Web News

ପ୍ରଭୁ ଗଜାନନଙ୍କ ମେଲାଣି ବୁଢ଼ୀବଗିଚାରେ
ଖୋର୍ଦ୍ଧା, : ଗଣେଶ ପୂଜାର ଅନ୍ତିମ ପର୍ଯ୍ୟାୟରେ ପ୍ରଭୁ ଗଜାନନଙ୍କ ମେଲାଣି ଓ ବିସର୍ଜନ ଉତ୍ସବ ଖୋର୍ଦ୍ଧା ପୌରପରିଷଦର ୮ ନମ୍ବର ୱାର୍ଡ ଅନ୍ତର୍ଗତ ବୁଢ଼ୀବଗିଚାରେ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଶନିବାର ସନ୍ଧ୍ୟାରେ ପ୍ରଭୁ ଗଜାନନଙ୍କ ବିଦାୟ ଅବସରରେ ଆଳତୀ ପ୍ରଦାନ କରାଯାଇଥିଲା। ପରେ ଏକ ବିରାଟ ଓ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ମୂର୍ତ୍ତିକୁ ବିସର୍ଜନ ସ୍ଥଳକୁ ନିଆଯାଇଥିଲା। ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ଘଣ୍ଟମାଡ଼, ଡିଜେ ସଙ୍ଗୀତର ତାଳେ ନୃତ୍ୟ ପରିବେଷଣ ସହ “ଗଣପତି ବାପ୍ପା ମୋରିୟା” ଧ୍ୱନିରେ ସମଗ୍ର ଅଞ୍ଚଳ ମୁଖରିତ ହୋଇଉଠିଥିଲା। ସୁଖ, ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରି ବୁଢ଼ୀବଗିଚାର ଶିଶୁ ଓ ଯୁବବନ୍ଧୁମାନେ ପ୍ରଭୁ ଗଜାନନଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରିଥିଲେ। ଏହି ଅବସରରେ ବହୁ ସଂଖ୍ୟକ ଭକ୍ତ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଭକ୍ତିଭାବର ସହ ପ୍ରଭୁଙ୍କୁ ବିଦାୟ ଜଣାଇଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବାମଡିହ–ବେଗୁନିଆ ମଝିରେ ଦୁର୍ଘଟଣା, ରାସ୍ତା କଡ଼ରେ ଲୁହା ବାଡ଼ରେ ପିଟିଲା ୟୁରିଆ ସାର ବୋଝେଇ ଟ୍ରକ
ଖୋର୍ଦ୍ଧା: ବାମଡିହ ଓ ବେଗୁନିଆ ମଝିରେ ଘଟିଛି ସଡ଼କ ଦୁର୍ଘଟଣା। ଜଟଣୀରୁ ନୟାଗଡ଼ ଅଭିମୁଖେ ୟୁରିଆ ସାର ବୋଝେଇ ଯାଉଥିବା ଏକ ଟ୍ରକ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଲୁହା ବାଡ଼ରେ ଧକ୍କା ଦେଇଥିବା ଦେଖିବାକୁ ମିଳିଛି। ଧକ୍କା ଯୋଗୁଁ ଟ୍ରକର ଆଗ ଚକା ଫାଟି ଯାଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଟ୍ରକଟି ରାସ୍ତା କଡ଼ରେ ଅଟକି ରହିଥିବା ବେଳେ, ଘଟଣାସ୍ଥଳରେ କିଛି ସମୟ ପାଇଁ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଝରଣା ସ୍ରୋତରେ ଭାସିଗଲା ଶ୍ରଦ୍ଧାଳୁଙ୍କ କାର: ୩ ଶିଶୁଙ୍କ ସମେତ ୮ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/: ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାଶିଦାବାଦ ଅଞ୍ଚଳରେ ଥିବା ମା' ବଗଲାମୁଖୀ ମନ୍ଦିର ନିକଟସ୍ଥ ଏକ ନାଳରେ ପ୍ରବଳ ବର୍ଷା ଯୋଗୁଁ ଆସିଥିବା ପାଣିର ସ୍ରୋତରେ ଏକ ଓଡ଼ିଆ ଶ୍ରଦ୍ଧାଳୁଙ୍କ କାର୍ ଭାସିଯାଇଛି। ଏହି ଦୁର୍ଘଟଣାରେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଗୋଟିଏ ପରିବାରର ୩ ଶିଶୁ, ୩ ମହିଳା ଓ ୨ ପୁରୁଷଙ୍କ ସମେତ ସମୁଦାୟ ୮ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ସହ ଥିବା ସ୍ଥାନୀୟ ଟ୍ରାଭେଲ ଏଜେନ୍ସିର ଗାଡ଼ି ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମୃତକମାନେ ଲକ୍ଷ୍ନୌରୁ ଏକ ଭଡ଼ା କାର୍ (ଇନୋଭା) ଯୋଗେ ମା' ବଗଲାମୁଖୀ ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି ଫେରିବା ସମୟରେ ରାସ୍ତାରେ ଥିବା ପୋଲ ଉପର ଦେଇ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଥିଲା। ପାଣିର ସ୍ରୋତ ଅଧିକ ଥିବା ସତ୍ତ୍ୱେ ଚାଳକ ଜଣକ ଗାଡ଼ିଟିକୁ ଆଗକୁ ବଢ଼ାଇଥିଲେ, ଯାହାଫଳରେ କାର୍ଟି ଭାରସାମ୍ୟ ହରାଇ ନାଳ ସ୍ରୋତରେ ଭାସି ଯାଇଥିଲା। ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବହୁ ବାଧା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତକମାନେ ହେଲେ ଜୟଦେବ ବିହାର ନିବାସୀ ବନମାଳୀ ବେହେରା, ତାଙ୍କ ପୁଅ ଶିବପ୍ରସାଦ ବେହେରା, ଝିଅ ରୀତାରାଣୀ ବେହେରା, ରାଧାରାଣୀ ବେହେରା, ଜ୍ୱାଇଁ ଜ୍ଞାନେନ୍ଦ୍ର ବେହେରା ଏବଂ ତିନି ନାତିନାତୁଣୀ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ମଧ୍ୟପ୍ରଦେଶ ପ୍ରଶାସନ ପକ୍ଷରୁ କଲେକ୍ଟର ସେର ସିଂ ମୀନା ଓ ଏସପି ବିନୋଦ କୁମାର ସିଂହ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିବା ସହ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଓଡ଼ିଶା ସରକାରଙ୍କ ପକ୍ଷରୁ ମୃତଦେହଗୁଡ଼ିକୁ ସମ୍ମାନର ସହ ଓଡ଼ିଶା ଫେରାଇ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ମଧ୍ୟପ୍ରଦେଶ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ସ୍ୱତନ୍ତ୍ର ବିମାନ ଯୋଗେ ମୃତଦେହଗୁଡ଼ିକୁ ଭୁବନେଶ୍ୱର ଅଣାଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ଗୋପାଳପୁର ବେଳାଭୂମିରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସେବା ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୋପାଳପୁର: ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ) ସେବା ଦଳ ତରଫରୁ ଗୋପାଳପୁର ବେଳାଭୂମିଠାରେ ଏକ ସଫେଇ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଜନହିତକର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବେଳାଭୂମିକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଅଭିଯାନରେ କଂଗ୍ରେସର ଅନେକ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସେବା ଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଏବଂ AICC ପ୍ରଭାରୀ ନରେନ୍ଦ୍ର ସିଂ ଭାଟି ପ୍ରମୁଖ ଉପସ୍ଥିତ ରହି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା, ପୂର୍ବତନ ବିଧାୟକ ଡାକ୍ତର ତ୍ରିନାଥ ବେହେରା, ଉପସଭାପତି ବୃନ୍ଦାବନ ଖଟେଇ ଓ ଉପସଭାପତି ଅଶୋକ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ସୋସିଆଲ ମିଡିଆ ଅଧ୍ୟକ୍ଷ ସିଦ୍ଧାନ୍ତ କୁମାର ସାହୁ, ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ଗୋକୁଳ କର, ପବିତ୍ର ସାବତ, ଶଙ୍କର ସୁବୁଦ୍ଧି, ପ୍ରଶାନ୍ତ ପାଣି ଏବଂ ବିପୁଳ ସଂଖ୍ୟାରେ କଂଗ୍ରେସ ସେବା ଦଳର କର୍ମୀମାନେ ଉପସ୍ଥିତ ରହି ଏହି ସଫେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସେବା ଦଳ ପକ୍ଷରୁ ଏଭଳି ପ୍ରୟାସ କରାଯାଇଥିବା ସୂଚନା ମିଳିଛି।
Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ସ୍ୱଚ୍ଛତା ଓ ହରିତ ପରିବେଶ ପାଇଁ ଉତ୍କର୍ଷ ପାଇଁ ଚିକିଟି ବ୍ଲକର ଖରଖରିଆ ବିଦ୍ୟାଳୟ ଜିଲ୍ଲାସ୍ତରରେ ପୁରସ୍କୃତ
ଚିକିଟି, ୨୦/୯/୨୬: ସ୍ୱଚ୍ଛ-ହରିତ ବିଦ୍ୟାଳୟ ରେଟିଂରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସ୍କୋର ହାସଲ କରିଥିବା ଚିକିଟି ବ୍ଲକର ଖରଖରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସମ୍ମାନିତ କରାଯାଇଛି। ବ୍ଲକସ୍ତରୀୟ କ୍ରୀଡ଼ା ଓ ଖେଳ ପ୍ରତିଯୋଗିତା-୨୦୨୬–୨୭ର ଉଦ୍ଯାପନୀ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଖରଖରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ବିଷୋୟୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ। ବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ସବୁଜ ପରିବେଶ ସୃଷ୍ଟି ଏବଂ ବିଦ୍ୟାଳୟ ପରିସରର ସୁସ୍ଥ ଓ ସୁନ୍ଦର ପରିବେଶ ବଜାୟ ରଖିବା ଦିଗରେ ନିଆଯାଇଥିବା ପଦକ୍ଷେପର ଏହା ଏକ ସ୍ୱୀକୃତି ବୋଲି କୁହାଯାଇଛି।କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପନ୍ନଗ ଭୂଷଣ ମାଝୀ, ଏବିଇଓ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା, ନାୟକ ସେଠୀ ଏବଂ ପ୍ରଧାନଶିକ୍ଷୟିତ୍ରୀ ସବିତା ରେଡ୍ଡୀଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଖରଖରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଗୌରବମୟ ସଫଳତା ପାଇଁ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ବିଷୋୟୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ରାଉରକେଲାକୁ ବିଶ୍ୱ ସ୍କିଲ ସେଣ୍ଟର ଓ ପି.ଏମ୍. ସେତୁରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫରୋମ
ରାଉରକେଲା: ନିକଟରେ ସଦ୍ୟ ପ୍ରକାଶିତ ନୀତି ଆୟୋଗର ରିପୋର୍ଟ ଅନୁଯାୟୀ ଭାତରରେ ଡିଗ୍ରୀଧାରୀଙ୍କ ମଧ୍ୟରୁ ମାତ୍ର ୯ ପ୍ରତିଶତ ନିଯୁକ୍ତି ଦାତା ଆବଶ୍ୟକ କରୁଥିବା ଦକ୍ଷତା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି । ଓଡ଼ିଶା ସରକାର ମଧ୍ୟ ଛାତ୍ର ଓ ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ୨୦୩୬ ଓ ୨୦୪୭ ରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତରେ ଏକ ଦୀର୍ଘ ମିଆଦି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏକ ଯୋଜନା ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର (ସ୍କିଲ୍) ଓ ଆଇଟିଆଇ ମାଧ୍ୟମରେ ହାତକୁ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୦୩୬ ସୁଦ୍ଧା ଓଡ଼ିଶାରେ ୫ଟି ୨୦୪୭ ସୁଦ୍ଧା ୭ଟି ସ୍କିଲ ସେଣ୍ଟର ପ୍ରତିଷ୍ଠା କରିବେ ଓ ଏଥିପାଇଁ ସମ୍ୱଲପୁର ଓ ବ୍ରହ୍ମପୁର ସହରକୁ ଚୟନ କରିଛନ୍ତି । ଭୁବନେଶ୍ୱରରେ ପୂର୍ବରୁ ଏହା ପ୍ରତିଷ୍ଠିତ ହୋଇ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି ଓ ସମ୍ୱଲପୁରରେ ସଫଳ ରୂପାୟନ ହେବାକୁ ଯାଉଛି । ରାଉରକେଲା ଓଡ଼ିଶାର ଶିଳ୍ପ ରାଜଧାନୀ ଭାବେ ପରିଚିତ ହେବା ସହ ରାଉରକେଲା ଓ ପାର୍ଶ୍ୱବର୍ତ୍ତୀ ଅଂଚଳରେ ରାଉରକେଲା ଇସ୍ପାତ କାରଖାନା ଭଳି ବୃହତ୍ତ ଶିଳ୍ପ ସହ ଏନ୍.ଆଇ.ଟି., ବିପିୟୁଟି ଭଳି ଉଚ୍ଚ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବୈଦେଶିକ ଶିକ୍ଷାନୁଷ୍ଠାନ ଓ ଏସ୍.ଟି.ପି.ଆଇ ମଧ୍ୟ ଏଠାରେ ଅବସ୍ଥିତ । ଏଠାରେ ଉଲ୍ଲେଖନୀୟ ଯେ ଏହି ସବୁ ଦକ୍ଷତା କେନ୍ଦ୍ର ଶିଳ୍ପାନୁଷ୍ଠାନ ଓ ବୈଷୟିକ ଶିକ୍ଷାନୁଷ୍ଠାନର ସହଭାଗିତାର ବିଶେଷ ଆବଶ୍ୟକ ଥାଏ । ଏହି ପରିପ୍ରେକ୍ଷୀରେ ରାଉରକେଲା ଓଡ଼ିଶାର ଏକ ସର୍ବୋତ୍କୃଷ୍ଟ ସ୍ଥାନ । ଓଡ଼ିଶା ସରକାର ଆଇ.ଟି. ଆଇ. ମାଧ୍ୟମରେ ମଧ୍ୟ ଦକ୍ଷତା ବିକାଶର ଯୋଜନା ରଖିଛନ୍ତି । ଏହି ପ୍ରକ୍ରିୟାରେ ୫ଟି ଉତ୍କର୍ଷ କେନ୍ଦ୍ର, ୨୫ଟି ସେଣ୍ଟର ଅଫ୍ ଏେµଲେନ୍ସ ଓ ୧୦ଟି ପି.ଏମ୍. ସେତୁ ଆଇ.ଟି.ଆଇର ବିକାଶ ଯୋଜନା ଆରମ୍ଭ କରିଛନ୍ତି । ପି.ଏମ୍.ସେତୁ ଯାହାକି କେନ୍ଦ୍ର ସରକାରଙ୍କର ଏକ ୬୦,୦୦୦ କୋଟିର ଦୀର୍ଘମିଆଦୀ ଯୋଜନା, ଏଥିରେ ପ୍ରତି ପି.ଏମ୍. ସେତୁ ଆଇ.ଟି.ଆଇ ଅଧିନରେ ୫ଟି ପାର୍ଶ୍ୱାଞ୍ଚଳ ଆଇ.ଟି.ଆଇ. ହବ୍ ଓ ମଡେଲ୍ରେ ରହିବ । ଏଥିରେ ଶିଳ୍ପ ଜଗତର ଆବଶ୍ୟକତାକୁ ଭିତ୍ତିକରି ବିଭିନ୍ନ ପାଠ୍ୟକ୍ରମ ପ୍ରଚଳନ କରାଯିବ ନୂତନ ଅର୍ଥନୀତିରେ ବୈଦ୍ୟୁତିକ ବାହନ, ଅଟୋମେସନ୍, ରବୋଟିକ୍ସ, ଉନ୍ନତ ମାନୁଫେକଚରିଂ, ଚିପ ଡିଜାଇନ୍, ମେକାଟ୍ରୋନିକ୍ସ, ଡାଟା ଇଲେକ୍ଟ୍ରୋନିକ, କୁତ୍ରିମ ବୁଦ୍ଧିମତା ଇତ୍ୟାଦି ନୂତନ ଜ୍ଞାନ କୌଶଳର ବହୁଳ ଆବଶ୍ୟକତା ଅଛି ଯାହାକି ବର୍ତ୍ତମାନ ଆଇ.ଟି.ଆଇ ଗୁଡ଼ିକରେ ଏହି ଭିତ୍ତିଭୂମି ନାହିଁ । ରାଉରକେଲା ଏଥିପାଇଁ ଉତ୍କୃଷ୍ଟ ସ୍ଥାନ ହେଲେ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇନାହିଁ । ରାଉରକେଲା- ସୁନ୍ଦରଗଡ଼ ଏହି ଅଂଚଳର ଆଦିବାସୀ ବହୁଳ ଅଂଚଳରେ ଆଦିବାସୀ ଛାତ୍ର ଓ ଯୁବ ସମାଜ ଦକ୍ଷତା କ୍ଷେତ୍ରରେ କୌଣସି ଗୁଣରେ ନ୍ୟୁନ ନୁହଁନ୍ତି । ସେମାନଙ୍କ ସହ ସ୍ଥାନୀୟ ଯୁବବର୍ଗଙ୍କ କର୍ମନିଯୁକ୍ତି ସୃଷ୍ଟି କରିବା ପାଇଁ କୌଶଳ ବିକାଶ ଏକ ସର୍ବୋତ୍ତମ ମାଧ୍ୟମ । ତେଣୁ ସରକାର ରାଉରକେଲାକୁ ବିଶ୍ୱ ସ୍କିଲ୍ ସେଣ୍ଟର ଓ ପି.ଏମ୍. ସେତୁ ଯୋଜନାରେ ସାମିଲ୍ କରିବା ପାଇଁ ଥିଂକର୍ସ ଫରୋମ୍ର ଆବାହକ ନଳିନୀକାନ୍ତ ଧର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ ଙ୍କୁ ସ୍ମାରକ ପତ୍ର ମାଧ୍ୟମରେ ଦାବି ଜଣାଇଛନ୍ତି ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଗଞ୍ଜାମରୁ ଗଜପତି ଓ ଆନ୍ଧ୍ର ପାତ୍ରପୁରରେ ବାଲି ମାଫିଆଙ୍କ 'ମେଗା ନେଟୱାର୍କ' ? ତୁରୁବୁଡ଼ି ପଞ୍ଚାୟତରେ ବେଆଇନ ବାଲି ଡମ୍ପିଂ; ଦିନ ଦ୍ୱିପ୍ରହରରେ ଲୁଟ୍ ହେଉଛି ଲକ୍ଷାଧିକ ଟଙ୍କାର ରାଜସ୍ୱ
ପାତ୍ରପୁର:୧୯/୯ : ଗଞ୍ଜାମ ଜିଲ୍ଲାରେ ବେଆଇନ ଖଣିଜ ଲୁଟ୍ ରୋକିବା ପାଇଁ ପ୍ରଶାସନର ଦାବି ଯେତିକି ଉଚ୍ଚାରିତ, ବାସ୍ତବ ଚିତ୍ର ସେତିକି ବିପରୀତ। ଖଣି ମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର ସୀମାନ୍ତ ଅଞ୍ଚଳ ଏବେ ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି। ବିଶେଷ କରି ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ତୁରୁବୁଡ଼ି ପଞ୍ଚାୟତରେ ଦିନ ଦ୍ୱିପ୍ରହରରେ ଚାଲିଛି ଖୋଲା ଲୁଟ୍। ସ୍ଥାନୀୟ ନଦୀପଠାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ତୁରୁବୁଡ଼ି ଅଞ୍ଚଳର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ପାହାଡ଼ ଭଳି ବାଲି ଡମ୍ପିଂ କରି ରଖାଯାଉଛି। ଏହାପରେ ପ୍ରଶାସନର ଆଖିରେ ଧୂଳି ଦେଇ ଲକ୍ଷ ଲକ୍ଷ ଟଙ୍କାର ବାଲି ପଡ଼ୋଶୀ ଗଜପତି ଜିଲ୍ଲା ଏବଂ ସୀମାନ୍ତ ଡେଇଁ ଆନ୍ଧ୍ରପ୍ରଦେଶକୁ ଅହରହ ଚାଲାଣ କରାଯାଉଛି। କିଭଳି ଚାଲିଛି ଏହି ମାଫିଆ ସିଣ୍ଡିକେଟ୍ ? ନଦୀପଠାରୁ ଟ୍ରାକ୍ଟର ଯୋଗେ ବାଲି ବୋହି ତୁରୁବୁଡ଼ି ପଞ୍ଚାୟତର ନିର୍ଜନ ତଥା ସୁବିଧାଜନକ ସ୍ଥାନରେ ଗଦା କରାଯାଉଛି। ସରକାରୀ ନିୟମ ଅନୁସାରେ କୌଣସି ବୈଧ ଲିଜ୍ କିମ୍ବା ଡମ୍ପିଂ ଅନୁମତି ନଥାଇ ଏହି ଗୋଦାମ ଚାଲିଛି। ଅନ୍ତଃରାଜ୍ୟ ଚାଲାଣ ? ଗଚ୍ଛିତ ବାଲିକୁ ହାଇୱା ଏବଂ ୧୦ ଚକିଆ ଟ୍ରକରେ ଲୋଡ୍ କରାଯାଇ ନିୟମିତ ଭାବେ ଗଜପତି ଏବଂ ସୀମାପାର କରାଇ ଆନ୍ଧ୍ରପ୍ରଦେଶ ପଠାଯାଉଛି। ପ୍ରତିଦିନ ସରକାର ହରାଉଛନ୍ତି ଲକ୍ଷାଧିକ ଟଙ୍କାର ରୟାଲ୍ଟି ଏବଂ ରାଜସ୍ୱ। ଅନ୍ୟପଟେ ମାଫିଆମାନେ ରାତାରାତି ମାଲାମାଲ୍ ହେଉଛନ୍ତି ? ଜନଜୀବନ ଅସ୍ତବ୍ୟସ୍ତ ? ଦିନ ଦ୍ୱିପ୍ରହରରେ ବେପରୁଆ ଭାବେ ଦ୍ରୁତଗତିରେ ଚଳାଚଳ କରୁଥିବା ଓଭରଲୋଡେଡ୍ ଗାଡ଼ି ଯୋଗୁଁ ଗ୍ରାମ୍ୟ ରାସ୍ତାଘାଟ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣାର ଆଶଙ୍କା ଲାଗି ରହୁଛି।କାହା ଛତ୍ରଛାୟାରେ ଏହି କାରବାର ? ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ସ୍ଥାନୀୟ ରାଜସ୍ୱ ବିଭାଗ, ତହସିଲ ପ୍ରଶାସନ ଏବଂ ପୋଲିସ ଏ ବିଷୟରେ ଜାଣିଶୁଣି ଅନ୍ଧ ପାଲଟିଛନ୍ତି କି ? ଚେକ୍ପୋଷ୍ଟ ଏବଂ ପ୍ରଶାସନିକ ନଜର ଥାଇ ମଧ୍ୟ ସୀମା ପାର ହୋଇ ଆନ୍ଧ୍ରପ୍ରଦେଶକୁ ଶହ ଶହ ଟ୍ରକ୍ ବାଲି କିଭଳି ଯାଉଛି ? ରାଜ୍ୟରେ 'ଡବଲ ଇଞ୍ଜିନ ସରକାର' ଏବଂ 'ଶୂନ୍ୟ ସହନଶୀଳତା'ର ବାର୍ତ୍ତା ଭିତରେ ମନ୍ତ୍ରୀଙ୍କ ନିଜ ଘର ସାମ୍ନାରେ ଏଭଳି ଖୁଲମଖୁଲା ଡକାୟତି ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। କେବଳ କାଗଜପତ୍ରରେ ଚଢ଼ାଉ ନାମରେ ଫମ୍ପା ଡିଣ୍ଡିମ ନପିଟି, ତୁରୁବୁଡ଼ିର ଏହି ବେଆଇନ ବାଲି ଗଦା ଉପରେ ପ୍ରଶାସନ କେବେ ବୁଲଡୋଜର ଚଳାଇବ, ତାହା ଉପରେ ଏବେ ସମଗ୍ର ଦକ୍ଷିଣ ଓଡ଼ିଶାର ନଜର।
Ganjam (ଗଞ୍ଜାମ) • Deepak Choudhury

ପାତ୍ରପୁରରେ ପଞ୍ଚାୟତ ସମିତିସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା
ପାତ୍ରପୁର, ୧୯/୦୯/୨୦୨୬: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପାତ୍ରପୁର ପଞ୍ଚାୟତ ସମିତିସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ସାମନ୍ତିଆପଲ୍ଲୀ ପିଏମ୍ଶ୍ରୀ ମହନ୍ତଶ୍ରୀ ପରାଙ୍କୁଶ ବିଦ୍ୟାପୀଠ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତହସିଲଦାର ଅଶୋକ ପଟ୍ଟନାୟକ, ସିଡିପିଓ ନମିତା ପଣ୍ଡା, ଏବିଇଓ ଜଗନ୍ନାଥ ଭୂୟାଁ, ମହାବିଦ୍ୟାଳୟ ଅଧ୍ୟକ୍ଷା ସୁବ୍ରତା ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ଯଶୋଦା ଶବର, ସାମନ୍ତିଆପଲ୍ଲୀ ସରପଞ୍ଚ ଏନ୍. ତିରୁପତି, ବି.ନୂଆଗାଁ ସରପଞ୍ଚ ଏମ୍. ମୋହନ ରାଓ,ତୁମ୍ବା ସମିତି ସଭ୍ୟ ନାରାୟଣ ନାୟକ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ କହଁର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଛଅ ବର୍ଷରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଭାର ଅନ୍ୱେଷଣ ସହ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା କ୍ରୀଡା ଓ ସାଂସ୍କୃତିକ ଭିନ୍ନକ୍ଷମ ପ୍ରତିଯୋଗୀ ମାନେ ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଉତ୍ସାହର ସହ ଭାଗ ନେଇଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ବିଧାୟକଙ୍କ ଦ୍ଵାରା ଅର୍ଥ ରାଶି, ପ୍ରମାଣ ପତ୍ର ଓ ସିଲ୍ ପ୍ରଦାନ କରାଯାଇଥିଲା । ଏଥିସହ ବହୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ ବଣ୍ଟନ କରାଯାଇଥିଲା। ପ୍ରତିଯୋଗିତା ଅବସରରେ ଭିନ୍ନକ୍ଷମ ପ୍ରତିଭାବାନମାନଙ୍କ ସଙ୍ଗୀତ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା। କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଲାଇନ୍ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ବିଏସ୍ଏସ୍ଓ ସ୍ନେହାସିସ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।
Ganjam (ଗଞ୍ଜାମ) • ଦୁର୍ଗା ମାଧବ

ଭଦ୍ରକ ଜିଲ୍ଲାରୁ ଆସିଛି ଏକ ନୂଆ ଖବର
ଭଦ୍ରକ ଜିଲ୍ଲାର ଛତାବର ବଜାରରେ ଦୀର୍ଘଦିନ ଧରି ଲୋକଙ୍କ ସହ ଜଡ଼ିତ ଥିବା ପୁରାତନ ଓ ପରିଚିତ ହୋଟେଲ ରାଣୀରେ ଏବେ ଆରମ୍ଭ ହୋଇଛି ନୂତନ ଲଜ୍ରର ସୁବିଧା। ଆଜି ଏହି ଲଜ୍ର ଶୁଭାରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ଛାତବର ବଜାର ଦେଇ ପ୍ରତିଦିନ ଅନେକ ଲୋକ ଯାତାୟାତ କରୁଥିବା ବେଳେ ବିଭିନ୍ନ କାରଣରୁ ରାତିରେ ରହିବାର ଆବଶ୍ୟକତା ପଡ଼ିଥାଏ। ଏଭଳି ସମୟରେ ଯାତ୍ରୀମାନଙ୍କ ପାଇଁ ଏହି ନୂଆ ଲଜ୍ ସୁବିଧାଜନକ ହୋଇପାରିବ। ସବୁଠାରୁ ବଡ଼ କଥା ହେଉଛି, ସୁଲଭ ମୂଲ୍ୟରେ ରହିବାର ସୁବିଧା ଉପଲବ୍ଧ କରାଯାଇଛି। ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ, ବ୍ୟବସାୟୀ ଏବଂ ଅନ୍ୟ ଅତିଥିମାନେ ଆବଶ୍ୟକତା ଅନୁଯାୟୀ ଏଠାରେ ରାତିରେ ରହିପାରିବେ। ରହିବା ସହିତ ଅତିଥିମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଏଠାରେ ବିଭିନ୍ନ ପ୍ରକାରର ସୁବିଧା ରହିଛି। କୌଣସି ଅତିଥିଙ୍କ ହଠାତ୍ ଦେହ ଖରାପ ହେଲେ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା ମଧ୍ୟ ରହିଥିବା କୁହାଯାଇଛି। ତେବେ ଗୁରୁତର ଅସୁସ୍ଥତା କ୍ଷେତ୍ରରେ ନିକଟସ୍ଥ ଡାକ୍ତରଖାନା କିମ୍ବା ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଏହା ସହିତ ଖାଦ୍ୟ ପାଇଁ ମଧ୍ୟ ରହିଛି ବ୍ୟବସ୍ଥା। ଗ୍ରାହକମାନେ ନିଜ ପସନ୍ଦ ଅନୁଯାୟୀ ବିଭିନ୍ନ ପ୍ରକାର ଖାଦ୍ୟ ପାଇପାରିବେ। ଯାତ୍ରୀମାନଙ୍କ ପାଇଁ ଆଉ ଏକ ବଡ଼ ସୁବିଧା ହେଉଛି ଗାଡ଼ି ପାର୍କିଂ ବ୍ୟବସ୍ଥା। ନିଜ ଗାଡ଼ି ନେଇ ଆସୁଥିବା ଅତିଥିମାନେ ଗାଡ଼ି ରଖିବା ପାଇଁ ସୁବିଧା ପାଇପାରିବେ। ଅର୍ଥାତ୍ ରହିବା, ଖାଇବା, ପାର୍କିଂ ଏବଂ ଆବଶ୍ୟକ ସମୟରେ ପ୍ରାଥମିକ ଚିକିତ୍ସା—ଏଭଳି ବିଭିନ୍ନ ସୁବିଧାକୁ ଏକାଠି କରି ଗ୍ରାହକମାନଙ୍କୁ ସେବା ଦେବା ଉଦ୍ଦେଶ୍ୟରେ ଏହି ଲଜ୍ ଆରମ୍ଭ କରାଯାଇଛି। ହୋଟେଲ ରାଣୀ ଦୀର୍ଘଦିନ ଧରି ଛତାବର ବଜାରରେ ରହିଆସିଥିବାରୁ ଏହି ନୂଆ ଲଜ୍ ସୁବିଧା ଯୋଗ ହେବା ପରେ ଏଠାକୁ ଆସୁଥିବା ଲୋକମାନେ ଅଧିକ ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି। ବିଶେଷକରି ରାତିରେ ଯାତ୍ରା କରୁଥିବା ସମୟରେ କୌଣସି କାରଣରୁ ଆଗକୁ ଯାଇ ନପାରିଲେ, ସୁଲଭ ମୂଲ୍ୟରେ ରହିବା ପାଇଁ ଏହି ଲଜ୍ ଏକ ବିକଳ୍ପ ହୋଇପାରିବ। ତେବେ ଆପଣ ଯଦି ଛାତବର ବଜାର ଦେଇ ଯାତାୟାତ କରୁଛନ୍ତି ଏବଂ ରାତିରେ ରହିବା ପାଇଁ ସ୍ଥାନ ଖୋଜୁଛନ୍ତି, ତେବେ ହୋଟେଲ ରାଣୀର ଏହି ନୂଆ ଲଜ୍ ସୁବିଧା ବିଷୟରେ ଜାଣିପାରିବେ। ଆମେ ଆଶା କରୁଛୁ, ଏହି ନୂଆ ସୁବିଧା ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ଉପଯୋଗୀ ହେବ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଦୀର୍ଘଦିନ ପରେ ରାଜ୍ୟ ସରକାର ଙ୍କ ଦ୍ବାରା ପଟ୍ଟାମୁଣ୍ଡାଇ ପାଳପାଟଣା ଠାରେ ମହାସାହାଣୀ ସେତୁ ନିର୍ମାଣ ପାଇଁ ସରକାର ଙ୍କ ମଞ୍ଜୁର
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତ ପାଳ ପାଟଣା ଠାରେ ସରକାର ଙ୍କ ଦ୍ଵାରା ମହାସାହାଣୀ ସେତୁ ନିର୍ମାଣ ପାଇଁ ସରକାର ମଞ୍ଜୁର କରିଛନ୍ତି, ପାଳ ପାଟଣା ଗ୍ରାମ ଦେଇ ବ୍ରାହ୍ମଣୀ ନଦୀ ଯାଇଅଛି, ଏହି ନଦୀର ପ୍ରାୟ ୧୪ ଟି ପଞ୍ଚାୟତ ବାସୀ ନିର୍ଭର କରିଥାନ୍ତି, ଏହି ନଦୀ ନିର୍ମାଣ ହେଲେ ଲୋକମାନେ ନାହିଁ ନଥିବା ଅସୁବିଧା ରୁ ବଞ୍ଚିତ ହେବେ,ଲୋକ ଙ୍କ ସମସ୍ୟା ଦେଖି ସରକାର ବ୍ୟୟ ଅଟକଳ ମୂଲ୍ୟ ସହିତ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପାଇଁ ପରାମର୍ଶ ଦେଇଛନ୍ତି, ପାଖା ପଞ୍ଚାୟତ ବଲଭଦ୍ରପୂର୍,ସଂସାରଫଳ, ଖଣତା,ଓଉପଦା,ଦୋଷିଆ,ଚନ୍ଦନନଗର ,ଶାସନ, ଡ଼ାମରପୂର୍,ପଞ୍ଚାୟତ ବାସୀ ମାନେ ଭଦ୍ରକ,ଚାନ୍ଦବାଲି, ଆଳୀ ସୀଙ୍ଗିରି ଯିବାପାଇଁ ଆଉ ଦୀର୍ଘ ୨୦ କିଲୋମିଟ ବୁଲି ଯିବାପାଇଁ ପଡ଼ିବ ନାହିଁ, ରାଜ୍ୟ ସରକାର ଯେଉଁ ପଦେକ୍ଷପ ନେଇଛନ୍ତି ତାହା ମଧ୍ୟ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା,ଜିଲ୍ଲା ସଭାପତି ଶଶାଙ୍କ ସେଠୀ, ରାଜନଗର ବିଧାୟକ ପ୍ରାଥି ଲଲିତ ବେହେରା, ଚନ୍ଦନନଗର ଗ୍ରାମ ପଞ୍ଚାୟତ ର ଯୁବ ଲଢୁଆ ନେତା ସମାଜସେବୀ କୃଷକ ମାନଙ୍କ ବିଶ୍ୱାସ ର ପ୍ରତୀକ ତଥା ୧୭ ନମ୍ବର ଜୋନ ର ସଭାପତି ଶ୍ୱାଗତ ଦାସ ଏବଂ ପୂର୍ବରୁ ବହୁ ଆନ୍ଦୋଳନ କୁ ଜାରି ରଖିଥିବା ଗାଁ ଲୋକ ଆଖପାଖ ପଞ୍ଚାୟତ ବାସୀ,ସମାଜସେବୀ , ବୁଦ୍ଧି ଯିବୀ,ଶିକ୍ଷାବିତ୍, ଙ୍କ ଦାବିପୁରଣ ହୋଇଅଛି, ସେଥି ପାଇଁ ୧୪ ଗୋଟି ପଞ୍ଚାୟତ ବାସୀ ଙ୍କ ଜୀବନ ଜୀବିକା ଏବଂ ବ୍ରାହ୍ମଣୀ ନଦୀ ରେ ଯେଉଁ କୁମ୍ଭୀର ଆତଙ୍ଗ ରୁ ରକ୍ଷା ପାଇବା ପିଲା ମାନେ ସ୍କୁଲ, କଲେଜ,ଯିବାରେ ସୁବିଧା ହୋଇପାରିବ ବୋଲି ସାମାଜିକ କ୍ଷେତ୍ରରେ ଆଲୋଚନାର ବିଷୟ ପାଲଟିଛି
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର : କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା

ଅବହେଳିତ ଅବସ୍ଥାରେ ପାରମ୍ପରିକ କୂଅ: ପାନୀୟ ଜଳର ଉତ୍ସ ଏବେ ଅଳିଆ ଗଦା
ଆଧୁନିକତାର ସ୍ପର୍ଶ ଓ ନଳକୂପ, ପାଇପ୍ ଜଳର ବ୍ୟବହାର ବୃଦ୍ଧି ପାଇବା ପରେ ଗାଁ ଗହଳିରୁ ଧୀରେ ଧୀରେ ହଜିବାକୁ ବସିଲାଣି ପାରମ୍ପରିକ କୂଅ। ଦିନ ଥିଲା, ଯେଉଁ କୂଅ ଗାଁ ଲୋକଙ୍କ ଜଳତୃଷ୍ଣା ନିବାରଣ କରୁଥିଲା, ଶୁଷ୍କ ଗ୍ରୀଷ୍ମ ଛାତିରେ ପାନୀୟ ଜଳ ଯୋଗାଇ ଗାଁର ଜୀବନରେଖା ସାଜିଥିଲା, ସେହି କୂଅ ଆଜି ନିଜ ସତ୍ତା ହରାଇ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ସମ୍ପ୍ରତି ଏହି କୂଅଗୁଡ଼ିକ ମରାମତି ଓ ସଫେଇ ଅଭାବରୁ ବ୍ୟବହାରହୀନ ହୋଇପଡ଼ିଥିବା ବେଳେ ଲୋକେ ଏହାକୁ ଅଳିଆ ଆବର୍ଜନା ପକାଇବା ସ୍ଥାନ ଭାବେ ବ୍ୟବହାର କରୁଛନ୍ତି। କୂଅ ଭିତରେ ଶୁଖିଲା ପତ୍ର, ପ୍ଲାଷ୍ଟିକ୍, ଓ ବ୍ୟବହୃତ ବର୍ଜ୍ୟବସ୍ତୁ ଜମା ହୋଇ ରହିବା ଫଳରେ ଏହା ଅଳିଆ ଗଦାରେ ପରିଣତ ହୋଇଛି। ଗ୍ରାମାଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଉଥିବା ସମୟରେ ଏଭଳି ପାରମ୍ପରିକ ଜଳ ଉତ୍ସଗୁଡ଼ିକର ବିନାଶ ପରିବେଶ ଓ ଜଳ ସଂରକ୍ଷଣ ପ୍ରତି ବଡ଼ ଆଶଙ୍କା ସୃଷ୍ଟି କରୁଛି। ଯଦି ଏହି କୂଅଗୁଡ଼ିକର ପୁନରୁଦ୍ଧାର କରାଯାଇ ସଫା ରଖାଯାଆନ୍ତା, ତେବେ ଜଳସଙ୍କଟ ସମୟରେ ଏହା ବହୁତ ସହାୟକ ହୋଇପାରନ୍ତା। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀ ସଚେତନ ହୋଇ ପାରମ୍ପରିକ କୂଅଗୁଡ଼ିକର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ

ସ୍ୱାସ୍ଥ୍ୟ ଏବଂ ପୋଷଣ ବିଶେଷଜ୍ଞଙ୍କ ଅନୁସାରେ ସଜନା ଶାଗକୁ ଏକ 'ସୁପରଫୁଡ୍' (Superfood) ଭାବେ ଗ୍ରହଣ କରାଯାଏ
ସଜନା ଶାଗ ଖାଇବାର ମୁଖ୍ୟ ଉପକାରିତାଗୁଡ଼ିକ ପୋଷକ ତତ୍ତ୍ୱରେ ଭରପୂର: ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ସି, କ୍ୟାଲସିୟମ୍, ଆଇରନ୍ ଏବଂ ପ୍ରୋଟିନ୍ ରହିଥାଏ। ରକ୍ତହୀନତା (Anemia) ଦୂର ଆଇରନ୍ର ପରିମାଣ ଅଧିକ ଥିବାରୁ ଏହା ଶରୀରରେ ରକ୍ତର ଅଭାବ ଦୂର କରିବାରେ ସାହାଯ୍ୟ କରେ। ଡାଏବେଟିସ୍ (ସୁଗାର) ନିୟନ୍ତ୍ରଣ: ସଜନା ଶାଗ ନିୟମିତ ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ (Blood Sugar Level) ନିୟନ୍ତ୍ରିତ ରହିଥାଏ। ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରୋଲ୍ ହ୍ରାସ: ଏହା କୋଲେଷ୍ଟ୍ରୋଲ୍ ଏବଂ ରକ୍ତଚାପ (BP) କମାଇ ହୃଦ୍ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ପାଚନ କ୍ରିୟା ମଜବୁତ୍: ଏଥିରେ ଫାଇବର୍ ଥିବାରୁ ପେଟ ସମସ୍ୟା, ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଦୂର ହୁଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀରର ଇମ୍ୟୁନିଟି (Immunity) ବଢ଼ାଇବା ସହ ରୋଗ ସଂକ୍ରମଣରୁ ବଞ୍ଚାଏ। ହାଡ଼ ଏବଂ ଆଖି ପାଇଁ ହିତକର: କ୍ୟାଲସିୟମ୍ ଓ ଭିଟାମିନ୍ A ଥିବାରୁ ଏହା ହାଡ଼କୁ ଶକ୍ତ କରେ ଏବଂ ଆଖିର ଜ୍ୟୋତି ବୃଦ୍ଧି କରେ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼
