--:--:--
-- ---
Srishti News

ବିଜେଡି ର ମିଶ୍ରଣ ପର୍ବ- ଯୋଗଦେଲେ ଆଦିବାସୀ ଯୁବ ନେତା ବାବୁଲା ସବର ଓ ଅନ୍ୟମାନେ

Ganjam (ଗଞ୍ଜାମ)ଦୁର୍ଗା ମାଧବAugust 28, 202632 views
ବିଜେଡି ର ମିଶ୍ରଣ ପର୍ବ- ଯୋଗଦେଲେ ଆଦିବାସୀ ଯୁବ ନେତା ବାବୁଲା ସବର ଓ ଅନ୍ୟମାନେ
ଚିକିଟି, ୨୮/୮: ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ମଧ୍ୟରେ ଚିକିଟି ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ବଡ଼ଅଞ୍ଚୁପାର ଅଞ୍ଚଳର ପ୍ରମୁଖ ଆଦିବାସୀ ଯୁବ ନେତା ତଥା ୨୦୧୭ ସରପଞ୍ଚ ପ୍ରାର୍ଥୀ ବାବୁଲା ସବରଙ୍କ ସମେତ ବିଜେପିର କିଛି ସକ୍ରିୟ କର୍ମୀ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଏହି ଦଳବଦଳ ଚିକିଟିରେ ବିଜେପିର ସଂଗଠନ ପାଇଁ ଏକ ଝଟକା ବୋଲି ରାଜନୈତିକ ଚର୍ଚ୍ଚା ହେଉଛି। ବାବୁଲା ସବର ଦୀର୍ଘଦିନ ଧରି ବିଜେପିର ଜଣେ ସକ୍ରିୟ କର୍ମୀ ଭାବେ ସଂଗଠନ ସହ ଜଡ଼ିତ ଥିଲେ। ବିଶେଷକରି ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ବୁରାତାଲ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସଂଗଠନକୁ ମଜବୁତ କରିବାରେ ସେ ସକ୍ରିୟ ଭୂମିକା ନେଇଥିବା ଜଣାପଡ଼ିଛି। ତେବେ ଦଳର ବର୍ତ୍ତମାନର କାର୍ଯ୍ୟଶୈଳୀ ଏବଂ ଦୀର୍ଘଦିନ ଧରି ଦଳ ପାଇଁ କାମ କରିଥିବା ତଳସ୍ତରର କର୍ମୀଙ୍କୁ ଆଶାନୁରୂପ ଗୁରୁତ୍ୱ ମିଳୁନଥିବା ଅଭିଯୋଗ କରି ସେ ବିଜେପି ଛାଡ଼ିଥିବା କହିଛନ୍ତି। ବାବୁଲା ସବରଙ୍କ ସହ ପାତବଡ଼ମୁଣ୍ଡିର ଶରତ ବଡ଼ମୁଣ୍ଡି ଏବଂ ଗୁରୁଡ଼ାର ଜିତୁଙ୍କ ସମେତ ଅନ୍ୟ କିଛି ସକ୍ରିୟ କର୍ମୀ ମଧ୍ୟ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଜଣାପଡ଼ିଛି। ଦଳ ଛାଡ଼ିଥିବା କର୍ମୀମାନଙ୍କ ଅଭିଯୋଗ ଅନୁସାରେ, ବିଜେପି କ୍ଷମତାକୁ ଆସିବା ପରେ ନିଷ୍ଠାର ସହ ଦଳ ପାଇଁ କାମ କରିଥିବା ତଳସ୍ତରର କର୍ମୀମାନଙ୍କୁ ଆଶାନୁରୂପ ଗୁରୁତ୍ୱ ମିଳୁନାହିଁ। ଅଞ୍ଚଳର ବିଭିନ୍ନ ସମସ୍ୟା, ସାଧାରଣ ଲୋକଙ୍କ ଅଭିଯୋଗ ଏବଂ ସ୍ଥାନୀୟ ସ୍ତରର ଆବଶ୍ୟକତା ପ୍ରତି ମଧ୍ୟ ଆବଶ୍ୟକ ଧ୍ୟାନ ଦିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ସେମାନଙ୍କ ଦାବି। ପରବର୍ତ୍ତୀ ସମୟରେ ବିଜେଡିର ନେତୃତ୍ୱ ଓ ଦଳୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦେଇଥିବା କହିଛନ୍ତି। ବାବୁଲା ସବରଙ୍କ ଭଳି ଜଣେ ତୃଣମୂଳ ସ୍ତରର ଆଦିବାସୀ ଯୁବ ନେତାଙ୍କ ସହ ଅନ୍ୟ ସକ୍ରିୟ କର୍ମୀଙ୍କ ଯୋଗଦାନ ଚିକିଟିରେ ବିଜେଡି ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି ଦଳୀୟ ମତପ୍ରକାଶ ପାଇଛି।