--:--:--
-- ---
Srishti News

Web News

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଓଳଙ୍ଗ ପଞ୍ଚାୟତର ଷାଠିବାଙ୍କୁଡ଼ା ଗ୍ରାମରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା
Aug 28, 2026•26 views

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଓଳଙ୍ଗ ପଞ୍ଚାୟତର ଷାଠିବାଙ୍କୁଡ଼ା ଗ୍ରାମରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଙ୍ଗ ପଞ୍ଚାୟତର ଷାଠିବାଙ୍କୁଡ଼ା ଗ୍ରାମର ଲୋକମାନେ ବନ୍ୟା ଯୋଗୁଁ ବହୁ ଅସୁବିଧାରେ ରହୁଛନ୍ତି। ଶହ ଶହ ଲୋକ ବନ୍ୟାଜଳ ଘେରରେ ରହିଥିବା ବେଳେ ଆବଶ୍ୟକ ସହାୟତା ସମସ୍ତ ଗରିବ ଓ ଅସହାୟ ପରିବାରଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ସହାୟତା ଦିଆଯାଉଥିଲେ ମଧ୍ୟ, ଏହା ପ୍ରକୃତ ବିପନ୍ନ ଲୋକଙ୍କ ପାଖରେ ସଠିକ୍ ଭାବେ ପହଞ୍ଚୁଛି କି ନାହିଁ, ସେଥିପ୍ରତି ପ୍ରଶାସନ ଅଧିକ ନଜର ଦେବା ଆବଶ୍ୟକ। ବନ୍ୟା ସମୟରେ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସହାୟତାରୁ କୌଣସି ବିପନ୍ନ ପରିବାର ବଞ୍ଚିତ ନ ହୁଅନ୍ତୁ। ସରକାରୀ ସହାୟତା ବାଟମାରଣା ନ ହୋଇ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବାକୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଦରକାର। ବିପଦ ସମୟରେ ଲୋକଙ୍କ ସହାୟତା ହିଁ ପ୍ରଥମ ପ୍ରାଥମିକତା ହେଉ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ନଳାଙ୍ଗରେ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହେଲା ପାରମ୍ପରିକ ‘ଢେରା ମଣ୍ଡା’
Aug 28, 2026•22 views

ନଳାଙ୍ଗରେ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହେଲା ପାରମ୍ପରିକ ‘ଢେରା ମଣ୍ଡା’

ମା’ ବୁଢ଼ୀଜାଗୁଳାଇଙ୍କ ପୀଠରେ ଜମିଲା ଭକ୍ତଙ୍କ ଭିଡ଼, ଭାଇଚାରା ଓ ଲୋକସଂସ୍କୃତିର ବାର୍ତ୍ତା ଦେଲା ପାରମ୍ପରିକ ଉତ୍ସବ ଭଦ୍ରକ ଜିଲ୍ଲାର ନଳାଙ୍ଗ ଅଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବୁଢ଼ୀଜାଗୁଳାଇଙ୍କ ପୀଠରେ ପାରମ୍ପରିକ ଲୋକପର୍ବ ‘ଢେରା ମଣ୍ଡା’ ଆଜି ଶ୍ରଦ୍ଧା, ଭକ୍ତି, ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନଳାଙ୍ଗ ସମେତ ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ପୀଠରେ ଏକତ୍ରିତ ହୋଇ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଛନ୍ତି। ଏହି ପାରମ୍ପରିକ ଉତ୍ସବକୁ ନେଇ ନଳାଙ୍ଗ ଅଞ୍ଚଳରେ ଆଜିଠାରୁ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସକାଳୁ ହିଁ ଶ୍ରଦ୍ଧାଳୁମାନେ ପୀଠ ଅଭିମୁଖେ ଆସି ମା’ ବୁଢ଼ୀଜାଗୁଳାଇଙ୍କ ଦର୍ଶନ କରିଥିଲେ। ପୂଜାର୍ଚ୍ଚନା, ଧୂପଦୀପ, ଘଣ୍ଟଘଣ୍ଟା ଓ ଭକ୍ତିମୟ ପରିବେଶ ମଧ୍ୟରେ ସମଗ୍ର ପୀଠ ପରିସର ଉତ୍ସବମୁଖର ହୋଇଉଠିଥିଲା।ଢେରା ମଣ୍ଡା’ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ଏହା ନଳାଙ୍ଗ ତଥା ଭଦ୍ରକ ଅଞ୍ଚଳର ଲୋକଜୀବନ, ଲୋକବିଶ୍ୱାସ ଓ ପାରମ୍ପରିକ ସଂସ୍କୃତି ସହ ଗଭୀର ଭାବେ ଜଡ଼ିତ ଏକ ଲୋକପର୍ବ। ପିଢ଼ି ପରେ ପିଢ଼ି ଏହି ପରମ୍ପରା ଲୋକମାନଙ୍କ ମଧ୍ୟରେ ଚାଲିଆସୁଥିବା ବେଳେ ଆଜି ମଧ୍ୟ ଏହା ପ୍ରତି ଲୋକଙ୍କ ଆସ୍ଥା ଓ ଭକ୍ତି ଅତୁଟ ରହିଛି। ଏହି ପର୍ବ ଅବସରରେ ଲୋକମାନେ ନିଜ ନିଜ ମାନସିକ କାମନା ଓ ମନୋବାଞ୍ଛା ପୂରଣ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି। ମା’ ବୁଢ଼ୀଜାଗୁଳାଇଙ୍କ ପ୍ରତି ଅଞ୍ଚଳବାସୀଙ୍କ ଗଭୀର ଆସ୍ଥା ରହିଥିବାରୁ ପ୍ରତିବର୍ଷ ଏହି ଉତ୍ସବରେ ଶ୍ରଦ୍ଧାଳୁଙ୍କ ସମାଗମ ବୃଦ୍ଧି ପାଉଥିବା ଦେଖାଯାଏ। ତ୍ସବକୁ କେନ୍ଦ୍ର କରି ପୀଠ ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ମହିଳା, ପୁରୁଷ, ବୟସ୍କ ଓ ଯୁବପିଢ଼ି—ସମସ୍ତେ ଏହି ପାରମ୍ପରିକ ପର୍ବରେ ସାମିଲ ହୋଇଥିଲେ। ଅନେକ ଶ୍ରଦ୍ଧାଳୁ ଦୂରଦୂରାନ୍ତରୁ ଆସି ମା’ଙ୍କ ଦର୍ଶନ କରିଥିଲେ। ପୀଠ ପରିସରରେ ଭକ୍ତିମୟ ପରିବେଶ ସହିତ ଲୋକଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ମଧ୍ୟ ପରିଲକ୍ଷିତ ହୋଇଥିଲା। ଦୀର୍ଘଦିନର ଏହି ପରମ୍ପରାକୁ ନିଜ ଆଖିରେ ଦେଖିବା ଓ ଏହାର ଅଂଶୀଦାର ହେବା ପାଇଁ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା। ଜୟ ମା’ ବୁଢ଼ୀଜାଗୁଳାଇ। 🙏 ମା’ଙ୍କ କୃପା ସମସ୍ତଙ୍କ ଉପରେ ରହୁ।

Bhadrak (ଭଦ୍ରକ) • ରିପୋର୍ଟ: ଶିଶିର କୁମାର ସ୍ୱାଇଁ

ଆମ ଓଡ଼ିଶା ସମ୍ବାଦ ଯାଜପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଳନ
Aug 28, 2026•11 views

ଆମ ଓଡ଼ିଶା ସମ୍ବାଦ ଯାଜପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଳନ

ଯାଜପୁର:୨୭/୦୮:():ଯାଜପୁର ସମ୍ବାଦ ସାହିତ୍ୟ ଘର ସମ୍ବାଦ ଆମ ଓଡ଼ିଶା ଏବଂ ଅନନ୍ୟା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ଯାଜପୁର ଜିଲ୍ଲାସ୍କୁଲ ଠାରେ ବିଶିଷ୍ଟ ସାହିତ୍ୟ ସଂଗଠକ ସନ୍ତୋଷ କୁମାର ନନ୍ଦଙ୍କର ସଭାପତିତ୍ୱରେ ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ ନିଶା ନିବାରଣ ବ୍ରତ ପାଳନ କରାଯାଇଥିଲା । ଶିକ୍ଷାବିତ ଡଃ ଗିରୀଶ ବିହାରୀ ମିଶ୍ର ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବା ବେଳେ ଯାଜପୁର ସମ୍ବାଦ ସାହିତ୍ୟ ଘର ଓ ଆମ ଓଡ଼ିଶା ସାହିତ୍ୟ ହୃଷିକେଶ ପତି ପରିଚୟ ପ୍ରଦାନ କରିଥିଲେ । ଯାଜପୁର ସମ୍ବାଦ ପ୍ରତିନଧି ଓ ଯାଜପୁର ସମ୍ବାଦ ସାହିତ୍ୟ ଘର ସଂଯୋଜକ ଅରୁଣ କୁମାର ରାଉତରାୟ ଆଜିର ଉତ୍ସବ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ତଥା ଦଶରଥପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. କାହ୍ନୁ ଚରଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମା’ବିରଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ରାକ୍ଷୀ ପୂର୍ଣ୍ଣିମା ଏବଂ ରକ୍ଷାବନ୍ଧନର ତାତ୍ପର୍ଯ୍ୟ ସଂପର୍କରେ ବାମନ ପୁରାଣରେ ସ୍ୱୟଂ ପ୍ରଭୁ ନାରାୟଣ ବାମନ ବେଶରେ ବଳିରାଜାଙ୍କୁ ତିନିଗୋଟି ଦାନ ମାଗି ଶେଷରେ ତାଙ୍କ ନାଭିରୁ ଜାତ ପାଦଦ୍ୱାରା ବଳିରାଜାଙ୍କୁ ପାତାଳକୁ ପଠାଇଥିଲେ । କିନ୍ତୁ ବଳିରାଜାଙ୍କର ପ୍ରାର୍ଥନାରେ ନିଜେ ମଧ୍ୟ ସେହି ପାତାଳପୁରରେ ଅବସ୍ଥାନ କରୁଥିଲେ । ନାରାୟଣଙ୍କର ଅବର୍ତ୍ତାମାନରେ ମାତା ମହାଲକ୍ଷ୍ମୀ ପାତାଳପୁରକୁ ଗମନ କରି ବଳିରାଜାଙ୍କ ହସ୍ତରେ ରକ୍ଷାବନ୍ଧନ କରି ପ୍ରଭୁ ନାରାୟଣଙ୍କୁ ସେଠାରୁ ମୁକ୍ତ କରିଥିଲେ ବୋଲି ବିଭିନ୍ନ ପୌରାଣିକ ତଥ୍ୟ ଡଃ ମିଶ୍ର ପ୍ରଦାନ କରିଥିଲେ । ଈଶ୍ୱରୀୟ ପ୍ରଜାପିତା ବିଶ୍ୱବିଦ୍ୟାଳୟ ଯାଜପୁର ଶାଖାର ସଞ୍ଚାଳକ ସୁଶ୍ରୀ ଭାବନା ଦେବୀ ସମ୍ମାନିତ ଅତିଥିଭାବରେ ଯୋଗଦେଇ ରକ୍ଷାବନ୍ଧନ ଉତ୍ସବରେ ନିଜର ଏବଂ ସମାଜର ମଙ୍ଗଳ ନିମନ୍ତେ ପରିବାର ଗ୍ରାମ ରାଜ୍ୟ ଏବଂ ଦେଶରୁ ସଂପୂର୍ଣ୍ଣ ନଶାନିବାରଣ ପାଇଁ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଦିଆଯାଇଥିବା ଘୋଷଣା ନାମାକୁ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତି ଛାତ୍ର ଶିକ୍ଷକ ଏବଂ ଅଭିଭାବକ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ ଏବଂ ପ୍ରତ୍ୟେକ ଆମ ସମାଜରୁ ନିଶା ନିବାରଣ ପାଇଁ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଅଧିକାରୀ ନବକିଶୋର ଦାସ, ସୁବାଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ଉଦୟ ନାରାୟଣ ପରିଡ଼ା, ପୂର୍ବତନ ଅଧ୍ୟକ୍ଷ ଡ. ବିନୋଦ ଚନ୍ଦ୍ର ନାୟକ, ସଂଗ୍ରାମ ସାହାଣୀ, ଅନ୍ୱେଷଣ ସଭାପତି ବୃନ୍ଦାବନ ମିଶ୍ର, ସଂପାଦକ ଅଭିମନ୍ୟୁ ମିଶ୍ର, ରବିନାରାୟଣ ରାଉତ, ଘୁଙ୍ଗୁରର ଯୁଗ୍ମ ସଂପାଦକ, ଶଶୀଭୂଷଣ ସାମଲ, କଳିଙ୍ଗ କେଶରୀ ମହାନ୍ତି, ଶରତ କୁମାର ପଣ୍ଡା, ବାସୁଦେବ ଭୂୟା, ସାମ୍ବାଦିକ ଆଦିତ୍ୟ ମହାନ୍ତି, ଭାଗ୍ୟବତୀ ଓଝା, ମାନିନୀ ଦାଶ, ସସ୍ମିତା ପଣ୍ଡା, ଧର୍ମେନ୍ଦ୍ର ସାହୁ, ଅର୍ଜ୍ଜୁନ ମହାପାତ୍ର, ସୌରଭ ସାଗର ମହାନ୍ତି, କାମିନୀ ପାତ୍ର, ସୁମିତ୍ରା ପଣ୍ଡା, ଜାନକୀ ସାମଲ, ଦୁର୍ଗାବତୀ ପଣ୍ଡା, ବି.କେ. ମିନୁ, ଲବଙ୍ଗଲତା ପାତ୍ର, ଓମ୍ ପ୍ରକାଶ ରାୟ, ସୁନା ରାଉତ ଏବଂ ଈଶ୍ୱରୀୟ ପ୍ରଜାପିତା ବିଶ୍ୱବିଦ୍ୟାଳୟ ଯାଜପୁର ଶାଖା ତରଫରୁ ଉପସ୍ଥିତ ସମସ୍ତ ବ୍ୟକ୍ତି ଛାତ୍ରମାନଙ୍କୁ ରାକ୍ଷୀ ବନ୍ଧାଯିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଶେଷରେ ଅନନ୍ୟା ସାହିତ୍ୟ ସଂସଦର ଉପସଭାପତି ବିଭୂତି ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Jajpur (ଯାଜପୁର) • ଅନିଲ କୁମାର ଜେନା ଙ୍କ ରିପୋର୍ଟ

ମୀନଗୁର ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀର ମୃତ୍ୟୁ
Aug 28, 2026•10 views

ମୀନଗୁର ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀର ମୃତ୍ୟୁ

ଆଜି ସକାଳ ପ୍ରାୟ ସାଢେ ୮ଟା ବେଳେ ମୀନଗୁର ବଡ କୁଟୁ ଆର.ଡି ରାସ୍ତାର ମୀନଗୁର ନିକଟରେ ଘଟିଛି ଏକ ମର୍ମଦ ସଡକ ଦୁର୍ଘଟଣା । ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଭଳି ଅଭାବନୀୟ ଘଟଣା କଲମପୁର ଥାନା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁସାରେ ମୀନଗୁର ଗ୍ରାମର ଇନଦାଦ ମହମ୍ମଦ ନାମକ ଜନୈକ ବାକ ଶକ୍ତି ହୀନ ଦିବ୍ୟାଙ୍ଗ ଯୁବକ ଏକ ବାଇକ ଯୋଗେ କୁକୁଡା ବୋଝେଇ କରି ଏକ ବାଇକ ଯୋଗେ ବଡ କୁଟୁ ର ଜନୈକ ଦୋକାନୀକୁ ନେଇ ଦେଉଥୁବା ବେଳେ ବିପରିତ ଦିଗରୁ ବାଲି ବୋଝେଇ କରି ତିବ୍ ଗତିରେ ଆସୁଥିବା ଏକ ନମ୍ବର ବିହୀନ ମହିନ୍ଦ୍ରା ଟ୍ରାକ୍ଟର ଇନ୍ଦାଦର ବାଇକକୁ ଧକ୍କା ଦେଇଥିଲା । ଏହାସହ ରାସ୍ତା ଉପରେ ବାଲି ବୋଝେଇ ହେଇଥ‌ିବା ଟ୍ରାକ୍ଟର ଟ୍ରଲି ଓଲଟି ପଡିଥିଲା l ଇନଦାଦ ରାସ୍ତାକଡରେ ଛିଟିକି ପଢି ଗୁରୁତର ହେଇଥିଲା । ଏନେଇ ସ୍ଥାନୀୟ ଲୋକେ ଇନଦାଦର ପରିବାର ଲୋକକୁ ସୂଚନା ଦେବା ପରେ ପରିବାର ଲୋକ ଦୁର୍ଘଟଣାସ୍ଥଳରେ ପହଂଚି ଗୁରୁତର ଇନଦାଦକୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେତେବେଳକୁ ଇନ‌ଦାଦର ମୃତ୍ୟୁ ଘଟି ସାରିଥିଲା । ଏନେଇ ଦାଇତ୍ବରେ ଥିବା ଡାକ୍ତର ଘୋଷଣା କରିବା ସହ କଲମପୁର ଥାନାକୁ ସୂଚନା ଦେଇଥିଲେ । ପୁଲିସ ଦୁର୍ଘଟଣା ସ୍ଥଳରେ ପହଂଚି ଉଭୟ ଟ୍ରାକ୍ଟର ଏବଂ ବାଇକକୁ ଜବତ କରିଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ଶବ ଜବତ କରିଛନ୍ତି ।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଗଞ୍ଜାମ ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି
Aug 28, 2026•19 views

ଗଞ୍ଜାମ ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଓଡ଼ିଶାର ବିସ୍ଥାପିତ ପରିବାରଙ୍କ ଦୀର୍ଘ ଦିନର ସଂଘର୍ଷର ଅନ୍ତ ଘଟାଇ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଧରଣର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ପ୍ରଦାନ କରିଛନ୍ତି। ବିଗତ ସରକାରଙ୍କ ଶାସନକାଳରେ ଯେଉଁ ଗରିବ ପରିବାରଙ୍କ ସ୍ୱର କ୍ଷମତାର ଅଳିନ୍ଦରେ ଚାପି ହୋଇ ରହିଯାଇଥିଲା, ରାଜ୍ୟର ନୂତନ ‘ଡବଲ ଇଞ୍ଜିନ’ ସରକାର ସେମାନଙ୍କ ବହୁଦିନର ସଂଘର୍ଷକୁ ସମ୍ମାନ ଜଣାଇ ସ୍ଥାୟୀ ସମାଧାନ କରିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଗୋଳାବନ୍ଧର ୧,୩୭୧ ବିସ୍ଥାପିତ ପରିବାରଙ୍କ ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିଛନ୍ତି। ଏହା ଅଧୀନରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ଏକକାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହାସହ ଗୃହ ନିର୍ମାଣ ଏବଂ ସେହି ଅଞ୍ଚଳରେ ଆଧୁନିକ ସାମୁଦାୟିକ ଭିତ୍ତିଭୂମିର ବିକାଶ ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି। ଗୋଳାବନ୍ଧ ସହାୟତା ସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକୁ ଦିଗପହଣ୍ଡି ତହସିଲ ଅନ୍ତର୍ଗତ ସାନ୍ତରାପୁର ସ୍ଥିତ ପୁନର୍ବାସ କଲୋନୀରେ ଅଥଥାନ କରାଯାଇଛି। ସେମାନଙ୍କୁ ସ୍ଥାୟୀ ବାସଗୃହ ନିର୍ମାଣ ପାଇଁ ଘରବାରି ଜମି ଏବଂ ଜୀବିକା ନିର୍ବାହ ପାଇଁ ଚାଷ ଜମିର ପଟ୍ଟା ସରକାରଙ୍କ ତରଫରୁ ବଣ୍ଟନ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ବହୁ ବର୍ଷ ଧରି ସମସ୍ୟାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ମତ୍ସ୍ୟଜୀବୀ ଓ ବିସ୍ଥାପିତ ନୋଲିଆ ଭାଇଭଉଣୀମାନେ ବିଶେଷ ଭାବେ ଉପକୃତ ହେବେ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ୍: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ଆଜି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ: ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ପାଇବେ ୫ ହଜାର ଟଙ୍କା
Aug 28, 2026•25 views

ଆଜି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ: ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ପାଇବେ ୫ ହଜାର ଟଙ୍କା

​ଭୁବେନେଶ୍ୱର୍: ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା ଆଜି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଉଛି। ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଡିବିଟି (DBT) ମାଧ୍ୟମରେ ଏହି କିସ୍ତି ଟଙ୍କାର ଶୁଭାରମ୍ଭ କରୁଛନ୍ତି। ​ଖାତାକୁ ଆସିବ ୫,୦୦୦ ଟଙ୍କା ସରକାରୀ ସୂଚନା ଅନୁଯାୟୀ, ଆଜି ରାଜ୍ୟର ୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପଞ୍ଚମ କିସ୍ତି ବାବଦରେ ପଠାଯାଉଛି। ଏଥିପାଇଁ ରାଜ୍ୟ ସରକାର ୫,୧୬୩ କୋଟିରୁ ଅଧିକ ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି। ନୟାଗଡ଼ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ସାଧାରଣ ଜନତା ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ (Aadhaar Link) କିମ୍ବା DBT ସେବା ସକ୍ରିୟ ନଥିବ, ସେମାନଙ୍କର ଟଙ୍କା ମିଳିବାରେ ବିଳମ୍ବ ହୋଇପାରେ। ଏସବୁ ସମସ୍ୟାର ସମାଧାନ ହେବା କ୍ଷଣି ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଟଙ୍କା ହସ୍ତାନ୍ତର କରାଯିବ ବୋଲି ବିଭାଗୀୟ ସୂଚନା ମିଳିଛି। ହିତାଧିକାରୀମାନେ ସୁଭଦ୍ରା ଯୋଜନାର ଅଫିସିଆଲ୍ ପୋର୍ଟାଲ୍ (subhadra.odisha.gov.in) କିମ୍ବା ହେଲ୍ପଲାଇନ୍ ନମ୍ବର ମାଧ୍ୟମରେ ନିଜର ଷ୍ଟାଟସ୍ ଯାଞ୍ଚ କରିପାରିବେ।

Bhubaneswar (ଭୁବନେଶ୍ୱର) • ​ ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି।

ସିଆରପିଏଫ୍ ଯବାନଙ୍କ ହାତରେ ରାଖୀ, ଭାଇଚାରାରେ ଭିଜିଲା ୧୯ ବ୍ୟାଟାଲିୟନ କ୍ୟାମ୍ପ: ଷ୍ଟୁଡେଣ୍ଟସ୍ ରକ୍ତଦାତା ମହାସଂଘ ପକ୍ଷରୁ ନିଆରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ
Aug 28, 2026•35 views

ସିଆରପିଏଫ୍ ଯବାନଙ୍କ ହାତରେ ରାଖୀ, ଭାଇଚାରାରେ ଭିଜିଲା ୧୯ ବ୍ୟାଟାଲିୟନ କ୍ୟାମ୍ପ: ଷ୍ଟୁଡେଣ୍ଟସ୍ ରକ୍ତଦାତା ମହାସଂଘ ପକ୍ଷରୁ ନିଆରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ନୂଆପଡ଼ା, ୨୮/୮: ଦେଶର ସୁରକ୍ଷା ପାଇଁ ଘରଠାରୁ ଦୂରରେ ରହି ନିରନ୍ତର କର୍ତ୍ତବ୍ୟରେ ନିୟୋଜିତ ସିଆରପିଏଫ୍ ଯବାନଙ୍କ ସହ ଭାଇ-ଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ମଜବୁତ କରିଛି ରକ୍ଷାବନ୍ଧନ ପର୍ବ। ରକ୍ଷାବନ୍ଧନ ଅବସରରେ ଷ୍ଟୁଡେଣ୍ଟସ୍ ରକ୍ତଦାତା ମହାସଂଘ, ନୂଆପଡ଼ା ପକ୍ଷରୁ ପାଗରପାଣିସ୍ଥିତ ୧୯ ବ୍ୟାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ଏକ ନିଆରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମହାସଂଘର ଭଉଣୀମାନେ ସିଆରପିଏଫ୍ ଯବାନଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କ ସୁସ୍ଥତା, ଦୀର୍ଘାୟୁ ଓ କର୍ତ୍ତବ୍ୟ ପାଳନରେ ସଫଳତା କାମନା କରିଥିଲେ। ଯବାନମାନେ ମଧ୍ୟ ଏହି ସ୍ନେହ ଓ ଭାଇଚାରାର ମୁହୂର୍ତ୍ତକୁ ଆନନ୍ଦର ସହ ଗ୍ରହଣ କରିଥିଲେ। ଫଳରେ କ୍ୟାମ୍ପ ପରିସରରେ ଏକ ଭାବପୂର୍ଣ୍ଣ ଓ ଆତ୍ମୀୟ ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମରେ ୧୯ ବ୍ୟାଟାଲିୟନ ସିଆରପିଏଫ୍‌ର ଡେପୁଟି କମାଣ୍ଡାଣ୍ଟ ଅନିଲ କୁମାର ୟେଡ୍ଲା ଉପସ୍ଥିତ ରହି ଯବାନ ଓ ମହାସଂଘର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ସେ ଷ୍ଟୁଡେଣ୍ଟସ୍ ରକ୍ତଦାତା ମହାସଂଘର ଏଭଳି ସାମାଜିକ ଓ ମାନବିକ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାସଂଘର ପ୍ରତିଷ୍ଠାତା ହର୍ଷବର୍ଧନ ବାଗ, ସଭାପତି ଦେବଧର ବନଛୋର, ଉପସଭାପତି ତିଳକ ସତନାମୀ, କୋଷାଧ୍ୟକ୍ଷ ପ୍ରତିଭା ପଟେଲଙ୍କ ସମେତ ବିନୋଦ ପାଣ୍ଡେ, ଈଶ୍ୱରୀ ମାଝୀ, ନର୍ମଦା ସାହୁ, ଶୀତଳ ସତନାମୀ, ଗୀତାଞ୍ଜଳୀ ତାଣ୍ଡି ଓ ବସନ୍ତୀ ବିଭାର ପ୍ରମୁଖ ଉପସ୍ଥିତ ଥିଲେ। ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କର୍ତ୍ତବ୍ୟରେ ନିୟୋଜିତ ଯବାନମାନଙ୍କ ଅବଦାନକୁ ସମ୍ମାନ ଜଣାଇ ସମସ୍ତେ ସେମାନଙ୍କ ସହ ରକ୍ଷାବନ୍ଧନର ଖୁସି ବାଣ୍ଟିଥିଲେ। ଶେଷରେ ସିଆରପିଏଫ୍ ଅଧିକାରୀ ଓ ଯବାନମାନେ ମହାସଂଘର ସଦସ୍ୟ ଓ ଭଉଣୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ରାଖୀର ପବିତ୍ର ବନ୍ଧନ ଓ ଦେଶପ୍ରେମର ଭାବନାରେ ସମଗ୍ର କାର୍ଯ୍ୟକ୍ରମ ଏକ ସୌହାର୍ଦ୍ୟପୂର୍ଣ୍ଣ ଓ ଭାବବିହ୍ୱଳ ପରିବେଶରେ ସମ୍ପନ୍ନ ହୋଇଥିଲା।

Nuapada (ନୂଆପଡ଼ା) • ରିପୋର୍ଟ: ବିଜୟ ବରିହା ଓ ମଳୟ ମେହେର

ବିଜେଡି ର ମିଶ୍ରଣ ପର୍ବ- ଯୋଗଦେଲେ ଆଦିବାସୀ ଯୁବ ନେତା ବାବୁଲା ସବର ଓ ଅନ୍ୟମାନେ
Aug 28, 2026•31 views

ବିଜେଡି ର ମିଶ୍ରଣ ପର୍ବ- ଯୋଗଦେଲେ ଆଦିବାସୀ ଯୁବ ନେତା ବାବୁଲା ସବର ଓ ଅନ୍ୟମାନେ

ଚିକିଟି, ୨୮/୮: ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ମଧ୍ୟରେ ଚିକିଟି ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ବଡ଼ଅଞ୍ଚୁପାର ଅଞ୍ଚଳର ପ୍ରମୁଖ ଆଦିବାସୀ ଯୁବ ନେତା ତଥା ୨୦୧୭ ସରପଞ୍ଚ ପ୍ରାର୍ଥୀ ବାବୁଲା ସବରଙ୍କ ସମେତ ବିଜେପିର କିଛି ସକ୍ରିୟ କର୍ମୀ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଏହି ଦଳବଦଳ ଚିକିଟିରେ ବିଜେପିର ସଂଗଠନ ପାଇଁ ଏକ ଝଟକା ବୋଲି ରାଜନୈତିକ ଚର୍ଚ୍ଚା ହେଉଛି। ବାବୁଲା ସବର ଦୀର୍ଘଦିନ ଧରି ବିଜେପିର ଜଣେ ସକ୍ରିୟ କର୍ମୀ ଭାବେ ସଂଗଠନ ସହ ଜଡ଼ିତ ଥିଲେ। ବିଶେଷକରି ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ବୁରାତାଲ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସଂଗଠନକୁ ମଜବୁତ କରିବାରେ ସେ ସକ୍ରିୟ ଭୂମିକା ନେଇଥିବା ଜଣାପଡ଼ିଛି। ତେବେ ଦଳର ବର୍ତ୍ତମାନର କାର୍ଯ୍ୟଶୈଳୀ ଏବଂ ଦୀର୍ଘଦିନ ଧରି ଦଳ ପାଇଁ କାମ କରିଥିବା ତଳସ୍ତରର କର୍ମୀଙ୍କୁ ଆଶାନୁରୂପ ଗୁରୁତ୍ୱ ମିଳୁନଥିବା ଅଭିଯୋଗ କରି ସେ ବିଜେପି ଛାଡ଼ିଥିବା କହିଛନ୍ତି। ବାବୁଲା ସବରଙ୍କ ସହ ପାତବଡ଼ମୁଣ୍ଡିର ଶରତ ବଡ଼ମୁଣ୍ଡି ଏବଂ ଗୁରୁଡ଼ାର ଜିତୁଙ୍କ ସମେତ ଅନ୍ୟ କିଛି ସକ୍ରିୟ କର୍ମୀ ମଧ୍ୟ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଜଣାପଡ଼ିଛି। ଦଳ ଛାଡ଼ିଥିବା କର୍ମୀମାନଙ୍କ ଅଭିଯୋଗ ଅନୁସାରେ, ବିଜେପି କ୍ଷମତାକୁ ଆସିବା ପରେ ନିଷ୍ଠାର ସହ ଦଳ ପାଇଁ କାମ କରିଥିବା ତଳସ୍ତରର କର୍ମୀମାନଙ୍କୁ ଆଶାନୁରୂପ ଗୁରୁତ୍ୱ ମିଳୁନାହିଁ। ଅଞ୍ଚଳର ବିଭିନ୍ନ ସମସ୍ୟା, ସାଧାରଣ ଲୋକଙ୍କ ଅଭିଯୋଗ ଏବଂ ସ୍ଥାନୀୟ ସ୍ତରର ଆବଶ୍ୟକତା ପ୍ରତି ମଧ୍ୟ ଆବଶ୍ୟକ ଧ୍ୟାନ ଦିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ସେମାନଙ୍କ ଦାବି। ପରବର୍ତ୍ତୀ ସମୟରେ ବିଜେଡିର ନେତୃତ୍ୱ ଓ ଦଳୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦେଇଥିବା କହିଛନ୍ତି। ବାବୁଲା ସବରଙ୍କ ଭଳି ଜଣେ ତୃଣମୂଳ ସ୍ତରର ଆଦିବାସୀ ଯୁବ ନେତାଙ୍କ ସହ ଅନ୍ୟ ସକ୍ରିୟ କର୍ମୀଙ୍କ ଯୋଗଦାନ ଚିକିଟିରେ ବିଜେଡି ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି ଦଳୀୟ ମତପ୍ରକାଶ ପାଇଛି।

Ganjam (ଗଞ୍ଜାମ) • ଦୁର୍ଗା ମାଧବ

ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ତରଫରୁ ସାମ୍ବାଦିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ସମ୍ମାନୋତ୍ସବ ଅନୁଷ୍ଠିତ
Aug 28, 2026•33 views

ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ତରଫରୁ ସାମ୍ବାଦିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ସମ୍ମାନୋତ୍ସବ ଅନୁଷ୍ଠିତ

​ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ଆନୁକୂଲ୍ୟରେ ଡିଜିଟାଲ ମିଡ଼ିଆ ସାମ୍ବାଦିକମାନଙ୍କ ଦକ୍ଷତା ବୃଦ୍ଧି ଓ ସମ୍ବର୍ଦ୍ଧନା ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ​ଏହି କାର୍ଯ୍ୟକ୍ରମରେ ଡିଜିଟାଲ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ, ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ଏବଂ ସମାଜସେବା ପାଇଁ ଶ୍ରୀ ଯଜ୍ଞାଜି କେଶରୀ ମହାନ୍ତି (Sri Jajati Keshari Mohanty) ଙ୍କୁ 'ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ' ପକ୍ଷରୁ ବିଶେଷ ଭାବେ ସମ୍ବର୍ଦ୍ଧିତ ଓ ମାନପତ୍ର ପ୍ରଦାନ କରାଯାଇଛି। ​ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ​କାର୍ଯ୍ୟକ୍ରମ: ଡିଜିଟାଲ ସାମ୍ବାଦିକ ଦକ୍ଷତା ବିକାଶ ଓ ସମ୍ବର୍ଦ୍ଧନା ସଭା ​ସମ୍ମାନିତ ବ୍ୟକ୍ତି : ଶ୍ରୀ ଯଜ୍ଞାଜି କେଶରୀ ମହାନ୍ତି (Sri Jajati Keshari Mohanty) ​ଉଦ୍ଦେଶ୍ୟ: ଡିଜିଟାଲ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ସଂଗଠିତ କରିବା, ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ସମାଜରେ ସାମ୍ବାଦିକତାର ମୂଲ୍ୟବୋଧକୁ ସୁରକ୍ଷିତ ରଖିବା। ​ସଂଘର ମୁଖ୍ୟ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଏହି ମାନପତ୍ର ଓ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଗଣମାଧ୍ୟମର ଭବିଷ୍ୟତ, ଡିଜିଟାଲ ସାମ୍ବାଦିକମାନଙ୍କ ସୁରକ୍ଷା ଏବଂ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଆଲେଚନା ହୋଇଥିଲା।

Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ସାଲିଆସାହି ଆଦିବାସୀ ଗାଁରେ ରକ୍ଷାବନ୍ଧନର ଆନନ୍ଦ:ଦୁଇ ଭାଇଙ୍କ ହାତରେ ରକ୍ଷୀ ବାନ୍ଧିଲେ ଭଉଣୀ ​
Aug 28, 2026•33 views

ସାଲିଆସାହି ଆଦିବାସୀ ଗାଁରେ ରକ୍ଷାବନ୍ଧନର ଆନନ୍ଦ:ଦୁଇ ଭାଇଙ୍କ ହାତରେ ରକ୍ଷୀ ବାନ୍ଧିଲେ ଭଉଣୀ ​

ସାରା ରାଜ୍ୟରେ ଆଜି ପବିତ୍ର ରକ୍ଷାବନ୍ଧନ ଓ ଗାମା ପୂର୍ଣ୍ଣିମା ଆନନ୍ଦ ଉଲ୍ଲାସ ସହ ପାଳିତ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରସ୍ଥିତ ସାଲିଆସାହି ଆଦିବାସୀ ସମ୍ପ୍ରଦାୟ ଗାଁରେ ମଧ୍ୟ ଏହି ପର୍ବର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ​ପରମ୍ପରା ଓ ସଂସ୍କୃତିକୁ ଆଧାର କରି ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧା ଓ ସ୍ନେହର ଅନନ୍ୟ ଛବି ଦେଖିବାକୁ ମିଳିଛି। ସାଲିଆସାହିର ଏକ ପରିବାରରେ ଭଉଣୀ ଜଣକ ସମ୍ପୂର୍ଣ୍ଣ ଆଦର ଓ ଶ୍ରଦ୍ଧାର ସହ ନିଜର ଦୁଇ ଭାଇଙ୍କ ହାତରେ ରକ୍ଷୀ ବାନ୍ଧି ସେମାନଙ୍କ ଦୀର୍ଘାୟୁ ଓ ସୁଖ-ସମୃଦ୍ଧି କାମନା କରିଛନ୍ତି। ​ଆଦିବାସୀ ସଂସ୍କୃତିରେ ରକ୍ଷାବନ୍ଧନ: ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପ୍ରକୃତି ଓ ନିଜ ପରମ୍ପରାକୁ ଅତି ଆଦରର ସହ ପାଳନ କରନ୍ତି। ବର୍ତ୍ତମାନର ଆଧୁନିକ ଯୁଗରେ ସେମାନେ ମଧ୍ୟ ଭାଇ-ଭଉଣୀର ସ୍ନେହର ପ୍ରତୀକ 'ରକ୍ଷାବନ୍ଧନ' ପର୍ବକୁ ନିଜର ଆତ୍ମୀୟତା ସହ ପାଳନ କରୁଛନ୍ତି। ​ପୂଜାର୍ଚ୍ଚନା ଓ ଆଶୀର୍ବାଦ: ଭଉଣୀ ଭାଇଙ୍କ ମାଥାରେ ସିନ୍ଦୂର ଓ ଚାଉଳ ଲଗାଇ, ଭାଇଙ୍କ ଶୁଭକାମନା ସହ ହାତରେ ସ୍ନେହର ସୂତା (ରକ୍ଷୀ) ବାନ୍ଧୁଥିବା ଦେଖାଯାଇଛି। ​ସୁରକ୍ଷାର ସଂକଳ୍ପ: ଭାଇମାନେ ମଧ୍ୟ ନିଜ ଭଉଣୀକୁ ସଦାସର୍ବଦା ସୁରକ୍ଷା ଦେବାକୁ ଓ ସୁଖ-ଦୁଃଖରେ ସାଥୀ ହୋଇ ରହିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ​ଏହି ସୁନ୍ଦର ଦୃଶ୍ୟ ପ୍ରମାଣିତ କରେ ଯେ, ସ୍ନେହ ଓ ଭଲପାଇବାର କୌଣସି ସୀମାରେଖା ନଥାଏ। ଆଦିବାସୀ ସମ୍ପ୍ରଦାୟରେ ରକ୍ଷାବନ୍ଧନର ଏହି ଆନନ୍ଦମୟ ପାଳନ ପରମ୍ପରା ଓ ଭାଇ-ଭଉଣୀ ସମ୍ପର୍କକୁ ଆହୁରି ମଜବୁତ କରିଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ପରିବାରକୁ ଅନାଥ କରି ଆରପାରିକୁ ଚାଲିଗଲେ ସପନା
Aug 27, 2026•27 views

ପରିବାରକୁ ଅନାଥ କରି ଆରପାରିକୁ ଚାଲିଗଲେ ସପନା

ଯାଜପୁର ରୋଡ, ୨୭/୮: ପରିବାରକୁ ଅନାଥ କରି ଆରପାରିକୁ ଚାଲିଗଲେ ୪୧ ବର୍ଷୀୟ ସପନ କୁମାର ଠାକୁର। କୋରେଇ ବ୍ଲକ ଅନ୍ତର୍ଗତ ତାରାକୁଟି ଗାଁର ପଦ୍ମନାଭ ବାରିକଙ୍କ ପୁଅ ସପନା ନାମରେ ପରିଚିତ ଥିଲେ। ତାଙ୍କ ପିତା ଅବସରପ୍ରାପ୍ତ ଫେରୋକ୍ରୋମ କାରଖାନା କର୍ମଚାରୀ ଥିଲେ। ପିତାଙ୍କ ମୃତ୍ୟୁର ଅଳ୍ପଦିନ ପରେ ଗତ ୨୬ ଅଗଷ୍ଟ ୨୦୨୬ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ସପନାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ସେ ଜଣେ ସରଳ, ମିଷ୍ଟଭାଷୀ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଭାବେ ଗାଁରେ ପରିଚିତ ଥିଲେ। ସପନାଙ୍କ ଅକାଳ ବିୟୋଗରେ ତାଙ୍କ ପଛରେ ରହିଗଲେ ସ୍ତ୍ରୀ, ଦୁଇଟି ଛୋଟ ଛୋଟ ପିଲା ଓ ବିଧବା ମାଆ। ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମାଆ ଭାଙ୍ଗିପଡ଼ିଛନ୍ତି। ନିଜ ଦୁଃଖଠାରୁ ଅଧିକ ତାଙ୍କୁ ଚିନ୍ତା ଘାରିଛି ଦୁଇ ନାତି ଓ ବୋହୂଙ୍କ ଭବିଷ୍ୟତକୁ ନେଇ। ଏବେ ପରିବାରର ସମସ୍ତ ଦାୟିତ୍ୱ ବୃଦ୍ଧା ମାଆଙ୍କ ଉପରେ ପଡ଼ିଛି। ଆଗାମୀ ଦିନରେ ଯଦି ସରକାରଙ୍କ ପକ୍ଷରୁ ପରିବାରକୁ ଆବଶ୍ୟକ ସହାୟତା ମିଳେ, ତେବେ ଅସହାୟ ପରିବାରଟି କିଛି ମାତ୍ରାରେ ଆଶ୍ୱସ୍ତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସପନାଙ୍କ ଅକାଳ ବିୟୋଗରେ ସାରା ତାରାକୁଟି ଗାଁ ନିସ୍ତବ୍ଧ ହୋଇଯାଇଛି।

Jajpur (ଯାଜପୁର) • ରିପୋର୍ଟ: ପ୍ରଦୀପ କୁମାର ପୃଷ୍ଟି, ଯାଜପୁର ରୋଡ

ରାକ୍ଷୀ ପୂର୍ଣ୍ଣିମା: ସ୍ନେହ ଓ ସୁରକ୍ଷାର ପବିତ୍ର ବନ୍ଧନ
Aug 27, 2026•84 views

ରାକ୍ଷୀ ପୂର୍ଣ୍ଣିମା: ସ୍ନେହ ଓ ସୁରକ୍ଷାର ପବିତ୍ର ବନ୍ଧନ

ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ଭାବେ ପାଳିତ ହୁଏ ରାକ୍ଷୀ ପୂର୍ଣ୍ଣିମା। ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳିତ ଏହି ପର୍ବ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଏ। ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମାର ରହିଛି ସ୍ୱତନ୍ତ୍ର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ। ଏହି ଦିନକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମତିଥି ଭାବେ ମଧ୍ୟ ପୂଜା କରାଯାଏ। ପୁରୀ ଶ୍ରୀମନ୍ଦିରରେ ଭଉଣୀ ଦେବୀ ସୁଭଦ୍ରା ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା ରହିଛି। ପରମ୍ପରା ଅନୁଯାୟୀ, ପୂର୍ଣ୍ଣିମା ଦିନ ଭଉଣୀମାନେ ସକାଳୁ ସ୍ନାନ କରି ଇଷ୍ଟଦେବତାଙ୍କୁ ପୂଜା କରିବା ପରେ ଭାଇଙ୍କ ମଥାରେ ତିଳକ ଲଗାଇ, ଆଳତି କରି ଡାହାଣ ହାତରେ ରାକ୍ଷୀ ବାନ୍ଧନ୍ତି। ଏହି ସମୟରେ ଭାଇଙ୍କ ମଙ୍ଗଳ, ସୁଖ ଓ ଦୀର୍ଘାୟୁ କାମନା କରିଥାନ୍ତି। ଭାଇମାନେ ମଧ୍ୟ ଭଉଣୀଙ୍କୁ ସୁରକ୍ଷା ଓ ସୁଖ-ଦୁଃଖରେ ସାଥୀ ହେବାର ପ୍ରତିଶ୍ରୁତି ଦେଇଥାନ୍ତି। ପୌରାଣିକ ମତାନୁସାରେ, ଦ୍ରୌପଦୀ ନିଜ ଶାଢ଼ିର ଏକ ଖଣ୍ଡ କନା ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧିଥିବା ଘଟଣା ସହ ଏହି ପର୍ବର ପରମ୍ପରାକୁ ଯୋଡ଼ାଯାଏ। ଏହା ସହିତ ଏହି ଦିନ ବ୍ରାହ୍ମଣମାନେ ବେଦପାଠ ଆରମ୍ଭ କରିବାର ପରମ୍ପରା ମଧ୍ୟ ରହିଛି। ଏହି ଦିନ ପାଠପଢ଼ା ଆରମ୍ଭ କଲେ ଶିକ୍ଷାରେ ଉନ୍ନତି ହୁଏ ବୋଲି ଲୋକବିଶ୍ୱାସ ରହିଛି। ପୁରାଣ ଓ ଶାସ୍ତ୍ରୀୟ ପରମ୍ପରା ଅନୁସାରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ମାଙ୍ଗଳିକ କାର୍ଯ୍ୟ କରାଯାଏ। ତେଣୁ ରାକ୍ଷୀ ବାନ୍ଧିବା ସମୟରେ ଭାଇଙ୍କୁ ପୂର୍ବ କିମ୍ବା ଉତ୍ତରମୁଖା କରି ବସାଇ ଭଉଣୀ ତାଙ୍କ ଡାହାଣ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଶ୍ରୀମନ୍ଦିରରେ ବିଭିନ୍ନ ନୀତିକାନ୍ତି ସମାପନ ପରେ ରାକ୍ଷୀ ପୂର୍ଣ୍ଣିମାର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ। ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଆହୁରି ମଜବୁତ କରୁଥିବା ଏହି ପର୍ବ ସମଗ୍ର ଦେଶରେ ଧୁମଧାମରେ ପାଳିତ ହୋଇଥାଏ।

Nuapada (ନୂଆପଡ଼ା) • ରିତେଶ କୁମାର ମୁଣ୍ଡ