--:--:--
-- ---
Srishti News

Web News

ଇସ୍ପାତ ଫିଟନେସ ପାଥ୍ ଠାରେ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଓ ଅଟଳ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ
Sep 20, 2026•16 views

ଇସ୍ପାତ ଫିଟନେସ ପାଥ୍ ଠାରେ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଓ ଅଟଳ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ରାଉରକେଲା: ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟନେସ ପାଥ୍ ଠାରେ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଓ ଅଟଳ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଥ୍ ର ସଭାପତି ଅକ୍ଷୟ ରାଉତଙ୍କ ଆବାହକତ୍ୱରେ ଆୟୋଜିତ ଏହି ନିଃଶୁଳ୍କ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ଡାକ୍ତର ଶିବରକଲ, ଡାକ୍ତର ଶଙ୍କର ସୁବୁଦ୍ଧି ଓ ନାଡି ଶୋଧନ ଡାକ୍ତର ଜଗଦିଶ ପଶାୟତ ପ୍ରମୁଖ ଶତାଧିକ ବ୍ୟକ୍ତିଙ୍କର ରକ୍ତଚାପ, ମଧୁମେହ,ହୃଦୟ ଓ ନାଡି ଶୋଧନ ଆଦି ପରୀକ୍ଷା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ସେହିପରି ଅଟଳ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଗଣେଶ ଜୟସିଂହ ଓ ଲିଲିମା ଜୟସିଂହ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫିଟନେସ ପାଥ୍ ଅଞ୍ଚଳକୁ ସଫେଇ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିକାଶ ଚନ୍ଦ୍ର ରାଉତରାୟ, ଅବକାଶ ବେହେରା, ଜ୍ଞାନରଞ୍ଜନ ଦାସ, ସଞ୍ଜୟ ସାହୁ,ଡ ସୁମନ ଦତ୍ତ,ଅଜୟ ପୂଜାରୀ, ରାଜକିଶୋର ଯୋଶୀ, ବିଷ୍ଣୁ ବେହେରା,ଏମଡି ଦାଉଦ୍, ପ୍ରଫୁଲ୍ଲ ଦାସ,ବିଦ୍ୟାଧର ଜେନା,ଡିମ୍ପଲ ଆନନ୍ଦ, ରମେଶ ଯାଦବ, ନାରାୟଣ ସିଂହ, ନିରଞ୍ଜନ ପଟେଲ ପ୍ରମୁଖ ସହଯୋଗ କରିଥିଲାବେଳେ ଶତାଧିକ ବ୍ୟକ୍ତି ଏହି ସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ରାମକୃଷ୍ଣ ମିଶନ ତରଫରୁ ବିବେକାନନ୍ଦ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ
Sep 20, 2026•7 views

ରାମକୃଷ୍ଣ ମିଶନ ତରଫରୁ ବିବେକାନନ୍ଦ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ

ରାଉରକେଲା: ସହରର ହମିରପୁର ସ୍ଥିତ ରାମକୃଷ୍ଣ ମିଶନ ତରଫରୁ ବିବେକାନନ୍ଦ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଆର୍ଥିକ ଅନଗ୍ରସର ଓ ହମିରପୁର ଗ୍ରାମବାସୀଙ୍କୁ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାମକୃଷ୍ଣ ସଂଘ ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମିଶନ ଠାରୁ ୨ ଶହ ମିଟର ଦୂରରେ ଏଥିପାଇଁ ସ୍ଥାନଟିଏ କିଣାଯାଇ ବେଲୁର ମଠର ସଭ୍ୟ ତଥା ସହାୟକ ସାଧାରଣ ସମ୍ପାଦକ ସ୍ବାମୀ ବୋଧସରନନ୍ଦଜୀ ଗତ ୨୦୧୬ ଜାନୁଆରୀ ମାସରେ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ଗତ ୧୮ ତାରିଖ ଦିନ ଉକ୍ତ କେନ୍ଦ୍ରକୁ ତାଙ୍କରି ହାତରେ ଏହାର ଶୁଭ ଉଦ୍ଘାଟନ କରାଯାଇଛି। ପ୍ରାୟ ହଜାର ବର୍ଗଫୁଟ ସ୍ଥାନରେ ନିର୍ମିତ ଏହି ଦ୍ବିତାଲା କେନ୍ଦ୍ରର ଉପର ମହଲାରେ ସାଧୁ ଓ କର୍ମଚାରୀଙ୍କ ପାଇଁ ନିବାସ କରାଯିବ ଏବଂ ତଳ ମହଲାରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିବ ‌। ଏଥିରେ ଫିଜିଥେରାପି ପାଇଁ ସମସ୍ତ ବ୍ୟବସ୍ଥା ରହିବ। ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଉଦଘାଟନ ପର୍ବରେ ସିଟି ଇଂରାଜୀ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଦେବଜ୍ୟୋତି ରାୟଙ୍କ ସଂଯୋଜନାରେ ଏକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ମୁଖ୍ୟ ଭାବେ ସ୍ବାମୀ ବୋଧସରାନନ୍ଦ ଯୋଗଦେଇ ରାମକୃଷ୍ଣ ମିଶନର ବୈଶିଷ୍ଟ୍ୟ, ବିଶ୍ଵଶାନ୍ତି ପାଇଁ ଅବଦାନ, ରାମକୃଷ୍ଣ ଓ ବିବେକାନନ୍ଦଙ୍କ ସନାତନ ଅଦ୍ଵୈତ ବେଦାନ୍ତର ବିଶ୍ବବ୍ୟାପୀ ପ୍ରଚାର ପ୍ରସାର ପାଇଁ ଉଦ୍ୟମ, ଭୁବନେଶ୍ୱର ର ୧୧୫ ବର୍ଷର ପୁରାତନ ରାମକୃଷ୍ଣ ମଠ ଓ ମିଶନର ଅଧ୍ୟକ୍ଷ ସ୍ବାମୀ ଆତ୍ମପ୍ରଭାନନ୍ଦ ମୁଖ୍ୟତଃ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ବିବେକାନନ୍ଦଙ୍କ ବାଣୀର ଅବତାରଣା ସହ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ରାଉରକେଲା ମିଶନ ର ସାଧୁ ମଣ୍ଡଳୀ ସ୍ବାମୀ ଆତ୍ମପ୍ରଭାନନ୍ଦ, ସ୍ବାମୀ ପୂଜାନନ୍ଦ,ସ୍ବାମୀ ଗୋଲକାନନ୍ଦ, ସ୍ବାମୀ ସୁଧାନନ୍ଦ ବୈଦିକ ଶ୍ଲୋକ ଆବୃତ୍ତି କରିଥିଲେ। ଅନୁଷ୍ଠାନର ମୁଖ୍ୟ ସ୍ବାମୀ ଦିବ୍ୟସ୍ବରୂପାନନ୍ଦ ସ୍ବାଗତ ଭାଷଣ ସହ ଅନୁଷ୍ଠାନ ପ୍ରତି ବିଶେଷ ଅବଦାନ ରଖିଥିବା ଅର୍ଜୁନ ପୁରସ୍କାର ପ୍ରାପ୍ତ ରମେନ ଘୋଷ, ସ୍ବାମୀ ବୋଧସରାନନ୍ଦ, ଭୁବନେଶ୍ୱର ମଠର ଅଧ୍ୟକ୍ଷ ସ୍ବାମୀ ଆତ୍ମପ୍ରଭାନନ୍ଦ ଓ ଅନୁଷ୍ଠାନର ସଭାପତି ଭାରତ ଭୁଷଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସିଟି ଇଂରାଜୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ବାରା ଭାରତମାତା ଙ୍କୁ ନିବେଦିତ ଏକ ନୃତ୍ୟ,ତିତିଲି ବାଚିକ ଶିଳ୍ପ କେନ୍ଦ୍ରର ପରିଚାଳକ ପଲ୍ଲବ ଚାଟାର୍ଜୀ ଓ ସୁଚିସ୍ମିତା ବିଶ୍ୱାସଙ୍କ ନିର୍ଦ୍ଦେଶନାରେ ବିବେକାନନ୍ଦଙ୍କ ଏକ ଗୁଢ ଭାବପୂର୍ଣ୍ଣ କବିତା ଆମ୍ବା ମାନୁଷୋ ଗୋଚରମ ଆଧାରରେ ଏକ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା। ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ମହାନ୍ତି ଆଧ୍ୟାତ୍ମିକତା ଓ ଧର୍ମ ମଧ୍ୟରେ ଥିବା ପାର୍ଥକ୍ୟ , ରାମକୃଷ୍ଣ ମିଶନର ବିଶ୍ବର ସବୁଠାରୁ ଅଧିକ ପ୍ରାୟ ୩୫୦ ସଂଖ୍ୟକ ଶାଖା ଥିବା ଆଧ୍ୟାତ୍ମିକ ଅନୁଷ୍ଠାନ ସମ୍ପର୍କରେ କହିବା ସହ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୬ ଜଣ ମହାରାଜ ଙ୍କ ସହ ଭୁବନେଶ୍ୱର ରୁ ସ୍ବାମୀ ଜୀବାନାଥାନନ୍ଦ, କଟକ ରୁ ସ୍ବାମୀ ସର୍ବମଙ୍ଗଳାନନ୍ଦ ଯୋଗ ଦେଇଥିଲେ। କଟକ ଶାଖାର ମହାରାଜ ମୁଖ୍ୟଅତିଥି ଙ୍କ ଅଭିଭାଷଣ କୁ ସଂକ୍ଷିପ୍ତରେ ଓଡିଆରେ ବଖାଣିଥିଲେ। ସନ୍ଧ୍ୟାରେ ସ୍ବାମୀ ସ୍ବରୁପାନନ୍ଦ ଓ ସ୍ବାମୀ ଆତ୍ମପ୍ରଭାନନ୍ଦ ଙ୍କ ସହ ଅନ୍ୟମାନେ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ସ୍ବାମୀ ବୋଧସରାନନ୍ଦ ୩ଟି ଗଦାଧର ଅଭ୍ୟୁଦୟ ସଂକଳ୍ପ ପରିଦର୍ଶନ କରିଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣା: ମୈଦଲପୁର ବନପାଳ ନିଲମ୍ବିତ
Sep 20, 2026•12 views

ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣା: ମୈଦଲପୁର ବନପାଳ ନିଲମ୍ବିତ

ନବରଙ୍ଗପୁର, ୨୦/୯ : ବିନା ଅନୁମତିରେ ରାସ୍ତା ପ୍ରଶସ୍ତୀକରଣ ନାଁରେ ୨୦ଟି ନୀଳଗିରି ଗଛ କାଟିବା ଘଟଣାରେ ତତ୍କାଳୀନ ଝରିଗାଁ ବନପାଳ ତଥା ମୈଦଲପୁର ବନପାଳ ବିପିନ ହରିଜନଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ନବରଙ୍ଗପୁର ଡିଏଫଓ ଉଦୟନ ସୁବୁଦ୍ଧି। ଏଥିସହ ନିଲମ୍ବିତ ଫରେଷ୍ଟରଙ୍କୁ ଡିଏଫଓ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ବିନା ଅନୁମତିରେ ସେ ଜିଲ୍ଲା ସଦର ମହକୁମା ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ସୂଚନା ଅନୁସାରେ, ଝରିଗାଁ ରେଞ୍ଜ ଅଞ୍ଚଳର ଚନ୍ଦାହାଣ୍ଡି ବ୍ଳକର ଦେଓବନ୍ଧ ଠାରୁ ଜାମାପଦର ରାସ୍ତାର ପ୍ରଶସ୍ତୀକରଣ ଚାଲିଥିବା ବେଳେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଶ୍ରୀ ହରିଜନ ୨୦ଟି ନୀଳଗିରି ଗଛକାଟି ବେପାରୀଙ୍କ ହାତକୁ ଟେକି ଦେଇଥିଲେ। ଏଥିରେ ଅର୍ଥ କାରବାର ହୋଇଥିଲା। ଅନ୍ୟପକ୍ଷରେ ସଂପୃକ୍ତ ଅଞ୍ଚଳରେ ରାସ୍ତା ପ୍ରଶସ୍ତୀକରଣ ପାଇଁ କୌଣସି ବିଭାଗ ପକ୍ଷରୁ ବନବିଭାଗକୁ ଅନୁମତି ମଗାଯାଇ ନଥିଲା। ସ୍ଥାନୀୟ ଲୋକେ ନିଜ ଇଚ୍ଛାରେ ରାସ୍ତା ପାର୍ଶ୍ଵରେ ୨୦ଟି ନୀଳଗିରି ଗଛ ଲଗାଇଥିବା ବେଳେ ଫରେଷ୍ଟର ପଦା କରିଦେଇଥିଲେ। ଏନେଇ ଅଭିଯୋଗ ପରେ ଡିଏଫଓ ଶ୍ରୀ ସୁବୁଦ୍ଧି ବନପାଳ ଶ୍ରୀ ହରିଜନଙ୍କୁ ଗତ ୨ ତାରିଖ ଦିନ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ | ତେବେ ବନପାଳ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ତାଙ୍କୁ ଚାକିରିରୁ ଚା ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି କହିଛନ୍ତି ବନପାଳ ଶ୍ରୀ ହରିଜନ ବନପାଳ କହିବା ହେଲା ତାଙ୍କର ଝରିଗାଁ ରେଞ୍ଜରଙ୍କ ସହ ଝଗଡ଼ା ହେବା ପରେ ଗତ ଅଗଷ୍ଟ ୪ ତାରିଖରେ ତାଙ୍କୁ ମୈଦଲପୁରକୁ ବଦଳି କରାଯାଇଥିଲା। ତେଣୁ ଗଛ କାଟିବା ଘଟଣାରେ କିମ୍ବା ଗଛକାଟି ବିକ୍ରି ଘଟଣାରେ ତାଙ୍କର ସମ୍ପୃକ୍ତ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବନପାଳ ବିପିନ ହରିଜନଙ୍କ ବଦଳି ପରେ ବି ସେ ଦାୟିତ୍ଵ ଦେଇନଥିଲେ। ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ପାଇବା ପରେ ଡିଏଫଓ ପଦକ୍ଷେପ ନେଇଛନ୍ତି। ଅଧିକା ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଏସିଏଫଓ ସୁବାସ ଚନ୍ଦ୍ର ଖୁଣ୍ଟିଆ।

Nabarangpur (ନବରଙ୍ଗପୁର) • ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ୍ ନବରଙ୍ଗପୁର

ଜୋନ ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ
Sep 20, 2026•8 views

ଜୋନ ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୨ ନମ୍ବର ଜୋନର ସଭାପତି ମାନସ ପଟ୍ଟନାୟକଙ୍କ ନେତୃତ୍ୱରେ ଏବଂ ଲକ୍ଷ୍ମଣ ମଙ୍ଗରାଜଙ୍କ ସଭାପତିତ୍ୱରେ ଡିଆ ପଞ୍ଚାୟତସ୍ଥିତ ଲୋକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜୋନସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଯୋଗଦେଇ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ସାଂଗଠନିକ କାର୍ଯ୍ୟକଳାପ ଓ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ, ବ୍ଲକ୍ ସଭାପତି ଶିଶିର ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଶେଖ ସାଜିଦ, ସାଦିକ ଖାନ, ପୂର୍ଣ୍ଣଚନ୍ଦ୍ର ବେହେରା, ମନୋଜ ପଟ୍ଟନାୟକ, ବୁଲୁ ରାଉତ, ସର୍ବେଶ୍ୱର ମଲ୍ଲିକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ,ଖୋର୍ଦ୍ଧା

ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ୧୨ତମ OAV ପ୍ରତିଷ୍ଠା ଦିବସ ‘SPARK-2026’: ୧୧ଟି ପୁରସ୍କାର ସହ ଚାମ୍ପିଅନ୍ ଟ୍ରଫି ହାତେଇଲା OAV ଜାହାରିଟୋଲି
Sep 20, 2026•9 views

ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ୧୨ତମ OAV ପ୍ରତିଷ୍ଠା ଦିବସ ‘SPARK-2026’: ୧୧ଟି ପୁରସ୍କାର ସହ ଚାମ୍ପିଅନ୍ ଟ୍ରଫି ହାତେଇଲା OAV ଜାହାରିଟୋଲି

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ‘SPARK-2026’ କାର୍ଯ୍ୟକ୍ରମ OAV ତେଲିପୋଷ, କୁଆରମୁଣ୍ଡାଠାରେ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୧୮ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ନୋଡାଲ୍ ପ୍ରିନ୍ସିପାଲ୍ ଶ୍ରୀ ପି.କେ. ପାଲେଇଙ୍କ ମାର୍ଗଦର୍ଶନ ଏବଂ ଆୟୋଜକ ବିଦ୍ୟାଳୟ OAV ତେଲିପୋଷର ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଉଦ୍‌ଘାଟନୀ ସମାରୋହରେ ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସମାପନୀ ସମାରୋହରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ଓ ବିଦ୍ୟାଳୟମାନଙ୍କୁ ପୁରସ୍କୃତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି OAV ଜାହାରିଟୋଲି, ନୂଆଗାଁ ବ୍ଲକ୍ ୧୧ଟି ପୁରସ୍କାର ହାସଲ କରି ଜିଲ୍ଲାସ୍ତରୀୟ ଚାମ୍ପିଅନ୍ ଟ୍ରଫି ଅର୍ଜନ କରିଛି। ଏହା ଲଗାତାର ଦ୍ୱିତୀୟ ଥର ପାଇଁ OAV ଜାହାରିଟୋଲିର ଏହି ଗୌରବମୟ ସଫଳତା। ଏହା ପୂର୍ବରୁ ୨୦୨୪ ମସିହାରେ ମଧ୍ୟ ବିଦ୍ୟାଳୟଟି ଚାମ୍ପିଅନ୍ ଟ୍ରଫି ହାସଲ କରିଥିଲା। ଏହି ସଫଳତା ପରେ OAV ଜହାରୀଟୋଲିର ଅଧ୍ୟକ୍ଷା ଶ୍ରୀମତୀ ନମିତା ପ୍ରଧାନ ଏହାର ସମସ୍ତ ଶ୍ରେୟ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ଏବଂ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମକୁ ଦେଇଛନ୍ତି। ଶିକ୍ଷକମାନଙ୍କର ନିରନ୍ତର ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଉତ୍ସର୍ଗୀକୃତ ପ୍ରୟାସ ଫଳରେ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। OAV ଜହରିଟୋଲିର ଏହି ଗୌରବମୟ ସଫଳତା ନୂଆଗାଁ ବ୍ଲକ୍ ପାଇଁ ଗୌରବ ଓ ଆନନ୍ଦର ବିଷୟ ପାଲଟିଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଏହି ସଫଳତାକୁ ନେଇ ଉତ୍ସାହ ପ୍ରକାଶ ପାଇଛି।

Rourkela (ରାଉରକେଲା) • Reports: Ganapati Das

ନୁଆଁଖାଇ ଭେଟଘାଟ ପାଇଁ ଗଣ୍ଡ ସମାଜର ପ୍ରସ୍ତୁତି ବୈଠକ
Sep 20, 2026•26 views

ନୁଆଁଖାଇ ଭେଟଘାଟ ପାଇଁ ଗଣ୍ଡ ସମାଜର ପ୍ରସ୍ତୁତି ବୈଠକ

ଆଗାମୀ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ନେଇ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କୋକସରା ଧାନ ମଣ୍ଡି ନିକଟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଚତୁର୍ଭୁଜ ବୁଢ଼ାଦେଓଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ବୈଠକ ଆରମ୍ଭ ହୋଇଥିଲା। ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ମହେଶ୍ୱର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅବସରପ୍ରାପ୍ତ ଶିକ୍ଷକ ରାମ ପ୍ରସାଦ ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ କୋକସରା ବ୍ଲକ ଗଣ୍ଡ ସମାଜର ସଭାପତି ନନ୍ଦକିଶୋର ଧରୁଆ, ଉପସଭାପତି ମହେନ୍ଦ୍ର କୁମାର ଧରୁଆ, ସମ୍ପାଦକ ନେତ୍ରାନନ୍ଦ ଧରୁଆ, ସହସମ୍ପାଦକ ତ୍ରିନାଥ ପୋଟା କୋଷାଧ୍ୟକ୍ଷ ଜୟସିଙ୍ଗ ମାଝୀ ପ୍ରଶ୍ନକୁମାର ନାଏକ, ବିଦେଶୀ ଧରୁଆ, ପବିତ୍ର ମାଝୀ, ଜଗମୋହନ ନାଏକ, ନିରଞ୍ଜନ ମାଝୀ, ଚତୁର୍ଭୁଜ ମାଝୀ ପଞ୍ଚାନନ ମାଝୀ ଦୂତିଆ ମାଝୀ କାମଦେବ ପୋଟା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଆଗାମୀ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ଆୟୋଜନ କରିବା, ସମାଜର ସମସ୍ତ ପରିବାରକୁ ଏଥିରେ ସାମିଲ କରିବା ଏବଂ ଭାଇଚାରା, ସାମାଜିକ ଏକତା ଓ ପରମ୍ପରାକୁ ଆହୁରି ମଜବୁତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ କାର୍ଯ୍ୟକ୍ରମର ବିଭିନ୍ନ ପ୍ରସ୍ତୁତି ଓ ଦାୟିତ୍ୱ ବଣ୍ଟନ ନେଇ ମଧ୍ୟ ମତାମତ ଗ୍ରହଣ କରାଯାଇଥିଲା।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ, କୋକସରା

ଫ୍ରେଣ୍ଡସିପ କ୍ଲବ ର ଗଣେଶ ମହୋତ୍ସବ ଉଦଘାଟିତ
Sep 20, 2026•7 views

ଫ୍ରେଣ୍ଡସିପ କ୍ଲବ ର ଗଣେଶ ମହୋତ୍ସବ ଉଦଘାଟିତ

ଢେ଼ଙ୍କାନାଳ ୨୦.୯- ଭୁବନର ପ୍ରସିଦ୍ଧ ଗଣେଶ ପୂଜାରେ ଫ୍ରେଣ୍ଡସିପ କ୍ଲବ୍ ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଚଳିତ ବର୍ଷ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃନ୍ଦାବନ ପ୍ରେମ ମନ୍ଦିର କରି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି। ଶନିବାର ସନ୍ଧ୍ୟାରେ କ୍ଲବ୍ ର ଗଣେଶ ମହୋତ୍ସବ ଉଦଘାଟିତ ହୋଇଯାଇଛି। ସଭାପତି ଜୀବନ ଜ୍ୟୋତି ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ବିକାଶ କୁମାର ମହାନ୍ତି,ତହସିଲଦାର ଜ୍ୟୋତିରୂପା ଶତପଥୀ,ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ପ୍ରମୁଖ ଯୋଗଦେଇ ଫ୍ରେଣ୍ଡସିପ କ୍ଲବ୍ କୁ ଭୁୟସୀ ପ୍ରଶଂସା କରିଥିଲେ । ପରେ ଜାଭେଦ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ପାତିକାରପଲ୍ଲୀରେ ଭୟାବହ ଗୋଷ୍ଠୀ ସଂଘର୍ଷ  ଭୁଜାଲି ଓ ଛୁରୀ ମାଡ଼ରେ ୮ ଜଣ ଆହତ, ୨ ଜଣ ବୁର୍ଲା ସ୍ଥାନାନ୍ତର
Sep 20, 2026•10 views

ପାତିକାରପଲ୍ଲୀରେ ଭୟାବହ ଗୋଷ୍ଠୀ ସଂଘର୍ଷ ଭୁଜାଲି ଓ ଛୁରୀ ମାଡ଼ରେ ୮ ଜଣ ଆହତ, ୨ ଜଣ ବୁର୍ଲା ସ୍ଥାନାନ୍ତର

ବରଗଡ଼: ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡ଼ିଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇ ଗଣ୍ଡଗୋଳରେ ପରିଣତ ହୋଇଥିଲା। ସୂଚନା ଅନୁଯାୟୀ, ବଚସା ବଢ଼ିବା ପରେ ଉଭୟ ପକ୍ଷର ଲୋକେ ମାରଣାସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ଭୁଜାଲି ଓ ଛୁରୀ ମାଡ଼ରେ ଅତି କମ୍‌ରେ ୮ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ଭୀମସାର (VIMSAR)କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ବରଗଡ଼ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଗଣ୍ଡଗୋଳର ପ୍ରକୃତ କାରଣ କଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଓ ପଚରାଉଚରା ଜାରି ରହିଛି।

Bargarh (ବରଗଡ଼) • Reports: Satya Surujal

ବାରକୋଟ ବ୍ଲକ ର ବାରକୋଟ ଥାନା ଅନ୍ତର୍ଗତ ମରଡଙ୍ଗ ଗ୍ରାମରେ ପୋଲିସ୍ ଦ୍ୱାରା ଜାଲ୍ ନୋଟ୍ ଜବତ ଓ ୨ ଗିରଫ
Sep 20, 2026•123 views

ବାରକୋଟ ବ୍ଲକ ର ବାରକୋଟ ଥାନା ଅନ୍ତର୍ଗତ ମରଡଙ୍ଗ ଗ୍ରାମରେ ପୋଲିସ୍ ଦ୍ୱାରା ଜାଲ୍ ନୋଟ୍ ଜବତ ଓ ୨ ଗିରଫ

ଦେବଗଡ଼:- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଏବଂ ବାରକୋଟ ଥାନା ଅଧିନସ୍ଥ ମରଡଙ୍ଗ ଗ୍ରାମର ଏକ ଦୋକାନ ରୁ ଚୋରି ଏବଂ ଜାଲ୍ ନୋଟ୍ କାରବାର ଘଟଣାରେ ପୋଲିସ ୨ ଜଣଙ୍କୁ ଶନିବାର ଦିନ ଗିରଫ କରିଛି। ଗିରଫ ଅଭିଯୁକ୍ତ ୨ ଜଣ ହେଲେ ମରଡଙ୍ଗ ଗ୍ରାମର ଅନିଲ୍ କୁମାର ସାହୁ (୩୫) ଏବଂ ରବି ଦାସ୍ (୧୯) । ସେମାନଙ୍କ ନିକଟରୁ ୬ଟି ନକଲି ୫୦୦ ଟଙ୍କିଆ ନୋଟ୍, ୮୫୦୦ ଟଙ୍କା, ଗୋଟିଏ ବାଇକ୍ (ନଂ OD02 AF-9292) ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ ଅନିଲ ନକଲି ୫୦୦ ଟଙ୍କିଆ ନୋଟ୍ ରବି କୁ ଦେଉଥିଲେ ଏବଂ ତାଙ୍କ ମାଧ୍ୟମରେ ବିଭିନ୍ନ ଦୋକାନ ରୁ ବିଭିନ୍ନ ସାମଗ୍ରୀ କିଣୁଥିଲେ। ହେଲେ ବ୍ୟବହାର ହେଉଥିବା ଉକ୍ତ ୫୦୦ ଟଙ୍କିଆ ନୋଟ୍ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖା ଯିବା ବଦଳରେ ଚିଲ୍ଡରେନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖା ରହିଛି। ମାତ୍ର ଉଭୟ ଟଙ୍କା ଦେଖିବାକୁ ପ୍ରାୟ ସମାନ ଥିବାରୁ ଦୋକାନୀ ଜାଣିପାରୁ ନଥିଲେ। ଏହି କ୍ରମରେ ଗତ ଗୁରୁବାର ମରଡଙ୍ଗ ଗ୍ରାମର ଦେବାନନ୍ଦ ସାହୁ ଙ୍କ ଦୋକାନରେ ରବି ଏକ ନକଲି ୫୦୦ ଟଙ୍କିଆ ନୋଟ୍ ଦେଇ କିଛି ଜିନିଷ କିଣିଥିଲେ। ଏଥି ସହ ସେହି ରାତିରେ ସେ ଉକ୍ତ ଦୋକାନ ଭାଙ୍ଗି ପ୍ରାୟ ୧୦,୫୦୦ ଟଙ୍କା ଚୋରି କରି ନେଇଥିଲେ। ଗ୍ରାମବାସୀ ଏ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ସନ୍ଦେହ ରେ ରବି ଙ୍କୁ ପଚରା ଉଚରା କରିବାରୁ ଘଟଣା ବିଷୟରେ ସୂଚନା ପାଇଥିଲେ। ପରେ ଉଭୟ ଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ଏନେଇ ବାରକୋଟ ଥାନା ରେ ଏକ ମାମଲା ରୁଜୁ ହୋଇଛି।

Deogarh (ଦେଓଗଡ଼) • ରିପୋର୍ଟ:- ନରୋତ୍ତମ ପରିଡ଼ା

A1 କ୍ଲବର ଗଣେଶ ପୂଜାର ୧୦ମ ବର୍ଷପୂର୍ତ୍ତି: ଉତ୍ସବରେ ଯୋଗଦେଲେ ଅଭିମନ୍ୟୁ ସାହୁ
Sep 20, 2026•68 views

A1 କ୍ଲବର ଗଣେଶ ପୂଜାର ୧୦ମ ବର୍ଷପୂର୍ତ୍ତି: ଉତ୍ସବରେ ଯୋଗଦେଲେ ଅଭିମନ୍ୟୁ ସାହୁ

ଅନୁଗୋଳ: ଅନୁଗୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଙ୍ଗାରବନ୍ଧ ପଞ୍ଚାୟତର ସମାକୋଇ ଗ୍ରାମରେ ପବିତ୍ର ଗଣେଶ ପୂଜାର ୧୦ ବର୍ଷ ପୂର୍ତ୍ତି ଅବସରରେ A1 କ୍ଲବ ଆନୁକୂଲ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲଡୁ ନିଲାମ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲଡୁ ନିଲାମ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ନିଓ କ୍ରିଏସନ ଡ୍ୟାନ୍ସ ଏକାଡେମୀର କଳାକାରମାନେ ଶାନ୍ତି ଓ ଶୃଙ୍ଖଳାର ସହ ବିଭିନ୍ନ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ଏହି ଅବସରରେ ସମାଜସେବୀ ଅଭିମନ୍ୟୁ ସାହୁ A1 କ୍ଲବର ସମସ୍ତ ସଦସ୍ୟ, ଆୟୋଜକ ଓ କଳାକାରମାନଙ୍କୁ ଧନ୍ୟବାଦ ଜଣାଇବା ସହ ଗଣେଶ ପୂଜାର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ନିୟମଗିରି, ସିଜିମାଲି ଓ ଖଣ୍ଡୁଆଲମାଲି ସୁରକ୍ଷା ଦାବିରେ ପ୍ରତିବାଦ
Sep 20, 2026•38 views

ନିୟମଗିରି, ସିଜିମାଲି ଓ ଖଣ୍ଡୁଆଲମାଲି ସୁରକ୍ଷା ଦାବିରେ ପ୍ରତିବାଦ

ଭୁବନେଶ୍ୱର: ପାହାଡ଼, ଜଙ୍ଗଲ ଓ ନଦୀର ସୁରକ୍ଷା ଦାବିରେ ଭୁବନେଶ୍ୱରରେ ପ୍ରତିବାଦର ଚିତ୍ର ସାମ୍ନାକୁ ଆସିଛି। ପ୍ରତିବାଦ ସମୟରେ ହାତରେ ବିଭିନ୍ନ ଦାବି ଲେଖାଥିବା ପୋଷ୍ଟର ଧରିଥିବା ଦେଖାଯାଇଛି। ଗୋଟିଏ ପୋଷ୍ଟରରେ “Hands Off Niyamgiri, Sijimali, Khandualamali” ଲେଖାଥିବା ବେଳେ ଅନ୍ୟ ପୋଷ୍ଟରରେ “Protect Our Mountains, Forests and Rivers!” ଲେଖାଯାଇଛି। ଏହା ମାଧ୍ୟମରେ ନିୟମଗିରି, ସିଜିମାଲି ଓ ଖଣ୍ଡୁଆଲମାଲି ସମେତ ପାହାଡ଼, ଜଙ୍ଗଲ ଓ ନଦୀ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା ଦାବି ଉଠାଯାଇଛି। ପ୍ରତିବାଦକାରୀମାନେ ପ୍ରାକୃତିକ ପରିବେଶ ଓ ଜଳ-ଜଙ୍ଗଲ-ଜମି ସୁରକ୍ଷା ନେଇ ନିଜର ମତ ପ୍ରକାଶ କରିଥିବା ଦେଖିବାକୁ ମିଳୁଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ =ସୁକାନ୍ତ ପ୍ରଧାନ

ଗିରାଙ୍ଗରେ ଘରେ କଳାକନା: ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି
Sep 20, 2026•61 views

ଗିରାଙ୍ଗରେ ଘରେ କଳାକନା: ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି

ବଅଁରପାଳ: ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମ ବାଲିସାହିରେ ଏକ ଘରୁ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଘର ମାଲିକ ବିଜୟ ବେହେରା ନାଲକୋ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ବିଜୟ ବେହେରାଙ୍କ ପରିବାର ବିଶ୍ୱକର୍ମା ପୂଜା ଦେଖିବା ପାଇଁ ନାଲକୋ କଲୋନୀକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ପ୍ରାୟ ତିନିଜଣ ଦୁର୍ବୃତ୍ତ ଘରେ ପଶି ଚୋରି କରିଥିବା ଅଭିଯୋଗ ହୋଇଛି। ରାତି ପ୍ରାୟ ୯ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ବିଶେଷ କଥା ହେଉଛି, ଘର ସମ୍ମୁଖରେ ବିଶ୍ୱକର୍ମା ପୂଜାକୁ ନେଇ ଗହଳି ଲାଗିଥିବା ସତ୍ତ୍ୱେ ଦୁର୍ବୃତ୍ତମାନେ ଏଭଳି ଚୋରି କରିଥିବାରୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ପରେ ନାଲକୋ ଆଦର୍ଶ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ହୋଇଥିବା ସୁନା, ରୂପା ଅଳଙ୍କାର ଓ ନଗଦ ଟଙ୍କାର ପ୍ରକୃତ ପରିମାଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ନାଲକୋ ଥାନା ଅଞ୍ଚଳରେ ଚୋରି ଓ ଅନ୍ୟାନ୍ୟ ଅପରାଧ ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ମହଲରେ ଅଭିଯୋଗ ହେଉଛି। ବେଆଇନ ନିଶା କାରବାର ଯୋଗୁଁ ଅପରାଧ ବଢ଼ୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଏହି ଘଟଣାରେ ପୁଲିସ ଚୋରଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ନାଲକୋ ,ଅନୁଗୋଳ