Web News

ନୃସିଂହନାଥରେ ତୈଳିକ ବୈଶ୍ୟ ସାହୁ ସମାଜର ନୁଆଁଖାଇ ଭେଟଘାଟ
ପାଇକମାଲ -ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ପାଇକମାଲ ବ୍ଲକ ନୃସିଂହନାଥ ପୀଠରେ ପାଇକମାଲ ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ବଳରାମ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରଗଡ଼ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ସଭାପତି ଭିକାରୀ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବରଗଡ଼ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ସମ୍ପାଦକ ଭକ୍ତପୁରଣ ସାହୁ ମୁଖ୍ୟ ବକ୍ତା ଏବଂ ପାଇକମାଲ ତୈଳିକ ବୈଶ୍ୟ ସାହୁ ସମାଜର ସମ୍ପାଦକ ଯୁଧିଷ୍ଠିର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ନୂଆଁଖାଇର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ, ସମାଜରେ ଏକତା, ଭାଇଚାରା ଓ ପରସ୍ପର ସହଯୋଗ ବଜାୟ ରଖିବା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ନୂଆଁଖାଇ ଭେଟଘାଟ ମାଧ୍ୟମରେ ସମାଜର ସଦସ୍ୟମାନଙ୍କ ମଧ୍ୟରେ ସ୍ନେହ ଓ ସମ୍ପର୍କ ଆହୁରି ଦୃଢ଼ ହେଉ ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଗଙ୍ଗାଧର ସାହୁ, ଭରତ ଚନ୍ଦ୍ର ସାହୁ, ମୁକୁନ୍ଦ ସାହୁ, କୌତୁକ ସାହୁ, ଋଣମଣ ସାହୁ, ସୁବାଷ ଚନ୍ଦ୍ର ସାହୁ, ହୁତାସନ ପାଣ୍ଡେ, କିଶୋର ଚନ୍ଦ୍ର ସାହୁ ଓ କେଶବ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଭାପତି ବଳରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Bargarh (ବରଗଡ଼) • ରିପୋର୍ଟ- ବଂଶୀଧର ନାୟକ

ରୋଲାଣ୍ଡ କଲେଜ ନିକଟରେ ଦୁର୍ଘଟଣା, ଏକାଧିକ ମହିଳା ଆହତ
ବ୍ରହ୍ମପୁର; ଗୋଳନ୍ଥରା ଥାନା ନିକଟସ୍ଥ ରୋଲାଣ୍ଡ କଲେଜ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଏକାଧିକ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲକୁ ପଠାଯାଇଛି। ଘଟଣାସ୍ଥଳରେ ଗୋଳନ୍ଥରା ପୁଲିସ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ କରୁଛି।
Ganjam (ଗଞ୍ଜାମ) • Deepak Choudhury

ବୀରପଦ୍ମନାଭପୁର ବିଦ୍ୟାଳୟ ଚୋରି ମାମଲା: ୩ ଗିରଫ, ୩ ନାବାଳକ ଅଟକ
ଦିଗପହଣ୍ଡି, ୨୦/୯: ଦିଗପହଣ୍ଡି ଥାନା ଅନ୍ତର୍ଗତ ବୀରପଦ୍ମନାଭପୁର ଉପ୍ରା ବିଦ୍ୟାଳୟରୁ ଚାଉଳ ଓ ଖେଳନା ଚୋରି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ୩ ଜଣ ଆଇନ ସହ ସଂଘର୍ଷରତ ଶିଶୁ (CICL)ଙ୍କୁ ଧରିଛି। ଏ ନେଇ ଦିଗପହଣ୍ଡି ଥାନାରେ କେସ୍ ନଂ ୩୯୬/୨୦୨୬ରେ ବିଏନ୍ଏସ୍ର ଧାରା ୩୩୧(୪)/୩୦୫ରେ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁସାରେ, ୧୬ ତାରିଖ ରାତିରେ ବିଦ୍ୟାଳୟର ଷ୍ଟୋର ରୁମ୍ରୁ ୫୦ କେଜି ଲେଖାଏଁ ୩୦ ପ୍ୟାକେଟ୍ ଚାଉଳ ଓ ପ୍ରାୟ ୧୦ ହଜାର ଟଙ୍କାର ଖେଳନା ଚୋରି ହୋଇଥିଲା। ୧୭ ତାରିଖ ରାତି ୧୦ଟା ୨୫ରେ ପ୍ରଧାନଶିକ୍ଷକ ଜାତିଆ ମଲ୍ଲିକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଛୁଟି ସମୟରେ ବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ନଥିବାର ସୁଯୋଗ ନେଇ ଚୋରି ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସନାଦୁମୁଳାର ଜେ. ଆକାଶ ପାତ୍ର ଓରଫ ଜାତ୍ରା (୧୯), ଜେ. ବାଲକୃଷ୍ଣ ପାତ୍ର ଓରଫ ଟମାଟୋ (୨୪) ଓ କରାପଡ଼ାର ସିଲୁ ପ୍ରଧାନ (୨୧)। ସେମାନଙ୍କଠାରୁ ଏକ ଡାଲା ଅଟୋ (ଓଡି ୦୭ ୱାଇ ୫୦୨୫), ୪୦୦ କେଜି ଚାଉଳ ଓ ବିଦ୍ୟାଳୟର ବିଭିନ୍ନ ଖେଳନା ଜବତ ହୋଇଛି। ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ୩ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
Ganjam (ଗଞ୍ଜାମ) • Deepak Choudhury

KGBVରେ ୫ ମାସର ବିଦ୍ୟୁତ ବିଲ୍ ବକେୟା ସଂଯୋଗ ବିଚ୍ଛିନ୍ନ, ଅନ୍ଧାରରେ ୨୦୦ ଅନ୍ତେବାସୀ
ଚିକିଟି, ୨୦ା୯: ଚିକିଟି ବ୍ଲକ ଅଧୀନ ରାମଚନ୍ଦ୍ରପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV)ରେ ୫ ମାସର ବିଦ୍ୟୁତ ବିଲ୍ ପୈଠ ହୋଇନଥିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଏହାର ପ୍ରଭାବରେ ପ୍ରାୟ ୨୦୦ ଅନ୍ତେବାସୀ ଅନ୍ଧାରରେ ରହିବା ସହ ପାଠପଢ଼ା ଓ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଦ୍ୟାଳୟରେ ଜେନେରେଟର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଦୀର୍ଘ ସମୟ ଧରି ସମଗ୍ର ହୋଷ୍ଟେଲର ଆବଶ୍ୟକତା ପୂରଣ କରିପାରୁନଥିବା ଜଣାପଡ଼ିଛି। ବିଦ୍ୟୁତ ବିଚ୍ଛିନ୍ନ ହେବା ପରେ ଅନ୍ତେବାସୀଙ୍କ ମଧ୍ୟରେ ଅସୁବିଧା ସୃଷ୍ଟି ହୋଇଛି। କେତେକ ଅନ୍ତେବାସୀ ଘରକୁ ଫେରିଯିବାକୁ ପ୍ରସ୍ତୁତ ହେଉଥିବା ମଧ୍ୟ ଜଣାପଡ଼ିଛି। ୫ ମାସର ବିଦ୍ୟୁତ ବିଲ୍ କାହିଁକି ପୈଠ ହୋଇନାହିଁ ଏବଂ ଏଥିପାଇଁ କିଏ ଦାୟୀ, ତାହା ନେଇ ପ୍ରଶ୍ନ ଉଠିଛି। ଅନ୍ତେବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ବକେୟା ବିଲ୍ ପୈଠ କରି ବିଦ୍ୟୁତ ସଂଯୋଗ ପୁନଃସ୍ଥାପନ କରିବାକୁ ଦାବି ହୋଇଛି। ଏନେଇ ଜିଲ୍ଲା ଓ ବ୍ଲକ ଶିକ୍ଷା ବିଭାଗ କି ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି।
Ganjam (ଗଞ୍ଜାମ) • Deepak Choudhury

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ ଜ୍ଞାନେନ୍ଦ୍ର ବେହେରାଙ୍କ ଝିଅର ପଢ଼ାଖର୍ଚ୍ଚ ବହନ କଲେ ନିରଞ୍ଜନ
ଭୁବନେଶ୍ୱର, ତା ୨୦.୯.୨୬:- ମଧ୍ୟପ୍ରଦେଶରେ ଠାକୁର ଦର୍ଶନ କରିବାକୁ ଯାଇଁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବଡ଼ମ୍ବାର ଜ୍ଞାନେନ୍ଦ୍ର ବେହେରା ଏବଂ ତାଙ୍କ ପରିବାରର ୭ ଜଣ ଓଡ଼ିଆ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଘଟିଛି। ଏହି ଦୁଃଖଦ ଖବର ଗଭୀର ମର୍ମାହିତ କରିବା ସହ ଦୁଃଖ ଦେଇଛି ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି । ସେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାମାନଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱର୍ଗତ ଜ୍ଞାନେନ୍ଦ୍ର ବେହେରାଙ୍କ ଏକ ମାତ୍ର ଝିଅ ଯିଏ କି +୨ ଛାତ୍ରୀ ଅଟେ ତାଙ୍କର ପଢ଼ା ବନ୍ଦ ନ କରିବାକୁ ନିବେଦନ କରିବା ସହ ଝିଅର ସମସ୍ତ ପଢାଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
Jajpur (ଯାଜପୁର) • ଅନିଲ କୁମାର ଜେନା ଙ୍କ ରିପୋର୍ଟ କଳିଙ୍ଗନଗର ଦାନଗଦୀ

ନଶା ମୁକ୍ତ ଯୁବା ଫର୍ ବିକଶିତ ଭାରତ’ ଉପରେ MY Bharat ଯାଜପୁର ପକ୍ଷରୁ ରାଷ୍ଟ୍ରୀୟ ସଙ୍କଳ୍ପ ସମାରୋହ ଆୟୋଜିତ
ଯାଜପୁର, ସେପ୍ଟେମ୍ବର ୨୦, ୨୦୨୬: ମେରା ଯୁବା ଭାରତ (MY Bharat), ଯାଜପୁର ପକ୍ଷରୁ ୧୦୦ ସପ୍ତାହିଆ ନଶା ମୁକ୍ତ ଯୁବା ଅଭିଯାନର ଅଂଶ ଭାବେ ପିଏମ୍ ଶ୍ରୀ ରାମଲକ୍ଷ୍ମଣ ସରକାରୀ ଉଞ୍ଚ ବିଦ୍ୟାଳୟ ସ୍କୁଲ, ଖଣ୍ଡରାଠାରେ ‘ନଶା ମୁକ୍ତ ଯୁବା ଫର୍ ବିକଶିତ ଭାରତ’ ଅଭିଯାନ ଅଧୀନରେ ଏକ ରାଷ୍ଟ୍ରୀୟ ସଙ୍କଳ୍ପ ସମାରୋହ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବମାନଙ୍କ ମଧ୍ୟରେ ନିଶାଦ୍ରବ୍ୟ ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ସୁସ୍ଥ, ଦାୟିତ୍ୱଶୀଳ ଏବଂ ନିଶାମୁକ୍ତ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏକ ଯୁବ ସଙ୍କଳ୍ପ ଓ ସ୍ୱାକ୍ଷର ଅଭିଯାନ ଆୟୋଜନ କରାଯାଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀ ଓ ଯୁବ ସ୍ୱେଚ୍ଛାସେବୀମାନେ ସମସ୍ତ ପ୍ରକାରର ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଏବଂ ନିଶାଦ୍ରବ୍ୟ ସେବନ ବିରୋଧରେ ସଚେତନତା ପ୍ରସାର କରିବା ପାଇଁ ସଙ୍କଳ୍ପ ନେଇଥିଲେ। MY Bharat ଯାଜପୁରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କୁମାର ଗୌରବ, ପ୍ରଧାନଶିକ୍ଷକ ଶ୍ରୀ ତୁଷାର କାନ୍ତ ମିଶ୍ର, ଶିକ୍ଷକମାନେ, ଯୁବ ସ୍ୱେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେଇ ସଙ୍କଳ୍ପ ନେଇଥିଲେ। କାର୍ଯ୍ୟକ୍ରମଟି ନଶା ମୁକ୍ତ ଭାରତ ଏବଂ ଏକ ସୁସ୍ଥ ଓ ବିକଶିତ ଭାରତ ଗଠନରେ ଅବଦାନ ରଖିବା ପାଇଁ ସାମୂହିକ ପ୍ରତିବଦ୍ଧତା ସହିତ ସମାପ୍ତ ହୋଇଥିଲା।
Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ

ପୁଣି ଏକ ବାତ୍ୟା ର ଭୟ ରହୁଛି
ଭୁବନେଶ୍ବର ୨୦।୯: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ । ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେବ । ୨୩ ତାରିଖ ସକାଳ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି IMD । ଏହାର ପ୍ରଭାବରେ ପବନ ଅପେକ୍ଷା ରାଜ୍ୟରେ ୨୨ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ୨୧ରୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ଗଭୀର ଅବପାତ ସମୟରେ ବର୍ଷାର ମାତ୍ର ବୃଦ୍ଧି ପାଇବ । ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଖଳନ ହେବାର ସମ୍ଭାବନା ରହିଛି ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ୍: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଜର୍ଜ ତିର୍କୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ .... ଅଭିମାନୀ, ସ୍ୱାଭିମାନୀ, ପ୍ରତିବଦ୍ଧତା ସ୍ଵରୁପ ନେତା ଥିଲେ ଜର୍ଜ ତିର୍କୀ
ରାଉରକେଲା: ସୁନ୍ଦରଗଡ ଜିଲ୍ଲା ର ଜଣେ ଟାଣୁଆ,ଲଢୁଆ ତଥା ବିରମିତ୍ରପୁରର ପ୍ରାକ୍ତନ ବିଧାୟକ ଜର୍ଜ ତିର୍କୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରେ ଜିଲ୍ଲା। ତଥା ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ପ୍ରଶାସନିକ ଅଧିକାରୀ ଓ ଜନସାଧାରଣ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ପ୍ରଶାନ୍ତ ଚନ୍ଦ୍ର ଅମାତ୍ ଙ୍କ ସଂଯୋଜନା ଓ ଜର୍ଜଙ୍କ ପୁତ୍ର ତଥା ବିରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କିଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର, ନବରଙ୍ଗପୁରର ପ୍ରାକ୍ତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସମେତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଶ୍ରମିକନେତା ଗୋପାଳ ଦାସ, ଶଶଧର ନାୟକ, କଂଗ୍ରେସ ନେତା ଜ୍ଞାନେନ୍ଦ୍ର ଦାଶ,ହାଲୁ ମୁଣ୍ଡାରୀ, ନିହାର ରାୟ,ସୁବ୍ରତ ତରାଇ, ବିରେନ୍ ସେନାପତି,ସୁଦାମ ଦାଶ, ଜୟନ୍ତ ମିଶ୍ର, ପ୍ରଶାନ୍ତ ସେଠୀ, ନିହାର ସୁରିନ, ବେନଡିକ୍ଟ ତିର୍କି,ଡ଼ଃ ସୁମନ ଦତ୍ତ, ଅନୀଲ ବରୁୱ।, ମନୋରଞ୍ଜନ ଦାଶ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ତିର୍କୀଙ୍କ ଜୀବନାଦର୍ଶ, ରାଜନୈତିକ ତଥା ସଂଘର୍ଷମୟ ଜୀବନ, ଶ୍ରମିକ ଓ ଆଦିବାସୀଙ୍କ ସ୍ବାର୍ଥ ପାଇଁ ଲଢେ଼ଇ ଉପରେ ବକ୍ତବ୍ୟ ରଖିଥିଲେ। ପ୍ରାକ୍ତନ ସାଂସଦ ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ ଜର୍ଜଙ୍କୁ ଅଭିମାନୀ, ସ୍ୱାଭିମାନୀ, ତଥା ଆଦିବାସୀମାନଙ୍କ ପାଇଁ ନିଃସ୍ୱାର୍ଥପର,ପ୍ରତିବଦ୍ଧତାର ସ୍ବର ଥିଲେ ବୋଲି ମତ ରଖିଥିଲା ବେଳେ ଜିଲ୍ଲା ସଭାପତି ଶ୍ରୀ ତ୍ରିପାଠୀ ତାଙ୍କୁ ଏକ ବ୍ରାଣ୍ଡ ଭାବେ ଅବହିତ କରି ତାଙ୍କ ଜୀବନୀ ନେଇ ଏକ ପୁସ୍ତକ ରଚନା କରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଜର୍ଜ ତିର୍କୀ କହିଲେ ଏକ ଆନ୍ଦୋଳନ କୁ ବୁଝାଏ। ତାଙ୍କର ରାଜନୈତିକ ଓ ସମାଜସେବା ଜୀବନ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଇସ୍ପାତ ଫିଟନେସ ପାଥ୍ ଠାରେ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଓ ଅଟଳ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ
ରାଉରକେଲା: ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟନେସ ପାଥ୍ ଠାରେ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଓ ଅଟଳ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଥ୍ ର ସଭାପତି ଅକ୍ଷୟ ରାଉତଙ୍କ ଆବାହକତ୍ୱରେ ଆୟୋଜିତ ଏହି ନିଃଶୁଳ୍କ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ଡାକ୍ତର ଶିବରକଲ, ଡାକ୍ତର ଶଙ୍କର ସୁବୁଦ୍ଧି ଓ ନାଡି ଶୋଧନ ଡାକ୍ତର ଜଗଦିଶ ପଶାୟତ ପ୍ରମୁଖ ଶତାଧିକ ବ୍ୟକ୍ତିଙ୍କର ରକ୍ତଚାପ, ମଧୁମେହ,ହୃଦୟ ଓ ନାଡି ଶୋଧନ ଆଦି ପରୀକ୍ଷା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ସେହିପରି ଅଟଳ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଗଣେଶ ଜୟସିଂହ ଓ ଲିଲିମା ଜୟସିଂହ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫିଟନେସ ପାଥ୍ ଅଞ୍ଚଳକୁ ସଫେଇ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିକାଶ ଚନ୍ଦ୍ର ରାଉତରାୟ, ଅବକାଶ ବେହେରା, ଜ୍ଞାନରଞ୍ଜନ ଦାସ, ସଞ୍ଜୟ ସାହୁ,ଡ ସୁମନ ଦତ୍ତ,ଅଜୟ ପୂଜାରୀ, ରାଜକିଶୋର ଯୋଶୀ, ବିଷ୍ଣୁ ବେହେରା,ଏମଡି ଦାଉଦ୍, ପ୍ରଫୁଲ୍ଲ ଦାସ,ବିଦ୍ୟାଧର ଜେନା,ଡିମ୍ପଲ ଆନନ୍ଦ, ରମେଶ ଯାଦବ, ନାରାୟଣ ସିଂହ, ନିରଞ୍ଜନ ପଟେଲ ପ୍ରମୁଖ ସହଯୋଗ କରିଥିଲାବେଳେ ଶତାଧିକ ବ୍ୟକ୍ତି ଏହି ସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ରାମକୃଷ୍ଣ ମିଶନ ତରଫରୁ ବିବେକାନନ୍ଦ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ
ରାଉରକେଲା: ସହରର ହମିରପୁର ସ୍ଥିତ ରାମକୃଷ୍ଣ ମିଶନ ତରଫରୁ ବିବେକାନନ୍ଦ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଆର୍ଥିକ ଅନଗ୍ରସର ଓ ହମିରପୁର ଗ୍ରାମବାସୀଙ୍କୁ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାମକୃଷ୍ଣ ସଂଘ ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମିଶନ ଠାରୁ ୨ ଶହ ମିଟର ଦୂରରେ ଏଥିପାଇଁ ସ୍ଥାନଟିଏ କିଣାଯାଇ ବେଲୁର ମଠର ସଭ୍ୟ ତଥା ସହାୟକ ସାଧାରଣ ସମ୍ପାଦକ ସ୍ବାମୀ ବୋଧସରନନ୍ଦଜୀ ଗତ ୨୦୧୬ ଜାନୁଆରୀ ମାସରେ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ଗତ ୧୮ ତାରିଖ ଦିନ ଉକ୍ତ କେନ୍ଦ୍ରକୁ ତାଙ୍କରି ହାତରେ ଏହାର ଶୁଭ ଉଦ୍ଘାଟନ କରାଯାଇଛି। ପ୍ରାୟ ହଜାର ବର୍ଗଫୁଟ ସ୍ଥାନରେ ନିର୍ମିତ ଏହି ଦ୍ବିତାଲା କେନ୍ଦ୍ରର ଉପର ମହଲାରେ ସାଧୁ ଓ କର୍ମଚାରୀଙ୍କ ପାଇଁ ନିବାସ କରାଯିବ ଏବଂ ତଳ ମହଲାରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିବ । ଏଥିରେ ଫିଜିଥେରାପି ପାଇଁ ସମସ୍ତ ବ୍ୟବସ୍ଥା ରହିବ। ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଉଦଘାଟନ ପର୍ବରେ ସିଟି ଇଂରାଜୀ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଦେବଜ୍ୟୋତି ରାୟଙ୍କ ସଂଯୋଜନାରେ ଏକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ମୁଖ୍ୟ ଭାବେ ସ୍ବାମୀ ବୋଧସରାନନ୍ଦ ଯୋଗଦେଇ ରାମକୃଷ୍ଣ ମିଶନର ବୈଶିଷ୍ଟ୍ୟ, ବିଶ୍ଵଶାନ୍ତି ପାଇଁ ଅବଦାନ, ରାମକୃଷ୍ଣ ଓ ବିବେକାନନ୍ଦଙ୍କ ସନାତନ ଅଦ୍ଵୈତ ବେଦାନ୍ତର ବିଶ୍ବବ୍ୟାପୀ ପ୍ରଚାର ପ୍ରସାର ପାଇଁ ଉଦ୍ୟମ, ଭୁବନେଶ୍ୱର ର ୧୧୫ ବର୍ଷର ପୁରାତନ ରାମକୃଷ୍ଣ ମଠ ଓ ମିଶନର ଅଧ୍ୟକ୍ଷ ସ୍ବାମୀ ଆତ୍ମପ୍ରଭାନନ୍ଦ ମୁଖ୍ୟତଃ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ବିବେକାନନ୍ଦଙ୍କ ବାଣୀର ଅବତାରଣା ସହ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ରାଉରକେଲା ମିଶନ ର ସାଧୁ ମଣ୍ଡଳୀ ସ୍ବାମୀ ଆତ୍ମପ୍ରଭାନନ୍ଦ, ସ୍ବାମୀ ପୂଜାନନ୍ଦ,ସ୍ବାମୀ ଗୋଲକାନନ୍ଦ, ସ୍ବାମୀ ସୁଧାନନ୍ଦ ବୈଦିକ ଶ୍ଲୋକ ଆବୃତ୍ତି କରିଥିଲେ। ଅନୁଷ୍ଠାନର ମୁଖ୍ୟ ସ୍ବାମୀ ଦିବ୍ୟସ୍ବରୂପାନନ୍ଦ ସ୍ବାଗତ ଭାଷଣ ସହ ଅନୁଷ୍ଠାନ ପ୍ରତି ବିଶେଷ ଅବଦାନ ରଖିଥିବା ଅର୍ଜୁନ ପୁରସ୍କାର ପ୍ରାପ୍ତ ରମେନ ଘୋଷ, ସ୍ବାମୀ ବୋଧସରାନନ୍ଦ, ଭୁବନେଶ୍ୱର ମଠର ଅଧ୍ୟକ୍ଷ ସ୍ବାମୀ ଆତ୍ମପ୍ରଭାନନ୍ଦ ଓ ଅନୁଷ୍ଠାନର ସଭାପତି ଭାରତ ଭୁଷଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସିଟି ଇଂରାଜୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ବାରା ଭାରତମାତା ଙ୍କୁ ନିବେଦିତ ଏକ ନୃତ୍ୟ,ତିତିଲି ବାଚିକ ଶିଳ୍ପ କେନ୍ଦ୍ରର ପରିଚାଳକ ପଲ୍ଲବ ଚାଟାର୍ଜୀ ଓ ସୁଚିସ୍ମିତା ବିଶ୍ୱାସଙ୍କ ନିର୍ଦ୍ଦେଶନାରେ ବିବେକାନନ୍ଦଙ୍କ ଏକ ଗୁଢ ଭାବପୂର୍ଣ୍ଣ କବିତା ଆମ୍ବା ମାନୁଷୋ ଗୋଚରମ ଆଧାରରେ ଏକ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା। ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ମହାନ୍ତି ଆଧ୍ୟାତ୍ମିକତା ଓ ଧର୍ମ ମଧ୍ୟରେ ଥିବା ପାର୍ଥକ୍ୟ , ରାମକୃଷ୍ଣ ମିଶନର ବିଶ୍ବର ସବୁଠାରୁ ଅଧିକ ପ୍ରାୟ ୩୫୦ ସଂଖ୍ୟକ ଶାଖା ଥିବା ଆଧ୍ୟାତ୍ମିକ ଅନୁଷ୍ଠାନ ସମ୍ପର୍କରେ କହିବା ସହ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୬ ଜଣ ମହାରାଜ ଙ୍କ ସହ ଭୁବନେଶ୍ୱର ରୁ ସ୍ବାମୀ ଜୀବାନାଥାନନ୍ଦ, କଟକ ରୁ ସ୍ବାମୀ ସର୍ବମଙ୍ଗଳାନନ୍ଦ ଯୋଗ ଦେଇଥିଲେ। କଟକ ଶାଖାର ମହାରାଜ ମୁଖ୍ୟଅତିଥି ଙ୍କ ଅଭିଭାଷଣ କୁ ସଂକ୍ଷିପ୍ତରେ ଓଡିଆରେ ବଖାଣିଥିଲେ। ସନ୍ଧ୍ୟାରେ ସ୍ବାମୀ ସ୍ବରୁପାନନ୍ଦ ଓ ସ୍ବାମୀ ଆତ୍ମପ୍ରଭାନନ୍ଦ ଙ୍କ ସହ ଅନ୍ୟମାନେ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ସ୍ବାମୀ ବୋଧସରାନନ୍ଦ ୩ଟି ଗଦାଧର ଅଭ୍ୟୁଦୟ ସଂକଳ୍ପ ପରିଦର୍ଶନ କରିଥିଲେ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣା: ମୈଦଲପୁର ବନପାଳ ନିଲମ୍ବିତ
ନବରଙ୍ଗପୁର, ୨୦/୯ : ବିନା ଅନୁମତିରେ ରାସ୍ତା ପ୍ରଶସ୍ତୀକରଣ ନାଁରେ ୨୦ଟି ନୀଳଗିରି ଗଛ କାଟିବା ଘଟଣାରେ ତତ୍କାଳୀନ ଝରିଗାଁ ବନପାଳ ତଥା ମୈଦଲପୁର ବନପାଳ ବିପିନ ହରିଜନଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ନବରଙ୍ଗପୁର ଡିଏଫଓ ଉଦୟନ ସୁବୁଦ୍ଧି। ଏଥିସହ ନିଲମ୍ବିତ ଫରେଷ୍ଟରଙ୍କୁ ଡିଏଫଓ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ବିନା ଅନୁମତିରେ ସେ ଜିଲ୍ଲା ସଦର ମହକୁମା ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ସୂଚନା ଅନୁସାରେ, ଝରିଗାଁ ରେଞ୍ଜ ଅଞ୍ଚଳର ଚନ୍ଦାହାଣ୍ଡି ବ୍ଳକର ଦେଓବନ୍ଧ ଠାରୁ ଜାମାପଦର ରାସ୍ତାର ପ୍ରଶସ୍ତୀକରଣ ଚାଲିଥିବା ବେଳେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଶ୍ରୀ ହରିଜନ ୨୦ଟି ନୀଳଗିରି ଗଛକାଟି ବେପାରୀଙ୍କ ହାତକୁ ଟେକି ଦେଇଥିଲେ। ଏଥିରେ ଅର୍ଥ କାରବାର ହୋଇଥିଲା। ଅନ୍ୟପକ୍ଷରେ ସଂପୃକ୍ତ ଅଞ୍ଚଳରେ ରାସ୍ତା ପ୍ରଶସ୍ତୀକରଣ ପାଇଁ କୌଣସି ବିଭାଗ ପକ୍ଷରୁ ବନବିଭାଗକୁ ଅନୁମତି ମଗାଯାଇ ନଥିଲା। ସ୍ଥାନୀୟ ଲୋକେ ନିଜ ଇଚ୍ଛାରେ ରାସ୍ତା ପାର୍ଶ୍ଵରେ ୨୦ଟି ନୀଳଗିରି ଗଛ ଲଗାଇଥିବା ବେଳେ ଫରେଷ୍ଟର ପଦା କରିଦେଇଥିଲେ। ଏନେଇ ଅଭିଯୋଗ ପରେ ଡିଏଫଓ ଶ୍ରୀ ସୁବୁଦ୍ଧି ବନପାଳ ଶ୍ରୀ ହରିଜନଙ୍କୁ ଗତ ୨ ତାରିଖ ଦିନ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ | ତେବେ ବନପାଳ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ତାଙ୍କୁ ଚାକିରିରୁ ଚା ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି କହିଛନ୍ତି ବନପାଳ ଶ୍ରୀ ହରିଜନ ବନପାଳ କହିବା ହେଲା ତାଙ୍କର ଝରିଗାଁ ରେଞ୍ଜରଙ୍କ ସହ ଝଗଡ଼ା ହେବା ପରେ ଗତ ଅଗଷ୍ଟ ୪ ତାରିଖରେ ତାଙ୍କୁ ମୈଦଲପୁରକୁ ବଦଳି କରାଯାଇଥିଲା। ତେଣୁ ଗଛ କାଟିବା ଘଟଣାରେ କିମ୍ବା ଗଛକାଟି ବିକ୍ରି ଘଟଣାରେ ତାଙ୍କର ସମ୍ପୃକ୍ତ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବନପାଳ ବିପିନ ହରିଜନଙ୍କ ବଦଳି ପରେ ବି ସେ ଦାୟିତ୍ଵ ଦେଇନଥିଲେ। ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ପାଇବା ପରେ ଡିଏଫଓ ପଦକ୍ଷେପ ନେଇଛନ୍ତି। ଅଧିକା ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଏସିଏଫଓ ସୁବାସ ଚନ୍ଦ୍ର ଖୁଣ୍ଟିଆ।
Nabarangpur (ନବରଙ୍ଗପୁର) • ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ୍ ନବରଙ୍ଗପୁର

ଜୋନ ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୨ ନମ୍ବର ଜୋନର ସଭାପତି ମାନସ ପଟ୍ଟନାୟକଙ୍କ ନେତୃତ୍ୱରେ ଏବଂ ଲକ୍ଷ୍ମଣ ମଙ୍ଗରାଜଙ୍କ ସଭାପତିତ୍ୱରେ ଡିଆ ପଞ୍ଚାୟତସ୍ଥିତ ଲୋକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜୋନସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଯୋଗଦେଇ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ସାଂଗଠନିକ କାର୍ଯ୍ୟକଳାପ ଓ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ, ବ୍ଲକ୍ ସଭାପତି ଶିଶିର ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଶେଖ ସାଜିଦ, ସାଦିକ ଖାନ, ପୂର୍ଣ୍ଣଚନ୍ଦ୍ର ବେହେରା, ମନୋଜ ପଟ୍ଟନାୟକ, ବୁଲୁ ରାଉତ, ସର୍ବେଶ୍ୱର ମଲ୍ଲିକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ,ଖୋର୍ଦ୍ଧା
