Web News

କଳାହାଣ୍ଡି ଜିଲ୍ଲା ରେ ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ସହ ଚାଷୀଙ୍କ ଚାଷ କ୍ଷତି ହେବାର ଆଶଙ୍କା
ଜୁନାଗଡ - କଳାହାଣ୍ଡି ଜିଲ୍ଲା ରେ ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ଓ ଇନ୍ଦ୍ରାବତୀ ଜଳ ସ୍ତର ବୃଦ୍ଧି ଯୋଗୁଁ ହାତୀ ନଦୀ ର ଉଭୟ ପାର୍ଶ୍ୱରେ ଚାଷ ଜମିରେ ଜଳମଗ୍ନ। ଚାଷୀ ମାନଙ୍କ ଜମିରେ ଗତ ବଢ଼ି ସମୟରେ କ୍ଷୟ କ୍ଷତି ହୋଇଥିବା ଅନେକ ଚାଷୀ ଅଭିଯୋଗ କରିଛନ୍ତି । ତାହାର ସଠିକ୍ ଆକଳନ କରାଯାଇ ଚାଷୀଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି। ଏହିପରି ସ୍ଥଳେ ଗତ ଦୁଇଦିନ ବର୍ଷା ରେ ବର୍ତ୍ତମାନ ହାତୀ ନଦୀ ଓ ତାର ଅବବାହିକା ଅଞ୍ଚଳରେ ବଢ଼ି ଜଳ ସ୍ତର ବୃଦ୍ଧି ଯୋଗୁଁ ପୂର୍ବପରି ଚାଷ କ୍ଷତି ର ଆଶଙ୍କା ବଢ଼ିଯାଇଛି। ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ବନ୍ୟା ବାତ୍ୟାରେ ମାଛ ଚାଷୀଙ୍କ ବ୍ୟାପକ କ୍ଷତି
କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ: କୋକସରା ବ୍ଲକ ଅନ୍ତର୍ଗତ ଗୋତମୁଣ୍ଡା ଗ୍ରାମ ପଞ୍ଚାୟତର ପିପଲଝାପର ଗ୍ରାମର ମଝିରେ ଥିବା ପୋଖରୀରେ ମାଛ ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀ ଡମ୍ବରୁଧର ମାଝୀ ବନ୍ୟା ଓ ବାତ୍ୟା ଯୋଗୁଁ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସୂଚନା ଅନୁସାରେ, ଡମ୍ବରୁଧର ମାଝୀ ଉକ୍ତ ପୋଖରୀରେ ପ୍ରାୟ ୯୦ କିଲୋଗ୍ରାମ ମାଛ ଜାଆଳା ରଖି ମାଛ ଚାଷ କରିଥିଲେ। ତେବେ ଲଗାଣ ବର୍ଷା, ବନ୍ୟା ଓ ବାତ୍ୟା ଯୋଗୁଁ ପୋଖରୀରେ ଅତ୍ୟଧିକ ପାଣି ପଶି ପୋଖରୀ ଅସମ୍ଭାଳ ହୋଇପଡ଼ିଥିଲା। ଫଳରେ ପୋଖରୀର ପାଣି ଉଛୁଳି ଅନେକ ମାଛ ପୋଖରୀରୁ ବାହାରି ଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଚାଷୀ ଡମ୍ବରୁଧର ମାଝୀଙ୍କ ମାଛ ଚାଷରେ ଉଲ୍ଲେଖନୀୟ ଆର୍ଥିକ କ୍ଷତି ହୋଇଛି। ଏହା ତାଙ୍କ ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଛି। ତେଣୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବା ସହିତ ନିୟମାନୁସାରେ ଚାଷୀଙ୍କୁ ସରକାରୀ କ୍ଷତିପୂରଣ ଓ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ୟୁସୁଫ ମେହେର ଅଲିଙ୍କ ଜୀବନୀ ଉପରେ ବକ୍ତୃତା ପ୍ରତିଯୋଗିତା
କେନ୍ଦ୍ରାପଡା ସ୍ଥିତ ଇମାମ୍ବଡା ୱାର୍ଡ ନମ୍ବର ୧୪ ମଦ୍ରାସା ଇସଲାମିଆ ଆରବିଆ ଦିଲାୱରପୁର ମଦ୍ରାସାରେ ସଂଗଠନର ସଭାପତି ଏସ୍.କେ. ସାବିର ହୁସେନଙ୍କ ନେତୃତ୍ୱରେ, ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ୟୁସୁଫ ମେହେର ଅଲ୍ଲୀଙ୍କ ଜୀବନ, ସଂଘର୍ଷ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ଅବଦାନ ଉପରେ ଏକ ସ୍ୱତନ୍ତ୍ର ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ସିଫା ସୋସିଆଲ ୱେଲଫେୟାର ଆଣ୍ଡ ଏଜୁକେସନାଲ୍ ସୋସାଇଟି, କେନ୍ଦ୍ରାପଡା ଦ୍ୱାରା ଆୟୋଜିତ ହୋଇଥିଲା । ମଦ୍ରାସା ଛାତ୍ରମାନେ ଉତ୍ସାହର ସହିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ୟୁସୁଫ୍ ମେହେର ଅଲିଙ୍କ ଜୀବନୀ ଏବଂ ଦେଶ ପ୍ରତି ତାଙ୍କର ଅବଦାନ ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାସ,ର୍ ମଦ୍ରାସା ଇସଲାମିଆ ଆରବିଆ ଦିଲାୱରପୁରର ପ୍ରମୁଖ ଶିକ୍ଷକ ମୌଲାନା ଖୁର୍ସିଦ ଆଲମ ଏବଂ ଶିକ୍ଷକ ଅବଦୁସ ସଲାମଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂଗଠନର ପରାମର୍ଶଦାତା ସୟଦ ମୁଖତାର ଅଲି ଏବଂ ସାଧାରଣ ସମ୍ପାଦକ ଏମଡି ମୁସ୍ତାକିମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସ୍ୱାଧୀନତା ଆନେ୍ଦାଳନରେ ୟୁସୁଫ ମେହେର ଅଲିଙ୍କ ଅବଦାନ, ତାଙ୍କ ସଂଘର୍ଷ ଏବଂ ତାଙ୍କ ଦେଶପ୍ରେମ ବିଷୟରେ ଶକ୍ତିଶାଳୀ ଅନ୍ତର୍ଦୃଷ୍ଟି ଉପସ୍ଥାପନ କରିଥିଲେ । ଛାତ୍ରଛାତ୍ରୀଙ୍କ ପ୍ରତିଭା ଏବଂ ଉତ୍ସାହ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସ୍ୱରୂପ ଖାତା, କଲମ ଏବଂ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ସମୟରେ ବକ୍ତାମାନେ ନୂତନ ପିଢ଼ିକୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନ ଏବଂ ସଂଘର୍ଷ ସହିତ ପରିଚିତ କରାଇବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଇତିହାସ, ଦେଶପ୍ରେମ, ଶିକ୍ଷା ଏବଂ ସାମାଜିକ ସଚେତନତା ପ୍ରତି ଭାବନାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଶିଫା ସୋସିଆଲ ୱେଲଫେୟାର ଆଣ୍ଡ ଏଜୁକେସନାଲ୍ ସୋସାଇଟି, କେନ୍ଦ୍ରାପଡା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଥିଲା ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନରୁ ପ୍ରେରଣା ନେବା ଏବଂ ସମାଜ ପ୍ରତି ସେମାନଙ୍କର ଦାୟିତ୍ୱ ବୁଝିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବା ।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା

ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଓ ସମ୍ବର୍ଦ୍ଧିନା
ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଏବଂ ସମ୍ବର୍ଦ୍ଧନା ପର୍ବ ଆଡ଼ମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଜିଲ୍ଲା ସଂଘ ସଭାପତି ଅକ୍ଷୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉତ୍ସବ ଉଦଘାଟନ କରିଥିଲେ । ପ୍ରତି ପରିବାର ଓ ବିଦ୍ୟାଳୟରେ ପିଲା ମାନଙ୍କୁ ବ୍ୟବହାରିକ ଜ୍ଞାନ ସହିତ ଉପାର୍ଜନ କ୍ଷମ ହେବାକୁ ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିନ୍ଦୀ ଶିକ୍ଷକ ମାନଙ୍କର ଏତାଦୃଶ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ହିନ୍ଦୀ ସାହିତି୍ୟକ ପ୍ରଫେସର ଡ଼ଃ.ଅବଦୁଲ ଉସମାନ ଖାଁ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ କିସ୍ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହିନ୍ଦୀ ବିଭାଗ ପ୍ରାଧ୍ୟାପିକା ସୁଧାଂଶୁ ବାଳା ସାହୁ , ରାଜଶ୍ରୀ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବ ଜିଲ୍ଲା ସଂଘ ସଭାପତି ଆଶୁ କବି ହେମନ୍ତ ଜେନା, ରାଜ୍ୟ ସଂଘ କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର କୁମାର ମଲ୍ଲିକ , ବରିଷ୍ଠ ଶିକ୍ଷାବିତ୍ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପରିବେଶବିତ୍ କାଶୀନାଥ ରାଉତରାୟ, ବିଶିଷ୍ଟ କଥାକାର ପ୍ରଦୀପ କୁମାର ନାୟକ, ପୂର୍ବ ସମ୍ପାଦକ ଅଶୋକ କୁମାର ଦାଶ ପ୍ରମୂଖ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରଭାଷାର ଉପାଦେୟତା ଏବଂ ହିନ୍ଦୀ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ ସମାରୋହରେ କବି ଈଶ୍ୱର ଚନ୍ଦ୍ର ପୃଷ୍ଟି ଏବଂ ସଂଗୀତ ନିଦେ୍ର୍ଦଶକ କୈଳାସ ଚନ୍ଦ୍ର ବେହେରା ବେଦ ପାଠ, ଅତସୀ ମଲ୍ଲିକ ସ୍ୱାଗତ ସଂଗୀତ, ରୀତାଞ୍ଜଳି ପଣ୍ଡା ଅତିଥି ପରିଚୟ ଏବଂ ଅକ୍ଷୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ମହେଶ୍ୱର ସାହୁ ସମ୍ପାଦକୀୟ ପାଠ କରିଥିଲେ । ଇତ୍ୟବସରରେ ଅନୁଷ୍ଠାନ ତରଫରୁ ଅତିଥି ଏବଂ ସେବା ନିବୃତ୍ତ ହିନ୍ଦୀ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ହିନ୍ଦୀ ବିଷୟରେ ଶତ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଓଡିଶୀ ନୃତ୍ୟ ଅମିତା ରାଉତ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଚୁଳି ଏବଂ ନିର୍ଝରିଣୀ ପଣ୍ଡାଙ୍କ ଆକର୍ଷଣୀୟ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଲାଲ୍ ବାବୁ ଖାନ୍, ନିର୍ମଳ କୁମାର ସ୍ୱାଇଁ, ଗଜେନ୍ଦ୍ର କୁମାର ସେଠୀ, ଅଭୟ କୁମାର ସ୍ୱାଇଁ, ସିଦ୍ଧାର୍ଥ ଶଙ୍କର ନାୟକ, ସପନ କୁମାର ବେହେରା, ଆଶୁତୋଷ ମହାନ୍ତି, ସବନମ ଆରା, ସେକ ମନସୁର ଅଲ୍ଲୀ, ଦୀପକ କୁମାର ରାଉତ, ଧିରେନ୍ଦ୍ର କୁମାର ରାଉଳ, ପବିତ୍ର କୁମାର ମାହୁନ୍ତ, ସିଦ୍ଧାର୍ଥ ଶଙ୍କର ଜେନା, ମଧୁସ୍ମିତା ରାଉତ ଆଦି ସହଯୋଗ କରିଥିଲେ ଏବଂ ପରିଶେଷରେ ମାଧୁରୀ ଭଦ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା

ପ୍ରାଣୀ ଚିକିତ୍ସାଳୟର ଅବ୍ୟବସ୍ଥା ପ୍ରତି ପ୍ରଶାସନର ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟଜନକ: ଏମ୍ଏଏସଏମ୍
ବ୍ରହ୍ମପୁର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ବିଭିନ୍ନ ଅବ୍ୟବସ୍ଥା ପ୍ରତି ଜିଲ୍ଲା ପ୍ରଶାସନର ଆବଶ୍ୟକ ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟଜନକ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି l ଗତ ୨୨ ତାରିଖରୁ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ପ୍ରାଣୀ ଚିକିତ୍ସାଳୟର ସମସ୍ୟା ଆହୁରି ଗୁରୁତର ହୋଇଛି। ଏହାର ପ୍ରଭାବରେ ଅସୁସ୍ଥ, ଆହତ ଓ ଦୁର୍ଘଟଣାଗ୍ରସ୍ତ ପଶୁଙ୍କ ଚିକିତ୍ସା ମଧ୍ୟ ପ୍ରଭାବିତ ହେଉଛି। ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟରେ ୧୫୦ ଶଯ୍ୟା ବିଶିଷ୍ଟ ଅନ୍ତଃବିଭାଗ ତୁରନ୍ତ ଖୋଲିବା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଛି। ଅନ୍ତଃବିଭାଗ ନଥିବାରୁ ଗୁରୁତର ଅସୁସ୍ଥ ଓ ଆହତ ପଶୁଙ୍କୁ ଦୀର୍ଘ ସମୟ ଧରି ଚିକିତ୍ସା ଓ ନିରୀକ୍ଷଣରେ ରଖିବାର ସୁବିଧା ଉପଲବ୍ଧ ହେଉନାହିଁ। ମଞ୍ଚ ର ସାଙ୍ଗଠନିକ ସମ୍ପାଦକ ତଥା ସାମାଜିକ କର୍ମୀ ମନୋଜ କୁମାର ତରାଇ କହିଛନ୍ତି ଯେ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ବିଭିନ୍ନ ଅବ୍ୟବସ୍ଥାରେ ଜର୍ଜରିତ। ଏଭଳି ପରିସ୍ଥିତିରେ ପଶୁସମ୍ପଦର ସୁରକ୍ଷା ଓ ଉପଯୁକ୍ତ ଚିକିତ୍ସା ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ। ପ୍ରାଣୀ ଚିକିତ୍ସାଳୟର ଅବ୍ୟବସ୍ଥା ତୁରନ୍ତ ଦୂର କରିବା ସହ ୧୫୦ ଶଯ୍ୟା ବିଶିଷ୍ଟ ଅନ୍ତଃବିଭାଗ ଶୀଘ୍ର ଖୋଲିବା,ଆହତ ଓ ଦୁର୍ଘଟଣାଗ୍ରସ୍ତ ପଶୁଙ୍କ ପାଇଁ ତ୍ୱରିତ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା, ଆବଶ୍ୟକ ଡାକ୍ତର, କର୍ମଚାରୀ, ଔଷଧ ଓ ଚିକିତ୍ସା ଉପକରଣ ଯୋଗାଇଦେବା,ବର୍ଷା ଜନିତ ସମସ୍ୟାର ତୁରନ୍ତ ସମାଧାନ କରିବା ଆଦି ଏକ ପ୍ରେସ ବିବୃତିରେ ଉପସ୍ଥାପନ କରି ପଶୁସମ୍ପଦର ସୁରକ୍ଷା ମଧ୍ୟ ପ୍ରଶାସନର ଦାୟିତ୍ୱ ବୋଲି ଜିଲ୍ଲା ପ୍ରଶାସନ ମନେ ରଖିବା ଦରକାର ତେଣୁ ଏହି ସମସ୍ୟାକୁ ଅବହେଳା ନକରି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଶ୍ରୀ ତରାଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଠାରେ ଦାବୀ କରିଛନ୍ତି l
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ବାହୁଦାରେ ବଢୁଛି ଜଳସ୍ତର, ବନ୍ୟା ଭୟରେ ଚିକିଟି-ପାତ୍ରପୁର
ଚିକିଟି, ୨୫/୯: ଲଗାଣ ବର୍ଷାରେ ଉଛୁଳିଛି ବାହୁଦା ନଦୀ। ଜଳସ୍ତର ବୃଦ୍ଧି ପାଇବା ସହ ଚିକିଟି ଓ ପାତ୍ରପୁର ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳ ଓ ଚାଷଜମି ଜଳବନ୍ଦୀ ହୋଇପଡ଼ିଛି। ଗତ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳପ୍ରବାହ ବଢ଼ିଥିବାରୁ ନଦୀକୂଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ବିଭିନ୍ନ ସ୍ଥାନରେ ଚାଷଜମିରେ ପାଣି ପଶିଥିବାରୁ ଧାନ ଫସଲ ନଷ୍ଟ ହେବା ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଜଳସ୍ତର ଆହୁରି ବଢ଼ିଲେ ନଦୀକୂଳିଆ ଗାଁଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ନଦୀ ଓ ତଳିଆ ଅଞ୍ଚଳ ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ଶିକ୍ଷାର ମନ୍ଦିରରେ ଆଣ୍ଠୁଏ ପାଣି:
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କଲ୍ୟାଣୀ ପଞ୍ଚାୟତ ଅନ୍ତର୍ଗତ ବନସରରେ ଥିବା ଲକ୍ଷ୍ମୀନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବନସରର ଅବସ୍ଥା ଦୟନୀୟ ହୋଇପଡ଼ିଛି। ଦୁଇଟି ବିଦ୍ୟାଳୟର ଶ୍ରେଣୀଗୃହ ଭିତରେ ଆଣ୍ଠୁଏ ପାଣି ଜମିଥିବା ଅଭିଯୋଗ ହୋଇଛି। ବେଞ୍ଚ, ପାଠ୍ୟପୁସ୍ତକ ଓ ଶିକ୍ଷାଦାନ ସାମଗ୍ରୀ ପାଣିରେ ଭିଜି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ବିଦ୍ୟାଳୟ ପରିସରରେ ପାଣି ଜମି ରହିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନେ ମଧ୍ୟ ଚିନ୍ତିତ। ପାଣିରେ ସାପ, ଜୋକ କିମ୍ବା ବିଭିନ୍ନ ପୋକଜନ୍ତୁ ଥିବାର ଆଶଙ୍କା ଥିବାରୁ ପିଲାଙ୍କୁ ସ୍କୁଲ ପଠାଇବାକୁ ଅଭିଭାବକମାନେ ଭୟ କରୁଥିବା କହିଛନ୍ତି। ଏହି ଦୁଇ ବିଦ୍ୟାଳୟ ରାଜ୍ୟର ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଅବସ୍ଥିତ ଥିବାରୁ ଘଟଣାଟି ନେଇ ଅଧିକ ଚର୍ଚ୍ଚା ହେଉଛି। ଗ୍ରାମବାସୀମାନେ ବିଦ୍ୟାଳୟର ଜଳ ନିଷ୍କାସନ ବ୍ୟବସ୍ଥା ଓ ଭିତ୍ତିଭୂମିର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି। ବର୍ଷା ହେଲେ ପ୍ରତିବର୍ଷ ସମସ୍ୟା ଦେଖାଦେଉଛି କି ନାହିଁ, ଏହାର ସ୍ଥାୟୀ ସମାଧାନ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଶିକ୍ଷା ବିଭାଗର ଦୃଷ୍ଟି କେବେ ପଡ଼ିବ ଏହି ଦୁଇ ବିଦ୍ୟାଳୟ ଉପରେ? ବର୍ଷା ଓ ଜଳବନ୍ଦୀରୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ବାଧାପ୍ରାପ୍ତ ନହେବା ପାଇଁ ତୁରନ୍ତ ପଦକ୍ଷେପ ସହ ଏକ ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ରାଉରକେଲା ମହାନଗର ନିଗମ ନିର୍ବାଚନ ପାଇଁ ସରକାରଙ୍କ ପଦକ୍ଷେପକୁ ବିଜେପିର ସ୍ୱାଗତ; ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ
ରାଉରକେଲା ମହାନଗର ନିଗମର ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଭାରତୀୟ ଜନତା ପାର୍ଟି, ରାଉରକେଲା ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସ୍ୱାଗତ କରାଯାଇଛି। ୨୦୧୪ ମସିହା ନଭେମ୍ବର ୧୪ ତାରିଖରେ ରାଉରକେଲା ମହାନଗର ନିଗମ ଗଠନ ସମ୍ପର୍କରେ ବିଜେଡ଼ି ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିଲେ ମଧ୍ୟ କେତେକ ୱାର୍ଡର ବିରୋଧ ଯୋଗୁଁ ଏହି ମାମଲା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଥିଲା। ଫଳରେ ବିଜେଡ଼ି ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ଦୀର୍ଘବର୍ଷ ଧରି ମହାନଗର ନିଗମର ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିପାରିନଥିଲା। ୨୦୨୪ ମସିହାରେ ରାଜ୍ୟରେ ବିଜେପି ସରକାର ଗଠନ ପରେ ଏହି ବିଷୟରେ ସରକାରଙ୍କ ତତ୍ପରତା ଓ ଆନ୍ତରିକ ପ୍ରୟାସ ଯୋଗୁଁ ନିର୍ବାଚନ ପାଇଁ ଆବଶ୍ୟକ ପ୍ରକ୍ରିୟା ଆଗକୁ ବଢ଼ିବାର ପଥ ପ୍ରଶସ୍ତ ହୋଇଛି। ରାଜ୍ୟ ସହର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ପ୍ରକ୍ରିୟା ଆରମ୍ଭ କରିବା ନେଇ ସୂଚନା ଜାରି ହେବା ପରେ ରାଉରକେଲାବାସୀଙ୍କ ମଧ୍ୟରେ ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୁଣିଥରେ ଉଜ୍ଜୀବିତ ହୋଇଛି। ମହାନଗର ନିଗମ ନିର୍ବାଚନ ଅନୁଷ୍ଠିତ ହେଲେ ନିର୍ବାଚିତ ଲୋକପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ସମସ୍ୟାକୁ ଗୁରୁତ୍ୱର ସହ ଉପସ୍ଥାପନ କରିବା ସହିତ ଅଞ୍ଚଳର ସର୍ବାଙ୍ଗୀଣ ବିକାଶରେ ଅଧିକ ସକ୍ରିୟ ଭୂମିକା ନେଇପାରିବେ। ଏହା ରାଉରକେଲାର ନାଗରିକମାନଙ୍କ ଦୀର୍ଘଦିନର ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୃହ ଓ ସହର ବିକାଶ ମନ୍ତ୍ରୀ ଡ କୃଷ୍ଣ ଚନ୍ଦ୍ର ମହାପାତ୍ର, ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଏବଂ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ସେମାନଙ୍କର ନିରନ୍ତର ପ୍ରୟାସ ଓ ସହଯୋଗ ପାଇଁ ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା,ପୂର୍ବତନ ବିଧାୟକ ଶଙ୍କର ଓରାମ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର, ଜିଲ୍ଲା କମିଟି, ସମସ୍ତ ମଣ୍ଡଳ ସଭାପତି ଓ କମିଟି ସଦସ୍ୟ, ବିଭିନ୍ନ ଜିଲ୍ଲା ମୋର୍ଚ୍ଚା ଆଦି ତାଙ୍କ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏହା ରାଉରକେଲାର ଗଣତାନ୍ତ୍ରିକ ବିକାଶ ଓ ନାଗରିକଙ୍କ ଆଶା-ଆକାଂକ୍ଷା ପୂରଣ ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ସଂଘ ସାହିତ୍ୟ ଚର୍ଚ୍ଚା ଓ ଗୁରୁଜୀଙ୍କ ଜୀବନ ଚର୍ଯ୍ୟା ଆଲୋଚନାଚକ୍ର
ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲାର ମାଧବ ନଗର ଶାଖା ଓ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ନଗର ଶାଖାର ସଭାପତି ବ୍ରଜେନ୍ଦ୍ର କୁମାର ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରର ଶୀର୍ଷକ ଥିଲା ସଂଘ ସାହିତ୍ୟ ଚର୍ଚ୍ଚା ଓ ଗୁରୁଜୀଙ୍କ ଜୀବନ ଚର୍ଯ୍ୟା। ବିଶିଷ୍ଟ ସାହିତ୍ୟିକା ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜଗଦାର ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବେ ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମର ଶତପଥି ଯୋଗଦେଇଥିଲେ। ଡ. ଜେନା ତାଙ୍କ ସଭାପତିତ୍ଵ ଅଭିଭାଷଣରେ ଶ୍ରୀଗୁରୁଜୀ ମାଧବ ସଦାଶିବ ଗୋଲ୍ୱାକରଙ୍କ ଜୀଵନ ସମ୍ପର୍କିତ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଶତପଥି ତାଙ୍କ ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସୃଷ୍ଟି ଏବଂ ଶାଖାର ପ୍ରଚାର-ପ୍ରସାର ସହ ସାରା ଭାରତ ବର୍ଷ ତଥା ସମଗ୍ର ବିଶ୍ୱକୁ ସଂଘ କିପରି ବ୍ୟାପିଥିଲା ସେ ସମ୍ପର୍କିତ ମତ ଦେବା ସହ ତତ୍କାଳୀନ ସାମଜିକ, ରାଜନୈତିକ , ସଂସ୍କୃତିକ, ଧାର୍ମିକ ଏବଂ ପର୍ଯ୍ୟାବରଣ ସମସ୍ୟାର ସମାଧାନ ପାଇଁ ଶ୍ରୀ ଗୁରୁଜୀଙ୍କ ଅବଦାନ ଉପରେ ଆଲୋକପାତ କରି କହିଥିଲେ। ବିଭାଜନ ସମୟରେ ପଶ୍ଚିମ ପାକିସ୍ଥାନରେ ହିନ୍ଦୁମାନଙ୍କର ସୁରକ୍ଷା, ଭାରତରେ କାଶ୍ମୀରର ମିଶ୍ରଣ, ପାକିସ୍ଥାନ ଓ ଚୀନ ଆକ୍ରମଣ ବେଳେ ସଂଘର ଭୂମିକା ତଥା ଗୋଆ, ଦାମନ ଓ ଡ୍ଯୁଉର ଭାରତରେ ମିଶ୍ରଣରେ ସଂଘର ଅବଦାନ ଏବଂ ଶ୍ରୀ ଗୁରୁଜୀଙ୍କ ଆଦର୍ଶ ସ୍ଥାନୀୟ ନେତୃତ୍ବ ଭାରତକୁ ସମୃଦ୍ଧ କରିବାରେ ସହାୟକ ହୋଇଛି। " ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପୂର୍ତ୍ତି ଅବସରରେ ପଞ୍ଚ ପରିବର୍ତ୍ତନ ଓ ପ୍ରତିଜ୍ଞା, ସାମାଜିକ ସମରସତା, ପର୍ଯ୍ଯାବରଣ ସୁରକ୍ଷା, ପରିବାର ପ୍ରବୋଧନ, 'ସ୍ବ'ର ଜାଗରଣ ଏବଂ ନାଗରିକ କର୍ତ୍ତବ୍ୟ ଉପରେ ଆଲୋକପାତ ସହ ଶ୍ରୀ ଗୁରୁଜୀ ମାଧବ ସଦାଶିବ ଗୋଲୱାକରଙ୍କ ସଂଘର୍ଷପୂର୍ଣ୍ଣ ପ୍ରେରଣାଦାୟୀ ଜୀବନ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେବା ସହ ତାଙ୍କ ଜୀବନ କିପରି ରାଷ୍ଟ୍ର ହିତ ପାଇଁ ଉତ୍ସର୍ଗୀକୃତ ହୋଇଥିଲା ସେ ସଂପର୍କରେ ମତ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସଂଘର ଦେଶାତ୍ମବୋଧକ ଗୀତ ପୁସ୍ତକ ରାଷ୍ଟ୍ର ଝଙ୍କାରର ଗୀତ ଗାନ ତଥା ଆବୃତ୍ତି ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ପର୍ବରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ କବି ତ୍ରିଲୋଚନ ସ୍ୱାଇଁ ଓ ସଂଯୋଜକ ଭାବେ ଥିଲେ ଅଧ୍ୟାପକ ପ୍ରୀତମ ସାମଲ ଓ ଅଧ୍ୟାପିକା ଅଳକା ମହାନ୍ତି । ଏଥିରେ ସହଭାଗୀ ଥିଲେ ବିଶିଷ୍ଟ କବି ସୁସ୍ମିତା ମହାପାତ୍ର, ସୁମନ୍ତ ଉପାଧ୍ୟାୟ, ଅଧ୍ୟାପକ ସୂର୍ଯ୍ୟକାନ୍ତ ଦାସ। ଶେଷରେ ଯୁବ କଣ୍ଠଶିଳ୍ପୀ ନ୍ୟାସା ଅଗ୍ରୱାଲ ଅନେକ ଦେଶାତ୍ମବୋଧ ସଙ୍ଗୀତ ଗାନ କରି ମନ ମୋହିଥିଲେ । ଏହି ସଭାରେ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ସୌମ୍ୟରଞ୍ଜନ ପ୍ରଧାନ, ସୁଶାନ୍ତ ପଟେଲ, ଆରତୀ ଅଗ୍ରୱାଲ ସମେତ ରାଜଶ୍ରୀ ରାଉତିଆ, ପ୍ରୀତି ଘୁସି, ମଧୁମିତା କୁଜୁର, ବର୍ଷା ବଡାଇକ ପ୍ରମୁଖ ବହୁ ଛାତ୍ର-ଛାତ୍ରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଲଗାଣ ବର୍ଷା ଓ ପବନରେ ରାସ୍ତା ଉପରେ ବିରାଟକାୟ ଗଛ ଜାତୀୟ ରାଜପଥ-୫୧୬ରେ ଯାତାୟତ ଠପ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଛତ୍ରପୁର: ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ଯୋଗୁଁ ଛତ୍ରପୁର-ଗୋପାଳପୁର ସଂଯୋଗ କରୁଥିବା ଜାତୀୟ ରାଜପଥ-୫୧୬ ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତା ଉପରେ ହଠାତ୍ ଗଛ ପଡ଼ିଯିବାରୁ ଏକ ବଡ଼ ଅଘଟଣରୁ ଅଳ୍ପକେ ଅନେକ ଲୋକ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଗଛଟି ରାସ୍ତା ମଝିରେ ପଡ଼ିଥିବାରୁ ଉଭୟ ପାର୍ଶ୍ୱରୁ ଯାନବାହନ ଚଳାଚଳ ପ୍ରାୟ ଠପ୍ ହୋଇଯାଇଛି। ଫଳରେ ଛତ୍ରପୁରରୁ ଆର୍ଯ୍ୟପଲ୍ଲୀ, ଗୋପାଳପୁର, ଇରେ ସମେତ ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରୁ ଗଛ ହଟାଇବା କାର୍ଯ୍ୟରେ ଲାଗିଛନ୍ତି। ଗଛ କଟାଯାଇ ରାସ୍ତା ସଫା କରାଯିବା ପରେ ଯାତାୟତ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି। ଲଗାଣ ବର୍ଷା ଓ ପବନ ସମୟରେ ରାସ୍ତା ପାର୍ଶ୍ୱରେ ଥିବା ବିରାଟକାୟ ଗଛଗୁଡ଼ିକର ସୁରକ୍ଷା ଯାଞ୍ଚ କରିବା ସହ ବିପଦସଙ୍କୁଳ ଗଛଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Ganjam (ଗଞ୍ଜାମ) • Bijayanand Tripathy

ପରକୀୟା ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ! ପତ୍ନୀଙ୍କ ଭୂମିକା ନେଇ ପରିବାରର ଅଭିଯୋଗ
ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ହାଣ୍ଡିଧୂଆଁ କଲିୟରୀ ଥାନା ଅଧୀନ ଡେରା ଅଞ୍ଚଳରେ ସୁଧୀର ବାରିକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ସୁଧୀରଙ୍କ ମୂଳ ଘର ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ବୋଲି ଜଣାପଡ଼ିଛି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ସୂଚନା ମିଳିଛି। ସୁଧୀରଙ୍କ ମୃତ୍ୟୁକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ସନ୍ଦେହ ପ୍ରକାଶ କରାଯାଇଛି। ବିଶେଷକରି ତାଙ୍କ ପତ୍ନୀଙ୍କ ଭୂମିକାକୁ ନେଇ ପରିବାର ଅଭିଯୋଗ ଆଣିଛି। ଅନ୍ୟ ଜଣେ ପୁରୁଷଙ୍କ ସହ କଥିତ ସମ୍ପର୍କକୁ କେନ୍ଦ୍ର କରି ଘଟଣା ପଛରେ ଷଡ଼ଯନ୍ତ୍ର ଥାଇପାରେ ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି। ତେବେ ପରିବାର ପକ୍ଷରୁ ଆଣାଯାଇଥିବା ଏହି ଅଭିଯୋଗର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁର ପରିସ୍ଥିତି ନେଇ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ମା’ କଳାପାଟଙ୍କ ବାର୍ଷିକ ପୂଜାରେ ଲୁଲୁ ସେନାର ସେବା
ଅନୁଗୋଳ: ଅନୁଗୋଳ ଜିଲ୍ଲା ତଳଗଡ଼ ଗ୍ରାମରେ ମା’ କଳାପାଟଙ୍କ ବାର୍ଷିକ ପୂଜା ଅବସରରେ ଲୁଲୁ ସେନା ପକ୍ଷରୁ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୂଜା ଅବସରରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କୁ ଲୁଲୁ ସେନା ଟିମ୍ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା। ଗରମ ପରିବେଶରେ ଭକ୍ତମାନଙ୍କୁ ଥଣ୍ଡା ପାନୀୟ ପ୍ରଦାନ କରି ଲୁଲୁ ସେନାର ସଦସ୍ୟମାନେ ସେବା ମନୋଭାବର ପରିଚୟ ଦେଇଥିଲେ। ଭକ୍ତମାନଙ୍କ ସେବା ଓ ସହଯୋଗ ମାଧ୍ୟମରେ ସମାଜ ପ୍ରତି ନିଜର ଦାୟିତ୍ୱ ପାଳନ କରିବା ଲୁଲୁ ସେନାର ଲକ୍ଷ୍ୟ ବୋଲି ଟିମ୍ ପକ୍ଷରୁ କୁହାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତଳଗଡ , ଅନୁଗୋଳ
