ପରିବାରକୁ ଅନାଥ କରି ଆରପାରିକୁ ଚାଲିଗଲେ ସପନା
Jajpur (ଯାଜପୁର)ରିପୋର୍ଟ: ପ୍ରଦୀପ କୁମାର ପୃଷ୍ଟି, ଯାଜପୁର ରୋଡAugust 27, 202628 views

ଯାଜପୁର ରୋଡ, ୨୭/୮: ପରିବାରକୁ ଅନାଥ କରି ଆରପାରିକୁ ଚାଲିଗଲେ ୪୧ ବର୍ଷୀୟ ସପନ କୁମାର ଠାକୁର। କୋରେଇ ବ୍ଲକ ଅନ୍ତର୍ଗତ ତାରାକୁଟି ଗାଁର ପଦ୍ମନାଭ ବାରିକଙ୍କ ପୁଅ ସପନା ନାମରେ ପରିଚିତ ଥିଲେ। ତାଙ୍କ ପିତା ଅବସରପ୍ରାପ୍ତ ଫେରୋକ୍ରୋମ କାରଖାନା କର୍ମଚାରୀ ଥିଲେ।
ପିତାଙ୍କ ମୃତ୍ୟୁର ଅଳ୍ପଦିନ ପରେ ଗତ ୨୬ ଅଗଷ୍ଟ ୨୦୨୬ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ସପନାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ସେ ଜଣେ ସରଳ, ମିଷ୍ଟଭାଷୀ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଭାବେ ଗାଁରେ ପରିଚିତ ଥିଲେ।
ସପନାଙ୍କ ଅକାଳ ବିୟୋଗରେ ତାଙ୍କ ପଛରେ ରହିଗଲେ ସ୍ତ୍ରୀ, ଦୁଇଟି ଛୋଟ ଛୋଟ ପିଲା ଓ ବିଧବା ମାଆ। ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମାଆ ଭାଙ୍ଗିପଡ଼ିଛନ୍ତି। ନିଜ ଦୁଃଖଠାରୁ ଅଧିକ ତାଙ୍କୁ ଚିନ୍ତା ଘାରିଛି ଦୁଇ ନାତି ଓ ବୋହୂଙ୍କ ଭବିଷ୍ୟତକୁ ନେଇ। ଏବେ ପରିବାରର ସମସ୍ତ ଦାୟିତ୍ୱ ବୃଦ୍ଧା ମାଆଙ୍କ ଉପରେ ପଡ଼ିଛି।
ଆଗାମୀ ଦିନରେ ଯଦି ସରକାରଙ୍କ ପକ୍ଷରୁ ପରିବାରକୁ ଆବଶ୍ୟକ ସହାୟତା ମିଳେ, ତେବେ ଅସହାୟ ପରିବାରଟି କିଛି ମାତ୍ରାରେ ଆଶ୍ୱସ୍ତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସପନାଙ୍କ ଅକାଳ ବିୟୋଗରେ ସାରା ତାରାକୁଟି ଗାଁ ନିସ୍ତବ୍ଧ ହୋଇଯାଇଛି।
