ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସମସ୍ୟା: ଦୁର୍ବଳ ନେଟୱର୍କ ଯୋଗୁଁ ହନ୍ତସନ୍ତ ଲୋକେ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 27, 2026111 views

ବଅଁରପାଳ: ଡିଜିଟାଲ୍ ଯୁଗରେ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ପାଲଟିଛି। ଗାଁ ଗାଁରେ ଡିଜିଟାଲ୍ ସେବା ପହଞ୍ଚିଥିଲେ ମଧ୍ୟ ଦୁର୍ବଳ ମୋବାଇଲ୍ ନେଟୱର୍କ ଓ ବାରମ୍ବାର ଇଣ୍ଟରନେଟ୍ ବିଚ୍ଛିନ୍ନ ହେବା ଯୋଗୁଁ ଗ୍ରାମାଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବିଶେଷକରି ଅନଲାଇନ୍ ଶିକ୍ଷା, ବ୍ୟାଙ୍କିଂ ସେବା, ଅନଲାଇନ୍ ଆବେଦନ, ସରକାରୀ ଯୋଜନାରେ ପଞ୍ଜୀକରଣ, ଡିଜିଟାଲ୍ ପେମେଣ୍ଟ ସମେତ ବିଭିନ୍ନ ଜରୁରୀ କାର୍ଯ୍ୟ ପାଇଁ ଲୋକେ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ। ହେଲେ ଅନେକ ଗ୍ରାମରେ ନେଟୱର୍କ ଦୁର୍ବଳ ରହୁଥିବାରୁ ଲୋକଙ୍କୁ ଘରଠାରୁ ଦୂରକୁ ଯାଇ ନେଟୱର୍କ ଖୋଜିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିଶେଷକରି ଗୋତମରା ଅଞ୍ଚଳରେ ଦିନର ବିଭିନ୍ନ ସମୟରେ ବିଦ୍ୟୁତ୍ ସମସ୍ୟା କିମ୍ବା ଲାଇନ୍ ସମସ୍ୟା ହେଲେ ନେଟୱର୍କ ଆହୁରି ଧିମା ହୋଇଯାଉଛି। ଫଳରେ ଇଣ୍ଟରନେଟ୍ ସେବା ବାରମ୍ବାର ବିଚ୍ଛିନ୍ନ ହେବା ସହ ଅନଲାଇନ୍ କାର୍ଯ୍ୟ ସମ୍ପାଦନରେ ଲୋକଙ୍କ ମୂଲ୍ୟବାନ ସମୟ ନଷ୍ଟ ହେଉଛି।
ଏହାର ପ୍ରଭାବ ଛାତ୍ରଛାତ୍ରୀ, ବ୍ୟବସାୟୀ, ଚାକିରି ଆଶାୟୀ ଓ ସାଧାରଣ ଲୋକଙ୍କ ଉପରେ ଅଧିକ ପଡ଼ୁଛି। ଅନଲାଇନ୍ ପାଠପଢ଼ା ସମୟରେ ନେଟୱର୍କ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ବେଳେ ଅନଲାଇନ୍ ଆବେଦନ ଓ ଡିଜିଟାଲ୍ ପେମେଣ୍ଟ ଭଳି କାର୍ଯ୍ୟରେ ମଧ୍ୟ ଅସୁବିଧା ଦେଖାଦେଉଛି।
ଏ ନେଇ ଆମ ପ୍ରତିନିଧି ଜିଓ ନେଟୱର୍କ ସମ୍ପର୍କିତ ଭବାନୀ ବାବୁଙ୍କ ସହ ଯୋଗାଯୋଗ କରିବାରୁ ସେରାଗି ଯାଇ ମୋ ନମ୍ବର କେଉଁଠୁ ମିଳିଲା ତୁମେ ମୋତେ କଣପାଇଁ କଲ କଲ ତୁମେ କି ସାମ୍ବାଦିକ ବୋଲି କହିବା ସହିତ କଷ୍ଟମର୍ କେୟାର ସହ ଯୋଗାଯୋଗ କର ସେ ବୁଝିବେ ବୋଲି କହିଥିଲେ। ଏପରି ସ୍ଥିତିରେ ଗ୍ରାମାଞ୍ଚଳର ସାଧାରଣ ଲୋକେ ନେଟୱର୍କ ସମସ୍ୟାର ସମାଧାନ ପାଇଁ କେଉଁଠାରେ ଅଭିଯୋଗ କରିବେ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୋବାଇଲ୍ ରିଚାର୍ଜ ପାଇଁ ଟଙ୍କା ଖର୍ଚ୍ଚ କରୁଥିବା ସତ୍ତ୍ୱେ ଯଦି ଆବଶ୍ୟକ ସମୟରେ ଇଣ୍ଟରନେଟ୍ ସେବା ଠିକ୍ ଭାବେ ମିଳୁନାହିଁ, ତେବେ ଏହା ଚିନ୍ତାର ବିଷୟ। ବିଶେଷକରି ପିଲାମାନଙ୍କ ଅନଲାଇନ୍ ପାଠପଢ଼ା ପାଇଁ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ସେବା ଅତ୍ୟନ୍ତ ଆବଶ୍ୟକ।
ତେଣୁ ଗ୍ରାମାଞ୍ଚଳରେ ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ ସହ ଇଣ୍ଟରନେଟ୍ ସେବାରେ ସୁଧାର ଆଣିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ନେଟୱର୍କ ବ୍ୟବସ୍ଥା ସୁଦୃଢ଼ ହେଲେ ଗ୍ରାମାଞ୍ଚଳବାସୀ ଡିଜିଟାଲ୍ ଶିକ୍ଷା, ବ୍ୟାଙ୍କିଂ ଓ ସରକାରୀ ଅନଲାଇନ୍ ସେବାର ସୁଫଳ ଅଧିକ ପାଇପାରିବେ ବୋଲି ମତ ପ୍ରକାଶ ପାଇଛି।
