ରାକ୍ଷୀ ପୂର୍ଣ୍ଣିମା: ସ୍ନେହ ଓ ସୁରକ୍ଷାର ପବିତ୍ର ବନ୍ଧନ
Nuapada (ନୂଆପଡ଼ା)ରିତେଶ କୁମାର ମୁଣ୍ଡAugust 27, 202690 views

ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ଭାବେ ପାଳିତ ହୁଏ ରାକ୍ଷୀ ପୂର୍ଣ୍ଣିମା। ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳିତ ଏହି ପର୍ବ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଏ।
ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମାର ରହିଛି ସ୍ୱତନ୍ତ୍ର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ। ଏହି ଦିନକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମତିଥି ଭାବେ ମଧ୍ୟ ପୂଜା କରାଯାଏ। ପୁରୀ ଶ୍ରୀମନ୍ଦିରରେ ଭଉଣୀ ଦେବୀ ସୁଭଦ୍ରା ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା ରହିଛି।
ପରମ୍ପରା ଅନୁଯାୟୀ, ପୂର୍ଣ୍ଣିମା ଦିନ ଭଉଣୀମାନେ ସକାଳୁ ସ୍ନାନ କରି ଇଷ୍ଟଦେବତାଙ୍କୁ ପୂଜା କରିବା ପରେ ଭାଇଙ୍କ ମଥାରେ ତିଳକ ଲଗାଇ, ଆଳତି କରି ଡାହାଣ ହାତରେ ରାକ୍ଷୀ ବାନ୍ଧନ୍ତି। ଏହି ସମୟରେ ଭାଇଙ୍କ ମଙ୍ଗଳ, ସୁଖ ଓ ଦୀର୍ଘାୟୁ କାମନା କରିଥାନ୍ତି। ଭାଇମାନେ ମଧ୍ୟ ଭଉଣୀଙ୍କୁ ସୁରକ୍ଷା ଓ ସୁଖ-ଦୁଃଖରେ ସାଥୀ ହେବାର ପ୍ରତିଶ୍ରୁତି ଦେଇଥାନ୍ତି।
ପୌରାଣିକ ମତାନୁସାରେ, ଦ୍ରୌପଦୀ ନିଜ ଶାଢ଼ିର ଏକ ଖଣ୍ଡ କନା ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧିଥିବା ଘଟଣା ସହ ଏହି ପର୍ବର ପରମ୍ପରାକୁ ଯୋଡ଼ାଯାଏ। ଏହା ସହିତ ଏହି ଦିନ ବ୍ରାହ୍ମଣମାନେ ବେଦପାଠ ଆରମ୍ଭ କରିବାର ପରମ୍ପରା ମଧ୍ୟ ରହିଛି। ଏହି ଦିନ ପାଠପଢ଼ା ଆରମ୍ଭ କଲେ ଶିକ୍ଷାରେ ଉନ୍ନତି ହୁଏ ବୋଲି ଲୋକବିଶ୍ୱାସ ରହିଛି।
ପୁରାଣ ଓ ଶାସ୍ତ୍ରୀୟ ପରମ୍ପରା ଅନୁସାରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ମାଙ୍ଗଳିକ କାର୍ଯ୍ୟ କରାଯାଏ। ତେଣୁ ରାକ୍ଷୀ ବାନ୍ଧିବା ସମୟରେ ଭାଇଙ୍କୁ ପୂର୍ବ କିମ୍ବା ଉତ୍ତରମୁଖା କରି ବସାଇ ଭଉଣୀ ତାଙ୍କ ଡାହାଣ ହାତରେ ରାକ୍ଷୀ ବାନ୍ଧିଥାନ୍ତି।
ଶ୍ରୀମନ୍ଦିରରେ ବିଭିନ୍ନ ନୀତିକାନ୍ତି ସମାପନ ପରେ ରାକ୍ଷୀ ପୂର୍ଣ୍ଣିମାର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ। ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଆହୁରି ମଜବୁତ କରୁଥିବା ଏହି ପର୍ବ ସମଗ୍ର ଦେଶରେ ଧୁମଧାମରେ ପାଳିତ ହୋଇଥାଏ।
