍ୱାର୍ଟରର ଚାରିପାଖରେ ଗଛଲତା ଓ ଅନାବନା ଘାସ ବଢ଼ି ପରିସରକୁ ଆଚ୍ଛାଦିତ କରିଥିବାରୁ ଏହାର ରକ୍ଷଣାବେକ୍ଷଣ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସରକାରୀ ଅର୍ଥରେ ନିର୍ମିତ ଏହି ବାସଭବନ କାହା ପାଇଁ ଉଦ୍ଦିଷ୍ଟ ଏବଂ ଦୀର୍ଘଦିନ ଧରି କାହିଁକି ବ୍ୟବହାର ହେଉନାହିଁ, ତାହାର ସ୍ପଷ୍ଟତା ଦାବି ହୋଇଛି। ଏ ସମ୍ପର୍କରେ ଖଲ୍ଲିକୋଟ ଖୋଲସାହିର ବାସିନ୍ଦା ତଥା ଅନୁଷ୍ଠାନର ପୁରାତନ ଛାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ସାମାଜିକ କର୍ମୀ ଶିବରାମ ଜେନା ପୂର୍ବରୁ ବିଭିନ୍ନ ସମୟରେ ଗଣମାଧ୍ୟମ ଜରିଆରେ ସରକାର ଓ ସମ୍ପୃକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ତଥାପି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ତେଣୁ ସମ୍ପୃକ୍ତ ଉଚ୍ଚ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ସରକାରୀ ବାସଭବନର ବ୍ୟବହାର, ରକ୍ଷଣାବେକ୍ଷଣ ଓ ଏଥିପାଇଁ ହେଉଥିବା ଅର୍ଥ ବ୍ୟୟର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Ganjam (ଗଞ୍ଜାମ) • ଶିବରାମ ଜେନା

ବରପାଲି ରେଲୱେ ଷ୍ଟେସନ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
Sep 7, 2026•23 views

ବରପାଲି ରେଲୱେ ଷ୍ଟେସନ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବରଗଡ଼ : ବରପାଲି ରେଲୱେ ଷ୍ଟେସନ ନିକଟରୁ ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଷ୍ଟେସନ ନିକଟସ୍ଥ ୬୨୪/୨୬ ଖୁଣ୍ଟି ନିକଟରେ ସକାଳ ପ୍ରାୟ ୮ଟା ୪୫ ମିନିଟ୍ ସମୟରେ ବ୍ୟକ୍ତିଙ୍କୁ ରେଳ ଧାରଣା ନିକଟରେ ପଡ଼ିଥିବା ଦେଖାଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ରେଲୱେ କର୍ତ୍ତୃପକ୍ଷ ଓ ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେଇଥିଲେ। ପରେ ମୃତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ ଚନ୍ଦ୍ର ମାହାଣା ବୋଲି ଜଣାପଡ଼ିଛି। ତାଙ୍କ ଆଧାର କାର୍ଡ ଅନୁଯାୟୀ ସେ ବିଜେପୁର ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି। ତାଙ୍କ ନିକଟରୁ ମିଳିଥିବା ରେଲୱେ ଟିକେଟ୍ ଅନୁସାରେ ସେ ବରପାଲିରୁ ସମ୍ବଲପୁର ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି। ଘଟଣାଟି କିପରି ଘଟିଲା ଏବଂ ମୃତ୍ୟୁର ପ୍ରକୃତ କାରଣ କଣ, ସେନେଇ ରେଲୱେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ କାରଣ ସ୍ପଷ୍ଟ ହେବ। ଏନେଇ ପୁଲିସ ପକ୍ଷରୁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଜାରି ରହିଛି।

Bargarh (ବରଗଡ଼) • ସତ୍ୟ ସୁରୁଜାଲ

ରୋଟାରୀ କ୍ଲବ( ଇଷ୍ଟ )60 ଶିକ୍ଷକଙ୍କୁ ଦେଶ ନିର୍ମାତା ଭାବେ ସମ୍ବର୍ଦ୍ଧିତ କଲା
Sep 7, 2026•65 views

ରୋଟାରୀ କ୍ଲବ( ଇଷ୍ଟ )60 ଶିକ୍ଷକଙ୍କୁ ଦେଶ ନିର୍ମାତା ଭାବେ ସମ୍ବର୍ଦ୍ଧିତ କଲା

ଚିକିଟି ୬/୯ ପବିତ୍ର ଗୁରୁ ଦିବସ ଦେଶସାରା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଚିକିଟି ବ୍ଲକର ଶିକ୍ଷକ ସମୁହ ବିଜୁ କଲ୍ୟାଣ ମଣ୍ଡପ ରେ ଏକତ୍ରିତ ହୋଇ ବିଇଓ ପନ୍ନା ଭୂଷଣ ମାଝି, ଅତିରିକ୍ତ ବିଇଓ ତ୍ରିନାଥ ପ୍ରଧାନ, ନାୟକ ସେଠୀ, ମେଘନାଦ ବେହେରାଙ୍କ ସମେତ ଅବସର ପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ମାନିତ କରିଥିଲେ। ଅନୁରୂପ ଭାବେ ପାତ୍ରପୁର ବ୍ଲକ୍ ରେ ମଧ୍ୟ ଗୁରୁ ଦିବସ ପାଳନ ଓ ଗୁରୁ ପୂଜନ କାର୍ଯ୍ୟ କ୍ରମ ହୋଇଥିଲା। ଏ ଅବସରରେ ରୋଟାରୀ କ୍ଳବ୍ ଅଫ୍ ବ୍ରହ୍ମପୁର ଇଷ୍ଟ୍ ତରଫରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ 60 ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେସନ ବୁଇଲ୍ଡର ସମ୍ମାନରେ ସମ୍ମାନିତ କରାଯାଇଛି | କ୍ଳବର ଧର୍ମ ନଗରସ୍ଥିତ କମ୍ୟୁନିଟୀ ହଲ୍ ଠାରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ କ୍ଳବର ସଭାପତି ରୋଟାରିଆନ୍ ହୣଷିକେଶ ପ୍ରଧାନ ସଭାପତିତ୍ୱ କରିଥିଲେ, |ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଓଡ଼ିଆ ଭାଷା ସାହିତ୍ୟର ସାଧକ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ବନମାଳୀ ପାଣିଗ୍ରାହୀ ଯୋଗଦେଇ ନିଜର ଶିକ୍ଷକ ଜୀବନର ଅନୁଭୂତି ବର୍ଣ୍ଣନା କରି ଜାତି ଗଠନରେ ଶିକ୍ଷକ ମାନଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ l ସମ୍ମାନିତ ଅତିଥିଭାବେ ଅକ୍ସଫୋର୍ଡ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ଡ଼ଃ ଅଶୋକ କୁମାର ପାଳ ଯୋଗ ଦେଇ ରୋଟାରୀ ଇଷ୍ଟର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କାରି ଏତେ ସଂଖ୍ୟକ ଶିକ୍ଷକଙ୍କୁ ଗୁରୁଦିବସରେ ସମ୍ବର୍ଦ୍ଧିତ କରି ମହତ୍ କାର୍ଯ୍ୟ କରିଥିବାରୁ ସାଧୁବାଦ୍ ଜଣାଇଥିଲେ |ରୋଟାରୀ ସହକାରୀ ପ୍ରାନ୍ତପାଳ ପ୍ରଦ୍ୟୁମ୍ନ ବିଷୟୀ କିଛି ସ୍କୁଲରେ ଲାଇବ୍ରେରୀ ଖଲିବା ପାଇଁ ପରାମର୍ଶ ଦେଇ ଏଥିପାଇଁ ନିଜ ତରଫରୁ ତିନି ହଜାର ଟଙ୍କା ଅନୁଦାନ ଘୋଷଣା କରିଥିଲେ | ଲିଟେରାସୀ ଚେୟାରମ୍ୟାନ୍ ପ୍ରତ୍ୟୁଷ କୁମାର ଦାସ ବିବରଣୀ ପ୍ରଦାନ କରିଥିଲେ | କ୍ଳବର ପବ୍ଲିକ୍ ଇମେଜ୍ ଚେୟାରମ୍ୟାନ୍ ତଥା ପୂର୍ବତନ ସଭାପତି କାମରାଜୁ ମହାରଣାଙ୍କ ସଂଯୋଜନାରେ ପରିଚାଳିତ ଉତ୍ସବରେ ପୂର୍ବତନ ସଭାପତି ଅରୁଣ ଚାନ୍ଦ ଦାଶ,ପ୍ରଦୀପ୍ତ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପଣ୍ଡା,ଜୟନ୍ତ କିଶୋର ପାତ୍ର, ସମ୍ପାଦକ ଶାନ୍ତନୁ କୁମାର ପାତ୍ର, ରାଧାଚରଣ ସାହୁ, ଅଜିତ୍ କୁମାର ପୣଷ୍ଟି, ରାମା ରାଓ,ପ୍ରଦୀପ କୁମାର ନାୟକ,ଭିକାରୀ ଚରଣ ସାହୁ, ଏମ୍. ମନୋଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ମୁନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ବାଲ୍ୟ ବିବାହ ମୁକ୍ତ ଆଜି ବିଶ୍ୱ ସ୍ତରୀୟ ସଂକଳ୍ପ ରେ ପରିଣତ" ଢ଼େଙ୍କାନାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଶପଥ ପାଠ
Sep 7, 2026•27 views

ବାଲ୍ୟ ବିବାହ ମୁକ୍ତ ଆଜି ବିଶ୍ୱ ସ୍ତରୀୟ ସଂକଳ୍ପ ରେ ପରିଣତ" ଢ଼େଙ୍କାନାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଶପଥ ପାଠ

ଢ଼େଙ୍କାନାଳ ୭.୯- ଢେ଼ଙ୍କାନାଳ ଜିଲ୍ଲା ଓଡାପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ମୁକ୍ତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ଯୁବ କେନ୍ଦ୍ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତା କରି କହିଥିଲେ ଯେ,ଭାରତ ବର୍ଷରେ ବାଲ୍ୟ ବିବାହ ମୁକ୍ତ " ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ୍" ପାଇଁ ଉଠିଥିବା ସ୍ୱର ଆଜି ବିଶ୍ୱସ୍ତରୀୟ ସଂକଳ୍ପରେ ପରିଣତ ହୋଇଛି । ନଭେମ୍ବର ୨୭ କୁ ବାଲ୍ୟ ବିବାହ ମୁକ୍ତ ଦିବସ ଭାବେ ପାଳନ କରିବାକୁ ଜାତିସଂଘ ଘୋଷଣା କରିଛି । ଢ଼େଙ୍କାନାଳ ଜିଲ୍ଲାର ତୃଣମୂଳ ସ୍ତରରେ ବିଶ୍ୱ ଯୁବ କେନ୍ଦ୍ର ଏଥିପାଇଁ କାର୍ଯ୍ୟ କରୁଛି । କେବଳ ଆଇନ ଦ୍ୱାରା ବାଲ୍ୟ ବିବାହ କୁ ରୋକାଯାଇ ପାରିବ ନାହିଁ। ଏଥିପାଇଁ ସ୍କୁଲ,କଲେଜ ଓ ଗାଁ ଗାଁ ରେ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମହାନ୍ତି, ଉପାଧ୍ୟକ୍ଷ ଅମିତାଭ ସ୍ୱାଇଁ,ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ,ଏବିଓ ପୋଲୋସ୍ତ୍ୟ ସାହୁ,ଏ ଏଲ ଓ ଭବାନୀ ଶଙ୍କର , ଏସ ଆଇ ପ୍ରଶାନ୍ତ କୁମାର ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ,ଶିଶୁ ସହାୟକ ରୋଶନ କୁମାର ନନ୍ଦ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିବେଦିତା ତ୍ରିପାଠୀ,ବିଶ୍ୱ ଯୁବ କେନ୍ଦ୍ର କାଉନସେଲର ମନସ୍ମିତା ନାୟକ,ସୁମିତ୍ରା ସ୍ୱାଇଁ,କୁମୁଦିନୀ ସ୍ୱାଇଁ,ବିଦୁଲତା ଭଞ୍ଜ ଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ,ଅଙ୍ଗନୱାଡି କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଯୋଗ ଦେଇ ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆଣିବା,ବାଲ୍ୟ ବିବାହ,ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯାତନା ସହିତ କିଶୋରୀ ବାଳିକା ମାନଙ୍କୁ ସାଇବର୍ ସୁରକ୍ଷା ସମ୍ପର୍କରେ ସଚେତନତା ଆବଶ୍ୟକ ବୋଲି କହିଥିଲେ । ଢ଼େଙ୍କାନାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଶପଥ ପାଠ କରାଯାଇଥିଲା ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢ଼େଙ୍କାନାଳ

ସ୍ଵାଧୀନ ନ୍ୟାୟପାଳିକା ଓ ଗଣମାଧ୍ୟମ ବିନା ଗଣତନ୍ତ୍ରର ପ୍ରଗତି ଅସମ୍ଭବ: ନିତିନ ଗଡ଼କରୀ
Sep 7, 2026•33 views

ସ୍ଵାଧୀନ ନ୍ୟାୟପାଳିକା ଓ ଗଣମାଧ୍ୟମ ବିନା ଗଣତନ୍ତ୍ରର ପ୍ରଗତି ଅସମ୍ଭବ: ନିତିନ ଗଡ଼କରୀ

ନାଗପୁର: ଗଣତନ୍ତ୍ରର ପ୍ରଗତି ଓ ବିକାଶ ପାଇଁ ସ୍ଵାଧୀନ ନ୍ୟାୟପାଳିକା ଏବଂ ନିରପେକ୍ଷ ଗଣମାଧ୍ୟମ ଅତ୍ୟନ୍ତ ଆବଶ୍ୟକ। ଶନିବାର ଆଇଆଇଏମ ନାଗପୁର (IIM Nagpur) ମିଡିଆ କନକ୍ଲେଭ-୨୦୨୬ରେ ‘ମିଡିଆ, ଲିଡରସିପ୍‌ ଆଣ୍ଡ ଦ ଦି ନ୍ୟୁ ୱାର୍ଲ୍ଡ ଅର୍ଡର’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଏହା କହିଛନ୍ତି। ଏହାସହ ସାମ୍ପ୍ରତିକ ସମୟରେ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସନୀୟତାର ସଙ୍କଟ ଦେଖାଦେଇଥିଲେ ହେଁ, ଗଣମାଧ୍ୟମ କ୍ଷେତ୍ରରେ ଏହି ସଙ୍କଟ ସବୁଠାରୁ ଗମ୍ଭୀର ରୂପ ନେଇଛି ବୋଲି ସେ ଚିନ୍ତା ପ୍ରକାଶ କରିଛନ୍ତି। ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଯେ, "ଭାରତ ହେଉଛି ଗଣତନ୍ତ୍ରର ଜନନୀ ଏବଂ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର। ସମ୍ବିଧାନରେ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଗଣମାଧ୍ୟମର ଦାୟିତ୍ୱ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହୋଇଛି। ଗଣତନ୍ତ୍ରକୁ ଆଗକୁ ନେବା ପାଇଁ ସ୍ଵାଧୀନ, ନିରପେକ୍ଷ ନ୍ୟାୟପାଳିକା ଏବଂ ଗଣମାଧ୍ୟମ ଅପରିହାର୍ଯ୍ୟ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ରରେ ରାଜନୀତି ଓ ରାଜନୈତିକ ଦଳଗୁଡ଼ିକ ଶକ୍ତିର ମୁଖ୍ୟ ଉତ୍ସ। ବିଚାରଧାରାରେ ଭିନ୍ନତା ବା ମତଭେଦ ଥାଇପାରେ, କିନ୍ତୁ ନିଜ ନୀତି ଓ ନିଷ୍ଠା ପ୍ରତି ସମର୍ପଣ ଭାବ ରହିବା ଆବଶ୍ୟକ। ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ମୁଦ୍ଦା ଉପରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଜରୁରୀ। ୨୧ଶ ଶତାବ୍ଦୀରେ ସବୁ କ୍ଷେତ୍ର ପାଇଁ ବିଶ୍ୱସନୀୟତା, ସୁନାମ ଓ ସତୋଟତା ହିଁ ସବୁଠାରୁ ବଡ଼ ପୁଞ୍ଜି। ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ବିଶ୍ୱସନୀୟତା ହ୍ରାସ ପାଇଥିଲେ ବି ଗଣମାଧ୍ୟମରେ ଏହା ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ ସବୁ ଗଣମାଧ୍ୟମ ସଂସ୍ଥା ନିଜର ଆସ୍ଥା ହରାଇନାହାନ୍ତି। ପୂର୍ବରୁ ସମ୍ବାଦପତ୍ର ଓ ମିଡିଆ ହାଉସ ନିର୍ବାଚନର ଫଳାଫଳ ନିର୍ଦ୍ଧାରଣ କରୁଥିଲେ, କିନ୍ତୁ ଏବେ ସୋସିଆଲ ମିଡିଆ ଏହି ଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ତେଣୁ ନିଜର ହରାଇଥିବା ବିଶ୍ୱସନୀୟତାକୁ ଫେରାଇ ଆଣିବା ପାଇଁ ଗଣମାଧ୍ୟମ ଆତ୍ମସମୀକ୍ଷା କରିବାର ସମୟ ଆସିଛି। ଯାହାର ବିଶ୍ୱସନୀୟତା ରହିଛି, ତାକୁ ନିଜର ମାର୍କେଟିଂ ବା ପ୍ରଚାର କରିବାକୁ ପଡ଼ିନଥାଏ ବୋଲି ସେ ପ୍ରକାଶ କରିଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର , ସ୍ୱତନ୍ତ୍ର ପ୍ରତିନିଧି

ସେବାରେ ଆଉ ପାଦେ ଆଗେଇଲେ ଅଭିମନ୍ୟୁ, ଗାଁ ଲୋକଙ୍କ ଅନୁରୋଧରେ ମନ୍ଦିରକୁ ଚେୟାର ପ୍ରଦାନ
Sep 7, 2026•101 views

ସେବାରେ ଆଉ ପାଦେ ଆଗେଇଲେ ଅଭିମନ୍ୟୁ, ଗାଁ ଲୋକଙ୍କ ଅନୁରୋଧରେ ମନ୍ଦିରକୁ ଚେୟାର ପ୍ରଦାନ

ବଅଁରପାଳ: ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମବାସୀଙ୍କ ଅନୁରୋଧକୁ ରକ୍ଷା କରି ଗାଁର ଶିବ ମନ୍ଦିରକୁ ୫ଟି ସିମେଣ୍ଟ ଚେୟାର ପ୍ରଦାନ କରିଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ଗ୍ରାମବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଶ୍ରୀ ସାହୁଙ୍କ ଏହି ସହଯୋଗ ଯୋଗୁଁ ମନ୍ଦିରକୁ ଆସୁଥିବା ଭକ୍ତ ଓ ଗ୍ରାମବାସୀମାନେ ବସିବାର ସୁବିଧା ପାଇପାରିବେ। ଏହି ସହଯୋଗ ପାଇଁ ଲଙ୍ଗୁଳିଆବେଡା ଗ୍ରାମବାସୀ ଅଭିମନ୍ୟୁ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ଅଭିମନ୍ୟୁ ସାହୁ ବାବା ଚନ୍ଦ୍ରଶେଖର ମହାପ୍ରଭୁଙ୍କ ଦର୍ଶନ କରି ଗ୍ରାମବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଗ୍ରାମବାସୀଙ୍କ ଆବଶ୍ୟକତା ଓ ଅନୁରୋଧକୁ ଗୁରୁତ୍ୱ ଦେଇ ଆଗାମୀ ଦିନରେ ମଧ୍ୟ ସେବା ଜାରି ରଖିବାକୁ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବଅଁରପାଳ,ଅନୁଗୋଳ

ମାଆ କୁଲାଡ ବ୍ୟାଘ୍ର ଦେବୀ ଦର୍ଶନ କଲେ ବିକ୍ରମ ପଣ୍ଡା
Sep 7, 2026•20 views

ମାଆ କୁଲାଡ ବ୍ୟାଘ୍ର ଦେବୀ ଦର୍ଶନ କଲେ ବିକ୍ରମ ପଣ୍ଡା

ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ ପୂରଣ ସହ ଦଳୀୟ ସଂଗଠନ ଲକ୍ଷ୍ୟରେ ରବିବାର ନିଜ ପରିବାର ସହ ଭଞ୍ଜନଗର ଗସ୍ତରେ ଆସି ଇଷ୍ଟଦେବୀ ମା’ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କରିଛନ୍ତି। ଜେଲରୁ ଜାମିନରେ ବାହାରିବା ପରେ କୁଲାଡ଼ ସ୍ଥିତ ବ୍ୟାଘ୍ରଦେବୀ ପୀଠରେ ପହଞ୍ଚି ମା’ଙ୍କ ଆଳତି ଓ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ସେଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ବିଜେଡିର ବହୁ ନେତା ଓ ସମର୍ଥକ ଉଭୟ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ରହି ବିକ୍ରମ ପଣ୍ଡାଙ୍କୁ ସ୍ୱାଗତ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋରଡ଼ାର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସ୍କାର ପୂର୍ବତନ ଏମପି ପ୍ରାର୍ଥୀନି ରଂଜିତା ସାହୁ, ଭଞ୍ଜନଗର ପୌରପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ରହ୍ମପୁରର ନେତା ଜ୍ୟୋତି ସାହୁ, ଅଜୟ ମହାରଣା, ଦୁର୍ଗା ପ୍ରସାଦ ପଣ୍ତା, ସୀତାରାମ ପଣ୍ତା, ଚନ୍ଦ୍ର ନାୟକ, ସମେତ ବ୍ରହ୍ମପୁର ମହାନଗର ନିଗମର ବିଜେଡିର ୧୦ ଜଣ କର୍ପୋରେଟର ଏବଂ ଭଞ୍ଜନଗର ଓ ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଜେଡିର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ଦୀର୍ଘଦିନ ଧରି ଜେଲରେ ରହିବା ପରେ ନିକଟରେ ଜାମିନରେ ମୁକୁଳିଥିଲେ। ଜାମିନରେ ବାହାରିବା ପରେ ନିଜ ମାନସିକ ପୂରଣ ଉଦ୍ଦେଶ୍ୟରେ ସେ ପ୍ରଥମେ ମା’ ବ୍ୟାଘ୍ରଦେବୀଙ୍କ ଦର୍ଶନ କରିବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିବା ଜଣାପଡ଼ିଛି। ଏଥିସହ ଭଞ୍ଜନଗର ବନ ବିହାର ପରିସରରେ ଆୟୋଜିତ ଭୋଜିରେ ସେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଆସ୍କା ଅଭିମୁଖେ ଯାଇ ସେଠାରେ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ବିକ୍ରମ ଜେଲ୍ ରୁ ଜାମିନରେ ବାହାରିବା ପରେ ଗଞ୍ଜାମ ଜିଲା ରାଜନୀତି ପୁଣି ଚଳଚଞ୍ଚଳ ହୋଇଯାଇଛି ।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର