--:--:--
-- ---
Srishti News

ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ୧୨ତମ OAV ପ୍ରତିଷ୍ଠା ଦିବସ ‘SPARK-2026’: ୧୧ଟି ପୁରସ୍କାର ସହ ଚାମ୍ପିଅନ୍ ଟ୍ରଫି ହାତେଇଲା OAV ଜାହାରିଟୋଲି

Rourkela (ରାଉରକେଲା)Reports: Ganapati DasSeptember 20, 202610 views
ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ୧୨ତମ OAV ପ୍ରତିଷ୍ଠା ଦିବସ ‘SPARK-2026’: ୧୧ଟି ପୁରସ୍କାର ସହ ଚାମ୍ପିଅନ୍ ଟ୍ରଫି ହାତେଇଲା OAV ଜାହାରିଟୋଲି
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ‘SPARK-2026’ କାର୍ଯ୍ୟକ୍ରମ OAV ତେଲିପୋଷ, କୁଆରମୁଣ୍ଡାଠାରେ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୧୮ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ନୋଡାଲ୍ ପ୍ରିନ୍ସିପାଲ୍ ଶ୍ରୀ ପି.କେ. ପାଲେଇଙ୍କ ମାର୍ଗଦର୍ଶନ ଏବଂ ଆୟୋଜକ ବିଦ୍ୟାଳୟ OAV ତେଲିପୋଷର ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଉଦ୍‌ଘାଟନୀ ସମାରୋହରେ ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସମାପନୀ ସମାରୋହରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ଓ ବିଦ୍ୟାଳୟମାନଙ୍କୁ ପୁରସ୍କୃତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି OAV ଜାହାରିଟୋଲି, ନୂଆଗାଁ ବ୍ଲକ୍ ୧୧ଟି ପୁରସ୍କାର ହାସଲ କରି ଜିଲ୍ଲାସ୍ତରୀୟ ଚାମ୍ପିଅନ୍ ଟ୍ରଫି ଅର୍ଜନ କରିଛି। ଏହା ଲଗାତାର ଦ୍ୱିତୀୟ ଥର ପାଇଁ OAV ଜାହାରିଟୋଲିର ଏହି ଗୌରବମୟ ସଫଳତା। ଏହା ପୂର୍ବରୁ ୨୦୨୪ ମସିହାରେ ମଧ୍ୟ ବିଦ୍ୟାଳୟଟି ଚାମ୍ପିଅନ୍ ଟ୍ରଫି ହାସଲ କରିଥିଲା। ଏହି ସଫଳତା ପରେ OAV ଜହାରୀଟୋଲିର ଅଧ୍ୟକ୍ଷା ଶ୍ରୀମତୀ ନମିତା ପ୍ରଧାନ ଏହାର ସମସ୍ତ ଶ୍ରେୟ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ଏବଂ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମକୁ ଦେଇଛନ୍ତି। ଶିକ୍ଷକମାନଙ୍କର ନିରନ୍ତର ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଉତ୍ସର୍ଗୀକୃତ ପ୍ରୟାସ ଫଳରେ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। OAV ଜହରିଟୋଲିର ଏହି ଗୌରବମୟ ସଫଳତା ନୂଆଗାଁ ବ୍ଲକ୍ ପାଇଁ ଗୌରବ ଓ ଆନନ୍ଦର ବିଷୟ ପାଲଟିଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଏହି ସଫଳତାକୁ ନେଇ ଉତ୍ସାହ ପ୍ରକାଶ ପାଇଛି।