--:--:--
-- ---
Srishti News

ଗଞ୍ଜାମରୁ ଗଜପତି ଓ ଆନ୍ଧ୍ର ପାତ୍ରପୁରରେ ବାଲି ମାଫିଆଙ୍କ 'ମେଗା ନେଟୱାର୍କ' ? ତୁରୁବୁଡ଼ି ପଞ୍ଚାୟତରେ ବେଆଇନ ବାଲି ଡମ୍ପିଂ; ଦିନ ଦ୍ୱିପ୍ରହରରେ ଲୁଟ୍ ହେଉଛି ଲକ୍ଷାଧିକ ଟଙ୍କାର ରାଜସ୍ୱ

Ganjam (ଗଞ୍ଜାମ)Deepak ChoudhurySeptember 20, 202634 views
ଗଞ୍ଜାମରୁ ଗଜପତି ଓ ଆନ୍ଧ୍ର ପାତ୍ରପୁରରେ ବାଲି ମାଫିଆଙ୍କ 'ମେଗା ନେଟୱାର୍କ' ? ତୁରୁବୁଡ଼ି ପଞ୍ଚାୟତରେ ବେଆଇନ ବାଲି ଡମ୍ପିଂ; ଦିନ ଦ୍ୱିପ୍ରହରରେ ଲୁଟ୍ ହେଉଛି ଲକ୍ଷାଧିକ ଟଙ୍କାର ରାଜସ୍ୱ
ପାତ୍ରପୁର:୧୯/୯ : ଗଞ୍ଜାମ ଜିଲ୍ଲାରେ ବେଆଇନ ଖଣିଜ ଲୁଟ୍ ରୋକିବା ପାଇଁ ପ୍ରଶାସନର ଦାବି ଯେତିକି ଉଚ୍ଚାରିତ, ବାସ୍ତବ ଚିତ୍ର ସେତିକି ବିପରୀତ। ଖଣି ମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର ସୀମାନ୍ତ ଅଞ୍ଚଳ ଏବେ ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି। ବିଶେଷ କରି ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ତୁରୁବୁଡ଼ି ପଞ୍ଚାୟତରେ ଦିନ ଦ୍ୱିପ୍ରହରରେ ଚାଲିଛି ଖୋଲା ଲୁଟ୍। ସ୍ଥାନୀୟ ନଦୀପଠାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ତୁରୁବୁଡ଼ି ଅଞ୍ଚଳର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ପାହାଡ଼ ଭଳି ବାଲି ଡମ୍ପିଂ କରି ରଖାଯାଉଛି। ଏହାପରେ ପ୍ରଶାସନର ଆଖିରେ ଧୂଳି ଦେଇ ଲକ୍ଷ ଲକ୍ଷ ଟଙ୍କାର ବାଲି ପଡ଼ୋଶୀ ଗଜପତି ଜିଲ୍ଲା ଏବଂ ସୀମାନ୍ତ ଡେଇଁ ଆନ୍ଧ୍ରପ୍ରଦେଶକୁ ଅହରହ ଚାଲାଣ କରାଯାଉଛି। କିଭଳି ଚାଲିଛି ଏହି ମାଫିଆ ସିଣ୍ଡିକେଟ୍ ? ନଦୀପଠାରୁ ଟ୍ରାକ୍ଟର ଯୋଗେ ବାଲି ବୋହି ତୁରୁବୁଡ଼ି ପଞ୍ଚାୟତର ନିର୍ଜନ ତଥା ସୁବିଧାଜନକ ସ୍ଥାନରେ ଗଦା କରାଯାଉଛି। ସରକାରୀ ନିୟମ ଅନୁସାରେ କୌଣସି ବୈଧ ଲିଜ୍ କିମ୍ବା ଡମ୍ପିଂ ଅନୁମତି ନଥାଇ ଏହି ଗୋଦାମ ଚାଲିଛି। ଅନ୍ତଃରାଜ୍ୟ ଚାଲାଣ ? ଗଚ୍ଛିତ ବାଲିକୁ ହାଇୱା ଏବଂ ୧୦ ଚକିଆ ଟ୍ରକରେ ଲୋଡ୍ କରାଯାଇ ନିୟମିତ ଭାବେ ଗଜପତି ଏବଂ ସୀମାପାର କରାଇ ଆନ୍ଧ୍ରପ୍ରଦେଶ ପଠାଯାଉଛି। ପ୍ରତିଦିନ ସରକାର ହରାଉଛନ୍ତି ଲକ୍ଷାଧିକ ଟଙ୍କାର ରୟାଲ୍ଟି ଏବଂ ରାଜସ୍ୱ। ଅନ୍ୟପଟେ ମାଫିଆମାନେ ରାତାରାତି ମାଲାମାଲ୍ ହେଉଛନ୍ତି ? ଜନଜୀବନ ଅସ୍ତବ୍ୟସ୍ତ ? ଦିନ ଦ୍ୱିପ୍ରହରରେ ବେପରୁଆ ଭାବେ ଦ୍ରୁତଗତିରେ ଚଳାଚଳ କରୁଥିବା ଓଭରଲୋଡେଡ୍ ଗାଡ଼ି ଯୋଗୁଁ ଗ୍ରାମ୍ୟ ରାସ୍ତାଘାଟ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣାର ଆଶଙ୍କା ଲାଗି ରହୁଛି।କାହା ଛତ୍ରଛାୟାରେ ଏହି କାରବାର ? ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ସ୍ଥାନୀୟ ରାଜସ୍ୱ ବିଭାଗ, ତହସିଲ ପ୍ରଶାସନ ଏବଂ ପୋଲିସ ଏ ବିଷୟରେ ଜାଣିଶୁଣି ଅନ୍ଧ ପାଲଟିଛନ୍ତି କି ? ଚେକ୍‌ପୋଷ୍ଟ ଏବଂ ପ୍ରଶାସନିକ ନଜର ଥାଇ ମଧ୍ୟ ସୀମା ପାର ହୋଇ ଆନ୍ଧ୍ରପ୍ରଦେଶକୁ ଶହ ଶହ ଟ୍ରକ୍ ବାଲି କିଭଳି ଯାଉଛି ? ରାଜ୍ୟରେ 'ଡବଲ ଇଞ୍ଜିନ ସରକାର' ଏବଂ 'ଶୂନ୍ୟ ସହନଶୀଳତା'ର ବାର୍ତ୍ତା ଭିତରେ ମନ୍ତ୍ରୀଙ୍କ ନିଜ ଘର ସାମ୍ନାରେ ଏଭଳି ଖୁଲମଖୁଲା ଡକାୟତି ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। କେବଳ କାଗଜପତ୍ରରେ ଚଢ଼ାଉ ନାମରେ ଫମ୍ପା ଡିଣ୍ଡିମ ନପିଟି, ତୁରୁବୁଡ଼ିର ଏହି ବେଆଇନ ବାଲି ଗଦା ଉପରେ ପ୍ରଶାସନ କେବେ ବୁଲଡୋଜର ଚଳାଇବ, ତାହା ଉପରେ ଏବେ ସମଗ୍ର ଦକ୍ଷିଣ ଓଡ଼ିଶାର ନଜର।